ବଳିଆ କୁକୁର

ଉଇକିପିଡ଼ିଆ‌ରୁ

ବଳିଆ କୁକୁର
ଜୀବାଶ୍ମ କାଳ: 0.781–0 Ma
Middle Pleistocene – Recent
ବଳିଆ କୁକୁର (Cuon alpinus alpinus ପ୍ରଜାତି)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଗଣ: କାର୍ନିଭୋରା
ବଂଶ: କାନିଡେ
Genus: Cuon
Hodgson, 1838
ଜାତି: C. alpinus
ବାଇନୋମିଆଲ ନାମ
Cuon alpinus
(Pallas, 1811)
ବଳିଆ କୁକୁର ପ୍ରଜାତିର ବ୍ୟାପ୍ତି

ବଳିଆ କୁକୁର (ଭାରତରେ “ଢୋଲ୍” ଭାବେ ପରିଚିତ, ଜୀବ ବିଜ୍ଞାନ ନାମ Cuon Alpinus, ସମ୍ବଲପୁରୀ ଭାଷାରେ କୋକବଲିଆ) ମଧ୍ୟ ଏସିଆ, ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ ଶ୍ୱାନ ଜାତୀୟ ପ୍ରାଣୀ । ବଳିଆ କୁକୁରକୁ ଭାରତର ଅନ୍ୟ ସ୍ଥାନମାନଙ୍କରେ ଲୋକେ ଢୋଲ୍, ଏସୀୟ ଜଙ୍ଗଲୀ କୁକୁର[୨], ଭାରତୀୟ ଜଙ୍ଗଲୀ କୁକୁର, ହ୍ୱିସିଲ୍ ଶବ୍ଦକାରୀ କୁକୁର, ଲାଲ୍ କୁକୁର[୩] ଓ ପର୍ବତୀୟ ଗଧିଆ ମଧ୍ୟ କୁହନ୍ତି । ଜିନ୍ ଦୃଷ୍ଟିରୁ ଏହା ଶ୍ୱାନ ପ୍ରଜାତୀୟ ପ୍ରାଣୀଙ୍କ ନିକଟତମ[୪], କିନ୍ତୁ ଏହାର ଖପୁରି ସମଜାତୀୟ ପ୍ରାଣୀଙ୍କ ଭଳି ଅବତଳ ନହୋଇ ସାମାନ୍ୟ ଉତ୍ତଳ ହୋଇଥାଏ । ଏହି ଦୁଇ ପ୍ରଜାତିଙ୍କ ଥୋଡ଼ି ବା ମୁହଁର ଗଠନରେ ମଧ୍ୟ ତଫାତ ଥାଏ । ପ୍ଲାଇଷ୍ଟୋସିନ୍ ସମୟରେ ବଳିଆ କୁକୁର ଏସିଆ, ଇଉରୋପ ଏବଂ ଉତ୍ତର ଆମେରିକାରେ ବହୁ ପରିମାଣରେ ଚଳପ୍ରଚଳ କରୁଥିଲେ କିନ୍ତୁ ପ୍ରାୟ ୧୨,୦୦୦ରୁ ୧୮,୦୦୦ ବର୍ଷ ପୂର୍ବେ ସେମାନଙ୍କ ଭୌଗୋଳିକ ଅବସ୍ଥିତି କ୍ରମେ ସୀମିତ ହେବାକୁ ଲାଗିଲା । 

ବଳିଆ କୁକୁର ବନ୍ୟପ୍ରାଣୀମାନଙ୍କ ମଧ୍ୟରେ ଅତ୍ୟନ୍ତ ସାମାଜିକ ଓ ଦଳବଦ୍ଧ ହୋଇ ରହିବାକୁ ପସନ୍ଦ କରନ୍ତି । ଏମାନଙ୍କ ଦଳରେ ଅତ୍ୟଧିକ ପ୍ରଭାବଶାଳୀ ଅନୁକ୍ରମ ନଥାଏ ଓ ଦଳରେ ଏକାଧିକ ପ୍ରଜନନକ୍ଷମ ମାଈ ବଳିଆ କୁକୁର ରହିଥାନ୍ତି । ଏପରି ଏକ ଦଳରେ ହାରାହାରି ୧୨ଟି ଜନ୍ତୁ ରହିପାରନ୍ତି କିନ୍ତୁ ୪୦ଟି ସଭ୍ୟ ଥିବା ଦଳ ମଧ୍ୟ ଦେଖାଯାଇଛି । ବଳିଆ କୁକୁର ଦିବାଚର, ଦଳବଦ୍ଧ ହୋଇ ମଧ୍ୟମ ବା ବଡ଼ ଆକାରର ପ୍ରାଣୀଙ୍କୁ ଶିକାର କରନ୍ତି ।[୫] କ୍ରାନ୍ତୀୟ ଅରଣ୍ୟର ଖାଦ୍ୟଶୃଙ୍ଖଳରେ ଏମାନେ ବାଘ ଓ କଲରାପତରିଆ ବାଘ ପରି ପ୍ରାଣୀଙ୍କ ପ୍ରତିଯୋଗୀ । 

ବର୍ତ୍ତମାନ ଏମାନଙ୍କ ସଂଖ୍ୟା ଦ୍ରୁତ ହାରରେ କମୁଥିବାରୁ ଓ ପ୍ରାପ୍ତ ବୟସ୍କ ବଳିଆ କୁକୁରଙ୍କ ସର୍ବମୋଟ ସଂଖ୍ୟା ପ୍ରାୟ ୨୫୦୦ ହୋଇଥିବାରୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (International Union for Conservation of Nature) ଏହାକୁ ଏକ ଲୁପ୍ତପ୍ରାୟ ପ୍ରଜାତି ବୋଲି ଅଭିହିତ କରିଛି । ଏମାନଙ୍କ ସଂଖ୍ୟା ହ୍ରାସ ପାଇବାର ଅନ୍ୟସବୁ କାରଣ ହେଲେ: ଶିକାର ଜନ୍ତୁ କମିବା, ଜଙ୍ଗଲ ନଷ୍ଟ ହେବା, ଅନ୍ୟ ମାଂସଭୋଜି ହିଂସ୍ର ଜନ୍ତୁଙ୍କ ସହ ପ୍ରତିଯୋଗିତା, ଦେଶୀ କୁକୁରମାନଙ୍କଠାରୁ ସଂକ୍ରମିତ ହେଉଥିବା ରୋଗ । 

ନାମକରଣ[ସମ୍ପାଦନା]

ଯନ୍ତାରେ ଥିବା ବଳିଆ କୁକୁର

ଏହି ଜୀବଙ୍କୁ “ଢୋଲ୍” ନାମରେ କାହିଁକି ଡକାଯାଏ ଓ ଏହି ଶବ୍ଦର ଉତ୍ପତ୍ତି କେଉଁଠାରୁ ତାହା ଅସ୍ପଷ୍ଟ । ୧୮୦୮ ମସିହାର ଏକ ବ୍ରିଟିଶ୍ ସୈନିକ ଥୋମାସ୍ ୱିଲିୟମସନ୍ ନିଜ ଲେଖାରେ ପ୍ରକାଶ କରିଥିଲେ ଯେ ସେ ରାମଗଡ଼ ଜିଲ୍ଲାରେ ପ୍ରଥମେ ଏହି ଜୀବକୁ ଦେଖିଥିଲେ ଓ ସ୍ଥାନୀୟ ଲୋକେ ଏମାନଙ୍କୁ ବହୁ ବର୍ଷରୁ ଢୋଲ୍ ବୋଲି ଡାକି ଆସୁଛନ୍ତି ।[୬]  ୧୮୨୭ରେ ଚାର୍ଲ୍ସ୍ ହେମିଲଟନ୍ ସ୍ମିଥ୍ ମତ ରଖିଲେ ଯେ ପୂର୍ବପ୍ରାନ୍ତର ଅନେକ ଦେଶର ଭାଷାରୁ ଏହି ଶବ୍ଦର ଉତ୍ପତ୍ତି ।[୭] ଦୁଇ ବର୍ଷ ପରେ ସ୍ମିଥ୍ ତୁର୍କୀୟ ଶବ୍ଦ “ଡେଲି” (ବାୟା/ପାଗଳ) ଶବ୍ଦର “ଢୋଲ୍ “ ନାମ ସହିତ ସମ୍ପର୍କ ରହିଛି ବୋଲି କହିଲେ । ଏହି ତୁର୍କୀୟ ଶବ୍ଦକୁ ଭୁଲ ବଶତଃ ସେ ଈଂରାଜୀ ଶବ୍ଦ Dull ଓଲନ୍ଦାଜ ଶବ୍ଦ Dol ଓ ଜର୍ମାନ ଶବ୍ଦ Toll ସହିତ ତୁଳନା କରିଥିଲେ ।[୮] ପ୍ରାୟ ୮୦ ବର୍ଷ ପରେ ରିଚାର୍ଡ୍ ଲାଇଡେକ୍କର୍ ମତ ରଖିଲେ ଯେ ଏହି ଜୀବ ଚଳପ୍ରଚଳ କରୁଥିବା ସ୍ଥାନମାନଙ୍କରେ ବସବାସ କରୁଥିବା ଲୋକ ଏହାକୁ ଢୋଲ୍ ବୋଲି ଡାକନ୍ତି ନାହିଁ ।[୯] ମେରିଆମ୍-ୱେବଷ୍ଟର୍ ଶବ୍ଦକୋଷ ଅନୁଯାୟୀ ଗଧିଆର କନ୍ନଡ଼ ନାମ “ତୋଳ”ରୁ ଏହି ଶବ୍ଦର ସୃଷ୍ଟି ହୋଇଥାଇପାରେ ।[୧୦] 

ବଳିଆ କୁକୁରର ବିଭିନ୍ନ ସ୍ଥାନୀୟ ନାମ[ସମ୍ପାଦନା]

ଭାଷା ନାମ/ଉଚ୍ଚାରଣ ଭାଷା ନାମ/ଉଚ୍ଚାରଣ ଭାଷା ନାମ/ଉଚ୍ଚାରଣ
ଆସାମୀ କୁଆଂଗ କୁକୁର

ରଂଗ କୁକୁର

ବଙ୍ଗଳା ବୋନ୍-କୁତ୍ତା

ବୋନ୍-କୁକୁର୍

ଭୁଟାନୀ ଫାର୍ରା

ଫୋଉ

ବର୍ମା ତାନ୍-କ୍ୱେ ବୁରିୟାତ୍ Ӡурби (ଜୁର୍ବି) ଗୁର୍ଖା ବନ୍-କୁକୁର୍
ଗିଲିୟାକ୍ ସୋରାମଲାତ୍ସ୍ ଗଣ୍ଡ ଏରାମ୍-ନାଇକୋ ଗୁଜୁରାତି કુત્ર (କୁତ୍ର)
କନ୍ନଡ଼ କଦୁ ନାଇ

କୋର୍କୁ

ବୁନ୍-ସିତା

କେନ୍ନାଇ(ಕೆನ್ನಾಯಿ)

ହିନ୍ଦୀ ଆଦିୱି-କୁତ୍ତା

ସୋନ୍-କୁତ୍ତା

ସୋନା-କୁତ୍ତା

ରସା-କୁତ୍ତା

ଜଂଗଲି-କୁତ୍ତା

ଚୀନୀ 豺 (ଚାଇ)

豺蜀 (ଚାଇ ଶୁ)[୧୧]

豺狼 (ଚାଇଲାଂଗ୍)[୧୨]

ଇନ୍ଦୋନେସୀୟ ଅଜାକ୍

ଅଜାଗ୍

ଅଞ୍ଜିଂଗ୍ ହୁତାନ୍

କାଶ୍ମୀରୀ ଜଙ୍ଗଲୀ କୁତ୍ତା

ରାମ-ହୁନ୍

ବନ୍-କୁତ୍ତା

ଭାନ୍ସା

ମରାଠି କୋଲସୁନ୍

କୋଲାସନା

କୋଲାସ୍ରା

କୋଲସା

ଜାଭା ଆସୁ ଆଲାସ୍ ଜିଂଗ୍-ଫୋ କି-କ୍ୱା-ଲାମ୍ ହୋ-କୋଲ୍ ତାନି
କାଜାଖ୍ Чуе (ଚୁଏ) ଖମେର୍ ឆ្កែព្រៃ (କାଇ ପ୍ରେ) କୋରିଆ 승냥이 (ସ୍ୟୁଂଗ୍-ୟାଂଗି)
ଲଦାଖୀ ଫର୍ରା

ସିଦ୍ଦାକି

ଲାଓ ໝາໃນ (ମା ନାଇ) ଲେପଚା ସା-ତୁନ୍
ମାଲାୟାଲମ୍ ୱଟାଇ-କରାଉ ମେଇତେଇ ହ୍ୱି ଥୋଉ ନେପାଳୀ ବ୍ୱାସୋ
ଋଷୀୟ Красный волк (କ୍ରାସ୍ନି ଭୋଲ୍କ୍)

Ди́кая собака (ଦିକାୟା ସୋବାକା)

Чикалка (ଚିକାଲ୍କା)

ତେଲୁଗୁ రేచు కుక్క (ରେଚୁ କୁକ୍କା)

ରେଜା କୁତ୍ତା

అడవి కుక్క (ଅଡୱି କୁକ୍କା)

ମାଳୟ ସେରିଗାଲା[୧୩]

ଅଞ୍ଜିଂଗ୍ ହୁତାନ୍

ମଙ୍ଗୋଲୀୟ Дшергул (ସେର୍ଗୁଲ୍) ତାମିଲ୍ செந்நாய் (ଚେନ୍-ନାଇ) ଭିଏତନାମୀ chó sói lửa
ଥାଇ หมาใน (ମା-ନାଇ) ତିବ୍ୱତୀୟ ଫର୍ରା, ହାଜି ତୁଂଗୁସ୍ Дергил (ଜେର୍ଗିଲ୍)
ଉର୍ଦ୍ଦୁ ଜଂଗଲି କୁତ୍ତା ସମ୍ବଲପୁରୀ କୋକବଲିଆ ଓଡ଼ିଆ ବଳିଆ କୁକୁର

ଆବିଷ୍କାର, ବର୍ଗୀକରଣ ଓ ବିବର୍ତ୍ତନ[ସମ୍ପାଦନା]

୧୮୦୭ ମସିହାରେ ସାମୁଏଲ୍ ହେୱିଟଙ୍କ ଚିତ୍ରିତ ବଳିଆ କୁକୁରଙ୍କଦ୍ୱାରା ବାଘ ଶିକାର ହେବାର ଚିତ୍ର

ପେଷ୍ଟେରେଫ୍ ନାମକ ଜଣେ ଅନ୍ୱେଷକ ଋଷରେ ବଳିଆ କୁକୁର ଦେଖିଥିବା କଥା ପ୍ରଥମେ ୧୭୯୪ ମସିହାରେ ନିଜ ଲେଖାରେ ପ୍ରକାଶ କରିଥିଲେ । “ସୁବର୍ଣ୍ଣ ଶିଆଳ” ପରି ଦିଶୁଥିବା ଏହି ଜୀବ “ଆଲ୍ପାଇନ୍ ଆଇବେକ୍ସ୍” ପରି ଦଳବଦ୍ଧଭାବେ ଶିକାର କରନ୍ତି ବୋଲି ତାଙ୍କ ଲେଖାରେ ବର୍ଣ୍ଣିତ । ୧୮୧୧ ମସିହାରେ ପିଟର୍ ପାଲ୍ଲାସ୍ ଏହାକୁ କାନିସ୍ ଆଲ୍ପିନସ୍ (Canis alpinus) ବୋଲି ନାମିତ କରିଥିଲେ । ତାଙ୍କ ମତରେ ଏହି ଜନ୍ତୁମାନେ ଆମୁର ଅଞ୍ଚଳର ଉଦ୍ସକୋଇ ଓଷ୍ଟ୍ରୋଂଗର ଉପର ପାର୍ଶ୍ୱରେ ଲେନା ନଦୀ ଓ ୟେନିସେଇ ନଦୀ ପାର୍ଶ୍ୱରେ ରହନ୍ତି ଓ ନଦୀପାର କରି ଚୀନକୁ ପ୍ରବେଶ କରନ୍ତି ।[୧୪][୧୫] କିନ୍ତୁ ଆଜିକାଲି ବଳିଆ କୁକୁର ୧୮ଶ ଓ ୧୯ଶ ଶତାବ୍ଦୀରେ ପାଲ୍ଲାସଙ୍କଦ୍ୱାରା ଲିଖିତ ଋଷୀୟ ପର୍ବତାଞ୍ଚଳର ବହୁ ଦକ୍ଷିଣରେ ଦେଖାଯାନ୍ତି । ବ୍ରିଟିଶ୍ ପ୍ରକୃତିବିତ୍ ବ୍ରାଏନ୍ ହୋଜସନ୍ ବଳିଆ କୁକୁରକୁ କ୍ୟାନିସ୍ ପ୍ରାଇମେଭସ୍ (Canis primaevus) ବୋଲି ନାମ ଦେଇଥିଲେ ଓ ବଳିଆ କୁକୁର ଦେଶୀ କୁକୁରର ପୂର୍ବପୁରୁଷ ବୋଲି କହିଥିଲେ । ବ୍ରାଏନ୍ ପରେ ଏହାର ଦେହର ଗଠନ ଯୋଗୁଁ ଏହାକୁ କ୍ୟାନିସ୍ (Canis) ପରିବର୍ତ୍ତେ ଚୁଓନ୍ (Cuon) ଶ୍ରେଣୀଭୁକ୍ତ କରିଥିଲେ । 

ଚିତଲ୍ ହରିଣର ମୃତଦେହ ନିକଟରେ ଦୁଇଟି ବଳିଆ କୁକୁର ମଧ୍ୟରେ ଖାଇବା ପାଇଁ ଝଗଡ଼ା

ଜୀବାଶ୍ମ ବିଜ୍ଞାନୀ ଏରିକ୍ ଥେନିୟସ୍ କରିଥିବା ପ୍ରଜାତିମାନଙ୍କ ଉଦ୍ଭବ ସମ୍ପର୍କରେ କରିଥିବା ଶୌଧ ଅନୁସାରେ ସୁବର୍ଣ୍ଣ ଶିଆଳ ପରି ଦେଖାଯାଉଥିବା ପ୍ରାଣୀକୁ ବଳିଆ କୁକୁରର ପୂର୍ବପୁରୁଷ ହୋଇଥାଇପାରେ । ଭିଲାଫ୍ରାଂକିଆନ୍ ଯୁଗର “ଚୁଅନ୍ ମେଜୋରି” ଚୀନରେ ଚୁଅନ୍ ପ୍ରଜାତିର ସର୍ବପ୍ରଥମ ପ୍ରାଣୀ ହୋଇପାରେ ବୋଲି କୁହାଯାଏ । ଚୁଅନ୍ ଓ କ୍ୟାନିସ୍ ପ୍ରଜାତିଙ୍କ ଶାରୀରିକ ଗଠନରେ ବହୁତ ସାମଞ୍ଜସ୍ୟ ରହିଛି । କିନ୍ତୁ କ୍ରମଶଃ ବିବର୍ତ୍ତନ ଯୋଗୁଁ ଚୁଓନ୍ ମେଜୋରି ପ୍ରଜାତିର ଜୀବ ଚୁଓନ୍ ଆଲ୍ପାଇନସ୍ ପରି ଦେଖାଗଲେ ।  ପରବର୍ତ୍ତୀ ସମୟରେ ବଳିଆ କୁକୁର ଓ ଧୁସରିଆ ଗଧିଆ ପ୍ରାୟ ଏକା ପ୍ରଜାତି ପରି ଉଭା ହେଲେ । ୱୁର୍ମ୍ ଯୁଗର ଶେଷ ବେଳକୁ ମଣିଷଙ୍କ ଶିକାର ଯୋଗୁଁ ବଳିଆ କୁକୁର ପ୍ରଜାତି ଇଉରୋପରୁ ବିଲୋପ ପାଇଗଲା । ପ୍ଲାଇଷ୍ଟୋସିନର ଏହି ପ୍ରାଣୀ ଅତୀତରେ ଫିଲିପାଇନ୍ସ୍, ଶ୍ରୀଲଙ୍କା ଓ ବୋର୍ଣ୍ଣିଓରେ ମଧ୍ୟ ରହିଥିଲା । ଉତ୍ତର ଆମେରିକାର ବେରିଞ୍ଜିଆ ଓ ମେକ୍ସିକୋରୁ ଏହି ପ୍ରକାରର ପ୍ରାଣୀର ଜୀବାଶ୍ମ ମିଳିବା ଅତୀତରେ ଏହି ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ସମ୍ପର୍କରେ ଅନୁମାନ କରିହେବ । 

ଶିକାର ହୋଇଥିବା ହରିଣର ମାଂସ ଖାଇବା ପାଇଁ ଏକ ପାଣି ଗୋଧିର ଚେଷ୍ଟାକୁ ବଳିଆ କୁକୁରଙ୍କ ପ୍ରତିରୋଧ

ବଳିଆ କୁକୁର ସହିତ କ୍ୟାନିସ୍ ପ୍ରଜାତିର ଜୀବମାନଙ୍କର ବହୁ ସାମଞ୍ଜସ୍ୟ ରହିଥିବାରୁ ଏମାନଙ୍କ ପ୍ରକୃତ ପ୍ରଜାତି ନିରୂପଣ କରିବା ଅତି କଷ୍ଟକର । ଜର୍ଜ୍ ସିମ୍ପସନ୍ ବଳିଆ କୁକୁରକୁ ଆଫ୍ରିକୀୟ ବଣକୁକୁର ପ୍ରଜାତିରେ ପରିଗଣନା କରିଥିଲେ । ପରେ ଗବେଷଣାରୁ ଜଣା ପଡ଼ିଲା ଯେ ପ୍ରକୃତରେ ଆଫ୍ରିକୀୟ ବଣକୁକୁର ଓ ବଳିଆ କୁକୁର ପରସ୍ପରର ଅତି ନିକଟତମ ପ୍ରଜାତି । ପ୍ରାଣୀ ବିଜ୍ଞାନୀ ରେଜିନାଲ୍ଡ୍ ପୋକକ୍ ବଳିଆ କୁକୁର ଓ ସୁବର୍ଣ୍ଣ ଶିଆଳଙ୍କ ଅତୀତର ମିଳନ ହେତୁ ସେମାନେ କ୍ୟାନିସ୍ ପ୍ରଜାତିର ଜୀବ ପରି ଦିଶନ୍ତି ବୋଲି ମତ ପୋଷଣ କରନ୍ତି । 





