ନାଗାରହୋଳେ ଜାତୀୟ ଉଦ୍ୟାନ

Coordinates: 12°03′36″N 76°09′04″E / 12.06000°N 76.15111°E / 12.06000; 76.15111
ଉଇକିପିଡ଼ିଆ‌ରୁ
ନାଗାରହୋଳେ ଜାତୀୟ ଉଦ୍ୟାନ
ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ
ନାଗାରହୋଳେ ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
ନାଗାରହୋଳେର କବିନୀ ନଦୀକୂଳରେ ରହୁଥିବା ଏକ ବାଘ
Map showing the location of ନାଗାରହୋଳେ ଜାତୀୟ ଉଦ୍ୟାନ.
Map showing the location of ନାଗାରହୋଳେ ଜାତୀୟ ଉଦ୍ୟାନ.
ଭାରତ ମାନଚିତ୍ରରେ ନାଗାରହୋଳେର ଅବସ୍ଥିତି
ଅବସ୍ଥାନକୋଡ଼ାଗୁ ଜିଲ୍ଲାମହୀଶୂର ଜିଲ୍ଲା, କର୍ଣ୍ଣାଟକ, ଭାରତ
ପାଖ ସହରମହୀଶୂର (୫୦ କିଲୋମିଟର୍)
ଦିଗବାରେଣି12°03′36″N 76°09′04″E / 12.06000°N 76.15111°E / 12.06000; 76.15111
କ୍ଷେତ୍ରଫଳ୬୪୨.୩୯ ବର୍ଗ କିଲୋମିଟର୍
ସ୍ଥାପିତ୧୯୮୮
ପରିଚାଳନାକର୍ଣ୍ଣାଟକ ବନ ବିଭାଗ

ନାଗାରହୋଳେ ଜାତୀୟ ଉଦ୍ୟାନ (ବା ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ) ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟର କୋଡ଼ାଗୁ ଜିଲ୍ଲାମହୀଶୂର ଜିଲ୍ଲାରେ ବ୍ୟାପ୍ତ ଏକ ଜାତୀୟ ଉଦ୍ୟାନ ।[୧] ଏହାକୁ ଭାରତର ଶ୍ରେଷ୍ଠ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରୁ ଗୋଟିଏ ବୋଲି ପରିଗଣିତ କରାଯାଏ । ନାଗାରହୋଳେ ଜାତୀୟ ଉଦ୍ୟାନକୁ ଲାଗି ବାନ୍ଦୀପୁର ଜାତୀୟ ଉଦ୍ୟାନ ରହିଛି ।

୧୯୯୯ ମସିହାରେ ନାଗାରହୋଳେ ଭାରତର ୩୭ତମ ବ୍ୟାଘ୍ର ଅଭୟାରଣ୍ୟ ହେବାର ଗୌରବ ଲାଭ କଲା । ଏହି ଅଭୟାରଣ୍ୟ ନୀଳଗିରି ସଂରକ୍ଷିତ ଜୈବମଣ୍ଡଳର ଏକ ଅଂଶ । ୬୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ ପଶ୍ଚିମଘାଟ ପର୍ବତମାଳାର ନୀଳଗିରି ଶାଖା ଓ ନାଗାରହୋଳେ ଜାତୀୟ ଉଦ୍ୟାନକୁ ୟୁନେସ୍କୋ ଏକ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମନୋନୀତ କରିବା ପାଇଁ ଚିନ୍ତା କରୁଥିଲା ।[୨]

ଜାତୀୟ ଉଦ୍ୟାନଟି ଘଞ୍ଚ ଜଙ୍ଗଲ, ଛୋଟବଡ଼ ନଦୀ ଝରଣା, ପାହାଡ଼, ଉପତ୍ୟକା ଓ ଜଳପ୍ରପାତ ଇତ୍ୟାଦିରେ ଶୋଭିତ । ମହାବଳ ବାଘ, ବନ୍ୟ ଗୟଳ, ହାତୀ ପରି ଅନେକ ଜୀବଙ୍କ ବାସସ୍ଥଳୀ ଏହି ଜଙ୍ଗଲରେ ଶିକାରୀ-ଶିକାର ଜନ୍ତୁଙ୍କ ସନ୍ତୁଳିତ ଅନୁପାତ ରହିଛି ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ନାଗାରହୋଳେ ଅଞ୍ଚଳର ଏକ ପ୍ରାକୃତିକ ମାନଚିତ୍ର
ସୁଙ୍କଦକଟ୍ଟେ ହାତୀ ଶିବିର ନିକଟ ଜଙ୍ଗଲର ଏକ ବଳିଆ କୁକୁର

ବ୍ରହ୍ମଗିରି ପାହାଡ଼ରୁ ଦକ୍ଷିଣକୁ କେରଳ ପର୍ଯ୍ୟନ୍ତ ରହିଥିବା ପଶ୍ଚିମଘାଟ ପର୍ବତଶ୍ରେଣୀର ପାଦଦେଶରେ ନାଗାରହୋଳେ ଜାତୀୟ ଉଦ୍ୟାନ ଅବସ୍ଥିତ । ୧୨°୧୫'୩୭.୬୯" ଉତ୍ତର ଅକ୍ଷାଂଶ ଓ ୭୬°୧୭'୩୪.୪" ପୂର୍ବ ଦ୍ରାଘିମାରେ ଅବସ୍ଥିତ ଏହି ଜାତୀୟ ଉଦ୍ୟାନ ୬୪୩ ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ଏବଂ ବାନ୍ଦୀପୁର ଜାତୀୟ ଉଦ୍ୟାନର ଉତ୍ତର-ପୂର୍ବକୁ ଅବସ୍ଥିତ । କବିନୀ ନଦୀ ଉପରେ ରହିଥିବା ବନ୍ଧର ଜଳାଶୟ ଏହି ଦୁଇ ଜାତୀୟ ଉଦ୍ୟାନକୁ ବିଭକ୍ତ କରୁଛି । ସମୁଦ୍ର ପତନରୁ ଜାତୀୟ ଉଦ୍ୟାନଟିର ଉଚ୍ଚତା ୬୮୭ ମିଟର୍‍ରୁ ୯୬୦ ମିଟର୍ । ମହୀଶୂର ସହରରୁ ଏହି ଜାତୀୟ ଉଦ୍ୟାନର ଦୂରତା ପ୍ରାୟ ୫୦ କିଲୋମିଟର୍[୩] ଓ କର୍ଣ୍ଣାଟକର ରାଜଧାନୀ ବେଙ୍ଗଳୁରୁ ସହରରୁ ଏହି ଅଭୟାରଣ୍ୟର ଦୂରତା ୨୨୦ କି.ମି. (୧୩୭ ମାଇଲ୍)।[୪]

କର୍ଣ୍ଣାଟକର ନାଗାରହୋଳେ ଓ ବାନ୍ଦୀପୁର ଜାତୀୟ ଉଦ୍ୟାନ (୮୭୦ ବର୍ଗ କି.ମି.), ତାମିଲନାଡ଼ୁର ମୁଦୁମଲାଇ ଜାତୀୟ ଉଦ୍ୟାନ (୩୨୦ ବର୍ଗ କି.ମି.) ଓ କେରଳର ୱାୟନାଡ଼ ଜାତୀୟ ଉଦ୍ୟାନ (୩୪୪ ବର୍ଗ କି.ମି.) ମିଳିତ ଭାବେ ୨୧୮୩ ବର୍ଗ କି.ମି. ପରିମିତ ଅଞ୍ଚଳ ଦକ୍ଷିଣ ଭାରତର ସର୍ବବୃହତ୍ ସଂରକ୍ଷିତ ଜଙ୍ଗଲ ।

