ପର୍ଶୁରାମ

ଉଇକିପିଡ଼ିଆ ରୁ
ପର୍ଶୁରାମ
Parashurama.jpg
ପର୍ଶୁରାମ
ବିଷ୍ଣୁଙ୍କ ଷଷ୍ଠ ଅବତାର
Devanagari परशुराम
Sanskrit Transliteration Parashurama
Affiliation ଦ୍ରୋଣ ଓ କର୍ଣ୍ଣଙ୍କ ଗୁରୁ
Abode ମହେନ୍ଦ୍ରଗିରି
Weapon ପରଶୁ, ଶିବ ଧନୁ
Consort ଧରିଣୀ

ପୌରାଣିକ ମତେ ପର୍ଶୁରାମ, ବିଷ୍ଣୁଙ୍କ ଷଷ୍ଠ ଅବତାର । ଭୃଗୁବଂଶର ଋଷି ଜମଦଗ୍ନି ଓ ରେଣୁକାଙ୍କ ଔରସରୁ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ଏହି ସମୟରେ ମା’ ରେଣୁକାଙ୍କୁ ଚରିତ୍ର ସ୍ଖଳନ ଦୋଷରେ ଦୋଷୀ ସାବ୍ୟସ୍ତ କରି ଋଷି ଜମଦଗ୍ମି ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ । ଭୃଗୁପତି ପର୍ଶୁରାମ ପର୍ଶୁ ଆଘାତରେ ମାଆଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲେ । ପିତା ଜମଦଗ୍ନି ସନ୍ତୁଷ୍ଟ ହୋଇ ବର ଯାଚନା କଲେ । ମାଆଙ୍କୁ ପୁନର୍ଜୀବନ ଦେବା ପାଇଁ ପର୍ଶୁରାମ ବର ମାଗିଲେ । ଋଷି ଜମଦଗ୍ନି ସନ୍ତୁଷ୍ଟ ହୋଇ ରେଣୁକାଙ୍କୁ ଜୀବନ୍ୟାସ ମନ୍ତ୍ରପଢ଼ି ଜଳସିଞ୍ଚି ବଞ୍ଚାଇ ଦେଲେ । ତେବେ ମାତୃହତ୍ୟା କରିଥିବାରୁ ପାପଭାରରେ ପର୍ଶୁରାମଙ୍କ ପରଶୁ ତାଙ୍କ କାନ୍ଧରୁ ଉଠିଲା ନାହିଁ । ଏହା ଦେଖି ପିତା ଜମଦଗ୍ନି କହିଲେ ‘ଭାରତବର୍ଷର ସମସ୍ତ ତୀର୍ଥ ଦର୍ଶନ କରି ଜଳରେ ସ୍ନାନ କର । ତା’ପରେ କୈଳାସ ପର୍ବତକୁ ଯାଇ ଶିବ ପାର୍ବତୀଙ୍କ ନିକଟରେ ତପସ୍ୟା କର । ଶିବ ପାର୍ବତୀ ସନ୍ତୁଷ୍ଟ ହୋଇ ତୁମକୁ ପାପମୁକ୍ତ କରିବେ । ପିତାଙ୍କ ଆଦେଶ ପାଳନ କରି ପର୍ଶୁରାମ ଦୀର୍ଘଦିନ ତୀର୍ଥସ୍ଥାନ ପର୍ଯ୍ୟଟନ କରି କୈଳାସ ପର୍ବତରେ ତପସ୍ୟାରତ ହେଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀ ତାଙ୍କୁ ବର ପ୍ରଦାନ କରି ପାପମୁକ୍ତ କଲେ । ଫଳରେ ତାଙ୍କ କାନ୍ଧରୁ ପରଶୁ କୁଠାର ଖସିଗଲା ।

ଦ୍ଵାପର ଯୁଗରେ କ୍ଷତ୍ରୀୟମାନେ ଅତ୍ୟାଚାରୀ ହୋଇ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ । ଭଗବାନ ପର୍ଶୁରାମ ନିଜେ ବ୍ରାହ୍ମଣ ସନ୍ତାନ ହୋଇ ମଧ୍ୟ ହାତରେ ପରଶୁ କୁଠାର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ । ସର୍ବପ୍ରଥମେ ସହସ୍ରାର୍ଜ୍ଜୁନଙ୍କୁ ହତ୍ୟା କଲେ । ପରେ ପରେ ଏକବିଂଶବାର ବୁଲି ବୁଲି ସେ କ୍ଷତ୍ରୀୟକୁଳ ଅଙ୍କୁରମାନଙ୍କୁ ନିପାତ କଲେ । ସମଗ୍ର ପୃଥିବୀ ବୀର କ୍ଷତ୍ରୀୟମାନଙ୍କ ରକ୍ତରେ ଧୌତ ହେଲା । ଅତ୍ୟାଚାରୀ କ୍ଷତ୍ରୀୟମାନଙ୍କୁ ଉପଯୁକ୍ତ ଦଣ୍ଡ ଦେଇସାରିବା ପରେ ଆଉ ପର୍ଶୁରାମ ଅବତାରରେ କୌଣସି ଆବଶ୍ୟକତା ରହିଲା ନାହିଁ । ତେଣୁ ଭଗବାନ ଶ୍ରୀରାମଚନ୍ଦ୍ର ରୂପେ ଅଯୋଧ୍ୟା ରାଜପରିବାରରେ ସେ ଜନ୍ମଗ୍ରହଣ କଲେ । ଜନକ ରାଜକୁମାରୀ ସୀତାଙ୍କୁ ବିବାହ କରିବା ପାଇଁ ଶିବଧନୁ ଭାଙ୍ଗିବା ସମୟରେ ପର୍ଶୁରାମଙ୍କ ମିଥିଳାରେ ଆବିର୍ଭାବ ଘଟିଥିଲା। ଶ୍ରୀରାମଙ୍କ ମହିମା ଜାଣିନପାରି ପର୍ଶୁରାମ ତାଙ୍କୁ ଜଣେ ସାଧାରଣ କ୍ଷତ୍ରୀୟ ସନ୍ତାନ ଭାବେ ମନେକରିଥିଲେ । ପର୍ଶୁରାମ ତାଙ୍କ ସହିତ ଯୁଦ୍ଧ ପାଇଁ ଶ୍ରୀରାମଙ୍କୁ ଆମନ୍ତ୍ରଣ କଲେ । ପର୍ଶୁରାମ କହିଲେ- ‘ତୁମେ ତ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଛ, ତେଣୁ ମୋ ଧନୁରେ ଶରସନ୍ଧାନ କରି ଦେଖାଅ ।’ ଭଗବାନ ଶ୍ରୀରାମଚନ୍ଦ୍ର ପର୍ଶୁରାମଙ୍କ ହାତରୁ ଧନୁ ନେଇ ଅକ୍ଳେଶରେ ଶରସନ୍ଧାନ କଲେ । ଠିକ୍ ଏହି ସମୟରେ ଭଗବାନ ରାମଚନ୍ଦ୍ର ପର୍ଶୁରାମଙ୍କ ଶରୀରରୁ ବିଷ୍ଣୁକଳାର ତେଜ ହରଣ କଲେ । ସେହି ଦିନଠାରୁ ପର୍ଶୁରାମ କ୍ଷତ୍ରୀୟ ତେଜ ଓ କ୍ରୋଧ ତ୍ୟାଗ କରି ତପସ୍ୟାରେ ମନ ବଳାଇଲେ । ଦ୍ୱାପର ଯୁଗରେ ପର୍ଶୁରାମ ଭୀଷ୍ମ କର୍ଣ୍ଣଙ୍କ ଭଳି ମହାରଥୀଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ ।

ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ପର୍ଶୁରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ ।

ଓଡ଼ିଶାର ଦକ୍ଷିଣାଞ୍ଚଳରେ ପର୍ଶୁରାମ ଗୋତ୍ରୀ ବ୍ରାହ୍ମଣମାନେ ବସବାସ କରନ୍ତି । ସେମାନେ ଅଧିକାଂଶ ସମୟରେ ଭିକ୍ଷାନ୍ନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ତେବେ ସେମାନେ ସାଧାରଣ ଭିକ୍ଷୁକ ବା ଯୋଗୀ ଭିକାରି ପରି ଭିକ୍ଷା ମାଗନ୍ତି ନାହିଁ । ଦୁଇଜଣ ଏକାଠି ଆସନ୍ତି । ଜଣେ ରାମ ବେଶରେ ଆଉ ଜଣେ ପର୍ଶୁରାମ ବେଶରେ ଆସନ୍ତି । ରାମଙ୍କ ହାତରେ ଥାଏ ଧନୁଶର ଓ ପର୍ଶୁରାମଙ୍କ ହାତରେ ଥାଏ ପରଶୁ କୁଠାର । ଗ୍ରାମର ବା ସାହିର ଦୁଇମୁଣ୍ଡରୁ ଦୁଇଜଣ ପ୍ରବେଶ କରନ୍ତି । ଯେଉଁଠାରେ ଭେଟହୁଏ ସେଠାରେ ଯୁଦ୍ଧର ଆହ୍ୱାନ ଭଳି ଅଭିନୟ କରନ୍ତି । ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଶେଷରେ ପର୍ଶୁରାମ ବେଶଧାରୀ ଭିକ୍ଷୁ ହାରିଯାଇ ଶ୍ରୀରାମ ବେଶଧାରୀ ଭିକ୍ଷୁଙ୍କ ନିକଟରେ ଶରଣ ପଶନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୁଅନ୍ତି । ସେମାନେ ରାମ ଓ ପର୍ଶୁରାମ ବେଶଧାରୀ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅନ୍ତି । ଦୁଇଜଣଙ୍କ ହାତରେ ଲାଉତୁମ୍ବାର ପାତ୍ର ଥାଏ । ଏଥିରେ ସୁନ୍ଦର ଦଶାବତାର ଚିତ୍ର ଅଙ୍କିତ ହୋଇଥାଏ । ଦୁହେଁ ମୁଣ୍ଡରେ ଖିଡ଼୍‌କୀ ପାଗ ଓ ଚିତା ପୋଷାକ ପିନ୍ଧିଥାନ୍ତି । ପର୍ଶୁରାମଙ୍କ ଜଙ୍ଘରେ ଗୋଟିଏ ଘିର ବନ୍ଧା ହୋଇଥାଏ । କଥିତ ଅଛି ପର୍ଶୁରାମ ପୃଥିବୀରୁ ଏକବିଂଶବାର କ୍ଷତ୍ରିୟଙ୍କୁ ନିପାତ କରିବା ସମୟରେ ଜାନୁରେ ଘଣ୍ଟି ବାନ୍ଧିଥିଲେ । ସେହି ଘିର ଶବ୍ଦ ଶୁଣିଲେ ଶତ୍ରୁମାନେ ଭୟରେ ଶିହରୀ ଉଠୁଥିଲେ । ତେଣୁ ତାଙ୍କୁ ଜାନୁଘଣ୍ଟ ପର୍ଶୁରାମ କୁହାଯାଉଥିଲା । ଏହି ପରମ୍ପରାର ଜାନୁଘଣ୍ଟ ପର୍ଶୁରାମ ଭିକ୍ଷୁକ କ୍ଷତ୍ରିୟୋଚିତ ସ୍ୱାଭିମାନ ନେଇ କାହାକୁ କିଛି ମାଗନ୍ତି ନାହିଁ । କାହା ଦୁଆରେ ଛିଡ଼ା ହୁଅନ୍ତି ନାହିଁ । କାହାରି ଛାତ ତଳକୁ ଯାଆନ୍ତି ନାହିଁ । ଗାଁଗହଳରେ ଏମାନଙ୍କୁ ଜାନୁଘଣ୍ଟିଆ କୁହାଯାଏ । ଓଡ଼ିଶାର ଦକ୍ଷିଣାଞ୍ଚଳରେ ମାଆମାନେ ପୁତ୍ରର ଶୁଭକାମନା କରି ପର୍ଶୁରାମଷ୍ଟମୀ ବ୍ରତ ପାଳନ କରନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରୁଥିବା ସମୟରେ ଏହି ବ୍ରତ ପାଳନ କରାଯାଏ । ଉପବାସ ରହି ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରାଯାଏ । ଚିରଞ୍ଜିବୀ ପର୍ଶୁରାମ ଏବେ ମହେନ୍ଦ୍ରଗିରିରେ ଅବସ୍ଥାନ କରୁଛନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେଣୁ କେହି କେହି ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହେନ୍ଦ୍ରଗିରିକୁ ଯାଇ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରନ୍ତି । [୧]

ଆଧାର[ସମ୍ପାଦନା]

  1. ଅଶୋକ କୁମାର ପଟ୍ଟନାୟକ, ସଂଚାର, ପୃଷ୍ଠା- ୧୪, ମଙ୍ଗଳବାର, ୧୬ ଜୁଲାଇ ୨୦୧୩