ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)

ଉଇକିପିଡ଼ିଆ ରୁ
Jump to navigation Jump to search
Nephrozoa
ହିମ କଲରାପତ୍ରିଆ (ସ୍ନୋ ଲେପର୍ଡ୍)
Snow leopard in Afghanistan.jpg
ଆଫଗାନିସ୍ତାନର ୱଖାନ୍ ଜିଲ୍ଲାରେ ଦେଖାଯାଇଥିବା ଏକ ହିମ କଲରାପତ୍ରିଆ
Schneeleopard Koeln.jpg
ଜର୍ମାନୀର କୋଲୋନ୍ ଜୀବ ଉଦ୍ୟାନରେ ରଖାଯାଇଥିବା ଏକ ହିମ କଲରାପତ୍ରିଆ
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Kingdom: Animalia
Phylum: Chordate
Class: Mammal
Order: Carnivora
Family: Felidae
Genus: Panthera
ଜାତି: P. uncia
ବାଇନୋମିଆଲ ନାମ
Panthera uncia
(ୟୋହାନ୍ ଖ୍ରୀଷ୍ଟିୟାନ୍ ଡାନିଏଲ୍ ଭୋନ୍ ସ୍ଖ୍ରେବର୍, ୧୭୭୫)
Snow leopard range.png
ହିମ କଲରାପତ୍ରିଆ ବାଘମାନଙ୍କ ଭୌଗୋଳିକ ବିତରଣ
Synonyms
  • Felis irbis ଖ୍ରୀଷ୍ଟିୟାନ୍ ଏହରେନବର୍ଗ୍, ୧୮୩୦ (= Felis uncia ସ୍ଖ୍ରେବର୍, ୧୭୭୫) ଓ ଏହାର ପରବର୍ତ୍ତୀ ସମୟର ଜୀବବିଜ୍ଞାନ ନାମ (ଥିଓଡୋର୍ ଶେର୍ମାନ୍ ପାଲ୍ମାର୍, ୧୯୦୪).[୨]
  • Uncia uncia ରେଜିନାଲ୍ଡ୍ ଇନ୍ନେସ୍ ପୋକକ୍, ୧୯୩୦

ହିମ କଲରାପତ୍ରିଆ ବାଘ (ଈଂରାଜୀରେ Snow Leopard ବା Ounce, ଜୀବବିଜ୍ଞାନ ନାମ Panthera uncia) ଏକ ପାର୍ବତୀୟ ବିଡ଼ାଳ । ମଧ୍ୟ-ଏସିଆ, ଦକ୍ଷିଣ-ଏସିଆର ହିମାବୃତ ପାର୍ବତୀୟ ଅଞ୍ଚଳରେ ଏମାନେ ବିଚରଣ କରିଥାନ୍ତି । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏମାନଙ୍କ ସଂଖ୍ୟା ୧୦୦୦୦ ରହିଯାଇଥିବାରୁ ଏବଂ ଆଗାମୀ ୨୩ ବର୍ଷରେ ଏମାନଙ୍କ ସଂଖ୍ୟା ଆହୁରି ୧୦% ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିବାରୁ IUCN ସଂରକ୍ଷଣ ତାଲିକାରେ ଏମାନଙ୍କୁ Vulnerable ଶ୍ରେଣୀଭୁକ୍ତ କରାଯାଇଛି । ୨୦୧୬ ମସିହା ବେଳକୁ ସମଗ୍ର ବିଶ୍ୱରେ ଏମାନଙ୍କ ସଂଖ୍ୟା ୪୬୭୮-୮୭୪୫ ରହିଥିବ ବୋଲି ଅନୁମାନ କରାଯାଉଛି ।[୧][୩]

ସମୁଦ୍ରପତନରୁ ୩୦୦୦-୪୫୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ହିମ କଲରାପତ୍ରିଆ ବାଘମାନେ ବସବାସ କରନ୍ତି । ଏସିଆ ମହାଦେଶରେ ପୂର୍ବ ଆଫଗାନିସ୍ତାନରୁ ନେଇ ମଙ୍ଗୋଲିଆ ଓ ପଶ୍ଚିମ ଚୀନ ପର୍ଯ୍ୟନ୍ତ ଏହି ଜୀବ ବସବାସ କରନ୍ତି । ଏମାନଙ୍କ ଭୌଗୋଳିକ ବିସ୍ତୃତିର ଉତ୍ତରାଂଶରେ ଏମାନେ ସମୁଦ୍ରପତନରୁ କମ୍ ଉଚ୍ଚତାରେ ମଧ୍ୟ ବିଚରଣ କରିବା ଦେଖାଯାଇଛି ।[୪][୫]

ବର୍ଗୀକରଣ ଅନୁସାରେ ହିମ କଲରାପତ୍ରିଆ ବାଘକୁ ପ୍ରଥମେ ଉଞ୍ଚିଆ (Uncia) ଜାତିର ବୋଲି କୁହାଯାଉଥିଲା ।[୨] ବିଭିନ୍ନ ଜେନେଟିକ୍ ବିଶ୍ଳେଷଣକୁ ଭିତ୍ତି କରି ୨୦୦୮ ମସିହାରୁ ଏହାକୁ ପାନ୍ଥେରା (Panthera) ପ୍ରଜାତିରେ ସ୍ଥାନିତ କରାଯାଇଛି । ଭିନ୍ନ ରୂପ ଦୃଷ୍ଟିରୁ ହିମ କଲରାପତ୍ରିଆର ଦୁଇଟି ଉପପ୍ରଜାତି ଚିହ୍ନଟ କରାଯାଇଥିଲେ ହେଁ ସେମାନଙ୍କ ମଧ୍ୟରେ ରହିଥିବା ଜିନ୍-ଗତ ପାର୍ଥକ୍ୟ ଜଣାପଡ଼ି ପାରିନାହିଁ ।[୧] ତେଣୁ ଏହାକୁ ଏକମାତ୍ର ବର୍ଗ ବା ପ୍ରକାର ବିଶିଷ୍ଟ ପ୍ରାଣୀ ବୋଲି କୁହାଯାଏ ।[୬]

ବିଷୟସୂଚୀ

ନାମକରଣର ଇତିହାସ[ସମ୍ପାଦନା]

ଏହି ଜୀବର ଜୀବବିଜ୍ଞାନ ନାମରେ ରହିଥିବା ଲାଟିନ୍ ଶବ୍ଦ ଉଞ୍ଚିଆ (uncia) ଓ ଏହାର ଅନ୍ୟ ଈଂରାଜୀ ନାମ ଆଉନ୍ସ୍ (ounce) ଏକ ଫରାସୀ ଶବ୍ଦ ଓନ୍ସେ (once)ରୁ ଉଦ୍ଧୃତ । ଏହି ଓନ୍ସେ ଶବ୍ଦଟି ଲିଂକ୍ସ୍ ନାମକ ଜୀବ ପାଇଁ ବ୍ୟବହୃତ ହେଉଥିଲା । ଫରାସୀ ଭାଷାରେ ଲିଂକ୍ସ୍ ଶବ୍ଦଟି ପ୍ରଥମାବସ୍ଥାରେ la once ଓ କାଳକ୍ରମେ ଅପଭ୍ରଂଶ ହୋଇ l'once ବୋଲି କୁହାଗଲା । ତେଣୁ ଏହି ଶବ୍ଦରୁ la (ଈଂରାଜୀ ଶବ୍ଦ the)କୁ ବାଦ ଦିଆଯାଇ ଜୀବଟିର ପ୍ରକୃତ ନାମ once ବୋଲି ପ୍ରଚଳିତ ହେଲା । ଲିଂକ୍ସ୍ ପରି ଗଠନ ଓ ଆକାର ଥିବା ହିମ କଲରାପତ୍ରିଆ ଓ ଅନ୍ୟ ଜୀବଙ୍କ ପାଇଁ ଏହି ଶବ୍ଦ ବ୍ୟବହାର ହେବାରେ ଲାଗିଲା ।[୭][୮]

ଅପରପକ୍ଷେ ଈଂରାଜୀ ଶବ୍ଦ panther (ପ୍ୟାନ୍ଥର୍)ଟି ପାରମ୍ପରିକ ଲାଟିନ୍ ଶବ୍ଦ panthēraରୁ; ଯାହା ପ୍ରାଚୀନ ଗ୍ରୀକ୍ ଶବ୍ଦ pánthēr (πάνθηρ)ରୁ ଗୃହୀତ ବୋଲି ଅନୁମାନ କରାଯାଏ ।[୯] ସଂସ୍କୃତରେ ବାଘର ଅର୍ଥସୂଚକ ଶବ୍ଦ ପୁଣ୍ଡରୀକ (पुण्डरीक) ଓ ସମାର୍ଥବାଚକ ଅପଭ୍ରଂଶ ଶବ୍ଦ ପାଣ୍ଡର (पाण्डर)ରୁ ମଧ୍ୟ ଏହା ଉଦ୍ଧୃତ ହୋଇଥିବାର ସମ୍ଭାବନା ରହିଛି ।[୧୦]

ବର୍ଗୀକରଣ ଏବଂ କ୍ରମ-ବିବର୍ତ୍ତନ[ସମ୍ପାଦନା]

ପାନ୍ଥେରା ପ୍ରଜାତିର ଦୁଇଟି ବିବର୍ତ୍ତନ କ୍ଲାଡୋଗ୍ରାମ୍ ଚିତ୍ର ‍‍(ଉପରଟି ୨୦୦୬ ଓ ୨୦୦୯ ମସିହାର ଗବେଷଣା[୧୧][୧୨] ଓ ତଳଟି ୨୦୧୦ ଓ ୨୦୧୧ ମସିହାର ଗବେଷଣାକୁ[୧୩][୧୪] ଭିତ୍ତି କରି ପ୍ରକାଶ କରାଯାଇଛି)

ଉପ-ପ୍ରଜାତି[ସମ୍ପାଦନା]

ଫାଇଲୋଜେନି[ସମ୍ପାଦନା]

ଆକୃତି ଓ ପ୍ରକୃତି[ସମ୍ପାଦନା]

ଏକ ଅଣ୍ଡିରା ହିମ କଲରାପତ୍ରିଆର ଅତି ନିକଟରୁ ଉଠାଯାଇଥିବା ଚିତ୍ର
ଘଞ୍ଚ ଲୋମାବୃତ ହିମ କଲରାପତ୍ରିଆର ବଡ଼ ବଡ଼ ପଞ୍ଝା ଓ ପଞ୍ଝା ତଳର ନରମ ମାଂସପିତୁଳା
ହିମ କଲରାପତ୍ରିଆର ଖପୁରୀ
ଫ୍ରାନ୍ସର ଏକ ଚିଡ଼ିଆଖାନାରେ ଥିବା ଏକ ହିମ କଲରାପତ୍ରିଆର ଚିତ୍ର । ଏଥିରେ ଏହାର ମୋଟା ଲୋମଶ ଲାଞ୍ଜ ସ୍ପଷ୍ଟ ଦେଖାଯାଉଛି ।

ହିମ କଲରାପତ୍ରିଆ ବାଘର ଚମଡ଼ା ଧଳା ବା ପାଉଁଶିଆ ରଙ୍ଗର ହୋଇଥାଏ । ଏହା ଉପରେ କଲରାପତ୍ର ପରି କଳା ଦାଗ ଗୁଡ଼ିଏ ରହିଥାଏ । ମୁଣ୍ଡ ଓ ବେକ ନିକଟର ଦାଗ ଅପେକ୍ଷାକୃତ ଛୋଟ ଓ ଲାଗି ଲାଗି ରହିଥିବା ବେଳେ, ପିଠି, ଲାଞ୍ଜ ଓ ଗଣ୍ଡିର କଲରାପତ୍ର ଦାଗ ସାମାନ୍ୟ ବଡ଼ ହୋଇଥାଏ । ଏହାର ପେଟ ପାଖଟି ଧଳା ରଙ୍ଗର ହୋଇଥାଏ । ଏହାର ଲୋମ ମୋଟା, ଗହଳିଆ ଏବଂ ୫-୧୨ ସେଣ୍ଟିମିଟର୍ ଲମ୍ବା ହୋଇଥାଏ । ଏହି ଜୀବର ଶରୀର ଗଠନ ଖୁବ୍ ବଳିଷ୍ଠ, ତେବେ ଏହାର ଗୋଡ଼ଗୁଡ଼ିକ ଛୋଟ । ପାନ୍ଥେରା ପ୍ରଜାତିର ଅନ୍ୟ ଜୀବମାନଙ୍କ ଅପେକ୍ଷା ହିମ କଲରାପତ୍ରିଆ ବାଘ ଆକାରରେ ଛୋଟ । ଭୂମିରୁ କାନ୍ଧର ଉଚ୍ଚତା ପାଖାପାଖି ୫୬ ସେଣ୍ଟିମିଟର୍, ମୁଣ୍ଡ ଓ ବେକକୁ ମିଶାଇ ଶରୀରର ଦୈର୍ଘ୍ୟ ପ୍ରାୟ ୭୫-୧୫୦ ସେଣ୍ଟିମିଟର୍, ଲାଞ୍ଜର ଦୈର୍ଘ୍ୟ ୮୦-୧୦୫ ସେଣ୍ଟିମିଟର୍ । ଏହାର ଆଖିର ରଙ୍ଗ ପାଉଁଶିଆ ବା ଫିକା ସାଗୁଆ ରଙ୍ଗର । ଏହାର ନାକ ପାଖଟି ବେଶୀ ବାହାରକୁ ବାହାରି ନାହିଁ ଓ କପାଳ ପାଖଟି ଏକ ଗମ୍ବୁଜର ଅର୍ଦ୍ଧଭାଗ ପରି । ଏହାର ନାକର ପୁଡ଼ାଗୁଡ଼ିକ ବଡ଼ ବଡ଼ ।[୧୫][୧୬] ହିମ କଲରାପତ୍ରିଆ ବାଘର ଓଜନ ୨୨ରୁ ୫୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । କିଛି ବଡ଼ ଅଣ୍ଡିରା ବାଘ କ୍ୱଚିତ୍ ୭୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ପହଞ୍ଚିବା ବେଳେ କିଛି ବାଘୁଣୀ ୨୫ କିଲୋଗ୍ରାମ୍ ଓଜନର ହୋଇଥିବାର ମଧ୍ୟ ଦେଖାଯାଇଛି ।[୧୬][୧୭]

ଥଣ୍ଡା ପାର୍ବତୀୟ ଓ ତୁଷାରାବୃତ ଅଞ୍ଚଳରେ ବସବାସ କରିପାରିବା ପାଇଁ ହିମ କଲରାପତ୍ରିଆ ବାଘ ଶରୀରରେ ଅନେକ ବିଶେଷତା ଦେଖାଯାଏ । ଏହାର ଶରୀର ବଳିଷ୍ଠ, ଲୋମ ଗହଳିଆ ଓ ମୋଟା, କାନଗୁଡ଼ିକ ଛୋଟ ଓ ଗୋଲାକାର । ଏହି ସବୁ ଶାରୀରିକ ବିଶେଷତ୍ତ୍ୱ ଯୋଗୁଁ ଏମାନଙ୍କ ଶରୀରରୁ ତାପ ବିକିରଣ (ଅପଚୟ) କମ୍ ହାରରେ ହୋଇଥାଏ । ଏହାର ବଡ଼ ବଡ଼ ପଞ୍ଝା ଏହାର ଶରୀରକୁ ଧରି ରଖିବାରେ ଓ ତୁଷାରାଚ୍ଛନ୍ନ ଭୂମି ଉପରେ ଚାଲିବାରେ ସାହାଯ୍ୟ କରନ୍ତି । ପଞ୍ଝାର ତଳ ଓ ଚାରି ପାଖରେ ରହିଥିବା ଲୋମ ପଥୁରିଆ ଓ ଢାଲୁଆ ଭୂମିରେ ଭାରସାମ୍ୟ ରଖିବାରେ ସାହାଯ୍ୟ କରନ୍ତି । ଏହାର ଲମ୍ବା ଲାଞ୍ଜଟି ଚର୍ବି ଗଚ୍ଛିତ ହୋଇ ମୋଟା ହୋଇଯାଏ, ମୋଟା ଲୋମରେ ଭରା ହୋଇ ରହିଥାଏ । ଏହି ଲାଞ୍ଜ ଭାରସାମ୍ୟ ରକ୍ଷାରେ ସାହାଯ୍ୟ କରେ ଓ ଶୋଇବା ବେଳେ ମୁହଁ ଘୋଡ଼ାଇ ରଖିବା ପାଇଁ ଛୋଟ କମ୍ବଳ ପରି ମଧ୍ୟ ଉପଯୋଗୀ ହୋଇଥାଏ ।[୧୮]

ଏହି କଲରାପତ୍ରିଆ ବାଘ ଗର୍ଜ୍ଜନ କରିପାରେ ନାହିଁ । ଏହାର ଜିଭ ପଛପଟର ହାଡ଼ ଗଠନ କିନ୍ତୁ ଅନ୍ୟ ପାନ୍ଥେରା ଜୀବଙ୍କ ପରି । ପ୍ରଥମେ ଏହି ହାଡ଼ର ଗଠନ ହିଁ ଗର୍ଜ୍ଜନ କରିବାର ଶକ୍ତି ଦିଏ ବୋଲି ଜୀବବିଜ୍ଞାନୀ ବିଶ୍ୱାସ କରୁଥିଲେ । କିନ୍ତୁ ପରେ ନୂତନ ପରୀକ୍ଷଣରୁ ଜଣାପଡ଼ିଲା ଯେ ଗର୍ଜ୍ଜନ କରିବା ପାଇଁ ଲାରିଂକ୍ସ୍ ସ୍ୱରଯନ୍ତ୍ର ମଧ୍ୟ ଆବଶ୍ୟକ ଯାହାକି ହିମ କଲରାପତ୍ରିଆ ବାଘ ଶରୀରରେ ନାହିଁ ।[୧୯][୨୦] ତେବେ ଏମାନେ କିଛି ପ୍ରକାରର ଫୁତ୍କାର, ମ୍ୟାଉଁ କରିବା, ବିଳାପ କରିବା ପରି ଶବ୍ଦ କରିପାରନ୍ତି ।

ଭୌଗୋଳିକ ବିସ୍ତୃତି ଓ ପରିବାସ[ସମ୍ପାଦନା]

Spotted this elusive predators in ladakh
ଭାରତର ଲଦାଖ୍ ଅଞ୍ଚଳରେ ଦେଖାଯାଇଥିବା ଏକ ହିମ କଲରାପତ୍ରିଆ ବାଘ


ସର୍ବମୋଟ ସଂଖ୍ୟା[ସମ୍ପାଦନା]

୨୦୦୩ ମସିହା ପୂର୍ବରୁ ସ୍ୱାଧୀନ ଭାବେ ବିଚରଣ କରୁଥିବା ହିମ କଲରାପତ୍ରିଆ ବାଘଙ୍କ ସଂଖ୍ୟା ୪୦୮୦ରୁ ନେଇ ୬୫୦୦ ମଧ୍ୟରେ ରହିଥିବ ବୋଲି ଅନୁମାନ କରାଯାଉଥିଲା ।[୪] ୨୦୧୬ ମସିହାରେ ସମଗ୍ର ବିଶ୍ୱରେ ରହିଥିବା ହିମ କଲରାପତ୍ରିଆ ବାଘଙ୍କ ସର୍ବମୋଟ ସଂଖ୍ୟା ୪୬୭୮ରୁ ୮୭୪୫ ବୋଲି କୁହାଯାଇଛି ଯାହାକି ଏମାନଙ୍କ ପୂର୍ବ ସଂଖ୍ୟାରୁ ଅଧିକ ।[୩]

ଦେଶ ପରିବାସ କ୍ଷେତ୍ର
(କି.ମି.)
ଆନୁମାନିକ
ପ୍ରାଣୀସଂଖ୍ୟା[୧]
ଆଫଗାନିସ୍ତାନ ୫୦ ହଜାର ୧୦୦-୨୦୦?
ଭୁଟାନ ୧୫ ହଜାର ୧୦୦-୨୦୦?
ଚୀନ ୧୧ ଲକ୍ଷ ୨୦୦୦-୨୫୦୦
ଭାରତ ୭୫ ହଜାର ୨୦୦-୬୦୦
କାଜାଖ୍‍ସ୍ତାନ ୫୦ ହଜାର ୧୮୦-୨୦୦
କିର୍‍ଗିଜ୍‍ସ୍ତାନ ୧ ଲକ୍ଷ ୫ ହଜାର ୧୫୦-୫୦୦
ମଙ୍ଗୋଲିଆ ୧ ଲକ୍ଷ ୧ ହଜାର ୫୦୦-୧୦୦୦
ନେପାଳ ୩୦ ହଜାର ୩୦୦-୫୦୦
ପାକିସ୍ତାନ ୮୦ ହଜାର ୨୦୦-୪୨୦
ତାଜିକିସ୍ତାନ ୧ ଲକ୍ଷ ୧୮୦-୨୨୦
ଉଜବେକିସ୍ତାନ ୧୦ ହଜାର ୨୦-୫୦

ହିମ କଲରାପତ୍ରିଆ ବାଘମାନେ ନିମ୍ନ ସଂରକ୍ଷିତ ଅଞ୍ଚଳରେ ଦେଖାଯାନ୍ତି :

  • ଖୈବର-ପାଖ୍‍ଥୁନ୍‍ଖ୍ୱା (ପାକିସ୍ତାନ)ର ଚିତ୍ରାଲ୍ ଜାତୀୟ ଉଦ୍ୟାନ
  • ଲଦାଖ୍ (ଜାମୁ ଓ କାଶ୍ମୀର, ଭାରତ)ର ହେମିସ୍ ଜାତୀୟ ଉଦ୍ୟାନ
  • ଗିଲ୍‍ଗିଟ୍-ବାଲ୍‍ଟିସ୍ତାନ (ପାକିସ୍ତାନ)ର ଖୁଞ୍ଜେରାବ୍ ଜାତୀୟ ଉଦ୍ୟାନ
  • ଉତ୍ତରାଖଣ୍ଡ (ଭାରତ)ର ନନ୍ଦାଦେବୀ ଜାତୀୟ ଉଦ୍ୟାନ (ଯାହା ଏକ ପ୍ରାକୃତିକ ବିଶ୍ୱ ଐତିହ୍ୟ ସ୍ଥଳ ମଧ୍ୟ)[୨୧]
  • ତିବ୍ୱତ (ଚୀନ)ର ଚୋମୋଲାଂମା ଜାତୀୟ ପ୍ରକୃତି ସଂରକ୍ଷଣ କ୍ଷେତ୍ର[୨୨]
  • ନେପାଳର ପ୍ରାକୃତିକ ବିଶ୍ୱ ଐତିହ୍ୟ ସ୍ଥଳ ସାଗରମଥା ଜାତୀୟ ଉଦ୍ୟାନ[୨୩]
  • ଜିନ୍‍ଜିଆଂଗ୍ (ଚୀନ)ର ପଶ୍ଚିମ ତ୍ୟାନ୍‍ଶାନ୍ ପର୍ବତମାଳାସ୍ଥିତ ଟ୍ୟୁମୋର୍ ଫେଂଗ୍ ପ୍ରକୃତି ସଂରକ୍ଷଣ କ୍ଷେତ୍ର[୨୪]
  • ଉତ୍ତରାଖଣ୍ଡ (ଭାରତ)ର ପ୍ରାକୃତିକ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତାପ୍ରାପ୍ତ ପୁଷ୍ପ ଉପତ୍ୟକା ଜାତୀୟ ଉଦ୍ୟାନ
  • ଡୋଲ୍ପା (ନେପାଳ)ର ଶେ-ଫୋକ୍ସୁନ୍ଦୋ ଜାତୀୟ ଉଦ୍ୟାନ
  • ବାଗ୍ଲୁଂଗ୍ (ନେପାଳ)ର ଧୋର୍ପାତନ୍ ଶିକାର ଅଭୟାରଣ୍ୟ
  • ପଶ୍ଚିମ ନେପାଳସ୍ଥିତ ଅନ୍ନପୂର୍ଣ୍ଣା ସଂରକ୍ଷିତ ଅଞ୍ଚଳ
  • ପଶ୍ଚିମ ନେପାଳସ୍ଥିତ ଅପି ନାମ୍ପା ସଂରକ୍ଷିତ ଅଞ୍ଚଳ
  • ଭୁଟାନର ଜିଗ୍‍ମେ ଡୋର୍ଜି ଜାତୀୟ ଉଦ୍ୟାନ
  • ମଙ୍ଗୋଲିଆର ଗୋବି-ଗୁର୍ବଂଶାଇଖାନ୍ ଜାତୀୟ ଉଦ୍ୟାନ
  • ମଙ୍ଗୋଲିଆ ଓ ଋଷିଆର ତୁଭା ଗଣରାଜ୍ୟର ସୀମାବର୍ତ୍ତୀ ଉବୁସୁନୁର୍ ଗର୍ତ୍ତ
  • ଭାରତର ଦିବାଂଗ୍ ବନ୍ୟଜୀବ ଅଭୟାରଣ୍ୟ
  • କାଜାଖ୍‍ସ୍ତାନର ଅକ୍ସୁ-ଜାବାଗ୍ଲି ପ୍ରକୃତି ଅଭୟାରଣ୍ୟ
  • କିର୍‍ଗିଜ୍‍ସ୍ତାନର ସାରୈଚଟ୍-ଏର୍ତାଶ୍ ପ୍ରାଦେଶିକ ପ୍ରକୃତି ଅଭୟାରଣ୍ୟ
  • ଋଷର କାତୁନ୍ ପ୍ରକୃତି ଅଭୟାରଣ୍ୟ
  • ହିମାଚଳ ପ୍ରଦେଶ (ଭାରତ)ର କିବ୍ୱର୍ ବନ୍ୟଜୀବ ଅଭୟାରଣ୍ୟ
  • ହିମାଚଳ ପ୍ରଦେଶ (ଭାରତ)ର ପିନ୍ ଉପତ୍ୟକା ଜାତୀୟ ଉଦ୍ୟାନ
  • ହିମାଚଳ ପ୍ରଦେଶ (ଭାରତ)ର କୁଲ୍ଲୁସ୍ଥିତ ମହା-ହିମାଳୟ ଜାତୀୟ ଉଦ୍ୟାନ
  • ଭାରତ, ନେପାଳ ଓ ଭୁଟାନର ପବିତ୍ର ହିମାଳୟ ପର୍ବତଶ୍ରେଣୀ

ଉତ୍ତର-ପୂର୍ବ ଆଫଗାନିସ୍ତାନର ୱଖାନ୍ ଅଞ୍ଚଳରେ କ୍ୟାମେରା ଟ୍ରାପ୍ ସହାୟତାରେ ୧୬ଟି ଭିନ୍ନ ଭିନ୍ନ ସ୍ଥାନରେ ହିମ କଲରାପତ୍ରିଆ ବାଘଙ୍କ ଫଟୋ ଉଠାଯାଇଛି ।[୨୫]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ତୁଷାରାଚ୍ଛନ୍ନ ଭୂମିରେ ଚାଲୁଥିବା ହିମ କଲରାପତ୍ରିଆ

ହିମ କଲରାପତ୍ରିଆ ବାଘମାନେ ଏକାକୀ ଜୀବନଯାପନ କରନ୍ତି । ମା' ହିମ କଲରାପତ୍ରିଆ ବାଘୁଣୀମାନେ ନିଜ ଶାବକମାନେ ବଡ଼ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ରୁହନ୍ତି । ନିଜ ପାର୍ବତୀୟ ଗୁମ୍ଫା ବା ଆବାସସ୍ଥଳୀରେ ଲମ୍ବା ସମୟ ଯାଏଁ ବାଘୁଣୀମାନେ ନିଜ ଶାବକଙ୍କୁ ଲୁଚାଇ ରଖନ୍ତି ।

ହିମ କଲରାପତ୍ରିଆ ବାଘମାନେ ଶିକାର ପାଇଁ ଏକ ବଡ଼ ଅଞ୍ଚଳ ବା କ୍ଷେତ୍ରରେ ବିଚରଣ କରନ୍ତି । କିନ୍ତୁ ଆଉ ଏକ ହିମ କଲରାପତ୍ରିଆ ବାଘ ଏମାନଙ୍କ କ୍ଷେତ୍ରକୁ ଆସିଲେ ଅନ୍ୟ ବିଡ଼ାଳ ଜାତୀୟ ପ୍ରାଣୀଙ୍କ ପରି ଆକ୍ରାମକ ମନୋଭାବ ପୋଷଣ କରନ୍ତି ନାହିଁ କି ନିଜ କ୍ଷେତ୍ର ପାଇଁ ଯୁଦ୍ଧ କରନ୍ତି ନାହିଁ । ଏମାନଙ୍କ ବିଚରଣ କ୍ଷେତ୍ରର ଆକାରରେ ବିବିଧତା ଦେଖା ଦେଇପାରେ । ନେପାଳରେ ଅଧିକ ଶିକାର ପ୍ରାଣୀ ରହିଥିଲେ ୧୦୦ ବର୍ଗ କି.ମି. କ୍ଷେତ୍ରରେ ୫-୧୦ଟି ହିମ କଲରାପତ୍ରିଆ ବାଘ (ପ୍ରତ୍ୟେକ ଜୀବର ନିଜ କ୍ଷେତ୍ର ୧୨ ବର୍ଗ କି.ମି.ରୁ ୪୦ ବର୍ଗ କି.ମି.) ବିଚରଣ କରୁଥିବା ବେଳେ ଶିକାର କମ୍ ଥିବା ଅଞ୍ଚଳରେ ୧୦୦୦ ବର୍ଗ କି.ମି. କ୍ଷେତ୍ରରେ କେବଳ ୫ଟି ହିମ କଲରାପତ୍ରିଆ ବାଘ ରହିଥାନ୍ତି ।[୧୯] ୨୦୦୮ରୁ ୨୦୧୪ ମସିହା ମଧ୍ୟରେ କରାଯାଇଥିବା ଏକ ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପାରମ୍ପରିକ ତଥ୍ୟର ବିପରୀତ ଏମାନଙ୍କ ବିଚରଣ କ୍ଷେତ୍ର ବହୁତ ବଡ଼ ହୋଇଥାଏ; ବାଘମାନେ ୮୦ ବର୍ଗ ମାଇଲ୍ ଓ ବାଘୁଣୀମାନେ ୪୮ ବର୍ଗ ମାଇଲ୍ ପର୍ଯ୍ୟନ୍ତ ବଡ଼ କ୍ଷେତ୍ରରେ ବିଚରଣ କରନ୍ତି । ଏହି ତଥ୍ୟକୁ ବିଚାର କରାଗଲେ ଆହୁରି କହିପାରିବା ଯେ ବର୍ତ୍ତମାନ ଏମାନଙ୍କ ପାଇଁ ରହିଥିବା ୧୭୦ଟି ସଂରକ୍ଷିତ ଅଞ୍ଚଳର ୪୦ ପ୍ରତିଶତ ସ୍ଥାନ ଏମାନଙ୍କ ଜୀବନଯାପନ ପାଇଁ ଯଥେଷ୍ଟ ନୁହେଁ ଓ ଏକ ହିମ କଲରାପତ୍ରିଆ ବାଘର ବିଚରଣ କ୍ଷେତ୍ରଠାରୁ ମଧ୍ୟ ଛୋଟ ।[୨୬]

ଅନ୍ୟ ବିଡ଼ାଳଜାତୀୟ ପ୍ରାଣୀଙ୍କ ପରି ହିମ କଲରାପତ୍ରିଆ ବାଘମାନେ ମୂତ୍ର ସିଞ୍ଚନ କରି ନିଜ ବିଚରଣ ପଥ ଓ କ୍ଷେତ୍ର ନିର୍ଦ୍ଧାରଣ ଓ ଚିହ୍ନଟ କରନ୍ତି । ପଛ ଗୋଡ଼ରେ ଭୂମି ଖୋଳି ସେଠାରେ ମଳମୂତ୍ର ତ୍ୟାଗ କରିବା, ଗଛ ବା ପଥର ଇତ୍ୟାଦିରେ ମୂତ୍ର ସିଞ୍ଚନ କରିବା ଏମାନଙ୍କ କ୍ଷେତ୍ର ନିର୍ଦ୍ଧାରଣ କରିବାର ପ୍ରଣାଳୀ ।[୧୬]

ହିମ କଲରାପତ୍ରିଆ ବାଘମାନେ ନିଶାଚର ବା ସାଂଧ୍ୟକାଳୀନ ଜୀବ ଓ ପାହାନ୍ତା ବା ଗୋଧୂଳି ସମୟରେ ଏମାନେ ସବୁଠାରୁ ଅଧିକ ସକ୍ରିୟ ରୁହନ୍ତି ।[୨୭] ଗୋପନରେ ବିଚରଣ କରିବା ଓ ନିଜର ଉତ୍କୃଷ୍ଟ ଛଳାବରଣ ପାଇଁ ଏମାନେ ବେଶ୍ ଜଣାଶୁଣା ।

ଶିକାର ଓ ଖାଦ୍ୟ[ସମ୍ପାଦନା]

କିର୍ଗିଜ୍‍ସ୍ତାନରେ ଏକ ମାର୍ମୋଟ୍ ଶିକାର କରିଥିବା ହିମ କଲରାପତ୍ରିଆ ବାଘ
ପ୍ୟାରିସ୍‍ ଚିଡ଼ିଆଖାନାରେ ଥିବା ଏକ ହିମ କଲରାପତ୍ରିଆ ବାଘ ଖାଉଥିବା ସମୟର ଚିତ୍ର

ମାଂସଭୋଜୀ ହିମ କଲରାପତ୍ରିଆ ବାଘ ଶିକାର କରିବାପାଇଁ ଖୁବ୍ ସକ୍ରିୟ ହୋଇ ରହିଥାଏ । ହିମ କଲରାପତ୍ରିଆ ବାଘ ଅତ୍ୟନ୍ତ ସୁବିଧାବାଦୀ ଶିକାରୀ (ଅର୍ଥାତ୍, ଯାହା ମିଳେ ତାହାର ଶିକାର କରେ, ବେଶୀ ବାଛବିଚାର କରେ ନାହିଁ) । ହିମ କଲରାପତ୍ରିଆ ବାଘ ସଢ଼ି ଆସୁଥିବା ମାଂସ ଖାଇବାକୁ ମଧ୍ୟ ପଛାଏ ନାହିଁ । ନିଜ ଓଜନର ଦୁଇରୁ ଚାରି ଗୁଣ ଅଧିକ ଓଜନର ଶିକାର ଜନ୍ତୁଙ୍କୁ ମାରିବାର କ୍ଷମତା ରଖେ । ହିମାଳୟ ନୀଳ ମେଣ୍ଢା, ହିମାଳୟ ତାଃର୍, ମର୍ଖୋର୍, ଅର୍ଗାଲି, ଘୋଡ଼ା ଓ ଓଟ ପରି ପ୍ରାଣୀମାନଙ୍କୁ ଏମାନେ ଶିକାର କରିପାରନ୍ତି ।[୨୮] ହିମ କଲରାପତ୍ରିଆ ୩୬-୭୬ କିଲୋଗ୍ରାମ୍ ଓଜନର ଜନ୍ତୁଙ୍କ ଶିକାର କରିବା ପସନ୍ଦ କରନ୍ତି । ଏମାନେ ମାର୍ମୋଟ୍, ପିକା ଓ ଭୋଲ୍ ପରି ଛୋଟ ସ୍ତନ୍ୟପାୟୀ ଜୀବଙ୍କ ଶିକାର କରିବା ମଧ୍ୟ ଦେଖାଯାଇଛି ।[୨୯]

ଏମାନଙ୍କ ଶିକାର କରିବା ଶୈଳୀ ହେଲା – ଏମାନେ ଛପିରହି ଶିକାରକୁ ଉପର ପଟରୁ ଅତର୍କିତ ଭାବେ ଆକ୍ରମଣ କରନ୍ତି । ପାର୍ବତୀୟ ପଥୁରିଆ ଭୂମିରେ, ତୁଷାରାଚ୍ଚନ୍ନ ଭୂମିରେ ଏମାନେ ଅତି ସହଜରେ ଲୁଚି ଛପି ରହିପାରନ୍ତି । ପର୍ବତର ଢାଲୁଆ ଭୂମିରେ ଏମାନେ ଶିକାରକୁ ପ୍ରାୟ ୩୦୦ ମିଟର୍ ପର୍ଯ୍ୟନ୍ତ ଗୋଡ଼ାଇ ପାରନ୍ତି । ବେକକୁ କାମୁଡ଼ି ଧରି ଶିକାର ଜନ୍ତୁର ପ୍ରାଣ ନିଅନ୍ତି ଏବଂ ଖାଇବା ପୂର୍ବରୁ ଶିକାରକୁ ଧରି କୌଣସି ଗୋପନ ଓ ସୁରକ୍ଷିତ ସ୍ଥାନକୁ ପଳାନ୍ତି । ଶିକାରର ଯାହା ବି ଖାଇହେବ ତାହା ଖାଇଯାନ୍ତି । ଗୋଟେ ଭରାଲ୍ ଛେଳି ଖାଇଲେ ହିମ କଲରାପତ୍ରିଆ ବାଘ କିଛି ନ ଖାଇ ବା ଶିକାର ନକରି ୨ ସପ୍ତାହ ପର୍ଯ୍ୟନ୍ତ ରହିଯାଇପାରେ । ଏମାନଙ୍କ ବାର୍ଷିକ ଶିକାର ଆବଶ୍ୟକତା ପ୍ରାୟ ୨୦-୩୦ଟି ନୀଳ ମେଣ୍ଢା ହେବ ବୋଲି କହିପାରିବା ।[୧][୧୬]

ହିମ କଲରାପତ୍ରିଆ ଅଣ୍ଡିରା ୟାକ୍ ବ୍ୟତୀତ ନିଜ ପରିବାସରେ ଦେଖାଯାଉଥିବା ଅନ୍ୟ ପ୍ରାୟ ସମସ୍ତ ଛୋଟବଡ଼ ଜୀବଙ୍କ ଶିକାର କରିପାରେ । ଏହା କିଛି ପତ୍ର, ଘାସ, କାଠି ଇତ୍ୟାଦି ମଧ୍ୟ ଖାଇଥାଏ ।[୧୬] ପ୍ରଣୟ ସମୟରେ ସାଥୀ ହୋଇ ରହୁଥିବା ବାଘ-ବାଘୁଣୀଙ୍କ ଯୋଡ଼ି ମିଳିମିଶି ସଫଳତାର ସହିତ ଶିକାର କରିବା ଦେଖାଯାଇଛି ।[୩୦]

ପରିବାସର ଭୌଗୋଳିକ ଗଠନ, ଉପଲଭ୍ୟ ଶିକାର ଓ ଋତୁଚକ୍ରର ପରିବର୍ତ୍ତନ ଅନୁସାରେ ହିମ କଲରାପତ୍ରିଆ ବାଘର ଶିକାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇପାରେ । ହିମାଳୟ ପର୍ବତମାଳାରେ ହିମାଳୟ ନୀଳ ମେଣ୍ଢା ଓ ସାଇବେରୀୟ ଆଇବେକ୍ସ ଏମାନଙ୍କ ପ୍ରମୁଖ ଶିକାର । କାରାକୋରମ୍, ତ୍ୟାନ୍ ଶାନ୍, ଅଲ୍‍ତାଇ ଓ ମଙ୍ଗୋଲିଆର ଟୋଷ୍ଟ ପର୍ବତାଞ୍ଚଳରେ ଏମାଙ୍କ ମୁଖ୍ୟ ଶିକାର ହେଲେ ସାଇବେରୀୟ ଆଇବେକ୍ସ, ଥୋରୋଲ୍ଡ ହରିଣ, ସାଇବେରୀୟ ରୋ ହରିଣ ଓ ଆର୍ଗାଲି ।[୨୯][୩୧] ଲାଲ୍ ପାଣ୍ଡା, ବାର୍‍ହା, ହନୁ ମାଙ୍କଡ଼, ହିମ ଗଞ୍ଜା ଓ ଚୁକାର୍ ପକ୍ଷୀ ମଧ୍ୟ ହିମ କଲରାପତ୍ରିଆ ବାଘର ଶିକାର ତାଲିକାର ଅଂଶ ।[୨୭]

କିଛି ଅଞ୍ଚଳରେ ହିମ କଲରାପତ୍ରିଆ ବାଘମାନେ ଗୃହପାଳିତ ଗୋରୁଗାଈଙ୍କ ଶିକାର କରିବା ଫଳରେ ମନୁଷ୍ୟମାନଙ୍କ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୁଏ ।[୧] ମଙ୍ଗୋଲିଆରେ ପାର୍ବତ୍ୟାଞ୍ଚଳରେ ଶିକାର କମିଯାଇଥିବାରୁ ହିମ କଲରାପତ୍ରିଆ ବାଘମାନେ ଗୃହପାଳିତ ମେଣ୍ଢାଙ୍କ ଶିକାର କରନ୍ତି । ଏହି ଅଞ୍ଚଳରେ ଗୃହପାଳିତ ଜୀବ ୨୦% ସମୟରେ ହିମ କଲରାପତ୍ରିଆର ଶିକାର ହୁଅନ୍ତି ଓ ମଣିଷଙ୍କ ସହିତ ଏମାନଙ୍କ ସାମନାସାମନି ହେବା ଏକ ଅତି ସାଧାରଣ କଥା ।[୩୧] କିଛି ମେଣ୍ଢାଚରାଳି ନିଜ ଜୀବଙ୍କ ସୁରକ୍ଷା ପାଇଁ ହିମ କଲରାପତ୍ରିଆ ବାଘଙ୍କୁ ହତ୍ୟା କରନ୍ତି ।[୧୮] ଗୃହପାଳିତ ପଶୁ ସବୁ କିଛି ଚରିଯିବାରୁ ଶିକାର ଜନ୍ତୁଙ୍କୁ ଖାଇବା ନମିଳିବା ଓ ସେମାନଙ୍କ ସଂଖ୍ୟା ହ୍ରାସ ପାଇବା, ଅବୈଧ ଶିକାର, ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ହତ୍ୟା କରିବାରୁ ଏଠାରେ ହିମ କଲରାପତ୍ରିଆଙ୍କ ସଂଖ୍ୟା କମିବାରେ ଲାଗିଛି । ହିମ କଲରାପତ୍ରିଆ ବାଘ ମନୁଷ୍ୟଙ୍କୁ ଆକ୍ରମଣ କରେନାହିଁ ଓ ବଡ଼ ବିଡ଼ାଳ ଜାତୀୟ ପ୍ରାଣୀଙ୍କ ମଧ୍ୟରେ ମନୁଷ୍ୟ ପ୍ରତି ସବୁଠାରୁ କମ୍ ଆକ୍ରାମକ ମନୋଭାବ ପୋଷଣ କରେ । ତେଣୁ ଏମାନଙ୍କୁ ଘଉଡ଼ାଇବା ସହଜ, ଘଉଡ଼ାଇଲେ ଖାଇବା ଛାଡ଼ି ପଳାନ୍ତି ଓ ଆକ୍ରମଣ କଲେ ପ୍ରତ୍ୟାକ୍ରମଣ ବା ନିଜର ପ୍ରତିରକ୍ଷା କରିପାରନ୍ତି ନାହିଁ ।[୧୬]

ପ୍ରଜନନ ଏବଂ ଜୀବନ ଚକ୍ର[ସମ୍ପାଦନା]

ଯୁକ୍ତରାଜ୍ୟର ୱେଲ୍ବିନ୍‍ସ୍ଥିତ କ୍ୟାଟ୍ ସର୍ଭାଇଭାଲ୍ ଟ୍ରଷ୍ଟରେ ରଖାଯାଇଥିବା କିଛି ହିମ କଲରାପତ୍ରିଆ ଶାବକ
ଜାପାନର ଟୋକିଓ ନଗରର ତାମା ଚିଡ଼ିଆଖାନାର ଶୈଙ୍ଗିଜ୍ ନାମକ ଏହି ହିମ କଲରାପତ୍ରିଆ ବାଘ ସର୍ବାଧିକ ବର୍ଷ ବଞ୍ଚିଥିଲା

ଅନ୍ୟ ବିଡ଼ାଳଜାତୀୟ ପ୍ରାଣୀମାନେ ବର୍ଷସାରା ପ୍ରଜନନ କରୁଥିବା ବେଳେ ହିମ କଲରାପତ୍ରିଆ ବାଘଙ୍କ କ୍ଷେତ୍ରରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ବହୁ ବାଘୁଣୀ ନିଜ ଶାବକମାନଙ୍କୁ ଜନ୍ମ ନିଅନ୍ତି । ସାଧାରଣତଃ ଗୋପନୀୟ ଜୀବନଯାପନ କରୁଥିବା ହିମ କଲରାପତ୍ରିଆ ବାଘମାନେ ମିଳନ ଋତୁରେ ନିଜ କ୍ଷେତ୍ରରେ ସ୍ଥାନେ ସ୍ଥାନେ ରାମ୍ପୁଡ଼ି ଚିହ୍ନ କରନ୍ତି ଓ ନିଜ ସାଥୀକୁ ଆକର୍ଷିତ କରିବା ପାଇଁ ବାରମ୍ବାର ଡାକ ଦିଅନ୍ତି । ବାଘୁଣୀମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୯୦-୧୦୦ ଦିନ । ଅପ୍ରେଲ୍‍ରୁ ଜୁନ୍ ମାସ ମଧ୍ୟରେ ଶାବକମାନେ ଜନ୍ମଗ୍ରହଣ କରିଥାନ୍ତି । ବାଘୁଣୀମାନଙ୍କ ମିଳନ ପ୍ରବଣତା ୫ରୁ ୮ ଦିନ ପର୍ଯ୍ୟନ୍ତ ରହିଥାଏ । ମିଳନ ଋତୁ କମ୍ ସମୟର ହୋଇଥିବାରୁ ଜଣେ ସଙ୍ଗିନୀ ସହ ମିଳନ ପରେ ହିମ କଲରାପତ୍ରିଆ ବାଘମାନେ ଆଉ ଏକ ବାଘୁଣୀ ସହ ମିଳନର ଆକାଂକ୍ଷା ରଖନ୍ତି ନାହିଁ । ମିଳନ କାଳରେ ହିମ କଲରାପତ୍ରିଆ ଯୁଗଳ ଦିନକୁ ପ୍ରାୟ ୧୨ରୁ ୩୬ ଥର ରତି କ୍ରିୟା କରିବା ଦେଖାଯାଇଛି ।[୧୬]