ଇତିହାସ[ସମ୍ପାଦନା]

ନାଗାରହୋଳେ ଜଙ୍ଗଲର ଏକ କଳାବାଘ । ଏହି କଳା କଲରାପତରିଆ ବାଘକୁ "କବିନୀର ଭୂତ" ବୋଲି ମଧ୍ୟ କୁହାଯାଏ ।
ବାଲେ ପ୍ରବେଶ ଦ୍ୱାର ନିକଟର ଏକ କଲରାପତରିଆ ବାଘ

ନାଗାରା ଶବ୍ଦର ଅର୍ଥ ନାଗ ସାପ ଓ ହୋଳେ ଶବ୍ଦର ଅର୍ଥ ନଦୀ ବା ପ୍ରବହମାନ ସ୍ରୋତ । ନାଗାରହୋଳେ ନାମକ ନଦୀଟିଏ ସାପଭଳି ଏହି କ୍ରାନ୍ତୀୟ ଅରଣ୍ୟ ମଧ୍ୟଦେଇ ପ୍ରବାହିତ ହେଉଛି । ଏହି ନଦୀର ନାମରୁ ଜାତୀୟ ଉଦ୍ୟାନର ନାମ ଉଦ୍ଧୃତ । ଏହି ଜାତୀୟ ଉଦ୍ୟାନ ପୂର୍ବେ ମହୀଶୂର ରାଜ୍ୟରେ ରାଜୁତି କରୁଥିବା ୱାଡିଆର୍ ରାଜବଂଶର ରାଜାମାନଙ୍କ ଶିକାର କ୍ଷେତ୍ର ଥିଲା । ୧୯୫୫ ମସିହାରେ ଏହାକୁ ଏକ ଅଭୟାରଣ୍ୟ ମାନ୍ୟତା ପ୍ରାପ୍ତ ହେଲା ଓ ଏହାର ସଂରକ୍ଷିତ ଜଙ୍ଗଲ କ୍ଷେତ୍ରଫଳ ବଢ଼ାଇ ୬୪୩.୩୯ ବର୍ଗ କି.ମି. କରିଦିଆଗଲା । ୧୯୮୮ ମସିହାରେ ଏହାକୁ ଜାତୀୟ ଉଦ୍ୟାନ ବୋଲି ଘୋଷଣା କରାଗଲା ଓ ୧୯୯୯ ମସିହାରେ ଏହା ଏକ ବ୍ୟାଘ୍ର ଅଭୟାରଣ୍ୟ ରୂପେ ପରିଚିତ ହେଲା ।[୩]

ଜଳବାୟୁ[ସମ୍ପାଦନା]

କବିନୀ ନଦୀର ଏକ କୁମ୍ଭୀର
ନାଗାରହୋଳେ ଜାତୀୟ ଉଦ୍ୟାନରେ ଚିକ୍କଣ ଚମଡ଼ାଯୁକ୍ତ ଓଧ ମଧ୍ୟ ଦେଖାଯାନ୍ତି

ନାଗାରହୋଳେ ଜାତୀୟ ଉଦ୍ୟାନରେ ବାର୍ଷିକ ହାରାହାରି ୧୪୪୦ ମିଲିମିଟର୍ ବୃଷ୍ଟିପାତ ହୁଏ । ଲକ୍ଷ୍ମଣତୀର୍ଥ ନଦୀ, ସରାତି ନଦୀ, ନାଗାରହୋଳେ ନଦୀ, ବାଲେ ହାଳା, କବିନୀ ନଦୀ - ଏପରି ୪ଟି ଚିରସ୍ରୋତା ନଦୀ, ୪୭ଟି ବର୍ଷାଦିନିଆ ନଦୀ, ୪ଟି ହ୍ରଦ, ୪୧ଟି କୃତ୍ରିମ ଜଳାଶୟ, ଅନେକ ଛୋଟ ସନ୍ତସନ୍ତିଆ ଦଳପୂର୍ଣ୍ଣ ପୋଖରୀ, ତରାକ ବନ୍ଧ ଓ କବିନୀ ଜଳାଶୟ ଇତ୍ୟାଦି ଏହି ଜାତୀୟ ଉଦ୍ୟାନର ମୁଖ୍ୟ ଜଳଉତ୍ସ ।[୫]

ଗଛଲତା[ସମ୍ପାଦନା]

ଉଚ୍ଚ ଗଛରୁ ପତ୍ର ଓ ଫୁଲ ପ୍ରତି ଆଶାୟୀ ଚିତଲ୍ ହରିଣ
ଶୀତଋତୁରେ ନାଗାରହୋଳେରେ ଓସ୍ପ୍ରେ ଚଢ଼େଇ ମଧ୍ୟ ଦେଖାଯାନ୍ତି

ପଶ୍ଚିମଘାଟ ପର୍ବତମାଳାର ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟର ଉତ୍ତର ପଟରେ ମୁଖ୍ୟତଃ ଶାଗୁଆନ୍ ଓ ଦକ୍ଷିଣ ପଟେ ଶିଶୁ ଗଛ ଦେଖାଯାଏ । ପୂର୍ବ ପଟର କେନ୍ଦ୍ରୀୟ ଡେକାନ୍ ମାଳର ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟରେ ଇନ୍ଦ୍ରଯଅ ଓ ଆକାଶିଆ ଗଛ ଦେଖାଯାନ୍ତି । ସନ୍ତସନ୍ତିଆ ସ୍ଥାନରେ ୟୁଗିନିଆ ପ୍ରଜାତିର ବହୁ ଉଦ୍ଭିଦ ଦେଖିହେବ ।

ଶିଶୁ, ଶାଗୁଆନ୍, ଚନ୍ଦନ, ରୂପସୀ ଇତ୍ୟାଦି ଏଠାକାର ମୁଖ୍ୟ ଗଛ । ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲର ଅସନ, ସିଦ୍ଧେଶ୍ୱର ପୁଷ୍ପ, ଶାଳ, ଶିଶୁ, ଧାବଡ଼ା ଇତ୍ୟାଦି ବୃକ୍ଷ ବହୁମାତ୍ରାରେ ଦେଖାଯାନ୍ତି ।[୬] କଦମ୍ବ, ତୁଳାଗଛ, କୁସୁମ, ଡିମିରି ଆଦି ଏଠାକାର ଅନ୍ୟ କିଛି ମୁଖ୍ୟ ଉଦ୍ଭିଦ ପ୍ରଜାତି ।

ଜଙ୍ଗଲର ଉଚ୍ଚ ଗଛମାନଙ୍କ ତଳେ ବାଙ୍କପଶିଆ, ଅଁଳା ଓ ଗମ୍ଭାରୀ (Gmelina arborea) ପରି ଗଛ, ଭେଜି-ବାଇଗଣ, ଶାଳପର୍ଣ୍ଣୀ, ମୁଡ଼ୁମୁଡ଼ିଆ, ଲାଣ୍ଟାନା ବୁଦା ପରି ବୁଦାଳିଆ ଗଛ ବଢ଼ିଥାନ୍ତି ।

ନାଗାରହୋଳେରେ ସୁନାରି ଗଛ, ପଳାଶଫୁଲ ଗଛ, ବାଁସ ପରି ସାଧାରଣ ବୃକ୍ଷ ମଧ୍ୟ ଦେଖିବାକୁ ମିଳେ ।[୫][୭]

ବନ୍ୟଜନ୍ତୁ[ସମ୍ପାଦନା]

