ଲାଉଡଙ୍କିଆ ସାପ

ଉଇକିପିଡ଼ିଆ ରୁ
Jump to navigation Jump to search
Opisthokonta
ଲାଉଡଙ୍କିଆ ସାପ ବା କାଣ୍ଡ ନାଗ
Davidraju Vine snake.jpg
Green Vine Snake DSC 6833.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Kingdom: Animalia
Phylum: Chordate
Class: Reptile
Order: Squamata
Suborder: Serpentes
Family: Colubridae
Genus: Ahaetulla
ଜାତି: A. nasuta
ବାଇନୋମିଆଲ ନାମ
Ahaetulla nasuta
(ଲାସେପିଡ୍, ୧୭୮୯)
Synonyms

Dryophis nasuta
Dryophis mycterizans

ଲାଉଡଙ୍କିଆ ସାପ (ଈଂରାଜୀରେ Green Vine Snake ଓ ଜୀବବିଜ୍ଞାନ ନାମ Ahaetulla nasuta) ଦେଖିବାକୁ ଅତ୍ୟନ୍ତ ପତଳା ଓ ସବୁଜ ରଙ୍ଗର । ଏହି ସାପ ସାଧାରଣତଃ ଗଛ, ଲତାରେ ବାସ କରେ ଓ ନିଜର ଛଳାବରଣ ଯୋଗୁଁ ଅତି ସହଜରେ ପରିଦୃଷ୍ଟ ହୁଏନାହିଁ । ଏହି ସାପର ଆଉ ଏକ ଈଂରାଜୀ ନାମ ହେଉଛି long-nosed whip snake (ଗୋଜିଆମୁହାଁ ବେତ ସାପ)। ଓଡ଼ିଶାରେ କେହି କେହି ଏହାକୁ କାଣ୍ଡ ନାଗ ବୋଲି ମଧ୍ୟ କୁହନ୍ତି । ଭାରତ, ଶ୍ରୀଲଙ୍କା, ବଙ୍ଗଳାଦେଶ, ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ, କ୍ୟାମ୍ବୋଡ଼ିଆଭିଏତ୍‍ନାମ ଆଦି ଦେଶରେ ଏହି ପ୍ରଜାତିର ସାପ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି ।

କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକାରେ ପରିଲକ୍ଷିତ ହେଉଥିବା ଲାଉଡଙ୍କିଆ ସାପ ଏହାଠାରୁ ଭିନ୍ନ ପ୍ରଜାତିର । ସେହି ସାପକୁ ମଧ୍ୟ ଈଂରାଜୀରେ "green vine snake" କୁହାଯାଏ କିନ୍ତୁ ତାହାର ଜୀବବିଜ୍ଞାନ ନାମଟି ହେଲା Oxybelis fulgidus

ଓଡ଼ିଶାରେ ଲାଉଡଙ୍କିଆ ସାପର ଏକ ଅନ୍ୟ ଉପ-ପ୍ରଜାତି ମଧ୍ୟ ଦେଖାଯିବା ବିଷୟ ପ୍ରକାଶ ପାଇଛି ଯାହାକୁ ବିଚିତ୍ର ଲାଉଡଙ୍କିଆ ସାପ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ଏହି ଉପପ୍ରଜାତିର ମାଈମାନେ ମାଟିଆ ଓ ଅଣ୍ଡିରାମାନେ ସାଗୁଆ ରଙ୍ଗର ହୋଇଥାନ୍ତି । ଏହି ସାପର ମୁଣ୍ଡରେ ଏକ ଛୋଟ ମଣ୍ଡଳାକାର ଚିହ୍ନ ରହିଥାଏ । [୧] ଏହି ଉପପ୍ରଜାତିକୁ Ahaetulla nasuta anomala ବା Ahaetulla anomala ବୋଲି ମଧ୍ୟ କୁହାଯାଇଥାଏ ।

ବିବରଣୀ[ସମ୍ପାଦନା]

ଲାଉଡଙ୍କିଆ ସାପଟିଏ କାଂସ୍ୟପୃଷ୍ଠ ବେଙ୍ଗଟିକୁ ଖାଉଥିବା ବେଳର ଚିତ୍ର
ଲାଉଡଙ୍କିଆ ସାପର ମୁଣ୍ଡ ଓ ଭୂସମାନ୍ତରାଳ ଆଖିପତା

