ବିରି

ଉଇକିପିଡ଼ିଆ ରୁ
Jump to navigation Jump to search
ବିରି
Black gram.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ଉପକୁଳ: Faboideae
ଗୋଷ୍ଠୀ: Phaseoleae
ପ୍ରଜାତି: Vigna
ଜାତି: V. mungo
ବାଇନୋମିଆଲ ନାମ
Vigna mungo
(L.) Hepper
Synonyms[୧]
  • Azukia mungo (L.) Masam.
  • Phaseolus hernandezii Savi
  • Phaseolus mungo L.
  • Phaseolus roxburghii Wight & Arn.

ବିରି ଏକ ଡାଲି ଜାତୀୟ ଶସ୍ୟ । ଏହା ଓଡ଼ିଶାର ବିଭିନ୍ନ ଜାଗାରେ ଚାଷ କରାଯାଏ । ବିରି ଭାରତରୁ ଉତ୍ପତ୍ତିଲାଭ କରିଛି ବୋଲି ଗବେଶକ ମାନେ ମତ ଦିଅନ୍ତି । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଏବଂ ଚରକ ସଂହିତାରେ ମଧ୍ୟ ବିରି ଭାରତରେ ଦେଖାଯାଏ ବୋଲି ବର୍ଣ୍ଣନା ରହିଛି । ସମଗ୍ର ବିଶ୍ୱରେ ଭାରତ ସବୁଠାରୁ ଅଧିକ ବିରି ଉତ୍ପାଦନ କରେ ଏବଂ ଖର୍ଚ୍ଚ କରେ ।[୨]

ବିରିର ଆକାର[ସମ୍ପାଦନା]

ବିରି ଦେଖିବାକୁ ଅଣ୍ଡାକୃତିର, ଛୋଟ, ଅଣଓସାରିଆ ଏବଂ ୪ରୁ ୬ ସେଣ୍ଟିମିଟର ଯାଏ ଲମ୍ବା ହୋଇଥାଏ । ଏହାର ଉପରିଭାଗ ଏକ ଆବରଣଦ୍ୱାରା ଆଚ୍ଛାଦିତ ହୋଇଥାଏ । ଏହି ଆବରଣ‌ଟିକୁ ବାହାର କରିଦେଲେ ତା' ଭିତରେ ଧଳାରଙ୍ଗର ବିରି ଥାଏ । ବିରି ଏକ ଲତା ଜାତୀୟ ଗଛ । ବିରିଗଛଗୁଡ଼ିକ ସାଧାରଣତଃ ୩୦ରୁ ୧୦୦ ସେଣ୍ଟିମିଟର ଯାଏ ଲମ୍ବା ହୋଇଥାଏ । ଏହି ଗଛର ପତ୍ରଗୁଡ଼ିକ ଅଙ୍କାବଙ୍କା ହୋଇଥାଏ ।

ରାସାୟନିକ ମିଶ୍ରଣ[୨][ସମ୍ପାଦନା]

Calorific value(cal./100g) Crude protein(%) Fat (%) Carbohydrate (%) Ca (mg/100g) Fe (mg/100g) P (mg/100g) Vitamine(mg/100g)
୩୫୦ ୨୬.୨ ୧.୨ ୫୬.୬ ୧୮୫ ୮.୭ ୩୪୫ B1(୦.୪୨), B2(୦.୩୭), Niacine(୨.୦)

ବ୍ୟବହାର[ସମ୍ପାଦନା]

ଧଳା ବିରି

ବିରି ଭାରତରେ ବ‌ହୁତ ଲୋକପ୍ରିୟ । ବିରିରୁ ସାଧରଣତଃ ଲୋକମାନେ ବଡ଼ି ତିଆରି କରିଥାନ୍ତି, ଡାଲି ମଧ୍ୟ ପ୍ରସ୍ତୁତ କରିଥାନ୍ତି । ବିରିକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ । ବିରିକୁ ମଧୁମେହ ରୋଗର ଉପଚାର ଭାବରେ ବ୍ୟବ‌ହାର କରାଯାଏ । ପଞ୍ଜାବରେ ଡାଲ ମାଖନୀ ପ୍ରସ୍ତୁତ କରିବାକୁ ବିରିର ବ୍ୟବ‌ହାର କରାଯାଏ । ବଙ୍ଗଳାରେ ବିଉଲର ପ୍ରସ୍ତୁତ କରିବାକୁ ଏହାକୁ ବ୍ୟବ‌ହାର କରାଯାଏ । ରାଜସ୍ଥାନରେ ବିରିରୁ ପ୍ରସ୍ତୁତୁ ଡାଲିକୁ ବାଟି ପ୍ରସ୍ତୁତ କରିବାରେ ବ୍ୟ‌ବ‌ହାର କରାଯାଏ ।

