ମହାବିଦ୍ୟା

ଉଇକିପିଡ଼ିଆ ରୁ
ଉପରେ ବାମରୁ: କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ଵରୀ ଓ ଭୈରବୀ,
ତଳେ ବାମରୁ: ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା

ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ । ସେହି ଦଶ ମହାବିଦ୍ୟା ହେଉଛନ୍ତି - କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ଵରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା[୧] ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଉଗ୍ରା, ତଥା ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ଵରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାହୋଇଛି । ଶ୍ରୀସୁନ୍ଦରୀ ଦେବୀ ମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିଲାବେଳେ କାଳୀକୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି ।[୨]

ପୌରାଣିକ ଆଖ୍ୟାନ[ସମ୍ପାଦନା]

ଧର୍ମ, ଅର୍ଥ, କାମ ଓ ମୋକ୍ଷଦାତ୍ରୀ, ପାପହାରିଣୀ ମା’କାଳିକେ, ସୃଷ୍ଟିର ସକଳ ବସ୍ତୁରେ ଶକ୍ତିରୂପରେ ପ୍ରତିଷ୍ଠିତ I ଦୁର୍ଗମ ଓ ଦୁରାଚାରକୁ ବିନାଶ କରୁଥିବାରୁ ସେ ଦୁର୍ଗା ନାମରେ ବିଦିତ I ଭିନ୍ନ ଭିନ୍ନ କାଳରେ ଭିନ୍ନ ଭିନ୍ନ ରୂପରେ ଜଗତଜନଙ୍କୁ ବିପଦରୁ ରକ୍ଷା କରି ସେ ମା’ ନାମକୁ ସାର୍ଥକ କରିଛନ୍ତି I ଶସ୍ୟ ପାଳନକାରିଣୀ ଭାବେ ସେ ସର୍ବପ୍ରଥମେ ଶାକମ୍ବରୀ ନାମରେ ପୂଜିତା ହେଲେ I କିଛିକାଳ ଅନ୍ତେ ଦୁଃଖ ଓ ଦୁର୍ଗତି ନାଶକାରିଣୀ ଦେବୀ ଭାବେ ପର୍ବତ ବାସିନୀ ସିଂହବାହିନୀ ପାର୍ବତୀ ବା ଉମା ଭାବରେ ବି ପୂଜା ପାଇଲେ I କିନ୍ତୁ କିଛିକାଳ ପରେ ମଣିଷ ଦୁଇଟିଯାକ ଶକ୍ତିକୁ ଏକ ଭାବି ତାଙ୍କୁ ଶାକମ୍ବରୀ, ଉମା, ପାର୍ବତୀ, କାତ୍ୟାୟନୀ ପୁଣି ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ଭାବେ ପୂଜାର୍ଚ୍ଚନା ଆରମ୍ଭ କଲା I