ଲାଉଡଙ୍କିଆ ସାପ ଦିବାଚର ଓ ଅଳ୍ପ ବିଷଯୁକ୍ତ । ଏହି ସାପ ମୁଖ୍ୟତଃ ବେଙ୍ଗ, ଝିଟିପିଟିଏଣ୍ଡୁଅ ପରି ଜୀବଙ୍କୁ ଆହାର ଭାବରେ ଗ୍ରହଣ କରେ । ଏହି ସାପର ଦୃଷ୍ଟିଶକ୍ତି ଏକ ଦୂରବିକ୍ଷଣ ଯନ୍ତ୍ର ପରି । ଅନ୍ୟ ସାପମାନଙ୍କ ସହିତ ତୁଳନା କଲେ ଏମାନେ ଖୁବ୍ ମନ୍ଥର । ତେବେ ବୁଦା, ବାଡ଼ ଓ ଗଛଡାଳରେ ଏମାନଙ୍କ ଛଳାବରଣ ଧରିବା ପ୍ରାୟ ଅସମ୍ଭବ । ଶିକାର ସମୟରେ ବେଗ ନୁହଁ ବରଂ ଏହି ଛଳାବରଣ ହିଁ ଏମାନଙ୍କ ମୁଖ୍ୟ ଅସ୍ତ୍ର । ରାଗିଗଲେ ବା ସତର୍କ ହୋଇଗଲେ ଏହି ସାପ ନିଜ ଶରୀରକୁ ଟିକିଏ ପ୍ରସାରିତ କରିଦିଏ ବା ଫୁଲାଇ ଦିଏ । ସେହି ସମୟରେ ଏହା ଶରୀରରେ ରହିଥିବା ଧଳା ଟୋପ ଟୋପ କାତି ବା ଦାଗ ସ୍ପଷ୍ଟ ଭାବେ ଦିଶେ । ବିପଦ ବା ଶତ୍ରୁ ଦିଗକୁ ଚାହିଁ ଏହି ସାପ ନିଜ ପାଟିକୁ ପୁରା ପୁରି ଖୋଲି ବଡ଼ ଆଁ କରି ତାହାକୁ ଡରାଇବାକୁ ଚେଷ୍ଟା କରେ ।

ଲାଉଡଙ୍କିଆ ସାପର ସିଂହଳୀ ନାମ ଅହୈତୁଲା ଶବ୍ଦର ଅର୍ଥ ହେଲା "ଆଖି ଖୋଳି ବା ତାଡ଼ି ନେବା ଲୋକ" । ତାମିଲ୍ ଓ ଅନ୍ୟ କିଛି ଭାରତୀୟ ଭାଷାରେ ମଧ୍ୟ ଏହି ସାପର ନାମ ସମାନ ଅର୍ଥସୂଚକ । ଡାଳରେ ଲୁଚିଥିବା ଲାଉଡଙ୍କିଆ ସାପ ନିକଟକୁ ହାତ ନେଲେ ବା ଧରିବାକୁ ଚେଷ୍ଟା କଲେ ସେ ଦନାଇ ଚାହିଁ ରହିଥାଏ ଏବଂ ଆଖିକୁ ଡେଇଁ କାମୁଡ଼ିବାକୁ ଚେଷ୍ଟା କରେ ବୋଲି ଏପରି ନାମକରଣ ହୋଇଛି ।[୨] ଅନେକ ମଣିଷ ଏହି ସାପର କାମୁଡ଼ା ଯୋଗୁଁ ନିଜ ଦୃଷ୍ଟିଶକ୍ତି ହରାଇଥିବାର ନଜୀର ରହିଛି ।

ଲାଉଡଙ୍କିଆ ସାପର ଶାବକ ନିଜ ମା'ର ଦେହ ଭିତରେ ବଢ଼ିଥାଏ ଓ ତା'ପରେ ମା' ତାହାକୁ ଜନ୍ମ ଦିଏ । ଅନ୍ୟ ସାପମାନେ ମା' ଦେଇଥିବା ଅଣ୍ଡାରୁ ଫୁଟି ଜନ୍ମ ହୋଇଥାନ୍ତି । ଲାଉଡଙ୍କିଆ ସାପର ଅଣ୍ଡା ପ୍ରକୋଷ୍ଠରେ ଅଣ୍ଡା ଫୁଟି ସାପ ଜନ୍ମ ନିଏ ଓ ମା'ର ପେଟ ଭିତରେ ବଢ଼ୁଥାଏ । ଲାଉଡଙ୍କିଆ ସାପ ନିଜର ଗର୍ଭଧାରଣକୁ ବହୁ ସମୟ ପର୍ଯ୍ୟନ୍ତ ବିଳମ୍ବ କରାଇପାରେ । ଲଣ୍ଡନ ଚିଡ଼ିଆଖାନାରେ ଥିବା ଏକ ମାଈ ଲାଉଡଙ୍କିଆ ସାପକୁ ମିଳନ ପରେ ୧୮୮୫ ଅଗଷ୍ଟ ମାସରେ ଅଲଗା ଏକାକୀ ଭାବେ ରଖାଯାଇଥିଲା ଓ ଏହି ସାପଟି ୧୮୮୮ ମସିହା ଅଗଷ୍ଟ ମାସରେ ନିଜ ଶାବକକୁ ଜନ୍ମ ଦେଇଥିଲା ।[୩]

ଶରୀରର ଗଠନ[ସମ୍ପାଦନା]

ଲାଉଡଙ୍କିଆ ସାପଟିଏ ଏକ ପ୍ରଜାତିର ଚମ୍ପେଇ ନେଉଳକୁ ଖାଇବା ପାଇଁ ଜାବୁଡ଼ି ଧରିଛି
ଶତ୍ରୁ ବା ବିପଦ ଦେଖି ଡରାଉଥିବା ଏକ ଲାଉଡଙ୍କିଆ ସାପ । ଏହି ସମୟରେ ତାହାର କାତିରେ ଥିବା ଧଳା କଳା ଛିଟଦାଗ ସହଜରେ ବାରିହେବ ।

୧୮୯୦ ମସିହାରେ ପ୍ରକାଶିତ ବୌଲେଂଗର୍‍ଙ୍କ ଲେଖାରେ ନିମ୍ନ ବିବରଣୀ ପ୍ରଦତ୍ତ ହୋଇଛି:[୪] ମୁହଁ ଗୋଜିଆ ଓ ଛୋଟ ଥଣ୍ଟ ପରି । ଏହି ଥଣ୍ଟଟି ଏହାର ଆଖିଠାରୁ ମଧ୍ୟ ଛୋଟ ଓ ଗୋଟିଏ ରୋଷ୍ଟ୍ରାଲ୍ (rostral)ଦ୍ୱାରା ଗଠିତ । ଥଣ୍ଟ ବିନା ମୁହଁର ଗୋଜିଆ ଅଂଶର ଲମ୍ବ ଆଖିର ବ୍ୟାସର ଦୁଇଗୁଣ ପାଖାପାଖି ହେବ । ନାକ ଓ ଆଖି ମଧ୍ୟରେ କୌଣସି କାତି ନଥାଏ । ନାକପୁଡ଼ା ମଧ୍ୟବର୍ତ୍ତୀ ଓ ପ୍ରାକ୍‍ସମ୍ମୁଖ କାତି ପାଟିର କାତି ସହିତ ସଂଲଗ୍ନ । ଆଖିର ଆଗ ପଟକୁ ୨ଟି ଓ ପଛ ପଟକୁ ୨ଟି କାତି ରହିଥାଏ । କର୍ଣ୍ଣମୂଳ କାତି ସଂଖ୍ୟା ୧+୨ ବା ୨+୨ ହୋଇଥାଏ । ଉପର ପାଟିରେ ୮ଟି କାତି ଯାହାର ପଞ୍ଚମଟି ଉପରେ ଆଖି ରହିଥାଏ । ତଳ ପାଟିରେ ୪ଟି କାତି ରହିଥାଏ । କାତିମାନଙ୍କର ୧୫ଟି ପଂକ୍ତି ଦେଖିବାକୁ ମିଳିଥାଏ । ଏମାନଙ୍କ ଦୈର୍ଘ୍ୟ ପ୍ରାୟ ୫ ଫୁଟ୍ ପର୍ଯ୍ୟନ୍ତ ଯେଉଁଥିରୁ ଲାଞ୍ଟି ପ୍ରାୟ ୨ ଫୁଟ୍ ଲମ୍ବା ।

ବିଷ ଓ ବିଷର ପ୍ରଭାବ[ସମ୍ପାଦନା]

