ଇନ୍ଦ୍ର

ଉଇକିପିଡ଼ିଆ ରୁ
ଇନ୍ଦ୍ର
King of the Gods
God of Weather and War
ସଂସ୍କୃତ ଅନୁବାଦ ଇନ୍ଦ୍ର
ଉପାଧି ଦେବ
ବାସସ୍ଥାନ ସ୍ଵର୍ଗର ଅମରାବତୀରେ
ଅସ୍ତ୍ର Vajra
ସାଥି ସଚୀ (ଇନ୍ଦ୍ରାଣୀ)
ବାହନ ଐରାବତ

ଇନ୍ଦ୍ର ବା ଇନ୍ଦ୍ରଦେବ, ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀ ଙ୍କ ରାଜା ବା ଦେବରାଜ ରୂପେ ପୂଜିତ। ବୃଷ୍ଟିର ଅଧିପତି ଦେବତାଭାବେ ଇନ୍ଦ୍ର ସର୍ବମାନ୍ୟ ।

ପରିଚୟ[ସମ୍ପାଦନା]

ରୁକ୍ ବେଦ ମତେ ଇନ୍ଦ୍ରଙ୍କ ପିତା ଗୌ ଓ ମାତା ଗୃଷ୍ଟି । ତାଙ୍କ ପତ୍ନୀ ଇନ୍ଦ୍ରାଣୀ ପୁଲୋମା ରାକ୍ଷସ କନ୍ୟା । ଏଣୁ ଇନ୍ଦ୍ରାଣୀ ପୁଲୋମା, ପୁଲୋମଜା, ସଚୀ, ପ୍ରାସହା ଭାବେ ସମ୍ବୋଧିତ । ପ୍ରାସହା ଅର୍ଥ ସେନା । ଦେବୀ ଅଟନ୍ତି ମହାଶକ୍ତି । ସେ ସପ୍ତମାତୃକା ଅନ୍ତର୍ଗତ ଦେବୀମାନଙ୍କ ମଧ୍ୟରୁ ଜଣେ । ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ ଓ ପୁତ୍ରୀ ଜୟନ୍ତୀ । ରାମାୟଣ ଓ ମହାଭାରତରେ ଉଲ୍ଲେଖ ତ୍ରେତୟାରେ ବାନରରାଜ ବଳୀ ଓ ଦ୍ୱାପରରେ ମହାବୀର ଅର୍ଜୁନ ତାଙ୍କ ଅଂଶରୁ ଉତ୍ପନ । ଇନ୍ଦ୍ର ଅଟନ୍ତି ବଜ୍ରବାହୁ, ବଜ୍ର ବିଦ୍ୟୁତ୍ ଶକ୍ତିଭଳି । ଅମରାବତୀ ତାଙ୍କ ରାଜଧାନୀ । ତାଙ୍କ ସଭା ଦେବସଭା ବା ସୁଧର୍ମା ସଭା, ବନ-ନନ୍ଦନବନ, ବାହାନ-ଐରାବତ, ଅଶ୍ୱ ଊଚ୍ଚୈଶ୍ରବା, ହରିତ୍ ବର୍ଣ୍ଣ ଅଶ୍ୱ ସଂଯୁକ୍ତ ଇନ୍ଦ୍ରଙ୍କ ରଥ ମନଗତିଠାରୁ ଆହୁରି ଦୃତତର । ସାରଥୀ-ମାଳତୀ, ଦେବଗୁରୁ ବୃହସ୍ପତି ଇନ୍ଦ୍ରଙ୍କ ପୁରୋହିତ ।

ପୌରାଣିକ[ସମ୍ପାଦନା]

ବୃହଦାରଣ୍ୟକ ଉପନିଷଦରେ ବର୍ଣ୍ଣନା ଅଛି ଯେ, ଦୈତ୍ୟରାଜ ବୈରୋଚନ ସହିତ ଇନ୍ଦ୍ର ବ୍ରହ୍ମାଙ୍କ ଠାରୁ ବିଦ୍ୟାଲାଭ ନିମିତ୍ତ ଗୁରୁକୂଳରେ ଥିଲେ । ବିରେଚନ(ବୈରୋଚନ) କିଛି ଜ୍ଞାନ ଲାଭକରି ସନ୍ତୁଷ୍ଟ ମନରେ ପ୍ରତ୍ୟାବର୍ତ୍ତନ କରିଥିଲେ କିନ୍ତୁ ଇନ୍ଦ୍ର ୪ଶହ ବର୍ଷ ସେଠାରେ ରହି ସକଳ ଜ୍ଞାନର ଅଧିକାରୀ ହୋଇପାରିଥିଲେ । ଇନ୍ଦ୍ରଙ୍କ ନାମ ବ୍ୟାକରଣ ଓ ଆୟୁର୍ବେଦ ଶାସ୍ତ୍ର ସହିତ ବିଜଡ଼ିତ । ଐନ୍ଦ୍ର ବ୍ୟାକରଣ ଯାହା ପାଣିନୀଙ୍କ ପୂର୍ବରୁ ପ୍ରଚଳନ ଥିଲା ତଥା ଆୟୁର୍ବେଦ ବିଶେଷଜ୍ଞ ଧନ୍ୱନ୍ତରୀ ଥିଲେ ଇନ୍ଦ୍ରଙ୍କ ଶିଷ୍ୟ । ବୁତ୍ରାସୁରକୁ ବଧକରି ଇନ୍ଦ୍ର ବିତ୍ରାହ ରୂପେ କୀର୍ତ୍ତିତ । କେତେକଙ୍କ ମତରେ ବୁତ୍ର ବାସ୍ତବ ପକ୍ଷେ ରାକ୍ଷସ ନୁହଁନ୍ତି । ସେ ମେଘ ଅଟନ୍ତି । ଯେଉଁ ମେଘ ବର୍ଷା ହେବାରେ ବାଧକ ସାଜନ୍ତି । ଅର୍ଥାତ୍ ଆକାଶରେ ବର୍ଷା ହେବାକୁ ପ୍ରତିରୋଧ କରିଥାନ୍ତି । ସେ ବୁତ୍ରକୁ ଛେଦନ କରି ପୁନଶ୍ଚ ବର୍ଷା ହେବାକୁ ସକ୍ଷମ କରାନ୍ତି । ଇନ୍ଦ୍ର ସୂର୍ଯ୍ୟଙ୍କ ତାଦାତ୍ମ୍ୟଭାବରୁ ହେମ ବା ବରଫ ତରଳ ହେବାର ସୁବିଧା ହୋଇଥାଏ । ଇନ୍ଦ୍ରଙ୍କ ପ୍ରତିପତ୍ତିକୁ ଲକ୍ଷ୍ୟକଲେ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ପରେ ଇନ୍ଦ୍ରଙ୍କ ସ୍ଥାନ ରହିବା କଥା କିନ୍ତୁ ତାଙ୍କ ପୌରାଣିକ ବର୍ଣ୍ଣନାରୁ ସେ ସବୁଥିରୁ ବଞ୍ଚିତ । ସୃଷ୍ଟି, ସ୍ଥିତି, ପ୍ରଳୟ ପରେ ବିଜୟର ଦେବତା ଭାବେ ମଣ୍ଡିତ ହେବା ପାଇଁ ଇନ୍ଦ୍ରଙ୍କ ସ୍ଥାନଟି ଶୂନ୍ୟ ରହିଛି । ପୌରାଣିକ ପୃଷ୍ଠାରେ ଗୌତମ ଋଷିଙ୍କ ଅଭିଶାପ ଯୋଗୁଁ ଅହଲ୍ୟା ପାଷାଣ ହେଲେ ଓ ଇନ୍ଦ୍ର ସହସ୍ରାକ୍ଷରେ ପରିଣତ ହେଲେ । ଇନ୍ଦ୍ରଙ୍କୁ ରାବଣ ପୁତ୍ର ଇନ୍ଦ୍ରଜିତ ପରାସ୍ତ କରିବା ଘଟଣା ଓ ଶ୍ରୀକୃଷ୍ଣ ମଧ୍ୟ ଗୋବର୍ଦ୍ଧନଗିରି ଟେକି ବ୍ରଜବାସୀଙ୍କୁ ଆଶ୍ରୟ ଦେଇ ଇନ୍ଦ୍ରପଦକୁ ନ୍ୟୁନ କରିଥିଲେ । ଫଳରେ ଇନ୍ଦ୍ରଙ୍କ ତେଜସ୍ୱୀତ ପ୍ରଶମନ ଲଭି ଶେଷକୁ ସେ ମାତ୍ର ଅନ୍ତରୀକ୍ଷ ସ୍ଥାନୀୟ ଦେବତା ହୋଇଗଲେ । ଯେଉଁ ଚକ୍ରବର୍ତ୍ତୀ ଶହେଟି ଅଶ୍ୱମେଧ ଯଜ୍ଞକରି ପୁଣ୍ୟ କରିଥିବେ ତାଙ୍କୁ ଇନ୍ଦ୍ର ପଦବୀରେ ଅଭିଷିକ୍ତ କରାଗଲା । ଏଣୁ ବିଭିନ୍ନ ମନ୍ୱନ୍ତରରେ ୧୪ଜଣ ଇନ୍ଦ୍ର ପଦବୀରେ ଅଧିରୂଢ଼ ହୋଇଥିଲେ । [୧]

ଆଧାର[ସମ୍ପାଦନା]

  1. ଲଛମନ ରାଉତ, ସଂଚାର, ପୃଷ୍ଠା-୧୪, ଶନିବାର ୨୧ ସେପ୍ଟେମ୍ବର ୨୦୧୩

ବାହାର ତଥ୍ୟ[ସମ୍ପାଦନା]