ଶ୍ୱେତସାର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଶ୍ୱେତସାର (Carbohydrate) ଏକ ଜୈବପଦାର୍ଥ ।[୧] ଏହା ଉଦ୍ଭିଦର କୋଷିକାରେ ଥିବା ହରିତ୍‌କଣାରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାଦ୍ୱାରା ତିଆରି ହୋଇଥାଏ । ଏଗୁଡ଼ିକ ସାଧାରଣତଃ ଅଙ୍ଗାରକ, ଉଦ୍‌ଜାନ ଏବଂ ଅମ୍ଳଜାନ ଅଣୁର ଏକ ନିର୍ଦ୍ଦିଷ୍ଟ ଅନୁପାତରେ (୧:୨:୧) ଗଠିତ । ସାଧାରଣରେ ଏହାକୁ (CH2O)n ଭାବରେ ପ୍ରକାଶ କରାଯାଇଥାଏ ।

ବ୍ୟବ‌ହାର[ସମ୍ପାଦନା]

ଶ୍ୱେତସାର ଜୀବ ଶରୀରରେ ଇନ୍ଧନ ହିସାବରେ ବ୍ୟବ‌ହୃତ ହୋଇଥାଏ । ଶ୍ୱେତସାରରୁ ଜାରଣ ପ୍ରକ୍ରିୟାରେ ଜୀବ କୋଷିକାରେ ଶକ୍ତି ଉତ୍ପନ୍ନ ହୁଏ । ଏହା ବ୍ୟତୀତ ଏଗୁଡ଼ିକ ଉଦ୍ଭିଦ କୋଷିକାରେ ଗଠନ ପ୍ରକ୍ରିୟାରେ ମଧ୍ୟ ସ‌ହାୟକ ହୋଇଥାଏ ।

ପ୍ରକାର[ସମ୍ପାଦନା]

ଶ୍ୱେତସାର ସାଧାରଣତଃ ଦୁଇପ୍ରକାରର । ଯଥା: ସରଳ ଓ ଜଟିଳ ।

ଦ୍ରାକ୍ଷାଶର୍କରା (Glucose), ଫଳଶର୍କରା (Fructose) ଗୁଡ଼ିକ ସରଳ ଶ୍ୱତସାର ଅନ୍ତର୍ଭୁକ୍ତ । ଏଗୁଡ଼ିକ ବିଭିନ୍ନ ଚୟାପଚୟ (Metabolic) ପ୍ରକ୍ରିୟାରେ ସାହାଯ୍ୟ କରିଥାନ୍ତି । ମଣ୍ଡଦ (Starch), ସେଲ୍ୟୁଲୋଜ୍ (Cellulose) ଓ ଗ୍ଲାଇକୋଜେନ୍ (Glycogen) ଇତ୍ୟାଦି ଜଟିଳ ଶ୍ୱେତସାର ଅନ୍ତର୍ଭୁକ୍ତ । କୋଷିକାର ଗଠନ ତ‌ଥା ସଞ୍ଚିତ ଖାଦ୍ୟ ଭାବରେ ଏହା ବ୍ୟବ‌ହୃତ ହୋଇଥାଏ ।

ଶ୍ରେଣୀ ବିଭାଗ[ସମ୍ପାଦନା]

ଜଳ ଅପଘଟନ (Hydrolysis) ପ୍ରକ୍ରିୟାରେ ଏମାନ‌ଙ୍କ ବ୍ୟବ‌ହାର ଏବଂ ଗଠନ ପ୍ରଣାଳୀର ଜଟିଳତା ଆଧାରରେ ଶ୍ୱେତସାରକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା:

  • ମନୋସାକାରାଇଡ୍ (Monosaccharide)
  • ଡାଇସାକାରାଇଡ୍ (Disaccharide)
  • ପଲିସାକାରାଇଡ୍ (Polysaccharide)