ପାର୍ଶ୍ୱପଟାଦାଗ ଶିଆଳ



କୃଷ୍ଣ୍ଣପୃଷ୍ଠ ଶିଆଳ












ଦେଶୀ କୁକୁର



ଧୁସରିଆ ଗଧିଆ




କୋୟୋଟ୍




ଆଫ୍ରିକୀୟ ସୁବର୍ଣ୍ଣ ଗଧିଆ




ସୁବର୍ଣ୍ଣ ଶିଆଳ




ଇଥିଓପୀୟ ଗଧିଆ




ବଳିଆ କୁକୁର





ଆଫ୍ରିକୀୟ ଜଙ୍ଗଲି କୁକୁର





ଉପ-ପ୍ରଜାତି[ସମ୍ପାଦନା]

ବଳିଆ କୁକୁରଙ୍କର ୧୦ଟି ଉପଜାତି ଥିବାର ବିଭିନ୍ନ ଉତ୍ସରୁ ସଂକେତ ମିଳିଲେ ମଧ୍ୟ ପ୍ରକୃତରେ ୨୦୦୫ ମସିହା ପର୍ଯ୍ୟନ୍ତ ତିନୋଟି ଉପ-ପ୍ରଜାତି ଚିହ୍ନଟ ହୋଇପାରିଛି ।   

ଉପ-ପ୍ରଜାତି ଚିତ୍ର କେଉଁ ଲେଖକଙ୍କଦ୍ୱାରା ଉଲ୍ଲିଖିତ ସାଧାରଣ ନାମ ବର୍ଣ୍ଣନା ପ୍ରଭାବ କ୍ଷେତ୍ରର ବ୍ୟାପ୍ତି ସମବାଚୀ ନାମ
ଚୁଓନ୍ ଆଲ୍ପାଇନସ୍ ଆଲ୍ପାଇନସ୍ ପିଟର୍ ସିମୋନ୍ ପାଲ୍ଲାସ୍, ୧୮୧୧ ଭାରତୀୟ ଜଙ୍ଗଲୀ କୁକୁର
ଦକ୍ଷିଣୀୟ ବଳିଆ କୁକୁର[୧୬]
ଉସ୍ସୁରି ବଳିଆ କୁକୁର
ସୁନ୍ଦର ଲାଲ୍ ଲୋମ ଓ ସଂକୀର୍ଣ୍ଣ ଖପୁରୀ ହାଡ଼ବିଶିଷ୍ଟ ଉପ-ପ୍ରଜାତି ଯାହା ଅଧିକାଂଶ ସ୍ଥାନରେ ପରିଲକ୍ଷିତ ହୁଏ ପୂର୍ବ ଋଷ୍, ମଙ୍ଗୋଲିଆ, ଚୀନ, ନେପାଳ, ଭାରତୀୟ ଉପମହାଦ୍ୱୀପ, ଭୁଟାନ, ବ୍ରହ୍ମଦେଶ, ଇଣ୍ଡୋ-ଚାଇନାଞ୍ଚଳ ଓ ଜାଭା ଏଡଷ୍ଟସ୍ (adustus) (ପୋକକ୍, ୧୯୪୧), ଆଣ୍ଟିକ୍ୟୁସ୍ (antiquus) (ମେଥ୍ୟୁ ଓ ଗ୍ରେଞ୍ଜର୍, ୧୯୨୩), କ୍ଲେମିଟାନ୍ସ୍ (clamitans) (ହଏଡ୍, ୧୮୯୨), ଡୁଖୁନେନ୍ସିସ୍ (dukhunensis) (ସାଇକ୍ସ୍, ୧୮୩୧), ଫ୍ୟୁମୋସସ୍ (fumosus) (ପୋକକ୍, ୧୯୩୬), ଗ୍ରେଇଫୋର୍ମିସ୍ (grayiformis) (ହୋଜସନ୍, ୧୮୬୩), ଇନଫୁସ୍କସ୍ (infuscus) (ପୋକକ୍, ୧୯୩୬), ଜାଭାନିକସ୍ (javanicus) (ଡେସ୍ମାରେଷ୍ଟ୍, ୧୮୨୦), ଲାନିଜର୍ (laniger) (ପୋକକ୍, ୧୯୩୬), ଲେପ୍ଟ୍ୟୁରସ୍ (lepturus) (ହଏଡ୍, ୧୮୯୨), ପ୍ରାଇମେଭସ୍ (primaevus) (ହୋଜସନ୍, ୧୮୩୩), ରୁଟିଲାନ୍ସ୍ (rutilans) (ମ୍ୟୁଲର୍, ୧୮୩୯)
ଟିଏନ୍ ଶାନ୍ ବଳିଆ କୁକୁର/ଚୁଓନ୍ ଆଲ୍ପାଇନସ୍ ହେସ୍ପେରିୟସ୍ ଆଫାନାସ୍ୟେଭ୍ ଓ ଜୋଲୋଟାରେଭ୍, ୧୯୩୫ ଉତ୍ତରୀୟ ବଳିଆ କୁକୁର
ଟିଏନ୍ ଶାନ୍ ବଳିଆ କୁକୁର
ଦକ୍ଷିଣୀୟ ବଳିଆ କୁକୁରଠାରୁ ଓସାରିଆ ଖପୁରୀ ଓ ଆକାରରେ ଛୋଟ, ଶୀତଦିନିଆ ଲୋମର ରଙ୍କ ମଧ୍ୟ ଟିକେ ଫିକା ରଙ୍ଗର ଅଲ୍ଟାଇ ପର୍ବତ, ଟିଏନ୍-ଶାନ୍, ପାମିର୍ ମାଳଭୂମି, କାଶ୍ମୀର ଜାସନ୍ (Jason) (ପୋକକ୍, ୧୯୩୬)
ସୁମାତ୍ରୀୟ ବଳିଆ କୁକୁର / ଚୁଓନ୍ ଆଲ୍ପାଇନସ୍ ସୁମାତ୍ରେନ୍ସିସ୍ ଥୋମାସ୍ ହାର୍ଡ୍ୱିକ୍, ୧୮୨୧ ସୁମାତ୍ରୀୟ ବଳିଆ କୁକୁର ଏହାର ଲୋମ ଛୋଟ, କର୍କଷ, ଟିକିଏ କଳା ସୁମାତ୍ରା

ବଳିଆ କୁକୁରଙ୍କ ଉପପ୍ରଜାତି ମାନଙ୍କ ମଧ୍ୟରେ କିନ୍ତୁ ବିଶେଷ କୌଣସି ତଫାତ୍ ନାହିଁ । ଭୌଗୋଳିକ ବାସସ୍ଥଳୀ ଦୃଷ୍ଟିକୋଣରୁ ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରିହେବ । ପ୍ରଥମ ଶ୍ରେଣୀର ବଳିଆ କୁକୁର ଭାରତର ଉତ୍ତର ଭାରତ (ଗଙ୍ଗା ନଦୀର ଦକ୍ଷିଣ ପଟରେ), ମଧ୍ୟ ଭାରତ ଓ ଦକ୍ଷିଣ ଭାରତରୁ ନେଇ ବର୍ମା ପର୍ଯ୍ୟନ୍ତ ଦେଖାଯାନ୍ତି । ଅନ୍ୟ ଶ୍ରେଣୀର ବଳିଆ କୁକୁର ଉତ୍ତର ଭାରତ, ଉତ୍ତର-ପୂର୍ବ ଭାରତ, ବର୍ମା, ଥାଇଲାଣ୍ଡ, ମାଲେସିଆ ପ୍ରଭୃତି ସ୍ଥାନରେ ଦେଖିବାକୁ ମିଳନ୍ତି । ଜାଭା ଓ ସୁମାତ୍ରା ଅଞ୍ଚଳରେ ଦେଖାଯାଉଥିବା ବଳିଆ କୁକୁରଙ୍କ ଭାରତୀୟ ବଳିଆ କୁକୁରଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି କିନ୍ତୁ ପାର୍ଶ୍ୱବର୍ତ୍ତୀ ମାଲେସିଆର ବଳିଆ କୁକୁରଠାରୁ ଏମାନେ ଭିନ୍ନ । ୨୦୦୫ ପର୍ଯ୍ୟନ୍ତ ଏମାନଙ୍କ ଉଦ୍ଭବ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନଥିବାରୁ ଏଠାରେ ମଣିଷମାନେ ହିଁ ବଳିଆ କୁକୁର ଆଣି ଛାଡ଼ିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । 

ଆକୃତି ପ୍ରକୃତି[ସମ୍ପାଦନା]

ବଳିଆ କୁକୁରର ଶରୀର ଧୁସରିଆ ଗଧିଆ ଓ ଲାଲ୍ ଶିଆଳର ମିଶ୍ରଣ ପରି ଲାଗେ ଓ ଏହାର ଲମ୍ବା ମେରୁଦଣ୍ଡ ଓ ପତଳା ଗୋଡ଼ପାଇଁ କେତେକାଂଶରେ ବିଲେଇର ଶରୀର ଗଠନର ମଧ୍ୟ ଝଲକ ମିଳେ । ଏହାର ଖପୁରୀ ହାଡ଼ ବଡ଼ ଓ ଓସାରିଆ । ଏହାର ଦନ୍ତଶିଖର ଓ ମାସେନେଟ୍ (Massenet) ମାଂସପେଶୀ କ୍ୟାନିସ୍ ପ୍ରଜାତିର ପ୍ରାଣୀଙ୍କଠାରୁ ବିକଶିତ ଏବଂ ଏହା ଯୋଗୁଁ ବଳିଆ କୁକୁରର ମୁହଁ ହେଟାବାଘମୁହଁ ପରି ମଧ୍ୟ ଦେଖାଯାଏ । ଏମାନଙ୍କ  ମୁଖାଗ୍ର ସାଧାରଣ କୁକୁର ଓ ଅନ୍ୟ କ୍ୟାନିସ୍ ପ୍ରଜାତିର ପ୍ରାଣୀଙ୍କଠାରୁ ଛୋଟ । ବଳିଆ କୁକୁରମାନଙ୍କର ତଳମାଢ଼ିରେ ୬ ପରିବର୍ତ୍ତେ ୭ଟି ଚର୍ବଣଦନ୍ତ ରହିଥାଏ । ଏମାନଙ୍କ ଉପର ଚର୍ବଣଦନ୍ତ ଦୁର୍ବଳ, ଆକାରରେ ଗଧିଆମାନଙ୍କ ଏକ-ତୃତୀୟାଂଶରୁ ଏକ-ଦ୍ୱିତୀୟାଂଶ ଏବଂ କ୍ୟାନିସ୍ ପ୍ରଜାତି ପରି ୨ରୁ ୪ ପରିବର୍ତ୍ତେ ଗୋଟିଏ ମାତ୍ର  ଦନ୍ତାଗ୍ର ରହିଥାଏ ।  ଏପରି ଗଠନ ଶିକାର ଛଡ଼ାଇ ନେଉଥିବା ପ୍ରାଣୀଙ୍କ ପ୍ରତିରୋଧ କରିବାରେ ସାହାଯ୍ୟ କରେ । ପ୍ରାପ୍ତ ବୟସ୍କ ବଳିଆ କୁକୁରର ଓଜନ ପ୍ରାୟ ୧୮ କିଲୋଗ୍ରାମ୍ (୪୦ ପାଉଣ୍ଡ୍) ଏବଂ ମାଈ ବଳିଆ କୁକୁରଗୁଡ଼ିକ ଅଣ୍ଡିରାଠାରୁ ପ୍ରାୟ ୪.୫ କିଲୋଗ୍ରାମ୍ (୯.୯ ପାଉଣ୍ଡ୍) କମ୍ ଓଜନର ହୋଇଥାନ୍ତି । ବଳିଆ କୁକୁରର ଉଚ୍ଚତା କାନ୍ଧ ନିକଟରେ ପ୍ରାୟ ୧୭-୨୨ ଇଞ୍ଚ୍ (୪୩-୫୬ ସେଣ୍ଟିମିଟର୍) ଓ ଏହାର ଶରୀରର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍ (୦.୯୧ ମିଟର୍) । ଆଫ୍ରିକୀୟ ଜଙ୍ଗଲୀ କୁକୁର ପରି ଏମାନଙ୍କ କାନ ଗୋଜିଆ ନ ହୋଇ ଗୋଲାକାର । ମାଈ ବଳିଆ କୁକୁରର ସାଧାରଣତଃ ୬-୭ ଯୋଡ଼ି (ସମୟ ସମୟରେ ୮ଟି) ପହ୍ନା ଥାଏ । 

ଏମାନଙ୍କ ଲୋମ ଲାଲ୍ ରଂଗର ଓ ଶୀତଦିନରେ ଏମାନଙ୍କ ଲୋମର ରଙ୍ଗ ସବୁଠାରୁ ସୁନ୍ଦର । ଶୀତଦିନରେ ଏମାନଙ୍କ ପୃଷ୍ଠଦେଶ କଳଙ୍କ ଲାଲ୍ ବା ଲାଲ୍ ରଙ୍ଗର ହୋଇଥାଏ ଓ ଶରୀରର ମୁଣ୍ଡ, ବେକ ଓ କାନ୍ଧପରି କେତେକ ସ୍ଥାନରେ ବାଦାମୀ ରଙ୍ଗର ଛାପ ମଧ୍ୟ ରହିଥାଏ । ତଣ୍ଟି, ଛାତି, ପାର୍ଶ୍ୱ, ପେଟ ଓ ଗୋଡ଼ର ଉପରାଂଶର ରଙ୍ଗ ଫିକା ହଳଦିଆ ପରି ରଙ୍ଗର ହୋଇଥାଏ । ଏମାନଙ୍କ ଦେହର ନିମ୍ନାଂଶ ଧଳା ରଙ୍ଗର ହୋଇଥାଏ ଓ ସାମନାପଟ ଗୋଡ଼ର ଆଗପଟେ ଗାଢ଼ ବାଦାମୀ ରଙ୍ଗର ଚିହ୍ନ ଥାଏ । ମୁଖର ଗୋଜିଆ ଅଂଶ ଓ କପାଳର ରଙ୍ଗ ଧୁସରିଆ-ଲାଲ୍ ରଙ୍ଗର ।  ଏମାନଙ୍କ ଲାଞ୍ଜ ଦେଖିବାକୁ ଭାରି ସୁନ୍ଦର ଓ ଏଥିରେ ଘନ ଲୋମ ଥାଏ । ଲାଞ୍ଜଟି ଗୈରିକ-ଲାଲ୍ ରଙ୍ଗର ଓ ଏହାର ଉପରାଂଶ ଗାଢ଼ ବାଦାମି ଦେଖାଯାଏ । ଖରାଦିନରେ ଏମାନଙ୍କ ଲୋମ ଛୋଟ, କର୍କଷ ଓ ଗାଢ଼ ରଙ୍ଗର ହୋଇଥାଏ । ପୃଷ୍ଠ ଓ ପାର୍ଶ୍ୱଦେଶର ଲୋମ ୨୦ରୁ ୩୦ ମିଲିମିଟର୍ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ମସ୍କୋ ଚିଡ଼ିଆଖାନାର ବଳିଆ କୁକୁରମାନଙ୍କର ମାର୍ଚ୍ଚ୍ ମାସରୁ ମଇ ମାସ ମଧ୍ୟରେ ବର୍ଷକୁ ଥରେ ଲୋମ ଝଡ଼ିଥାଏ । 

ବଳିଆ କୁକୁରମାନେ ଲାଲ୍ ଶିଆଳ ସଦୃଶ ହ୍ୱିସିଲ୍ ମାରିଲା (ନିମ୍ନ ଧ୍ୱନିର କୁ-କୁ) ପରି ଶବ୍ଦ କରନ୍ତି ଓ ପରସ୍ପର ମଧ୍ୟରେ ଯୋଗାଯୋଗ/କଥୋପକଥନ କରିଥାନ୍ତି । ଏହି ଶବ୍ଦ କିପରି ସୃଷ୍ଟି ହୁଏ ତାହା ଅସ୍ପଷ୍ଟ । ବଣବୁଦା ମଧ୍ୟରେ ଦଳ ସ୍ଥାନ ପରିବର୍ତ୍ତନ କଲାବେଳେ ଏପରି ଶବ୍ଦର ଇଙ୍ଗିତଦ୍ୱାରା ପରସ୍ପରକୁ ବାର୍ତ୍ତା ପଠାଇଥାନ୍ତି । ଶିକାର କରିବା ସମୟରେ ଏମାନେ କା-କା-କା ଭଳି ଶବ୍ଦ କରନ୍ତି । ତା’ଛଡ଼ା ବିପଦ ସଙ୍କେତ ସୂଚକ ଡାକ ଦେବା, ଚିତ୍କାର କରିବା, ବିପକ୍ଷକୁ ସାବଧାନ କରାଇଦେବା ଇତ୍ୟାଦି ପାଇଁ ଭିନ୍ନ ଭିନ୍ନ ପ୍ରକାରର ଧ୍ୱନି ସୃଷ୍ଟି କରିଥାନ୍ତି । ଗଧିଆ ବା ବିଲୁଆଙ୍କ ପରି ବଳିଆ କୁକୁରମାନେ ହୁକେ-ହୋ ଡାକ ଦିଅନ୍ତି ନାହିଁ ବା ଭୁକନ୍ତି ନାହିଁ ।  ବଳିଆ କୁକୁରଙ୍କ ଶରୀରର ଭାବଭଙ୍ଗୀ ବୁଝିବା ଏକ ଜଟିଳ କାମ । ଓଠର ସ୍ଥିତି, ଲାଞ୍ଜର ସ୍ଥିତି ଆକାଶ ମୁହାଁ ବା ଭୂମି ସହ ସମାନ୍ତରାଳ ରହିବା, ସୌହାର୍ଦ୍ୟପୂର୍ଣ୍ଣ ମିଳନରେ ପରସ୍ପରକୁ ଚାଟିବା, ଭୀତ ଅବସ୍ଥାରେ ଲୋମ ଟାଙ୍କୁରିବା, ଅନ୍ୟକୁ ଡରାଇବା ପାଇଁ ନିମ୍ନ ସ୍ୱରର ଗର୍ଜନ କରିବା ବା ଖିଙ୍କାରିବା, କାନର ସ୍ଥିତି ଇତ୍ୟାଦିରୁ ସେମାନଙ୍କ ମାନସିକ ଅବସ୍ଥା ସ୍ଥିର କରିହେବ ।

ବଳିଆ କୁକୁରର ଖପୁରୀ ଓ ମାଢ଼ି/ଥୋଡ଼ି ହାଡ଼

ବ୍ୟାପ୍ତି ଓ ବାସସ୍ଥାନ[ସମ୍ପାଦନା]

ମଧ୍ୟ ଏସିଆରେ ବଳିଆ କୁକୁରମାନେ ପାର୍ବତୀୟ ଅଞ୍ଚଳରେ ଦେଖାଯାନ୍ତି । ପଶ୍ଚିମ ଏସିଆରେ ସମୁଦ୍ର ପତନରୁ ଯଥେଷ୍ଟ ଉଚ୍ଚତାରେ ଥିବା ତୃଣଭୂମିରେ ବାସ କରନ୍ତି । ପୂର୍ବ ଏସିଆର ପାହାଡ଼ିଆ ଅଞ୍ଚଳରୁ ସମୁଦ୍ର କୂଳ ପର୍ଯ୍ୟନ୍ତ ଏମାନେ ଦୃଷ୍ଟିଗୋଚର ହୁଅନ୍ତି । ଭାରତ, ବ୍ରହ୍ମଦେଶ, ଇଣ୍ଡୋଚୀନ୍, ଇନ୍ଦୋନେସିଆ ଓ ଚୀନରେ ବଳିଆ କୁକୁରମାନେ ପାହାଡ଼ିଆ ବା ମାଳ ଅଞ୍ଚଳର ବଣଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତି । ସମୟ ସମୟରେ ସମତଳ ଭୂମିରେ ମଧ୍ୟ ବଳିଆ କୁକୁରମାନଙ୍କୁ ଦେଖିବାକୁ ମିଳେ । 

ଦକ୍ଷିଣ ସାଇବେରିଆର ବୈକାଳ ହ୍ରଦ ନିକଟରେ ତୁଂକିଂସ୍କି ଜାତୀୟ ଉଦ୍ୟାନରେ ମଧ୍ୟ ବଳିଆ କୁକୁର ରହିଥିବାର ସମ୍ଭାବନା ରହିଛି । ପୂର୍ବ ଋଷିଆର ପୂର୍ବତମ ଅଂଶରେ ଥିବା ପ୍ରିମୋର୍ସ୍କି କ୍ରାଇ ଅଞ୍ଚଳରେ ମଧ୍ୟ ଅବଶେଷ କିଛି ବଳିଆ କୁକୁର ରହିଥିବା ଅନୁମାନ କରାଯାଏ । ଏହି ଅଞ୍ଚଳରେ ୨୦୦୪ ମସିହାରେ ବଳିଆ କୁକୁରକୁ ଏକ ବିରଳ ଓ ଲୁପ୍ତପ୍ରାୟ ପ୍ରାଣୀ ଭାବେ ଚିହ୍ନଟ କରାଯାଇଥିଲା । ପିକଥସା-ତିଗ୍ରୋଭି ଡୋମ୍ ସଂରକ୍ଷିତ ଜଙ୍ଗଲରେ ବଳିଆ କୁକୁର ଦେଖାଯିବାର ଅନିର୍ଦ୍ଦିଷ୍ଟ ସୂଚନା ମିଳିଥିବା ବେଳେ ମାଟାଇସ୍କି ଜାକାଜନିକ୍ ବନାଞ୍ଚଳରେ ୧୯୭୦ ପରଠାରୁ ଏହି ଜୀବ ଦେଖିବାକୁ ମିଳିନାହିଁ ।

ବର୍ତ୍ତମାନ ସମୟରେ ଋଷ୍, ମଙ୍ଗୋଲିଆ, କାଜାକସ୍ଥାନ, କିରଗିଜସ୍ଥାନ ଓ ତାଜିକିସ୍ଥାନରେ ବଳିଆ କୁକୁର ଦେଖିବା ଏକ ବିରଳ ଦୃଶ୍ୟ ହୋଇଥିବା ବେଳେ ଚୀନର ଜିଆନ୍-ଜି ଜିଲ୍ଲାରେ ବଳିଆ କୁକୁରଙ୍କ ଏକ ପ୍ରଜାତିର ଜୀବ ଧରାଯାଇଥିଲା । ୨୦୧୧ରୁ ୨୦୧୩ ମଧ୍ୟରେ ଗାଈଆଳ ଓ ସ୍ଥାନୀୟ ସରକାରୀ କର୍ମଚାରୀମାନଙ୍କ ବୟାନରୁ ଜଣାଯାଏ ଯେ ଜିନଜିଆଂଗର କାରାକୋରମ୍ ପର୍ବତଶ୍ରେଣୀ, ପାମିର୍ ପର୍ବତମାଳାରେସ୍ଥିତ ତାକ୍ସକୋର୍ଗାନ୍ ଅଭୟାରଣ୍ୟରେ ୨୦୦୦ରୁ ୩୫୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ଅନେକ ବଳିଆ କୁକୁର ଦଳ ରହନ୍ତି । ଚୀନ, ପାକିସ୍ଥାନ, ତାଜିକିସ୍ଥାନ ଓ ଅଫଗାନିସ୍ଥାନର ସୀମା ନିକଟରେ ଜିଆନଜିଂଗ୍ ସ୍ୱୟଂଶାସିତ ଅଞ୍ଚଳ ଅବସ୍ଥିତ । ଜିଆନଜିଂଗ୍ ସ୍ୱୟଂଶାସିତ ଅଞ୍ଚଳର ଦକ୍ଷିଣ ଓ ତିବ୍ୱତ ସୀମା ନିକଟରେସ୍ଥିତ ଆଲତିନ୍-ତାଘ୍ (ଆଲତୁନ୍) ପର୍ବତମାଳାରେ ବଳିଆ କୁକୁର ଦଳମାନ ଦେଖାଯାଇଛନ୍ତି । ଟିଏନ୍-ଶାନ୍ ଅଞ୍ଚଳରେ ଆଉ ବଳିଆ କୁକୁର ରହିଛନ୍ତି କି ନାହିଁ ଜଣା ନଥିବା ବେଳେ, ଗାନସୁ ପ୍ରାନ୍ତରେ ଅଳ୍ପ କେତେକ ବଳିଆ କୁକୁର ଜୀବିତ ରହିଥିବା ଜଣାପଡ଼ିଛି । ଚିଲିଆନ୍ ପର୍ବତରେ ୨୦୦୬ ମସିହାରେ ଏକ ବଳିଆ କୁକୁର ଦଳ ଚିହ୍ନଟ ହୋଇଥିଲା । ୨୦୧୩ରୁ ୨୦୧୪ ମଧ୍ୟରେ ଗାନସୁ ପ୍ରାନ୍ତର ଉତ୍ତରରେ ଥିବା ୟାଞ୍ଚିୱାନ୍ ଜାତୀୟ ପ୍ରାକୃତିକ ଅରଣ୍ୟାଞ୍ଚଳ କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରୁ ସେହି ଅଞ୍ଚଳରେ ସମୁଦ୍ରପତନରୁ ପ୍ରାୟ ୨୫୦୦ରୁ ୪୦୦୦ ମିଟର୍ ଉଚ୍ଚତାରେ ଅନେକ ବଳିଆ କୁକୁର ଦଳ ରହିଥିବା ପ୍ରମାଣିତ ହେଲା । ଏବେ ମଧ୍ୟ ତିବ୍ୱତ ଓ ଉତ୍ତର କୋରିଆରେ କିଛି ବଳିଆ କୁକୁର ରହିଥିବାର ସମ୍ଭାବନା ରହିଛି । ଏକ ସମୟରେ ଏମାନେ ବରଫାବୃତ ପର୍ବତାଞ୍ଚଳରେ ତିବ୍ୱତରୁ ନେଇ କାଶ୍ମୀର ଓ ଲଦାଖ୍ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲେ । କିନ୍ତୁ ପାକିସ୍ଥାନରେ ଏମାନଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ସୂଚନା ନାହିଁ । 

ସମଗ୍ର ଭାରତରେ ବଳିଆ କୁକୁରଙ୍କ ଉପସ୍ଥିତିର ସୂଚନା ମିଳେ । ଗଙ୍ଗା ନଦୀର ଦକ୍ଷିଣ ତଟରୁ ଆରମ୍ଭ କରି, ମଧ୍ୟ ଭାରତର ଉଚ୍ଚଭୂମି, ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତାଞ୍ଚଳ ପର୍ଯ୍ୟନ୍ତ ଏମାନେ ବ୍ୟାପ୍ତ । ଉତ୍ତପ-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଓ ଗାଙ୍ଗେୟ ଉପତ୍ୟକାର ତେରାଇ ଅଞ୍ଚଳରେ ମଧ୍ୟ ବଳିଆ କୁକୁର ଦୃଶ୍ୟମାନ ହୁଅନ୍ତି । ହିମାଳୟ ଓ ଉତ୍ତର-ପଶ୍ଚିମ ଭାରତରେ ବଳିଆ କୁକୁରମାନେ ବିଚ୍ଛିନ୍ନ ହୋଇ ରହିଛନ୍ତି ।  ୨୦୧୧ରେ ଚିତୱନ୍ ଜାତୀୟ ଉଦ୍ୟାନରେ କ୍ୟାମେରା ଟ୍ରାପ୍ ସାହାଯ୍ୟରେ ସେଠାରେ ବଳିଆ କୁକୁର ରହିଥିବା ପ୍ରମାଣିତ ହୋଇଥିଲା । ସେହି ବର୍ଷ କାଞ୍ଚନଜଂଘା ସଂରକ୍ଷିତ ଅଞ୍ଚଳରେ ମଧ୍ୟ କ୍ୟାମେରା ଟ୍ରାପ୍ ବଳିଆ କୁକୁରଙ୍କ ଉପସ୍ଥିତି ଦର୍ଶାଇଥିଲା । 

ଗୃହପାଳିତ ପଶୁଙ୍କ ଶିକାର କରୁଥିବା ପ୍ରାଣୀଙ୍କୁ ମାରିବା ପାଇଁ ପଶୁ ମୃତଦେହରେ ବିଷ ମିଶାଇ ଦିଆଯାଏ । ଏହି ଶବକୁ ଶିକାର କରିଥିବା ବା ନକରିଥିବା ପ୍ରାଣୀ ଖାଇ ମୃତ୍ୟୁମୁଖରେ ପଡ଼େ । ଭୁଟାନରେ ଏପରି କାରଣରୁ ଅନେକ ବଳିଆ କୁକୁର ପ୍ରାଣ ହରାଇଥିଲେ । ୧୯୭୦ ସମୟରୁ ଭୁଟାନରେ ଲୋପ ପାଇ ଆସୁଥିବା ବଳିଆ କୁକୁରଙ୍କ ସ୍ଥିତିରେ ୧୯୯୦ ବେଳକୁ କିଛି ସୁଧାର ଆସିଥିଲା । ବର୍ତ୍ତମାନ ଭୁଟାନର ଜିଗମେ ଜାତୀୟ ଉଦ୍ୟାନରେ ବଳିଆ କୁକୁର ଦେଖିବାକୁ ମିଳନ୍ତି । 

ଉତ୍ତର-ପୂର୍ବ ବଙ୍ଗଳାଦେଶର ସିଲହେଟ୍ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ଓ ଚଟ୍ଟଗ୍ରାମର ପାହାଡ଼ିଆ ସ୍ଥାନରେ ଖୁବ୍ କମ୍ ସଂଖ୍ୟାରେ ବଳିଆ କୁକୁର ଦେଖାଯାନ୍ତି । ଶିକାର ଅଭାବରୁ ଏହି ଅଞ୍ଚଳରେ ବଳିଆ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ବ୍ରହ୍ମଦେଶର ପ୍ରାୟ ୧୧ଟି ଅଞ୍ଚଳରେ ବଳିଆ କୁକୁରଙ୍କ ଉପସ୍ଥିତି କ୍ୟାମେରା ଟ୍ରାପ୍ ସହାୟତାରେ ପ୍ରମାଣିତ ହୋଇଛି । ମହାବଳ ବାଘ ପ୍ରାୟ ନଥିବାରୁ ଏଠାରେ କଲରା ପତରିଆ ବାଘ ଓ ବଳିଆ କୁକୁର ମଧ୍ୟରେ ଖାଦ୍ୟ ଶୃଙ୍ଖଳର ଉର୍ଦ୍ଧ୍ୱଭାଗରେ ପରସ୍ପର ସହ ପ୍ରତିଯୋଗିତା ଲାଗି ରହିଥାଏ ।

ଖାଓ ୟାଇ ଜାତୀୟ ଉଦ୍ୟାନରେ ବଳିଆ କୁକୁର ଏକ ସମ୍ବର ହରିଣର ଶିକାର କରି ଖାଇବା ବେଳର ଚିତ୍ର

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ସାମାଜିକ ବ୍ୟବହାର ଓ କ୍ଷେତ୍ର-ନିୟନ୍ତ୍ରଣ[ସମ୍ପାଦନା]

