ଫୁଲ୍ଲୋରି ଓଷା
ଫୁଲ୍ଲୋରି ଓଷା ଭାରତର ଓଡ଼ିଶାରେ ପାଳନ କରାଯାଉଥିବା ଏବଂ ଅଧୁନା ବିଲୁପ୍ତପ୍ରାୟ ଏକ ଓଷା । ଏହା ସାଧାରଣତଃ ବ୍ରାହ୍ମଣ ସଂପ୍ରଦାୟର କୁମାରୀମାନେ ପ୍ରତିବର୍ଷ ଦୁର୍ଗାଷ୍ଟମୀର ନଅଦିନ ଆଗରୁ ବାପା ଓ ଭାଇମାନଙ୍କର ମଙ୍ଗଳ ପାଇଁ କରିଥାନ୍ତି । ପୋଖରୀ କୂଳରେ ହେଉଥିବା ଏହି ଓଷାରେ ଅବିବାହିତା ଝିଅମାନେ ହରଗୌରୀ ଓ ଗୁଆ ପୂଜା କରିଥାନ୍ତି । ଓଡ଼ିଶାର ମାତ୍ର କିଛି ସ୍ଥାନରେ ଏହି ଓଷା ପାଳିତ ହୋଇଥାଏ । ଏଥି ମଧ୍ୟରୁ ଯାଜପୁର ଜିଲ୍ଲାର ବଳରାମପୁର ତଳଗଡ଼, ମଣିପୁର, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଆଦି ଅଞ୍ଚଳ ପ୍ରଧାନ ।[୧]
ପାଳନ ବିଧି
[ସମ୍ପାଦନା]ପୂଜା
[ସମ୍ପାଦନା]ଏହି ଓଷା କରୁଥିବା ଝିଅମାନେ ଘରେ ଯେତେଜଣ ଅବିବାହିତା ଝିଅ ଥାଆନ୍ତି ସେତୋଟି ନଡ଼ିଆ ଆଣି ନଡ଼ିଆର ଉପର ଭାଗକୁ ଚିକ୍କଣ କରି ସେଥିରେ ଚୂନ ଲଗାଇଥାନ୍ତି । ଏହାପରେ ନଡ଼ିଆରେ ଏକ ଝିଅର ଆଖି, ନାକ, ପାଟି ଭଳି କରି ସଜାଇଥାନ୍ତି । ସେମାନେ ନଡ଼ିଆ ସାଙ୍ଗରେ ଗୁଆଗୁଡ଼ିକୁ ମଧ୍ୟ ନାନା ଚିତ୍ରବିଚିତ୍ର କରିଥାନ୍ତି । ବାଉଁଶରେ ନିର୍ମିତ ଡାଲା ବା ଝୁଡ଼ିରେ ନଡ଼ିଆ ଓ ଗୁଆଗୁଡ଼ିକୁ ରଖି ଭୋର ପାଞ୍ଚଟାରେ ଓଷା ଆରମ୍ଭ କରନ୍ତି । ସେମାନେ ଶଙ୍ଖ ବଜାଇ, ହୁଳହୁଳି ପକାଇ ନଡ଼ିଆ ଡାଲା ଧରି ପୋଖରୀ ତୁଠରେ ପହଞ୍ଚିଥାନ୍ତି । ପୋଖରୀ କୂଳରେ ମାଟିରେ ଶିବ ଓ ପାର୍ବତୀ ପ୍ରତିମା ଗଢ଼ି ପ୍ରଥମେ ଡାଲାକୁ ପୋଖରୀ ତୁଠ ଚଉରା ଉପରେ ରଖି ପ୍ରତିମାଗୁଡ଼ିକୁ ସଜାଇଥାନ୍ତି ଓ ବାଉଁଶପତ୍ରରେ ପାଣି ଆଣି ସେଗୁଡ଼ିକୁ ଗାଧୋଇ ଦିଅନ୍ତି । ପରେ ନାନା ଅଳଙ୍କାରରେ ପ୍ରତିମାଗୁଡ଼ିକୁ ସଜାଇ ନଡ଼ିଆ ଓ ଗୁଆଗୁଡ଼ିକୁ ଡାଲାରୁ କାଢି ଚଉରା ଉପରେ ରଖିଥାନ୍ତି । ନଡ଼ିଆ, ଗୁଆ ଛଡ଼ା ଦର୍ପଣ, ପାନିଆ ଆଦି ମଧ୍ୟ ପୂଜାରେ ଲାଗେ । ନଡ଼ିଆ ଓ ଗୁଆକୁ ହଳଦୀ ପାଣିରେ ଗାଧୋଇଦେବା ପରେ ଏହି ଝିଅମାନେ ଧଳା କୁଙ୍କୁମରେ ପ୍ରତିମାଗୁଡ଼ିକୁ ସଜାଇ ଦିଅନ୍ତି । ଓଷା କରୁଥିବା ଝିଅମାନେ ମଧ୍ୟ ମଥାରେ ଧଳା କୁଙ୍କୁମରେ ଚିତା କୁଟାଇଥାନ୍ତି । ଚିତା କୁଟାଇ ସାରି ସେମାନେ ଗୀତ ବୋଲିଥାନ୍ତି । ଏହି ଗୀତଗୁଡ଼ିକ ମଧ୍ୟରେ ଆସିବେ ଈଶ୍ୱର ମାଳ, ଉଠ ଉଠ ସୀତୟା ହେ, ହୋଇଲାଣି ବେଳ ଆଦି ପ୍ରମୁଖ । ଏହାପରେ ଧୂପ ଦୀପରେ ହରଗୌରୀ ଓ ନଡ଼ିଆକୁ ବନ୍ଦାପନା କରି ତା'ପରେ ଭୋଗ କରିଥାନ୍ତି I ଏହି ଓଷାରେ ବିଶେଷ କରି ତାଳଗଜା, ଛେନା ଆଦି ସହ ନଡ଼ିଆ ଓ ଗୁଆ ଭୋଗ ଲାଗି କରନ୍ତି । ତେବେ ଓଷା ନିୟମ ଅନୁସାରେ ଓଷା କରୁଥିବା ଝିଅମାନେ ନିଜେ ସେ ଭୋଗ ଖାଇପାରିବେ ନାହିଁ । ତେଣୁ ଆଖପାଖରେ ଥିବା ପୁଅମାନଙ୍କୁ ସେ ଭୋଗ ସେମାନେ ବାଣ୍ଟିଦିଅନ୍ତି ।[୧]
କଉଡ଼ି ଖେଳ
[ସମ୍ପାଦନା]ଭୋଗବଣ୍ଟା ପରେ କଉଡ଼ି ଖେଳ ଆରମ୍ଭ ହୁଏ I ସୁଧେଷୁ ବନର ଚନ୍ଦନ କୋଟି, ହର ସଙ୍ଗେ ଉମା ଖେଳନ୍ତି ଜୁଆ କଉଡି ମୁଠି ଗୀତ ବୋଲି ସମସ୍ତେ କଉଡ଼ି ଖେଳନ୍ତି । ଗୀତ ଶେଷରେ କଉଡ଼ି ଯେଉଁ ଦୁଇଜଣଙ୍କ ପାଖରେ ରହେ ସେମାନେ କଉଡି ଛଡାଛଡ଼ି କରନ୍ତି । ଯିଏ ଜିତିବ ସେ ଶିବ ଓ ଯିଏ ହାରିବ ସେ ପାର୍ବତୀ ବୋଲି କୁହାଯାଏ । କଉଡ଼ି ଖେଳ ପରେ ଉଠ ଉଠ ସୀତୟା ହେ, ହୋଇଲାଣି ବେଳ ଗୀତ ବୋଲି ନଡ଼ିଆକୁ ଚଉରା ଉପରୁ ଉଠାଇ ଡାଲାରେ ରଖାଯାଏ । ଡାଲାରେ ହରିଡ଼ା ପତ୍ର ପକାଇ ଶଙ୍ଖ ହୁଳହୁଳି ସହ ଝିଅମାନେ ଘରକୁ ଫେରନ୍ତି ।[୧]
ମୁଢ଼ି ନଡ଼ିଆ
[ସମ୍ପାଦନା]ଓଷାର ପଞ୍ଚମ କିମ୍ବା ସପ୍ତମ ଦିନରେ ମୁଢ଼ି ନଡ଼ିଆ ଭୋଗ ହୋଇଥାଏ । ଝିଅମାନେ ଗାଁରେ ବୁଲି ବୁଲି ଘରମାନଙ୍କରୁ ଧାନ ଓ ପଇସା ଆଦାୟ କରିଥାନ୍ତି । ସେହି ଧାନରେ ମୁଢ଼ି ଭାଜନ୍ତି ଓ ସଂଗୃହୀତ ପଇସାରେ ନଡ଼ିଆ କିଣନ୍ତି । ଦିନ ଦୁଇ ଘଡ଼ି ପାଖାପାଖି ସେମାନେ ମୁଢ଼ି ନଡ଼ିଆ ଉତ୍ସବ କରିଥାନ୍ତି । ଆଖପାଖରେ ଥିବା ପାହାଡ଼ ଉପରେ ମୁଢ଼ି ନଡ଼ିଆ ଭୋଗ ହୋଇଥାଏ । ଝିଅମାନେ ଶଙ୍ଖ ହୁଳହୁଳି ଦେଇ ପାହାଡ଼ରେ ମୁଢ଼ି ଓ ନଡ଼ିଆ ଧରି ପହଞ୍ଚିଥାନ୍ତି । ନଡ଼ିଆ ଭାଙ୍ଗି ତାକୁ ଖଣ୍ଡଖଣ୍ଡ କରି କାଟି ପାହାଡରେ ବସି ମୁଢ଼ି ସହ ଖାଇଥାନ୍ତି ।[୧]
ଶେଷଦିନ
[ସମ୍ପାଦନା]ଦୁର୍ଗାଷ୍ଟମୀ ଦିନ ଓଷାର ଶେଷଦିନ । ଏହି ଦିନ ଓଷେଇତୀମାନେ ଆମ୍ବଡାଳ ରଙ୍ଗୀନ କାଗଜରେ ଓଷା ପୀଠକୁ ସଜାଇ ଗୀତ ବଜାଇଥାନ୍ତି । ସାଜସଜ୍ଜା ପରେ ଝିଅମାନେ ଏକତ୍ର ହଳଦୀ ଲଗାଇ ପୋଖରୀରେ ସ୍ନାନ କରନ୍ତି । ଶେଷଦିନ ସବୁଝିଅ ଶାଢ଼ୀ ପିନ୍ଧିବା ବାଧ୍ୟତାମୂଳକ । ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବଡ଼ଝିଅମାନେ ମଧ୍ୟ ଏହିଦିନ ଶାଢ଼ୀ ପିନ୍ଧିଥାନ୍ତି । ଶାଢ଼ୀ ପିନ୍ଧି ବେଷଭୂଷା ହୋଇ ସମସ୍ତେ ପୋଖରୀ ତୁଠରେ ପହଞ୍ଚିବା ପରେ ସେମାନେ ଓଷା ଆରମ୍ଭ ହୋଇଥାଏ । ପ୍ରତିଦିନ ପରି ଭୋଗରାଗ କରି ଗୀତ ବୋଲିଥାନ୍ତି । ଓଷା ଶେଷରେ ସେମାନେ ବଡ଼ ଭୋଗ କରନ୍ତି । ଓଷା ପରଦିନ ସକାଳୁ ସେମାନେ ନିଜ ନିଜ ଘରେ ସାତ ପ୍ରକାର ଶାଗ ରାନ୍ଧିଥାନ୍ତି । ସାତଶାଗ ଭୋଗ ଲଗାଇ ହରଗୌରୀଙ୍କୁ ପାଣିରେ ବିସର୍ଜନ କରନ୍ତି ।[୧]
ମାନସିକ
[ସମ୍ପାଦନା]ଏହି ଓଷାରେ ମାନସିକ କଲେ ସବୁ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । କାହାର ପିଲା ହେଲେ, ଝିଅ ବାହାଘର ହେଲେ ସେମାନେ ଓଷେଇତୀଙ୍କୁ ଟଙ୍କା ବା ମୁଢ଼ି ନଡ଼ିଆ ଖର୍ଚ୍ଚ ଦେବେ ବୋଲି ଲୋକେ ମାନସିକ କରିଥାନ୍ତି । ମାନସିକ ପୂରଣ ହେଲେ ଓଷେଇତୀଙ୍କୁ ସାହାଯ୍ୟ କରନ୍ତି । ଏଥି ସହିତ ଓଷା କରୁଥିବା ଝିଅମାନେ ନିଜ ନିଜ ଭିତରେ ଚାନ୍ଦାଭେଦା କରି ପଇସା ଏକାଠି କରିଥାନ୍ତି । ଉକ୍ତ ପଇସାକୁ ସେମାନେ ଶେଷଦିନ ଭୋଗରାଗ ଓ ସାଜସଜ୍ଜାରେ ଖର୍ଚ୍ଚ କରନ୍ତି । ଓଷା ସରିବା ପରେ ବଳକା ଟଙ୍କାରେ ଭୋଜିଭାତ ମଧ୍ୟ କରିଥାନ୍ତି । ପଇସା ବଳିଲେ ସେଥିରେ ଠାକୁରଙ୍କ ପାଇଁ ଅଳଙ୍କାର କିଣିଥାନ୍ତି ।[୧]
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |