ଦୁବ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଦୁବ
Cynodon dactylon 2.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Monocots
ଅଶ୍ରେଣୀକୃତ: Commelinids
ଗଣ: Poales
କୁଳ: Poaceae
ପ୍ରଜାତି: Cynodon
ଜାତି: C. dactylon
ବାଇନୋମିଆଲ ନାମ
Cynodon dactylon
Carolus Linnaeus, Christian Hendrik Persoon

ଦୁବ ଏକ ତୃଣ ଜାତୀୟ ଉଦ୍ଭିଦ । ଏହାର ବୈଜ୍ଞାନିକ ନାମ ସାଇନୋଡନ ଡକ ଟାଇଲନ । ସାଇନୋଡନ ଅର୍ଥ କୁକୁର ଦାନ୍ତ ଓ ଡକଟାଇଲନ ଅର୍ଥ ଆଙ୍ଗୁଳି ଭଳି ଚେର । ଦୁବ ଘସର ଅନ୍ୟାନ୍ୟ ନାମ ମଧ୍ୟରେ ବାହାମା ଘାସ, ବରମୁଣ୍ଡା ଘାସ, କୁକୁର ଦାନ୍ତ ଘାସ, ତାରା ଘାସ, ଲନ ଘାସ ଓ କଚ ଘାସ ପ୍ରଧାନ । ଏହାର ଉତ୍ପତ୍ତି ସ୍ଥଳ ପୃଥିବୀର ଉଷ୍ମ ଓ ଆର୍ଦ୍ର ଜଳବାୟୁ ଯଥା ଭାରତ ଓ ପୂର୍ବ ଆଫ୍ରିକା ଅଂଚଳରେ । ମାତ୍ର ପୃଥିବୀର ଅଧିକାଂଶ ଅଂଚଳରେ ଦେଖାଯାଏ । ଭାରତୀୟ ଚାରଣ ଭୂମିରେ ଦୁବ ଏକ ପ୍ରମୁଖ ଘାସ ଭାବରେ ଦେଖାଯାଏ । ଏହା ଅଧିକ ଚାରଣ ଚାପ ସହିପାରୁଥିବା ଯୋଗୁଁ ଚାରଣ ଭୂମିରେ ତିଷ୍ଠିରହିପାରେ । ଏହା କୋମଳ, ସୁସ୍ୱାଦୁ ଓ ରସାଳ ହୋଇଥିବାରୁ ଗାଈ ଗୋରୁ, ଛେଳି ମେଣ୍ଢା ଓ ଠେକୁଆଆଦିଙ୍କ ପ୍ରିୟ ଖାଦ୍ୟ ଅଟେ ।

କଅଁଳ ଦୁବ ଘାସରେ ଶତକଡ଼ା ୧୪ ଭାଗ ଓ ପାକଳ ଦୁବ ଘାସରେ ୮.୩ ଭାଗ ପୁଷ୍ଟିସାର ଥିବାବେଳେ ଏଥିରୁ ୨୫ରୁ ୩୦ ଶତକଡ଼ା ତନ୍ତୁ ମିଳିଥାଏ । [୧]


ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଦୁବ
ସଂସ୍କୃତ ଦୁର୍ବା, ଭାଗବୀ, ବହୁବୀର୍ଯ୍ୟା ଓ ମାଙ୍ଗଲ୍ୟା
ହିନ୍ଦୀ ଦୁବ
ତେଲୁଗୁ ଗରିକେଗଡକୀ
ବଙ୍ଗଳା ଦୁର୍ବା

ଦୁବ ଚାଷ[ସମ୍ପାଦନା]

ବିଭିନ୍ନ ଦେଶରେ ଚାରଣ ଭୂମିରେ ଚାଷ କରି ସାର ଖତ ଦେଇ ଗୋଖାଦ୍ୟ ଭାବରେ ବ୍ୟବହାର ହୋଇଥାଏ । ସାଧାରଣତଃ ୧୫୦ରୁ ୩୫୦ ସେଣ୍ଟିଗ୍ରେଡ଼ ତାପମାତ୍ରାରେ ଦୁବ ଭଲ ବଢ଼େ । ଅଧିକ ଗରମ ଓ ଶୀତରେ ଏହା ଭଲ ବଢ଼ିନଥାଏ । ଏକ ହେକ୍ଟର ପରିମିତ ସ୍ଥାନରୁ ବାର୍ଷିକ ୧୦୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଦୁବ ଘାସ ଉତ୍ପାଦିତ ହୋଇପାରେ ।

ଉପକାରିତା[ସମ୍ପାଦନା]