ବଡ଼ି[ସମ୍ପାଦନା]

ବଡ଼ି ସାଧରଣତଃ ବିରିକୁ ବାଟି ପ୍ରସ୍ତୁତ କରିଥାନ୍ତି । ପ୍ରଥମେ ବିରିକୁ ପେଷାରେ ଫାଳ କରିବାକୁ ଭଙ୍ଗାଯାଏ ଏବଂ ପରେ ପାଛୁଡ଼ିକି ତା'ର ଚୋପାକୁ ଅଲଗା କରିଦିଆଯାଏ । ଏହା ପରେ ଫାଳ ହୋଇଥିବା ବିରିକୁ ପାଣିରେ ବତୁରେଇ ରଖାଯାଏ । ପାଖାପାଖି ୧୨ ଘଣ୍ଟା ପାଣିରେ ଭିଜିକି ରହିଲା ପରେ ବିରି ସ‌ହ ସଂଯୁକ୍ତ ହୋଇ ରହିଥିବା ବାକିତକ ଚୋପାକୁ ଛାକି ବାହାର କରିଦିଆଯାଏ ଏବଂ ଏହାକୁ ଶିଳରେ ବାଟି ପିଠଉ ପରି କରିଦିଆଯାଏ । ଏହା ପରେ ତାକୁ ଛୋଟ ଛୋଟ କରି ସଫା କପଡ଼ା କିମ୍ବା ପାତିଆ ଉପରେ ପକାଇଦିଆଯାଏ । ବଟା ବିରିରେ ପାଣି କ‌ଖାରୁକୁ ବାଟି ମିଶାଇଲେ ବଡ଼ିର ସ୍ୱାର ବଢ଼ିଥାଏ । ଏହା ପରେ ସେହି ଛୋଟ ଛୋଟ କରି ପକାଯାଇଥିବା ବଡ଼ି ସୁଖିଗଲା ପରେ ତାକୁ ତରକାରୀରେ ପକାଇ କିମ୍ବା ଭାଜି ବଡ଼ିଚୁରା ବନାଇ ଖିଆଯାଏ ।

ବିରି ଡାଲି[ସମ୍ପାଦନା]

ବିରିରୁ ପ୍ରସ୍ତୁତ ଡାଲି ଅନେକ ସ୍ଥାନରେ ଦେଖାଯାଏ । ପ୍ରଥମେ ବିରିକୁ ଫାଳ କରାଯାଏ ଏବଂ ପରେ ଚୋପା ବାହାର କରିଦିଆଯାଏ । ଚୋପା ଛଡ଼ାହୋଇଥିବା ଫାଳ ବିରିକୁ ସିଝାଯାଏ । ସିଝିଯାଇଥିବା ଏହି ଡାଲିକୁ ବଘାରି(ଛୁଙ୍କ ଲଗାଇବା) ଖାଇବାରେ ବଢ଼ାଯାଏ ।

ବିରି ଚକୁଳି[ସମ୍ପାଦନା]

ବିରି ଚକୁଳି ପିଠା

ବିରିକୁ ବତୁରାଇ ଚୋପା ଛଡାଇ ଚିକ୍କଣ କରି ବାଟାଯାଇଥାଏ । ଚାଉଳକୁ ଭିଜାଇ ଅଲଗା ବାଟି ଦିଆଯାଏ । ବିରି ଫେଣାଇ ସାରିଲା ପରେ ଚାଉଳ ବଟା ସେଥିରେ ମିଶାଇ ପିଠଉ ପ୍ରସ୍ତୁତ କରାଯାଏ । ଏହି ପିଠଉରେ ଆବଶ୍ୟକ ଅନୁସାରେ ଲୁଣ ମିଶାଇ କିଛି ସମୟ ରଖିଦିଆଯାଏ । ପଲମ କିମ୍ବା ତାୱାରେ ତେଲ ଘସି ଚୁଲି କିମ୍ବା ଆଞ୍ଚରେ ବସାଯାଏ, ଏହା ପରେ ପିଠଉକୁ ତାୱାରେ ପକାଇ ଚକୁଳି ବନାଯାଏ । ଧୀମା ଆଞ୍ଚରେ କଲେ ଚକୁଳି ନରମ ରହେ ।

ଚାଷ ପ୍ରଣାଳୀ[ସମ୍ପାଦନା]

ମାଟି[ସମ୍ପାଦନା]

ବିଭିନ୍ନ ପ୍ରକାର ମାଟିରେ ବିରି ଚାଷ ହେଉଥିଲେ ମଧ୍ୟ ଦୋରସା, ଲାଲ ଦୋରସା, ମଟାଳ ଦୋରସା, ଢିପ ଓ ମଧ୍ୟମ ଜମିରେ ମୁଗ ଓ ବିରିଚାଷ ଭଲ ହୁଏ । ବର୍ଷାଦିନେ ନିଗିଡା ମାଟି ଓ ଶୀତ ତଥା ଖରାଦିନେ ଜଳଧାରଣ ଶକ୍ତି ଅଧିକ ଥିବା ମାଟି ଦରକାର ।

ଜଳବାୟୁ[ସମ୍ପାଦନା]

ବିରି ଚାଷ ଉଷ୍ମ ଜଳବାୟୁରେ ଭଲ ହୁଏ । ସମୁଦ୍ର ପତ୍ତନ ଠାରୁ ୨୦୦୦ ମିଟର ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ଏହି ଗଛ ସବୁଠାରୁ ଟାଣ ହୋଇଥିବାରୁ ଏବଂ ଚେର ଗଭୀରକୁ ପ୍ରବେଶ କରୁଥିବାରୁ ମରୁଡି ସହ୍ୟ କରିପାରେ । ଏହା ତା'ର ଜୀବନ କାଳ ମଧ୍ୟରେ ସମୁଦାୟ ମାତ୍ର ୨୪୦ ମିମି ପାଣି ଦରକାର କରିଥାଏ ।[୨]

ବୁଣିବା ସମୟ[ସମ୍ପାଦନା]

ବିରି ଚାଷ ସାଧାରଣତଃ ୩ଟି ସମୟରେ ଚାଷ କରାଯାଇଥାଏ । ପ୍ରଥମଟି ହେଲା ଖରିଫ ଚାଷ । ବର୍ଷା ଆରମ୍ଭ ହେବା ସଙ୍ଗେ ସଙ୍ଗେ ବର୍ଷାଦିନିଆ ଜମି ଚାଷକରି ବୁଣାଯାଇଥାଏ । କେତେକ ଅଞ୍ଚଳରେ ଛଟା ବୁଣା ଓ ଆଉ କେତେକ ଅଞ୍ଚଳରେ ପୁଞ୍ଜିବୁଣା କରାଯାଇଥାଏ । ବର୍ଷାଦିନିଆ ବିରି ସାଧାରଣତଃ ୭୦-୭୫ ଦିନରେ ଅମଳ ହୁଏ । ଅମଳ ସମୟରେ ବର୍ଷା ଲାଗି ରହିଥିବାରୁ ପାଚିଲା ଫଳକୁ ତୋଳି ଅମଳ କରାଯାଏ ।

ବିରି ବୁଣାର ଦ୍ୱିତୀୟ ସମୟଟି ହେଉଛି ପ୍ରାକ ଶୀତକାଳୀନ ଚାଷ । ଢିପ ଜମିରେ ଛୋଟ ଧାନ କାଟିବା ପରେ ଅର୍ଥାତ ସେପ୍ଟେମ୍ବର ମାସରେ ବିନା ଜଳସେଚନରେ ବିରି ବୁଣାଯାଏ ଯାହାର ବିହନ ଭିନ୍ନ ଭିନ୍ନ କିସମର ହୋଇଥାଏ । ମୂର୍ତ୍ତିକାରେ ରହୁଥିବା ଆଦ୍ରତା ଫସଲକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରେ । ଏହି କିସମର ମୁଗ ଓ ବିରି ୭୦-୮୦ ଦିନରେ ଅମଳହୁଏ । ଫଳ ସବୁ ଶୁଖିଗଲା ପରେ ସମସ୍ତ ଫସଲକୁ ଉପାତି ଅମଳ କରାଯାଏ ।

ବିରି ବୁଣାର ତୃତୀୟ ସମୟ ହେଉଛି ଶୀତ କାଳୀନ ଚାଷ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୀତର ପ୍ରକୋପ କମ ଦୃଷ୍ଟିରୁ ଏହି ଶୀତ କାଳୀନ ବିରି ବହୁ ଅଞ୍ଚଳରେ ଚାଷ କରାଯାଏ । ଜଳସେଚନ ସୁବିଧା ନ ଥିବା ଅଞ୍ଚଳରେ ଧାନ କାଟିସାରିବା ମାତ୍ରକେ ଅର୍ଥାତ ନଭେମ୍ବର ଡିସେମ୍ବର ମାସରେ ଜମିକୁ ଚାଷ କରି ମୁଗ ଓ ବିରି ବୁଣାଯାଏ । ଏହା ପ୍ରାୟ ୯୦ ଦିନରେ ଅମଳ ହୋଇଥାଏ । ଅମଳ ବିଶେଷ କରି ଜମିର ଆଦ୍ରତା ଉପରେ ନିର୍ଭର କରେ । ଓଡ଼ିଶାର ମୁଖ୍ୟ ଫସଲ ଧାନ ହୋଇଥିବାରୁ, ଧାନ ଅମଳ ପରେ ପରେ ଜମିକୁ ପଡ଼ିଆ ନ ପକାଇବାକୁ ଅନେକ ମଧ୍ୟ ବିରି କିମ୍ବା ମୁଗ ଚାଷ କରିଥାନ୍ତି ।

ଜମି ପ୍ରସ୍ତୁତି[ସମ୍ପାଦନା]

ବିରି ବୁଣିବା ପୂର୍ବରୁ ଆଦ୍ରତା ଦେଖି ୩ରୁ ୪ ଓଡଚାଷ ଭଲ ଭାବରେ କରି ମଇଦେଇ ଦେଲେ ମାଟି ଗୁଣ୍ଡ ହୋଇଯାଏ । ଶେଷ ଓଡଚାଷ ପୁର୍ବରୁ ଜମିରେ ୨ କିମ୍ବା ୩ ଶଗଡ ସଢା ଗୋବର ଖତ ଦେଇ ମାଟିରେ ମିଶାଇବାକୁ ହୁଏ । ପାଇରା ଚାଷ ପାଇଁ ଧାନ କାଟିବା ପୂର୍ବରୁ ମଞ୍ଜି ବୁଣିବାକୁ ପଡୁଥିବାରୁ ଏଥିପାଇଁ ଜମି ପ୍ରସ୍ତୁତି କରାଯାଏ ନାହିଁ । ଏହି ଉପାୟରେ ଆଦାୟ ବହୁତ କମ ହୋଇଥିବାରୁ ଅଧିକ ଉତ୍ପାଦନ ପାଇଁ ପାଇରା ଚାଷ ଗ୍ରହଣୀୟ ନୁହେଁ ।

ଲଗାଇବା ସମୟ[ସମ୍ପାଦନା]

ବୃଷ୍ଟି ପୃଷ୍ଟ ଅଞ୍ଚଳରେ ବର୍ଷାଦିନେ ଓ ଜଳସେଚନ ସୁବିଧା ଥିଲେ ଉଭୟ ଖରା ଓ ଶୀତ ଦିନେ ବିରି ଚାଷ କରାଯାଇପାରେ । ମୁଖ୍ୟତଃ ବୃଷ୍ଟିପୃଷ୍ଟ ଅଞ୍ଚଳରେ ବର୍ଷାଦିନେ ବିରି ଲଗାଯାଏ ଏବଂ ଜଳସେଚିତ ଅଞ୍ଚଳରେ ଶୀତଦିନେ ଓ ଖରାଦିନେ ଲଗାଯାଇଥାଏ ।

ବର୍ଷାଦିନେ ହେକ୍ଟର ପ୍ରତି ୨୦-୨୫ କିଲୋଗ୍ରାମ ଏବଂ ଅନ୍ୟାନ୍ୟ ଋତୁରେ ୨୫- ୩୦ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ପାଇରା ଫସଲ ପାଇଁ ଶତକଡା ୨୫ ଭାଗ ଅଧିକ ବିହନ ଦରକାର । ଧାଡିରେ ବୁଣିଲେ ଅଧିକ ଅମଳ ମିଳିଥାଏ । ଧାନ କାଟିବା ପୂର୍ବରୁ ଛଟା ବୁଣା ହିସାବରେ ବିରି ବୁଣିଲେ ହେକ୍ଟର ପ୍ରତି ୩୦-୩୫ କିଲୋଗ୍ରାମ ବିହନ ଦରକାର ହୁଏ । ଶରତ ଓ ଶୀତ ଋତୁରେ ବିହନକୁ ଧାଡିକୁ ଧାଡି ୨୫ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ବ୍ୟବଧାନରେ ବୁଣାଯାଏ ।