ନାଗାରହୋଳେ ଜଙ୍ଗଲର ଭାଲୁ
ହାତୀଟିଏ ଗଛର ବକ୍କଳ ଛଡ଼ାଇ ଖାଇବାର ଫଟୋ
ନାଗାରହୋଳେ ଜାତୀୟ ଉଦ୍ୟାନର ଏକ ଅଣ୍ଡିରା ବନ୍ୟ ଗୟଳ

କର୍ଣ୍ଣାଟକ ରାଜ୍ୟର ବନ୍ୟଜନ୍ତୁଙ୍କ ସୁରକ୍ଷା ଏହି ଜାତୀୟ ଉଦ୍ୟାନର ଲକ୍ଷ୍ୟ ।

ନାଗାରହୋଳେରେ ଦେଖାଯାଉଥିବା ହିଂସ୍ର ମାଂସାସୀ ପ୍ରାଣୀଙ୍କ ମଧ୍ୟରେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର, ଭାଲୁ, ହେଟା ବାଘ ଇତ୍ୟାଦି ପ୍ରମୁଖ । ନାଗାରହୋଳେର ତୃଣଭୋଜୀ ସମାଜରେ ପ୍ରମୁଖ ଜୀବମାନ ହେଲେ ଚିତଲ୍ ହରିଣ, ସମ୍ବର ହରିଣ, କୁଟୁରା, ଚଉଶିଂଘା ହରିଣ, ବନ୍ୟ ଗୟଳ, ବାର୍‍ହାହାତୀ । ନାଗାରହୋଳେ ଜାତୀୟ ଉଦ୍ୟାନରେ ଦକ୍ଷିଣ ଭାରତୀୟ ବନ୍ୟ ଗୟଳଙ୍କୁ ବହୁ ସଂଖ୍ୟାରେ ଦେଖିହେବ । ସୁନ୍ଦର ସବୁଜ ଜଙ୍ଗଲ ଓ ଘଞ୍ଚ ବାଉଁଶ ବୁଦାମାନ ରହିଥିବାରୁ ନାଗାରହୋଳେ ଜଙ୍ଗଲରେ ହାତୀ ବହୁସଂଖ୍ୟାରେ ଦୃଶ୍ୟମାନ ହୁଅନ୍ତି । ଦକ୍ଷିଣ ଭାରତୀୟ ଜଙ୍ଗଲରେ ହାତୀଙ୍କ ସଂଖ୍ୟା ପ୍ରାୟ ୬୫୦୦ ଅଟେ ଓ ତାହାର ଏକ ବଡ଼ ଅଂଶ ପଶ୍ଚିମଘାଟ ପର୍ବତକୁ ଲାଗି କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ବ୍ୟାପ୍ତ ଏହି ବିଶାଳ ଜଙ୍ଗଲମାନଙ୍କରେ ବସବାସ କରନ୍ତି । ନାଗାରହୋଳେରେ ଦେଖିବାକୁ ମିଳୁଥିବା ଅନ୍ୟ କିଛି ସ୍ତନ୍ୟପାୟୀ ପ୍ରଜାତି ହେଲେ : ହନୁ ମାଙ୍କଡ଼, କଟାସ, ସ୍ଲେଣ୍ଡର୍ ଲୋରିସ୍ (Loris tadigradus), ବଣଭୁଆ, ନେଉଳ, ୟୁରୋପୀୟ ଓଧ, ଉଡ଼ନ୍ତା ଗୁଣ୍ଡୁଚି ମୂଷା, ବୋନ୍ନେଟ୍ ମାଙ୍କଡ଼, ବଡ଼ ମାଲାବାର୍ ଗୁଣ୍ଡୁଚି ମୂଷା, ଝିଙ୍କ, ସୁବର୍ଣ୍ଣ ଶିଆଳ, ଠେକୁଆ, ବଜ୍ରକାପ୍ତା ଇତ୍ୟାଦି । ନାଗାରହୋଳେ ଜାତୀୟ ଉଦ୍ୟାନରେ ୨୫୦ରୁ ଅଧିକ ପ୍ରଜାତିର ପକ୍ଷୀ ବାସ କରନ୍ତି । କବିନୀ ନଦୀକୂଳରେ ପାଣିକୁକୁଡ଼ା ମଧ୍ୟ ଦେଖାଯାନ୍ତି । ବିଭିନ୍ନ ଶିକାରୀ ପକ୍ଷୀ, ଜଳବାସୀ ପକ୍ଷୀ ଓ ବୃକ୍ଷବାସୀ ପକ୍ଷୀ ଏଠାରେ ଦେଖିବାକୁ ମିଳନ୍ତି ।

୧. ସ୍ତନ୍ୟପାୟୀ ଜୀବ

ମହାବଳ ବାଘ, ବନ୍ୟ ଗୟଳ, ହାତୀ ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟାରେ ଦୃଷ୍ଟିଗୋଚର ହୁଅନ୍ତି । ଡଃ କୋଟା ଉଲ୍ଲାସ କାରନ୍ଥଙ୍କଦ୍ୱାରା କରାଯାଇଥିବା ଏକ ଶୌଧ ଅନୁସାରେ ନାଗାରହୋଳେ ଜାତୀୟ ଉଦ୍ୟାନରେ ଉତ୍ତମ ଅନୁପାତରେ ମହାବଳ ବାଘ, କଲରାପତରିଆ ବାଘ ଓ ବଳିଆ କୁକୁର ଏହି ତିନି ମୁଖ୍ୟ ମାଂସାସୀ ଜୀବ ରହିଛନ୍ତି ।

ନାଗାରହୋଳେ ଜାତୀୟ ଉଦ୍ୟାନ ମଧ୍ୟରେ ସୁବର୍ଣ୍ଣ ଶିଆଳ, ପାଉଁଶିଆ ନେଉଳ, ଭାଲୁ, ହେଟା ବାଘ, ଚିତଲ୍ ହରିଣ, ସମ୍ବର ହରିଣ, କୁଟୁରା, ଚଉଶିଂଘା ହରିଣ ଓ ବାର୍‍ହା ମଧ୍ୟ ବହୁ ସଂଖ୍ୟାରେ ଦେଖାଯାନ୍ତି ।[୭]

ପାମ୍ ସିଭେଟ୍, ମାଟିଆ ନେଉଳ, ପଟାଦାଗ ନେଉଳ, ଭାରତୀୟ ଠେକୁଆ, କସ୍ତୁରୀ ମୃଗ, ଉଡ଼ନ୍ତା ଗୁଣ୍ଡୁଚି ମୂଷା, ଝିଙ୍କ, ହନୁ ମାଙ୍କଡ଼, ବଜ୍ରକାପ୍ତା ପରି ଅନ୍ୟ ସ୍ତନ୍ୟପାୟୀ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାରେ ରହିଛନ୍ତି ।

ନାଗାରହୋଳେ ଜଙ୍ଗଲର ଏକ ହନୁ ମାଙ୍କଡ଼
୨. ସରୀସୃପ

ଏଠାରେ ଦେଖାଯାଉଥିବା ସରୀସୃପଙ୍କ ମଧ୍ୟରେ ଗୋମୁହାଁ କୁମ୍ଭୀର, ସାଧାରଣ ମୂଷାଖିଆ ସାପ, ଲାଉଡଙ୍କିଆ ସାପ (Ahaetulla nasutus), ରଣା ସାପ, ବାଉଁଶ ବୁଦା ବୋଡ଼ା ସାପ (Trimeresurus gramineus), ରସେଲ୍ ବୋଡ଼ା ସାପ (Daboia russellii), ଚିଟି ସାପ (Bangarus caeruleus), ଅଜଗର ସାପ (Python molurus), ଗୋଧି (Varanus bengalensis) ଓ ବ୍ରାହ୍ମଣୀ ବେଙ୍ଗ (Bufo melanostictus) ଇତ୍ୟାଦି ଉଲ୍ଲେଖଯୋଗ୍ୟ ।[୫][୭]

୩. ପକ୍ଷୀ

ନାଗାରହୋଳେ ଜଙ୍ଗଲକୁ କର୍ଣ୍ଣାଟକର ଏକ ମହତ୍ତ୍ୱପୂର୍ଣ୍ଣ ପକ୍ଷୀ ଅଧିବାସ ରୂପେ ପରିଗଣିତ କରାଯାଏ । ଏଠାରେ ୨୭୦ରୁ ଅଧିକ ପ୍ରଜାତିର ପକ୍ଷୀ ଦୃଶ୍ୟମାନ ହୁଅନ୍ତି । ବାୟୋମ୍-୧୦ (ଭାରତୀୟ ଉପମହାଦ୍ୱୀପ କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟ)ର ୧୫ରୁ ୭ ଓ ବାୟୋମ୍-୧୧ (ଭାରତୀୟ-ମାଳୟ କ୍ରାନ୍ତୀୟ ଶୁଷ୍କ ବଳୟ)ର ୫୯ରୁ ୨୧ଟି ପକ୍ଷୀ ପ୍ରଜାତି ଏହି ଜଙ୍ଗଲରେ ଦେଖାଯାଇଛନ୍ତି ।


  • 'Near threatened' ଶ୍ରେଣୀଭୁକ୍ତ କିଛି ପକ୍ଷୀ ଯଥା ଖପରଖାଇ (Anhniga melanogaster), ଧଳା ବାଜୁଣୀ (Threskiornis melanocephalus), ପାଉଁଶମୁଣ୍ଡିଆ ବଇରୀଗଞ୍ଜନ (Icthyophaga ichthyaetus) ଏବଂ ଫୁଲ ଶାଗୁଣା (Sarcogyps calvus) ଇତ୍ୟାଦି ପକ୍ଷୀ ନାଗାରହୋଳେ ଜଙ୍ଗଲରେ ଦେଖାଯାନ୍ତି ।



  • ସବୁଜବସନ୍ତ (Megalaima viridis), ଭାରତୀୟ ଶିମିଟାର୍-କୁଣ୍ଡାଖାଈ(Pomatorhinus horsfieldii), ମାଲାବାର ଟ୍ରୋଗାନ୍ ଓ ମାଲାବାର୍ ହ୍ୱିସ୍‍ଲିଂ ଥ୍ରଶ୍ (Myiophonus horsfieldii) ପରି ପକ୍ଷୀ ମଧ୍ୟ ନାଗାରହୋଳେ ଜଙ୍ଗଲରେ ବସବାସ କରନ୍ତି ।


  • ଶୁଷ୍କ ଅରଣ୍ୟମାନଙ୍କରେ ଦେଖାଯାଉଥିବା କିଛି ପକ୍ଷୀ ଯଥା ଚିତ୍ରିତ ବୁଦା ଗୁଣ୍ଡୁରୀ (Pendicula erythrorhyncha), ସିର୍କିର ମାଲକୋହା (Phaenicophaeus leschenaultia), ପାଉଁଶିଆ ପ୍ରିନିଆ (Prinia socialis), ଭାରତୀୟ ରବିନ୍ (Saxicoloides fulicata), ମୟୂର (Pava cristatus) ଓ ହରଡ଼ (Treron phoenicoptera) ଇତ୍ୟାଦି ପକ୍ଷୀ ମଧ୍ୟ ନାଗାରହୋଳେ ଜଙ୍ଗଲରେ ବସବାସ କରନ୍ତି ।[୫][୭]
ମାଲାବାର୍ ଟ୍ରୋଗାନ୍ ଚଢ଼େଇ, ମହୀଶୂର
୪. କୀଟପତଙ୍ଗ

ନାଗାରହୋଳେରେ ଦେଖାଯାଉଥିବା କୀଟପତଙ୍ଗଙ୍କ ବିଷୟରେ ବିଭିନ୍ନ ଗବେଷଣା କରାଯାଇଛି । ନାଗାରହୋଳେ ଜାତୀୟ ଉଦ୍ୟାନ ମଧ୍ୟରେ ୯୬ ପ୍ରଜାତିର ଗୋବର ପୋକ ଓ ୬୦ ପ୍ରଜାତିର ପିମ୍ପୁଡ଼ି ଦେଖାଯାଇଛନ୍ତି । ଭାରତର ଏକ ବିରଳ ପିମ୍ପୁଡ଼ି ପ୍ରଜାତି ଡିଆଁମରା ପିମ୍ପୁଡ଼ି (Harpegnathos saltator) ନାଗାରହୋଳେରେ ଦେଖିବାକୁ ମିଳିଛି । ଉଡ଼ୁଥିବା ପୋକଙ୍କୁ ଖାଇବା ପାଇଁ ଏହି ପିମ୍ପୁଡ଼ି କିଛି ଇଞ୍ଚ୍ ଉଚ୍ଚ ପର୍ଯ୍ୟନ୍ତ ଡେଇଁପାରେ । ବିଭିନ୍ନ ବିରଳ ଓ ସାଧାରଣ ପ୍ରଜାତିର ଗୋବରା ପୋକ, ଊଈଖିଆ ପିମ୍ପୁଡ଼ି ପ୍ରଭୃତି କୀଟ ମଧ୍ୟ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ଦେଖିବାକୁ ମିଳିବ ।

ଆଦିମ ଜନଜାତି[ସମ୍ପାଦନା]

ନୀଳଗିରି ଜୈବଗୋଲକର ଏକ ମାନଚିତ୍ର ଓ ଏଥିରେ ନାଗାରହୋଳେ ଅଭୟାରଣ୍ୟର ସ୍ଥାନ
ସମ୍ବର ହରିଣ

ନାଗାରହୋଳେ ଜଙ୍ଗଲରେ ପ୍ରାଚୀନ ସମୟରୁ ଜେନୁ କୁରୁବା ଜନଜାତିର ଲୋକେ ରହିଆସୁଛନ୍ତି । କର୍ଣ୍ଣାଟକର ଏହି ପ୍ରଚୀନ ଜନଜାତି ଧୀରେ ଧୀରେ ନିଜ ପାରମ୍ପରିକ ଆଚାର, ସଂସ୍କୃତି ଓ ଜୀବନଯାପନରୁ ଆଧୁନିକୀକରଣ ଦିଗକୁ ଗତି କରୁଛି । ଏହି ଜନଜାତିର ଲୋକଙ୍କୁ ଜାତୀୟ ଉଦ୍ୟାନ ପରିସରରେ ପଶିବା ପାଇଁ ସରକାର ନିଷେଧାଦେଶ ଜାରୀ କରିଛନ୍ତି । ଏହାଦ୍ୱାରା ବନ୍ୟଜନ୍ତୁ ଓ ଉଦ୍ୟାନର ସଂରକ୍ଷଣ ଓ ଏହି ଜନଜାତି ମୁଖ୍ୟସ୍ରୋତର ଆଧୁନିକ ଲୋକଙ୍କ ସହିତ ମିଶିବା ଉଭୟ କାର୍ଯ୍ୟ ସମ୍ପାଦିତ ହୋଇପାରିବ ।

