ପୃଥିବୀ

ଉଇକିପିଡ଼ିଆ ରୁ
ପୃଥିବୀ Earth symbol.svg
The Earth seen from Apollo 17.jpg
ନାମ
ଅଲଗା ନାମ ନୀଳ ଗ୍ରହ,[୧]ସଂସାର,[୨] ବିଶ୍ୱ, ଧରିତ୍ରୀ
ପରିକ୍ରମଣ ତଥ୍ୟ
Epoch J2000.0
Aphelion 152,097,701 km
1.0167103335 AU[୩]
Perihelion 147,098,074 km
0.9832898912 AU[୩]
Semi-major axis 149,597,887.5 km
1.0000001124 AU[୩]
Eccentricity 0.016710219[୪]
Orbital period 365.256366 days
1.0000175 yr[୩]
Average orbital speed 29.783 km/s
107,218 km/h[୩]
Inclination 1°34'43.3"
to Invariable plane[୫]
ଭୌତିକ ଗୁଣ
ହାରାହାରି ବ୍ୟାସାର୍ଦ୍ଧ 6,378.1 km (equatorial), 6,356.8 km (polar)
ପୃଷ୍ଠତଳର କ୍ଷେତ୍ର 510,072,000 km²
ଆୟତନ 1.08321 × 10¹² km³
ବସ୍ତୁତ୍ୱ 5.9736 × 1024 kg
ହାରାହାରି ସାନ୍ଦ୍ରତା 5.515 g/cm³
Equatorial surface gravity 0.99732 g
ପଳାୟନ ବେଗ 11.186 km/s
Temperature 14 °C

ପୃଥିବୀ ହେଉଛି, ସୌରମଣ୍ଡଳର ତୃତୀୟ ଗ୍ରହ । ସୌରମଣ୍ଡଳର ଚାରୋଟି କଠିନ ଗ୍ରହ ମଧ୍ୟରୁ ଏହା ଗୋଟିଏ । ଅର୍ଥାତ୍‌ ଏହାର ଅଧିକାଂଶ ହେଉଛି କଠିନ । ଅନ୍ୟ ତିନୋଟି ହେଉଛି ବୁଧ, ଶୁକ୍ର ଓ ମଙ୍ଗଳ ।

ମାନବ ସମେତ ଲକ୍ଷାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଘର ହେଉଛି ପୃଥିବୀ । ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ଜୀବନ ଅଛି । ପୃଥିବୀ ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା । ପୃଥିବୀର ଜୀବମାନେ ଗ୍ରହକୁ ଅନେକାଂଶରେ ପ୍ରଭାବିତ କରନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ପୂର୍ବରୁ ଜୀବମାନେ ବାୟୁମଣ୍ଡଳକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେଇଥିଲେ । ସମସ୍ତ ଜୀବଙ୍କୁ ନେଇ ଜୀବମଣ୍ଡଳ ଗଠିତ ।

ପୃଥିବୀର ପ୍ରାୟ ୭୧% ଲୁଣିଆ ମହାସାଗର ଦ୍ୱାରା ଆଚ୍ଛାଦିତ । ବର୍ତ୍ତମାନ କେବଳ ପୃଥିବୀରେ ତରଳ ଜଳ ଥିବାର ଜଣାଯାଇଛି ।

ବାକି ୨୯% ହେଉଛି ମହାଦେଶ ଓ ଦ୍ୱୀପ । ପୃଥିବୀ ସୌରମଣ୍ଡଳର ଅନ୍ୟ ବସ୍ତୁ, ମୁଖ୍ୟତଃ ସୂର୍ଯ୍ୟ ଓ ଚନ୍ଦ୍ର ଦ୍ୱାରା ପ୍ରଭାବିତ ହୁଏ । ପୃଥିବୀ ସୂର୍ଯ୍ୟକୁ ପ୍ରାୟ ୩୬୫.୨୫ ଦିନରେ ପରିକ୍ରମା କରେ । ପୃଥିବୀର ଗୋଟିଏ ଆବର୍ତ୍ତନକୁ ଗୋଟିଏ ଦିନ ଓ ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମଣକୁ ବର୍ଷ କୁହାଯାଏ । ସେଥିପାଇଁ ଗୋଟିଏ ବର୍ଷ ୩୬୫ ଦିନ ଅଟେ । ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର ।

ଇତିହାସ[ସମ୍ପାଦନା]

ପୃଥିବୀ ଓ ଅନ୍ୟ ଗ୍ରହମାନେ ପ୍ରାୟ ୪.୬ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲେ । ସୂର୍ଯ୍ୟକୁ ସୃଷ୍ଟି କରିଥିବା ନିହାରିକାର ବଳକା ଗ୍ୟାସ୍‌ରୁ ଗ୍ରହମାନେ ସୃଷ୍ଟି ହୋଇଥିଲେ । ଚନ୍ଦ୍ର ସମ୍ଭବତଃ ପୃଥିବୀ ସହ ଅନ୍ୟ ଏକ ଛୋଟ ଗ୍ରହର ସଂଘର୍ଷରୁ ସୃଷ୍ଟି ହୋଇଥିଲା । ଉଭୟ ଗ୍ରହର ଭଗ୍ନାଂଶରୁ ଚନ୍ଦ୍ରର ସୃଷ୍ଟି ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ ।

ଧୂମକେତୁ, ଗ୍ରହାଣୁମାନଙ୍କ ଆଘାତ ଓ ଜଳ ଘନିଭୂତ ହେବାରୁ ମହାସାଗର ତିଆରି ହେଲା । ପୃଥିବୀ ସୃଷ୍ଟିର ୧ ଅର୍ବୁଦ ବର୍ଷ ପରେ ଅର୍ଥାତ୍‌ ପ୍ରାୟ ୩.୬ ଅର୍ବୁଦ ବର୍ଷ ପୂର୍ବେ ପ୍ରଥମ ଜୀବ ସୃଷ୍ଟି ହେଲା । କିଛି ବୀଜାଣୁ ସୂର୍ଯ୍ୟରଶ୍ମୀ ଓ ଜଳରୁ ଆଲୋକଶ୍ଳେଷଣ ମାଧ୍ୟମରେ ଖାଦ୍ୟ ତିଆରି କଲେ । ଏହି ପ୍ରକ୍ରିୟାରେ ନିର୍ଗତ ପ୍ରଚୁର ଅମ୍ଳଜାନରୁ କିଛି ଲୌହ ଶୋଷଣ କରିନେଲା । ବଳକା ଅମ୍ଳଜାନ ବାୟୁମଣ୍ଡଳ ତିଆରି କରି ଜୀବଜଗତ ପାଇଁ ଉପଯୁକ୍ତ ସ୍ଥାନ ତିଆରି କଲା । ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରୁଥିବା ଓଜୋନ୍‌ ସ୍ତର ମଧ୍ୟ ଏହି ଅମ୍ଳଜାନରୁ ତିଆରି ହେଲା । ଏହି ସୁରକ୍ଷା ଯୋଗୁ ଜୀବନ ଅତଳ ମହାସାଗରରୁ ଭୂପୃଷ୍ଠକୁ ଆସିଲା ।

ପୂର୍ବେ ସ୍ଥଳଭାଗ ଗୋଟିଏ ସ୍ଥାନରେ ଥିଲା । ତାହାକୁ ବୃହତ ମହାଦେଶ କୁହାଯାଏ । ଏହି ବୃହତ ମହାଦେଶକୁ ରୋଡିନା କୁହାଯାଏ । ଏହା ପରେ ପୃଥିବୀ ବରଫର ମୋଟା ଆସ୍ତରଣରେ ଆଚ୍ଛାଦିତ ଥିଲା ବୋଲି ବୈଜ୍ଞାନିକମାନଙ୍କ ବିଶ୍ୱାସ । ଏହାକୁ ପୃଥିବୀର ବରଫପେଣ୍ଡୁ ତତ୍ତ୍ୱ କୁହାଯାଏ ।

ପୃଥିବୀର ଗଠନ[ସମ୍ପାଦନା]

ପୃଥିବୀ ଓ ଅନ୍ୟ ତିନୋଟି କଠିନ ଗ୍ରହ ବୁଧ, ଶୁକ୍ର ଓ ମଙ୍ଗଳର ତୁଳନା ।

ପୃଥିବୀ ଗୋଟିଏ କଠିନ ଗ୍ରହ ଅଟେ । ଅର୍ଥାତ୍‌ ଏହା ବୃହସ୍ପତି ପରି ଗ୍ୟାସ ପିଣ୍ଡୁଳା ନହୋଇ କଠିନ ମୃତ୍ତିକାରେ ତିଆରି । ବସ୍ତୁତ୍ୱ ଓ ବ୍ୟାସ ହିସାବରେ ଚାରିଟିଯାକ କଠିନ ଗ୍ରହ ମଧ୍ୟରୁ ଏହା ସର୍ବବୃହତ ।

ରାସାୟନିକ ସଂଗଠନ[ସମ୍ପାଦନା]

ପୃଥିବୀ ମୁଖ୍ୟତଃ ଲୌହ (୩୨.୧%), ଅମ୍ଳଜାନ (୩୦.୧%), ସିଲିକନ୍‌ (୧୫.୧%), ମାଗ୍ନେସିୟମ୍‌ (୧୩.୯%), ସଲ୍‌ଫର୍‌ (୨.୯%), ନିକେଲ୍‌ (୧.୮%), କ୍ୟାଲ୍‌ସିୟମ୍‌ (୧.୫%), ଆଲୁମିନିୟମ୍‌ (୧.୪%) ଓ ଅନ୍ୟାନ୍ୟ ମୌଳିକ (୧.୨%) କୁ ନେଇ ଗଠିତ । କେନ୍ଦ୍ରାଞ୍ଚଳ ମୁଖ୍ୟତଃ ଲୌହ (୮୮.୮%), ନିକେଲ୍‌ (୫.୮%), ସଲ୍‌ଫର୍‌ (୪.୫%) ଓ ୧% ଅନ୍ୟ ମୋଳିକକୁ ନେଇ ଗଠିତ ।

ଭୂତ୍ୱକ୍‌ର ୪୭% ରୁ ଅଧିକ ଅମ୍ଳଜାନରେ ତିଆରି । ଭୂତ୍ୱକ୍‌ର ପ୍ରାୟ ଅଂଶ ଅମ୍ଳଜାନର ଯୌଗିକ ଅଟନ୍ତି । ମୁଖ୍ୟ ଅମ୍ଳଜାନ ଯୌଗିକମାନେ ହେଲେ ସିଲିକା, ଆଲୁମିନା, ଲୌହ ଅକ୍ସାଇଡ୍‌, ଚୂନ, ମାଗ୍ନେସିଆ, ପଟାସ୍‌ ଓ ସୋଡ଼ା । ଶିଳା ପରୀକ୍ଷଣରୁ ଜଣାପଡ଼େ ଯେ ୯୯.୨୨% ମାତ୍ର ୧୧ଟି ଅମ୍ଳଜାନ ଯୌଗିକରୁ ତିଆରି ।

ଆକୃତି[ସମ୍ପାଦନା]

ପୃଥିବୀର ଆକୃତି କମଳା ଲେମ୍ବୁ ପରି ଚେପ୍‌ଟା । ଏହାର ମଝି ଅଂଶ ସାମାନ୍ୟ ସ୍ଫୀତ ଅଟେ । ପୃଥିବୀର ପରିଧି ପ୍ରାୟ ୪୦,୦୦୦ କିମି ଓ ବ୍ୟାସ ପ୍ରାୟ ୧୨,୭୦୦ କିମି ଅଟେ । ସମୁଦ୍ରପତନ ଠାରୁ ୮,୮୪୮ ମି ଉଚ୍ଚରେ ଥିବା ଏଭେରେଷ୍ଟ୍ ଶୃଙ୍ଗ ହେଉଛି ପୃଥିବୀର ଉଚ୍ଚତମ ସ୍ଥାନ । ମାରିଆନା ଟ୍ରେଞ୍ଚର ୧୦,୯୧୧ମି ଗଭୀରତା ହେଉଛି ପୃଥିବୀର ନିମ୍ନତମ ସ୍ଥାନ । ବିଷୁବ ଅଞ୍ଚଳରେ ସ୍ଫୀତ ହେତୁ ଇକ୍ୱେଡର୍‌ର ଚିମ୍ବୋରାଜୋ ଶୃଙ୍ଗ ହେଉଛି ପୃଥିବୀର କେନ୍ଦ୍ରଠାରୁ ଦୂରତମ ସ୍ଥାନ ।

ଆଭ୍ୟନ୍ତରୀଣ ଗଠନ[ସମ୍ପାଦନା]

ପୃଥିବୀ ଆଭ୍ୟନ୍ତରୀଣର ସ୍ତର ସମ୍ବଳିତ ଚିତ୍ର ।

ପୃଥିବୀର ଆଭ୍ୟନ୍ତରୀଣ ଗଠନ ଅନ୍ୟ କଠିନ ଗ୍ରହ ପରି ଅଟେ । ଏହାର ବାହ୍ୟ କଠିନ ସ୍ତରକୁ ଭୂତ୍ୱକ୍‌ କୁହାଯାଏ । ସମସ୍ତ ଜୀବ ଭୂତ୍ୱକ୍‌ ଉପରେ ବାସ କରନ୍ତି । ଏହି ସ୍ତର ତଳେ ଏକ ପତଳା ଅର୍ଦ୍ଧତରଳ ସ୍ତର ଥାଏ । ତାହାର ତଳେ ଏକ ପତଳା ତରଳ ସ୍ତର ଓ ଶେଷରେ କଠିନ ଲୌହ ଆଭ୍ୟନ୍ତରୀଣ କେନ୍ଦ୍ର ଥାଏ । ଭୂତ୍ୱକ୍‌ର ମୋଟେଇ ପରିବର୍ତ୍ତନଶୀଳ । ସ୍ଥଳଭାଗରେ ଏହା ୩୦-୫୦ କିମି ମୋଟା ଥାଏ । ମହାସାଗର ତଳେ କେତେକ ସ୍ଥାନରେ ଏହା ମାତ୍ର ୬ କିମି ମୋଟା ଥାଏ । ପୃଥିବୀର ଆଭ୍ୟନ୍ତରୀଣ ଅତ୍ୟନ୍ତ ଗରମ ଥାଏ ।

ଭୂଚଳନ ସ୍ତର[ସମ୍ପାଦନା]

ପୃଥିବୀର ମୁଖ୍ୟ ଭୂଚଳନ ସ୍ତର ।

ପୃଥିବୀ ହେଉଛି ସକ୍ରିୟ ଭୂଚଳନ ସ୍ତର ଥିବା ଏକମାତ୍ର ଗ୍ରହ । ଭୂତ୍ୱକ୍‌, ତଳେ ଥିବା ତରଳ ଶିଳାସ୍ତର ଉପରେ ଭାସୁଥାଏ । ଭୂତ୍ୱକ୍‌ କେତେକ ଅଂଶ ବା ସ୍ତରରେ ବିଭକ୍ତ । ସ୍ତରମାନେ ଗତି କଲାବେଳେ ପରସ୍ପର ପ୍ରଭାବ ଦ୍ୱାରା ଭୂକମ୍ପ, ଆଗ୍ନେୟଗିରି, ପର୍ବତଶ୍ରେଣୀ ଆଦି ତିଆରି ହୋଇଥାଏ । ସ୍ତରମାନଙ୍କର ମିଳନସ୍ଥଳରେ ସୀମାରେଖା ଥାଏ । ନିର୍ମାଣ, ବିନାଶ ଓ ପରିବର୍ତ୍ତନ ଭାବରେ ତିନି ପ୍ରକାରର ସୀମାରେଖା ଥାଏ ।

  • ଦୁଇଟି ସ୍ତର ପରସ୍ପରଠାରୁ ଦୂରେଇଯାଇ ଫାଟ ସୃଷ୍ଟି କରନ୍ତି, ଫଳରେ ଆଗ୍ନେୟଗିରି ସୃଷ୍ଟି ହୁଏ ଓ ତରଳ ମାଗ୍ମା ବାହରକୁ ଆସେ । ଏହିପରି ସୀମାରେଖା ଗଭୀର ସମୁଦ୍ର, ସମୁଦ୍ରତଳ ଆଗ୍ନେୟଗିରି ଆଦି ସୃଷ୍ଟି କରନ୍ତି । ଉଦାହରଣ: ସମୁଦ୍ର ବନ୍ଧ
  • ବିନାଶକାରୀ ସୀମାରେଖା ପରସ୍ପରର ନିକଟବର୍ତ୍ତୀ ହୁଅନ୍ତି । ଏହା ଦ୍ୱୀପ, ଆଗ୍ନେୟଗିରି, ଓ ଉଚ୍ଚ ପର୍ବତ ଶ୍ରେଣୀ ତିଆରି କରେ । ଉଦାହରଣ: ହିମାଳୟ, ଆଣ୍ଡିସ୍‌
  • ପରିବର୍ତ୍ତନଶୀଳ ସୀମାରେଖା ପରସ୍ପର ସମାନ୍ତରାଳ ଭାବେ ଗତି କରନ୍ତି । ଗତି କଲାବେଳେ ଉଭୟ ସ୍ତରର ଘର୍ଷଣ ମଧ୍ୟ ହୁଏ । ଏପରି ସୀମାରେଖା ଭୂକମ୍ପ ସୃଷ୍ଟି କରେ । ଉଦାହରଣ: ସାନ୍‌ ଆଣ୍ଡ୍ରିଆସ୍‌ ଫଲ୍‌ଟ୍‌

ପୃଷ୍ଠତଳ[ସମ୍ପାଦନା]

ପୃଥିବୀର ପୃଷ୍ଠତଳରେ ସ୍ଥଳବିଶେଷରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ପୃଥିବୀର ୭୦% ରୁ ଅଧିକ ଜଳରେ ଆଚ୍ଛାଦିତ । ସମୁଦ୍ରତଳ ଅନେକାଂଶରେ ସ୍ଥଳଭାଗ ସହିତ ସମାନ । ୩୦% ସ୍ଥଳଭାଗ ଜଙ୍ଗଲ, ମରୁଭୂମି, ସମତଳ, ପର୍ବତ ଓ ମାଳଭୂମିକୁ ନେଇ ଗଠିତ । ମାନବ ସଭ୍ୟତା ସହରୀକରଣର ମାୟାରେ ମୋହିତ ।

ଭୂପୃଷ୍ଠକୁ ପରିବର୍ତ୍ତନ କରିବା ପାଇଁ ଅନେକ କାରକ ଅଛି । ମୁଖ୍ୟ କାରକ ହେଉଛି ଭୂଚଳନ, ଅନ୍ୟ କାରକମାନେ ହେଲେ ପବନ, ଜଳ, ସାଗର ଦ୍ୱାରା ମୃତ୍ତିକା କ୍ଷୟ, ଗ୍ରହାଣୁ ସଂଘାତ ଇତ୍ୟାଦି । ପୃଥିବୀପୃଷ୍ଠ ସାଧାରଣତଃ ୩ ପ୍ରକାରର ଶିଳାକୁ ନେଇ ଗଠିତ ।

  • ଭୂଗର୍ଭର ଲାଭା ବା ମାଗ୍ମା ଭୂପୃଷ୍ଠରେ ଥଣ୍ଡା ହେଲେ ଆଗ୍ନେୟ ଶିଳା ତିଆରି ହୁଏ । ଥଣ୍ଡା ହେଲେ ଏହା ଶିଳା ରୂପ ଧାରଣ କରେ ।
  • ବାଲି ଓ କ୍ଷୁଦ୍ର ଶିଳା ଚାପି ହୋଇ ସ୍ତରୀଭୂତ ଶିଳା ଗଠନ କରନ୍ତି ।
  • ଅନ୍ୟ ଦୁଇ ପ୍ରକାରର ଶିଳା ଚାପ ଓ ତାପ ପ୍ରଭାବରେ ପରିବର୍ତ୍ତିତ ହୋଇ ରୂପାନ୍ତରିତ ଶିଳା ତିଆରି କରନ୍ତି ।

ଜଳମଣ୍ଡଳ[ସମ୍ପାଦନା]

ଆହୁରି ଦେଖନ୍ତୁ: ଜଳ

ପୃଥିବୀର ସମସ୍ତ ଜଳ, ଜଳମଣ୍ଡଳର ଅନ୍ତର୍ଭୁକ୍ତ । ପ୍ରାୟ ୯୭.୫% ହେଉଛି ଲୁଣିଆ ଜଳ । ମଧୁର ଜଳର ଅର୍ଦ୍ଧେକ ଏବେ ବରଫ ଆକାରରେ ଅଛି । ମହାସାଗର ଅଙ୍ଗାରକାମ୍ଳ ଶୋଷିନେଇ ସବୁଜ କୋଠରୀ ପ୍ରଭାବ ଓ ବିଶ୍ୱତାପନରେ ସାହାଯ୍ୟ କରେ ।

ବାୟୁମଣ୍ଡଳ[ସମ୍ପାଦନା]

ମୂଳ ଲେଖା: ବାୟୁମଣ୍ଡଳ

ଗ୍ରହର ଚାରିପାଖରେ ଥିବା ବାୟୁକୁ ବାୟୁମଣ୍ଡଳ କୁହାଯାଏ । ମାଧ୍ୟାକର୍ଷଣ ଏହାକୁ ଧରି ରଖେ । ପୃଥିବୀର ବାୟୁମଣ୍ଡଳ ୭୮% ଯବକ୍ଷାରଜାନ, ୨୧% ଅମ୍ଳଜାନ ଓ ଅନ୍ୟ ଗ୍ୟାସମାନଙ୍କୁ ନେଇ ଗଠିତ । ବାୟୁ ହେଉଛି ଗ୍ୟାସ୍‌ମାନଙ୍କର ଏକ ମିଶ୍ରଣ । ବାୟୁମଣ୍ଡଳରେ ଓଜୋନ୍‌ ଗ୍ୟାସ ବିଶିଷ୍ଟ ଏକ ଓଜୋନ୍‌ ସ୍ତର ଅଛି । ସୂର୍ଯ୍ୟର ଅତିବାଇଗଣୀ ରଶ୍ମିକୁ ଓଜୋନ୍‌ ଶୋଷିନିଏ । ଅତିବାଇଗଣୀ ରଶ୍ମି ଜୀବନ ପାଇଁ ବିପଜ୍ଜନକ ହୋଇଥିବାରୁ ଓଜୋନ୍‌ ବିନା ଜୀବନ ସମ୍ଭବ ନୁହେଁ । ଉଲ୍‌କା ଓ କ୍ଷୁଦ୍ର ଗ୍ରହାଣୁ ସଂଘାତରୁ ମଧ୍ୟ ବାୟୁମଣ୍ଡଳ ପୃଥିବୀକୁ ରକ୍ଷା କରେ । କାରଣ ଏଗୁଡ଼ିକ ବାୟୁମଣ୍ଡଳରେ ଘଷି ହୋଇ ପୋଡ଼ିଯାଆନ୍ତି । ବାୟୁମଣ୍ଡଳ ପୃଥିବୀକୁ ଉଷ୍ଣ ରଖେ । ମିଥେନ୍‌, ଅଙ୍ଗାରକାମ୍ଳ ପରି ଗ୍ୟାସ୍‌ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହାକୁ ପ୍ରାକୃତିକ ସବୁଜ କୋଠରୀ ପ୍ରଭାବ କୁହାଯାଏ । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରନ୍ତି । ଜାରଣ ପ୍ରଚୁର ଅଙ୍ଗାରକାମ୍ଳ ଛାଡ଼େ । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଅଧିକ ତାପ ଧରି ରଖେ । ଏହାକୁ ବିଶ୍ୱ ତାପନ କୁହାଯାଏ ।

ଜଳବାୟୁ, ପାଣିପାଗ ଓ ଜଳଚକ୍ର[ସମ୍ପାଦନା]

ଉତ୍ତପ୍ତ ବାୟୁ ଉପରକୁ ଉଠେ । ଉପରକୁ ଗଲେ ଧିରେ ଧିରେ ଥଣ୍ଡା ହୋଇ ପୁଣି ତଳକୁ ଖସେ । ଏହାକୁ ପରିଚଳନ ସ୍ରୋତ କୁହାଯାଏ । ଉତ୍ତପ୍ତ ଓ ଶୀତଳ ବାୟୁ ପ୍ରଭାବରେ ପାଣିପାଗ ପରିବର୍ତ୍ତନ ହୁଏ । ପୃଥିବୀର ପ୍ରାୟ ସବୁ ପାଣିପାଗ ପାଇଁ ପରିଚଳନ ବାୟୁ ଦାୟୀ । ଜଳସ୍ତର ଉତ୍ତପ୍ତ ହୋଇ ବାଷ୍ପୀଭୂତ ହୁଏ ଓ ଜଳୀୟବାଷ୍ପରେ ପରିଣତ ହୁଏ । ଜଳୀୟବାଷ୍ପ ବାୟୁମଣ୍ଡଳର ଉପରକୁ ଗତି କରେ । ଉପରକୁ ଗଲେ ଧିରେ ଧିରେ ଥଣ୍ଡା ହୁଏ । ଯଥେଷ୍ଟ ଥଣ୍ଡା ହେଲେ ଏହା ଜଳରେ ପରିବର୍ତ୍ତିତ ହୁଏ । ମେଘ ଓ ବର୍ଷାର ସୃଷ୍ଟି ଏମିତି ହୁଏ । ଏହାକୁ ଜଳଚକ୍ର କୁହାଯାଏ ।

ଗତିପଥ ଓ ଆବର୍ତ୍ତନ[ସମ୍ପାଦନା]

ପୃଥିବୀର ଅକ୍ଷୀୟ ଢଳନ ଓ ପରିକ୍ରମଣ ସମତଳ ସହିତ ସମ୍ପର୍କ ।

ପୃଥିବୀରେ ଦିନ ୨୪ ଘଣ୍ଟା ଓ ବର୍ଷ ୩୬୫ ଦିନ ହୋଇଥାଏ । ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବା ପାଇଁ ୩୬୫.୨୪ ଦିନ ନିଏ । ବଳକା ସମୟକୁ ମିଶାଇ ୪ ବର୍ଷରେ ଥରେ ବର୍ଷକ ୩୬୬ ଦିନ କରାଯାଏ । ଏହାକୁ ଅଧିବର୍ଷ କୁହାଯାଏ । ପୃଥିବୀ ସୂର୍ଯ୍ୟଠାରୁ ହାରାହାରି ୧୫ କୋଟି କିମି ଦୂରରେ ଅବସ୍ଥିତ ଓ ୩୦ କିମି/ସେ (୬୬,୧୬୬ ମାଇଲ୍/ଘ) ରେ ସୂର୍ଯ୍ୟକୁ ପରିକ୍ରମା କରୁଛି ।

ଚନ୍ଦ୍ର ହାରାହାରି ୨,୫୦,୦୦୦ କିମି ଦୂରରେ ପୃଥିବୀକୁ ପରିକ୍ରମା କରୁଛି । ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ପୃଥିବୀକୁ ଦେଖାଯାଏ । ଚନ୍ଦ୍ର ପରିକ୍ରମା କରିବା ପାଇଁ ପ୍ରାୟ ୧ ମାସ ନିଏ ।

ପୃଥିବୀ ସୌରମଣ୍ଡଳର ଅଂଶ ଭାବରେ ସୂର୍ଯ୍ୟ ଚାରିପାଖରେ ଅନ୍ୟ ୭ଟି ଗ୍ରହ ଓ ସହସ୍ରାଧିକ କ୍ଷୁଦ୍ର ବସ୍ତୁମାନଙ୍କ ସହିତ ଘୁରୁଛି । ସୌରମଣ୍ଡଳ ଏବେ ଓ ଆସନ୍ତା ୧୦,୦୦୦ ବର୍ଷ ପାଇଁ ଆକାଶଗଙ୍ଗାର କାଳପୁରୁଷ ପାର୍ଶ୍ୱ ଦେଇ ଗତି କରୁଛି ।

ସମ୍ପର୍କିତ ପୃଷ୍ଟା[ସମ୍ପାଦନା]

  • ପୃଥିବୀର ଗଠନ
  • ପୃଥିବୀର ବୟସ
  • ଭୂବିଜ୍ଞାନ
  • ସୌରମଣ୍ଡଳ
  • ଗ୍ରହ ତାଲିକା

ଆଧାର[ସମ୍ପାଦନା]

  1. Blue Planet is used in movies, such as Blue Planet and The Blue Planet, in the Life issue The Incredible Year '68 with the Earthrise photograph and lines from poet James Dickey Behold/The blue planet steeped in its dream/Of reality [୧] pp. 7–8 [୨], and in the title of the European Space Agency bulletin report Exploring the water cycle of the 'Blue Planet' [୩]
  2. By International Astronomical Union convention, the term "Terra" is used for naming extensive land masses, rather than for the planet Earth. Cf. Blue, Jennifer (July 5, 2007). "Descriptor Terms (Feature Types)". Gazetteer of Planetary Nomenclature. USGS. http://planetarynames.wr.usgs.gov/jsp/append5.jsp. Retrieved 2007-07-05. 
  3. ୩.୦ ୩.୧ ୩.୨ ୩.୩ ୩.୪ Williams, Dr. David R.. "Earth Fact Sheet". NASA. http://nssdc.gsfc.nasa.gov/planetary/factsheet/earthfact.html. Retrieved 2011-02-03. 
  4. Standish, E. Myles; Williams, James C. "Orbital Ephemerides of the Sun, Moon, and Planets" (PDF). International Astronomical Union Commission 4: (Ephemerides). http://iau-comm4.jpl.nasa.gov/XSChap8.pdf. Retrieved 2010-04-03.  See table 8.10.2. Calculation based upon 1 AU = 149,597,870,700(3) m.
  5. Allen, Clabon Walter; Cox, Arthur N. (2000). Allen's Astrophysical Quantities. Springer. ପୃଷ୍ଠା. 294. ISBN 0387987460. http://books.google.com/?id=w8PK2XFLLH8C&pg=PA294. 

ଅଧିକ ତଥ୍ୟ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]