ସେଇ ଏକା ଶକ୍ତି ହିଁ ଭୋଗର ଭବାନୀ, ପୌରୁଷରେ ଲକ୍ଷ୍ମୀ, ସମରେ ଦୁର୍ଗା ଏବଂ ଧ୍ୱଂସରେ କାଳୀ ସାଜନ୍ତି, ସୃଷ୍ଟି ସ୍ଥିତି ଏବଂ ବିଲୟ ପାଇଁ ମହାସରସ୍ୱତୀ, ମହାଲକ୍ଷ୍ମୀ ଏବଂ ମହାକାଳୀ ରୂପ ଧାରଣ କରନ୍ତି I ସେ ଏକ ହେଲେ ବି ଅନେକ ଭାବରେ ପ୍ରତିଷ୍ଠିତ ହୋଇଛନ୍ତି I କେତେ ବେଳେ ପ୍ରକୃତିର ପଞ୍ଚଧାରାରେ, ଶକ୍ତିର ଷଷ୍ଠ ରୁପରେ, ଅଷ୍ଟ ମାତୃକା, ନବଦୁର୍ଗା, ଦଶ ମହାବିଦ୍ୟା ରୂପରେ ତ କେତେବେଳେ ଏକାବନ ଆଦିପୀଠରେ ବା ଚଉଷଠି ଯୋଗିନୀ ରୂପରେ ଏବଂ ଶତଶତ ଯୋଗିନୀ ରୂପରେ ପ୍ରତିଷ୍ଠିତ ହୋଇଛନ୍ତି I

ମା’ ଯେତେବେଳେ ଦକ୍ଷ ପ୍ରଜାପତିଙ୍କ ପ୍ରଥମ କନ୍ୟାଭାବେ ସତୀରୂପରେ ଜନ୍ମଗ୍ରହଣ କରିଥିଲେ, ସେ ପିତାମାତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବଙ୍କୁ ହିଁ ସ୍ୱାମୀ ରୂପରେ ସ୍ୱୀକାର କରିଥିଲେ I ଦକ୍ଷ ପ୍ରଜାପତି ବାଧ୍ୟ ହୋଇ ସତୀଙ୍କୁ ଶିବଙ୍କ ସହ ବିବାହ ଦେଲେ ସିନା, ସବୁଦିନ ପାଇଁ ତାଙ୍କ ମନରେ ଶିବ ଓ ସତୀଙ୍କ ପ୍ରତି ହେୟ ମନୋଭାବ ତିଷ୍ଠି ରହିଲା I ଶିବଙ୍କ ବେଶ ପୋଷାକ, ଗଳାର ମୁଣ୍ଡମାଳ, ମୁଣ୍ଡର ଜଟା ଓ ସର୍ପ ଏବଂ ଭସ୍ମ ବିଲେପିତ ଶରୀରକୁ ଦେଖି ସେ ସର୍ବଦା ବିରକ୍ତ ହୁଅନ୍ତି I ଥରେ ଦକ୍ଷପ୍ରଜାପତି ଏକ ମହାଯଜ୍ଞର ଆୟୋଜନ କରି ବ୍ରହ୍ମା, ବିଷ୍ଣୁଙ୍କ ସମେତ ସମସ୍ତ ଦେବାଦେବୀ, ଯକ୍ଷ, କିନ୍ନର, ଦିଗପାଳ, ବନ୍ଧୁ ପରିଜନ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଶିବ ଓ ସତୀଙ୍କୁ ନିମନ୍ତ୍ରଣ କଲେନାହିଁ I ଏହା ଶୁଣି ସତୀ ଦୁଃଖିତା ହେଲେ I ପିତ୍ରାଳୟରେ ଉତ୍ସବ ଚାଲିଛି, ସଭିଏଁ ଆସିଛନ୍ତି ଅଥଚ ସେ ନିଜ ଘରେ ଏକକୀ, ଏହା ଭାବି ସେ ଅଧିକ ବାଧିତା ହେଲେ I ସେ ଶିବଙ୍କୁ ଅନୁରୋଧ କରି ପିତ୍ରାଳୟକୁ ଯିବାକୁ ପ୍ରସ୍ତାବ ଦେଲେ I ମାତ୍ର ଯେ ସ୍ୱୟଂ ଶିବ, ଦେବଦେବ ମହାଦେବ, ଯାହାଙ୍କ କୋପକୁ ବ୍ରହ୍ମା, ବିଷ୍ଣୁ ବି ଡରନ୍ତି, ସେ ବିନା ନିମନ୍ତ୍ରଣରେ ଯିବା ପାଇଁ ରାଜି ହୁଏନ୍ତେ କିପରି ? ଉପାୟ ନ ପାଇ ଶେଷରେ ସତୀ ଅନ୍ତତଃ ତାଙ୍କୁ ଯିବାକୁ ଅନୁମତି ଦେବା ପାଇଁ ଅନୁରୋଧ କଲେ, କାରଣ ପିତ୍ରାଳୟକୁ ଯିବା ପାଇଁ କନ୍ୟାର ନିମନ୍ତ୍ରଣ ଆବଶ୍ୟକ ନାହିଁ ବୋଲି ଯୁକ୍ତି କଲେ I ତଥାପି ଶିବ ପ୍ରତ୍ୟାଖ୍ୟାନ କରନ୍ତେ ସତୀଙ୍କର ଜିଦ୍ ବଢିଲା I ସତୀ ଶିବଙ୍କୁ ପ୍ରଭାବିତ କରିବା ପାଇଁ ଶିବଙ୍କ ଚାରିପାଖେ ବୁଲି ବୁଲି ଦଶବିଧ ରୂପ ପ୍ରକଟିତ କରିଥିଲେ I ସେଇ ଦଶରୂପ ପରବର୍ତ୍ତୀ କାଳରେ ଦଶମହାବିଦ୍ୟା ନାମରେ ନାମିତ ହେଲା I

କାଳୀ, ତାରା, ମହାବିଦ୍ୟା, ଷୋଡଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତାଚ ବିଦ୍ୟା ଧୂମାବତୀ ତଥା, ବଗଳା ସିଦ୍ଧବିଦ୍ୟାଚ ମାତଙ୍ଗୀ, କମଳାତ୍ମିକା,ଏତାଦଶ ମହାବିଦ୍ୟା ସିଦ୍ଧ ବିଦ୍ୟା ନମୋନମଃ । (ଚାମୁଣ୍ଡା ମନ୍ତ୍ର ) ଶେଷରେ ଶିବ ବିରକ୍ତରେ ଅନୁମତି ଦେଇଥିଲେ I ଏହି ଦଶମହାବିଦ୍ୟାକୁ ବିଭିନ୍ନ ପୁରାଣ ବିଭିନ୍ନ ଭାବରେ ବର୍ଣ୍ଣନା କରିଛି I ତୋଡଳତନ୍ତ୍ରରେ ଏହି ଦଶମହାବିଦ୍ୟା, ଶ୍ରୀ ବିଷ୍ଣୁଙ୍କର ଦଶବତାର ପ୍ରତୀକାତ୍ମକ ରୂପ ବର୍ଣ୍ଣନା କରାଯାଇଛି I କାଳୀଙ୍କୁ କୃଷ୍ଣ, ତାରାଙ୍କୁ ମତ୍ସ୍ୟ, ଷୋଡଶୀଙ୍କୁ ପର୍ଶୁରାମ, ଭୁବନେଶ୍ୱରୀଙ୍କୁ ବାମନ, ଭୈରବୀଙ୍କୁ ବଳରାମ, ଛିନ୍ନମସ୍ତାଙ୍କୁ ନୃସିଂହ, ଧୂମାବତୀଙ୍କୁ ବରାହ, ବଗଳାଙ୍କୁ କୁର୍ମ, ମାତଙ୍ଗୀଙ୍କୁ ରାମ ଏବଂ କମଳାଙ୍କୁ ବୁଦ୍ଧ ଭାବରେ ପ୍ରତିପାଦିତ କରାଯାଇଛି I ବିଦ୍ୟାର ଅର୍ଥ ଜ୍ଞାନ, ସତୀଙ୍କ ପ୍ରତ୍ୟେକ ରୂପ ଜନମାନସରେ କିଛି କିଛି ଜ୍ଞାନ ସଂଚରଣ କରୁଥିବାରୁ ଏହିସବୁ ବିଦ୍ୟାମାନଙ୍କୁ ମହାବିଦ୍ୟା ବା ମହାଜ୍ଞାନ ରୂପରେ ପୂଜାକରାଯାଏ I

ଏହିପରି ଉର୍ଦ୍ଧ୍ୱରେ କରାଳବଦନା କାଳୀ, ସମ୍ମୁଖରେ ଲୋକଜିହ୍ନା ତାରା, ଐଶାନ୍ୟ କୋଣରେ ତ୍ରିପୁରାସୁନ୍ଦରୀ ଷୋଡଶୀ, ବାମରେ ତ୍ରିଭୁବନବ୍ୟାପିନୀ ଭୁବନେଶ୍ୱରୀ, ନିମ୍ନରେ ମୁକ୍ତକେଶା ଭୈରବୀ, ଦକ୍ଷିଣରେ ପ୍ରଚଣ୍ଡଚଣ୍ଡୀ ସ୍ୱରୂପା ଛିନ୍ନମସ୍ତା, ଅଗ୍ନିକୋଣରେ ଧୂମପୂର୍ଣ୍ଣା ଧୂମାବତୀ, ପଛରେ ସଂହାରକାରିଣୀ ବଗଳା, ବାୟବ୍ୟ କୋଣରେ ଅର୍ଦ୍ଧଚନ୍ଦ୍ର ଧାରିଣୀ ମାତଙ୍ଗୀ ଏବଂ ନୈଋତ କୋଣରେ ଶ୍ରୀବୃଦ୍ଧିକାରିଣୀ କମଳା- ଏହିପରି ଦଶବିଧ ରୂପ ପ୍ରଦର୍ଶନ କରି ସତୀ ଶିବଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ I ସେଇ ଦଶରୂପ ଦଶ ମହାବିଦ୍ୟା ରୂପରେ ସର୍ବଦା ପୂଜାପାଇ ଆସୁଛି I[୩]


  1. ପ୍ରଥମ ମହାଶକ୍ତି ବା ମହାବିଦ୍ୟା କାଳୀଙ୍କ ରୂପକୁ ଉପନିଷଦରେ ଜ୍ଵଳନ୍ତ ଅଗ୍ନି ବୋଲି ବର୍ଣ୍ଣନା କରାଯାଇଛି । ଉପନିଷଦରେ ମଧ୍ୟରେ କାଳୀ ପ୍ରଥମ ମାତା ରୂପେ କଥିତ।ଶକ୍ତିସଂଗମ ତନ୍ତ୍ରରେ କାଳୀ ଶ୍ରେଷ୍ଠ ମହାବିଦ୍ୟା ବା ବିଦ୍ୟାରାଜ୍ଞୀ । କାଳୀଙ୍କ ଉପାସନା କଲେ କଳିକାଳରେ ଶୀଘ୍ର ଫଳ ପ୍ରାପ୍ତି ଯଥା- ଧନଲାଭ, ଶକ୍ତିଲାଭ, କ୍ଷମତାପ୍ରାପ୍ତି ଓ ଶତ୍ରୁଜୟ ହୋଇଥାଏ । ଏହାଙ୍କ ସହିତ ମହାକାଳ ରୂପୀ ଶିବ ଙ୍କ ଆରାଧନା କରାହୁଏ । କାଳୀ ଉପାସନା ଫଳ ରେ ଜୀବନ୍ମୁକ୍ତି ଲାଭ ହୁଏ ।
  2. ଦ୍ଵିତୀୟା ମହାବିଦ୍ୟା ତାରା ବା ତାରିଣୀ ଅନେକ ଜନ୍ମର କର୍ମଫଳ ଜନିତ ଦୁଃଖଦୁର୍ଦ୍ଦଶା ଦୂର କରିଥାନ୍ତି । ଏହାଙ୍କୁ ନୀଳସରସ୍ଵତୀ ବା ନୀଳତାରା ମଧ୍ୟ କୁହାଯାଏ । ତାରାଦେବୀଙ୍କ ଆରାଧନା କଲେ ଭବସିନ୍ଧୁ ପାରିହେବା ସହଜ ହୁଏ । ତାରା ଘୋର ରୂପିଣୀ, ନୀଳବର୍ଣ୍ଣା । ସେ ନବୀନ ଯୁବତୀ, ଲୋଳଜିହ୍ଵା ଓ ଚତୁର୍ଭୁଜା, ନୀଳପଦ୍ମ, ଖଡ୍ଗ, କଈଞ୍ଚି ତଥା ବରଦ ମୁଦ୍ରା ଧାରଣ କରିଛନ୍ତି । ତାଙ୍କ ଶରୀରର ବର୍ଣ୍ଣ ନୀଳ, ତିନି ଚକ୍ଷୁ ଉଦିତ ସୂର୍ଯ୍ୟ ଭଳି ଅରୁଣ ବର୍ଣ୍ଣ । ତାରାଙ୍କୁ ପୂଜା କଲେ କବିତ୍ଵ, ପାଣ୍ଡିତ୍ୟ ପ୍ରାପ୍ତି, ବ୍ରହ୍ମଜ୍ଞାନ ପ୍ରାପ୍ତି ତଥା ବିପଦରୁ ରକ୍ଷା ମିଳେ। ତାଙ୍କ ସହ ଶିବ ଅକ୍ଷୋଭ୍ୟ ରୂପେ ପୂଜିତ।[୪]
  3. ତୃତୀୟ ମହାବିଦ୍ୟା ଷୋଡ଼ଶୀଙ୍କୁ ତନ୍ତ୍ରଶାସ୍ତ୍ରରେ ଶ୍ରୀବିଦ୍ୟା, ତ୍ରିପୁରସୁନ୍ଦରୀ, ଲଳିତା, ରାଜରାଜେଶ୍ଵରୀ, ପରାଭଟ୍ଟାରିକା ଆଦି ଆଖ୍ୟା ଦିଆଯାଇଛି।ସେ ମଧ୍ୟ ଚତୁର୍ଭୁଜା, ଅରୁଣବର୍ଣ୍ଣା, ପରମଶିବଙ୍କ ଉପରେ ଅସୀନା ଓ ସର୍ବଦା ଷୋଳବର୍ଷ ବୟସୀ । ହାତରେ ଅଛି ପାଶ, ତୀର, ଅଙ୍କୁଶ ଓ ଧନୁ । ତ୍ରିପୁରସୁନ୍ଦରୀ ଷୋଡ଼ଶୀଙ୍କ ଉପାସନା ମୁଖ୍ୟତଃ ଶଙ୍କରାଚାର୍ଯ୍ୟଙ୍କ ପୀଠ ମାନଙ୍କରେ ହୋଇଥାଏ । ଏହାଙ୍କର କାଦି, ହାଦି, ସାଦି ଆଦି ପରମ୍ପରା ପ୍ରଚଳିତ । ଷୋଡ଼ଶୀ ସିଦ୍ଧିଦାୟିନୀ, ଆତ୍ମଜ୍ଞାନ ଦାୟିନୀ ସମସ୍ତ କାମନା ପୂର୍ଣକାରିଣୀ, ସର୍ବଜନବଶକାରିଣୀ । ତ୍ରିପୁରସୁନ୍ଦରୀଙ୍କ ସହିତ ଶିବ କାମେଶ୍ଵର ରୂପେ ଆରାଧିତ ।
  4. ଚତୁର୍ଥ ମହାବିଦ୍ୟା ଭୁବନେଶ୍ଵରୀ ସର୍ବଦା ହାସ୍ୟମୁଖୀ ଓ ମଧ୍ୟାହ୍ନ ସୂର୍ଯ୍ୟଙ୍କ ଆଭା ସଦୃଶ । ଏହାଙ୍କ ନିବାସସ୍ଥାନ ମଣିଦ୍ଵୀପ । ସମସ୍ତ ମହାବିଦ୍ୟାଙ୍କର ହୃଦୟ ସ୍ଵରୂପିଣୀ ହୋଇଥିବାରୁ ଏହାଙ୍କୁ ହୃଲ୍ଲେଖା ମଧ୍ୟ କୁହାଯାଏ । ଭୁବନେଶ୍ଵରୀଙ୍କ ହସ୍ତରେ ଅଛି ବରମୁଦ୍ରା, ଅଭୟମୁଦ୍ରା, ପାଶ ଓ ଅଙ୍କୁଶ । ସେ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି ଏବଂ ଯଶକାମୀ, ରାଜ୍ୟକାମୀ ତାଙ୍କୁ ଆରାଧନା କଲେ ସଫଳକାମ ହୋଇଥାନ୍ତି । ରୁଗ୍ଣ ବ୍ୟକ୍ତି ତାଙ୍କ କୃପା ବଳରେ ନିରୋଗ ହୋଇଥାନ୍ତି । ସନ୍ତାନ ପ୍ରାପ୍ତି, ପରମଶାନ୍ତି ଲାଭ, ମୋକ୍ଷପ୍ରାପ୍ତି ନିମନ୍ତେ ତାଙ୍କ ଆରାଧନା କରଯାଏ । ଭୁବନେଶ୍ଵରୀଙ୍କ ସହ ତ୍ର୍ୟମ୍ବକ/ ଭୁବନେଶ୍ଵର ରୂପୀ ଶିବଙ୍କ ପୂଜା କରାହୁଏ ।
  5. ପଞ୍ଚମ ମହାବିଦ୍ୟା ଭୈରବୀଙ୍କ ଅନ୍ୟନାମ ତ୍ରିପୁର ଭୈରବୀ । ଭୈରବୀଙ୍କ ଅଙ୍ଗକାନ୍ତି ସହସ୍ର ଉଦିତ ସୂର୍ଯ୍ୟ ଭଳି । ତାଙ୍କ ଗଳାଦେଶରେ ନରମୁଣ୍ଡମାଳ ରହିଛି । ଭୈରବୀଙ୍କର ଚୈତନ୍ୟଭୈରବୀ, ସମ୍ପତ୍ ପ୍ରଦା, କୌଳେଶ୍ଵରୀ, ଷଟ୍କୂଟା, ରୁଦ୍ର, ଅନ୍ନଦା, ଭୁବନା, ବାଳା ଆଦି ଅନେକ ରୂପ ରହିଛି । ଚାରିହସ୍ତରେ ରହିଛି ଅଭୟ, ବରମୁଦ୍ରା, ଜପମାଳା ଓ ପୁସ୍ତକ, ମସ୍ତକରେ ରତ୍ନ ମୁକୁଟ । ସେ ମୃଦୁହାସ୍ୟଯୁକ୍ତା ଓ ତାଙ୍କ ଓଷ୍ଠ ରକ୍ତିମ । ସେ ବାକ୍ ସିଦ୍ଧି, ମାନସିକ ଶାନ୍ତି ଆଦି ପ୍ରଦାନ କରିଥାନ୍ତି । ଏହାଙ୍କ ଭୈରବ ବା ଶିବ ହେଲେ ଦକ୍ଷିଣାମୂର୍ତ୍ତି ।
  6. ଷଷ୍ଠ ମହାବିଦ୍ୟା ଛିନ୍ନମସ୍ତା ଦଶମହାବିଦ୍ୟା ମଧ୍ୟରେ ସବୁଠାରୁ ପ୍ରଚଣ୍ଡ ମୂର୍ତ୍ତି ଧାରଣ କରିଛନ୍ତି ତେଣୁ ତାଙ୍କୁ ପ୍ରଚଣ୍ଡଚଣ୍ଡୀ ମଧ୍ୟ କୁହାଯାଏ । ନିଜ ଛିନ୍ନ ଗଳଦେଶରୁ ନିର୍ଗତ ରୁଧିର ଧାର ପାନ କରିବାରେ ଛିନ୍ନମସ୍ତା ସର୍ବଦା ପ୍ରମତ୍ତ । ଛିନ୍ନମସ୍ତାଙ୍କ ଦୁଇ ପାର୍ଶ୍ଵରେ ଅଛନ୍ତି ବର୍ଣ୍ଣିନୀ ଓ ଡାକିନୀ । ସେ ଦୁହେଁ ମଧ୍ୟ ଛିନ୍ନମସ୍ତାଙ୍କ ରୁଧିର ପାନ କରିଥାନ୍ତି । ଛିନ୍ନମସ୍ତାଙ୍କ ଅନ୍ୟନାମ ବୈରୋଚନୀ, ସେ ସମସ୍ତ ଶତୃ ସଂହାର କାରିଣୀ, ଯୋଗସିଦ୍ଧିଦାୟିନୀ, ସମସ୍ତ ଦୁର୍ଭାଗ୍ୟ ନାଶକାରିଣୀ । ଏହାଙ୍କ ଶିବ ହେଲେ କବନ୍ଧ ।
  7. ସପ୍ତମ ମହାବିଦ୍ୟା ଧୂମାବତୀ ଦୀର୍ଘାଙ୍ଗୀ, ମଳିନବସ୍ତ୍ର ପରିହିତା ତଥା ବିଧବାରୂପ ଧାରିଣୀ, ତେଣୁ ସେ ଶିବଙ୍କ ବିନା ପୂଜିତା । ତାଙ୍କର ଗୋଟିଏ ହସ୍ତରେ ଅଛି କୁଲା, ଅନ୍ୟ ହସ୍ତରେ ବରମୁଦ୍ରା । ସେ ଦୁଃଖହାରିଣୀ, ବାଦବିବାଦରୁ ମୁକ୍ତିଦାୟିନୀ ଏବଂ ମୋକ୍ଷଦାୟିନୀ ।
