ମୁରୁଜ

ଉଇକିପିଡ଼ିଆ ରୁ
ତୁଳସୀ ଚଉରା ମୂଳେ ଅଙ୍କାଯାଇଥିବା ମୁରୁଜ ଚିତା

ହିନ୍ଦୁ ପରମ୍ପରାର ପୂଜା ପଦ୍ଧତି ସହ ମୁରୁଜ ଅଙ୍ଗାଙ୍ଗି ଭାବେ ଜଡ଼ିତ । ଦେବାଦେବୀଙ୍କ ଆରାଧନା ଓ ଅନ୍ୟ ଶୁଭ କାର୍ଯ୍ୟ ଯଥା ଯଜ୍ଞ, ବିବାହ, ବ୍ରତଘର ଓ ପୂର୍ବ ପୁରୁଷଙ୍କୁ ପିଣ୍ଡଦେବା ସମୟରେ ମୁରୁଜ ବ୍ୟବହାର କରାଯାଇଥାଏ । ମିଳିଥିବା ପ୍ରମାଣ ଅନୁସାରେ ମହେଞ୍ଜୋଦାରୋ ଏବଂ ହରପପା ସଭ୍ୟତା ସମୟରେ ମୁରୁଜ ଅଙ୍କାଯାଉଥିଲା । ସେତେବେଳେ ମୁରୁଜକୁ ‘ଆଲ୍ପନା’ କୁହାଯାଉଥିଲା, ଯାହା ସଂସ୍କୃତ ଶବ୍ଦ ‘ଓଲାନପିନ’ ରୁ ଉଦ୍ଧୃତ, ଯାହର ଅର୍ଥ ଚିତ୍ର ଆଙ୍କିବା ।

କିମ୍ବଦନ୍ତୀ[ସମ୍ପାଦନା]

ପୌରାଣିକ[ସମ୍ପାଦନା]

ବହୁବର୍ଷ ପୂର୍ବେ ଚିତ୍ରଲକ୍ଷଣ ନାମରେ ଜଣେ ରାଜା ଥିଲେ । ତାଙ୍କ ସମୟରେ ସେ ଥିଲେ ଜଣେ ପ୍ରସିଦ୍ଧ ଚିତ୍ରକର । ଏକଦା ରାଜା ଚିତ୍ରଲକ୍ଷଣଙ୍କ ଦରବାରର ମହାପଣ୍ଡିତଙ୍କର ପୁତ୍ରର ଅକାଳ ମୃତ୍ୟୁ ଘଟିବାରୁ ମହାପଣ୍ଡିତଙ୍କ ସମେତ ସାରା ରାଜ୍ୟବାସୀ ଏହି ଘଟଣାରେ ଦୁଃଖିତ ହୋଇପଡ଼ିଲେ । ପଣ୍ଡିତଙ୍କ ପୁତ୍ରକୁ ଜୀବନଦାନ ଦେବା ପାଇଁ ସମସ୍ତେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ବ୍ରହ୍ମା ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କହିଲେ ମୃତ ପଣ୍ଡିତପୁତ୍ରଙ୍କର ଚିତ୍ର ମୁରୁଜରେ ଆଙ୍କିଲେ ସେ ସେହି ଚିତ୍ରକୁ ଜୀବନଦାନ କରିବେ । ବ୍ରହ୍ମାଙ୍କ ଏପରି ନିର୍ଦ୍ଦେଶରେ ରାଜା ଚିତ୍ରଲକ୍ଷଣ ନିଜେ ମୁରୁଜରେ ପିଲାଟିର ଚିତ୍ର ଆଙ୍କିଲା ପରେ ବ୍ରହ୍ମା ସେହି ଚିତ୍ରପ୍ରତିମାଟିକୁ ଜୀବନଦାନ ଦେଇଥିଲେ । ସେହି ଦିନଠାରୁ ମୁରୁଜକୁ ସାରା ରାଜ୍ୟବାସୀ ଶୁଭ ବୋଲି ମାନିଲେ ଏବଂ ପ୍ରତ୍ୟେକ ଦିନ ଘର ଅଗଣାରେ ମୁରୁଜରେ ଚିତ୍ର ଆଙ୍କିବାକୁ ଲାଗିଲେ ।

ତାମିଲ[ସମ୍ପାଦନା]

ବହୁବର୍ଷ ପୂର୍ବେ ଅଣ୍ଡଲ ନାମକ ଜଣେ ଯୁବତୀ ଥୀରୁମଲ ନାମକ ଦେବତାଙ୍କୁ ପୂଜା କରିବା ସହ ପ୍ରତିଦିନ ମୁରୁଜ ଆଙ୍କୁଥିଲା । ପୂଜା କରିବାର କିଛି ଦିନ ମଧ୍ୟରେ ତାର ବିବାହ ହୋଇଯାଇଥିଲା । ଅଣ୍ଡଲ ମାରଖାଜୀ ମାସ (୧୫ ଡିସେମ୍ବର ଠାରୁ ୧୫ ଜାନୁଆରୀ)ରେ ବିବାହ କରିଥିବାରୁ ଏହି ମାସରେ ଅବିବାହିତ ତାମିଲ ଝିଅମାନେ ସକାଳୁ ଉଠି ମୁରୁଜ ପକାଇ ଥୀରୁମଲଙ୍କୁ ପୂଜା କରିଥାନ୍ତି । ଏପରି କରିବା ଦ୍ୱାରା ଅବିବାହିତା ଝିଅମାନଙ୍କର ବିବାହ ଶୀଘ୍ର ହୋଇଯାଇଥାଏ ବୋଲି ବିଶ୍ୱାସ କରାଯାଏ । [୧]

ଓଡ଼ିଶାରେ ମୁରୁଜ[ସମ୍ପାଦନା]

ମୁରୁଜର ବ୍ୟବହାର ସପ୍ତମ ରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ତନ୍ତ୍ରଶକ୍ତିର ଆଗମନ ସହିତ ହିନ୍ଦୁ ପୂଜା ପଦ୍ଧତିରେ ପ୍ରବେଶ ହୋଇଥିଲା ବୋଲି ଅନୁମାନ କରାଯାଏ । ମୁରୁଜରେ କୁଣ୍ଡଳୀ, ଚକ୍ର କ୍ଷେତ୍ର, ପଦ୍ମ କ୍ଷେତ୍ର, ଷଡ଼ କ୍ଷେତ୍ର ଆଦି ଆକୃତିଗୁଡ଼ିକୁ ଅଙ୍କାଯାଇ ଉପାସ୍ୟ ବା ଇଷ୍ଟ ଦେବତାଙ୍କୁ ପୂଜା କରାଯାଉଥିଲା । ପୂର୍ବେ ହିନ୍ଦୁଧର୍ମରେ ପ୍ରକୃତି ପୂଜା କରାଯାଉଥିଲା । ଏହି ପ୍ରକୃତିକୁ ପ୍ରତିମା ରୂପ ଦେଇ ପୂଜା କଲାବେଳେ ତାଙ୍କର ଆସ୍ଥାନ ପାଇଁ ମୁରୁଜର ବ୍ୟବହାର କରାଗଲା । ୧୨ଶ ଓ ୧୩ଶ ଶତାବ୍ଦୀ ବେଳକୁ ମୁରୁଜ ସଂସ୍କୃତି ଶ୍ରୀମନ୍ଦିରରେ ପ୍ରବେଶ କଲା । ଶ୍ରୀମନ୍ଦିରର ରୋଷେଇ ଶାଳରେ ମୁରୁଜ ଆଙ୍କି ଅବଢ଼ା ହାଣ୍ଡି ରଖାଗଲା । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହିତ ଲକ୍ଷ୍ମୀଙ୍କୁ ମୁରୁଜରେ ଚିତ୍ର ଆଙ୍କି ପୂଜା କରାଗଲା । ମୁରୁଜ ଗୁଣ୍ଡରଙ୍ଗ ହୋଇଥିବାରୁ ଏହା ଶୀଘ୍ର ନଷ୍ଟ ହୋଇଯାଉଥିଲା, ତେଣୁ ଝୋଟି ଚିତା ଆଙ୍କିବା ପ୍ରଥା ଆରମ୍ଭ ହେଲା । ଶ୍ରୀମନ୍ଦିରରେ ମୁରୁଜର ବ୍ୟବହାର ପରେ ଓଡ଼ିଆ ସଂସ୍କୃତିରେ ଏହାର ବହୁଳ ବ୍ୟବହାର କରାଗଲା । ମରାଠାମାନଙ୍କ ଆଗମନରେ ମୁରୁଜ ସହ ଅବିର ରଙ୍ଗ ବ୍ୟବହାର କରାଗଲା । ପରେ ଶୈବ ଓ ଶାକ୍ତ ଧର୍ମର ବହୁଳ ବ୍ୟବହାର ଘଟିବାରୁ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଆଙ୍କି ପୂଜା କରିବା ଆରମ୍ଭ ହେଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ପତ୍ନୀ ବ୍ୟଭିଚାରୀ ହେଲେ ଯାଇ ତାଙ୍କ ମୃତ୍ୟୁ ହେବ ଅନ୍ୟଥା ସେ ଅମର ବୋଲି ଜଳନ୍ଧରଙ୍କୁ ବର ମିଳିଥିଲା । ବର ପାଇଥିବା ଜଳନ୍ଧରଙ୍କୁ ମାରିବା ପାଇଁ ଶ୍ରୀକୃଷ୍ଣ ଜଳନ୍ଧରଙ୍କ ବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ୱ ହରଣ କରିଥିଲେ । ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରକ୍ଷା କରିଥିବାରୁ ବୃନ୍ଦାବତୀଙ୍କ ସତୀତ୍ୱ ଉପରେ ପ୍ରଶ୍ନ ହେବରୁ ତାଙ୍କୁ ପଞ୍ଚବନୀ ରସ ବା ଅମୃତ ରସରେ ତାଙ୍କୁ ପବିତ୍ର କରାଯାଇଥିଲା । ଏହି ପଞ୍ଚବନୀ ଶବ୍ଦରୁ ପଞ୍ଚକ ଜାତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚକ ଭାବେ ପାଳନ କରାଯାଏ । ଏହି ସମୟରେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ ।

ମୁରୁଜର ରଙ୍ଗ[ସମ୍ପାଦନା]

ଅରୁଆ ଚାଉଳ ଗୁଣ୍ଡକୁ ମୁରୁଜ ଭାବେ ବ୍ୟବହାର କରାଯାଏ । ଅଧିକ ଆକର୍ଷଣୀୟ କରିବା ପାଇଁ ମୁରୁଜରେ ବିଭିନ୍ନ ରଙ୍ଗ ମିଶାଯାଇଥାଏ । ପୂର୍ବେ ଗଛର ପତ୍ର, ଫୁଲ ପାଖୁଡ଼ା ଆଦିକୁ ଗୁଣ୍ଡକରି ବିଭିନ୍ନ ରଙ୍ଗ ପ୍ରସ୍ତୁତ କରାଯାଉଥିଲା । ଧଳା ରଙ୍ଗ ପାଇଁ ଚାଉଳ ଗୁଣ୍ଡ, ହଳଦିଆ ପାଇଁ ହଳଦୀ ଗୁଣ୍ଡ, ସବୁଜ ରଙ୍ଗ ପାଇଁ ଗଛର ପତ୍ର, ନାଲି ରଙ୍ଗ ପାଇଁ ହଳଦୀଗୁଣ୍ଡ ସହ ଚୁନପଥର ଗୁଣ୍ଡର ମିଶ୍ରଣ, ମାଟିଆ ରଙ୍ଗ ପାଇଁ ଗଛର ଶୁଖିଲା ବକଳ ଓ କଳା ରଙ୍ଗ ପାଇଁ ନଡ଼ିଆ ଶଢେଇ, ଘଷି କିମ୍ବା କାଠ ଅଙ୍ଗାରରୁ ପ୍ରସ୍ତୁତ ଅଙ୍ଗାର ବ୍ୟବହର କରାଯାଉଥିଲା । ଏବେ ଅରୁଆ ଚାଉଳ ଗୁଣ୍ଡ ଛଡ଼ା ଏକପ୍ରକାର ପଥରର ଗୁଣ୍ଡକୁ ବ୍ୟବହାର କରାଯାଉଛି ଓ ବିଭିନ୍ନ ରଙ୍ଗର ଅବିର ମିଶାଇ ରଙ୍ଗୀନ ମୁରୁଜ ପ୍ରସ୍ତୁତ କରାଯାଉଛି । ମୁରୁଜ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ରଙ୍ଗ ମଧ୍ୟରେ ହଳଦୀ, ନାଲି, କଳା, ଧଳା ଓ ସବୁଜ ରଙ୍ଗକୁ ପଞ୍ଚରଙ୍ଗ କୁହାଯାଏ । ବିଭିନ୍ନ ଦେବ ଦେବୀଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ମୁରୁଜ ବ୍ୟବହାର କରାଯାଏ । ଜଗନ୍ନାଥଙ୍କ ପାଇଁ ହଳଦିଆ, ବଳଭଦ୍ରଙ୍କ ପାଇଁ ସବୁଜ, ସୁଭଦ୍ରାଙ୍କ ପାଇଁ ହଳଦିଆ, ଶିବଙ୍କ ପାଇଁ କଳା ଓ ଧଳା, ସୂର୍ଯ୍ୟ, ଗଣେଶସୁଦର୍ଶନଙ୍କ ପାଇଁ ନାଲି ରଙ୍ଗ ବ୍ୟବହାର କରାଯାଏ ।

ଆଧାର[ସମ୍ପାଦନା]

  1. ରବିବାର, ସମ୍ବାଦ, ୧୩ ନଭେମ୍ବର ୨୦୧୧, ପୃଷ୍ଠା-୦୩.

ଅଧିକ ତଥ୍ୟ[ସମ୍ପାଦନା]

  • Selvamony, Nirmal (2006). "Kalam as Heterotopia". In Muthukumaraswamy, M. D. Folklore as discourse. Chennai, India: National Folklore Support Centre. ISBN 81-901481-6-8.