ବଉଳ ଅମାବାସ୍ୟା

ଉଇକିପିଡ଼ିଆ‌ରୁ
ବଉଳ ଅମାବାସ୍ୟା
ଆମ୍ବ ବଉଳ
ପର୍ବ ପାଳନପୂଜା
ତାରିଖପୌଷ ଅମାବାସ୍ୟା
୨୦୨୪ ତାରିଖ୧୧ ଜାନୁଆରୀ (ଗୁରୁବାର)

ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ ।[୨] ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ବହୁତ ଫଳ ହୁଏ ।[୩]

ପାଳନ[ସମ୍ପାଦନା]

ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ଓଡ଼ିଆ ଘରଣୀମାନେ ପବିତ୍ରତାର ସହିତ ଉତ୍ସବଟିକୁ କେତେକ ଅଞ୍ଚଳରେ ପାରମ୍ପରିକ ରୀତିରେ ପାଳନ କରନ୍ତି । ଘରେ ଗଇଁଠା ପିଠା ତିଆରି କରାଯାଏ । ଉକ୍ତଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରୁ ଘାସ, ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ । ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ । ତା’ପରେ ସେହି ଗଛଗୁଡ଼ିକରେ ଚିତା ପକାଯାଏ । ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ । କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡ଼ ମଧ୍ୟ କୁହାଯାଏ । ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ [୪]ଏବଂ ଏହି ଭୋଗ ଓ ଆମ୍ବ ବଉଳ ପାଖ ପଡ଼ିଶା ବନ୍ଧୁ କୁଟୁମ୍ବଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ । ସାଧାରଣତଃ ଗୋଷ୍ଠିଗତ ଭାବେ ରହୁଥିବା କୁଟୁମ୍ବରେ ବୟୋଜ୍ୟେଷ୍ଠ ପୁରୁଖା ବ୍ୟକ୍ତିଙ୍କ ଘରେ ଏହି ପୂଜା ହୋଇଥାଏ ଏବଂ ସମ୍ଭବ ସ୍ଥଳେ ଭାଇ ବିରାଦର ସମସ୍ତେ ଭୋଜିରେ ଏକାଠି ହୋଇ ପ୍ରଥମେ ବଉଳ ମିଶ୍ରିତ ଭୋଗ ସେବନ କରିଥାନ୍ତି ଓ ପରେ ବିଭିନ୍ନ ସୁମିଷ୍ଠ ଭୋଜନରେ ଆପ୍ୟାୟିତ ହୋଇଥାନ୍ତି । ଉକ୍ତ ସାମାଜିକ ପର୍ବଟିର ନାମ ଏବଂ ପାଳନ ବିଧିରୁ ସ୍ପଷ୍ଟ ଅନୁମେୟ ଯେ ନୂତନ ବଉଳକୁ ସ୍ୱାଗତ ଜଣାଇ ଓଡ଼ିଆ ଘରେ ଏହା ପର୍ବ ରୂପେ ସ୍ଥାନ ପାଇଛି । [୫]

ଆଧାର[ସମ୍ପାଦନା]

  1. "2017 Amavasya Dates, New Moon Dates". drikpanchang.com. Retrieved 11 May 2016.
  2. "Baula amba fula". eodisha.org. 2013. Retrieved 11 February 2013. Bakula Amavasya, or Vakula Amabasya, is observed during the Posh Amavasi in Orissa
  3. ":: Parampara Project | Practices Concerning Nature of Orissa". paramparaproject.org. 2012. Archived from the original on 23 November 2012. Retrieved 11 February 2013. The ritual is performed to get more mangoes during the season.
  4. "Vakula Amavasi | Bakula Amavasya | amavasya 2013 | amavasya dates | Hindutara". hindutara.com. 2012. Archived from the original on 15 January 2013. Retrieved 11 February 2013. Special food is prepared on this day and offered in temples as well as to the mango trees
  5. ରବିବାର ସମାଜ, ୬-୧୨ ଜାନୁଆରୀ ୨୦୧୩, ପୃଷ୍ଠା: ୭