Jump to content

ବିରଞ୍ଚିନାରାୟଣ ମନ୍ଦିର, ପାଳିଆ

ଉଇକିପିଡ଼ିଆ‌ରୁ
(Biranchinarayan Temple, Paliaରୁ ଲେଉଟି ଆସିଛି)
ବିରଞ୍ଚିନାରାୟଣ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଭଦ୍ରକ
Location
Countryଭାରତ

ବିରଞ୍ଚିନାରାୟଣଙ୍କ ମନ୍ଦିର ଭଦ୍ରକ ଜିଲ୍ଲା ସଦରମ‌ହକୁମାଠାରୁ ଦକ୍ଷିଣକୁ ୧୫କିଲୋମିଟର ଦୂର ତିହିଡ଼ି ବ୍ଳକର ପାଳିଆବିନ୍ଧାଠାରେ ଅବସ୍ଥିତ । କୋଣାର୍କ ଭଳି ଏହି ମନ୍ଦିର ୧୬ଟି ରଥ ଚକ ଉପରେ ଦଣ୍ଡାୟମାନ ।[] ଏହି ମନ୍ଦରର ଉପସ୍ଥିତି ପୁରୁଣା ଯୁଗରେ ଓଡ଼ିଶାରେ ସୂର୍ଯ୍ୟପୂଜାର ମୂକସାକ୍ଷି । ବିରିଞ୍ଚି ନାରାୟଣ ହେଉଛି ସୂର୍ଯ୍ୟଦେବଙ୍କ ଅନ୍ୟ ଏକ ନାମ । ଏହି ମନ୍ଦିରରେ ବିରଞ୍ଜିନାରାୟଣଙ୍କ ଚତୁର୍ମୁଖ ବିଗ୍ରହ ରହିଛି । ମନ୍ଦିରର ଉତ୍ତର ଦିଗରେ ସାଳନ୍ଦୀ ନଦୀରୁ ବାହାରିଥିବା ଶାଖା ନଦୀ କୁଣ୍ଡୀ ନଦୀ ବହିଯାଉଛି ଓ ପଶ୍ଚିମ ଦିଗରେ ହିନ୍ଦୁ ବସ୍ତି ରହିଛି । କିମ୍ବଦନ୍ତୀ ମତେ କଳାପାହାଡ଼ ଯୁଦ୍ଧ କରୁଥିବା ବେଳେ ତାହାର ସେନାପତି ମନସୁର ଅଲ୍ଲୀ ମରିଯିବାରୁ ବିରଞ୍ଚି ନାରାୟଣଙ୍କ ଦକ୍ଷିଣ ଦିଗରେ କବର ଦେଇଥିଲେ । ଏହାକୁ ମୁସଲମାନମାନେ ଦେବତା ରୂପେ ପୂଜା କରିଆସୁଛନ୍ତି । ଏହି ମନ୍ଦିରଟି ୧୩ଶହ ଖ୍ରୀଷ୍ଟାବ୍ଦର ବୋଲି ଏହାର ନିର୍ମାଣ ଶୈଳୀରୁ ଜଣପଡ଼େ । ପରବର୍ତ୍ତୀ ସମୟରେ ୨୦ଶହ ଶତାବ୍ଦୀରେ ସେଠାକାର ସ୍ଥାନୀୟ ଜମିଦାରଙ୍କଦ୍ୱାରା ଏହି ମନ୍ଦିରଟିର ମରାମତୋ କରାଯାଇଥିଲା ।

ସୂର୍ଯ୍ୟପୂଜା ଅନେକ ଦିନରୁ ଆମ ପରମ୍ପରାରେ ଚାଲିଆସିଛି । ଓଡ଼ିଶାର ସୂର୍ଯ୍ୟପୂଜାର ପ୍ରମୁଖ କୀର୍ତ୍ତି ହେଉଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ଏତଦ୍ ବ୍ୟତୀତ ଓଡ଼ିଶାରେ ଆଉ ଦୁଇଟି ସୂର୍ଯ୍ୟ ମନ୍ଦିର ଦେଖିବାକୁ ମିଳେ । ଗଞ୍ଜାମର ବୁଗୁଡ଼ାଠାରେ ଏବଂ ଅନ୍ୟଟି ଭଦ୍ରକର ପାଳିଆଠାରେ ।[]

ଅବସ୍ଥିତି

[ସମ୍ପାଦନା]

ଏହି ମନ୍ଦିରଟି ଭଦ୍ରକ ଜିଲ୍ଲା ସଦରମହକୁମାଠାରୁ ଦକ୍ଷିଣରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ୧୫ କିଲୋମିଟର ଦୂରରେ ଅବସ୍ଥିତ ।

ସୂର୍ଯ୍ୟଦେବଙ୍କର ଅନ୍ୟନାମ ବିରଞ୍ଚି ନାରାୟଣ । ଏଠାରେ ଥିବା ମନ୍ଦିରଟିରେ ପ୍ରମୁଖ ଦେବତା ଭାବରେ ବିରଞ୍ଚିନାରାୟଣ ଅର୍ଥାତ ସୂର୍ଯ୍ୟଦେବଙ୍କର ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଛନ୍ତି । ଗୋଟିଏ ଚାରିକୋଣିଆ ପଥର ଏହି ସବୁ ମୁଖର ଅଗ୍ରଭାଗରେ ଖୋଦିତ ହୋଇଛି । ଏହି ମୂର୍ତ୍ତିର ହସ୍ତଦ୍ୱୟରେ ପଦ୍ମ‌ଫୁଲ ଶୋଭାପାଏ । ଏହି ମୂର୍ତ୍ତିଟି ସାତଟି ଘୋଡ଼ାରେ ଯୋଖାଯାଇଥିବା ଏକ ରଥ ଉପରେ ଶୋଭା ପାଉଛି ।