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ କର୍ଣ୍ଣାଟକର ଜେନୁ କୁରୁବା ଓ କୋରାଗା ଜାତିଙ୍କୁ ଆଦିମ ଜନଜାତିରେ ଅନ୍ତର୍ଭୁକ୍ତ କରିଛି । ଜେନୁ କୁରୁବା ଜାତିର ଲୋକେ ପାରମ୍ପରିକ ଭାବେ ଜଙ୍ଗଲରୁ ଖାଦ୍ୟ ଓ ମହୁ ସଂଗ୍ରହ କରୁଥିଲେ । କନ୍ନଡ଼ ଭାଷାରେ ଜେନୁ ଶବ୍ଦର ଅର୍ଥ ମହୁ ଓ କୁରୁବା ଶବ୍ଦର ଅର୍ଥ ମେଣ୍ଢା ଚରାଳୀ । କନ୍ନଡ଼ରେ କୁରି ଶବଦର ଅର୍ଥ ହେଲା ମେଣ୍ଢା । ସାମାନ୍ୟ ଗୋରୁ ଚରାଳୀଙ୍କୁ ମଧ୍ୟ କୁରୁବା କୁହାଯାଏ । ଏହି ଜନଜାତିର ଲୋକେ କନ୍ନଡ଼ରୁ ଉଦ୍ଧୃତ ଜେନୁ-ନୁଡ଼ି ନାମକ ଏକ ଭାଷାରେ ନିଜ ଜାତି ଲୋକଙ୍କ ସହିତ ଓ ବାହାରର ଲୋକଙ୍କ ସହିତ କନ୍ନଡ଼ ଭାଷାରେ କଥା ହୁଅନ୍ତି । ସେମାନେ କନ୍ନଡ଼ ଲିପିରେ ଲେଖନ୍ତି । ୧୯୮୧ ମସିହାର ଜନଗଣନା ଅନୁଯାୟୀ ଜେନୁ-କୁରୁବା ଜନଜାତିର ସର୍ବମୋଟ ଜନସଂଖ୍ୟା ୩୪୭୪୭, ଯେଉଁଥିରୁ ୧୭୮୬୭ ପୁରୁଷ ଓ ୧୬୮୮୦ ମହିଳା ।

ଅନ୍ୟ ଆଦିମ ଜନଜାତିଙ୍କ ପରି ଜେନୁ କୁରୁବା ଜନଜାତିର ଲୋକେ ମଧ୍ୟ ଜଙ୍ଗଲରେ ବିକ୍ଷିପ୍ତ ଭାବେ ରହନ୍ତି । ଗଛ ଚଢ଼ିବା, ଧନୁ-ତୀର-ବାଟୁଳି ଇତ୍ୟାଦି ସହାୟତାରେ ଶିକାର କରିବା ଇତ୍ୟାଦିରେ ଏମାନେ ପାରଙ୍ଗମ । ଜଙ୍ଗଲକୁ ସେମାନେ ମାତା ବା ଦେବୀ ବୋଲି ଭାବନ୍ତି ଓ ସେଥିପାଇଁ ଜଙ୍ଗଲ ସହିତ ସେମାନଙ୍କ ବିଶ୍ୱାସ, ଭାବର ନିବିଡ଼ ସମ୍ବନ୍ଧ ରହିଛି । ନିଜ ଖାଦ୍ୟ, ଲୁଗାପଟା, ପୂଜା, ଘର, ଔଷଧ, ଅସବାବପତ୍ର ପାଇଁ ଏମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ଏହି ଜନଜାତିର କିଛି ଲୋକ ଆଧୁନିକୀକରଣରୁ ଦୂରରେ ରହିବା ପସନ୍ଦ କରନ୍ତି, ତେଣୁ ଏବେ ମଧ୍ୟ ଜଙ୍ଗଲରେ କୁଡ଼ିଆ ଘର ତିଆରି କରି ସେଥିରେ ରହନ୍ତି ।

ଜେନୁ କୁରୁବା ଲୋକେ ନିଜ ଦୈନନ୍ଦିନ ଜୀବନ ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ । ବହୁ କାଳରୁ ସହରୀ ସଭ୍ୟତାରୁ ଦୂରରେ, ଜଙ୍ଗଲ ମଧ୍ୟରେ ପ୍ରକୃତିର କୋଳରେ ସେମାନେ ରହି ଆସିଛନ୍ତି । ଜଙ୍ଗଲର ଜୀବଜନ୍ତୁ, ଗଛପତ୍ର, ଜଙ୍ଗଲରେ ଗମନାଗମନ ଇତ୍ୟାଦି ବିଷୟରେ ସେମାନଙ୍କର ଜ୍ଞାନ ରହିଛି । ମହୁ, ମହମ, ଚେରମୂଳ ଇତ୍ୟାଦି ସଂଗ୍ରହ କରନ୍ତି । ଏଗୁଡ଼ିକୁ ନେଇ ସେମାନେ ଜଙ୍ଗଲ ବାହାରେ ବୈଧ ଓ ଅବୈଧ ଉପାୟରେ ବିକ୍ରି ମଧ୍ୟ କରନ୍ତି । ଏପରି କାର୍ଯ୍ୟକଳାପ ବ୍ୟାଘ୍ର ସଂରକ୍ଷଣବାଦୀ ଓ ପ୍ରକୃତି ପ୍ରେମୀଙ୍କ ମହଲରେ ଏହା ଅସନ୍ତୋଷ ସୃଷ୍ଟି କରିଛି ।

ଆଖପାଖରେ ରହୁଥିବା ବେଟ୍ଟା କୁରୁବା, କାଡ଼ୁ କୁରୁବା ଇତ୍ୟାଦି ଜନଜାତିଙ୍କ ସହିତ ଏମାନଙ୍କ ପାରମ୍ପରିକ ଚାଲିଚଳନର ଅନେକ ସାମଞ୍ଜସ୍ୟ ରହିଛି । ଏହି ଜନଜାତି ଜଙ୍ଗଲ ସଫା କରି ମାଣ୍ଡିଆ, ଚଣା, କାବୁଲି ବୁଟ, କାନ୍ଦୁଲ ଆଦି ଚାଷ କରିବା ମଧ୍ୟ ଦେଖାଯାଇଛି ।

ସାମ୍ପ୍ରତିକ ସମୟରେ ପର୍ଯ୍ୟଟନର ଦ୍ରୁତ ବିକାଶ ଓ ବ୍ୟବସାୟୀକରଣ ହେଉଥିବାରୁ ଏହି ଜନଜାତିର ଲୋକେ ପୁରାତନ ଜୀବନଧାରଣ ପ୍ରଣାଳୀ ପରିତ୍ୟାଗ କରିଛନ୍ତି । କେତେକ ପଶୁପକ୍ଷୀଙ୍କ ଅବୈଧ ଶିକାରରେ ଲିପ୍ତ ଅଛନ୍ତି । ବନ ବିଭାଗଦ୍ୱାରା ନିଷିଦ୍ଧ ଓ ନିୟନ୍ତ୍ରିତ ଔଷଧିଗଛ ଓ ଗୁଳ୍ମ ବିକ୍ରି ମଧ୍ୟ କରୁଛନ୍ତି । ଅବୈଧ ଶିକାରୀଙ୍କୁ ବଣ ଭିତରକୁ ନେଇ ଯାଉଛନ୍ତି ଓ ସାଧାରଣ ଲୋକଙ୍କୁ ଜୀବିତ ମୃତ ପଶୁପକ୍ଷୀ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି । ଫଳରେ ଆଇନ୍ ରକ୍ଷାକାରୀ ସରକାରୀ ବିଭାଗ ସହିତ ସର୍ବଦା ଏକ ଚାପା ଉତ୍ତେଜନା ଓ ସଂଘର୍ଷ ଲାଗି ରହିଥାଏ । ଏମାନଙ୍କ ସ୍ଥାନାନ୍ତରଣ, ଥଇଥାନଦ୍ୱାରା ଏ ସବୁ ସମସ୍ୟାର ସମାଧାନ ମିଳିପାରିବ ତଥା ପ୍ରକୃତିର ସଂରକ୍ଷଣ ହୋଇପାରିବ । ଜଙ୍ଗଲରେ ରାସ୍ତା ଓ ପଶୁପକ୍ଷୀଙ୍କ ବିଚରଣ ସ୍ଥାନ ଜାଣିବାରେ ଏମାନଙ୍କଠାରୁ ଭଲ ଜ୍ଞାନ ଆଉ କାହାରି ନାହିଁ । ତେଣୁ ଅବୈଧ ଶିକାରୀଙ୍କ ନିକଟରୁ ପଇସା ନେଇ ବନ ବିଭାଗର ଅଜାଣତରେ ଏମାନେ ସାହାଯ୍ୟ କରିବାରୁ ଅବୈଧ ଶିକାର ବୃଦ୍ଧି ପାଇଥାଏ ।

ଥଇଥାନ ବ୍ୟବସ୍ଥା[ସମ୍ପାଦନା]

ଗତ ଦଶନ୍ଧିରେ ସରକାରୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ପକ୍ଷରୁ ଜଙ୍ଗଲରୁ ବାହାରକୁ ଏମାନଙ୍କ ସ୍ଥାନାନ୍ତରଣ ଓ ଥଇଥାନ ପାଇଁ ଅନେକ ପଦକ୍ଷେପ ନିଆ ଯାଇଛି । ବାଘ ଓ ହାତୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନେବାକୁ ପଡ଼ିଛି । ବଣରେ ରହୁଥିବା ଜନଜାତି ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତିତ ହେଉଥିବାରୁ (ପ୍ଲାଷ୍ଟିକ୍, ବୈଦ୍ୟୁତିକ ଉପକରଣ ଇତ୍ୟାଦିର ବ୍ୟବହାର) ବାଘ ଓ ହାତୀଙ୍କ ଜୀବନ ତଥା ଅଧିବାସ ପ୍ରତି ବିପଦ ସୃଷ୍ଟି ହେଉଛି ।

ବହୁ ସମୟରୁ ରହି ଆସୁଥିବା ବୁଢ଼ା ଆଦିମ ଜନଜାତି ଲୋକେ ସ୍ଥାନାନ୍ତରଣ ପାଇଁ ମଙ୍ଗୁ ନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରିବା କାଠିକର ପାଠ । କିନ୍ତୁ ଗତ କିଛି ବର୍ଷରେ ଏଥିରେ କିଛି ସଫଳତା ମିଳିଛି । ଅନେକ ସ୍କୁଲ, ଚିକିତ୍ସାଳୟ, ସଡ଼କ, ଆଲୋକ ବ୍ୟବସ୍ଥା କରାଯିବା ଫଳରେ ଆଦିବାସୀଙ୍କ ମଧ୍ୟରୁ କିଛି ଲୋକ ନୂତନ ବାସସ୍ଥାନ ପ୍ରତି ଆକୃଷ୍ଟ ହେଉଛନ୍ତି ।

ଆଖାପାଖି ଗାଁଗଣ୍ଡା ଓ ବ୍ୟବସ୍ଥା[ସମ୍ପାଦନା]

ନାଗାରହୋଳେ ଜଙ୍ଗଲର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକ ହେଲେ ଡୋଡା ବୈରାନ୍ କୁପ୍ପେ, ମଚୁର୍, କାରାପୁର, ନିଶାନ ବେଲାଥୁର, ହେମ୍ମାନକେଟ୍ଟେ, ଦୋମନ୍ନାକାଟେଟେ, ଲକ୍ଷ୍ମୀପୁର ଓ ଅନ୍ତରସାନ୍ତେ ଇତ୍ୟାଦି ।

କର୍ଣ୍ଣାଟକ ଜଙ୍ଗଲ କ୍ୟାମ୍ପ୍ ନାଗାରହୋଳେ ଜଙ୍ଗଲ ମଧ୍ୟରେ ବାଲେ ହାତୀ ଶିବିର ସେବା ଆରମ୍ଭ କରିଥିଲା । କେରଳ ଓ କର୍ଣ୍ଣାଟକ ସୀମା ମଧ୍ୟରେ ଥିବା ଜଙ୍ଗଲରେ ଏହି ହାତୀ ଶିବିର ରହିଛି ।

ବାଲେ ହାତୀ ଶିବିର

ବିପଦ ଓ ସଂରକ୍ଷଣ ପଦକ୍ଷେପ[ସମ୍ପାଦନା]

‍‌‍‌୧. ଚୋରା କାଠ ବ୍ୟବସାୟ

ଜଙ୍ଗଲରୁ ଚନ୍ଦନ କାଠ ଓ ଶାଗୁଆନ୍ କାଠ କଟାଯାଇ ଏମାନଙ୍କ ତସ୍କରୀ ଓ ଚୋରାଚାଲଣ ହେଉଥିବାରୁ ଏହା ନାଗାରହୋଳେ ପ୍ରତି ଏକ ବିରାଟ ବିପଦ । କାଠ ଓ ଚନ୍ଦନ କାଠର ଚୋରା ବ୍ୟବସାୟ ବହୁମାତ୍ରାରେ ହେବା ଜଣାପଡ଼ିଛି । କୋଳିହାଡ଼ି, ଭଦ୍ଦରା ମୋଡ଼ୁ, ବୀରହୋସନହଲ୍ଲିର ତଟ୍ଟିକେରେ ଓ କଳାହଲ୍ଲିର ମେତ୍ତିଉପେ ଆଦି ସ୍ଥାନରୁ ଗଛ କଟାଯିବା ଦେଖାଯାଇଥିଲା । ଆରେକାଟ୍ଟି, ବଦ୍ରିକଟ୍ଟେ, ବିଦୂରୁକଟ୍ଟେ, ବୀରନ ହୋସାହଲ୍ଲି, ମାରିଗୋଡ଼ୁ ଆଦି ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ମଧ୍ୟ ଗଛ କାଟିବା ପରିଲକ୍ଷିତ ହୋଇଥିଲା । ୨୦୦୨ ଜୁଲାଇ ମାସରେ ବୀରନହୋସାହଲ୍ଲିସ୍ଥିତ ସଂରକ୍ଷିତ ଜଙ୍ଗଲରେ ଶହ ଶହ ଗଛ କଟା ହୋଇଥିଲା ।[୮] କୋଡ଼ାଗୁ ଏକୀକରଣ ରଙ୍ଗା, ବୁଦାକଟ୍ଟୁ କୃଷିକର ସଂଘ ଓ ବୁଦାକଟ୍ଟୁ ହକ୍କୁ ସ୍ଥାପନା ସମିତି ପରି ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଏପରି ଗଛ କଟା ରୋକିବା ପାଇଁ ଚେଷ୍ଟା କରି ଆସୁଛନ୍ତି ।

୨. ଗୋରୁଙ୍କଠାରୁ ସଂକ୍ରମିତ ରୋଗ

ବଣ ପାଖାପାଖି ରହୁଥିବା ଗୋରୁ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଇଛି । ୨୦୦୫ ମସିହା ସେପ୍ଟେମ୍ବର ମାସରେ ଜଳାତଙ୍କ (Rabies) ପରି ରୋଗ ଲାଗି ଧରିବାରୁ ଅନ୍ତରସନ୍ତେ ବନଖଣ୍ଡ ନିକଟସ୍ଥ ଜି. ଏମ୍. ହଲ୍ଲି ଗ୍ରାମରେ ୪ଟି ଗୋରୁ ପ୍ରାଣ ହରାଇଥିଲେ ଓ ୨୫-୩୦ ଗୋରୁ ଆକ୍ରାନ୍ତ ହୋଇଥିଲେ ।[୯]