ମନୋସାକାରାଇଡ୍ (Monosaccharide)[ସମ୍ପାଦନା]

ଦ୍ରାକ୍ଷାଶର୍କରା (Glucose) ଉଭୟ ସରଳ ଶିକୁଳି କିମ୍ବା ମୁଦ୍ରିତ ଶିକୁଳି ଆକୃତିର ହୋଇପାରେ ।[୨]

ମନୋସାକାରାଇଡ୍ (ମନୋ ବା mono = ଏକ ଓ ସାକାରନ୍ ବା saccharon = ଶର୍କରା) ତିନିରୁ ଛଅ ଅଙ୍ଗାରକ ଅଣୁ ବିଶିଷ୍ଟ ସରଳ ଶର୍କରା ବା ମନୋମେରିକ୍ (Monomeric) ଶର୍କରା । ଏହା ଘନୀଭୂତ ହୋଇ ଜଟିଳ ଶର୍କରା ପ୍ରସ୍ତୁତ କରିଥାଏ । ଏହି ସରଳ ଶର୍କରାରେ ଥିବା ଅଙ୍ଗାରକ ଅଣୁ ସଂଖ୍ୟା ଅନୁସାରେ ଏମାନ‌ଙ୍କୁ ଟ୍ରାୟୋଜ୍ (Triose), ପେଣ୍ଟୋଜ୍ (Pentose), ହେକ୍ସୋଜ୍ (Hexose) ଆଦି ନାମକରଣ କରାଯାଇଛି । ଟ୍ରାୟୋଜ୍ ଶର୍କରା ତିନି ଅଙ୍ଗାରକ ଅଣୁ ବିଶିଷ୍ଟ ସବୁଠାରୁ ସରଳ ଶର୍କରା । ଗ୍ଲିସେରାଲ୍‌ଡିହାଇଡ୍ (Glyceraldehyde) ଟ୍ରାୟୋଜ୍ ଶର୍କରାର ଏକ ଉଦାହରଣ । ସେହିପରି ରାଇବୋଜ୍ (Ribose) ଓ ଡିଅକ୍ସିରାଇବୋଜ୍ (Deoxyribose) ପାଞ୍ଚ ଅଙ୍ଗାରକ ଅଣୁ ବିଶିଷ୍ଟ ଶର୍କରା ପେଣ୍ଟୋଜ୍‌ର ଉଦାହରଣ ଏବଂ ଦ୍ରାକ୍ଷାଶର୍କରା (Glucose) ଓ ଫଳଶର୍କରା (Fructose) ଛଅ ଅଙ୍ଗାରକ ଅଣୁ ବିଶିଷ୍ଟ ଏକ‌କ ଶର୍କରା ହେକ୍ସୋଜ୍‌ର ଉଦାହରଣ । ପ୍ରତ୍ୟେକ ଏକ‌କ ଶର୍କରା ସ୍ପଟିକୀୟ, ଜଳରେ ଦ୍ରବଣୀୟ ଏବଂ ମିଠା ସ୍ୱାଦଯୁକ୍ତ ଅଟେ ।

ଡାଇସାକାରାଇଡ୍ (Disaccharide)[ସମ୍ପାଦନା]

ସରଳ ଶିକୁଳି ଆକୃତିରେ ଥିବା ଫଳଶର୍କରା (Fructose) ।[୩]

ଡାଇସାକାରାଇଡ୍ (ଡାଇ ବା di = ଦୁଇ ଓ ସାକାରନ୍ ବା saccharon = ଶର୍କରା) ୨ଟି ମନୋସାକାରାଇଡ୍‌ର ସଂଯୋଜନଦ୍ୱାରା ଗଠିତ ଶର୍କରା । ଚିନି ବା ସୁକ୍ରୋଜ୍ରେ (Sucrose) ଗୋଟିଏ ଦ୍ରାକ୍ଷାଶର୍କରା (Glucose) ଓ ଗୋଟିଏ ଫଳଶର୍କରା (Fructose) ଅଣୁ ରହିଥାଏ । ଏହା ଘନୀଭବନ (Condensation) ପ୍ରକ୍ରିୟାରୁ ପ୍ରସ୍ତୁତ ହୋଇଥାଏ । ଆମ ଖାଦ୍ୟରେ ଏଭଳି ଶର୍କରାର ପରିମାଣ ବେଶି । ଜୈବଶର୍କରା (Maltose) ୨ଟି ଦ୍ରାକ୍ଷାଶର୍କରା (Glucose) ଅଣୁ ଏବଂ ଦୁଗ୍ଧଶର୍କରା (Lactose) ଗୋଟିଏ ଫଳଶର୍କରା (Fructose) ଓ ଗୋଟିଏ ଗାଲାକ୍‌ଟୋଜ୍ (Galactose) ଅଣୁର ଘନୀଭବନରୁ ଉତ୍ପନ୍ନ ହୋଇଥାଏ । ଏହି ଏକ‌କ ଶର୍କରାଗୁଡ଼ିକ ସ‌ହସଂଯୋଜକ ବନ୍ଧ (Covalent bond)ଦ୍ୱାରା ଯୋଡ଼ି ହେଉଥିବାରୁ ଏହାକୁ ଗ୍ଲାଇକୋସିଡିକ୍ ବଣ୍ଡ (Glycosidic bond) କୁହାଯାଏ । ଡାଇସାକାରାଇଡ୍‌ଗୁଡ଼ିକ ସ‌ହଜରେ ଜଳ ଅପଘଟିତ ହୋଇ ଏକ‌କ ଶର୍କରାରେ ପରିଣତ ହୋଇଥାନ୍ତି । ଡାଇସାକାରାଇଡ୍ ସ୍ପଟିକୀୟ, ଜଳରେ ଦ୍ରବଣୀୟ ଓ ମିଠା ସ୍ୱାଦଯୁକ୍ତ ଅଟେ ।

ପଲିସାକାରାଇଡ୍ (Polysaccharide)[ସମ୍ପାଦନା]

ପଲିସାକାରାଇଡ୍ (ପଲି ବା poly = ଅନେକ ଓ ସାକାରନ୍ ବା saccharon = ଶର୍କରା) ଅନେକ ଗୁଡ଼ିଏ ମନୋସାକାରାଇଡ୍ ଶର୍କରାର ଏକ ଲମ୍ବା ଶିକୁଳି (Chain) କିମ୍ବା ଶାଖାୟିତ ଶିକୁଳି (Branched chain) ଅଟେ । ଏକା ପ୍ରକାରର ଏକ‌କ ଶର୍କରାଦ୍ୱାରା ଗଠିତ ପଲିସାକାରାଇଡ୍‌କୁ ସମ-ପଲିସାକାରାଇଡ୍ କୁହାଯାଏ । ଭିନ୍ନ ଭିନ୍ନ ପ୍ରକାରର ଏକ‌କ ଶର୍କରାଦ୍ୱାରା ଗଠିତ ହେଲେ ଏହାକୁ ବିଷମ-ପଲିସାକାରାଇଡ୍ କୁହାଯାଏ । ଏଗୁଡ଼ିକ ଅସ୍ପଟିକୀୟ, ସ୍ୱାଦରହିତ ଏବଂ ଜଳରେ ଅଦ୍ରବଣୀୟ ବା ସାମାନ୍ୟ ପରିମାଣରେ ଦ୍ରବଣୀୟ ଅଟନ୍ତି ।

ଶ୍ରେଣୀ ବିଭାଗ[ସମ୍ପାଦନା]

ପଲିସାକାରାଇଡ୍ ଦୁଇ ଭାଗରେ ବିଭକ୍ତ । ଯଥା:

  1. ସଞ୍ଚୟ (Storage)
  2. ଗାଠନିକ (Structural)

ମଣ୍ଡଦ (Starch) ଓ ଗ୍ଲାଇକୋଜେନ୍ (Glycogen) ସଞ୍ଚୟ ଶ୍ରେଣୀର ଅନ୍ତର୍ଭୁକ୍ତ । ମଣ୍ଡଦ (Starch) ଏକ ଦ୍ରାକ୍ଷାଶର୍କରାର (Glucose) ସମାହାର । ଏହା ଉଦ୍ଭିଦରେ ସଞ୍ଚିତ ହୋଇ ରହିଥାଏ । ବିପାଚନ ପ୍ରକ୍ରିୟାରେ ଏହା ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଥାଏ । ଉଦ୍ଭିଦ କୋଷିକାରେ ଆମାଇଲେଜ୍ (Amylase) ଓ ଆମାଇଲୋପେକ୍ଟିନ୍ (Amylopectin) ନାମକ ମଣ୍ଡଦ (Starch) ଗଚ୍ଛିତ ଥାଏ । ତେଣୁ ଉଦ୍ଭିଦର ଯେଉଁ ଲବକରେ (Plastid) ଏହା ସଞ୍ଚିତ ହୋଇଥାଏ, ତାହା ଆମାଇଲୋପ୍ଲାଷ୍ଟ (Amyloplast) ନାମରେ ନାମିତ ।

ଗ୍ଲାଇକୋଜେନ୍ (Glycogen) ଅନେକ ପ୍ରକାରର କବକ (Fungi), ପ୍ରାଣୀମାନ‌ଙ୍କ ଯକୃତ (Liver) ଓ ମାଂସପେଶୀରେ (Muscles) ସଞ୍ଚିତ ଜୈବଶର୍କରା । ମଣ୍ଡଦ (Starch) ଅପେକ୍ଷା ଜଳରେ ଅଧିକ ଦ୍ରବଣୀୟ । ଶରୀରରେ ଶକ୍ତିର ଆବଶ୍ୟକତା ଅନୁସାରେ ଜୈବଶର୍କରା ବିଭାଜିତ ହୋଇ ଦ୍ରାକ୍ଷାଶର୍କରାରେ (Glucose) ପରିଣତ ହୋଇଥାଏ । ରକ୍ତରେ ଆବଶ୍ୟକ ହେଉଥିବା ଶର୍କରାର ପରିମାଣ ସ୍ଥିର ରହିବାରେ ଏହାର ଭୂମିକା ରହିଛି ।

କାର୍ଯ୍ୟ[ସମ୍ପାଦନା]

ଶ୍ୱେତସାରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ହେଲା:

  1. ଶ୍ୱେତସାର ଜୀବମାନ‌ଙ୍କ କୋଷିକାରେ ଖାଦ୍ୟ ପଦାର୍ଥ ଭାବରେ ସଞ୍ଚିତ ହୋଇ ରହିଥାଏ ।
  2. ଆବଶ୍ୟକ ସ୍ଥଳେ ଏଗୁଡ଼ିକ ବିପାଚିତ ହୋଇ ଦ୍ରାକ୍ଷାଶର୍କରାରେ (Glucose) ପରିଣତ ହୋଇଥାନ୍ତି, ଯାହାକି କୋଷିକା ମଧ୍ୟରେ ଶ୍ୱସନ ପ୍ରକ୍ରିୟାରେ ଭାଗ ନେଇ ଶକ୍ତି ଉତ୍ପନ୍ନ କରିଥାନ୍ତି ।
  3. ଉଦ୍ଭିଦ କୋଷିକା ପ୍ରାଚୀରର ପ୍ରଧାନ ଉପାଦାନ ସେଲ୍ୟୁଲୋଜ୍ (Cellulose) । ଏହି ସେଲ୍ୟୁଲୋଜ୍ (Cellulose) ପ୍ରାୟ ୧୫୦୦ଟି ଦ୍ରାକ୍ଷାଶର୍କରାର (Glucose) ଏକ ଶିକୁଳି (Chain) ଅଟେ ।[୪] କୋଷିକାର ସଂପ୍ରସାରଣ ତ‌ଥା ଜଳ ଓ ଅନ୍ୟାନ୍ୟ ଦ୍ରବ୍ୟ ପ୍ରବାହରେ ଏହି ପ୍ରାଚୀର ସ‌ହାୟକ ହୋଇଥାଏ ।
  4. ହେପାରିନ୍ (Heparin) ନାମକ ଏକ ପ୍ରକାରର ପଲିସାକାରାଇଡ୍ (Polysaccharide) ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟକୁ ରୋକିବାରେ ସାହାଯ୍ୟ କରେ ।

ଶ୍ୱେତସାରଯୁକ୍ତ ଖାଦ୍ୟ[ସମ୍ପାଦନା]

ନିମ୍ନ ଲିଖିତ ଖାଦ୍ୟଗୁଡ଼ିକରେ ଶ୍ୱେତସାର ଖୁବ୍ ଅଧିକ ପରିମାଣରେ ଥାଏ ।[୫]

ଶ୍ୱେତସାରଯୁକ୍ତ ଖାଦ୍ୟ
  • ଚିନି
  • ମକା
  • କଦଳୀ
  • ସେଓ
  • ଅଙ୍ଗୁର
  • ସପୁରୀ ପଣସ
  • ଲିଚୁ
  • କମଳା
  • ଖଜୁରୀ କୋଳି
  • ଆଳୁ
  • କନ୍ଦମୂଳ
  • ବାଦାମ
  • ଝୁଡ଼ଙ୍ଗ
  • କ୍ଷୀର
  • ଦ‌ହି
  • ଭାତ
  • ବାର୍ଲି
  • ବାଜରା
  • ଯଅ
  • ‌ଗ‌ହମ
  • ଶାଗୁ

ଶ୍ୱେତସାରଜନିତ ରୋଗ[ସମ୍ପାଦନା]

ଶ୍ୱେତସାର ଅଭାବରେ ହେଉଥିବା ରୋଗ[ସମ୍ପାଦନା]

ନିମ୍ନ ଲିଖିତ ରୋଗ‌ଗୁଡ଼ିକ ଶ୍ୱେତସାରର ଅଭାବରେ ହୋଇଥାଏ ।[୬]

ଶ୍ୱେତସାର ଆଧିକ୍ୟରେ ହେଉଥିବା ରୋଗ[ସମ୍ପାଦନା]

ନିମ୍ନ ଲିଖିତ ରୋଗ‌ଗୁଡ଼ିକ ଶ୍ୱେତସାରର ଆଧିକ୍ୟରେ ହୋଇଥାଏ ।[୭]

ଆଧାର[ସମ୍ପାଦନା]

  1. ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଇଚ୍ଛାଧୀନ), ଦଶମ ଶ୍ରେଣୀ. ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା. p. ୧୫୪. 
  2. "ଶ୍ୱେତସାର". 
  3. ଦଶମ ଶ୍ରେଣୀ. ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଇଚ୍ଛାଧୀନ). ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ. p. ୧୫୪. 
  4. ସେଲ୍ୟୁଲୋଜ୍, ଶ୍ୱେତସାର. "ସେଲ୍ୟୁଲୋଜ୍‌ରେ ଶ୍ୱେତସାର". 
  5. ଖାଦ୍ୟ, ଶ୍ୱେତସାର. "ଶ୍ୱେତସାର ଜାତୀୟ ଖାଦ୍ୟ". 
  6. ରୋଗ, ଶ୍ୱେତସାର. "ଶ୍ୱେତସାରର ଅଭାବରେ ହେଉଥିବା ରୋଗ". 
  7. ରୋଗ, ଶ୍ୱେତସାର. "ଶ୍ୱେତସାରର ଆଧିକ୍ୟରେ ହେଉଥିବା ରୋଗ".