ପ୍ରଭାକର ମହାରଣା

ଉଇକିପିଡ଼ିଆ‌ରୁ
ପ୍ରଭାକର ମହାରଣା
ଜନ୍ମ
ବୃତ୍ତିଚିତ୍ର ଶିଳ୍ପୀ
ପିତାମାତାସାଧୁଚରଣ ମହାରଣା (ବାପା)
ପୁରସ୍କାରପଦ୍ମଶ୍ରୀ (୨୦୧୮)

ପ୍ରଭାକର ମହାରଣା ଜଣେ ଭାରତୀୟ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଓ ଚିତ୍ରକର । ପଥର ଶିଳ୍ପ ମାଧ୍ୟମରେ ଓଡ଼ିଶାର ପାରମ୍ପାରିକ ମୂର୍ତ୍ତିକଳା ସଂରକ୍ଷଣରେ ଅବଦାନ ପାଇଁ ଭାରତର ରାଷ୍ଟ୍ରପତିଙ୍କଦ୍ବାରା ତାଙ୍କୁ ୨୦୧୮ ମସିହାରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।[୧][୨][୩][୪] ତାଙ୍କୁ ମିଳିଥିବା ଅନ୍ୟାନ୍ୟ ପୁରସ୍କାର ମଧ୍ୟରେ ୧୯୮୭ ମସିହାରେ ରାଜ୍ୟ ପୁରସ୍କାର, ୧୯୯୨ରେ ଜାତୀୟ ପୁରସ୍କାର, ୨୦୧୫ ମସିହାରେ ଶିଳ୍ପୀଗୁରୁ ସମ୍ମାନ ଆଦି ଅନ୍ୟତମ ।

ଜୀବନୀ

ମହାରଣା ଓଡ଼ିଶାର ପୁରୀ ଜିଲ୍ଲାର କୋଣାର୍କ ନିକଟରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପା ସାଧୁଚରଣ ମହାରଣା ଜଣେ କାଠକାମରେ ପାରଙ୍ଗମ ମହାରଣା ଥିଲେ । ପ୍ରଭାକର ନିଜ ଗାଁରେ ପ୍ରାଥମିକ ଶିକ୍ଷାଗ୍ରହଣ କରିଥିଲେ । ସ୍କୁଲରେ ପଢ଼ିବା ବେଳେ ସେ ଗଣିତ ଓ ସାହିତ୍ୟ ଖାତାରେ ଚିତ୍ର ଆଙ୍କୁଥିଲେ । ସେ ନିଜ ବାପାଙ୍କୁ ପ୍ରଥମ ଗୁରୁ ବୋଲି ମାନନ୍ତି ।[୬] ପରେ ସେ କୋଣାର୍କ, ଭୁବନେଶ୍ୱର ଓ ପୁରୀର ବିଭିନ୍ନ ଦେଉଳକୁ ଯାଇ କଳାଭାସ୍କର୍ଯ୍ୟ ମଧ୍ୟ ଅଧ୍ୟୟନ କରିଥିଲେ । ତାଙ୍କ ବାପା ତାଙ୍କୁ ପରେ ରାଜ୍ୟ ହସ୍ତକଳା ତାଲିମ କେନ୍ଦ୍ରରେ ପଥର କଳା ଅଧ୍ୟୟନ ପାଇଁ ୧୯୫୭ ମସିହାରେ ଭର୍ତ୍ତି କରାଇଥିଲେ । ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ସତ୍ୟବାଦୀ ମହାରଣା ତାଙ୍କର ଗୁରୁ ଥିଲେ । ପରେ ସେ ଆଉ ଭାସ୍କର୍ଯ୍ୟ ଶିଳ୍ପୀଗୁରୁ ଲାଲମୋହନ ମହାରଣାଙ୍କଠାରୁ ଅଧିକ ତାଲିମ ଗ୍ରହଣ କରିଥିଲେ । ସେ ନିଜେ ଭାରତ ସରକାରଙ୍କ ଅଧୀନରେ ୯୦ରୁ ଅଧିକ ନବୀନ ଶିଳ୍ପୀଙ୍କୁ ତାଲିମ ପ୍ରଦାନ କରିଛନ୍ତି । ସେ କୋଣାର୍କର ଲୁପ୍ତପ୍ରାୟ ଭାସ୍କର୍ଯ୍ୟର ପୁନରୁତ୍ଥାନ ଓ ପଥର ଭାସ୍କର୍ଯ୍ୟକଳାକୁ କିପରି ଅଧିକ ଶିଳ୍ପୀ ଜୀବିକା ଭାବେ ଗ୍ରହଣ କରିବେ ସେଥି ଲାଗି କାର୍ଯ୍ୟକରିଆସୁଛନ୍ତି ।[୭]

କଳାକୃତି

ତାଙ୍କ ନିର୍ମାଣକଳା ମଧ୍ୟରେ ଗୁଜରାଟର ଶକ୍ତିମାତା ମନ୍ଦିର, ନାଇଜେରିଆର ଜଗନ୍ନାଥ ମନ୍ଦିର, ତାଇୱାନର ବୁଦ୍ଧମନ୍ଦିର ଆଦି ପ୍ରଧାନ ।[୬] ଓଡ଼ିଶା ପୁରାକାଳରେ ଅନେକ ବୌଧକୀର୍ତ୍ତିର କେନ୍ଦ୍ର ଥିବା ଆଧାରରେ ଭବିଷ୍ୟତରେ ବିଶ୍ୱସ୍ତରରେ ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଅଧିକ ଆସିବାକୁ ଆଖିରେ ରଖି ୨୦୨୨ ମସିହାରେ ସେ ଭୁବନେଶ୍ୱରରେ ଏକ ବୌଦ୍ଧମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ।[୮]

ସମ୍ମାନ ଓ ପୁରସ୍କାର

ଓଡ଼ିଶାର ପାରମ୍ପାରିକ ମୂର୍ତ୍ତିକଳାର ବିକାଶ ଓ ସଂରକ୍ଷଣ ନିମନ୍ତେ ତାଙ୍କୁ ୨୦୧୮ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ଚତୁର୍ଥ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରିଥିଲେ । ଏହି ପୁରସ୍କାର ପାଇବା ଅବସରରେ ସେ ଏହି ସମ୍ମାନର ଶ୍ରେୟ କୋଣାର୍କ ମନ୍ଦିର ନିର୍ମାଣ କରିଥିବା ବାର ଶହ ବଢ଼େଇଙ୍କୁ ଦେଇଥିଲେ ।[୯] ତାଙ୍କୁ ମିଳିଥିବା ଅନ୍ୟାନ୍ୟ ପୁରସ୍କାର ମଧ୍ୟରେ ୧୯୮୭ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ରାଜ୍ୟ ପୁରସ୍କାର, ଓ ୧୯୯୨ରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଶଙ୍କର ଦୟାଲ ଶର୍ମାଙ୍କଠାରୁ ଜାତୀୟ ପୁରସ୍କାର, ୨୦୧୫ ମସିହାରେ ସେତେବେଳର ଭାରତୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ଶିଳ୍ପୀଗୁରୁ ସମ୍ମାନ ଆଦି ଅନ୍ୟତମ ।[୧୦][୬]

ଆଧାର

  1. "Sculptor Pravakar Maharana was conferred the prestigious Padma Shri for 2018 by President Ram Nath Kovind at the Rashtrapati Bhavan - Photogallery". photogallery.indiatimes.com. Retrieved 2023-11-20.
  2. "Ministry of Home Affairs: Press Note" (PDF). Padma Awards. 25 January 2018. Archived (PDF) from the original on 2018-02-02. Retrieved 2023-11-20.
  3. "Padma Awards | Interactive Dashboard". dashboard-padmaawards.gov.in (in ଇଂରାଜୀ). Retrieved 2023-11-20.
  4. "ପାରମ୍ପରିକ କଳାକୁ ବଞ୍ଚେଇ ରଖିବାର ସ୍ୱୀକୃତି: ପ୍ରଭାକର ମହାରଣା". Sambad. 2018-01-28. Retrieved 2023-11-20.
  5. "Sculptor Prabhakar Maharana News | Latest News on Sculptor Prabhakar Maharana - Times of India". The Times of India (in ଇଂରାଜୀ). Retrieved 2023-11-20.
  6. ୬.୦ ୬.୧ ୬.୨ ସୁନ୍ଦରରାୟ, ସୁମନ୍ତ, One to One with Artisan Prabhakar Maharana after selection for Padmashri, News18 Odia, retrieved 2023-11-20
  7. "PADMASHREE-MASTER SCULPTOR IN STONE CARVING". sakoyafoundation.com. Retrieved 2023-11-20.
  8. Padmashri Prabhakar Maharana seeks land to build Buddha temple in Odisha, retrieved 2023-11-20
  9. "Art and culture". The New Indian Express. Retrieved 2023-11-20.
  10. ନିର୍ଜୀବ ପଥରକୁ ନିହାଣରେ ଜୀବନ୍ତ କରନ୍ତି ଶିଳ୍ପୀ ଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା ।, ସ୍ବାଧୀକାର ନିଉଜ, retrieved 2023-11-20