୩. ଅବୈଧ ଶିକାର

ବନ୍ୟଜନ୍ତୁଙ୍କ ଅବୈଧ ଶିକାର ଏକ ବିରାଟ ସମସ୍ୟା । ୧୯୯୧-୯୨ ଓ ୨୦୦୪-୦୫ ମସିହାରେ ହାତୀଙ୍କ ଅବୈଧ ଶିକାର ଯୋଗୁଁ ପ୍ରାୟ ୧୦୦ ହାତୀ ଜୀବନ ହରାଇଥିଲେ । କୋଡ଼ାଗୁ ଓ ହୁନ୍‍ସୁର୍ ବନଖଣ୍ଡରେ ଏହା ଘଟିଥିଲା । ହାତୀଦାନ୍ତ ପାଇଁ ବହୁ କାଳରୁ ହାତୀମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । ୱାଇଲ୍ଡଲାଇଫ୍ ଫଷ୍ଟ୍! ନାମକ ଏକ ସଂସ୍ଥାଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼େ ଯେ ଜାନୁଆରୀ ୨୦୦୦ରୁ ଡିସେମ୍ବର୍ ୨୦୦୨ ମଧ୍ୟରେ ୭୭ଟି ହାତୀଙ୍କୁ ମରାଯାଇଥିଲା । INCERT (Institute for Natural Resources, Conservation, Education, Research and Training) ସଂସ୍ଥାର ସର୍ବେକ୍ଷଣ ଅନୁସାରେ ୨୦୦୨ ମସିହା ଆରମ୍ଭରେ ୭ଟି ହାତୀଙ୍କୁ ମାରିଦିଆ ଯାଇଥିଲା ।[୧୦]

୧୯୯୬-୧୯୯୭ ମସିହାରେ ଡଃ କୋଟା ଉଲ୍ଲାସ କାରନ୍ଥ ଓ ମଧୁସୂଦନ କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ କୁଦ୍ରେମୁଖ ଓ ନାଗାରହୋଳେରେ ବନ୍ୟଜନ୍ତୁଙ୍କ ଶିକାର ସବୁଠାରୁ ବଡ଼ ବ୍ୟାଧି । ୪୯ ସକ୍ରିୟ, ୧୯ ଅବସରପ୍ରାପ୍ତ ଶିକାରୀଙ୍କଠାରୁ ସଂଗୃହୀତ ତଥ୍ୟାନୁସାରେ ୨୬ଟି ପ୍ରଜାତିର ଜୀବଙ୍କ ବହୁଳ ଶିକାର କରାଯାଉଥିଲା । ସେଥିରୁ ୪୮% ଶିକାର କେବଳ ରୋମାଞ୍ଚ ଓ ଆମୋଦ ପାଇଁ କରାଯାଉଥିଲା । ଏହି ସର୍ବେକ୍ଷଣରୁ ଆହୁରି ଜଣା ପଡ଼ିଲା ଯେ ନାଗାରହୋଳେରେ ୧ କି.ଗ୍ରା.ରୁ ଉର୍ଦ୍ଧ୍ୱ ଓଜନର ୧୬ଟି ସ୍ତନ୍ୟପାୟୀ ପ୍ରଜାତି ଜନ୍ତାରେ ପଡ଼ି ବା ବନ୍ଧୁକର ଗୁଳିମୁନରେ ପ୍ରାଣ ହରାଉଥିଲେ ।[୧୧]

୪. ବନ ବିଭାଗର କର୍ମଚାରୀଙ୍କୁ ବେତନ ଦିଆନଯିବା

ବ୍ୟାଘ୍ର ପ୍ରକଳ୍ପର ପରିଚାଳନା ସମିତି ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଜାତୀୟ ଉଦ୍ୟାନର ପ୍ରହରୀମାନଙ୍କ ମଧ୍ୟରୁ କେବଳ ୨୫% କର୍ମଚାରୀ ଦୈନିକ ନିରୀକ୍ଷଣ କାର୍ଯ୍ୟରେ ଯୋଗଦାନ କରୁଥିଲେ । ଫଳରେ ଚୋରା କାଠ ଚାଲଣ, ଗଛ କଟା, ଅବୈଧ ଶିକାର ଇତ୍ୟାଦି ଉପରେ ଅଙ୍କୁଶ ଲଗାଇବା କଷ୍ଟକର ହେଉଥିଲା । ଉଭୟ ବାନ୍ଦୀପୁର ଓ ନାଗାରହୋଳେ ଜଙ୍ଗଲର ବନ କର୍ମଚାରୀଙ୍କୁ ପ୍ରତି ମାସ ଦରମା ନ ମିଳିବାରୁ ସେମାନେ ନିଜ ଦାୟିତ୍ୱ ପ୍ରତି ବିମୁଖ ହେବା ଏହାର ମୁଖ୍ୟ କାରଣ ଥିଲା । ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସୁଥିବା ଅର୍ଥ ସଠିକ୍ ରୂପେ ଖର୍ଚ୍ଚ ହେଉନଥିଲା ।[୧୦][୧୧]

୫. ବଣନିଆଁ

୨୦୧୨ ମସିହା ଜାନୁଆରୀ ମାସରେ ନାଗାରହୋଳେରେ ଏକ ଭୟଙ୍କର ବଣନିଆଁ ଲାଗିବାରୁ ୬୦୦୦ ହେକ୍ଟର୍ ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଥିଲା । ବିରାଟ ବିରାଟ ଗଛ କାଠ ଖୁଣ୍ଟରେ ପରିଣତ ହେଲା । ଏକଦା ସବୁଜିମା ମଣ୍ଡିତ ଏହି ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟର ଅବଶେଷରେ ବହୁ ସାପ, ଗୋଧି, ବଡ଼ ମାଲାବାର୍ ଗୁଣ୍ଡୁଚି ମୂଷା, ଇତ୍ୟାଦି ପ୍ରାଣୀଙ୍କ ପୋଡ଼ା ଶରୀର ଏଠିସେଠି ପଡ଼ିରହିଥିବା ଦେଖାଗଲା ।[୧୨]

ବଣନିଆଁ[୧୩][୧୪] ଓ ଗ୍ରୀଷ୍ମକାଳୀନ ମରୁଡ଼ି, ଜଳାଭାବ ଯୋଗୁଁ ବହୁ ପ୍ରାଣୀ ନିଜ ଅଧିବାସ ଛାଡ଼ି ଅନ୍ୟ ସବୁଜ ଅରଣ୍ୟକୁ ପଳାଇବାକୁ ବାଧ୍ୟ ହୁଅନ୍ତି ।[୧୧][୧୪]

୬. ମନୁଷ୍ୟ ବନ୍ୟଜନ୍ତୁ ସଂଘର୍ଷ ଲାଗି ରହିବା

ବେଳେବେଳେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ କୃଷିକ୍ଷେତ୍ର ଆଡ଼କୁ ପଶିଆସନ୍ତି ଓ ଫସଲ ଖାଇଯାନ୍ତି । ଲୋକେ ଏହାର ପ୍ରତିବାଦରେ ବହୁ ପନ୍ଥା ଆପଣାନ୍ତି ଯାହା ବନ୍ୟଜନ୍ତୁଙ୍କ ପାଇଁ ବିପଜ୍ଜନକ । ଚାଷଜମିରୁ ହାତୀଙ୍କୁ ଦୂରରେ ରଖିବା ପାଇଁ ୨୦୦୧ ମସିହାରେ କର୍ଣ୍ଣାଟକ ସରକାର ୨ କୋଟି ଟଙ୍କା ବ୍ୟୟରେ ଖାଇ ଓ ସୌରଶକ୍ତିଚାଳିତ ବାଡ଼ ଇତ୍ୟାଦିର ବ୍ୟବସ୍ଥା କରିଥିଲେ ।[୧୫]