ଜମି ପ୍ରସ୍ତୁତି[ସମ୍ପାଦନା]

ଜମି ପ୍ରସ୍ତୁତି କରିବାର ଏକମାସ ପୂର୍ବରୁ ହେକ୍ଟର ପ୍ରତି ୩ଟନ ସଢା ଗୋବର ଖତା ମାଟିରେ ଭଲ ଭାବେ ମିଶାଯାଏ । ଏହି ସମୟରେ ହେକ୍ଟର ପ୍ରତି ୫୦୦ କିଲୋଗ୍ରାମ ଚୂନ ମଧ୍ୟ ପ୍ରୟୋଗ କରାଯାଏ । ବିହନ ବୁଣିବା ପୂର୍ବରୁ ଶେଷ ଓଡଚାଷ ସମୟରେ ହେକ୍ଟର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାରଜାନ ଓ ୪୦ କିଲୋଗ୍ରାମ ଫସଫରସ ସାର ପ୍ରୟୋଗ କରିବା ଉଚିତ । ସାଧାରଣତଃ ମୁଗ ଓ ବିରି ଫସଲରେ କେବଳ ଡି.ଏ .ପି ସାର ହେକ୍ଟର ପିଛା ୧୦୦ କିଲୋଗ୍ରାମ ପ୍ରୟୋଗ କରାଯାଏ ।[୨]

ଜଳସେଚନ[ସମ୍ପାଦନା]

ସାଧାରଣତଃ ବର୍ଷା ଓ ଶୀତ ଦିନିଆ ବିରି ଜଳସେଚନ ଦରକାର କରେ ନାହିଁ । ମାତ୍ର ଖରାଟିଆ ବିରି ଜଳସେଚନ ଦରକାର କରେ । ସେଗୁଡିକ ହେଲା ବୁଣା ସମୟରେ, ବୁଣିବାର ୧୮-୨୦ ଦିନପରେ, ଫୁଲ ଧରିବା ସମୟରେ ଓ ଛୁଇଁ ପାଳକ ହେବା ସମୟରେ । ଏଥି ମଧ୍ୟରୁ ଦୁଇଟି ଜଳସେଚନ ନିଶ୍ଚିତ ଭାବେ ଦରକାର । ଜଳସେଚନ ଜନିତ ସଙ୍କଟ କାଳୀନ ଅବସ୍ଥା ହେଲା ଫୁଲ ଧରିବା ଓ ଦାନା ପୂରଣ ହେବା । ପାଣି ଅଧିକ ହେଲେ ଫସଲ ଭଲ ବଢି ପାରେ ନାହିଁ ଏବଂ ଅମଳ ମଧ୍ୟ କମିଯାଏ ।

ଅମଳ[ସମ୍ପାଦନା]

ଛୁଇଁ ଅଧିକ ପାକଳ ହୋଇଗଲେ ଫାଟିଯାଏ ଏବଂ ମଞ୍ଜି ବାହାରି ଜମିରେ ପଡ଼ିଯାଏ । ତେଣୁ ଛୁଇଁ ୮୦ ଭାଗ ପାଚିଲେ ଅମଳ କରିନେବା ଭଲ । ଅମଳପରେ ମଞ୍ଜିକୁ ଭଲଭାବରେ ଖରାରେ ଶୁଖାଇଦେଲେ ଏହା ନଷ୍ଟ ହୋଇଯାଏ ନାହିଁ ଏବଂ ଶତକଡା ୧୦ ଭାଗରୁ କମ ଜଳୀୟ ଅଂଶ ରହିଥାଏ ।

ଆଧାର[ସମ୍ପାଦନା]

  1. "The Plant List: A Working List of All Plant Species". Retrieved 14 December 2014.
  2. ୨.୦ ୨.୧ ୨.୨ ୨.୩ "Post Harvest Profile of Black Gram" (PDF). Government of India, Ministry of Agriculture. 2006.