ଗୋଖାଦ୍ୟ ବ୍ୟତୀତ ପରିବେଶ ସୁରକ୍ଷା ପାଇଁ ଦୁବ ଘାସର ଅବଦାନ ଅଧିକ । ଯେଉଁଠି ଅନ୍ୟ କିଛି ଘାସ ହୋଇପାରେ ନାହିଁ ସେଠାରେ ଦୁବ ଘାସ ବଞ୍ଚିପାରେ । ମାଟି ଉପରେ ଏହା ଗଲିଚା ଭଳି ବଢ଼ୁଥିବାରୁ ସୂର୍ଯ୍ୟ କିରଣ ସିଧାସଳଖ ମାଟିରେ ପଡ଼େନାହିଁ । ଯାହା ଫଳରେ ମାଟି ଥଣ୍ଡା ରହିବା ସହିତ ଆର୍ଦ୍ରତା ବଜାୟ ରହିଥାଏ । ଖରାଦିନରୁ ବର୍ଷାଦିନ ଶେଷ ପର୍ଯ୍ୟନ୍ତ ଏହା ବିଭିନ୍ନ ସ୍ଥାନରେ ଅଧିକ ଦେଖାଯାଇଥାଏ । ଏହାର ପ୍ରତି ଗଣ୍ଠିରୁ ଚେର ବାହାରି ମାଟିକୁ ଦୃଢ଼ ଭାବେ ଜାବୁଡ଼ି ଧରିଥାଏ । ତେଣୁ ବର୍ଷାର ଶକ୍ତ ଟୋପା ଓ ବର୍ଷା ଜଳ ପ୍ରବାହ ସମୟରେ ଏହା ମୃତିକା କ୍ଷୟକୁ ରୋକିପାରେ । ମାଟି ଉପରେ ଦୁବ ଘାସର ଉପସ୍ଥିତି ପାଇଁ ବର୍ଷା ପାଣି ଶୀଘ୍ର ଗଡ଼ିନଯାଇ ମାଟି ଭିତରକୁ ପ୍ରବେଶ କରେ ଯାହା ସେହି ସ୍ଥାନର ଜଳସ୍ତର ବୃଦ୍ଧିରେ ସହାୟକ ହୁଏ ।

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଅଳ୍ପ କଷାୟ, ମଧୁର ରସ, ଶୀତଳ, ରକ୍ତରୋଧକ ତଥା ଶୋଧକ । ମାତ୍ରା ଅର୍ଦ୍ଧତୋଳାରୁ ଏକତୋଳା ।

ଅୟୁର୍ବେଦରେ ବ୍ୟବହାର[ସମ୍ପାଦନା]

ଏହାର ଗୋଟିଏ ଜାତି ସବୁଜ ଓ ଅନ୍ୟଟି ଶ୍ୱେତ । ପୂଜା ଆଦିରେ ସବୁଜ ଦୁବ ଲାଗେ ଓ ମନ୍ତ୍ର, ଯନ୍ତ୍ରାଦିରେ ଶ୍ୱେତ ଦୁବ କାମରେ ଆସେ ।ଏହାର ସର୍ବାଙ୍ଗ ଔଷଧରୂପେ ବ୍ୟବହୃତ ହୁଏ । ଏହା ରକ୍ତପିତ୍ତ, ପିତ୍ତ, ଦାହ, ରକ୍ତବିକୃତି, ପୀନସ, ଭୂତାବେଶ, ଅର୍ଶ, କ୍ଷତ, ବ୍ରଣ ଓ ଶୀତପିତ୍ତ ପ୍ରଭୃତି ରୋଗ ନିବାରକ ଅଟେ। ଶିଶୁମାନଙ୍କର ବାନ୍ତିରେ ଏହାର ରସକୁ ମିଶ୍ରି ସହିତ, ବ୍ରଣ, ଭଗନ୍ଦର, କ୍ଷତ, ବାଗୀ ଆଦିରେ ଏହାର ରସକୁ ଯଥାବିଧି ତୈଳପାକ କରି ବ୍ୟବହାର କରାଯାଏ । ନାକରୁ ରକ୍ତ ପଡୁଥିଲେ ଏହାର ରସ ନାକରେ ପକାଇଲେ ଭଲହୁଏ । ପିତ୍ତାଦି ରୋଗରେ ଏହାର ମୂଳର ଚୂର୍ଣ୍ଣକୁ ମହୁ ସହିତ ପ୍ରୟୋଗ କରାଯାଏ। ଶିରପୀଡାରେ ଏହାର ଚେରକୁ ଅରୁଆ ଚାଉଳ ସହିତ ବାଟି ମୁଣ୍ଡରେ ପ୍ରଲେପ ଦିଆଯାଏ । ଗାଈ ଲହୁଣୀ ସହିତ ଏହାର ରସକୁ ମିଶାଇ ସେବନ କଲେ ଅର୍ଶ ନିବାରିତ ହୁଏ । ଗୁଗ୍ଗୁଳ ଚୁର୍ଣ୍ଣର ପ୍ରକ୍ଷେପ ଦେଇ ସେବନ କଲେ ବ୍ରଣ, କ୍ଷତ, ଉପଦଂଶରେ ଆରାମ ମିଳେ। ଏହାର ରସକୁ ଅଁଳାରସ ଓ ମିଶ୍ରିଗୁଣ୍ଡ ମିଶାଇ ସେବନ କଲେ ପ୍ରମେହ ନିବାରିତ ହୁଏ । ଏହାର ରସରେ ମହୁ ମିଶାଇ ସେବନ କଲେ ସମସ୍ତପ୍ରକାର ରକ୍ତ ବିକୃତି ଦୂର ହୁଏ। କାଟି ହୋଇଯିବା ସ୍ଥାନରେ ଏହାକୁ ଲଗାଇଲେ ରକ୍ତ ଗଡ଼ିବା ବନ୍ଦ ହୁଏ ।

ଆଧାର[ସମ୍ପାଦନା]

  1. ମହାପାତ୍ର, କେଶବ କୁମାର. "ଗୁଣକାରୀ ଦୁବ". ଧରିତ୍ରୀ. Retrieved 16 January 2017. 

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