ଗଉଡ଼ ବାଡ଼ି ଖେଳ

ଉଇକିପିଡ଼ିଆ ରୁ
Jump to navigation Jump to search
ଲଉଡ଼ି ନାଚ
Badi Laudi Nacha.jpg
ଜଗତସିଂହପୁର ମାଛଗାଁର ଶ୍ରୀ ଅଚ୍ୟୁତ ଲଉଡ଼ି ସଙ୍ଘର କଳାକାରମାନଙ୍କଦ୍ୱାରା ବାଡ଼ି ଲଉଡ଼ି ନାଚ
ମାଧ୍ୟମଗୀତ-ନାଟ
ପ୍ରକାରଲଉଡ଼ି ନାଚ, ବାଡ଼ି ଲଉଡ଼ି, ବାଦି (ପ୍ରତିଯୋଗିତା)
ସଂସ୍କୃତିଓଡ଼ିଆ ଚଳଣି
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ
କଳାକାରଗୋପାଳ ବା ଗଉଡ଼ ସମ୍ପ୍ରଦାୟଙ୍କ ପାରମ୍ପରିକ ନାଚ

ଲଉଡ଼ି ନାଚ ବା ବାଡ଼ିଖେଳ ବା ଲଉଡ଼ି ଖେଳ ଓଡ଼ିଶାର ଯାଦବ (ଗୋପାଳ) ସମ୍ପ୍ରଦାୟଙ୍କର ପାରମ୍ପରିକ ନୃତ୍ୟ । କେତକ ସ୍ଥାନରେ ଏହାକୁ ଦାଣ୍ଡି ଖେଳ ମଧ୍ୟ କୁହାଯାଏ । ସାରା ଓଡ଼ିଶାର ଗୋପାଳ ସଂପ୍ରଦାୟ ଏହାକୁ ପାଳନ କରିଥାନ୍ତି । ଏହା ଓଡ଼ିଶାର ଏକ ପାରମ୍ପରିକ ଲୋକ କଳା । ଏହା ଯାଦବ ବହୁଳ ଉତ୍ତର ପ୍ରଦେଶରେ ମଧ୍ୟ ଦେଖାଯାଏ ନାହିଁ । କିପରି ଏକ ଭିନ୍ନ ସାମରିକ ଖେଳ ଓଡ଼ିଶାରେ ପ୍ରଚଳିତ ଥିଲା ଏବେ ବି ଏହାର ପୃଷ୍ଠଭୂମି ଅନେକଙ୍କୁ ଅଗୋଚର ।

ଗୋପାଳ ବା ଯାଦବ ପୁରୁଷମାନେ ନିଜର ଶକ୍ତି, ପରାକ୍ରମ ତଥା ବାଡିର ଅନନ୍ୟ କଳାକୈାଶଳ ପ୍ରଦର୍ଶନକୁ ବାଡ଼ିଖେଳ ବା ଲଉଡ଼ି ଖେଳ କୁହାଯାଏ । ଏହା ଧର୍ମଭିତ୍ତିକ, ରଣକୌଶଳ ପ୍ରଦର୍ଶନ କରାଯାଉଥିବା ଏକ ଲୋକନୃତ୍ୟ ।

ଏଇ ବାଡ଼ିଖେଳ ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ 'ଗୋପାଳ ଓଗାଳ ଓ ଲଉଡ଼ି ଖେଳ' ନାମକ ଗ୍ରନ୍ଥରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ଅତ୍ୟନ୍ତ ଉପଭୋଗ୍ୟ ।

ପାଳନ ବିଧି[ସମ୍ପାଦନା]

ପୂର୍ବ ପ୍ରସ୍ତୁତି[ସମ୍ପାଦନା]

ଓଡ଼ିଶାରେ ଲଉଡ଼ି ଖେଳ ଗୋପାଳ ସମ୍ପ୍ରଦାୟରେ ଉତ୍ସାହର ସହିତ ପାଳନ କରାଯାଏ। ଫାଲ୍ଗୁନ ଚତୁର୍ଦଶୀରେ କୁମ୍ଭବୁଡା ହୁଏ । ସେଦିନ ଅପରାହ୍ଣରେ ନୂଆ ଭାରରେ କଳସୀକୁ ସଜାଇ ତା’ ଉପରେ ନବବସ୍ତ୍ର ଢଙ୍କାଯାଏ । ତୁରୀ, ଭେରି, ଘଣ୍ଟା, ଝାଞ୍ଜ, ଖୋଳ, ତାଳ, ସଂକୀର୍ତ୍ତନରେ ଗୋପାଳମାନେ ନଦୀ ବା ପୁଷ୍କରିଣୀକୁ ଯାଇ ସ୍ନାନ କରନ୍ତି, ନୂତନ ବସ୍ତ୍ର ପରିଧାନ କରନ୍ତି ଓ କଳସୀଗୁଡିକୁ ପାଣି ଭରି ଘରକୁ ଆଣନ୍ତି । ଘରେ ତୁଳସୀଙ୍କ ନିକଟରେ କୁମ୍ଭକୁ ରଖି ବନ୍ଦାପନା କରନ୍ତି । ପୂର୍ଣ୍ଣିମା ଦିନ ଦୋଳଯାତ୍ରା ଅନୁଷ୍ଠିତ ହୁଏ । ଗୋପାଳମାନେ ନିଜ ନିଜ ଘରୁ ଆରିସା ପିଠା,କ୍ଷୀର,ଦହି,ଲବଣୀ,କଦଳୀ ନେଇ ଗୋଠକୁ ଯାଆନ୍ତି । ଏହି ସ୍ଥାନକୁ ଦୋଳଗୋବିନ୍ଦ ମଣ୍ଡପ କୁହାଯାଏ । ଗୋପାଳମାନେ ଗାଈଗୋରୁଙ୍କୁ ଗାଧୋଇ ସୋମାନଙ୍କ ମଥାରେ ହଳଦୀ ଓ ଚନ୍ଦନ ଲଗାଇ ଥାନ୍ତି । ସେଠାରେ ଭୈରବୀଙ୍କ ଉଦେ୍ଦଶ୍ୟରେ ଭୋଗ ସମର୍ପଣ କରାଯାଏ । ଏହାପରେ ଗୋଠରେ ବନ୍ଦାଣ ଖୁଣ୍ଟ ପ୍ରତିଷ୍ଠା କରାଯାଏ ।

ଗୋପାଳମାନଙ୍କ ଘରଦ୍ୱାର ଗୋମୟରେ ଲିପାପୋଛା ହୋଇଥାଏ । ତୁଳସୀ ନିକଟରେ ବେଦୀ ନିର୍ମାଣ କରାଯାଇ ଝୋଟି, ମୁରୁଜରେ ସୁଶୋଭିତ କରାଯାଇଥାଏ । ଗୋପାଳମାନେ ପାହାନ୍ତା ପ୍ରହରରୁ କ୍ଷୀର ଦୋହନ ସାରି ସେ କ୍ଷୀର, ଘରେ ଥିବା ଦହି, ସର, ଲମ୍ବା ଏଣ୍ଡୁରି, ଆରିସା ପିଠା ଓ କୁମ୍ଭ ଭାରକୁ ନେଇ ଦୋଳମଣ୍ଡପ ବନ୍ଦାଣ ଖୁଣ୍ଟକୁ ଯାଆନ୍ତି । ରାଧା ଓ କୃଷ୍ଣ ଗୋପାଳମାନଙ୍କର କୁଳ ଦେବତା ଗୋପାଳଙ୍କ ଆରାଧ୍ୟ ଦେବତା ରାଧାକୃଷ୍ଣ ଯୁଗଳ ମୂର୍ତ୍ତିକୁ ପଳାସ ଫୁଲରେ ସୁଶୋଭିତ କରାଯାଇ ବିମାନରେ ରାଧାକୃଷ୍ଣକୁ ନିଆଯାଏ । ସେଠାରେ କୁମ୍ଭ ଭାରକୁ ନୂଆ ଶାଢିରେ ଢଙ୍କାଯାଏ । ଗୋପାଳ ସମାଜର ପ୍ରତ୍ୟେକ ପରିବାର ଗୋଟିଏ ଗୋଟିଏ କୁମ୍ଭଭାର ଏଠାକୁ ଆଣିଥାନ୍ତି । ଠାକୁରଙ୍କୁ ଭୋଗ ସମର୍ପଣ କରି ଦୋଳାରେ ଝୁଲାଯାଏ । ପିଠାପଣାରେ ମହକି ଉଠେ ଘରର ଚାରି କୋଣ । ବାହାରେ ଥିବା ପରିବାର ଲୋକ ଓ ବନ୍ଧୁବାନ୍ଧବ ମଉଜ କରିବାକୁ ଘରକୁ ଆସନ୍ତି । ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି । ସୁସ୍ୱାଦୁ ପିଠା ସହ ବନ୍ଧୁବାନ୍ଧବଙ୍କ ଘରକୁ ଅବିର ପଠାଇବା ସେଦିନ ଗୋପାଳ ଘରର ଏକ ଚଳଣି । ସୁରକ୍ଷିତ ଜୀବନ ସହ ଭଗବାନ ଶ୍ରୀକୃଷ୍ଣଙ୍କ ଆଶିଷ ପାଇବା ପାଇଁ ଏହି ପୂଜା ବେଶ୍ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଏ । ଗୋପାଳମାନେ କୁମ୍ଭ ବୁଡାଇ ସେହି ପାଣିରେ ସେମାନଙ୍କ ଗୋ ବନ୍ଦନା କରିବା ସହ ଘର ବାଡିରେ ସିଞ୍ଚନ କରିଥାନ୍ତି ଓ ନିଜ ଘରେ ସେହି କଳସୀକୁ ରଖି ପୂଜା କରିଥାନ୍ତି ।

ଲଉଡ଼ି ଖେଳର ବିଧି[ସମ୍ପାଦନା]

ଦୋଳଯାତ୍ରାର ମୁଖ୍ୟ ଆକର୍ଷଣ କାଠି ଲଉଡି ଖେଳ । ଦ୍ୱାପର ଯୁଗରେ ଗୋପପୁରରେ ଶ୍ରୀକୃଷ୍ଣ୍ନ ଓ ବଳରାମ ଅନ୍ୟ ଗୋପାଳ ସାଥୀମାନଙ୍କ ସହ ଗାଈ ଚରାଇବା ବେଳେ ଦୁଇ ହାତରେ ବାଡ଼ି ଧରି ବୀରତା ପ୍ରଦର୍ଶନ ପୂର୍ବକ ବାଡ଼ି ଖେଳି ମନୋରଂଜନ କରୁଥିଲେ । ଗୋଟିଏ ଦଳ ବାଡ଼ିଧରି ଆକ୍ରମଣ କରୁଥିବାବେଳେ ଅନ୍ୟଦଳ ବିଭିନ୍ନ କୌଶଳ ପ୍ରଦର୍ଶନ କରି ବାଡି ସାହାଯ୍ୟରେ ଆକ୍ରମଣକୁ ପ୍ରତିହତ କରୁଥିଲେ ।

ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଗୋପାଳମାନେ ଏକାପରି ରଙ୍ଗର ବେଶରେ ସଜ୍ଜିତ ହୋଇ ଅଣ୍ଟାରେ କାଚ୍ଛଟା, ଘାଗୁଡି, ବଂଶୀ ବାନ୍ଧନ୍ତି । ମଥାରେ ଠେକା ବାନ୍ଧି ଜାମୁଡାଳ ଓ ଗଳାରେ ଫୁଲହାର ପିନ୍ଧନ୍ତି । ଦୁଇ ହାତରେ ଥାଏ ଦୁଇ ଲଉଡ଼ି । ଲଉଡ଼ି ଭେରୁ ବା କେନ୍ଦୁ କାଠରେ ପ୍ରସ୍ତୁତ ହୋଇଥାଏ । ଏହାର ମାପଥାଏ ଏକହାତ ଚାଖଣ୍ଡେ । ଏହି ବାଡ଼ି ଖେଳ ଏକ ଦଳଗତ ନୃତ୍ୟ ଯେଉଁଠି ୧୨ରୁ ୨୪ ଜଣ ଗୋପାଳ ଅଂଶଗ୍ରହଣ କରିଥାନ୍ତି । ଜଣେ ଜଣେ ଦଳପତିଙ୍କ ଅଧିନାୟକତ୍ୱରେ ଗୋପାଳମାନେ ଗୋଷ୍ଠୀଗତ ଭାବେ ବିଭକ୍ତ ହୋଇ ଲଉଡ଼ି ବାଡ଼ିର ତାଳେ ତାଳେ ନାଚି ଉଠନ୍ତି । ମଇଁଷିର ଶିଙ୍ଘ ବାଦ୍ୟର ତାଳେ ତାଳେ ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରିଥାନ୍ତି । ଏହି ଖେଳ ସାଙ୍ଗରେ ଯେଉଁ ଗୀତ ବୋଲିଥାନ୍ତି ତାକୁ ଓଗାଳ କୁହାଯାଏ । ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ରଚିତ ‘ଗୋପାଳ ଓଗାଳ’ ଗାନ ସାଙ୍ଗକୁ ବାଦ୍ୟର ତାଳେ ତାଳେ ଗୋପାଳମାନେ ପ୍ରତ୍ୟେକ ନିଜର ଡାହାଣ ଓ ବାମ ପାଖରେ ଥିବା ସହଯୋଗୀମାନଙ୍କ ବାଡି ସହିତ ନିଜ ବାଡିକୁ ପିଟି ଶବ୍ଦ ସୃଷ୍ଟି କରିଥାନ୍ତି । ଏହି ନୃତ୍ୟରେ ଜୟ-ପରାଜୟ, ଥଟ୍ଟାପରିହାସ, ଦେବଦେବୀ ବନ୍ଦନା ଆଦି ମନୋରଂଜନର ଉପାଦାନ ପରିପୁଷ୍ଟ ହୋଇଥାଏ । ରାଧାକୃଷ୍ଣଙ୍କୁ ପାରମ୍ପରିକ ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ ପରେ ମଦନ ମୋହନ ବେଶରେ ସୁସଜ୍ଜିତ କରି କାଗଜ, ସୋଲ, ପଳାସ ଫୁଲ ଓ ପାଟକନାରେ ସଜ୍ଜିତ ବିମାନ ହୁକୁମ୍ ଧାବଲ୍ ସ୍ୱରରେ ଢଳି ଢଳି ଗ୍ରାମ ପରିକ୍ରମା କରିଥାଏ । ବିମାନ ସାଙ୍ଗରେ ଅଢେଣୀ. ତରାସ, ଚାମର, ଧ୍ୱଜା, ସଂକୀର୍ତ୍ତନ ସହକାରେ ଗୋପାଳମାନେ ତାଙ୍କ ପ୍ରିୟ ଠାକୁରଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି । ଶ୍ରୀକୃଷ୍ଣଙ୍କୁ ଗୋପାଳ କୁହାଯାଏ । ତେଣୁ ଏହି ଦୋଳକୁ ଗୋପାଳମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହିନିଅନ୍ତି । ଭଗବାନ ଶ୍ରୀକୃଷ୍ଣ ବସନ୍ତ ଉତ୍ସବର ଆରାଧ୍ୟ ଦେବତା ନୂତନ ଶିକା, ନୂତନ ବାହୁଙ୍ଗି ଓ କଳସୀ ଭାରରେ ଗୋପାଳମାନେ ପାଣି ବହନ କରି ଗୋଠ କରିକ୍ରମା କରିଥାନ୍ତି । କୃଷ୍ଣଙ୍କ ଭଜନ, କୀର୍ତ୍ତନ ଗାନ କରି ଫଗୁ ଖେଳନ୍ତି । ଫଗୁଣର ଫଗୁ ଖେଳରେ ପ୍ରକୃତି ପୁରୁଷ ଏକାକାର ହୋଇଯାନ୍ତି । ରାଧାକୃଷ୍ଣ ପ୍ରତ୍ୟେକ ଗୋପାଳ ପରିବାରକୁ ଯାଇଥାନ୍ତି । ରୋଷ ପଟୁଆର ରାଧାକୃଷ୍ଣ ମନ୍ଦିରରେ ପହଞ୍ଚôବା ପରେ ଠାକୁରଙ୍କୁ ବନ୍ଦାପନା କରାଯାଏ । ପ୍ରତ୍ୟେକ ଗୋପାଳ ପରିବାର ଭୋଗ ଥାଳି ସେଠାକୁ ଆଣନ୍ତି । ଲଉଡି ଖେଳାଳି ଓ ବାହୁଙ୍ଗି ବାହକ ଗୋପାଳଙ୍କ ଓଗାଳ ବୋଲି ସାତ ଘେରା ବୁଲନ୍ତି । ଠାକୁରଙ୍କୁ ଦକ୍ଷିଣାଭିମୁଖୀ କରି ଝୁଲଣରେ ଝୁଲାଯାଏ । କାରଣ ଶ୍ରୀକୃଷ୍ଣଙ୍କୁ ଦକ୍ଷିଣାଭିମୁଖେ ଦର୍ଶନ କଲେ ସର୍ବପାପ ହରଣ ହୋଇଥାଏ । ଗୋପାଳମାନେ ନିଜ ନିଜର ବାହୁଙ୍ଗି ଓ କଳସୀ ଭାର ନେଇ ଘରକୁ ଯାଆନ୍ତି । ତୁଳସୀ ପାଖରେ କଳସୀ ଥାକର ଉପର କଳସୀରୁ କ୍ଷୀର ଢଳାଯାଏ । କ୍ଷୀର କଳସୀ ଅତିକ୍ରମ କରି ଭୂମି ସ୍ପର୍ଶ କରେ । କଳସୀକୁ ଗୋପାଳ କୁଳବଧୂମାନେ ଈଶାଣ କୋଣକୁ ନେଇ ବନ୍ଦାପନା କରନ୍ତି । ରାଧାକୃଷ୍ଣଙ୍କୁ ଦୋଳମଣ୍ଡପକୁ ନିଆଯାଏ । ଉପସ୍ଥିତ ସେବାୟତମାନେ ପ୍ରଭୁଙ୍କ ସେବାକାର୍ଯ୍ୟ ସମାପନ କରିବା ପରେ ଦୋଳିରେ ବିଜେ କରାନ୍ତି । ଭକ୍ତମାନେ ଏହି ମଣ୍ଡପରେ ଠାକୁରଙ୍କୁ ଝୁଲାଇ ଝୁଲାଇ ଆନନ୍ଦ ଉପଭୋଗ କରନ୍ତି । ରାତିରେ ଠାକୁର ଝୁଲଣରେ ଥାଆନ୍ତି । ଏହି ଅବସରର ମେଲଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ । ଶତ୍ରୁତା ଓ ବିବାଦ ଭୁଲି ଭ୍ରାତୃତ୍ୱ, ବନ୍ଧୁତ୍ୱ ଓ ସହଯୋଗର ବାର୍ତ୍ତା ବହନ କରି ଗୋପାଳ ଜାତି ଏକତ୍ର ହୋଇ ଏହି ବାସନ୍ତିକ ମହୋତ୍ସବକୁ ପାଳନ କରନ୍ତି ।

ଦୋଳପର୍ବ ଶ୍ରୀ ଚୈତନ୍ୟଙ୍କଦ୍ୱାରା ସମଗ୍ର ମାନବ ଜାତିର ଏକ ଗଣପର୍ବରେ ପରିଣତ ହୋଇଥିଲେ ମଧ୍ୟ ଗୋପାଳମାନଙ୍କର କୌଳିକ ପର୍ବର ମାନ୍ୟତା ପାଇଛି । ଗୋପାଳ ସମାଜର ଏହି ପାରମ୍ପରିକ ଲଉଡି ଖେଳ କ୍ରମେ ଆଧୁନିକତାର ସ୍ପର୍ଶରେ ଲୋପପାଇଯିବାକୁ ବସିଥିଲେ ହେଁ ଦୋଳ ପୂର୍ଣ୍ଣିମା ଅବସରରେ ଏହି ନିଆରା ବାଡିଖେଳକୁ ଦେଖିବାର ଅପୂର୍ବ ସୁଯୋଗ ମିଳିଥାଏ । [୧]

ଅତି ଯାକଯମକରେ ପାଳନ ହେଉଥିବା ଓଡ଼ିଶାର ସ୍ଥାନ[ସମ୍ପାଦନା]

କେନ୍ଦ୍ରାପଡା ଜିଲ୍ଲାର ମଧୁରଗଣ୍ଡ ଖମାର‘ଅନନ୍ତମାଧବ ଯାଦବ ସମିତି’ ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଲଉଡ଼ିଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ଏହି ଗ୍ରାମରେ ୧୦,୦୦୦ରୁ ଉର୍ଦ୍ଧ୍ୱ ଯାଦବ ସମ୍ପ୍ରଦାୟର ଲୋକ ଦେଖିବାକୁ ମିଳିଥାଏ । ଦୋଳ ଦଶମୀ ଦିନ ପ୍ରତି ବର୍ଷ ତାଙ୍କ ମେଳଣ ଆରମ୍ଭ ହୋଇଥାଏ ୧୦ଦିନ ଧରି ଏହା ପାଳନ କରାଯାଏ । ଏହି ସ୍ଥାନକୁ ମଧ୍ୟ ଯାଦବ ସମ୍ପ୍ରଦାୟର ମହାଭାରତ ଯୁଦ୍ଧ କ୍ଷେତ୍ର ମଧ୍ୟ କୁହାଯାଏ ।

ଆଧାର[ସମ୍ପାଦନା]

  1. http://www.thesamaja.com/news_view.php?news_id=93094 (31.3.2016 ଦିନ ଦେଖା ଯାଇଥିଲା)