Jump to content

ଭାଇ ଜିଉନ୍ତିଆ

ଉଇକିପିଡ଼ିଆ‌ରୁ
ଭାଇ ଜିଉନ୍ତିଆ
ଅନ୍ୟ ନାମଭାଇ ଜିଉନ୍ତିଆ
ପର୍ବ ପାଳନଉପବାସ, ପୂଜା
ତାରିଖଆଶ୍ୱିନ ଶୁକ୍ଳ ମହାଷ୍ଟମୀ

ଭାଇ ଜିଉନ୍ତିଆ ଓଡ଼ିଶାରେ ପାଳିତ ଏକ ଓଷା। ଏହି ଓଷାରେ ଭଉଣୀମାନେ ନିଜ ଭାଇର ଦୀର୍ଘ ଜୀବନ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହି ଓଷା ଆଶ୍ୱିନ ମାସର ଶୁକ୍ଳାଷ୍ଟମୀରେ ହୁଏ। [] [] ପଶ୍ଚିମ ଓଡ଼ିଶାରେ ଭାଇ ଜିଉଁନ୍ତିଆ ଓଷା ବିଧିବିଧାନ ସହ ମହାଡମ୍ବରରେ ପାଳନ କରାଯାଉଥିବାର ନଜିର ରହିଛି ।

ପୌରାଣିକ

[ସମ୍ପାଦନା]

ମାଳତୀ ଓ ମଦନସୁନ୍ଦର

[ସମ୍ପାଦନା]

ଭାଇ ଜିଉଁନ୍ତିଆ ପର୍ବ ପାଳନ ପ୍ରଚ୍ଛଦରେ ଏକ ଅମୂଲ୍ୟ କାହାଣୀ ନିହିତ ଅଛି । ରାଜକୁମାରୀ ଅରୁଣା ଥିଲା ଚମ୍ପାବତୀ ନଗରୀର ରାଜା ବିକ୍ରମ ସେନଙ୍କ କନ୍ୟା । ବିବାହ ବୟସ ଉପନୀତ ହୁଅନ୍ତେ ମନ୍ତ୍ରୀଙ୍କ କୁମର ମଦନ ସୁନ୍ଦରଙ୍କୁ ପତି ରୂପେ ପ୍ରାପ୍ତ ହେବା ପାଇଁ ଅଳି କଲା ପିତୃଦେବଙ୍କ ନିକଟରେ । ଏମିତି ଏକ ଅସମ୍ଭବ ଯୋଗାଯୋଗକୁ ରାଜା ବିରୋଧ ପୂର୍ବକ କ୍ରୋଧ ପ୍ରକାଶ କଲେ । ମନ୍ତ୍ରୀଙ୍କ ପୁତ୍ରକୁ ହତ୍ୟା କରିବା ପାଇଁ ଅବିଚାର ଢଙ୍ଗରେ ଆଦେଶ ଦେଲେ ଘାତକକୁ କ୍ରୁର କାର୍ଯ୍ୟ ସମ୍ପାଦନ ସକାଶେ । ଅସଫଳ ହୋଇ ଫେରି ଆସିଲା ଘାତକ । ଗୋଟିଏ ପଟେ ଅଲିଅଳି କନ୍ୟାର ଆକର୍ଷଣ, ଅନ୍ୟ ପଟେ ମନ୍ତ୍ରୀଙ୍କ ପୁତ୍ର ସହ ବିବାହ ପ୍ରତି କୁଠାର ଘାତ କିଂକର୍ତ୍ତବ୍ୟବିମୂଢ ରାଜା ବିକ୍ରମ ସେନ୍ । ମନ୍ତ୍ରୀ କୁମର ମଦନ ସୁନ୍ଦର ବଞ୍ଚିବାର କାହାଣୀର ପୃଷ୍ଠଭୂମି ଥିଲା ଏହିପରି । ସେଦିନ ଥିଲା ଆଶ୍ୱିନ ମାସର ଶୁକ୍ଳ ମହାଷ୍ଟମୀ ତିଥି । ମଦନ ସୁନ୍ଦରଙ୍କ ଭଉଣୀ ମାଳତୀ । ମାଳତୀର ମା' କହିଥିଲେ ନିଷ୍ଠା- ସାଧନା ସହ ପାଳନ କରିବାକୁ ଭାଇ ଜିଉଁନ୍ତିଆ ଓଷା ଭାଇର ଚିର ମଙ୍ଗଳ ପାଇଁ ।

କହିଲେ ଜନନୀ, ଆଜି ଲୋ ମହାଅଷ୍ଟମୀ ବ୍ରତ
ଉପବାସେ ଦୁର୍ଗା ପୂଜିଲେ ହୁଏ ଭାଇର ହିତ ।
ଭଉଣୀର ଭାଇ ଭରସା- କଥା ସଂସାରେ ଅଛି
ଭାଇ ସୁଖେ ତୋହର ଊଣା ନୋହିବ କିଛି ।

ଶୁଭାନୁଧ୍ୟାୟୀ ମାଆର ଆଶୀର୍ବଚନକୁ ଏକତରଫା ଭାବେ ଗ୍ରହଣ କରି ନେଲା ମାଳତୀ । ପବିତ୍ର ଦୁର୍ଗାଷ୍ଟମୀରେ ଭାଇ ଜିଉଁନ୍ତିଆ ଓଷା ବିଧିବିଧାନ ସହିତ ପାଳନ କଲା । ସମସ୍ତ ବିଷଦ-ଦୁଃଖ-ଦୁର୍ଦ୍ଦଶାରୁ ମୁକୁଳି ଭାଇ ସୁଖରେ ରହୁ- ମା' ଦୁର୍ଗାଙ୍କୁ ନିବେଦନ କଲା । ମାଳତୀର ଆକୁଳ ଭକ୍ତିପୂତ ପ୍ରାର୍ଥନା ମା' ଦୁର୍ଗାଙ୍କ କର୍ଣ୍ଣପାତ ହେଲା । ଏକ ଅବଶ୍ୟମ୍ଭାବୀ ବିପଦରୁ ମାଳତୀର ଭାଇ ମଦନ ସୁନ୍ଦରକୁ ପ୍ରଚ୍ଛନ୍ନ ଭାବରେ ଘଣ୍ଟଘୋଡେଇ ରଖିଲେ । ମନ୍ତ୍ରୀ କୁମର ମଦନ ସୁନ୍ଦର ମୃତ୍ୟୁମୁଖରୁ ବଞ୍ଚିଗଲେ । ମାଳତୀର "ଭାଇ ଜିଉଁନ୍ତିଆ' ଓଷା ପାଇଁ ଭ୍ରାତୃପ୍ରେମ ଅତୁଟ ରହିଲା ଅସଫଳ ହୋଇ ଘାତକ ଫେରି ଆସିବାର ସମ୍ବାଦରେ ବିକ୍ରମ ସେନଙ୍କ କନ୍ୟା ଅରୁଣା ଆତ୍ମତୃପ୍ତିରେ ପୁଲକି ଉଠିଲା । ରାଜା ଅନ୍ୟନ୍ୟୋପାୟ ହୋଇ ନିଜର ଅଲିଅଳ କନ୍ୟାକୁ ମନ୍ତ୍ରୀଙ୍କ କୁମର ମଦନ ସୁନ୍ଦରଙ୍କ ହାତରେ ସମର୍ପି ଦେଲେ ।

ଅନ୍ୟ ଏକ କାହାଣୀର ପୃଷ୍ଠଭୂମି ଗୌରଚନ୍ଦ୍ର ନିଜ କାହାଣୀରେଲେଖିଛନ୍ତି, କୋଶଳ ରାଜଜେମାଙ୍କ ପୁତ୍ର ଶ୍ରୀ ରାମଚନ୍ଦ୍ର । ସେ ଥିଲେ କୋଶଳ ରାଜକୁମାରୀମାନଙ୍କର ମାମୁଁ ପୁଅ ଭାଇ । ତେଣୁ ସେମାନେ ନିଜ ଭାଇର ସର୍ବକୁଶଳ କାମନା କରି ଆଶ୍ୱିନ ଶୁକ୍ଳ ଅଷ୍ଟମୀରେ "ଭାଇ ଜିଉଁନ୍ତିଆ' ଓଷା ପାଳନ କରୁଥିଲେ ।

ଆଶ୍ୱିନ ମାସରେ ମା' ଦୁର୍ଗାଙ୍କର ଆରାଧନା ସାଧାରଣତଃ ପୂଜାପୀଠରେ ନଅଦିନ ବ୍ୟାପୀ ପାଳନ କରାଯାଏ । ଏହାକୁ ନବରାତ୍ରି ବୋଲି କୁହାଯାଏ । ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ଏହି ଓଷା ପାଳନ କରୁଥିଲେ ହେଁ ସଧବା, ବିଧବା, ବୃଦ୍ଧା ରମଣୀମାନେ ମନଯୋଗ ସହକାରେ ପାଳନ କରନ୍ତି ।[] ସଧବାମାନେ ମଣ୍ଡଳ ପୂଜା କରୁଥିଲାବେଳେ ବିଧବାମାନେ ଉପବାସ ରହିଥାନ୍ତି । ଶ୍ୱଶୁରାଳୟରୁ ବିବାହିତ ଭଉଣୀକୁ ଭାଇ ନିଜେ ଯାଇ ଡାକି ଆଣିଥାଏ। ଭାଇ ଜିଉଁନ୍ତିଆ ଓଷା ପାଳନ ଦିନ ଭଉଣୀମାନେ ପ୍ରାତଃ ସ୍ନାନ କରି ନଈ ତୁଠ ଏବଂ ପୋଖରୀହୁଡାରେ ଗୋଲାକାର ବାଲୁକା ବେଦି ସ୍ଥାପନା କରନ୍ତି । ଦିବସ ବ୍ୟାପୀ ଉପବାସ ରହନ୍ତି । ସନ୍ଧ୍ୟା ବେଳେ ଦୁର୍ଗା ମା'ଙ୍କ ନିକଟରେ କଳସ ବସାଇ ଦୀପଜାଳି ୧୦୮ ଦୁର୍ବାକ୍ଷତ ସହ ବ୍ରତ ବାନ୍ଧି ଚଢ଼ାଇଥାନ୍ତି । ମା'ଙ୍କ ପାଖରେ ଜାଗର ଜାଳି ୧୦୮ ଦୁବ ଜିଉଁନ୍ତିଆ ସହିତ କଖାରୁ ଫୁଲ, ମନ୍ଦାର ଫୁଲ, ଅଁଳା ଡାଳ, ବେଲପତ୍ର, ନଡ଼ିଆ, କଦଳୀ, ଆତ ଫଳ ପ୍ରଭୃତି ସମର୍ପି ଦିଅନ୍ତି । [] ଜୁଗାର (ଲିଆଉଖୁଡା) ପ୍ରସ୍ତୁତ କରି ନାନା ପ୍ରକାର ପିଠା ସହିତ ନଡିଆ, କଦଳୀ ଭୋଗ ଆଦି ଲାଗି କରନ୍ତି । ଭାଇ ଜିଉଁନ୍ତିଆ ବ୍ରତକଥା ବହିକୁ ମନଧ୍ୟାନରେ ପାଠ କରନ୍ତି ଏବଂ ବ୍ରାହ୍ମଣମାନଙ୍କ ପଠନକୁ ବି ଆଗ୍ରହରେ ଶୁଣନ୍ତି । ବିଶ୍ୱାସ ରହିଛି ଯେ, ଏହି ପବିତ୍ର ଦିନରେ ମା' ଦୁର୍ଗାଙ୍କର ପ୍ରିୟ କଖାରୁ ଫୁଲ ନିଷ୍ଠାପର ସହକାରେ ଅର୍ପଣ କଲେ ଶତ ସ୍ୱର୍ଣ୍ଣ କମଳ ଯୁକ୍ତ ହୋଇଥାଏ । ଭକ୍ତିଚିତ୍ତ ମନରେ ମା' ଦୁର୍ଗାଙ୍କୁ ଆରାଧନା କରାଯାଏ । ଓଷାର ପରଦିନ ସକାଳେ ଭାଇମାନଙ୍କୁ ଆସନରେ ଉପବିଷ୍ଟ କରାଇ ଦୀପ ଜାଳି, ପ୍ରସାଦ ବାଢି ଦିଅନ୍ତି ସ୍ନେହ-ଶ୍ରଦ୍ଧାରେ ଭଉଣୀ । ମା' ଦୁର୍ଗାଙ୍କ ନିକଟରେ ଲାଗି ହୋଇଥିବା ଦୁର୍ବାକ୍ଷତ ଆଣି ନିଜ ଭାଇକୁ ସାତଥର ଝାଡି ଦିଅନ୍ତି । [] ନିବିଡ ଆତ୍ମୀୟତାରେ ଭାଇର ସର୍ବକୁଶଳ କାମନା କରନ୍ତି । ଭାଇକୁ ଯଥାସାଧ୍ୟ ବସ୍ତ୍ର ଏବଂ ଉପହାର ଦେବା ସହ ମିଷ୍ଟାନ୍ନ ଖୁଆନ୍ତି ।

  1. ୧.୦ ୧.୧ "Bhai Jiuntia: The bond of love". merinews.com. Retrieved 30 September 2016.
  2. "Bhai Jiuntia celebrated in Sambalpur". THE TIMES OF INDIA. Oct 24, 2012. Retrieved 30 September 2016.
  3. "Bhai Juntia celebrated in Sambalpur". mysambalpur.in. Retrieved 30 September 2016.
  4. "Women celebrate Bhai Jiuntia in Orissa". THE SUNDAY INDIAN. October 7, 2011. Archived from the original on 25 January 2022. Retrieved 30 September 2016.