ଅଠରନଳା
ଅଠରନଳା ହେଉଛି ଓଡ଼ିଶା ପୁରୀଜିଲ୍ଲାରେ ୧୩୦୦ ମସିହାରେ ସ୍ଥାପିତ ହୋଇଥିବା ଏକ ପ୍ରାଚୀନ ପୋଲ ତଥା ଏକ ଐତିହାସିକ ସ୍ଥଳୀ । ଅଠରନଳା ପାର ହେଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦେଖାଯାଏ । ବସ ଯୋଗେ ପୁରୀକୁ ଯିବାବେଳେ ବାଟରେ ଅଠରନଳା ପଡ଼ିଥାଏ । [୧]ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ ।[୨] ଅଠର ନଳା ପହଞ୍ଚିଗଲେ ଶ୍ରଦ୍ଧାଳୁ ତଥା ଯାତ୍ରୀମାନେ ଶ୍ରୀକ୍ଷେତ୍ରର ଖୁବ ନିକଟତର ହୋଇଗଲେ ବୋଲି ଭାବିଥାନ୍ତି । ଅଠର ନଳାଠାରୁ ଶ୍ରୀମନ୍ଦିରର ନୀଳଚକ୍ର ଓ ଦଧିନଉତି ଦୃଶ୍ୟମାନ ହୁଏ ।
ପୂର୍ବେ ମାଳିନୀ ନଦୀ ପୁରୀକୁ ଦୁଇ ଭାଗ କରି ସମୁଦ୍ରରେ ମିଶୁଥିଲା । ସେଥିପାଇଁ ରଥଯାତ୍ରାରେ ମହାପ୍ରଭୁ ତିନି ରଥରେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଯାଉଥିଲେ । ସେଠାରୁ ମାଳିନୀ ନଦୀ ପାର ହୋଇ ତିନୋଟି ସାନ ରଥରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ । ମାଳିନୀ ନଦୀ ପୋତି ଦିଆଯିବାପରେ ଛଅଟି ରଥ ନହୋଇ ତିନୋଟି ରଥରେ ଯାତ୍ରା ହେଲା । ମାଳିନୀ ନଦୀର ଏକ ଶାଖା ନଦୀ ଜଗନ୍ନାଥ ସଡ଼କର ଶେଷ ମୁଣ୍ଡରେ ଅର୍ଥାତ ପୁରୀ ନଗର ସୀମାରେ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲା । ଉକ୍ତ ଶାଖା ନଦୀକୁ ମୁଷା ନଦୀ କୁହାଯାଉଥିଲା । ପୁରୀକୁ ଯାତ୍ରୀମାନେ ଆସିଲେ ନଦୀ ଘାଟରେ ଅପେକ୍ଷା କରିବାକୁ ପଡୁଥିଲା । ଯେଉଁମାନଙ୍କର କର ଦେବାରେ ସାମର୍ଥ୍ୟ ନଥିଲା ସେମାନଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ମାଗଣା ଯିବାର ବ୍ୟବସ୍ଥା ଥିଲା । ଯାତାୟତ ସମସ୍ୟା ଦୂର କରିବା ପାଇଁ ଗଙ୍ଗ ବଂଶର ରାଜା ଦ୍ୱିତୀୟ ନରସିଂହଦେବ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ସଡ଼କ ମଧ୍ୟରେ ସଂଯୋଗ ପାଇଁ ଏକ ପୋଲ ନିର୍ମାଣ କରିଥିଲେ ଯାହାକି ଅଠର ନଳା ନାମରେ ପ୍ରସିଦ୍ଧ ହୋଇଥିଲା ।[୩] ଅନ୍ୟ ଏକ ତଥ୍ୟ ଆଧାରରେ ଗଙ୍ଗ ବଂଶର ରାଜା ଭାନୁଦେବଙ୍କଦ୍ୱାରା ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ।[୪] କିମ୍ବଦନ୍ତୀ ମତରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେବାପରେ ନିଜର ଅଠରଜଣ ପୁଅଙ୍କୁ ନଦୀ ଜଳରେ ବଳି ଚଢ଼ାଇବା ପରେ ଏହା ତିଆରି କରିବାକୁ ସକ୍ଷମ ହୋଇଥିଲେ ।[୫] ପୂର୍ବରୁ ଓଡ଼ିଶାର ରାଜା ମତ୍ସ୍ୟକେଶରୀ (ଖ୍ରୀଷ୍ଟାବ୍ଦ ୯୭୫- ୯୯୫) ମଧୁପୁର ନଦୀ (ହୁଳୁହୁଳିଆ ବା ମଙ୍ଗଳା ନଈ) ଉପରେ ଏହି ପୋଲ ନିର୍ମାଣ କରାଇଥିଲେ । ଏ ପୋଲରେ ୧୮ଟି ଫୁକାର ଅଛି ଏ ଫୁକାରମାନ ଖିଲାଣକାମ ନହୋଇ ପଥରମାନଙ୍କଦ୍ୱାରା ଲହଡ଼ିମୁଦ କରାଯାଇ ତିଆରି ହୋଇଥିଲା [୬] ।
