ଶ୍ରୀମଦ୍ଭଗବତ୍ଗୀତା

ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ ।[୧] ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
ଗୀତାର ଅଷ୍ଟାଦଶ ଅଧ୍ୟାୟ
[ସମ୍ପାଦନା]
ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ। ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ୱିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ।[୨]
- ପ୍ରଥମ ଅଧ୍ୟାୟ: ଅର୍ଜୁନଙ୍କ ବିଷାଦ ଯୋଗ । କଠୋର କର୍ତ୍ତବ୍ୟ ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, ଭାଇ ଓ ପିତା ମାତା ଆଦିଙ୍କର ସ୍ଥାନ ନାହିଁ । ଏମାନଙ୍କ ଅନୀତିକୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ ଅବହେଳା ହୁଏ ବୋଲି ଶ୍ରୀକୃଷ୍ଣ କହୁଛନ୍ତି।
- ଦ୍ୱିତୀୟ ଅଧ୍ୟାୟ: ସାଂଖ୍ୟ ଯୋଗ: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ୱ ଆଲୋଚିତ ହୋଇଛି । ମନୁଷ୍ୟ ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ ଇନ୍ଦ୍ରିୟ ମାଧ୍ୟମରେ କର୍ମକରି ମଧ୍ୟ କର୍ମରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି।
- ତୃତୀୟ ଅଧ୍ୟାୟ: କର୍ମଯୋଗ: ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି।
- ଚତୁର୍ଥ ଅଧ୍ୟାୟ: ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ: ଏଥିରେ ଶ୍ରୀକୃଷ୍ଣ ଜ୍ଞାନର ସ୍ୱରୂପ, ଆତ୍ମଜ୍ଞାନର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ।
- ପଞ୍ଚମ ଅଧ୍ୟାୟ: କର୍ମସନ୍ନ୍ୟାସ ଯୋଗ: ଏଥିରେ ଶ୍ରୀକୃଷ୍ଣ କର୍ମତ୍ୟାଗର ପଥ ବିଷୟରେ ବ୍ୟାଖ୍ୟା କରିଛନ୍ତି ।
- ଷଷ୍ଠ ଅଧ୍ୟାୟ: ଧ୍ୟାନଯୋଗ: ଏଥିରେ ଶ୍ରୀକୃଷ୍ଣ ଚଞ୍ଚଳ ମନ ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ ଧ୍ୟାନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ।
- ସପ୍ତମ ଅଧ୍ୟାୟ: ଜ୍ଞାନବିଜ୍ଞାନଯୋଗ: ଏଥିରେ ଭଗବାନଙ୍କର ସ୍ୱରୂପ ବିଷୟରେ ଆଲୋଚନା କରାଯାଇଛି ।
- ଅଷ୍ଟମ ଅଧ୍ୟାୟ: ଅକ୍ଷର ବ୍ରହ୍ମ ଯୋଗ: ଏଥିରେ ଉପନିଷଦମାନଙ୍କରେ ବର୍ଣ୍ଣିତ ତତ୍ତ୍ୱଗୁଡିକର ବ୍ୟାଖ୍ୟା କରାଯାଇଛି
- ନବମ ଅଧ୍ୟାୟ: ରାଜବିଦ୍ୟା ଯୋଗ: ଏଥିରେ ଶ୍ରୀକୃଷ୍ଣ ତାଙ୍କ ପ୍ରତି ଉଦ୍ଦିଷ୍ଟ ବିଶୁଦ୍ଧ ଭକ୍ତିର ଶ୍ରେଷ୍ଠତା ପ୍ରତିପାଦନ କରୁଛନ୍ତି ।
- ଦଶମ ଅଧ୍ୟାୟ: ବିଭୂତି ଯୋଗ:ଏହି ଅଧ୍ୟାୟରେ, ଶ୍ରୀକୃଷ୍ଣ ନିଜ ଅସୀମ ମହିମା ଓ ଐଶ୍ୱର୍ଯ୍ୟ ବର୍ଣ୍ଣନା କରି ଅର୍ଜୁନଙ୍କ ଭକ୍ତିକୁ ଅଧିକ ବୃଦ୍ଧି କରିବାକୁ ଇଚ୍ଛା କରିଛନ୍ତି ।
- ଏକାଦଶ ଅଧ୍ୟାୟ: ବିଶ୍ୱରୂପ ଦର୍ଶନ ଯୋଗ:ଏହି ଅଧ୍ୟାୟରେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ଦେଲେ, ଯାହା ଦ୍ୱାରା ସେ ସମସ୍ତ ବ୍ରହ୍ମାଣ୍ଡକୁ ସାମାବେଶ କରିଥିବା ତାଙ୍କ ଅସୀମ ବିଶ୍ୱରୂପକୁ ଦେଖିପାରିଲେ ।
- ଦ୍ୱାଦଶ ଅଧ୍ୟାୟ: ଭକ୍ତି ଯୋଗ:ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ସମସ୍ତ ଆଧ୍ୟାତ୍ମିକ ପଥ ମଧ୍ୟରୁ ଭକ୍ତିର ପଥ ହେଉଛି ସର୍ବୋଚ୍ଚ ବୋଲି ଉଲ୍ଲେଖ କରନ୍ତି ।
- ତ୍ରୟୋଦଶ ଅଧ୍ୟାୟ: କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ ଏଥିରେ ପ୍ରକୃତି ଓ ପୁରୁଷ, ଦେହ ଓ ଆତ୍ମା, ଜ୍ଞାନ ଓ ଜ୍ଞେୟ ଇତ୍ୟାଦି ତତ୍ତ୍ୱ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ।
- ଚତୁର୍ଦ୍ଦଶ ଅଧ୍ୟାୟ: ତ୍ରିଗୁଣ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରିଛନ୍ତି ।
- ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ।
- ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ :ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଦୈବୀ ଓ ଆସୁରୀ ; ଏହି ଦୁଇ ପ୍ରକାର ପ୍ରକୃତିର ବର୍ଣ୍ଣନା କରିଛନ୍ତି ।
- ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧାତ୍ରୟ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ତ୍ରିବିଧ ଶ୍ରଦ୍ଧା, ତ୍ରିବିଧ ଆହାର ଓ କର୍ମରେ ବ୍ରହ୍ମ ନିର୍ଦ୍ଦେଶ ସମ୍ବନ୍ଧରେ ବିଶଦ୍ ଆଲୋଚନା କରିଛନ୍ତି ।
- ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷ ସନ୍ନ୍ୟାସ ଯୋଗ । ଏଥିରେ କର୍ମତତ୍ତ୍ୱର ବିଶ୍ଲେଷଣ, କର୍ମଯୋଗରେ ମୋକ୍ଷଲାଭର ଉପାୟ, ସର୍ବଧର୍ମ ତ୍ୟାଗ ଅଭୟବାଣୀ ଓ ଶରଣାଗତ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରାଯାଇ ଉପସଂହାରରେ କୁହାଯାଇଛି:
“ସର୍ବଧର୍ମାନ ପରିତ୍ୟଜ ମାକେକଂ ଶରଣଂ ବ୍ରଜ
ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ
ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ
ତତ୍ର ଶୀର୍ବିଜୟୋ ଭୂତିର୍ଧୃବା ନୀତିର୍ମତିର୍ମମ ।’’
ଗୀତାସାର
[ସମ୍ପାଦନା]ଭଗବତ ଗୀତାର ସମସ୍ତ ୧୮ଟି ଅଧ୍ୟାୟର ସାରତତ୍ତ୍ଵକୁ ନିମ୍ନ ମତେ ସହଜ ତଥା ସରଲ ଭାଷାରେ ମଧ୍ୟ ବ୍ୟଖ୍ୟା କରାଯାଇଛି ।[୩]
ଅଧ୍ୟାୟ ୧ : ଅର୍ଜୁନ ବିଷାଦ ଯୋଗ
[ସମ୍ପାଦନା]ଯୁଦ୍ଧଭୂମିରେ ନିଜ ସ୍ୱଜନମାନଙ୍କୁ ଦେଖି ଅର୍ଜୁନ ଗଭୀର ଦୁଃଖ ଓ ମୋହରେ ପଡ଼ି ଯୁଦ୍ଧ କରିବାକୁ ଅସ୍ୱୀକାର କରନ୍ତି । ସେ ଧର୍ମ ଓ କର୍ତ୍ତବ୍ୟ ବିଷୟରେ ଭ୍ରମିତ ହୋଇ ପଡ଼ନ୍ତି । ଏହି ଅବସ୍ଥା ଗୀତା ଉପଦେଶର ପୃଷ୍ଠଭୂମି ତିଆରି କରେ ।
ଅଧ୍ୟାୟ ୨ : ସାଂଖ୍ୟ ଯୋଗ
[ସମ୍ପାଦନା]ଶ୍ରୀକୃଷ୍ଣ ଆତ୍ମାର ଅମରତ୍ୱ ଓ ଶରୀରର ନାଶବାନ ସ୍ୱଭାବ ବ୍ୟାଖ୍ୟା କରନ୍ତି । ସେ ନିଷ୍କାମ କର୍ମ ଓ ସମବୃତ୍ତିର ମହତ୍ତ୍ୱ ବୁଝାନ୍ତି । ଏହା ଗୀତାର ମୂଳ ଦାର୍ଶନିକ ଭିତ୍ତି ରୂପେ ପରିଚିତ ।
ଅଧ୍ୟାୟ ୩ : କର୍ମ ଯୋଗ
[ସମ୍ପାଦନା]ମନୁଷ୍ୟ କର୍ମ ବିନା ରହିପାରେ ନାହିଁ ବୋଲି ଶ୍ରୀକୃଷ୍ଣ କହନ୍ତି । ଫଳାଶା ତ୍ୟାଗ କରି କର୍ତ୍ତବ୍ୟ କର୍ମ କଲେ ମୋକ୍ଷ ମିଳେ । ସମାଜର ସମତୁଳନ ପାଇଁ ନିଷ୍କାମ କର୍ମ ଅତ୍ୟାବଶ୍ୟକ ।
ଅଧ୍ୟାୟ ୪ : ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ
[ସମ୍ପାଦନା]ଶ୍ରୀକୃଷ୍ଣ ନିଜ ଅବତାର ରହସ୍ୟ ଓ ଧର୍ମ ସ୍ଥାପନର କାରଣ ବ୍ୟାଖ୍ୟା କରନ୍ତି। ଜ୍ଞାନ ଦ୍ୱାରା କର୍ମର ବନ୍ଧନ ନଶ୍ଟ ହୁଏ। ଜ୍ଞାନଯୁକ୍ତ କର୍ମ ମୁକ୍ତିର ପଥ ଅଟେ।
ଅଧ୍ୟାୟ ୫ : କର୍ମ ସନ୍ନ୍ୟାସ ଯୋଗ
[ସମ୍ପାଦନା]ସନ୍ନ୍ୟାସ ଓ କର୍ମଯୋଗ ମଧ୍ୟରେ ଶ୍ରୀକୃଷ୍ଣ ସମନ୍ୱୟ ସ୍ଥାପନ କରନ୍ତି । ଆସକ୍ତି ତ୍ୟାଗ ସହ କର୍ମ କରିଲେ ସତ୍ୟ ସନ୍ନ୍ୟାସ ସଫଳ ହୁଏ । ଏହା ମନକୁ ଶାନ୍ତି ଓ ମୋକ୍ଷକୁ ନେଇଯାଏ ।