ବଳିଆ କୁକୁରମାନଙ୍କ ଦଳ ଗଧିଆମାନଙ୍କଠାରୁ ଅପେକ୍ଷାକୃତ ସାମାଜିକ ଓ ଏମାନଙ୍କ ଦଳରେ ଦୃଢ଼ ପଦାନୁକ୍ରମର ଶୃଙ୍ଖଳ ନଥାଏ । ଶିକାରର ସାମୟିକ ଅଭାବ ମଧ୍ୟ ବଳିଆ କୁକୁର ଦଳର ଏପରି ସାମାଜିକ ପ୍ରବୃତ୍ତି ପାଇଁ ସମସ୍ୟା ସୃଷ୍ଟି କରିପାରେ ନାହିଁ । ଦଳପ୍ରତି ଏପରି  ନିଷ୍ଠା ଆଫ୍ରିକୀୟ ଜଙ୍ଗଲୀ କୁକୁରଙ୍କ ସାମାଜିକ ବିନ୍ୟାସ ଓ ପ୍ରବୃତ୍ତି ସହ ତୁଳନୀୟ । ପ୍ରକୃତରେ କହିବାକୁ ଗଲେ, ବଳିଆ କୁକୁରମାନେ ବଡ଼ ଦଳରେ ରହନ୍ତି କିନ୍ତୁ ସେହି ବଡ଼ ଦଳ ଅନେକ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇଥାଏ । ଜଙ୍ଗଲୀ ଭାଷାରେ ସବୁ ସଭ୍ୟମିଶି ଶିକାର କରୁଥିଲେ ସେମାନଙ୍କୁ “ଦଳ” (ଈଂରାଜୀରେ Pack) ବୋଲି କୁହାଯାଇପାରିବ । ବଳିଆ କୁକୁରମାନଙ୍କ କ୍ଷେତ୍ରରେ ଅନେକ ସମୟରେ ୩-୫ ଜଣିଆ ଗୋଷ୍ଠୀରେ (ଈଂରାଜୀରେ Clan) ବିଭକ୍ତ ହୋଇଯାଆନ୍ତି କାରଣ ଛୋଟ ଶିକାର ଧରିବା ପାଇଁ ଏହା ଉପଯୁକ୍ତ ବିନ୍ୟାସ । ବିଶେଷ କରି ବସନ୍ତ ଋତୁ ବେଳକୁ ହରିଣମାନଙ୍କର ପ୍ରଜନନ ଋତୁ ସମାପ୍ତ ହୋଇ ଅନେକ ଛୋଟ ହରିଣ ଜନ୍ମଲାଭ କରିଥିବାରୁ, ସେହି ସମୟରେ ଏପରି ଗୋଷ୍ଠୀବଦ୍ଧ ଶିକାର ଅଧିକ ଦେଖିବାକୁ ମିଳେ । ଦଳ ଉପରେ କୌଣସି ପ୍ରକାର ପ୍ରଭୁତ୍ୱର ପ୍ରଦର୍ଶନ କରୁନଥିବାରୁ ଦଳର ସର୍ଦ୍ଦାର ବଳିଆ କୁକୁର ସହଜରେ ଚିହ୍ନଟ କରିହୁଏ ନାହିଁ । ତେବେ ସମସ୍ତ ଗୋଷ୍ଠୀର କୁକୁରମାନଙ୍କ ସର୍ଦ୍ଦାର ପ୍ରତି ଆନୁଗତ୍ୟ ରହିଥାଏ । ଏମାନଙ୍କ ଦଳରେ ଗୋଷ୍ଠୀ ବିବାଦ ଦେଖାଯାଏ ନାହିଁ । ସାଧାରଣତଃ ଗଧିଆମାନଙ୍କ ନିୟନ୍ତ୍ରିତ କ୍ଷେତ୍ରରେ ଅନ୍ୟ ଦଳର ଗଧିଆମାନେ ପ୍ରବେଶ କଲେ ସଂଘର୍ଷ ଦେଖାଦିଏ । ବଳିଆ କୁକୁରମାନଙ୍କ ଦଳ ମଧ୍ୟରେ କ୍ଷେତ୍ର ନିୟନ୍ତ୍ରଣ ମନୋଭାବ ନଥିବାରୁ କୁକୁରମାନେ ଗୋଟିଏ ଦଳରୁ ଅନ୍ୟ ଦଳରେ ସହଜରେ ମିଶିପାରନ୍ତି । ଭାରତୀୟ ଜଙ୍ଗଲରେ ଗୋଷ୍ଠୀର ସଭ୍ୟଙ୍କ ସଂଖ୍ୟା ୫-୧୨ ହୋଇଥିବା ବେଳେ ୪୦ ସଭ୍ୟବିଶିଷ୍ଟ ଗୋଷ୍ଠୀ ମଧ୍ୟ ଦେଖାଯାଇଛି । ଥାଇଲାଣ୍ଡର ଜଙ୍ଗଲରେ ବଳିଆ କୁକୁରମାନଙ୍କ ଗୋଷ୍ଠୀ ହାରାହାରି ୩ ସଭ୍ୟବିଶିଷ୍ଟ ହୋଇଥାଏ । କ୍ୟାନିଡ୍ ପ୍ରଜାତିର ଅନ୍ୟ ପଶୁଙ୍କ ପରି ବଳିଆ କୁକୁରମାନେ ଗଛ, ବୁଦା ବା ନିୟମିତ ବ୍ୟବହୃତ ପଥରେ ମୂତ୍ର ସିଞ୍ଚନ କରି (ଈଂରାଜୀରେ Scent Marking) କ୍ଷେତ୍ର ନିରୂପଣ କରନ୍ତି ନାହିଁ । ପଛପଟର ଗୋଟିଏ ବା ଦୁଇ ଗୋଡ଼ ଟେକିଦେଇ (ଈଂରାଜୀରେ Handstand) ବଳିଆ କୁକୁରମାନେ (ମୁଖ୍ୟତଃ ଅଣ୍ଡିରା କୁକୁରମାନେ) ମୂତ୍ରତ୍ୟାଗ କରନ୍ତି । ଏହିପରି ସ୍ୱଭାବ ବୁଦା କୁକୁର (ଜୀବ ବିଜ୍ଞାନ ନାମ Speothos Vexatious)ଙ୍କଠାରେ ମଧ୍ୟ ଦେଖାଦିଏ । ନିଜ କ୍ଷେତ୍ରର ସୀମାରେ ନୁହେଁ ବରଂ ନିଜ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରି ବଳିଆ କୁକୁରମାନେ ମଳତ୍ୟାଗ କରନ୍ତି । କ୍ଷେତ୍ର ନିରୂପଣ କରିବା ପାଇଁ ଅନ୍ୟ କ୍ୟାନିଡ୍ ପ୍ରଜାତୀୟ ଜୀବଙ୍କ ଭଳି ଏମାନେ ଭୂମିରେ ରାମ୍ପୁଡ଼ି ଦାଗ ବା ଚିହ୍ନ ସୃଷ୍ଟି କରନ୍ତି ନାହିଁ ।

ଭାରତର ପେଞ୍ଚ୍ ଅଭୟାରଣ୍ୟରେ କ୍ରୀଡ଼ାରତ ବଳିଆ କୁକୁର

ଗର୍ତ୍ତ ଓ ଗହ୍ୱରରେ ବସବାସ[ସମ୍ପାଦନା]

ବଳିଆ କୁକୁରମାନେ ୪ ପ୍ରକାରର ବାସସ୍ଥଳୀ ବାଛି ସେଥିରେ ରହିବା ପସନ୍ଦ କରନ୍ତି । (୧) ସରଳ ଢଙ୍ଗରେ ଭୂମିରେ ଖୋଳାଯାଇଥିବା ଓ ଗୋଟିଏ ପ୍ରବେଶ ଦ୍ୱାରବିଶିଷ୍ଟ ଗାତ । ହେଟାବାଘ ବା ଝିଙ୍କ ଆଗରୁ ରହୁଥିବା ଗାତକୁ ଟିକିଏ ପରିବର୍ତ୍ତିତ କରି ବଳିଆ କୁକୁର ନିଜ ଛୁଆଙ୍କ ସୁରକ୍ଷା ପାଇଁ ତାହାର ଉପଯୋଗ କରନ୍ତି । (୨) ଗୋଟିଏ ପ୍ରବେଶ ଦ୍ୱାର ଥିବା କନ୍ଦରମୟ ବଡ଼ ଗାତ । (୩) ପଥରଗଦା ମଧ୍ୟରେ ବା ପଥର ଗଦା ତଳେ ରହିଥିବା ଛୋଟମୁହାଁ ଗୁମ୍ଫା ଓ (୪) ଅନେକ ଗୁମ୍ଫା ଏବଂ ଗାତକୁ ସଂଯୋଗ କରୁଥିବା ଜଟିଳ ସଂରଚନା ବିଶିଷ୍ଟ ଗାତ ବା ଛୋଟଗୁମ୍ଫା । ଏମାନଙ୍କ ବାସସ୍ଥାନ ଘଞ୍ଚବୁଦା ତଳେ, ଶୁଖିଯାଇଥିବା ନଦୀପଠାରେ ରହିଥାଏ । ଗାତକୁ ପଶିବା ଦ୍ୱାରଟି ପ୍ରାୟ ଆକାଶମୁହାଁ ଓ ୩-୪ ଫୁଟର ଗଭୀରତା ପରେ ପଥ ବୁଲିଯାଇଥାଏ ।  ଏହି ମୁଖ୍ୟ ପ୍ରବେଶପଥଟି ଏକ ବଡ଼ କୋଠରୀକୁ ଖୋଲେ ଓ ବଡ଼ କୋଠରୀ ସହ ଅନେକ ଛୋଟ ଛୋଟ କୋଠରୀ ସଂଲଗ୍ନ ଥାଆନ୍ତି । ୧୦୦ଫୁଟ୍ ପର୍ଯ୍ୟନ୍ତ ଗଭୀର କେତେକ ଗାତ ଆଖପାଖର ଗାତମାନଙ୍କ ସହ ସଂଯୁକ୍ତ ଥାଏ ଓ ଏପରି ଗାତର ୬ଟି ପ୍ରବେଶପଥ ରହିପାରେ । ଏପରି ଜଟିଳ ଓ ବଡ଼ ବାସର ନିର୍ମାଣ ଅନେକ ପିଢ଼ୀ ପର୍ଯ୍ୟନ୍ତ ଚାଲିବା ମଧ୍ୟ ସମ୍ଭବପର । ମାଈ କୁକୁରମାନେ ଏକାଠି ସବୁ ଛୁଆଙ୍କର ଲାଳନପାଳନ ପାଇଁ ଏହି ବାସସ୍ଥଳୀର ବ୍ୟବହାର କରନ୍ତି । ଅଷ୍ଟ୍ରେଲିଆର ଡିଂଗୋ ଓ ଆଫ୍ରିକାର ଜଙ୍ଗଲୀ କୁକୁର ପରି ବଳିଆ କୁକୁର ମଧ୍ୟ ନିଜ ବାସସ୍ଥଳୀ ପାଖରେ ଶିକାର କରେନାହିଁ । 

ପ୍ରଜନନ ଓ ବିକାଶ[ସମ୍ପାଦନା]

ଭାରତରେ ବଳିଆ କୁକୁରମାନଙ୍କ ମିଳନ ସମୟ ମଧ୍ୟ-ଅକ୍ଟୋବରରୁ ଆରମ୍ଭ କରି ଜାନୁଆରୀ ମାସ ପର୍ଯ୍ୟନ୍ତ ହୋଇପାରେ । ମସ୍କୋର ଏକ ଚିଡ଼ିଆଘରେ ବନ୍ଦୀ ହୋଇ ରହିଥିବା ବଳିଆ କୁକୁରମାନଙ୍କ ମିଳନ ଋତୁ ଫେବୃଆରି ମାସରେ ହେବାର ମଧ୍ୟ ଦେଖାଯାଇଛି । ଗଧିଆଦଳରେ କେବଳ ଗୋଟିଏ ପ୍ରଜନନଶୀଳ ମାଈ ରହିଥାନ୍ତି କିନ୍ତୁ ବଳିଆ କୁକୁରଙ୍କ ଦଳରେ ଏପରି ଏକାଧିକ ମାଈ କୁକୁର ରହିପାରନ୍ତି । ଏକାଧିକ ମାଈ କୁକୁର ଗୋଟିଏ ଗାତ ବା ଗୁମ୍ଫାରେ ନିଜ ଛୁଆମାନଙ୍କୁ ରଖି ସେମାନଙ୍କ ପାଳନପୋଷଣ କରନ୍ତି । ଏମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୬୦-୬୩ ଦିନ ଓ ଏକାଥରେ ୪-୬ଟି ଶିଶୁ ଜନ୍ମ କରିପାରନ୍ତି । ବଳିଆ କୁକୁର ଛୁଆମାନେ ଗଧିଆମାନଙ୍କଠାରୁ ଦ୍ରୁତଗତିରେ ବଢ଼ନ୍ତି । ବଳିଆ କୁକୁରଛୁଆମାନେ ୫୮ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରନ୍ତି । ଏହି ସମୟରେ ବଳିଆ କୁକୁର ଦଳର ସମସ୍ତ ସଭ୍ୟ ମା’ ବଳିଆ କୁକୁରମାନଙ୍କୁ ଗାତ ପାଖରେ ଖାଦ୍ୟ ଯୋଗାଇ ଦିଅନ୍ତି । ଦଳର କିଛି ସଭ୍ୟ ଛୁଆମାନଙ୍କ ପାଖରେ ରହନ୍ତି ଓ ଅନ୍ୟମାନେ ଶିକାର କରିବାକୁ ଯାଆନ୍ତି । ଛୁଆମାନେ ମାଂସ ଖାଇବା ଯୋଗ୍ୟ ହେଲେ, ଦଳର ସଦସ୍ୟମାନେ ଅଧା ଜୀର୍ଣ୍ଣ କରିଥିବା ଖାଦ୍ୟ ବାହାର କରି ଛୁଆଙ୍କୁ ଖୁଆଇଥାନ୍ତି । ପ୍ରାୟ ୭୦-୮୦ ଦିନ ପର୍ଯ୍ୟନ୍ତ ସେମାନେ ଗାତ ପାଖରେ ରହନ୍ତି । ପ୍ରାୟ ୬ ମାସ ବୟସ ହେଲେ ଛୁଆମାନେ ଦଳ ସହିତ ମିଶି ଶିକାର କରିବାକୁ ଯାଆନ୍ତି । ୮ ମାସ ବେଳକୁ ସମ୍ବର ପରି ବଡ଼ ଶିକାରରେ ମଧ୍ୟ ସହାୟତା କରନ୍ତି । ଯନ୍ତାରେ ବନ୍ଦକରି ରଖିଲେ ଏମାନେ ସର୍ବାଧିକ ୧୫-୧୬ ବର୍ଷ ପର୍ଯ୍ୟନ୍ତ ଜୀବିତ ରହନ୍ତି । 

