Jump to content

ଅଦା

ଉଇକିପିଡ଼ିଆ‌ରୁ
(Gingerରୁ ଲେଉଟି ଆସିଛି)

ଅଦା
Scientific classification
Kingdom:
Plantae
(unranked):
Angiosperms
(unranked):
Monocots
(unranked):
Commelinids
Order:
Zingiberales
Family:
Zingiberaceae
Genus:
Zingiber
Species:
Z. officinale
Binomial name
Zingiber officinale
ଅଦା କ୍ଷେତ

ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଗଦ ଗଛ ପରି ଦିଶେ । ଏ ଗଛର ମୂଳକୁ ଅଦା ଭାବରେ ବ୍ୟବହାର କରାଯାଏ । ସାରୁ, ହଳଦୀ, କପୁରା ପରି ଏଇ ଗଛର ଚେରକୁ ବ୍ୟବହାର କରାଯାଏ । ଆମ୍ବକଷିଆ ଅଦା ବୋଲି ଆଉ ଏକ ପ୍ରକାର ଅଦା ରହିଛି, କିନ୍ତୁ ତାହା ଗୁଣରେ ନିକୃଷ୍ଟ। ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ। ଆୟୁର୍ବେଦରେ ଅଦାକୁ ମହୌଷଧି ବୋଲି କୁହାଯାଇଛି । ଏହାକୁ କଞ୍ଚା ବେଳେ ଅଦା ଓ ଶୁଖିଗଲେ ଶୁଣ୍ଠି କୁହାଯାଏ । କଞ୍ଚା ଅଦାରେ ୮୦.୯ ପ୍ରତିଶତ ଜଳ, ୨.୩ ପ୍ରତିଶତ ପ୍ରୋଟିନ୍ ଓ ୧୨.୩ ପ୍ରତିଶତ କାର୍ବୋହାଇଡ୍ରେଟ୍ ଥାଏ । ଏହା ବ୍ୟତୀତ ଅଦାରେ ଆଇରନ୍, କ୍ୟାଲ୍‌ସିୟମ୍, ଆୟୋଡିନ୍, କ୍ଲୋରିନ୍, ଖଣିଜ ଲବଣ ତ‌ଥା ଭିଟାମିନ ପର୍ଯ୍ୟାପ୍ତ ପରିମାଣରେ ଥାଏ । ବଦ‌ହଜମି, ଗ୍ୟାସ୍, ପେଟ ବିନ୍ଧା, ପେଟ କାମୁଡ଼ା, କାଶ ଆଦି ରୋଗରୁ ମୁକୁଳିବା ପାଇଁ ଅଦା ବ୍ୟବ‌ହାର କରାଯାଇଥାଏ ।[]

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ଅଦା
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଅଦା
ସଂସ୍କୃତ ଆର୍ଦ୍ରକ, ଶୃଙ୍ଗବେର, ଶାଙ୍ଗ, କଟୁଭଦ୍ର, ମହୀଜ, କଟୁତ୍କଟ, ଚନ୍ଦ୍ରାକ୍ଷ, ସୁଶାବକ, ସୈକଜେଷ୍ଟ, ଯୁଗ୍ମମୂଳ, ଅନୁପଜ, ସଚ୍ଛାକ
ହିନ୍ଦୀ ଅଦରକ
ତେଲୁଗୁ ଆଲମ
ବଙ୍ଗଳା ଆଦା

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ଅଳ୍ପ ମଧୁର ମିଶ୍ରିତ କଟୂରସ, ଉଷ୍ଣବୀର୍ଯ୍ୟ । ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ ।

ବ୍ୟବହାର

[ସମ୍ପାଦନା]

ଅଦା ଗଛର ଚେରକୁ ହିଁ ମୁଖ୍ୟତଃ ଉପଯୋଗ କରାଯାଏ । ଏହା ଅଗ୍ନୀବର୍ଦ୍ଧକ, ରୁଚିକର, ସ୍ୱର ପରିସ୍କାରକ, ମୁଖଶୋଧକ, ମଳ ନିଃସାରକ, ପାଚକ, ବାୟୁ, ଶୂଳ, ଶୋଥ, ହୃଦୟରୋଗ, କଫ, ପେଟଫମ୍ପା, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ମୂତ୍ରରୋଧ, କୋଷ୍ଠକାଠିନ୍ୟ, କାଶ, ସ୍ୱରଭଙ୍ଗ, ଶ୍ଳେଷ୍ମପୀଡା, ଶିରବ୍ୟଥା ଆଦିର ନିବାରକ ଅଟେ ।

କଟା ଅଦା

ଅଦାକୁ ମୂଷାମାଟିରେ ଆଠଦିନ ପୋତି ରଖିଲାପରେ ବାହାର କରି ଏହି ଅଦା ରସକୁ ମାଲିସ କଲେ ବହୁତ ଦିନରୁ ରହି ଯାଇଥିବା ଜଖମ, ଦରଜ, ସ୍ତ୍ରୀ ଲୋକଙ୍କର ପ୍ରସବକାଳୀନ ଶୂଳ, ଜଙ୍ଘ, ଗୋଡ଼, ଅଣ୍ଟା ପ୍ରଭୃତିରେ ଅଟକି ଯାଇଥିଲେ ଭଲ ହୋଇଯାଏ । ଏହାର ରସକୁ କୁଳି କଲେ ମୁଖ ଦୁର୍ଗନ୍ଧ ଦୂର ହୁଏ। ଭୋଜନ ପୂର୍ବରୁ କିମ୍ବା ସକାଳୁ ଖାଲି ପେଟରେ ଅଦା ସାଧାରଣଲୁଣ ବା ସୈନ୍ଧବ ଲୁଣ ଖାଇଲେ ଖାଦ୍ୟପଦାର୍ଥ ସହଜରେ ଜୀର୍ଣ୍ଣ ହୁଏ। ଅରୁଚି ଆଦିରେ ଅଦାକୁ ତେନ୍ତୁଳି, ଜୀରା ଲୁଣ ସହିତ ମଧ୍ୟ ବ୍ୟବହାର କରାଯାଏ । ପିଲାମାନଙ୍କର କାଶ, ଶ୍ୱାସ, କଫ, ଶ୍ଳେଷ୍ମା, ସର୍ଦ୍ଦିଜ୍ୱର, ମୁଣ୍ଡବ୍ୟଥା ଓ ଅରୁଚି ଆଦି ଦୂର କରିବାପାଇଁ ଅଦାରସ ସହିତ ମହୁର ପ୍ରୟୋଗ କରାଯାଏ। ପୁରୁଣା ଗୁଡ଼ ସହିତ ସେବନ କଲେ ଶୋଥ, ଗୁଳ୍ମ ଆଦି ଭଲ ହୁଏ। ଅଦାରସ ସହିତ ଡାଳଚିନି ଘୋରି ଲଗାଇଲେ ମୁଣ୍ଡବ୍ୟଥା ଦୂର ହୁଏ । ଅଦାକୁ କାଟି ଚିନିରେ ପାକ କରି ଖାଇଲେ ଅଗ୍ନିମାନ୍ଦ୍ୟ, ଅରୁଚି ଦୂର ହୋଇ ଖାଦ୍ୟପ୍ରତି ସ୍ପୃହା ଜନ୍ମେ, ତୁଣ୍ଡ ଦୁର୍ଗନ୍ଧ ଭାଙ୍ଗେ, ଅଗ୍ନିବୃଦ୍ଧି ହୁଏ ଓ ଖାଦ୍ୟଦ୍ରବ୍ୟ ସହଜରେ ପାକ ହୁଏ। କାଶ, ଶ୍ୱାସ ଆଦିରେ ଏହାକୁ ପିପ୍ପଳୀ ସହିତ ପ୍ରୟୋଗ କରାଯାଏ। ଅଦା, ଧଳାଦୁବ, ଅରୁଆଚାଉଳକୁ ବାଟି ଲେପଦେଲେ ଜଖମ, ପବନ ଅଟକିବା ଓ ରକା ଭଲ ହୁଏ । ପେଟ ଉପରେ ଲେପିଲେ ଅଜୀର୍ଣ୍ଣ, ଅତିସାର, ଗୁଳ୍ମ, ପ୍ଳୀହା ନିବାରିତ ହୁଏ। ଅଦାରସ ସହିତ ଲବଙ୍ଗଗୁଣ୍ଡମହୁ ମିଶାଇ ସେବନ କଲେ, ମୁଣ୍ଡବ୍ୟଥା, ଦେହ ଦରଜ ହେବା ଓ ଜ୍ୱର ଆରମ୍ଭ ହେବାପରି ଜଣା ପଡୁଥିଲେ ଭଲ ହୋଇଯାଏ। ଅଦା ଓ ତେଜପତ୍ରକୁ ପାଣିରେ ସିଝାଇ, ଥଣ୍ଡା ହେଲା ପରେ ସେଥିରେ ମିଶ୍ରି ଅଥବା ମହୁ ମିଶାଇ ସେବନ କଲେ ପିଲା, ବଡ଼ ସମସ୍ତଙ୍କର କାଶ, ଶ୍ୱାସ ନିବାରିତ ହୁଏ । ଅଦାକୁ ଜଳରେ ସିଝାଇ ଛାଣି ସେଥିରେ ଅଳ୍ପ ଲୁଣଶୁଣ୍ଠୀଚୂର୍ଣ୍ଣ ମିଶାଇ ଦିନରେ ତିନିଥର ସେବନ କଲେ ଅଣ୍ଟାଧରା ଭଲ ହୁଏ ।