ଏଠାରେ ଏକ ଦେଉଳ, ବେଢ଼ା ରହିଛି ଏବଂ ମୁଖ୍ୟଦ୍ୱାର ସ‌ହ ଚାରିପଟରୁ ବାଡ଼ାଦ୍ୱାରା ଆବଦ୍ଧ ହୋଇଛି । ଏହି ମନ୍ଦିରଟି ୩ଫୁଟ ୩ଇଞ୍ଚର ଏକ ଚଟାଣ ଉପରେ ଅବସ୍ଥିତ । ଏହାର ଚାରିପାଖରେ ବିଭିନ୍ନ ପ୍ରକାରର ମୂର୍ତ୍ତି ଖୋଦିତ ହୋଇଛି । ଯାହାକି କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ହୋଇଛି । ଏହି ନିର୍ମାଣଶୈଳୀରେ ଜଗମୋହନ ଏବଂ ନାଟମନ୍ଦିର ମନ୍ଦିର ସାମ୍ନାରେ ରହିବା ପ୍ରାୟ ଗଙ୍ଗ ବଂଶ ସମୟରେ ହିଁ ଆରମ୍ଭ ହୋଇଥିଲା ।

ନିର୍ମାଣ ଶୈଳୀ

[ସମ୍ପାଦନା]

ଏହି ମନ୍ଦିରର ନିର୍ମାଣଶୈଳୀ କଳିଙ୍ଗ ମନ୍ଦିର ନିର୍ମାଣଶୈଳୀ ଭିତ୍ତିକ । ଏହି ମନ୍ଦିରର ବିଚିତ୍ରତା ହେଉଛି ଏହାର ଦୁଆର, ଯହାକି ପୂର୍ବରୁ ଶିବ ମନ୍ଦିରରେ ବ୍ୟବ‌ହାର ହୋଇଥିଲା, ମାତ୍ର ମରାମତି କାର୍ଯ୍ୟବେଳେ ଏହି ଦ୍ୱୟକୁ ମୁଖ୍ୟମନ୍ଦିରର ଦ୍ୱାରକୁ ସ୍ଥାନାନ୍ତରିତ କରାଯାଇଛି । ଏହି ମନ୍ଦିରର ମୂର୍ତ୍ତିର ନିର୍ମାଣ ଶୈଳୀ ୧୦ଶ ବା ୧୧ଶହ ଖ୍ରୀଷ୍ଟାବ୍ଦର ବୋଲି ଅନୁମାନ କରାଯାଏ ।

କିମ୍ବଦନ୍ତୀ

[ସମ୍ପାଦନା]

କଥିତ ଅଛି ଠାକୁରଙ୍କ ପୂର୍ବ ଦିଗକୁ ସମୁଦ୍ର ଥିଲା, ଧୀବରମାନେ ଏଠାରେ ବସବାସ କରି ସମୁଦ୍ରକୁ ମାଛ ମାରିବାକୁ ଯାଉଥିଲେ । ଡଙ୍ଗାର ପାଲ ବୁଣିବା ଓ ସିଲାଇ କରିବା ଏଠାକାର ଲୋକଙ୍କ ବ୍ୟବସାୟ ହେଇଥିବାରୁ ପାଲ ବନ୍ଧାରୁ ଗ୍ରାମର ନାମ ପାଳିଆବିନ୍ଧା ହୋଇଛି ।

ପର୍ବପର୍ବାଣି

[ସମ୍ପାଦନା]

ମକରମେଳା ଓ ଗୁଣ୍ଡୁଣୀ ମେଳା ଦିନ ଭକ୍ତମାନେ ଫୁଲ ଛଉ ଓ କୁଷ୍ଠ ରୋଗର ନିବାରଣ ପାଇଁ ଫୁଲ ଛତା ଓ ଫୁଲ ବିଞ୍ଚଣା ଠାକୁରଙ୍କ ଉପରେ ଚଢ଼ାନ୍ତି । ମାଘ ଷଷ୍ଠି ଦିନ ବିରଞ୍ଚିନାରାୟଣଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ ବ୍ୟାଧିଗ୍ରସ୍ତ ଲୋକମାନେ ମନ୍ଦିରର ଉତ୍ତରପାର୍ଶ୍ୱରେ ଅଧିଆ ପଡ଼ିଲେ ଆରୋଗ୍ୟ ଲାଭ କରନ୍ତି ବୋଲି ବିଶ୍ୱାସ ରହିଛି । ମନ୍ଦିର ନିକଟରେ ଏକ ଗୁଣ୍ଡିଚା ମଣ୍ଡପ ରହିଛି । ପୂର୍ବେ ଗୁଣ୍ଡୁଣୀ ମେଳା ଦିନ ଏଠାରେ ରଥ ଯାତ୍ରା ହେଉଥିଲା । ଏହି ଗୁଣ୍ଡୁଣୀ ରଥ ଶୋହଳ ଚକ ଓ ଏହାକୁ ସାତଟି ଅଶ୍ୱ ଗୁଣ୍ଡିଚା ମଣ୍ଡପ ଯାଏ ଟାଣୁଥିଲେ । ଏବେ ସେସବୁ ପରମ୍ପରା ଲୁପ୍ତ ।

  1. ବଳ, ସଞ୍ଜିତ. "ଭିନ୍ନ ଏକ ଅର୍କ କ୍ଷେତ୍ର". ଧରିତ୍ରୀ. Retrieved 24 November 2016.
  2. Aich, Harekrushna (April 2006). "A Little Known Sun Temple At Palia" (PDF). Orissa Review: 13. Retrieved 16 February 2017.