ବୈଶିଷ୍ଟ୍ୟ
[ସମ୍ପାଦନା]ଏହି ପୋଲରେ ୧୯ ଖମ୍ବ ରହିଥିବା ବେଳେ ପାଣି ଯିବାପାଇଁ ୧୮ଟି ନଳା ରହିଛି । ଏହାର ଲମ୍ବ ୮୫ ମିଟର ଓ ଓସାର ୧୧ ମିଟର । ମାଦଳା ପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଗଣନା କଲେ ୧୩୦୦ ମସିହାରେ ଏହି ପୋଲ ନିର୍ମାଣ ହୋଇଥିବାର ଅନୁମାନ କରାଯାଏ । ଏଥିରେ ଥିବା ଖିଲଣଗୁଡ଼ିକ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ । ଏହାର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି । କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ତିଆରି କରାଯାଇଛି । [୭]
ଅତୀତର ସୁରକ୍ଷା ବ୍ୟବସ୍ଥା
[ସମ୍ପାଦନା]ଅତୀତରେ ଶ୍ରୀକ୍ଷେତ୍ରରେ ୧୪ଟି ଘାଟ ମଧ୍ୟରୁ ୧୦ଟି ନଦୀ ଘାଟ ହୋଇଥିବା ବେଳେ ୪ଟି ସମୁଦ୍ର ଘାଟ ଅଟେ । ନଦୀ ଘାଟ ମଧ୍ୟରୁ ଅଠର ନଳାର ପ୍ରସିଦ୍ଧି ଥିଲା । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଜପତିମହାରାଜ ପ୍ରତି ଘାଟରେ ପ୍ରତିହାରୀ ସେବକମାନଙ୍କୁ ନିଯୁକ୍ତ କରିଥିଲେ । ସେମାନଙ୍କୁ ଘାଟ ଦ୍ୱାର ପ୍ରତିହାରୀ କୁହାଯାଉଥିଲା । ସେମାନେ ପାଳି କରି ୨୪ ଘଣ୍ଟା ଘାଟ ଜଗୁଥିଲେ ।
ଆଧାର
[ସମ୍ପାଦନା]- ↑ http://www.visitpuri.com/atharnala-bridge[permanent dead link]
- ↑ "Atharanala Bridge, Puri". The British Library. Retrieved 15 March 2015.
- ↑ ଐତିହରେ ଶ୍ରୀକ୍ଷେତ୍ର - ହେମନ୍ତ କୁମାର ନାୟକ - ଧରିତ୍ରୀ - ତା ୧୪.୫.୨୦୧୭ - ଭୁବନେଶ୍ୱର ସଂସ୍କରଣ - ପୃଷ୍ଠା ୧୦
- ↑ Dehury, Chinmaya. "Odisha govt draws up plan to beautify Atharanala bridge in Puri". Odisha Sun Times. Retrieved 15 March 2015.
- ↑ "Atharanala". ISKCON desire tree network. Retrieved 15 March 2015.
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୧୫୭.
- ↑ "ଆର୍କାଇଭ୍ କପି". Archived from the original on 2013-05-09. Retrieved 2013-08-29.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |