ସରସ୍ଵତୀ

ଉଇକିପିଡ଼ିଆ ରୁ
ସରସ୍ୱତୀ
ବୀଣା, ପୁସ୍ତକ ଧାରିଣୀ ମା ସରସ୍ୱତୀ - ରାଜା ରବି ବର୍ମାଙ୍କ ଦେଇ ଅଙ୍କିତ ଛବି
ସଂସ୍କୃତ ଅନୁବାଦ ସରସ୍ୱତୀ
ଉପାଧି ଦେବୀ (ତ୍ରିଦେବୀ)
ବାସସ୍ଥାନ ବ୍ରହ୍ମଲୋକ
ମନ୍ତ୍ର ଓଁ ଐଁ ସରସ୍ୱତୈ ସ୍ୱାହା
ସାଥି ବ୍ରହ୍ମା
ବାହନ ହଂସ, ପ୍ରକାରାନ୍ତରେ ମୟୁର

ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ। ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। [୧][୨] ପଶ୍ଚିମ ଓ ମଧ୍ୟ ଭାରତର ଜୈନମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି।[୩]

ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ। ତାମିଲ ଭାଷାରେ ସେ କଲାଇମଙ୍ଗଳ (கலைமகள்), କଲାଇବାଣୀ (கலைவாணி), ବାଣୀ (வாணி)ରୂପରେ ପରିଚିତା। ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍‌ଦେବୀ ବରଦା ଇତ୍ୟାଦି।

ସରସ୍ଵତୀ ଶବ୍ଦର ମୂଳ ଅର୍ଥ ହେଲା - ସ୍ଵତଃ + ବତୀ, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସରସ୍ୱତୀ ଶବ୍ଦ ସରସ (ପ୍ରବାହ) ଓ ବତୀ(...ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ହେଉଛି ପ୍ରବହମାନା। ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ, ଦିବ୍ୟତେଜଯୁକ୍ତା, ସୁନ୍ଦରୀ, ଶୁକ୍ଳବର୍ଣ୍ଣା, ଶୁକ୍ଳ ବସ୍ତ୍ର ପରିହିତା, ଶୁକ୍ଲ ପଦ୍ମାସୀନା। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା ।

ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ଵତୀ ସମ୍ଭୁତା ୤ ମା ସରସ୍ଵତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ଵରୂପ ଆଦ୍ୟାଶକ୍ତିଙ୍କର୤ ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ଵେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ଵତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ୤ ମା ସରସ୍ଵତୀ ବାଗ୍‌ଦେବୀ ସମସ୍ତଙ୍କୁ ସଦ୍‌ବୁଦ୍ଧି ସହ ସତବଚନର ଆଶୀର୍ବାଦ ଦେଇଥାନ୍ତି । ବେଦରେ ଦେବୀମାନଙ୍କର ବନ୍ଦନାରେ ଦେବୀ ସରସ୍ଵତୀଙ୍କର ବର୍ଣ୍ଣନା ପ୍ରଥମ ଏବଂ ପ୍ରଧାନ । ଦେବୀ ସରସ୍ଵତୀ ବନ୍ଦନା


ଶୁକ୍ଳାଂ ବ୍ରହ୍ମ ବିଚାର ସାର ପରମା ଆଦ୍ୟାଂ ଜଗତ୍ ବ୍ୟାପୀନିଂ ॥

ବୀଣା ପୁସ୍ତକ ଧାରିଣୀମ୍ ଅଭୟଦାଂ ଜାଡ୍ୟାଙନ୍ଧକାରା ପହାଃ ॥

ହସ୍ତେ ସ୍ଫଟିକ ମାଳୀକାଂ ବିଦଧତୀ ପଦ୍ମାସନେ ସଂସ୍ଥିତାଂ ॥

ବନ୍ଦେତ୍ୱାଂ ପରମେଶ୍ଵରୀ ଭଗବତିଂ ବୁଦ୍ଧି ପ୍ରଦାଂ ସରାଦାଂ ॥


। ଋଗ୍ ବେଦରେ କୁହାଯାଇଛି ଯେ ସରସ୍ଵତୀ ମହାଶକ୍ତିଙ୍କର ଉତ୍ସ । ଏହି ଦେବୀ ନିରାକାର, ନିର୍ଗୁଣ, ନିର୍ମାୟା । ତାଙ୍କୁ ମାତା ଏବଂ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ କୁହାଯାଇଛି -

ଅମ୍ବି ତମେ ନଦୀ ତମେ/ଦେବୀ ତମେ ସରସ୍ଵତୀ,
ଅପ୍ରଶସ୍ତ ଇବ ସ୍ଵାମି/କ୍ରଶସ୍ତି ମମ ନିସ୍କୃତି ।
ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି, ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ହେ ଶ୍ରେଷ୍ଠ ଦେବୀ - ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ । ଏହି ଆଦ୍ୟାଶକ୍ତି - ଆଦିମାତାଙ୍କଠାରୁ ଭକ୍ତଭିକ୍ଷା କରି ଯୁଗେଯୁଗେ ଦେବତାମାନେ ଅସୁରଙ୍କ କବଳରୁ ରକ୍ଷା ପାଇଛନ୍ତି । ବ୍ରହ୍ମା ମଧୁକୈଟଭ ଜାତରୁ, ମହାଦେବ ତ୍ରିପୁରାସୁରଠାରୁ, ଇନ୍ଦ୍ର ଦୁର୍ବାସାଙ୍କ ଅଭିଶାପରୁ ରକ୍ଷା ପାଇଥିବା ବେଳେ ପ୍ରଭୁ ଶ୍ରୀରାମ ରାବଣଙ୍କ ଉପରେ ବିଜୟ ଲାଭ କରିଛନ୍ତି । କୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟଲାଭ ପାଇଁ ଦେବୀ ସରସ୍ଵତୀଙ୍କର ସ୍ତୋତ୍ରପାଠ କରାଇଥିଲେ । ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ଵତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍‌ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ଵତୀ ବୌଦ୍ଧଦେବୀ ଭାବେ ଜନାଦୃତ । ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ଵତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ଵତୀଙ୍କର ପୂଜା ରହିଥିବା ସୂଚନା ଦିଏ । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ଵତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ଵତୀ ଚତୁଃରୂପରେ ପୂଜିତା - ମହା ସରସ୍ଵତୀ, ବଜ୍ରବୀଣା ସରସ୍ଵତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ଵତୀ । ବୌଦ୍ଧ ଧର୍ମ ଉପରେ ପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ଵତୀ ରୂପେ ପରିଚିତ ହେଲେ । ବୃହଦ୍ ଦେବତା ଗ୍ରନ୍ଥରେ ଅଛି -
ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।
ସରସ୍ଵନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ଵତୀମ୍ ।
ଅର୍ଥାତ୍ ବାକ୍ ଏବଂ ପ୍ରାଣର ମାତା ଏବଂ ପୁତ୍ର ସମ୍ଵନ୍ଧ । ପ୍ରସାରଣଶୀଳ ପ୍ରାଣ(ନିଶ୍ଵାସ)ର ନାମ ସରସୂତ୍ ଏବଂ ଭାଷାର ନାମ ସରସ୍ଵତୀ । ପୁରାଣକାରମାନେ ସରସ୍ଵତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ରୂପେ ପରିକଳ୍ପନା କରିଛନ୍ତି । କଥିତ ଅଛି ବ୍ରହ୍ମା ସୃଷ୍ଟିର ଆଦ୍ୟପର୍ବରେ ବାକ୍‌ଦେବୀ ବା ସରସ୍ଵତୀଙ୍କୁ ଜନ୍ମ ଦେଲେ । ସେଇ କନ୍ୟା ମାଧ୍ୟମରେ ସେ ବିଶ୍ଵ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ । ବାକ୍ ନାମ୍ନୀ କନ୍ୟା ଅତ୍ୟନ୍ତ ସୁନ୍ଦରୀ । ସେ ନିଷ୍କାମ, କାମନାହୀନ କିନ୍ତୁ ବ୍ରହ୍ମା ତାଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇ ସ୍ଵୟମ୍ବୁ ବ୍ରହ୍ମା ତାଙ୍କୁ ଇଚ୍ଛା କରିବାରୁ ବ୍ରହ୍ମାଙ୍କର ମରୀଚି ଆଦି ପୁତ୍ରଗଣ ବ୍ରହ୍ମାଙ୍କୁ ନିନ୍ଦା କଲେ । ସରସ୍ଵତୀ ଶରୀର ତ୍ୟାଗ କଲେ । ନାନା ମୁନିଙ୍କ ନାନା ମତ । [୪] କିନ୍ତୁ ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ଵରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ । ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ଵତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ । ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ଵତୀ ଉତ୍ପନ୍ନ ହୋଇଥିଲେ ।
ଆବିର୍ଭୂତ ତତ୍‌ପଶ୍ଚାତ୍ ମୁଖତଃ
ପରମାତ୍ମନଃ, ଏକାଦେବୀ ଶୁକ୍ଳବର୍ଣ୍ଣା
ବୀଣାପୁସ୍ତକ ଧାରିଣୀ, ବାଗଧିଷ୍ଠାତୃ
ଦେବୀସାକବିନା ମିଷ୍ଟଦେବତା, ସା ଚ ଶକ୍ତିଃ
ସୃଷ୍ଟିକାଳେ ପଞ୍ଚମା ଚେଶ୍ଵରେଚ୍ଛାୟା, ରାଧାପଦ୍ମା
ଚ ସାବିତ୍ରୀ ଦୁର୍ଗାଦେବୀ ସରସ୍ଵତୀ,
ବାଗଧିଷ୍ଠାତୃ ଯା ଦେବୀ ଶାସ୍ତ୍ରଜ୍ଞାନ ପ୍ରଦାସଦା,
କୃଷ୍ଣ କଣ୍ଠୋଦ୍ଭବା ସା ଚ ଯା ଚ ଦେବୀ ସରସ୍ଵତୀ।
[୫]

ଧର୍ମ ଓ ପୂଜା[ସମ୍ପାଦନା]

ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା(ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା। ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ । ମୃତ୍ୟୁ ଉପରାନ୍ତ ଜୀବନରେ ସେ ଆତ୍ମାମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ ମୟୁରର ଡ଼ାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ। ବୌଦ୍ଧ ଧର୍ମରେ ମଧ୍ୟ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ବୁଦ୍ଧଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି। ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (Thurathadi), ଥାଇ ଭାଷାରେ ସୁରାସୱଦୀ (Surasawadee), ଜାପାନୀ ଭାଷାରେ ବେଞ୍ଜାଇତେନ ବୋଲି ପରିଚିତା। ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ ଦୁର୍ଗାଙ୍କର କନ୍ୟାବୋଲି ପୂଜା କରାଯାଏ। ସେଥିପାଇଁ ଦୁର୍ଗାପୂଜାରେ ଦୁର୍ଗାଙ୍କ ସହିତ ସରସ୍ୱତୀ, ଲକ୍ଷ୍ମୀ, ଗଣେଶକାର୍ତ୍ତିକେୟଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। [୬]

ଶ୍ରୀଦୁର୍ଗା ସପ୍ତସତୀରେ ଉଲ୍ଲେଖ ଅଛି, ଆଦ୍ୟା ଶକ୍ତି ଦୁର୍ଗା ତିନି ରୂପରେ ପ୍ରକାଶ ହୋଇ ତିନୋଟି ନବରାତ୍ରିରେ ପୂଜା ପାଆନ୍ତି । ଆଶ୍ଵୀନ ନବରାତ୍ରରେ ସ୍ଵୟଂ ମା' ଦୁର୍ଗା ପୂଜା ପାଆନ୍ତି। ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିହିତା, ବିଣା ପୁସ୍ତକ ହସ୍ତରେ ହଂସାରୁଢା । ମା' ଙ୍କର ବାହାନ ମୟୁର ବୋଲି କେତେକ ଶାସ୍ତ୍ରରେ ଉଲ୍ଲେଖ ଅଛି । ମା' ସରସ୍ଵତୀ ସତଗୁଣ ସ୍ଵରୂପା, ଆନନ୍ଦମୟ ସ୍ଵରୂପା, ବ୍ରହ୍ମାଙ୍କ ପୁତ୍ରୀ ।[୭] ମା' ଙ୍କୁ ଶବ୍ଦ ବ୍ରହ୍ମରେ ସ୍ତୁତି କଲେ ମା ପ୍ରସନ୍ନ ହୁଅନ୍ତି । ମା' ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରନ୍ତି । ମା' ସରସ୍ଵତୀ ବଗ୍ଦେବୀ, ସମସ୍ତଙ୍କୁ ସଦବୁଦ୍ଧି ସହ ସତବଚନର ଆଶିର୍ବାଦ ଦେଇଥାନ୍ତି । [୮]

ଆହୁରି ଦେଖନ୍ତୁ[ସମ୍ପାଦନା]

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Sarasvati Origine". http://sathyasaibaba.wordpress.com/2008/07/12/saraswati-hindu-goddess-of-learning-saraswati-devi. 
  2. Sunil Sehgal (1999); Encyclopaedia of Hinduism, p. 1214; Sarup & Sons, ISBN 81-7625-064-3, 9788176250641
  3. Birmingham Museum of Art (2010). Birmingham Museum of Art : guide to the collection. [Birmingham, Ala]: Birmingham Museum of Art. ପୃଷ୍ଠା. 55. ISBN 978-1-904832-77-5. http://artsbma.org. 
  4. ସମାଜ ରବିବାର, ପୃଷ୍ଠା- ୭, ୨୨- ୨୮. ୧. ୨୦୧୨
  5. ହୟଗ୍ରୀବ ତ୍ରିପାଠୀ,ଅନୁପମ ଭାରତ, ପୃଷ୍ଠା- ୫, ଶୁକ୍ରବାର ୧୫ ଫେବୃଆରୀ ୨୦୧୩
  6. Kinsley, David (1988). Hindu Goddesses: Vision of the Divine Feminine in the Hindu Religious Traditions. University of California Press. ISBN 0-520-06339-2. p. 95.
  7. http://truereligiondebate.wordpress.com/2008/03/07/hindu-god-brahma-and-his-goddess-daughter-sarasvati-where-is-the-line-drawn-between-a-god-who-has-forced-sex-with-his-own-daughter-his-own-flesh-and-blood-and-runs-lusting-for-his-own-daughter-and/
  8. http://www.saiaustin.org/balvikas/lessons/Lesson%202%20-%20Saraswathi%20Devi.pdf

ଅଧିକ ତଥ୍ୟ[ସମ୍ପାଦନା]