ନାଗାର୍ଜୁନ ବେଶ
ନାଗାର୍ଜୁନ ବେଶ (ପର୍ଶୁରାମ ବେଶ ନାମରେ ମଧ୍ୟ ଜଣା) ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କୁ କରାଯାଉଥିବା ବେଶଗୁଡ଼ିକ ଭିତରୁ ଏକ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ ।[୧] ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ, [୨] ଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । [୩] ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ।[୪]
ପୁରୀରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ଯ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣା ସଂକ୍ରାନ୍ତି ଦିନ ନାଗା ବେଶରେ ସଜାଇ ଦିଆଯାଏ । ପୁରୀର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି । ଏହି ବେଶରେ ଜଗନ୍ନାଥଙ୍କ ମୁଖରେ ବିଶେଷ ସାହିଯାତ ନାଗା ଶୈଳୀର ଦାଢ଼ି ରହିବା ବିଶେଷ ଉଲ୍ଲେଖଯୋଗ୍ୟ ।
ବେଶ ବିଧି
[ସମ୍ପାଦନା]ଏହି ବେଶରେ ଠାକୁରମାନେ ମୁଖ୍ଯତଃ ସୋଲ, କନା ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢ଼ି, ଛୁରୀ, କଟୁରୀ, ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ବାଘନଖ ମାଳି, ଶଙ୍ଖ, ଚକ୍ର ଓ ହଳ, ମୂଷଳ ଇତ୍ଯାଦି ଧାରଣ କରିଥାନ୍ତି ।
ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କର ବିଶେଷ ନୀତି ପାଳନ ହେବା ସହ ସେମାନଙ୍କୁ ଆଶ୍ୱିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧାଦାମୋଦର ବେଶରେ ସଜାଯାଇଥାଏ । ତେବେ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ଯାଏଁ ବିଭିନ୍ନ ବେଶରେ ସେମାନଙ୍କୁ ଭକ୍ତମାନେ ଯଥାକ୍ରମେ ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଡ଼ା ବେଶ, ତ୍ରିବିକ୍ରମ ବେଶ, ଡାଳିକିଆ ବେଶ ଓ ସୁନାବେଶରେ ଦର୍ଶନ କରିଥାନ୍ତି ।
ଇତିହାସ
[ସମ୍ପାଦନା]ଏହି ବେଶ ଅତ୍ଯନ୍ତ ପୁରୁଣା ନହେଲେ ମଧ୍ଯ ପୁରୀର ସାହି ଯାତରେ ବାହାରୁ ଥିବା ନାଗା ସଂସ୍କୃତିର ଅନୁକରଣରେ କୈଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା ସମ୍ଭବ ।
ପୁରାଣ
[ସମ୍ପାଦନା]ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।[୫] ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।
ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ ।
ଆଧାର
[ସମ୍ପାଦନା]- ↑ "Lord Jagannath - Nagarjuna Besha of Lord Jagannath , Beshas of Lord Jagannath | orissa.oriyaonline.com". orissa.oriyaonline.com. 2012. Archived from the original on 12 June 2015. Retrieved 24 June 2012.
This vesha honors Parasurama, the warrior incarnation
- ↑ "Jay Jagannath Yatra". jayjagannathyatra.com. Archived from the original on 2 July 2012. Retrieved 12 November 2012.
In the recent past this besha has been done on 16/11/1994.
- ↑ "Puri Yatra". puritrip.com. Retrieved 12 November 2012.
The previous four dates were 26/11/1993 , 3/11/1968 , 16/11/1967 and 26/11/1966
- ↑ କୋହେନୂର ପ୍ରେସ ପଞ୍ଜିକା, ୨୦୧୦-୨୦୧୧, ପୃଷ୍ଠା: ୧୫
- ↑ "Naga-Arjuna Besha – Costume Of Lord Jagannath | PURIWAVES". puriwaves.nirmalya.in. 2013. Retrieved 29 July 2013.
This Vesha is observed during Kartik month occasionally when Panchuka (last five days of Kartika month) observed as six days instead of five