ଓଡ଼ିଆ ଭାଗବତ

ଉଇକିପିଡ଼ିଆ‌ରୁ
ତାଳପତ୍ର ପୋଥି ଭାଗବତ
ଓଡ଼ିଆ ଭାଗବତ  
ଲେଖକଜଗନ୍ନାଥ ଦାସ
ମୂଳ ନାମଶ୍ରୀମଦ ଭାଗବତ
ଦେଶଭାରତ
ଭାଷାଓଡ଼ିଆ
ବିଭାଗପୁରାଣ
ମାଧ୍ୟମ ପ୍ରକାରଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ)

ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ୧୪ଶ ଶତାବ୍ଦୀରେ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ପଦ୍ୟାବଳୀ ରଚନା ।[୧][୨] ଭାଗବତ ପ୍ରଥମେ ତାଳପତ୍ର ପୋଥି ଭାବରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗିଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ପ୍ରତି ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ । ହୋଇ ଏଭଳି ରଚିତ ଯେ ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ ।

ଇତିହାସ[ସମ୍ପାଦନା]

କୃଷ୍ଣ ବଳରାମଙ୍କ ଚିତ୍ର ଭାଗବତ ପୁରାଣ ରୁ

ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ପିତାଙ୍କ ଦେହାନ୍ତ ପରେ ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ କହିଲେ । ତେଣୁ ସେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା ଓ ଲୋକାଦୃତ ହେଲା । ପରେ ଜଗନ୍ନାଥ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଏଥିରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ ।[୩]

ପଦ୍ୟାବଳୀ[ସମ୍ପାଦନା]

ଭାଗବତ ନବାକ୍ଷରୀ ଛନ୍ଦରେ ରଚିତ ।[୪] ଓଡ଼ିଆ ଭାଗବତରେ ସଂସ୍କୃତ ଭାଗବତର ମର୍ମାନୁବାଦ ରହିଛି । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ । ତେବେ ଓଡ଼ିଆ ଭାଗବତ ତାତ୍କାଳିକ ଓଡ଼ିଆ ସାମାଜିକ ବ୍ୟବସ୍ଥାକୁ ଭିତ୍ତି କରି ରଚିତ ଲୋକସାହିତ୍ୟ । ଏଥିରେ ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ରହିଛି ।[୫]

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।

ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।

ହା କୃଷ୍ଣ ବୋଲି ଜୀବ ଯାଉ ॥

— ଜଗନ୍ନାଥ ଦାସ, ଭାଗବତ ବାଣୀ

ଆଧାର[ସମ୍ପାଦନା]

  1. "ATIBADI JAGANNATHA DAS, POET THE GREAT". Archived from the original on 2014-06-28. Retrieved 2011-06-22.
  2. EMINENT PERSONALITIES FROM PURI
  3. ଜଗନ୍ନାଥ ଦାସ କୃତ, ଗୀତା ପ୍ରେସ, ଗୋରଖପୁରଦ୍ୱାରା ପ୍ରକାଶିତ, ଶ୍ରୀମଦ୍‌ଭାଗବତ ମହାପୁରାଣ, Odia Section3-2 back:
  4. ଧରିତ୍ରୀ ଛୁଟିଦିନ ୭-୧୩ଜୁନ ୨୦୧୫
  5. "Rethinking the History of the 'Odia Identity': An Appraisal in Jagannath Das' s 'Odia Bhagavata.'" (PDF). www.odisha.gov.in. Retrieved 6 November 2018.

ବାହାର ଲିଙ୍କ[ସମ୍ପାଦନା]