ଅଧ୍ୟାୟ ୬ : ଧ୍ୟାନ ଯୋଗ
[ସମ୍ପାଦନା]ମନ ନିୟନ୍ତ୍ରଣ ଓ ଧ୍ୟାନ ଅଭ୍ୟାସର ପ୍ରକ୍ରିୟା ବିବରଣୀ ଦିଆଯାଇଛି । ନିୟମିତ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନକୁ ବଶ କରାଯାଇପାରେ। ସଫଳ ଯୋଗୀ ଆତ୍ମଶାନ୍ତି ପ୍ରାପ୍ତ କରେ।
ଅଧ୍ୟାୟ ୭ : ଜ୍ଞାନ ବିଜ୍ଞାନ ଯୋଗ
[ସମ୍ପାଦନା]ଶ୍ରୀକୃଷ୍ଣ ନିଜ ପରମ ତତ୍ତ୍ୱ ଓ ମାୟାଶକ୍ତି ବ୍ୟାଖ୍ୟା କରନ୍ତି । ଭକ୍ତି ସହ ଜ୍ଞାନ ଥିଲେ ମନୁଷ୍ୟ ଭଗବାନଙ୍କୁ ପ୍ରାପ୍ତ କରିପାରେ । ସମସ୍ତ କିଛି ଭଗବାନଙ୍କ ଠାରୁ ଉତ୍ପନ୍ନ ।
ଅଧ୍ୟାୟ ୮ : ଅକ୍ଷର ବ୍ରହ୍ମ ଯୋଗ
[ସମ୍ପାଦନା]ମୃତ୍ୟୁ ସମୟରେ ଯାହାକୁ ସ୍ମରଣ କରାଯାଏ, ସେହି ଅବସ୍ଥାକୁ ମନୁଷ୍ୟ ପ୍ରାପ୍ତ କରେ। ଭଗବାନଙ୍କର ନିରନ୍ତର ସ୍ମରଣ ମୋକ୍ଷର ପଥ । ବ୍ରହ୍ମର ସ୍ୱରୂପ ଓ ଯୋଗର ମହତ୍ତ୍ୱ ବ୍ୟାଖ୍ୟା କରାଯାଇଛି ।
ଅଧ୍ୟାୟ ୯ : ରାଜ ବିଦ୍ୟା ରାଜ ଗୁହ୍ୟ ଯୋଗ
[ସମ୍ପାଦନା]ଭକ୍ତିକୁ ସର୍ବଶ୍ରେଷ୍ଠ ଗୁହ୍ୟ ଜ୍ଞାନ ଭାବେ ବର୍ଣ୍ଣନା କରାଯାଇଛି । ସରଳ ଭକ୍ତି ଦ୍ୱାରା ଯେକେହି ଭଗବାନଙ୍କୁ ପ୍ରାପ୍ତ କରିପାରେ । ଭଗବାନ ସମସ୍ତଙ୍କୁ ସମଭାବରେ ଦେଖନ୍ତି ।
ଅଧ୍ୟାୟ ୧୦ : ବିଭୂତି ଯୋଗ
[ସମ୍ପାଦନା]ଶ୍ରୀକୃଷ୍ଣ ନିଜ ଦିବ୍ୟ ବିଭୂତିମାନଙ୍କ ବର୍ଣ୍ଣନା କରନ୍ତି । ସମସ୍ତ ଶ୍ରେଷ୍ଠତାରେ ଭଗବାନଙ୍କ ଉପସ୍ଥିତି ରହିଛି । ଏହା ଭକ୍ତଙ୍କର ଶ୍ରଦ୍ଧାକୁ ଦୃଢ଼ କରେ।
ଅଧ୍ୟାୟ ୧୧ : ବିଶ୍ୱରୂପ ଦର୍ଶନ ଯୋଗ
[ସମ୍ପାଦନା]ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜ ବିଶ୍ୱରୂପ ଦର୍ଶନ କରାନ୍ତି । ଏଥିରେ ସୃଷ୍ଟି, ସଂହାର ଓ କାଳର ଭୟାନକ ରୂପ ପ୍ରକାଶିତ ହୁଏ । ଅର୍ଜୁନ ଭଗବାନଙ୍କ ଶରଣାଗତ ହୁଅନ୍ତି ।
ଅଧ୍ୟାୟ ୧୨ : ଭକ୍ତି ଯୋଗ
[ସମ୍ପାଦନା]ଭକ୍ତଙ୍କର ଗୁଣ ଓ ଭକ୍ତିର ମାର୍ଗ ବର୍ଣ୍ଣିତ। ନିଷ୍ଠା, ନମ୍ରତା ଓ ପ୍ରେମ ଭକ୍ତିର ମୂଳ ଗୁଣ । ଭକ୍ତି ମାର୍ଗ ସରଳ ଓ ସର୍ବସାଧାରଣଙ୍କ ପାଇଁ ଉପଯୋଗୀ ।
ଅଧ୍ୟାୟ ୧୩ : କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ
[ସମ୍ପାଦନା]ଶରୀରକୁ କ୍ଷେତ୍ର ଓ ଆତ୍ମାକୁ କ୍ଷେତ୍ରଜ୍ଞ ବୋଲି ବ୍ୟାଖ୍ୟା କରାଯାଇଛି । ଜ୍ଞାନ ଦ୍ୱାରା ଏହି ପାର୍ଥକ୍ୟ ବୁଝିଲେ ମୋକ୍ଷ ମିଳେ । ପରମାତ୍ମା ସମସ୍ତ ଶରୀରରେ ବିଦ୍ୟମାନ ।
ଅଧ୍ୟାୟ ୧୪ : ଗୁଣତ୍ରୟ ବିଭାଗ ଯୋଗ
[ସମ୍ପାଦନା]ସତ୍ତ୍ୱ, ରଜସ ଓ ତମସ—ଏଇ ତିନି ଗୁଣ ମନୁଷ୍ୟକୁ ବନ୍ଧନରେ ବାନ୍ଧେ। ଏହି ଗୁଣମାନଙ୍କୁ ଅତିକ୍ରମ କରିଲେ ମୋକ୍ଷ ମିଳେ । ଭକ୍ତି ଦ୍ୱାରା ଗୁଣାତୀତ ହେବା ସମ୍ଭବ ।
ଅଧ୍ୟାୟ ୧୫ : ପୁରୁଷୋତ୍ତମ ଯୋଗ
[ସମ୍ପାଦନା]ସଂସାରକୁ ଓଲତା ଅଶ୍ୱତ୍ଥ ବୃକ୍ଷ ସହ ତୁଳନା କରାଯାଇଛି । ପୁରୁଷୋତ୍ତମ ପରମେଶ୍ୱର ସମସ୍ତଙ୍କଠାରୁ ଉର୍ଦ୍ଧ୍ଵରେ । ଭକ୍ତି ଦ୍ୱାରା ତାଙ୍କୁ ପ୍ରାପ୍ତ କରାଯାଏ।
ଅଧ୍ୟାୟ ୧୬ : ଦୈବାସୁର ସମ୍ପଦ ବିଭାଗ ଯୋଗ
[ସମ୍ପାଦନା]ଦୈବୀ ଓ ଆସୁରୀ ସ୍ୱଭାବର ଲକ୍ଷଣ ବର୍ଣ୍ଣିତ। ଦୈବୀ ଗୁଣ ମୋକ୍ଷକୁ ନେଇଯାଏ, ଆସୁରୀ ଗୁଣ ପତନକୁ । ଏଠରେ ଶାସ୍ତ୍ର ଅନୁସରଣର ଆବଶ୍ୟକତା ଉଲ୍ଲିଖିତ।
ଅଧ୍ୟାୟ ୧୭ : ଶ୍ରଦ୍ଧାତ୍ରୟ ବିଭାଗ ଯୋଗ
[ସମ୍ପାଦନା]ଶ୍ରଦ୍ଧା ମଧ୍ୟ ସତ୍ତ୍ୱ, ରଜସ ଓ ତମସ ଗୁଣର ହୁଏ । ଆହାର, ଯଜ୍ଞ, ତପ ଓ ଦାନର ଗୁଣଭେଦ ବ୍ୟାଖ୍ୟା କରାଯାଇଛି । ଶୁଦ୍ଧ ଶ୍ରଦ୍ଧା ଆତ୍ମୋନ୍ନତିକୁ ନେଇଯାଏ ।
ଅଧ୍ୟାୟ ୧୮ : ମୋକ୍ଷ ସନ୍ନ୍ୟାସ ଯୋଗ
[ସମ୍ପାଦନା]ସମସ୍ତ ଯୋଗର ସାର ଏହି ଅଧ୍ୟାୟରେ ସଂକ୍ଷେପ ହୋଇଛି । ନିଜ ସ୍ୱଧର୍ମ ପାଳନ ଓ ଭଗବାନଙ୍କୁ ସମର୍ପଣ ମୋକ୍ଷର ସର୍ବୋତ୍ତମ ମାର୍ଗ । “ସର୍ବଧର୍ମାନ୍ ପରିତ୍ୟଜ୍ୟ” ଶ୍ଲୋକ ଗୀତାର ସର୍ବୋଚ୍ଚ ସନ୍ଦେଶ ଅଟେ ।
ଆଧାର
[ସମ୍ପାଦନା]- ↑ "Bhagavad Gita | Hinduism, Mahabharata, Contents, & Meaning | Britannica". Encyclopedia Britannica (in ଇଂରାଜୀ). Retrieved 2025-12-14.
- ↑ "Bhagavad Gita, The Song of God – Swami Mukundananda". www.holy-bhagavad-gita.org. Retrieved 2025-12-14.
- ↑ "Bhagavad Gita Chapter Summaries - All 18 Chapters Complete Guide". srimadgita.com (in ଇଂରାଜୀ). Retrieved 2025-12-14.
ଅଧିକ ତଥ୍ୟ
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |