ବେଦ
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହଯାଏ । ପ୍ରତ୍ୟେକ ବେଦର ନିଜସ୍ଵ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।[୧]
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଶବ୍ଦର ଅର୍ଥ
‘ବିଦ୍’ (ବିଦ୍ ଅର୍ଥ ଜ୍ଞାନ ପ୍ରାପ୍ତ କରିବା) ଧାତୁରୁ ବେଦ ଶବ୍ଦର ଉତ୍ପତ୍ତି । ବେଦ ଖାଲି ଭାରତବର୍ଷ ପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର । ବେଦ ଭାରତୀୟ ସଂସ୍କୃତିର ମୂଳ ଆଧାର । ବେଦ ୪ ଭାଗରେ ବିଭକ୍ତ ଯଥା- ଋକ, ୟଜୁଃ, ସାମ ଓ ଅଥର୍ବଣ । ବେଦ ଅପୌରୁଷେୟ ଅର୍ଥାତ କୌଣସି ବ୍ୟକ୍ତିବିଶେଷଙ୍କ ଦ୍ଵାରା ରଚିତ ହୋଇନାହିଁ । ଏହା ପରମେଶ୍ଵରଙ୍କ ଠାରୁ ମନ୍ତ୍ରଦ୍ରଷ୍ଟା ଋଷିମାନେ ପ୍ରାପ୍ତ ହୋଇଛନ୍ତି ।[୨]
ପାଦବଦ୍ଧ(ପଦ୍ୟ) ଓ ଅର୍ଥଯୁକ୍ତ ଛନ୍ଦୋବଦ୍ଧ ବୈଦିକ ମନ୍ତ୍ରଗୁଡ଼ିକ ଋକ, ଗୀତରୂପେ ସଙ୍କଳିତ ବୈଦିକ ମନ୍ତ୍ରଗୁଡ଼ିକ ସାମ ଏବଂ ଗଦ୍ୟାକାର ଛନ୍ଦୋବଦ୍ଧ ମନ୍ତ୍ରଗୁଡ଼ିକ ୟଜୁଃରୂପେ ଖ୍ୟାତ । ଋକ୍ ଏବଂ ୟଜୁଃ ର ମନ୍ତ୍ରମାନଙ୍କର ସ୍ଥୁଳଜଗତରେ ପ୍ରୟୋଗାତ୍ମକ ଉପଯୋଗ ପାଇଁ ଅଥର୍ବଣ ଉଦ୍ଦିଷ୍ଟ ।
ଯଜ୍ଞର କର୍ମକାଣ୍ଡରେ ଋକ, ଯଜୁଃ ଓ ସାମ-ଏହି ତିନି ବେଦରୁ ମନ୍ତ୍ର ପାଠ କରାଯାଏ । ‘ବ୍ରହ୍ମା’ ଯଜ୍ଞର ଅଧ୍ୟକ୍ଷରୂପେ କାର୍ଯ୍ୟ କରନ୍ତି । ସେ ଚାରିବେଦର ଜ୍ଞାତା ଓ ଅଥର୍ବବେଦର ବିଶେଷଜ୍ଞ । ଋକବେଦର ପ୍ରତିନିଧି ‘ହୋତା’, ଯଜୁର୍ବେଦର ପ୍ରତିନିଧି ‘ଅଧ୍ଵର୍ୟୁ’ ଓ ସାମବେଦର ପ୍ରତିନିଧି ‘ଉଦ୍ଗାତା’ ଯଜ୍ଞବିଧାନରେ ଅଂଶଗ୍ରହଣ କରନ୍ତି । ଅଥର୍ବ ବେଦର ପ୍ରତିନିଧି ‘ବ୍ରହ୍ମା’ ଯଜ୍ଞକାର୍ଯ୍ୟରେ ସାକ୍ଷୀ ହୋଇ ବସନ୍ତି ।
[ଏହାକୁ ବଦଳାନ୍ତୁ] ଋଗ୍ବେଦ
ବିଜ୍ଞାନକାଣ୍ଡ ଭାବେ ପରିଚିତ ଋଗ୍ବେଦ ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ। ଋଗବେଦରେ ଋଚା (ବୈଦିକ ମନ୍ତ୍ର ସଂଖ୍ୟା) ୧୦,୫୮୦।
ଏହାର ଅଧିପତି ଗ୍ରହ ବୃହସ୍ପତି,ବାର ଗୁରୁବାର । ଏମାନେ ମୁଖ୍ୟତଃ ବସିଷ୍ଠ,ଭୃଗୁ ଗୋତ୍ରୀ,ଦେବତା ଅଗ୍ନି(ଜାତବେଦା),ଛନ୍ଦ ଗାୟତ୍ରୀ । ଆୟୁର୍ବେଦ ଏହାର ଉପବେଦ ।[୩] ମନୁଷ୍ୟକୁ ଜ୍ଞାନ ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ ।ଏହାର ୨୧ ଟି ଶାଖା ଥିବାର ଚାରଣ ବ୍ୟୁହ ଗ୍ରନ୍ଥ ରୁ ଜଣାଯାଏ । ଏହାର ଶାଖା ଯଥା ଶାକଳ,ବାଷ୍କଳ,ଆଶ୍ବଲାୟନ,ସାଙ୍ଖ୍ୟାୟନ,ମାଣ୍ଡୁକେୟ, ଐତରେୟୀ, କୌଷୀତକୀ, ଶୈଶିରୀ,ପୈଙ୍ଗୀ ଆଦି ଶାଖା ମାନ ଅଛି । ବର୍ତ୍ତମାନ କେବଳ ଶାକଳ ଶାଖା ଅଧ୍ୟୟନ କରାଯାଉଛି । ଏହାର ସ୍ଵଭାବ ସାତ୍ତ୍ଵିକ ଏବଂ ଏହାକୁ ବାଚିକ ଓ ଉଚ୍ଚସ୍ଵରରେ ପଢାଯାଏ । ଋଗ୍ବେଦର ଦୁଇ ପ୍ରଧାନ ବ୍ରାହ୍ମଣ ଗ୍ରନ୍ଥ ଯଥା- ୧. ଐତରେୟ ବ୍ରାହ୍ମଣ ଓ ୨. କୌଷିତକୀ ବା ସାଂଖ୍ୟାୟନ ବର୍ତ୍ତମାନ ଉପଲବ୍ଧ । ଐତରେୟ ଉପନିଷଦ ହେଉଛି ବର୍ତ୍ତମାନ ଉପଲବ୍ଧ ଏହାର ଏକମାତ୍ର ଉପନିଷଦ।ଏହାର କଳ୍ପସୂତ୍ର ମଧ୍ୟରେ କୌଷିତକୀ,ସାଂଖ୍ୟାୟନ,ଆଶ୍ଵ୍ଵଳାୟନ ଆଦି ଗୃହୀତ । ଋଗ୍ବେଦ ମୁଖ୍ୟତଃ ମହାରାଷ୍ଟ୍ର,କର୍ଣ୍ଣାଟକ,କେରଳ,ତାମିଲନାଡୁ ଓ ଓଡିଶା ର ଉପକୂଳବର୍ତ୍ତୀ ଅଞ୍ଚଳ ରେ ଦେଖାଯାଏ ।
[ଏହାକୁ ବଦଳାନ୍ତୁ] ଯଜୁର୍ବେଦ
କର୍ମକାଣ୍ଡ ଭାବେ ପରିଚିତ ଦ୍ଵିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ । ୟଜୁର୍ବେଦରେ ଧର୍ମ ସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି । ଧନୁର୍ବେଦ ଏହାର ଉପବେଦ। ଏହାର ଅଧିପତି ଗ୍ରହ ଶୁକ୍ର, ବାର ଶୁକ୍ରବାର । ଏମାନେ ବହୁଗୋତ୍ରୀ, ଦେବତା ବାୟୁ(ମରୁତ୍ ବା ମାତରିଶ୍ଵା), ଛନ୍ଦ ଉଷ୍ଣିକ୍ । ଯଜୁର୍ବେଦ ର ଦୁଇଟି ପରମ୍ପରା ଅଛି:୧. ଶୁକ୍ଳ ବା ବାଜସନେୟୀ ଓ ୨. କୃଷ୍ଣ ବା ମିଶ୍ର । ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶି ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି। ଏହାର ସ୍ଵଭାବ ରାଜସିକ ହୋଇଥିବାରୁ ଏହାକୁ ଉପାଂଶୁ ଭାବେ ଜପ କରାଯାଏ ।
[ଏହାକୁ ବଦଳାନ୍ତୁ] ଶୁକ୍ଳ ବା ବାଜସନେୟୀ
ଶୁକ୍ଳ ଅଂଶର ଅନ୍ୟନାମ ବାଜସନେୟୀ (ବାଜସନି=ସୂର୍ଯ୍ୟ,ଏହାର ଆଦି ଗୁରୁ),ସୂର୍ଯ୍ୟଙ୍କ ଠାରୁ ଯାଜ୍ଞବଳ୍କ୍ୟ ଏହା ଅଧ୍ୟୟନ କରିଥିଲେ. ଏହାର ଆଦି ଗୁରୁ ବୈଶମ୍ପାୟନ ନୁହନ୍ତି। ଏହାର ବ୍ରାହ୍ମଣ ଗ୍ରନ୍ଥ ହେଉଛି ଶତପଥ । ବୃହଦାରଣ୍ୟକ ଏହି ବେଦର ମୁଖ୍ୟ ଉପନିଷଦ । ଇଶୋପନିଷଦ ଶୁକ୍ଳ ଯଜୁବେଦର ଅନ୍ତିମ ଅଧ୍ୟାୟ । ଶୁକ୍ଳ ଯଜୁର୍ବେଦର ଶାଖା ସଂଖ୍ୟା ୧୫ ।
ମୁଖ୍ୟ ଶାଖା ଗୁଡ଼ିକ ହେଉଛି ବାଜସନେୟ ମାଧ୍ୟନ୍ଦିନ, ଜାବାଳ, ବୋଧେୟ, କାଣ୍ଵ ଇତ୍ୟାଦି । ମାଧ୍ୟନ୍ଦିନ ବାଜସନେୟ ମୁଖ୍ୟତଃ ଉତ୍ତର ଭାରତ, ଗାଙ୍ଗେୟ ସମତଳ ଏବଂ ଗୁଜୁରାଟ ରେ ଅଧ୍ୟୟନ କରାଯାଏ । ଉତ୍କଳର ୟଜୁର୍ବେଦୀ ବ୍ରାହ୍ମଣମାନେ ସମସ୍ତେ ଶୁକ୍ଳଯଜୁର୍ବେଦ କାଣ୍ଵ ଶାଖା ଅଧ୍ୟୟନ କରନ୍ତି । ଏଥିରେ ୪୦ଟି ଅଧ୍ୟାୟ ଅଛି।ଏହାର କଳ୍ପସୂତ୍ର କାତ୍ୟାୟନ ଓ ଗୃହ୍ୟସୁତ୍ର କାତୀୟ-ପାରସ୍କର ଅଟେ ।
[ଏହାକୁ ବଦଳାନ୍ତୁ] କୃଷ୍ଣ ବା ମିଶ୍ର
ବକ୍ତା କୃଷ୍ଣଦ୍ଵୈପାୟନ ଓ ଶ୍ରୋତା ବୈଶମ୍ପାୟନ । ଏହାର ୮୬ ଗୋଟି ଶାଖା ଥିବାର ଜଣାଯାଏ । ବର୍ତ୍ତମାନ କେବଳ ଦୁଇଗୋଟି ବଞ୍ଚିଅଛି । ତାହାହେଲା-ତୈତ୍ତିରୀୟ ଓ ମୈତ୍ରାୟଣୀ।
ତୈତ୍ତିରୀୟ ମୁଖ୍ୟତଃ ଦକ୍ଷିଣ ଭାରତର ବ୍ରାହ୍ମଣ ବର୍ଗଙ୍କ ଦ୍ଵାରା ଅନୁସରଣ କରାଯାଏ । ଏହା ତିତ୍ତରି ମୁନିଙ୍କ ଦ୍ଵାରା କଥିତ । ମୈତ୍ରାୟଣୀ ମୁଖ୍ୟତଃ ମହାରାଷ୍ଟ୍ର ର ନାସିକ,ନନ୍ଦୁରବାର୍ ଆଦି ଅଞ୍ଚଳ ରେ ଦେଖାଯାଏ । କୃଷ୍ଣ ଯଜୁର୍ବେଦର ସଂହିତା ଗୁଡ଼ିକ ହେଉଛି ତୈତ୍ତିରୀୟ, ମୈତ୍ରୀୟଣୀ, କପିଷ୍ଠଳ ଓ କାଠକ । କୃଷ୍ଣ ଯଜୁର୍ବେଦରେ ସଂହିତା ଓ ବ୍ରାହ୍ମଣ ଭାଗ ଏକ ସଙ୍ଗେ ମିଶ୍ରିତ ହୋଇଥିବାରୁ ଏହାକୁ କୃଷ୍ଣ ବା ମିଶ୍ର କୁହାଯାଏ । ଏହାର ଅନେକ କଳ୍ପସୂତ୍ର ଓ ଗୃହ୍ୟସୁତ୍ର ଅଛି,ଯଥା-ଆପସ୍ତମ୍ବ, ବୋଧାୟନ, ବୈଖାନସ, ହିରଣ୍ୟକେଶୀ, ବାଧୁଳ, ଲୌଗାକ୍ଷି(ସତ୍ୟାଷାଢ), ଭାରଦ୍ଵାଜ ଇତ୍ୟାଦି ।[୪]
[ଏହାକୁ ବଦଳାନ୍ତୁ] ସାମବେଦ
ଉପାସନା କାଣ୍ଡ ଭାବେ ପରିଚିତ ସାମବେଦର ମନ୍ତ୍ରମାନ ଗାନ କରିବାକୁ ହୁଏ । ଏହାର ଅଧିପତି ଗ୍ରହ ମଙ୍ଗଳ,ବାର ମଙ୍ଗଳବାର । ସାମବେଦ ଅଧ୍ୟାତ୍ମମୁଖୀ, ଏହା ମନୁଷ୍ୟର ଆନ୍ତରିକ ଗୁଣଗୁଡ଼ିକୁ ବିକଶିତ କରେ । ଗାନ୍ଧର୍ବବେଦ (ସଙ୍ଗୀତ ବିଦ୍ୟା) ସାମବେଦର ଉପବେଦ ବା ଅଙ୍ଗ ଅଟେ । ସାମବେଦର ବ୍ରାହ୍ମଣ ମାନେ କାଶ୍ୟପ ବା ଶାଣ୍ଡିଲ୍ୟ ଗୋତ୍ରୀ,ଆଦିତ୍ୟ(ସୂର୍ଯ୍ୟ ବା ବିଷ୍ଣୁ) ଦେବତା ଓ ଅନୁଷ୍ଟୁପ୍ ଛନ୍ଦ ଅଟେ । ସାମବେଦର ଉପନିଷଦ ହେଉଛି-କେନ ଉପନିଷଦ(ଜୈମିନୀୟ ଶାଖା) ଓ ଛାନ୍ଦୋଗ୍ୟ ଉପନିଷଦ । ସାମବେଦର ଅନେକ ଶାଖା (ଅର୍ଥାତ ଉଚ୍ଚାରଣ ତଥା ମନ୍ତ୍ରବିଭାଜନ ଶୈଳୀ) ମଧ୍ୟରୁ ରାଣାୟଣୀୟ, ସାତ୍ୟମୁଗ୍ର, କାଳାପ, କୌଥୁମୀ, ଜୈମିନୀୟ(ତଲବକାର) ଇତ୍ୟାଦି ପ୍ରଧାନ । କୌଥୁମୀ ଶାଖାର ୬ଟି ଭେଦ ଅଛି ଯଥା: ସାରାୟଣୀୟ, ବାତରାଣୀୟ, ବୈଧୃତ, ପ୍ରାଚୀନ, ତୈଜସ ଓ ଅନିଷ୍ଟକ । ଉତ୍ତର ଭାରତ,ଓଡିଶା,ଆନ୍ଧ୍ର ଆଦି ସ୍ଥାନ ମାନଙ୍କରେ କୌଥୁମୀ ଶାଖା ର ପ୍ରଚଳନ ଥିଲାବେଳେ ମହାରାଷ୍ଟ୍ର,କର୍ଣ୍ଣାଟକ ଆଦି ପ୍ରଦେଶ ରେ ରାଣାୟଣୀୟ ଶାଖା,ଦକ୍ଷିଣ ତାମିଲନାଡୁ,କେରଳ ରେ ଜୈମିନୀୟ(ତଲବକାର)ଶାଖା ର ପ୍ରଚଳନ ରହିଛି। ସାମବେଦ ସଂହିତା ଦୁଇ ଭାଗରେ ବିଭକ୍ତ- ପୂର୍ବାର୍ଚ୍ଚିକ ଓ ଉତ୍ତରାର୍ଚ୍ଚିକ । ଏହି ଦୁଇ ଭାଗ ମଧ୍ୟରେ ୧୦ଟି ମନ୍ତ୍ର ବିଶିଷ୍ଟ ଏକ୍ କ୍ଷୁଦ୍ର ଅଧ୍ୟାୟ (ମହାନାମ୍ନୀ ଆର୍ଚ୍ଚିକ) ଅଛି । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ ।
ଏଥିମଧ୍ୟରୁ ସାମବେଦର ନିଜସ୍ବ ମନ୍ତ୍ର ସଂଖ୍ୟା ୭୫, ଅନ୍ୟ ସମସ୍ତ ଋଗ୍ବେଦରୁ ନିଆଯାଇ ଗାନ ପ୍ରକ୍ରିୟା ପ୍ରସ୍ତୁତ ହୋଇଛି ।ଏହାର ବ୍ରାହ୍ମଣଗ୍ରନ୍ଥ ମାନେ ହେଲେ-ତାଣ୍ଡ୍ୟ ମହାବ୍ରାହ୍ମଣ,ବଂଶ ବ୍ରାହ୍ମଣ,ଜୈମିନୀୟ ତଲବକାର ବ୍ରାହ୍ମଣ।ଏହାର ଗାନ ଶୈଳୀ କୁ ଅରଣ୍ୟଗାନ,ଗ୍ରାମଗେୟଗାନ,ଋଚାଗାନ.ରହସ୍ୟଗାନ(ଉହା,ଊହ) ଆଦି ବିଭାଗ ରେ ଭାଗ କରାଯାଇଛି । ଏହାର ସ୍ଵଭାବ ରୌଦ୍ର ହୋଇଥିବାରୁ ଏହାକୁ ବାଚିକ ଭାବେ ଗାନ କରାଯାଏ ।
[ଏହାକୁ ବଦଳାନ୍ତୁ] ପୂର୍ବାର୍ଚ୍ଚିକ
ପୂର୍ବାର୍ଚ୍ଚିକ ଚାରୋଟି ପର୍ବ ବା କାଣ୍ଡରେ ବିଭକ୍ତ ଯଥା: ଆଗ୍ନେୟ କାଣ୍ଡ, ଐନ୍ଦ୍ରକାଣ୍ଡ, ପାବମାନ କାଣ୍ଡ ଓ ଆରଣ୍ୟକ କାଣ୍ଡ । କାଣ୍ଡ ଗୁଡ଼ିକ କେତୋଟି ପ୍ରପାଠକରେ ରେ ବିଭକ୍ତ । ପ୍ରତ୍ୟେକ ପ୍ରପାଠକର ଦୁଇଟି ଅର୍ଦ୍ଧପ୍ରପାଠକ ଓ ପ୍ରତ୍ୟେକ ଅର୍ଦ୍ଧ ପ୍ରପାଠକରେ ପାଞ୍ଚଟି ଲେଖାଏଁ ଦଶତି ଥାଏ । ଗୋଟିଏ ଦଶତିରେ ୧୦ଟି ମନ୍ତ୍ର ରହିବା ସ୍ବାଭାବିକ ହେଲେ ମଧ୍ୟ କେତେକ ଦଶତିରେ କମ ବା ଅଧିକ ମନ୍ତ୍ର ରହିଛି । ପୂର୍ବାର୍ଚ୍ଚିକର ମନ୍ତ୍ର ସଂଖ୍ୟା ୬୪୦ ।
[ଏହାକୁ ବଦଳାନ୍ତୁ] ଉତ୍ତରାର୍ଚ୍ଚିକ
ଉତ୍ତରାର୍ଚ୍ଚିକରେ ୨୧ଟି ଅଧ୍ୟାୟ ୯ଟି ପ୍ରପାଠକରେ ବିଭକ୍ତ ହୋଇ ରହିଛି । ଏଥିରେ ଦଶତି ବଦଳରେ ସୂକ୍ତିର ଗଣନା କରାଯାଏ । ଉତ୍ତରାର୍ଚ୍ଚିକର ସୂକ୍ତ ସଂଖ୍ୟା ୪୦ ଓ ମନ୍ତ୍ର ସଂଖ୍ୟା ୧୨୨୫ ।[୫]
ଏହାର କଳ୍ପସୂତ୍ର ଗୁଡିକ ହେଲା-ଦ୍ରାହ୍ୟାୟଣ(କୌଥୁମୀ),ଲାଟ୍ୟାୟନ,ଜୈମିନୀୟ,ମଷକ । କୌଥୁମ ଶାଖା ରେ ଦୁଇଟି ଗୃହ୍ୟସୂତ୍ର ଅବଲମ୍ବନ କରଯାଏ-ଗୋଭିଲ୍ୟ(ଉତ୍ତର ଭାରତ),ଖାଦିର(ଆନ୍ଧ୍ର,ତମିଲନାଡୁ) ।[୬]
[ଏହାକୁ ବଦଳାନ୍ତୁ] ଅଥର୍ବ ବେଦ
ଅଥର୍ବ ବେଦ ୨୦କାଣ୍ଡରେ ବିଭକ୍ତ । ଏହିରେ ସର୍ବମୋଟ ୭୩୧ ସୂକ୍ତ ଓ ୫,୯୭୭ ବୈଦିକ ମନ୍ତ୍ର ରହିଛି । ଅଥର୍ବ ବେଦରେ ଅନେକ ଅଭିଚାର ମନ୍ତ୍ର ଓ ଆପଦରୁ ରକ୍ଷା ପାଇବାପାଇଁ ଅନେକ ଋଚା ଅଛି । ଦେବତା ସୋମ(ଚନ୍ଦ୍ରମା) ଓ ଛନ୍ଦ ପଂକ୍ତି ଅଟେ । ଏହାର ଅଧିପତି ଗ୍ରହ ବୁଧ(ସୌମ୍ୟ)ଓ ବାର ବୁଧବାର । ଏମାନେ ବିଶ୍ଵାମିତ୍ର ଗୋତ୍ରୀ ବା ଆଙ୍ଗିରସ ଅଥର୍ବଣ ଗୋତ୍ରୀ । ଏହାର ୯ଟି ଶାଖା, ୫ଟି କଳ୍ପ, ୨୬ଟି କାଣ୍ଡ ଓ ୫୨ଟି ଉପନିଷଦ ଅଛି । ଏହାର ଉପବେଦ ସ୍ଥାପତ୍ୟ,ଅର୍ଥବେଦ ଅଟେ । ଅନ୍ୟ ବେଦମାନଙ୍କର ବହୁକାଳ ପରେ ଏ ବେଦ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଏ । ଏହାର ୯ଟି ଶାଖା ହେଲା: ପୈପ୍ପଳାଦ, ତୌଦ, ମୌଦ, ଶୌନକୀୟ, ଜାବାଳ,ଜାଜଳ , ବ୍ରହ୍ମବାଦ, ଦେବଦର୍ଶୀ ଓ ଚାରଣ । ବର୍ତ୍ତମାନ କେବଳ ପୈପ୍ପଳାଦ ଓ ଶୌନକ ଶାଖା ବଞ୍ଚିରହିଛି । ପୈପ୍ପଳାଦ ମୁଖ୍ୟତଃ ଓଡିଶା, ଝାଡ଼ଖଣ୍ଡରେ ଦେଖାଗଲାବେଳେ ଶୌନକ ଗୁଜରାଟ ଓ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଗୋକର୍ଣ୍ଣ ସହର, ଆନ୍ଧ୍ରର ତିରୁପତି ଅଞ୍ଚଳ ରେ ଦେଖାଯାଏ ।[୭]
[ଏହାକୁ ବଦଳାନ୍ତୁ] ଟୀକା
- ↑ cf.http://en.wikipedia.org/wiki/Shakha.
- ↑ cf.http://en.wikipedia.org/wiki/Poorva_Mimamsa.
- ↑ cf.http://en.wikipedia.org/wiki/Rigveda.
- ↑ cf.http://en.wikipedia.org/wiki/Yajurveda.
- ↑ cf.http://en.wikipedia.org/wiki/Samaveda.
- ↑ cf.http://en.wikipedia.org/wiki/Kalpasutra_(Vedanga).
- ↑ cf.http://en.wikipedia.org/wiki/Atharvaveda.
[ଏହାକୁ ବଦଳାନ୍ତୁ] ଆଧାର
- Holdrege, Barbara A. (1995), Veda and Torah, SUNY Press, ISBN 0791416399
- MacDonell, Arthur Anthony (2004), A History of Sanskrit Literature, Kessinger Publishing, ISBN 1417906197
- Michaels, Axel (2004), Hinduism: Past and Present, Princeton University Press, ISBN 0-691-08953-1
- Monier-Williams, Monier, ed. (2006), Monier-Williams Sanskrit Dictionary, Nataraj Books, ISBN 18-81338-58-4.
- Muir, John (1861), Original Sanskrit Texts on the Origin and Progress of the Religion and Institutions of India, Williams and Norgate, http://books.google.com/?id=_VCXTBk-PtoC
- Müller, Max (1891), written at New York, Chips from a German Workshop, C. Scribner's sons, http://books.google.com/?id=J8Zo_rtoWAEC.
- http://en.wikipedia.org/wiki/Yajurveda
- http://en.wikipedia.org/wiki/Rigveda
- http://en.wikipedia.org/wiki/Samaveda
- http://en.wikipedia.org/wiki/Atharvaveda
- http://en.wikipedia.org/wiki/Shakha
- http://en.wikipedia.org/wiki/Kalpasutra_(Vedanga)
- http://en.wikipedia.org/wiki/Upanishads
- Zaehner, R. C. (1966), written at London, Hindu Scriptures, Everyman's Library
[ଏହାକୁ ବଦଳାନ୍ତୁ] ବାହାର ସ୍ରୋତ
- ସମ୍ପୁର୍ଣ୍ଣ ବେଦ ମନ୍ତ୍ର ଓ ସମସ୍ତ ଜୀବିତ ଶାଖା ର ମନ୍ତ୍ରପାଠ ଡାଉନଲୋଡ୍ କରନ୍ତୁ
- ସଂସ୍କୃତ ମୃଦୁଲିପି-ବେଦ,ପୁରାଣ,ଇତିହାସ,ତନ୍ତ୍ର,ମନ୍ତ୍ର,ଜ୍ୟୋତିଷ ଡାଉନଲୋଡ୍ କରନ୍ତୁ
- ସମସ୍ତ ବୈଦିକ ଗ୍ରନ୍ଥ ର ମୃଦୁଲିପି(softcopy) ଡାଉନଲୋଡ୍ କରନ୍ତୁ
- ଓଡିଶା ତଥା ଭାରତର ସମସ୍ତ ବେଦଶାଖାର ପଣ୍ଡିତ ମାନଙ୍କୁ ଜାଣିବାପାଇଁ log in କରନ୍ତୁ
- ଋକବେଦ ମନ୍ତ୍ରପାଠ ଡାଉନଲୋଡ୍ କରନ୍ତୁ
- କୃଷ୍ଣ ଓ ଶୁକ୍ଳ ୟଜୁର୍ବେଦ ମନ୍ତ୍ରପାଠ
- ସାମଗାନ ମନ୍ତ୍ରପାଠ
- ଅଥର୍ବାଙ୍ଗିରସ ବେଦର ମନ୍ତ୍ରସବୁ