ମୁକୁଟ ମିଞ୍ଜ

ଉଇକିପିଡ଼ିଆ‌ରୁ

ମୁକୁଟ ମିଞ୍ଜ ଓଡ଼ିଶାର ଜଣେ ବୃକକ ରୋଗ ବିଶେଷଜ୍ଞ ଅଟନ୍ତି । ବର୍ତ୍ତମାନ ପଞ୍ଜାବରେ ଅବସ୍ଥାପିତ ଅଛନ୍ତି । [୧]

ଜୀବନ[ସମ୍ପାଦନା]

ସେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କୁଲୁଙ୍ଗା ଶିଳ୍ପାଞ୍ଚଳ ନିକଟସ୍ଥ ବୋଇଭଙ୍ଗା ଗାଁରେ ଜନ୍ମଗ୍ରହଣ କରିଥିଲେ । ଗାଁର ପ୍ରାଥମିକ ସ୍କୁଲରେ ନିଜର ପ୍ରାରମ୍ଭିକ ଶିକ୍ଷା ହାସଲ କରିଥିଲେ । ରାଉରକେଲାର ଉଦିତନଗର ହାଇସ୍କୁଲରେ ଶିକ୍ଷା ଆରମ୍ଭ କରିଥିଲେ । ନିଜ ଗାଁ ଘରଠାରୁ ୧୨ କିଲୋମିଟର ଦୂର ଉଦିତ ନଗର ହାଇସ୍କୁଲରେ ପଢ଼ିବା ପାଇଁ ସବୁଦିନ ଅନ୍ୟୁନ୍ୟ ୨୪ କିଲୋମିଟର ଚାଲୁଥିଲେ । [୨] ମୁକୁଟ ମିଞ୍ଜ ସବୁବେଳେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ । ୧୯୬୭ରେ ମେଟ୍ରିକ ପାସ କରିବା ପରେ ସୁନ୍ଦରଗଡ଼ କଲେଜରୁ ବିଜ୍ଞାନରେ ଇଣ୍ଟରମିଡ଼ିଏଟ ଉତ୍ତୀର୍ଣ୍ଣ ହେବା ପରେ ୧୯୭୦ରେ ବୁର୍ଲାର ଭିମସାରରେ ଏମବିବିଏସ ପଢ଼ିବା ପାଇଁ ଯୋଗ ଦେଇଥିଲେ । ୧୯୭୬ରେ ଏମବିବିଏସ ଡିଗ୍ରୀ ଲାଭ କରିବା ପରେ ଡା. ମିଞ୍ଜ ଗାଁକୁ ଫେରିଆସି କିଛି ବର୍ଷ ମିଶନ ହସପିଟଲରେ ସେବା କରିଥିଲେ । ଏହାପରେ ଉଚ୍ଚଶିକ୍ଷା ପାଇଁ ପଣ୍ଡିଚେରୀ ଚାଲିଯାଇଥିଲେ । ସେଠାରୁ ପୁଣି ଦିଲ୍ଲୀ ଯାଇ ଦିଲ୍ଲୀର ଏମ୍ସରେ ଉଚ୍ଚତର ଡାକ୍ତରୀ ଶିକ୍ଷା ହାସଲ କରିଥିଲେ । ପଞ୍ଜାବ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସେସ ଆଣ୍ଡ ରିସାର୍ଚ୍ଚରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ । ହେଲେ ଚିକିତ୍ସା ବିଜ୍ଞାନରେ ଅଧିକରୁ ଅଧିକ ଅଧ୍ୟୟନ ଓ ଗବେଷଣା ପାଇଁ ଥିବା ଦୃଢ଼ ଇଚ୍ଛାଶକ୍ତି ଡା. ମିଞ୍ଜଙ୍କୁ ରେନାଲ ଟ୍ରାନ୍ସପ୍ଲାଣ୍ଟ ସକାଶେ ମିନେପଲିସ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ । ନରୱେର ଓସ୍ଲୋ, ଗୁଟେନବର୍ଗ, ଜର୍ମାନୀର ହିଡେଲବର୍ଗ, ମୁନିଚ ଆଦି ସ୍ଥାନ ଯାଇ ମଲ୍ଟିଅର୍ଗାନ ଟ୍ରାନ୍ସପ୍ଲାଣ୍ଟ (କିଡ଼ନୀ, ପାନକ୍ରିୟାସ ଏବଂ ଲିଭର) ବିଦ୍ୟାରେ ଫେଲୋଶିପ ପାଇଥିଲେ । ପୁନର୍ବାର ପିଜିଆଇ, ଚଣ୍ଡିଗଡ଼କୁ ପ୍ରତ୍ୟାବର୍ତ୍ତନ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ପରିବାର[ସମ୍ପାଦନା]

