ଅଠରନଳା

ଉଇକିପିଡ଼ିଆ‌ରୁ
ଅଠରନଳା

ଅଠରନଳା ହେଉଛି ଓଡ଼ିଶା ପୁରୀଜିଲ୍ଲାରେ ୧୩୦୦ ମସିହାରେ ସ୍ଥାପିତ ହୋଇଥିବା ଏକ ପ୍ରାଚୀନ ପୋଲ ତଥା ଏକ ଐତିହାସିକ ସ୍ଥଳୀ । ଅଠରନଳା ପାର ହେଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦେଖାଯାଏ । ବସ ଯୋଗେ ପୁରୀକୁ ଯିବାବେଳେ ବାଟରେ ଅଠରନଳା ପଡ଼ିଥାଏ । [୧]ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ ।[୨] ଅଠର ନଳା ପହଞ୍ଚିଗଲେ ଶ୍ରଦ୍ଧାଳୁ ତଥା ଯାତ୍ରୀମାନେ ଶ୍ରୀକ୍ଷେତ୍ରର ଖୁବ ନିକଟତର ହୋଇଗଲେ ବୋଲି ଭାବିଥାନ୍ତି । ଅଠର ନଳାଠାରୁ ଶ୍ରୀମନ୍ଦିରର ନୀଳଚକ୍ରଦଧିନଉତି ଦୃଶ୍ୟମାନ ହୁଏ ।

ପୂର୍ବେ ମାଳିନୀ ନଦୀ ପୁରୀକୁ ଦୁଇ ଭାଗ କରି ସମୁଦ୍ରରେ ମିଶୁଥିଲା । ସେଥିପାଇଁ ରଥଯାତ୍ରାରେ ମହାପ୍ରଭୁ ତିନି ରଥରେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଯାଉଥିଲେ । ସେଠାରୁ ମାଳିନୀ ନଦୀ ପାର ହୋଇ ତିନୋଟି ସାନ ରଥରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ । ମାଳିନୀ ନଦୀ ପୋତି ଦିଆଯିବାପରେ ଛଅଟି ରଥ ନହୋଇ ତିନୋଟି ରଥରେ ଯାତ୍ରା ହେଲା । ମାଳିନୀ ନଦୀର ଏକ ଶାଖା ନଦୀ ଜଗନ୍ନାଥ ସଡ଼କର ଶେଷ ମୁଣ୍ଡରେ ଅର୍ଥାତ ପୁରୀ ନଗର ସୀମାରେ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲା । ଉକ୍ତ ଶାଖା ନଦୀକୁ ମୁଷା ନଦୀ କୁହାଯାଉଥିଲା । ପୁରୀକୁ ଯାତ୍ରୀମାନେ ଆସିଲେ ନଦୀ ଘାଟରେ ଅପେକ୍ଷା କରିବାକୁ ପଡୁଥିଲା । ଯେଉଁମାନଙ୍କର କର ଦେବାରେ ସାମର୍ଥ୍ୟ ନଥିଲା ସେମାନଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ମାଗଣା ଯିବାର ବ୍ୟବସ୍ଥା ଥିଲା । ଯାତାୟତ ସମସ୍ୟା ଦୂର କରିବା ପାଇଁ ଗଙ୍ଗ ବଂଶର ରାଜା ଦ୍ୱିତୀୟ ନରସିଂହଦେବ ଶ୍ରୀକ୍ଷେତ୍ରଜଗନ୍ନାଥ ସଡ଼କ ମଧ୍ୟରେ ସଂଯୋଗ ପାଇଁ ଏକ ପୋଲ ନିର୍ମାଣ କରିଥିଲେ ଯାହାକି ଅଠର ନଳା ନାମରେ ପ୍ରସିଦ୍ଧ ହୋଇଥିଲା ।[୩] ଅନ୍ୟ ଏକ ତଥ୍ୟ ଆଧାରରେ ଗଙ୍ଗ ବଂଶର ରାଜା ଭାନୁଦେବଙ୍କଦ୍ୱାରା ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ।[୪] କିମ୍ବଦନ୍ତୀ ମତରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେବାପରେ ନିଜର ଅଠରଜଣ ପୁଅଙ୍କୁ ନଦୀ ଜଳରେ ବଳି ଚଢ଼ାଇବା ପରେ ଏହା ତିଆରି କରିବାକୁ ସକ୍ଷମ ହୋଇଥିଲେ ।[୫] ପୂର୍ବରୁ ଓଡ଼ିଶାର ରାଜା ମତ୍ସ୍ୟକେଶରୀ (ଖ୍ରୀଷ୍ଟାବ୍ଦ ୯୭୫- ୯୯୫) ମଧୁପୁର ନଦୀ (ହୁଳୁହୁଳିଆ ବା ମଙ୍ଗଳା ନଈ) ଉପରେ ଏହି ପୋଲ ନିର୍ମାଣ କରାଇଥିଲେ । ଏ ପୋଲରେ ୧୮ଟି ଫୁକାର ଅଛି ଏ ଫୁକାରମାନ ଖିଲାଣକାମ ନହୋଇ ପଥରମାନଙ୍କଦ୍ୱାରା ଲହଡ଼ିମୁଦ କରାଯାଇ ତିଆରି ହୋଇଥିଲା [୬]

ବୈଶିଷ୍ଟ୍ୟ[ସମ୍ପାଦନା]

ଏହି ପୋଲରେ ୧୯ ଖମ୍ବ ରହିଥିବା ବେଳେ ପାଣି ଯିବାପାଇଁ ୧୮ଟି ନଳା ରହିଛି । ଏହାର ଲମ୍ବ ୮୫ ମିଟର ଓ ଓସାର ୧୧ ମିଟର । ମାଦଳା ପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଗଣନା କଲେ ୧୩୦୦ ମସିହାରେ ଏହି ପୋଲ ନିର୍ମାଣ ହୋଇଥିବାର ଅନୁମାନ କରାଯାଏ । ଏଥିରେ ଥିବା ଖିଲଣଗୁଡ଼ିକ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ । ଏହାର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି । କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ତିଆରି କରାଯାଇଛି । [୭]

ଅତୀତର ସୁରକ୍ଷା ବ୍ୟବସ୍ଥା[ସମ୍ପାଦନା]

ଅତୀତରେ ଶ୍ରୀକ୍ଷେତ୍ରରେ ୧୪ଟି ଘାଟ ମଧ୍ୟରୁ ୧୦ଟି ନଦୀ ଘାଟ ହୋଇଥିବା ବେଳେ ୪ଟି ସମୁଦ୍ର ଘାଟ ଅଟେ । ନଦୀ ଘାଟ ମଧ୍ୟରୁ ଅଠର ନଳାର ପ୍ରସିଦ୍ଧି ଥିଲା । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଜପତିମହାରାଜ ପ୍ରତି ଘାଟରେ ପ୍ରତିହାରୀ ସେବକମାନଙ୍କୁ ନିଯୁକ୍ତ କରିଥିଲେ । ସେମାନଙ୍କୁ ଘାଟ ଦ୍ୱାର ପ୍ରତିହାରୀ କୁହାଯାଉଥିଲା । ସେମାନେ ପାଳି କରି ୨୪ ଘଣ୍ଟା ଘାଟ ଜଗୁଥିଲେ ।

ଆଧାର[ସମ୍ପାଦନା]

  1. http://www.visitpuri.com/atharnala-bridge[permanent dead link]
  2. "Atharanala Bridge, Puri". The British Library. Retrieved 15 March 2015.
  3. ଐତିହରେ ଶ୍ରୀକ୍ଷେତ୍ର - ହେମନ୍ତ କୁମାର ନାୟକ - ଧରିତ୍ରୀ - ତା ୧୪.୫.୨୦୧୭ - ଭୁବନେଶ୍ୱର ସଂସ୍କରଣ - ପୃଷ୍ଠା ୧୦
  4. Dehury, Chinmaya. "Odisha govt draws up plan to beautify Atharanala bridge in Puri". Odisha Sun Times. Retrieved 15 March 2015.
  5. "Atharanala". ISKCON desire tree network. Retrieved 15 March 2015.
  6. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୧୫୭.
  7. "ଆର୍କାଇଭ୍ କପି". Archived from the original on 2013-05-09. Retrieved 2013-08-29. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ[ସମ୍ପାଦନା]

ଅଠରନଳା