ଲାଉଡଙ୍କିଆ ସାପର ବିଷ କେଉଁ କେଉଁ ରସାୟନିକ ପଦାର୍ଥରେ ଗଢ଼ା ତାହା ଅଜଣା । ଏହି ସାପର ବିଷ ଅତ୍ୟନ୍ତ ଶକ୍ତିଶାଳୀ ନୁହେଁ । କିନ୍ତୁ ଏହାର ବିଷ ପ୍ରଭାବରେ ଶରୀରର ଅଙ୍ଗ ଫୁଲିଯିବା, ଶୁଳେଇ ହେବା, ଅଙ୍ଗଟି ନିଷ୍ଚେତ ହୋଇଯିବା ଇତ୍ୟାଦି ପ୍ରକାରର କ୍ଷଣସ୍ଥାୟୀ ପ୍ରଭାବ ବା ପ୍ରତିକ୍ରିୟା ଦେଖାଦେଇପାରେ । ଏହି ସାପ କାମୁଡ଼ାର ପ୍ରଭାବ ୨-୩ ଦିନ ମଧ୍ୟରେ କମିଯିବା ଦେଖାଯାଇଛି । ଯଦି ମୁଣ୍ଡ, ଆଖି ବା ଅନ୍ୟ କୌଣସି ଅତ୍ୟନ୍ତ ଜରୁରୀ ଅଙ୍ଗ ଆଖାପାଖି ଏହି ସାପ କାମୁଡ଼ିଲେ ତାହା ମରଣାନ୍ତକ ହୋଇପାରେ ଓ ଦରକାର ପଡ଼ିଲେ କଟାଯିବା ମଧ୍ୟ ଆବଶ୍ୟକ ହୋଇପଡ଼େ । ତେଣୁ ଯେ କୌଣସି ସ୍ଥାନରେ ସାପ କାମୁଡ଼ିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । [୫][୬]

ଲାଉଡଙ୍କିଆ ସାପର ବିଭିନ୍ନ ସ୍ଥାନୀୟ ନାମ[ସମ୍ପାଦନା]

  • ସିଂହଳୀ : ඇහැ‍ටුල්ලා (ଅହୈତୁଲା)
  • ତେଲୁଗୁ : పచ్చారి పాము.
  • ବଙ୍ଗଳା : লাউডগা.
  • କନ୍ନଡ଼ : ಹಸಿರು ಹಾವು, ಹಸಿರು ಬಳ್ಳಿ ಹಾವು.
  • ଗୁଜରାଟୀ : લીલવણ, માળણ.
  • ମରାଠୀ : हरणटोळ
  • ତାମିଲ୍ : பச்சை பாம்பு

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. http://odishasuntimes.com/odisha-researchers-discover-new-snake-species-of-ahaetualla-nasuta/
  2. Snakes of Sri Lanka Archived May 19, 2005, at the Wayback Machine.
  3. Wall, Frank 1905. A popular treatise on the common Indian snakes. Part 1. J. Bombay Nat. Hist. Soc. 16:533-554.
  4. Boulenger, George A. 1890 The Fauna of British India, Including Ceylon and Burma. Reptilia and Batrachia. Taylor & Francis, London, xviii, 541 pp.
  5. Snakes of Sri Lanka Archived May 19, 2005, at the Wayback Machine.
  6. “Ahaetulla nasuta” at WCH Clinical Toxinology Resources. Accessed on 9.1.2014 at http://www.toxinology.com/fusebox.cfm?fuseaction=main.snakes.display&id=SN0004

ଆଧାର[ସମ୍ପାଦନା]

  • Lacepède, B. G. E. 1789 Histoire Naturelle des Quadrupèdes Ovipares et de Serpens. Vol.2. lmprimerie du Roi, Hôtel de Thou, Paris, 671 pp.
  • Wall, F. 1908 Remarks on some recently acquired snakes. J. Bombay N. H. S. xviii: 778-784
  • Wall 1908 A new color variety of the common green whip-snake (Dryophis mycterizans). J. Bombay N. H. S. xviii: 919
  • Wall, F. 1910 Remarks on the varieties and distribution of the common Green Whip Snake (Dryophis mycterizans). J. Bombay nat. Hist. Soc. 20: 229
  • Wall 1910 Varieties of the common Green Whip Snake (Dryophis mycterizans). J. Bombay nat. Hist. Soc. 20: 524