ପିତା ମିକା ମିଞ୍ଜ ଏସଡିଏମ ଅଦାଲତରେ ପେସ୍କାର ଥିଲେ । ୪ ପୁଅ ଏବଂ ଗୋଟିଏ ଝିଅକୁ ମିଶାଇ ନିଜର ପାଞ୍ଚଜଣ ସନ୍ତାନଙ୍କ ମଧ୍ୟରୁ ମୁକୁଟ ହେଉଛନ୍ତି ଦ୍ୱିତୀୟ । ରାଞ୍ଚିର ସାବଟୋଲା ନିବାସୀ ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞା ରଞ୍ଜନା ମିଞ୍ଜଙ୍କୁ ବିବାହ କରିଥିଲେ । ପୁଅ ଜୋନାଥନ ଓ ଝିଅ ସାରା ତାଙ୍କର ଦୁଇଟି ସନ୍ତାନ । ତାଙ୍କର ବଡ଼ ଭାଇ ପ୍ରୀତମ ମିଞ୍ଜ ଝାଡ଼ଖଣ୍ଡର ସିମଡେ଼ଗାରେ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଅଛନ୍ତି । ସାନ ଭାଇ ବିରାସ ମିଞ୍ଜ ରାଉରକେଲାରେ ଗ୍ୟାସ ଏଜେନ୍ସୀ ଚଳାଉଛନ୍ତି । [୩]

ଖ୍ୟାତି[ସମ୍ପାଦନା]

୨୦୧୬ ମସିହା ଶେଷ ଆଡ଼କୁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସଫଳ କିଡ଼ନୀ ପ୍ରତ୍ୟାରୋପଣ ପରେ ଚର୍ଚ୍ଚାକୁ ଆସିଥିଲେ ।[୪]ମିଞ୍ଜଙ୍କ ନେତୃତ୍ୱରେ ୧୦ଜଣିଆ ଏକ ଡାକ୍ତରୀ ଦଳ ସୁଷମାଙ୍କ ଅସ୍ତ୍ରୋପଚାର କରିଥିଲେ । [୫] ସୁସ୍ଥ ପରେ ସୁଷମା ଟ୍ୱିଟରରେ ମିଞ୍ଜଙ୍କୁ କୃତଜ୍ଞତା ଜଣାଇଥିଲେ । ଭାରତରେ ମିଞ୍ଜଙ୍କ ଭଳି ଦକ୍ଷ ସର୍ଜନ ଥିବାରୁ ସେ ଗର୍ବିତ ବୋଲି ଟ୍ୱିଟ କରିଥିଲେ । [୬] ଡାମୁକୁଟ ମିଞ୍ଜ ୩୬୦୦ଟି ସଫଳ ବୃକକ ପ୍ରତ୍ୟାରୋପଣ କରି ଏକ କୀର୍ତ୍ତିମାନ ସ୍ଥାପନ କରିଥିବାରୁ ୨୦୧୬ରେ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିଲେ । [୭] ୨୦୧୭ ମସିହା ଜାନୁଆରୀ ୨୫ ତାରିଖରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବା ପାଇଁ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଆଧାର[ସମ୍ପାଦନା]

  1. "Doctor Profile Dr. Mukut Minz, MS 37+ Years Of Experience Director - Fortis Hospital, Mohali Organ Transplantation". Archived from the original on 22 December 2016. Retrieved 26 January 2017.
  2. "12 किमी पैदल चलकर स्कूल जाते थे डॉ. मुकुट मिज". mnaidunia.jagran.com. Retrieved 26 January 2017.
  3. "ସ୍କୁଲକୁ ଯିବାପାଇଁ ପ୍ରତିଦିନ ୨୪ କିଲୋମିଟର ଚାଲୁଥିଲେ ଡା. ମୁକୁଟ ମିଞ୍ଜ". dailyhunt.in. Retrieved 26 January 2017.
  4. "ସାଧୁ ମେହେର, ଡା.ମୁକୁଟ ମିଞ୍ଜଙ୍କୁ ପଦ୍ମଶ୍ରୀ ସମ୍ମାନ". sambad.in. Archived from the original on 27 January 2017. Retrieved 26 January 2017.
  5. "मिलिए ऐसे शख्स से, जिसने सुषमा स्वराज का किडनी ट्रांसप्लांट किया". अमर उजाला. Retrieved 26 January 2017.
  6. "ସଫଳ ଅସ୍ତ୍ରୋପଚାର ପାଇଁ ଓଡ଼ିଆ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ସୁଷମା ସ୍ୱରାଜ". odishareporter.in. 20 December 2016. Retrieved 26 January 2017.
  7. "୮୯ ଜଣଙ୍କୁ ପଦ୍ମ ପୁରସ୍କାର: ଓଡ଼ିଶାରୁ ୪ଜଣ ୭ଜଣଙ୍କୁ ପଦ୍ମ ବିଭୂଷଣ, ୭ଜଣଙ୍କୁ ପଦ୍ମ ଭୂଷଣ ଓ ୭୫ଜଣଙ୍କୁ ପଦ୍ମଶ୍ରୀ". sambad.in. 25 January 2017. Retrieved 26 January 2017.[permanent dead link]