୭. ବଣରେ ବସବାସ କରୁଥିବା ଜନଜାତିର ଥଇଥାନ

ତାଜ ହୋଟେଲ୍ ଗ୍ରୁପ୍ ନାଗାରହୋଳେରେ ଗେଟ୍‍ୱେ ଟସ୍କର୍ ଲଜ୍ ନାମକ ଏକ ବିଳାଶପୂର୍ଣ୍ଣ ରିସୋର୍ଟ୍ ନିର୍ମାଣ କରିବାର ଯୋଜନା କରିଥିଲା । ୧୯୯୭ ମସିହାରେ ନାଗାରହୋଳେର ଆଦିବାସୀଙ୍କ ପାଇଁ ଅନେକ ସ୍ୱେଚ୍ଛାସେବୀ ସଂଗଠନ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରି ବିଜୟ ଲାଭ କଲେ ଓ ତାଜ୍ ଗ୍ରୁପ୍‍ର ନିର୍ମାଣ କାର୍ଯ୍ୟ ବନ୍ଦ କରାଇଲେ ।[୧୩][୧୬] ଜାତୀୟ ଉଦ୍ୟାନ ମଧ୍ୟରେ ୧୨୫ଟି ଆଦିବାସୀ ଗାଁ ରହିଥିବାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (ଯଥା – LIFT, CORD, DEED, FEDINA-VIKASA, ନାଗାରହୋଳେ ବୁଦାକଟ୍ଟୁ ଜନାରା ହକ୍କୁସ୍ଥାପନା ସମିତି) ଏଠାକାର ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସବୁବେଳେ କାର୍ଯ୍ୟରତ । ୨୦୦୦ ମସିହାରେ ବିଶ୍ୱ ବ୍ୟାଙ୍କ୍ ସହାୟତାରେ ୫୦ ଜଣ ଆଦିବାସୀଙ୍କୁ ଥଇଥାନ କରିବାର ପ୍ରଚେଷ୍ଟା ଆରମ୍ଭ ହୋଇଥିଲା । ସ୍ଥାନାନ୍ତରିତ ଆଦିବାସୀମାନଙ୍କୁ ବୀରନହୋସାହଲ୍ଲି ଗାଁ ନିକଟରେ ୫ ଏକର ଜମି ଓ ନୂଆ ଘର ଯୋଗାଇ ଦିଆଗଲା । ୧୫.୫ କୋଟି ବ୍ୟୟରେ ପ୍ରାୟ ୧୫୦୦ଟି ଆଦିବାସୀ ପରିବାରଙ୍କ ଥଇଥାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରିଛନ୍ତି ।[୧୭]

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Nagarhole National Park Complete Guide | Nagarhole National Park". Nagarhole National Park (in ଆମେରିକୀୟ ଇଂରାଜୀ). Archived from the original on 2018-04-12. Retrieved 2017-09-30.
  2. UNESCO,. World Heritage sites, Tentative lists "World Heritage sites, Tentative lists, Western Ghats sub cluster, Nilgiris". Retrieved 20 April 2007. {{cite web}}: Check |url= value (help)CS1 maint: extra punctuation (link)
  3. ୩.୦ ୩.୧ "Protected Areas in Karnataka", Protected Area Network, ENVIS, archived from the original on 9 ଅକ୍ଟୋବର 2011, retrieved 27 ଫେବୃଆରୀ 2012 {{citation}}: Unknown parameter |deadurl= ignored (|url-status= suggested) (help)
  4. HolidayIQ.com. "Bangalore to Nagarhole - distance, journey time & traveller reviews | HolidayIQ". www.holidayiq.com (in ଇଂରାଜୀ). Archived from the original on 2018-02-04. Retrieved 2018-02-04.
  5. ୫.୦ ୫.୧ ୫.୨ ୫.୩ Lal, Ranjit (1994). Directory of national parks and sanctuaries in Karnataka: management status and profiles. Centre for Public Policy, Planning, and Environmental Studies, Indian Institute of Public Administration. pp. 53–62.
  6. J.P, Pascal; Shyam Sundar, S; Meher-Homji, V.M (1982). "Forest map of South India: Mercara-Mysore". French institute, Pondicherry. {{cite web}}: Missing or empty |url= (help)
  7. ୭.୦ ୭.୧ ୭.୨ ୭.୩ Rahmani, Asad R.; M. Zafar-ul Islam (21 April 2005). Important Bird Areas in India: Priority Sites for Conservation. OUP India. pp. 578–579.1133. ISBN 0-19-567333-6.
  8. ProtectedAreaUpdateon39_Oct2002 (PDF), archived from the original (PDF) on 29 July 2013, retrieved 15 February 2011
  9. "Protective Update October 2005". Archived from the original on 21 ଜୁଲାଇ 2011. Retrieved 21 ଫେବୃଆରୀ 2011.
  10. ୧୦.୦ ୧୦.୧ ProtectedAreaUpdateinDecember2005, archived from the original on 21 ଜୁଲାଇ 2011, retrieved 21 ଫେବୃଆରୀ 2011
  11. ୧୧.୦ ୧୧.୧ ୧୧.୨ "Protected Area Update April 2003". Archived from the original on 21 ଜୁଲାଇ 2011. Retrieved 21 ଫେବୃଆରୀ 2011.
  12. "Nagarhole Tiger Reserve smoulders, but who cares?". IBN Live. Global Broadcast News. Archived from the original on 2013-01-26. Retrieved 2018-03-18.
  13. ୧୩.୦ ୧୩.୧ ProtectedAreaUpdate22onOct1999 (PDF), archived from the original (PDF) on 29 July 2013, retrieved 21 February 2011
  14. ୧୪.୦ ୧୪.୧ "Protected Area Update 2004 April". Archived from the original on 21 ଜୁଲାଇ 2011. Retrieved 21 ଫେବୃଆରୀ 2011.
  15. Protected Area Update-32 on Apr2001 (PDF), retrieved 21 February 2011[permanent dead link]
  16. Protect Area Update from Sept1994 to Jul1998 (PDF), retrieved 15 February 2011
  17. Protected Area Update Dec 2000 (PDF), archived from the original (PDF) on 29 July 2013, retrieved 21 February 2011

ପୁସ୍ତକ[ସମ୍ପାଦନା]

  • K K Gurung & Raj Singh: Field Guide to the Mammals of the Indian Subcontinent, Academic Press, San Diego, ISBN 0-12-309350-3
  • William Riley, laura Riley: Nature's Strongholds. The World's Great Wildlife Reserves. Princeton University Press, 2005. ISBN 0-691-12219-9
  • "ecoinfoindia.org". ecoinfoindia.org. Retrieved 1 May 2016.
  • Kazmierczak, K. 2000. A field guide to the birds of India, Sri Lanka, Pakistan, Nepal, Bhutan, Bangladesh ଏବଂ the Maldives. OM Book Service, New Delhi, India. 352 pp.
  • Menon, V. 2003. A field guide to Indian mammals. DK (India) Pvt Ltd ଏବଂ Penguin Book India (P) Ltd. 201 pp.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]