କୋଲମାରେଦେନ୍ ବନ୍ୟପ୍ରାଣୀ ଉଦ୍ୟାନର ଏକ ଛୁଆ ବଳିଆ କୁକୁର

ଶିକାର[ସମ୍ପାଦନା]

ଶିକାର ଆରମ୍ଭ କରିବା ପୂର୍ବରୁ ବଳିଆ କୁକୁର ଦଳର ସଭ୍ୟମାନେ ଏକତ୍ରିତ ହୁଅନ୍ତି ଓ ମୁହଁ ଘଷାଘଷି ଓ ପରସ୍ପର ଉପରେ ଚଢ଼ିବାର ଓ ଖେଳିବାର ରୀତିନୀତି ପୂର୍ଣ୍ଣ କରନ୍ତି । ବଳିଆ କୁକୁର ଦିବାଚର ଶିକାରୀ ଓ ପ୍ରାୟତଃ ଦିବାରମ୍ଭ ବା ପ୍ରଥମାର୍ଦ୍ଧରେ ଶିକାର କରିବାକୁ ବାହାରନ୍ତି । ଚନ୍ଦାଲୋକରେ ଉଜ୍ଜ୍ୱଳିତ ରାତି ଛଡ଼ା ସେମାନେ ରାତି ସମୟରେ ଶିକାର କରିବା ଦେଖାଯାଏ ନାହିଁ । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେମାନେ ଶିକାର ପାଇଁ ଦୃଷ୍ଟିଶକ୍ତି ଉପରେ ଅଧିକ ନିର୍ଭର କରନ୍ତି । ଶିଆଳ ଓ ବିଲୁଆ ପରି ବଳିଆ କୁକୁରମାନଙ୍କର ଅଧିକ ବେଗ ନ ଥାଏ କିନ୍ତୁ ସେମାନେ ଦଳବଦ୍ଧ ଭାବେ ଲମ୍ବା ସମୟ ପର୍ଯ୍ୟନ୍ତ ନିଜର ଶିକାରକୁ ଗୋଡ଼ାଇ ପାରନ୍ତି । ଗୋଡ଼େଇବା ସମୟରେ କିଛି ବଳିଆ କୁକୁର ଶିକାର ଜନ୍ତୁକୁ ଅତିକ୍ରମ କରି ତା’ ଆଗରେ ଦଉଡ଼ୁଥାନ୍ତି ଓ କିଛି ବଳିଆ କୁକୁର ସମଗତିରେ ଶିକାର ପଛରେ ଦଉଡ଼ୁଥାନ୍ତି ଓ ତାକୁ ମଧ୍ୟ ଶକ୍ତିକ୍ଷୟ କରାଉଥାନ୍ତି। ଆଗ ଓ ପଛରେ ଦଉଡ଼ୁଥିବା ଦୁଇଟି ଗୋଷ୍ଠୀ କ୍ଳାନ୍ତ ହୋଇଯାଉଥିବା ବଳିଆ କୁକୁରଙ୍କୁ ସ୍ଥାନାନ୍ତର କରି ଶିକାର ବଜାୟ ରଖନ୍ତି । ସାଧାରଣତଃ ୫୦୦ ମିଟର୍ ମଧ୍ୟରେ ଶିକାର ସଫଳ ହୋଇଯାଏ । ଦ୍ରୁତଗତିର ଶିକାର ଜୀବଙ୍କୁ ଧରିବା ପାଇଁ ଏମାନେ ନିଜର ବେଗ ୩୦ ମାଇଲ୍ ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇ ପାରନ୍ତି । ଶିକାର ଜନ୍ତୁକୁ ବଡ଼ ହ୍ରଦ ବା ପୋଖରୀ ବା ନଦୀ ପରି ପାଣିଆ ଜାଗାକୁ ତଡ଼ିନେଲେ ତା’ର ଗତିର ଦିଗ ଓ ବେଗ ନିୟନ୍ତ୍ରିତ ହୋଇଯାଏ ଏବଂ ଶିକାର କରିବା ସହଜ ହୁଏ ।

ବଡ଼ ଶିକାରଟିଏ ଧରିବା ପରେ ବଳିଆ କୁକୁରମାନେ ତା’କୁ ଚାରିପଟୁ ଘେରିଯାଇ ତାହାର ନାକ, ପାର୍ଶ୍ୱଦେଶ, ପଶ୍ଚାତଦେଶକୁ ପାଟିରେ ଜାବୁଡ଼ି ଧରିବାକୁ ଚେଷ୍ଟା କରନ୍ତି । କଲରା ପତରିଆ ବାଘପରି ସେମାନେ ତଣ୍ଟିକୁ ଜାବୁଡ଼ି ଧରି ଶିକାର ମାରିବାରେ ଅସମର୍ଥ । ବେଳେବେଳେ ଆଖିକୁ ଚୋବାଇ ସେମାନେ ଶିକାରକୁ ଅନ୍ଧ କରିପକାନ୍ତି । ସିରୋ ହରିଣ ପରି ଜୀବର ମୋଟା ଚମଡ଼ା ଓ ତୀକ୍ଷ୍ଣ ଶିଙ୍ଗ ଯୋଗୁଁ ସେମାନେ ବଳିଆ କୁକୁରଙ୍କ ଆକ୍ରମଣର କିଛି ମାତ୍ରାରେ ପ୍ରତିରୋଧ କରିପାରନ୍ତି ଓ ବେଳେବେଳେ ସେମାନଙ୍କୁ ବହୁତ କ୍ଷତି ମଧ୍ୟ ପହଞ୍ଚାନ୍ତି । ଆକ୍ରମଣ କଲାବେଳେ ବଳିଆ କୁକୁରମାନଙ୍କ ଦଳ ଚାରିଦିଗରୁ ଶିକାରର ଦେହ ଚିରି ଓ ଏହାର ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ଖାଇବା ଆରମ୍ଭ କରିଦିଅନ୍ତି । ଅନେକ ସମୟରେ ଶିକାର ଜୀବିତ ଥାଇ ମଧ୍ୟ ତା’ର ପେଟ ଛଡ଼ା ଅନ୍ୟ ଅଂଗପ୍ରତ୍ୟଂଗ ତାଡ଼ି ଖାଇବା ଆରମ୍ଭ କରନ୍ତି । ୫୦ କିଲୋରୁ କମ୍ ଓଜନର ଶିକାର ଏପରି ଆକ୍ରମଣରେ ୨-୩ ମିନିଟ୍ ମଧ୍ୟରେ ନିଜର ପ୍ରାଣ ହରାନ୍ତି ଓ ବଡ଼ ଅଣ୍ଡିରା ହରିଣମାନେ ୧୫ ମିନିଟ୍ ମଧ୍ୟରେ ମୃତ୍ୟୁବରଣ କରନ୍ତି । ଶିକାର ମରିଗଲା ପରେ ତା’ର ସମ୍ପୂର୍ଣ୍ଣ ଦେହକୁ ଚିରି ପକାଇ ଅଲଗା ଅଲଗା ଭାବେ ନିଜ ନିଜର ଭାଗ ଖାଇବା ଆରମ୍ଭ କରନ୍ତି । ଗଧିଆମାନଙ୍କ ଦଳରେ ସର୍ଦ୍ଦାର ଅଣ୍ଡିରା ଓ ମାଈ ଗଧିଆ ପ୍ରଥମେ ଖାଇବାର ସୁଯୋଗ ପାଆନ୍ତି । କିନ୍ତୁ ବଳିଆ କୁକୁରଙ୍କ ଦଳରେ ଯୁବ ଓ ଶିଶୁମାନଙ୍କୁ ପ୍ରାଧାନ୍ୟ ମିଳେ । ମୃତ ଶିକାରକୁ ଘେରି ରହିଥିବା ଶାଗୁଣା, ବିଲୁଆ ପରି ଜୀବଙ୍କ ସହିତ ସେମାନେ କିଛିମାତ୍ରାରେ ସହିଷ୍ଣୁତା ମନୋଭାବ ପ୍ରଦର୍ଶନ କରିଥାନ୍ତି । ଗାତରେ ଜଗି ରହିଥିବା ମାଈ ବଳିଆ କୁକୁର ଓ ଶିଶୁମାନଙ୍କୁ ଦଳର ଅନ୍ୟସବୁ ସଭ୍ୟ ଖାଇବା ଯୋଗାଇ ଦିଅନ୍ତି ।

ବନ୍ଦିପୁର ଜାତୀୟ ଉଦ୍ୟାନରେ ଏକ ସମ୍ବର ହରିଣକୁ ବଳିଆ କୁକୁରଙ୍କ ଦଳବଦ୍ଧ ଆକ୍ରମଣ

ଆହାର ସମ୍ବନ୍ଧୀୟ ତଥ୍ୟ[ସମ୍ପାଦନା]