ଅଦା ସେବନଦ୍ୱାରା ଶରୀରରେ ରକ୍ତପ୍ରବାହ ବଢ଼ିଥାଏ । ଆଧୁନିକ ବୈଜ୍ଞାନିକ ପରୀକ୍ଷାଦ୍ୱାରା ଅଦା ପାଚନତନ୍ତ୍ର ସଂକ୍ରମଣ, ହୃଦ୍‌ରୋଗ ସଂକ୍ରମଣ, ଅଧକପାଳି (ମାଇଗ୍ରେନ୍), ଆଣ୍ଠୁ ଗଣ୍ଠି ବାତ, କର୍କଟ ଆଦି ରୋଗରୁ ମୁକ୍ତି ଦେଇଥାଏ ବୋଲି ଜଣାପଡ଼ିଛି । ଅଦାର ବ୍ୟବ‌ହାର ବଦ‌ହଜମି, ଗ୍ୟାସ୍, ପେଟ କାମୁଡ଼ା, ପେଟ ବିନ୍ଧା, କାଶ ଆଦି ପ୍ରଶମିତ କରିଥାଏ । ଅଦା ଖାଦ୍ୟ ହଜମରେ ମଧ୍ୟ ସ‌ହାୟକ ହୁଏ । ଏହା ମଧ୍ୟ ଏକ ଶକ୍ତିଶାଳୀ ଜୀବାଣୁ ନାଶକ । ଏହା ବୃହଦନ୍ତ୍ରରେ ସୃଷ୍ଟି ହେଉଥିବା ଜୀବାଣୁଙ୍କ ବଢ଼ିବାରେ ବାଧା ସୃଷ୍ଟି କରିଥାଏ । ଫଳରେ ପେଟର ଗ୍ୟାସ୍‌ରୁ ମୁକ୍ତି ମିଳିଥାଏ । ନିୟମିତ ଅଦା ସେବନଦ୍ୱାରା ପେଟର ବ‌ହୁ ରୋଗ ଜୀବାଣୁ ଧ୍ୱଂସ ହୋଇଯାନ୍ତି ।[]