  8. ଅଷ୍ଟମ ମହାବିଦ୍ୟା ବଗଳାମୁଖୀଙ୍କ ଠାରେ କାଳୀ, ତାରା, ଷୋଡ଼ଶୀଙ୍କ ଶକ୍ତି ଏକୀଭୁତ ହୋଇଛି । ସେ ହଳଦୀବର୍ଣ୍ଣ ବସ୍ତ୍ର ପରିଧାନ କରନ୍ତି । ସ୍ଵର୍ଣ୍ଣସିଂହାସନରେ ଉପନିବେଶ କରିଥାନ୍ତି । ତାଙ୍କର ଗୋଟିଏ ହସ୍ତରେ ଅଛି ମୁଦ୍ଗର, ଅନ୍ୟ ହସ୍ତରେ ଶତ୍ରୁର ଜିହ୍ଵା । ବଗଳାମୁଖୀ ଆଶୁ ଫଳ ପ୍ରଦାନ କରନ୍ତି, ସାଧନାମାର୍ଗର ବାଧା ଦୂର କରନ୍ତି ଏବଂ ସମସ୍ତ ଶତୃଙ୍କ ବାକ୍ ସ୍ତମ୍ଭନ କରିଥାନ୍ତି । ବଗଳାଙ୍କ ଶିବ ହେଲେ ମହାରୁଦ୍ର ବା ମୃତ୍ୟୁଞ୍ଜୟ।[୫]
  9. ନବମ ମହାବିଦ୍ୟା ମାତଙ୍ଗୀଙ୍କ ଶରୀରର ବର୍ଣ୍ଣ ଶ୍ୟାମ ବା ସବୁଜ । ଚାରି ହସ୍ତରେ ପାଶ, ଅଙ୍କୁଶ, ଖଡ୍ଗ ଓ ଖେଟକ । ସେ ବୀଣା, ବେଣୁ, ମୃଦଙ୍ଗ ଆଦି ବାଦ୍ୟପ୍ରିୟା ତଥା ତାଙ୍କ ଚତୁଃପାର୍ଶ୍ଵରେ ଶୁକପକ୍ଷୀମାନେ ବିଚରଣ କରୁଥାନ୍ତି। ସେ ରତ୍ନସିଂହାସନରେ ଉପନିବେଶ କରନ୍ତି।ମାତଙ୍ଗୀ ସୂର୍ଯ୍ୟଙ୍କ ଇଷ୍ଟଦେବୀ । ସେ ଜ୍ଞାନଦାୟିନୀ, ତଥା ଶବ୍ଦ ଓ ସଙ୍ଗୀତ ଶାସ୍ତ୍ରରେ ସିଦ୍ଧିଦାୟିନୀ । ମାତଙ୍ଗୀଙ୍କ ଶିବ ମତଙ୍ଗ ରୂପେ ପୂଜିତ ।
  10. ଦଶମ ମହାବିଦ୍ୟା କମଳା ହେଉଛନ୍ତି ମହାଲକ୍ଷ୍ମୀ । କେତେକ ତନ୍ତ୍ରଶାସ୍ତ୍ରରେ କମଳା ବା କମଳାତ୍ମିକାଙ୍କୁ ପ୍ରଧାନ ମହାଶକ୍ତି ରୂପେ ବର୍ଣ୍ଣନା କରାଯାଇଛି । କମଳାଙ୍କ ଉପାସନା କଲେ ସାଧକ ଧନଧାନ୍ୟ ଗୋପ ଲକ୍ଷ୍ମୀରେ ଭୋଗୀ ହୋଇଥାନ୍ତି । କମଳାଙ୍କ ଅଙ୍ଗକାନ୍ତି ସୁନା ଭଳି । ୪ଟି ହାତୀ ତାଙ୍କୁ ସ୍ଵର୍ଣ୍ଣକୁମ୍ଭ ସାହାଯ୍ୟରେ ଅଭିଷେକ କରୁଛନ୍ତି । ତାଙ୍କ ହସ୍ତରେ ଅଛି ଓ ଅଭୟମୁଦ୍ରା, ଦୁଇଟି ପଦ୍ମ । ସେ ନିଜେ ପଦ୍ମ ଉପରେ ବିରାଜମାନ କରିଥାନ୍ତି । ଏହାଙ୍କ ଶିବଙ୍କ ନାମ ମହାବିଷ୍ଣୁ ବା ନାରାୟଣ ।[୬],[୭]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]