ବାରୁଣୀ ସ୍ନାନ
| ବାରୁଣୀ ସ୍ନାନ | |
|---|---|
| ଅନ୍ୟ ନାମ | ମହାବାରୁଣୀ, ଅତିମହାବାରୁଣୀ |
| ପର୍ବ ପାଳନ | ବୁଡ଼ (ପବିତ୍ର ସ୍ନାନ) |
| ତାରିଖ | ଚୈତ୍ର କୃଷ୍ଣ ତ୍ରୟୋଦଶୀ |
| ୨୦୨୬ ତାରିଖ | |
ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟୋତିଷମତରେ ଶୁଭଯୋଗ ପଡ଼େ ତେବେ ଏହାକୁ ବାରୁଣୀଯୋଗ ବୋଲାଯାଏ, ଯେବେ ଶନିବାର ଓ ଶତିଭିକ୍ଷା ନକ୍ଷତ୍ର ଉଭୟ ସେ ଦିନ ପଡ଼ନ୍ତି ତେବେ ଏହାକୁ ମହାବାରୁଣୀ ଯୋଗ କହାଯାଏ ।[୧]
ଏହି ବାରୁଣୀ ଓ ମହାବାରୁଣୀ ଯୋଗରେ ଗଙ୍ଗାରେ ସ୍ନାନ କଲେ ଶତସଂଖ୍ୟକ ସୂର୍ଯ୍ୟୋପରାଗରେ ଅନୁଷ୍ଠିତ ଧର୍ମକାର୍ଯ୍ୟର ପୁଣ୍ୟ ଫଳ ମିଳେ ତୀର୍ଥରାଜ ସମୁଦ୍ରରେ ଗଙ୍ଗା ନଦୀ ପଡ଼ିଥିବାରୁ ସମୁଦ୍ରରେ ମଧ୍ୟ ଲୋକେ ଏହି ଯୋଗରେ ସ୍ନାନ କରନ୍ତି ଓ ଅନ୍ୟାନ୍ୟ ସମୁଦ୍ରଗାମିନୀ ନଦୀମାନଙ୍କରେ ମଧ୍ୟ ସ୍ଥାନୀୟଲୋକ ବାରୁଣୀ ବୁଡ଼ ପକାନ୍ତି । ପୁରୀରେ ମହୋଦଧିରେ ତଥା ଯାଜପୁରର ଐତିହାସିକ ଦଶାଶ୍ୱମେଧ ଘାଟ ନିକଟରେ ବୈତରଣୀ ନଦୀରେ ଏହିଦିନରେ ଶ୍ରଦ୍ଧାଳୁମାନେ ବାରୁଣୀବୁଡ଼ ପକାଇଥାନ୍ତି । ପୁରୀ ସଦର ଉପଖଣ୍ଡରେ ବରାଳ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରର ନିକଟବର୍ତ୍ତୀ ଭାର୍ଗବୀ ନଦୀରେ ଏବଂ ଅନ୍ୟ କେତେକ ସ୍ଥାନରେ ଏହି ଦିନ ବୁଡ଼ ପଡ଼େ । ୠଷିକୁଲ୍ୟା ନଦୀ ଉତ୍ତରବାହିନୀ ହୋଇଥିବା ସ୍ଥାନ ଗଞ୍ଜାମର ସୋରଡ଼ା ନିକଟସ୍ଥ ପଞ୍ଚାନନ ପ୍ରଭୁଙ୍କ ନିକଟରେ, ଧରାକୋଟର ଚନ୍ଦ୍ରକଳ୍ପେଶ୍ୱରଙ୍କ ନିକଟରେ, ଆସିକା ସୁବର୍ଣ୍ଣେଶ୍ୱରଙ୍କ ନିକଟରେ, ପ୍ରତାପପୁର ତୁମ୍ବେଶ୍ୱର ଓ ଗଞ୍ଜାମ ନଗରୀର ପଶ୍ଚିମରେ ଲୋକନାଥ ସ୍ୱାମୀଙ୍କ ନିକଟସ୍ଥ ସ୍ଥାନୀୟ ଲୋକ ବାରୁଣୀ ସ୍ନାନ କରନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁରର ତ୍ରିବେଣୀ ସଙ୍ଗମଠାରେ ମଧ୍ୟ ବହୁତ ଲୋକ ବାରୁଣୀ ସ୍ନାନ କରିଥାନ୍ତି ।[୨]
ବୈତରଣୀ ଓ ବାରୁଣୀ ସ୍ନାନ
[ସମ୍ପାଦନା]ବିରଜାକ୍ଷେତ୍ର ଯାଜପୁରରୁ ଉତ୍ତର ଦିଗକୁ ଏକ କିଲୋମିଟର ଯିବାପରେ ପଡ଼େ ବୈତରଣୀ ନଦୀ । ପବିତ୍ର ଗଙ୍ଗା ନଦୀ ପରି ଓଡ଼ିଶାର ପବିତ୍ର ବୈତରଣୀ ନଦୀରେ ଏହିସ୍ନାନ କଲେ ପୁଣ୍ୟ ଲାଭ ହେବାର ବିଶ୍ୱାସ ରହିଛି । ମହାଭାରତର ଆଦି, ସଭା, ବନ ଓ ଭୀଷ୍ମ ପର୍ବରେ ବୈତରଣୀ ତୀର୍ଥର ବର୍ଣ୍ଣନା ରହିଛି । ବାରୁଣୀ ଯୋଗରେ ବୈତରଣୀ ନଦୀ ତଥା ସମୁଦ୍ରରେ ସ୍ନାନ କରି ଧର୍ମପ୍ରାଣ ବ୍ୟକ୍ତିମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଗୋଦାନ ମଧ୍ୟ କରିଥାନ୍ତି । ବୈତରଣୀର ଉତ୍ତର ପାର୍ଶ୍ୱ ଅତି ପବିତ୍ର ହୋଇଥିବାରୁ ଚୈତ୍ର ମାସ କୃଷ୍ଣ ତ୍ରୟୋଦଶୀଠାରୁ ଦୀର୍ଘ ବାରଦିନ ଧରି ସେଠାରେ ମେଳା ଅନୁଷ୍ଠିତ ହୁଏ । [୩] ବାରୁଣୀ ସ୍ନାନକୁ ଓଡ଼ିଶାର କୁମ୍ଭ କହାଯାଏ । ଚୈତ୍ରମାସର ମକର ରାଶିରେ ରବି ଗ୍ରହଙ୍କ ପ୍ରବେଶ ସମୟରେ ଏହି ବାରୁଣୀ ଯୋଗ ପଡ଼େ । ପବିତ୍ର ବୈତରଣୀ ତଥା ମହୋଦଧିରେ ବାରୁଣୀ ବୁଡ଼ ପକାଇଲେ ସମସ୍ତ ପାପ କ୍ଷୟ, ଦୁଃଖଶୋକର ବିନାଶ ହେବା ସହ ପୁଣ୍ୟ ଅର୍ଜନ ହୋଇଥାଏ । ବୈତରଣୀ ତଟରେ ଶବ ସତ୍କାର ହେଲେ ତାହା ଅତ୍ୟନ୍ତ ପୁଣ୍ୟପ୍ରଦ ବୋଲି ହିନ୍ଦୁମାନଙ୍କ ବିଶ୍ୱାସ । [୪]ବୈତରଣୀ ନଦୀରେ ସ୍ନାନ କରିବାଦ୍ୱାରା ଗଙ୍ଗା ଓ ମହୋଦଧିରେ ସ୍ନାନ ପରି ପୂଣ୍ୟ ମିଳେ ।
ସ୍ନାନଯୋଗ
[ସମ୍ପାଦନା]ବୈତରଣୀ ନଦୀରେ ପଡୁଥିବା ସ୍ନାନ ଯୋଗଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ବାରୁଣୀ, ମହାବାରୁଣୀ, ଅତିମହାବାରୁଣୀ । ଶତଭିଷା ନକ୍ଷତ୍ର ସହ ଯୁକ୍ତ ହୋଇଥିବା ତିଥିକୁ ବାରୁଣୀ କୁହାଯାଏ । ଶତଭିଷା ନକ୍ଷତ୍ର ଯୋଗରେ ଏହି ସ୍ନାନ ଥିବାରୁ ଏହାକୁ ଯୋଗସ୍ନାନ କୁହାଯାଏ । ବାରୁଣୀ ସ୍ନାନ ଯୋଗଠାରୁ ମହାବାରୁଣୀ ସ୍ନାନ ଯୋଗ ଦୁର୍ଲ୍ଲଭ । ଏହି ଯୋଗ ସବୁ ବର୍ଷପଡ଼େ ନାହିଁ । ଯେଉଁବର୍ଷ ଶତଭିଷା ନକ୍ଷତ୍ର ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଶନିବାର ହୋଇଥାଏ ତାକୁ ମହାବାରୁଣୀ କୁହାଯାଏ । ଏହି ଯୋଗରେ ଯେଉଁବ୍ୟକ୍ତି ଦଶାଶ୍ୱମେଧ ଘାଟରେ ବୁଡ଼ପକାଏ ସେ କୋଟି ପୁଣ୍ୟଫଳ ଲାଭ କରେ । ବୈତରଣୀ ନଦୀରେ ମହାବାରୁଣୀ ଯୋଗ ମଧ୍ୟ ପଡ଼ିଥାଏ । ଏହା ପ୍ରାୟ ଅନେକ ବର୍ଷ ଅନ୍ତରରେ ଥରେ ପଡ଼ିଥାଏ । ଚୈତ୍ରମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶତଭିଷା ନକ୍ଷତ୍ର ଯୋଗ ହୋଇ ଶନିବାର ଦିନ ଯଦି ଶୁଭ ଯୋଗ ଓ ‘ଗ’ର ବରଣ ଯୁକ୍ତ ହୁଏ, ତେବେ ତାକୁ ଅତି ବାରୁଣୀ ଯୋଗ କୁହାଯାଏ । ଏହି ଯୋଗରେ ବୈତରଣୀ ସ୍ନାନ କଲେ ଲୋକ କୋଟି କୋଟି ପିତୃପୁରୁଷଙ୍କୁ ଉଦ୍ଧାର କରେ । ଏହି ଯୋଗ ସ୍ନାନ ରାତିରେ ପଡୁ କିମ୍ବା ଦିନରେ ପଡୁ ସ୍ନାନ କରିବା ଉଚିତ । ବୈତରଣୀ ନଦୀରେ ବାରୁଣୀ ସ୍ନାନ ଯୋଗ ରହିଥିବାରୁ ଦଶାଶ୍ୱମେଧ ଘାଟ ନିକଟରେ ରହିଛି ଜଗନ୍ନାଥ ମନ୍ଦିର, ସପ୍ତମାତୃକା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ମୁକ୍ତେଶ୍ୱର ଶିବ ମନ୍ଦିର, ସିଦ୍ଧି ଗଣେଶ, ଶ୍ରୀ ବିଗ୍ରହ, ନବଗ୍ରହ ମନ୍ଦିର ସହ ଅନେକ ତୀର୍ଥ ପୀଠ । ଭକ୍ତମାନେ ବୈତରଣୀରେ ବୁଡ଼ ପକାଇ ପିଣ୍ଡଦାନ କରିବା ପରେ ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି । [୫]
ପୌରାଣିକ କିମ୍ବଦନ୍ତୀ
[ସମ୍ପାଦନା]ଥରେ ବ୍ରହ୍ମା ଓ ନୃସିଂହଙ୍କ ମଧ୍ୟରେ ନିଜର ବଡ଼ପଣ ପାଇଁ କଳି ସୃଷ୍ଟି ହେଲା । ଏହାର ବିଚାର ନିମନ୍ତେ ଉଭୟ ଶିବଙ୍କୁ ମଧ୍ୟସ୍ଥି ଭାବି, ନିଜର ସମସ୍ୟା ଜଣାଇଲେ । ଶିବ କହିଲେ - ‘ମୋର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଯିଏ ଯାଇ ଆସି ପାରିବ ସିଏ ହିଁ ସବୁଠାରୁ ବଡ଼ । ନୃସିଂହ, ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ନଯାଇ ଅଧାରୁ ଫେରି ଆସି କହିଲେ- ‘ମହାଦେବ ! ଆପଣଙ୍କ ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଯିବାକୁ କେହି ସମର୍ଥ ନୁହନ୍ତି । ବ୍ରହ୍ମା, ନୃସିଂହଙ୍କଠାରୁ କିଛିବାଟ ଆଗକୁ ଯାଇ କେତକୀ ଫୁଲକୁ ଭେଟିଲେ । ସେ ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ଯାଇଥିଲେ ବୋଲି କେତକୀ ଫୁଲକୁ ମିଥ୍ୟା ସାକ୍ଷୀ ଦେବାକୁ କହି ଫେରି ଆସିଲେ । ବ୍ରହ୍ମାଙ୍କ କହିବା ଅନୁସାରେ କେତକୀ, ଶିବଙ୍କ ଆଗରେ ମିଛକଥା କହିବାରୁ ଶିବ, ବ୍ରହ୍ମାଙ୍କୁ ମିଥ୍ୟାବାଦୀ ବୋଲି କହି କ୍ରୋଧରେ ବ୍ରହ୍ମାଙ୍କୁ ଅପୂଜା ହେବାର ଅଭିଶାପ ଦେଲେ । ଅଭିଶାପରୁ ମୁକ୍ତି ପାଇବା ପାଇଁ ବ୍ରହ୍ମା, ଶିବଙ୍କ ନିକଟରେ ପ୍ରାର୍ଥନା କରିବାରୁ ଶିବ ତାଙ୍କୁ ପବିତ୍ର ବୈତରଣୀ ନଦୀ କୂଳରେ ଯଜ୍ଞ କରି ଯଜ୍ଞପୁରୁଷ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାକୁ କହିଲେ । ବ୍ରହ୍ମା, ବିରଜା କ୍ଷେତ୍ରକୁ ଯଜ୍ଞ ସ୍ଥାନ ରୂପେ ନିରୂପଣ କରି ବୈତରଣୀକୁ ଏହି କ୍ଷେତ୍ରରେ ପ୍ରବାହିତ ହେବାକୁ ଅନୁରୋଧ କଲେ । ବ୍ରହ୍ମାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ବୈତରଣୀ ବ୍ରହ୍ମାଙ୍କ ପଛେ ପଛେ ଚାଲିଲା । କିଛି ବାଟ ଗଲା ପରେ ବ୍ରହ୍ମାଙ୍କୁ କୁଳୁକୁଳୁ ଶବ୍ଦ ଶୁଭିଲା ନାହିଁ । ପଛକୁ ଫେରି ଦେଖିଲା ବେଳକୁ ନଦୀ ଅଦୃଶ୍ୟ ହେଇଯାଇଛି । ଏହାର କାରଣ ଜାଣିବା ପାଇଁ ବ୍ରହ୍ମା ଧ୍ୟାନରେ ବସିବାରୁ ଶୂନ୍ୟବାଣୀ ହେଲା ଯେ ନିବିଡ଼ ଅରଣ୍ୟରେ ଥିବା ରମଣୀଙ୍କ ନଗ୍ନ ରୂପ ଦେଖି ଭୟରେ ସେ ଆତ୍ମଗୋପନ କରିଛନ୍ତି । ଯଦି ପ୍ରତିକୋଣରେ ଶିବଲିଙ୍ଗ ସ୍ଥାପନ କରାଯାଏ ତେବେ ଶିବ ଦର୍ଶନରେ ପାପମୁକ୍ତ ହୋଇ ସେ ଯଜ୍ଞ ସ୍ଥାନକୁ ଯାଇପାରିବ । ତେଣୁ ବ୍ରହ୍ମା ପ୍ରତିକୋଣରେ ଗୋଟିଏ ଗୋଟିଏ ଶିବଲିଙ୍ଗ ସ୍ଥାପନ କଲେ । ଗୋନାସିକା ପର୍ବତରୁ ଏକ କୋଶ ଦୂରରେ ପ୍ରଥମ ଶିବଲିଙ୍ଗ ସ୍ଥାପନ କଲେ ଯାହାର ନାମ ବ୍ରହ୍ମେଶ୍ୱର । ତା’ପରେ ପ୍ରତିକୋଣରେ କୁଶଳେଶ୍ୱର, ଅମ୍ବକେଶ୍ୱର, ଗତେଶ୍ୱର, ଲିଙ୍ଗେଶ୍ୱର, ଭୂତେଶ୍ୱର, ବିଲେଶ୍ୱର, ହରନ୍ତେଶ୍ୱର ପ୍ରଭୃତି ଶିବଲିଙ୍ଗ ସ୍ଥାପିତ ହେବାପରେ ବୈତରଣୀ, ବିରଜାକ୍ଷେତ୍ରକୁ ଆସିଲେ । ଏହି ଲିଙ୍ଗଗୁଡ଼ିକ ମଧ୍ୟରେ ଶେଷ ଲିଙ୍ଗ ହେଉଛି ସିଦ୍ଧେଶ୍ୱର । ଏହିଠାରୁ ବ୍ରହ୍ମା, ବୈତରଣୀକୁ ଉତ୍ତରବାହୀ କରି ଦେଇଥିବାରୁ ଆଉ ସେହିଠାରୁ ଶିବଲିଙ୍ଗ ଦେଖିବାକୁ ମିଳେ ନାହିଁ । ବିଶ୍ୱାସ ରହିଛି ଯେ ଯଦି କେହି ବିରଜାକ୍ଷେତ୍ରର ବାରୁଣୀ ତୀର୍ଥରେ ସ୍ନାନ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରେ, ତେବେ ସେ ଦଶ ପ୍ରକାରର ପାତକରୁ ମୁକ୍ତିପାଏ ।
ଆଧାର
[ସମ୍ପାଦନା]- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 10 April 2013.
ଯେବେ ଶନିବାର ଓ ଶତିଭିକ୍ଷା ନକ୍ଷତ୍ର ଉଭୟ ସେ ଦିନ ପଡ଼ନ୍ତି ତେବେ ଏହାକୁ ମହାବାରୁଣୀ ଯୋଗ ବୋଲାଯାଏ
[permanent dead link] - ↑ "Hundreds take holy dip in K'pada river on Baruni Mela". dailypioneer.com. 2013. Archived from the original on 5 March 2016. Retrieved 10 April 2013.
Tribeni Sangam, where Brahmani, Birupa and Kelua rivers have merged on the spot, so people take a dip at the sacred place in order to wipe out sin
- ↑ Shankarlal C. Bhatt (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 407–. ISBN 978-81-7835-377-7. Retrieved 10 April 2013.
- ↑ ସମ୍ବାଦ, ମଙ୍ଗଳବାର, ୯ ଅପ୍ରେଲ ୨୦୧୩, ପୃଷ୍ଠା: ୨
- ↑ ନାରାୟଣ କୁମାର ରାଉତ, ସଂଚାର, ପୃଷ୍ଠା-୧୪, ଶନିବାର, ୨୦ ଜୁଲାଇ ୨୦୧୩