ଔଷଧୀୟ ଗୁଣ

[ସମ୍ପାଦନା]

[]

  • ୧୦ ଗ୍ରାମ ଅଦାକୁ ଘିଅରେ ଭାଜି ଖାଇଲେ କାଶ, ଶ୍ୱାସ, କଫ ଆଦି ରୋଗରୁ ମୁକ୍ତି ମିଳିଥାଏ ।
  • ୫ ଗ୍ରାମ ଅଦାରସ ଓ ୫ ଗ୍ରାମ ମହୁ ଏକତ୍ର ମିଶାଇ ପ୍ରତିଦିନ ସକାଳୁ ଖାଇଲେ ରକ୍ତ‌ହୀନତା ରୋଗରୁ ମୁକ୍ତି ମିଳିଥାଏ ।
  • ପିଲାଙ୍କ କୃମି ରୋଗରୁ ବର୍ତ୍ତିବା ପାଇଁ ଅଦାରସ ୧ ଚାମଚ ଲେଖାଏଁ ଦିନ‌କୁ ୨ ଥର ପିଇବା ଆବଶ୍ୟକ ।
  • ବାନ୍ତି କିମ୍ବା ବାନ୍ତି ହେବାର ସମ୍ଭାବନା ଦେଖାଦେଲେ ଅଦା, ପୋଦିନା ପତ୍ରରସ, ଲେମ୍ବୁରସ ଏକତ୍ର ମିଶାଇ ଖାଇଲେ ବାନ୍ତି ଭଲ ହୋଇଥାଏ ।
  • ଅତ୍ୟଧିକ କାଶ ହେଲେ ଖଣ୍ଡେ ଅଦା ପାଟିରେ ରଖିଲେ ଉପଶମ ମିଳିଥାଏ ।
  • ଗଳାରେ କଫ ଜମିଥିଲେ କିମ୍ବା ଗଳା ଦରଜ ହେଲେ ଅଦା ଓ ପୋଦିନା ପତ୍ରରସକୁ ଏକତ୍ର ମିଶାଇ ଚାଟିଲେ ଉପକାର ମିଳିଥାଏ ।
  • ଥଣ୍ଡା ହୋଇଥିଲେ ଅଦା, ତୁଳସୀ ପତ୍ରକୁ ଚା' କରି ପିଇଲେ ଉପଶମ ମିଳିଥାଏ ।
  • ଛାତିରେ କଫ ଜମିଲେ କିମ୍ବା ଗଳା ଦରଜ ହେଲେ ୧୦ ଗ୍ରାମ ଅଦାରସ, ୫ ଗ୍ରାମ ମ‌ହୁ ଓ ୫ ଗ୍ରାମ ହଳଦୀ ମିଶାଇ ଚାଟିଲେ ଲାଭ ମିଳିଥାଏ ।
  • ଗଳା ଦରଜରେ ଅଦାରସ ଓ ଲୁଣକୁ ଉଷୁମ ପାଣିରେ କୁଳି କଲେ ଉପକାର ମିଳିଥାଏ ।
  • ଅଧକପାଳି ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍‌ର ସମ୍ଭାବନା ଥିଲେ ୫୦୦-୬୦୦ ମି.ଗ୍ରା ଶୁଣ୍ଠି ୩/୪ ଦିନ ପର୍ଯ୍ୟନ୍ତ ଖାଇଲେ ଅଧକପାଳି ରୋଗରୁ ମୁକ୍ତି ମିଳିଥାଏ ।
  1. "Zingiber officinale information from NPGS/GRIN". www.ars-grin.gov. Retrieved 2008-03-03.
  2. ୨.୦ ୨.୧ ୨.୨ "କେତେ ଉପକାରୀ ଅଦା". Retrieved 30 August 2016.

ଅଧିକ ତଥ୍ୟ

[ସମ୍ପାଦନା]