ହିମ କଲରାପତ୍ରିଆ ବାଘୁଣୀମାନେ ପଥୁରିଆ ଖୋପ ବା ପାର୍ବତ୍ୟ ଗୁମ୍ଫାରେ ନିଜ ଶାବକଙ୍କୁ ଜନ୍ମ ଦେଇଥାନ୍ତି । ଏମାନେ ଏକାବେଳକେ ୧ରୁ ୫ଟି ଛୁଆ ଜନ୍ମ କରିପାରନ୍ତି, ତେବେ ହାରାହାରି ଦେଖିଲେ ଏକା ବେଳରେ ୨.୨ ଶାବକ ଜନ୍ମ ହୋଇଥାନ୍ତି । ଶାବକମାନେ ଜନ୍ମ ହେବା ସମୟରେ ଦୃଷ୍ଟିହୀନ ଓ ଅସହାୟ ଅବସ୍ଥାରେ ଥାଆନ୍ତି, ସେମାନଙ୍କ ଶରୀର ମୋଟା ଲୋମରେ ଆବୃତ ହୋଇ ରହିଥାଏ ଓ ଜନ୍ମ ସମୟରେ ଶାବକମାନେ ୩୨୦-୫୬୭ ଗ୍ରାମ୍ ଓଜନବିଶିଷ୍ଟ ହୋଇଥାନ୍ତି । ପ୍ରାୟ ୭ ଦିନ ପରେ ଶାବକମାନେ ଆଖି ଖୋଲି ପାରନ୍ତି । ୫ ସପ୍ତାହ ପରେ ଶାବକମାନେ ଚଲାବୁଲା କରିବା ଆରମ୍ଭ କରନ୍ତି ଓ ୧୦ ସପ୍ତାହ ବେଳକୁ ମା' କ୍ଷୀର ଖାଇବା ବନ୍ଦ କରନ୍ତି ।[୧୬] ଜନ୍ମ ସମୟରେ ଏମାନଙ୍କ ଦେହରେ ରହିଥିବା କଳା ଦାଗ ସବୁ ବଡ଼ ହେବା ପରେ କଲରାପତ୍ରିଆ ଦାଗରେ ପରିବର୍ତ୍ତିତ ହୋଇଯାଏ ।

ଦୁଇରୁ ଚାରି ମାସ ବୟସରେ ଶାବକମାନେ ଗୁମ୍ଫା ଛାଡ଼ି ନିଜେ ବୁଲାବୁଲି କରିବା ଆରମ୍ଭ କରନ୍ତି । କିନ୍ତୁ ପ୍ରାୟ ୧୮-୨୨ ମାସ ବୟସ ପର୍ଯ୍ୟନ୍ତ ବା ସ୍ୱାବଲମ୍ବୀ ହେବା ଯାଏଁ ନିଜ ମା' ପାଖରେ ରହିଥାନ୍ତି । ମା'ଠାରୁ ଅଲଗା ହେବା ପରେ ଏମାନେ ନିଜ ମା'ର କ୍ଷେତ୍ର ଛାଡ଼ି ବହୁ ଦୂର ପର୍ଯ୍ୟନ୍ତ ଭ୍ରମଣ କରନ୍ତି ଓ ନିଜର ନୂଆ ଶିକାର କ୍ଷେତ୍ର ଠାବ କରନ୍ତି । ଏପରି ବ୍ୟବହାର ଯୋଗୁଁ ଏହି ପ୍ରାଣୀମାନଙ୍କ ମଧ୍ୟରେ ଅନ୍ତଃ-ପ୍ରଜନନର ସମ୍ଭାବନା ହ୍ରାସ ପାଇଥାଏ । ଦୁଇରୁ ତିନି ବର୍ଷ ବୟସ୍କ ହେବା ପରେ ହିମ କଲରାପତ୍ରିଆ ବାଘମାନେ ଯୌନ ପରିପକ୍ୱତା ଲାଭ କରନ୍ତି ଓ ପ୍ରାୟ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରୁହନ୍ତି; ତେବେ ଚିଡ଼ିଆଘରେ ରହୁଥିବା ହିମ କଲରାପତ୍ରିଆ ବାଘମାନେ ସର୍ବାଧିକ ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିବା ଦେଖାଯାଇଛି ।[୧୬][୩୨]

ବିପଦ[ସମ୍ପାଦନା]

ଅବୈଧ ଶିକାର, ଚମଡ଼ା ଓ ଶରୀରର ବିଭିନ୍ନ ଅଂଶର ଚୋରା ବ୍ୟବସାୟ ହିମ କଲରାପତ୍ରିଆ ବାଘମାନଙ୍କ ପାଇଁ ସବୁଠାରୁ ବଡ଼ ବିପଦ । ଅବୈଧ ଶିକାର ଯୋଗୁଁ ପ୍ରତିବର୍ଷ ଚୀନରେ ୧୦୩-୨୩୬, ମଙ୍ଗୋଲିଆରେ ୩୪-୫୩, ପାକିସ୍ତାନରେ ୨୩-୫୩, ଭାରତରେ ୨୧-୪୫ ଓ ତାଜିକିସ୍ତାନରେ ୨୦-୨୫ଟି ହିମ କଲରାପତ୍ରିଆ ବାଘ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଶିକାର ଜନ୍ତୁଙ୍କ ଅଭାବରୁ ହିମ କଲରାପତ୍ରିଆ ବାଘମାନେ ଗୃହପାଳିତ ଜୀବଙ୍କ ଶିକାର କରିବା ଯୋଗୁଁ ଲୋକେ ଏମାନଙ୍କର ଅବୈଧ ଶିକାର କରନ୍ତି ।[୩୩]

ସଂରକ୍ଷଣ[ସମ୍ପାଦନା]

ବିଶ୍ୱ ହିମ କଲରାପତ୍ରିଆ ବାଘ ମଞ୍ଚ (ଫୋରମ୍)[ସମ୍ପାଦନା]

ବିଶ୍‍କେକ୍ ଘୋଷଣା[ସମ୍ପାଦନା]

ବିଶ୍ୱ ହିମ କଲରାପତ୍ରିଆ ବାଘ ଓ ସେମାନଙ୍କ ପରିବେଶ ସଂରକ୍ଷଣ ପ୍ରକଳ୍ପ[ସମ୍ପାଦନା]

୨୦୧୫ ମସିହାକୁ ହିମ କଲରାପତ୍ରିଆ ବାଘର ବର୍ଷଭାବେ ନାମିତ କରାଯାଇଛି[ସମ୍ପାଦନା]

ବନ୍ଦୀ କରି ରଖାଯାଇଥିବା ହିମ କଲରାପତ୍ରିଆ[ସମ୍ପାଦନା]

ମନୁଷ୍ୟ ଓ ହିମ କଲରାପତ୍ରିଆ ବାଘ[ସମ୍ପାଦନା]

ଗୃହପାଳିତ ପଶୁ ଓ ମନୁଷ୍ୟଙ୍କୁ ଆକ୍ରମଣ[ସମ୍ପାଦନା]

ସଂସ୍କୃତିରେ ହିମ କଲରାପତ୍ରିଆ ବାଘ[ସମ୍ପାଦନା]

ଆଉନ୍ସ୍

ଗଣମାଧ୍ୟମରେ ହିମ କଲରାପତ୍ରିଆ ବାଘ[ସମ୍ପାଦନା]

ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରୀ)[ସମ୍ପାଦନା]

ବାସ୍ତବିକ[ସମ୍ପାଦନା]

କାଳ୍ପନିକ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ McCarthy, T., Mallon, D., Jackson, R., Zahler, P. & McCarthy, K. (2017). "Panthera uncia". The IUCN Red List of Threatened Species. IUCN. 2017: e.T22732A50664030. doi:10.2305/IUCN.UK.2017-2.RLTS.T22732A50664030.en. Retrieved 15 January 2018.CS1 maint: Multiple names: authors list (link)
  2. ୨.୦ ୨.୧ Wozencraft, W.C. (2005). "Order Carnivora". In Wilson, D.E.; Reeder, D.M. Mammal Species of the World: A Taxonomic and Geographic Reference (3rd ed.). Johns Hopkins University Press. p. 548. ISBN 978-0-8018-8221-0. OCLC 62265494.
  3. ୩.୦ ୩.୧ Nyhus, P.; McCarthy, T.; Mallon, D. (2016). Snow Leopards. Biodiversity of the World: Conservation from Genes to Landscapes. London, Oxford, Boston, New York, San Diego: Academic Press.
  4. ୪.୦ ୪.୧ McCarthy, T. M.; Chapron, G., eds. (2003). Snow Leopard Survival Strategy (PDF). Seattle, USA: International Snow Leopard Trust and Snow Leopard Network.
  5. Janecka, J. E.; Jackson, R.; Yuquang, Z.; Diqiang, L.; Munkhtsog, B.; Buckley-Beason, V.; Murphy, W. J. (2008). "Population Monitoring of Snow Leopards Using Noninvasive Genetics". Cat News. 48: 7–10.
  6. Kitchener, A. C.; Breitenmoser-Würsten, C.; Eizirik, E.; Gentry, A.; Werdelin, L.; Wilting, A.; Yamaguchi, N.; Abramov, A. V.; Christiansen, P.; Driscoll, C.; Duckworth, J. W.; Johnson, W.; Luo, S.-J.; Meijaard, E.; O’Donoghue, P.; Sanderson, J.; Seymour, K.; Bruford, M.; Groves, C.; Hoffmann, M.; Nowell, K.; Timmons, Z.; Tobe, S. (2017). "A revised taxonomy of the Felidae: The final report of the Cat Classification Task Force of the IUCN Cat Specialist Group" (PDF). Cat News (Special Issue 11).
  7. Allen, Edward A (1908). "English Doublets". Publications of the Modern Language Association of America. 23 (New Series 16): 214.
  8. Oxford English Dictionary, Oxford University Press. 1933: Ounce
  9. Liddell, H. G. & R. Scott (1940). "πάνθηρ". A Greek-English Lexicon, revised and augmented. Oxford: Clarendon Press.
  10. Monier-Williams, M. (2005). A Sanskrit-English Dictionary: Etymologically and Philologically Arranged. Motilal Baransidas Publishers. ISBN 978-81-208-3105-6.
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; johnson2006 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. ଆଧାର ଭୁଲ: ଅଚଳ <ref> ଚିହ୍ନ; werdelin2009 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  13. ଆଧାର ଭୁଲ: ଅଚଳ <ref> ଚିହ୍ନ; davis2010 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  14. ଆଧାର ଭୁଲ: ଅଚଳ <ref> ଚିହ୍ନ; mazak2011 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  15. Hemmer, H. (1972). "Uncia uncia" (PDF). Mammalian Species. 20 (20): 1–5. doi:10.2307/3503882. JSTOR 3503882. Archived from the original (PDF) on 2012-04-01.
  16. ୧୬.୦ ୧୬.୧ ୧୬.୨ ୧୬.୩ ୧୬.୪ ୧୬.୫ ୧୬.୬ ୧୬.୭ ୧୬.୮ Sunquist, M.; Sunquist, F. (2002). "Snow leopard". Wild Cats of the World. Chicago: University of Chicago Press. pp. 377–394. ISBN 0-226-77999-8.
  17. Boitani, L. (1984). Simon & Schuster's Guide to Mammals. Simon & Schuster, Touchstone Books. ISBN 978-0-671-42805-1.
  18. ୧୮.୦ ୧୮.୧ Chadwick, D. H. (2008). "Out of the Shadows". National Geographic. Retrieved 2010-01-29.
  19. ୧୯.୦ ୧୯.୧ Nowak, Ronald M. (1999). Walker's Mammals of the World. Johns Hopkins University Press. ISBN 0-8018-5789-9.
  20. Weissengruber, G. E.; Forstenpointner, G.; Peters, G.; Kübber-Heiss, A.; Fitch, W. T. (September 2002). "Hyoid apparatus and pharynx in the lion (Panthera leo), jaguar (Panthera onca), tiger (Panthera tigris), cheetah (Acinonyx jubatus) and domestic cat (Felis silvestris f. catus)". Journal of Anatomy. 201 (3): 195–209. doi:10.1046/j.1469-7580.2002.00088.x. PMC 1570911. PMID 12363272.
  21. UNESCO World Heritage Centre Nanda Devi and Valley of Flowers National Parks. Retrieved 27 November 2006.
  22. Jackson, R. (1998). "People-Wildlife Conflict Management in the Qomolangma Nature Preserve, Tibet" (PDF). In Wu Ning; D. Miller; Lhu Zhu; J. Springer. Tibet’s Biodiversity: Conservation and Management. Proceedings of a Conference, August 30 – September 4, 1998. Tibet Forestry Department and World Wide Fund for Nature. China Forestry Publishing House. pp. 40–46.
  23. UNESCO World Heritage Center. Sagarmatha National Park: Brief Description. Retrieved 27 November 2006.
  24. Ming, M.; Snow Leopard Network (2005). Camera Trapping of Snow Leopards in the Muzat Valley. Retrieved 27 November 2006.
  25. Simms, A., Moheb, Z., Salahudin, Ali, H., Ali, I. and Wood, T. (2011). "Saving threatened species in Afghanistan: snow leopards in the Wakhan Corridor". International Journal of Environmental Studies. 68: 299−312.CS1 maint: Multiple names: authors list (link)
  26. "One Snow Leopard Needs a Protected Range Bigger Than Aruba". 21 September 2016.
  27. ୨୭.୦ ୨୭.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Trust ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  28. Johansson, Ö.; McCarthy, T.; Samelius, G.; Andrén, H.; Tumursukh, L: Mishra, C., Gustaf; Andrén, Henrik; Tumursukh, Lkhagvasumberel; Mishra, Charudutt (2015). "Snow leopard predation in a livestock dominated landscape in Mongolia" (PDF). Biological Conservation. 184: 251–258. doi:10.1016/j.biocon.2015.02.003. Retrieved 25 March 2015.CS1 maint: Multiple names: authors list (link)
  29. ୨୯.୦ ୨୯.୧ Lyngdoh, S., Shrotriya, S., Goyal, S.P., Clements, H., Hayward, M.W. and Habib, B. (2014). "Prey preferences of the snow leopard (Panthera uncia): regional diet specificity holds global significance for conservation". PLoS One. 9 (2): e88349. Bibcode:2014PLoSO...988349L. doi:10.1371/journal.pone.0088349. PMC 3922817. PMID 24533080.CS1 maint: Uses authors parameter (link)
  30. Macri, A. M. & E. Patterson-Kane (2011). "Behavioural analysis of solitary versus socially housed snow leopards (Panthera uncia), with the provision of simulated social contact". Applied Animal Behaviour Science. 130 (3–4): 115–123. doi:10.1016/j.applanim.2010.12.005.
  31. ୩୧.୦ ୩୧.୧ Shehzad, W., McCarthy, T.M., Pompanon, F., Purevjav, L., Coissac, E., Riaz, T. and Taberlet, P. (2012). "Prey Preference of Snow Leopard (Panthera uncia) in South Gobi, Mongolia". PLoS ONE. 7 (2): e32104. Bibcode:2012PLoSO...732104S. doi:10.1371/journal.pone.0032104. PMC 3290533. PMID 22393381.CS1 maint: Uses authors parameter (link)
  32. The oldest snow leopard in the world, Article about Shynghyz in Tama Zoo, Tokyo
  33. Nowell, K., Li, J., Paltsyn, M. and Sharma, R.K. (2016). An Ounce of Prevention: Snow Leopard Crime Revisited. Cambridge, UK: TRAFFIC. ISBN 978-1-85850-409-4.CS1 maint: Multiple names: authors list (link)

ଆହୁରି ପଢ଼ିପାରିବେ[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]