ଅଇଘରା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ମାଘ ପୂର୍ଣ୍ଣମୀ, ଅଇଘରା ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ), ଅଇଘେରା, ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା (ଅଗିଜଳା), ଅଗିରା ପୂର୍ଣ୍ଣମୀଏଠାକୁ ଲେଉଟାଇ ଆଣିଥାନ୍ତି

ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ । ଏଥି ନିମନ୍ତେ ଗ୍ରାମର କମାର ତାଙ୍କ ଶାଳକୁ ଲିପା ପୋଛା କରି ଏବଂ ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଏ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି । ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ । ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାଶ୍ୱର୍ ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ନିକ୍ଷେପ କରିଥାଆନ୍ତି । ଲୋକମାନଙ୍କର ବିଶ୍ୱାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ । ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଅାଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ।

ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚାଳ ଛପର କାର୍ଯ୍ୟ କରିଥାଆନ୍ତି । କଥାରେ ଅଛି-'ଘର ପୋଡ଼ିଠାରୁ ବିପତ୍ତି ନାହିଁ ।’ ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ ।[୧]

ଅଞ୍ଚଳ ଭେଦରେ ପାଳନ[ସମ୍ପାଦନା]

ଓଡ଼ିଶା[ସମ୍ପାଦନା]

ପୁରୀ[ସମ୍ପାଦନା]

ପୁରୀ ଜିଲ୍ଲାରେ ବ୍ରାହ୍ମଣ ଶାସନମାନଙ୍କରେ ଠାକୁର ଝୁଲଣରେ ପଟୁଆର କରି ଯିବାବେଳେ ପ୍ରତି ଘରସାମନାରେ ରହି ଦୁଆରି ଭୋଗ ଖାଇଥାନ୍ତି । ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଓ ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ଆଗରୁ ପୋତି ଥାନ୍ତି । ଦିଅଁ ବିଜେ କଲାବେଳେ ସେହି ହୁଳାରେ ନିଆଁ ଲଗାଇ ଦିଆଯାଏ । ଦିଅଁ ଗାଁମୁଣ୍ଡରେ ପହଞ୍ଚିଲା ବେଳକୁ ଗ୍ରାମବାସୀଙ୍କ ଦେଇ ସଂଗୃହିତ ଏକ ବଡ଼ କୁଟାଗଦାରେ ନିଆଁ ଲଗାଯାଇଥାଏ । ଏହି ନିଆଁକୁ ଅଗି ବା ଅଇଘରା କୁହାଯାଏ । ଦିଅଁ ଏହି ଅଗି ଚାରିପଟେ ବୁଲି ସେଠାରେ ଭୋଗ ଖାଇ ନିଜ ମନ୍ଦିରକୁ ବାହାରନ୍ତି ।

କଟକ[ସମ୍ପାଦନା]

କଟକ ଜିଲ୍ଲାରେ ଏହି ଉତ୍ସବକୁ 'ମେଣ୍ଢାକୁଡ଼ିଆ ପୋଡ଼ି' କୁହାଯାଇଥାଏ ।[୨]

ବାଲେଶ୍ଵର[ସମ୍ପାଦନା]

ବାଲେଶ୍ଵର ଜିଲ୍ଲାରେ ଅଗିଜଳା ଉତ୍ସବକୁ 'ମେଣ୍ଢାଘର ପୋଡ଼ି' କୁହାଯାଇଥାଏ ।

ପଶ୍ଚିମବଙ୍ଗ[ସମ୍ପାଦନା]

ପଶ୍ଚିମବଙ୍ଗରେ ଦୋଳ ପୂର୍ଣ୍ଣିମା ଆଗ ଦିନ ରାତିରେ ଏହି ପରି ଏକ ଅଗ୍ନିଉତ୍ସବ ହୋଇଥାଏ ।

ତାମିଲନାଡୁ[ସମ୍ପାଦନା]

ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଅଗ୍ନିଉତ୍ସବ ହୋଇନଥିଲେ ମଧ୍ୟ ଲୋକେ କଉତୁକରେ ପରସ୍ପର ଭିତରେ ଯୁଦ୍ଧ କରିଥାନ୍ତି ।]

ମହାରାଷ୍ଟ୍ର[ସମ୍ପାଦନା]

ମହାରାଷ୍ଟ୍ରରେ ନାନାଦି ଯୁଦ୍ଧରେ ନିହତ ବୀରମାନଙ୍କ ବଂଶଧର ମାନେ ହାତରେ ଖଣ୍ଡାଧରି ନିଆଁ ଚାରିପଟେ ବୁଲି ନାଚନ୍ତି ଓ ଏହି ନିଆଁରେ ଗରମ କରାଯାଇଥିବା ପାଣିରେ ଗାଧାନ୍ତି ।

ପଶ୍ଚିମ ଭାରତ[ସମ୍ପାଦନା]

ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗରେ ଗବଗଛଟିଏ ପୋତାଯାଇ ତହିଁ ଉପରେ କୁଟା, ଚିରାକନା ଓ ଘଷି ଆଦି ଜମା କରାଯାଇ ଅଗି ଜଳା ହୁଏ ଓ ଲୋକେ ରାତିଯାକ ଅଶ୍ଳୀଳ ଗୀତ ଗାଇ ନାଚନ୍ତି ।[୩]

ଟୀକା[ସମ୍ପାଦନା]

  1. "ମାଘ ପୂର୍ଣ୍ଣମୀ-ଅଗ୍ନ୍ୟୁତ୍ସବ". ଶୃତି. 2 February 2015. 
  2. Das, Pradip Kumar (2008). "The Hindu : Other States / Orissa News : Cuttack braces for twin celebrations". hindu.com. Retrieved 4 March 2013. This is also called ‘Mendha Kudia Podi’. 
  3. Ray Choudhury, Ranjan Bilas. Amrutabazar patrika. 6 Feb 1923

ଆଧାର[ସମ୍ପାଦନା]