ଦଣ୍ଡ ନାଚ

ଉଇକିପିଡ଼ିଆ ରୁ
ଦଣ୍ଡ ନାଚ
ଦଣ୍ଡ ନାଚ
ଅନ୍ୟ ନାଆଁ ଦଣ୍ଡ ନାଟ
ପାଳନକାରୀ ଓଡ଼ିଆ ଲୋକ
ପ୍ରକାର Hindu
ଶେଷ ମେରୁ ସଂକ୍ରାନ୍ତି
ତାରିଖ ୧୪ ଅପ୍ରେଲ
ପାଳନ ପୂଜା, ଉପବାସ
ପର୍ବର ଦେବୀ ମା’ କାଳୀ

ଓଡ଼ିଶାର ଲୋକନୃତ୍ୟ ମଧ୍ୟରୁ ଦଣ୍ଡନାଚ ଏକ ବହୁ ପ୍ରାଚୀନ ଓ ପାରମ୍ପରିକ ନାଚ । ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ୤ ଏହି ନୃତ୍ୟ ଧର୍ମଧାରଣା ଏବଂ ଇଶ୍ଵର ବିଶ୍ଵସ ଉପରେ ପ୍ରତିଷ୍ଠିତ । ଦଣ୍ଡନାଚରେ ପ୍ରଭା, ନାଗ, ଫାସ, ଦଣ୍ଡ, ଗୌରୀବେତ, ମୟୂରଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟବସ୍ତ୍ର, ପତାକା ଏବଂ ବେତ ଏକାନ୍ତ ଆବଶ୍ୟକ । ଗୌରୀବେତରେ ସ୍ଵୟଂ ଶିବ ବିରାଜମାନ କରିଥାନ୍ତି ବୋଲି ବିଶ୍ଵାସ କରାଯାଏ । ଏହି ପର୍ବ ପ୍ରାଚୀନ ଇତିହାସରୁ ଓଡ଼ିଶାରେ ଚଳି ଆସୁଛି ଏବଂ ଓଡ଼ିଶା ବାସୀଙ୍କର ନୂଆ ବର୍ଷ ଦିନ ଏହା ଉଦଯାପିତ ହୁଏ । ଦଣ୍ଡନାଚରେ ଉଭୟ ଶିବ ଓ କାଳୀଙ୍କୁ ଉପାସନା କରାଯାଏ । [୧] ଓ ଏହା ବୈଶାଖ ମାସରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ । [୨] ୧୩ ଦିନ ଶେଷର ଦିନକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ । [୩] [୪]

ସେହି ପରି କଟକ ଜିଲ୍ଲାରେ ଏହାକୁ ପାଟୁଆ[୫] ବୋଲି କୁହାଯାଇଥାଏ, ଏହା ମଧ୍ୟ ବିଭିନ୍ନ ନାମରେ ଯଥା ଅଗ୍ନି ପାଟୁଆ, କଣ୍ଟାପାଟୁଆ, ଖଣ୍ଡା ପାଟୁଆ, ଝୁଲା ପାଟୁଆ ଓ ଫୋଡ଼ ପାଟୁଆ ଇତ୍ୟାଦି ।

ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଚରେ ମିଶିବା ଦ୍ଵାରା ମା'କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ଵାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି, ଏହି ୧୩ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏବଂ ତ୍ୟାଗର ବିଧିବିଧାନ ରହିଛି । ଭୋକ୍ତାମାନେ ଯେଉଁ ୧୬ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିବା), ଶୁଦ୍ଧିକ୍ରିୟା, କୁଳଭୋଜି, ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) ।

ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ । ଭୋକ୍ତାମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧନ୍ତି । ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ଵଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ଵନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି ।

ଆଧାର [ସମ୍ପାଦନା]

  1. Āśutosha Bhaṭṭācārya (1977). The sun and the serpent lore of Bengal. "Visuba Sankaratni and "Meru Sankranti" are same. Firma KLM. ପୃଷ୍ଠା. 80. http://books.google.com/books?id=lqIJAQAAIAAJ. Retrieved 13 April 2012. 
  2. "Danda Nacha". orissadiary.com. 2012. http://orissadiary.com/orissa_profile/dance/Danda%20Nacha.asp. Retrieved 13 April 2012. "Danda Nacha" 
  3. Indira Gandhi National Centre for the Arts (1995). Prakr̥ti: Primal elements, the oral tradition. Meru Sankranti. Indira Gandhi National Centre for the Arts. ପୃଷ୍ଠା. 172. ISBN 978-81-246-0037-5. http://books.google.com/books?id=VaLpAAAAMAAJ. Retrieved 13 April 2012. 
  4. Meru Sankranti at end of Danda Nata
  5. http://heritageodisha.com/PATUA%20JATRA.html

ଅଧିକ ତଥ୍ୟ [ସମ୍ପାଦନା]