ବଡ଼ଓଷା
ବଡ଼ ଓଷା | |
---|---|
ନାମ | ବଡ଼ଓଷା |
ପର୍ବ ପାଳନ | ପୂଜା, ବନ୍ଦାପନା |
ଆରମ୍ଭ | କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ |
୨୦୨୩ ତାରିଖ | ୨୫ ନଭେମ୍ବର (ଶନିବାର) |
୨୦୨୪ ତାରିଖ | ୧୪ ନଭେମ୍ବର (ଗୁରୁବାର) |
ବଡ଼ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି ।[୧]
ପୂଜାବିଧି ଓ ଉପଚାର
[ସମ୍ପାଦନା]ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ । ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ ।[୨] ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ । ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ । ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି । ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା ।[୩]
କିମ୍ବଦନ୍ତୀ
[ସମ୍ପାଦନା]ପଦ୍ମପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ ।[୪] ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା । ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସକରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ । ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ ।[୫]
ଆଧାର
[ସମ୍ପାଦନା]- ↑ "ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା, ଲକ୍ଷାଧିକ ଭକ୍ତଙ୍କ ସମାଗମ". www.samajalive.in. ସମାଜ. Archived from the original on 28 November 2020. Retrieved 28 November 2020.
- ↑ "ଆଜି ବଡ଼ ଓଷା, ଧବଳେଶ୍ୱର ପୀଠ ଚଳଚଞ୍ଚଳ". www.zeenews.india.com. ଜୀ ନ୍ୟୁଜ. Archived from the original on 28 November 2020. Retrieved 28 November 2020.
- ↑ "ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ". www.khabar.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 28 November 2020. Retrieved 28 November 2020.
- ↑ "ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା". www.dharitri.com. ଧରିତ୍ରୀ. Archived from the original on 28 November 2020. Retrieved 28 November 2020.
- ↑ ପଟ୍ଟନାୟକ, ଅରବିନ୍ଦ. ବ୍ରତ ସାହିତ୍ୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୮୨-୮୩. ISBN ୮୧-୭୫୮୬-୧୮୩-୫.
{{cite book}}
: Check|isbn=
value: invalid character (help)