ଭାରତୀୟ ଜଙ୍ଗଲରେ ଦେଖାଯାଉଥିବା ଶିକାର ଜନ୍ତୁମାନେ ହେଲେ – ଚିତଲ୍ ହରିଣ, ସମ୍ବର ହରିଣ, କୁଟୁରା, ମୂଷା ହରିଣ, ବାରଶିଙ୍ଘା, ବାରହା, ଗୌର୍ (ଗୟଳ), ପାଣି ମଇଁଷି, ବାଣ୍ଟେଙ୍ଗ୍ ପ୍ରଜାତିର ଗାଈ, ଗୋରୁଗାଈ, ନୀଳଗାଈ, ଛେଳି, ଭାରତୀୟ ଠେକୁଆ, ହିମାଳୟ ମୂଷା ଓ ହନୁ ମାଙ୍କଡ଼ । ଉଲ୍ଲିଖିତ ଏକ ଘଟଣା ଅନୁସାରେ ଆସାମରେ ଏକ ବଳିଆ କୁକୁର ଦଳ ଏକ ହାତୀ ଛୁଆ ଉପରେ ଆକ୍ରମଣ କରିଥିଲେ । ମା’ ହାତୀର ବିରୋଧ ସତ୍ତ୍ୱେ ସେମାନେ ଛୁଆ ହାତୀର ଶିକାର କରିବାରେ ସଫଳ ହୋଇଥିଲେ । ଅବଶ୍ୟ ମା’ ହାତୀର ପ୍ରତ୍ୟାକ୍ରମଣରେ ଦଳର ଅର୍ଦ୍ଧାଧିକ କୁକୁର ମୃତ୍ୟୁମୁଖରେ ପଡ଼ିଥିଲେ । କାଶ୍ମୀର ଅଞ୍ଚଳରେ ମାରଖୋର୍ ଛେଳି, ବ୍ରହ୍ମଦେଶରେ ଥାମିନ୍ ହରିଣ (ଏଲ୍ଡଙ୍କ ହରିଣ), ମାଳୟରେ ଟାପିର୍, ସୁମାତ୍ରାରେ ସୁମାତ୍ରୀୟ ଥାର୍ ହରିଣ, ଜାଭାରେ ସୁଣ୍ଡା ସମ୍ବର (ରୁସା ହରିଣ) ଆଦି ଜୀବ ବଳିଆ କୁକୁରଙ୍କ ଶିକାର ଭାବେ ପରିଗଣିତ ହୁଅନ୍ତି ।  ଥିଏନ୍-ସାନ୍ ଓ ଟାର୍ବାଗଟାଇ ପର୍ବତରେ ବଳିଆ କୁକୁରମାନେ ସାଇବେରୀୟ ଆଇବେକ୍ସ୍, ଅର୍ଖର, ରୋ ହରିଣ, ମାରାଲ୍, ବାରହା ଆଦି ଜନ୍ତୁର ଶିକାର କରନ୍ତି । ଅଲତାଇ ଓ ସାୟନ୍ ପର୍ବତାଞ୍ଚଳରେ  ସେମାନେ କସ୍ତୁରୀ ମୃଗ ଓ ବଲ୍ଗା ହରିଣ ଶିକାର କରନ୍ତି । ପୂର୍ବ ସାଇବେରିଆରେ ରୋ ହରିଣ, ମଞ୍ଚୁରୀୟ ୱାପିତି, ବଣ ଘୁଷୁରି, କସ୍ତୁରୀ ମୃଗ, ବଲଗା ହରିଣ ଇତ୍ୟାଦି ବଳିଆ କୁକୁରଙ୍କ ଖାଦ୍ୟଭାବେ ପରିଗଣିତ ହେବାବେଳେ ପ୍ରିମୋର୍ଯ୍ୟେରେ ସିକା ହରିଣ ଓ ଗୋରାଲ୍ ତାଙ୍କ ଖାଦ୍ୟ ହୋଇଥାଏ । ମଂଗୋଲିଆରେ ବଳିଆ କୁକୁରମାନେ ଅଧିକାଂଶ ସମୟରେ ଅର୍ଗାଳି ଓ ଖୁବ୍ କମ୍ ସମୟରେ ସାଇବେରୀୟ ଆଇବେକ୍ସର ଶିକାର କରି ଖାଇଥାନ୍ତି । ଯେତେ ହିଂସ୍ର ଓ ବର୍ବର ହେଲେ ମଧ୍ୟ ବଳିଆ କୁକୁର ମଣିଷଙ୍କୁ ଆକ୍ରମଣ କରେନାହିଁ । ଆଫ୍ରିକୀୟ ଜଙ୍ଗଲୀ କୁକୁରଙ୍କଠାରେ ଏପରି ପ୍ରକୃତି ଦେଖାଯାଏ କିନ୍ତୁ ଗଧିଆମାନେ କେବେକେବେ ମଣିଷକୁ ଆକ୍ରମଣ କରିଥାନ୍ତି । ଶିକାରୀ ଓ ଲେଖକ କେନ୍ନେଥ୍ ଆଣ୍ଡର୍ସନ୍ ଲେଖିଥିଲେ ଯେ କୁକୁର ଓ ମନୁଷ୍ୟ ମଧ୍ୟରେ ଥିବା ଏକ ଗଭୀର ସମ୍ପର୍କ ବଳିଆ କୁକୁରମାନଙ୍କଠାରେ ମଧ୍ୟ ଦେଖାଯାଏ । ବଳିଆ କୁକୁରମାନେ ଦରକାର ପଡ଼ିଲେ ଅନ୍ୟ କ୍ୟାନିଡମାନଙ୍କ ଅପେକ୍ଷା ଅନାୟାସରେ ଫଳ ଓ ପରିବା ମଧ୍ୟ ଖାଇପାରନ୍ତି । ପୋଷା ବଳିଆ କୁକୁର ଅସୁସ୍ଥତା ସମୟରେ ଅନେକ ପ୍ରକାରର ଘାସ, ପତ୍ର ଇତ୍ୟାଦି ଖାଆନ୍ତି । ସୁସ୍ଥ ଥିବାବେଳେ ମଧ୍ୟ ମଜାରେ ଏମାନେ ପତ୍ରାଦି ଖାଇବା ଦେଖାଯାଇଛି । ଗ୍ରୀଷ୍ମଋତୁରେ ଟିଏନ୍-ଶାନ୍ ପର୍ବତରେ ବଳିଆ କୁକୁରମାନେ ଏକ ରୁହବାର୍ବ୍ ନାମକ ଏକ ପାର୍ବତୀୟ ପତ୍ର ମଧ୍ୟ ବହୁ ପରିମାଣରେ ଖାଇଥାନ୍ତି । ସାଧାରଣତଃ ବଳିଆ କୁକୁରମାନେ ଗୋରୁ, ଛେଳି ଓ ବାଛୁରୀ ଇତ୍ୟାଦି ଖାଇବା ପାଇଁ ସୁଯୋଗ ମିଳିଲେ ମଧ୍ୟ ତାକୁ ପ୍ରତ୍ୟାଖ୍ୟାନ କରନ୍ତି । କିନ୍ତୁ ୧୯୯୦ ମସିହାରେ ଭୁଟାନରେ ବଳିଆ କୁକୁରମାନଙ୍କର ଗୃହପାଳିତ ପଶୁଙ୍କ ଶିକାର କରି ସେଠାକାର ବସବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ । ଗାଁ ପାଖରେ ଚରୁଥିବା ଗୋରୁଙ୍କ ଅପେକ୍ଷା ଜଙ୍ଗଲରେ ଚରୁଥିବା ଗୋରୁଙ୍କ ଉପରେ ଆକ୍ରମଣର ଅଧିକ ସମ୍ଭାବନା ରହିଥାଏ । ବଳଦଙ୍କ ଅପେକ୍ଷା ଗାଈଙ୍କୁ ଅଧିକ ସୁରକ୍ଷା ଦିଆଯାଉଥିବାରୁ ସାଧାରଣତଃ ବଳଦଙ୍କ ଉପରେ ଅଧିକ ଆକ୍ରମଣ ହୋଇଥାଏ ।

ବନ୍ଦିପୁର ଜାତୀୟ ଉଦ୍ୟାନରେ ବଳିଆ କୁକୁର ଦଳ ଏକ ଚିତଲ୍ ହରିଣର ଶିକାର ପରେ ଏକାଠି ଖାଇବା ଦୃଶ୍ୟ

ଶତ୍ରୁ ଓ ଅନ୍ୟ ପ୍ରତିଯୋଗୀ[ସମ୍ପାଦନା]

ଅଳ୍ପ କେତେ ଜଙ୍ଗଲରେରେ ବଳିଆ କୁକୁର, ବାଘ, କଲରାପତରିଆ ବାଘ ଆଦି ଅନେକ ମାଂସଭୋଜି ପ୍ରାଣୀ ରହିପାରନ୍ତି । ଭିନ୍ନ ଶିକାର ଯୋଗୁଁ ଏମାନଙ୍କ ମଧ୍ୟରେ ସଙ୍ଘର୍ଷ ଏଡ଼ାଯାଇପାରେ । କିନ୍ତୁ ସାଧାରଣତଃ ଏମାନଙ୍କ ଶିକାରଜନ୍ତୁ ସମାନ ହୋଇଥିବାରୁ ଖାଦ୍ୟଶୃଙ୍ଖଳରେ ପ୍ରତିଯୋଗିତା ଦେଖାଦିଏ । କଲରାପତରିଆ ବାଘ ପରି ବଳିଆ କୁକୁରମାନେ ମଧ୍ୟ ୩୦-୧୭୫ କିଲୋଗ୍ରାମ୍ ଓଜନର ଶିକାର ଖୋଜନ୍ତି । କଲରାପତରିଆ ବାଘ ଏକାକୀ ଶିକାର କରୁଥିବାରୁ ହାରାହାରି ୨୩.୪ କିଲୋଗ୍ରାମ୍ ଓ ବଳିଆ କୁକୁର ଦଳବଦ୍ଧ ଭାବେ ଶିକାର କରୁଥିବାରୁ ହାରାହାରି ୩୫.୩ କିଲୋଗ୍ରାମ୍ ଓଜନର ଶିକାର କରନ୍ତି । ମହାବଳ ବାଘ ୧୭୬ କିଲୋରୁ ଅଧିକ ଓଜନର ଶିକାର କରିପାରେ ଓ ହାରାହାରି ୩୫.୩ କିଲୋ ଶିକାର କରେ । ବଳିଆ କୁକୁରଙ୍କ ଶିକାର ବାଛିବା ଜନ୍ତୁର ଲିଙ୍ଗ, ଆକ୍ରାମକ ସ୍ୱଭାବ, ତା’ର ଖାଦ୍ୟ ଇତ୍ୟାଦି ଉପରେ ନିର୍ଭର କରେ । ଉଦାହରଣ ସ୍ୱରୂପ ବଳିଆ କୁକୁରମାନେ ଅଣ୍ଡିରା ଚିତଲ୍ ହରିଣ ଶିକାର କରିବା ପସନ୍ଦ କରନ୍ତି କିନ୍ତୁ ଏକ କଲରାପତରିଆ ବାଘ ଶିକାର ପାଇଁ ମାଈ ଓ ଅଣ୍ଡିରା ହରିଣ ମଧ୍ୟରୁ ଯାହାକୁ ଦେଖେ ତାହାର ଶିକାର କରିପାରେ । ମହାବଳ ବାଘ କେବଳ ଆକାରରେ ବଡ଼ ଶିକାର ପସନ୍ଦ କରେ । ମହାବଳ ବାଘ ଓ ବଳିଆ କୁକୁରମାନେ ହନୁ ମାଙ୍କଡ଼ମାନଙ୍କ ଶିକାର କରିବାର ଖୁବ୍ କମ୍ ଉଦାହରଣ ରହିଛି କିନ୍ତୁ କଲରାପତରିଆ ବାଘ ଅନେକ ସମୟରେ ମାଙ୍କଡ଼ ମାରି ଖାଇଥାଏ । ସେହିଭଳି କଲରାପତରିଆ ବାଘ ଅଧିକାଂଶ ସମୟରେ ବାରହା ପରି ଆକ୍ରାମକ ଜନ୍ତୁର ଶିକାର କରିବା ପସନ୍ଦ କରେନାହିଁ । 

କେତେକ ପରିସ୍ଥିତିରେ ବଳିଆ କୁକୁର ଦଳବଦ୍ଧ ହୋଇ ମହାବଳ ବାଘଙ୍କୁ ମଧ୍ୟ ଆକ୍ରମଣ କରନ୍ତି । ବଳିଆ କୁକୁର ଦଳର ସାମନା ହେଲେ ବାଘମାନେ ପ୍ରାୟତଃ ଲୁଚି କୌଣସି ପ୍ରକାରର ସଂଘର୍ଷ ଏଡ଼ାଇବାକୁ ଚେଷ୍ଟା କରନ୍ତି । ସେମାନେ ଖସିଯିବାକୁ ମଧ୍ୟ ଚେଷ୍ଟା କରନ୍ତି । ଅନେକ ସମୟରେ ଖସି ପଳାଉଥିବା ବାଘକୁ ବଳିଆ କୁକୁରମାନେ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବେ ହତ୍ୟା କରନ୍ତି । ବାଘ ପଳାୟନ ନ କରି ଲଢ଼ିଲେ ତାହାର ବଞ୍ଚିବାର ସମ୍ଭାବନା ସାମାନ୍ୟ ବଢ଼ିପାରେ । ବଳିଆ କୁକୁରଙ୍କ ପାଇଁ ମହାବଳ ବାଘ ମଧ୍ୟ ଏକ ବିଧ୍ୱଂସକାରୀ ଶତ୍ରୁ । ମହାବଳ ବାଘର ପଞ୍ଝାର ଏକ ଶକ୍ତ ଚାପୁଡ଼ା ବଳିଆ କୁକୁର ପରି ଜୀବର ପ୍ରାଣ ନେଇଯାଇପାରେ । ବଳିଆ କୁତୁକମାନେ କଲରାପତରିଆ ବାଘର ଶିକାର ଛଡ଼ାଇ ନେଇଯାଇ ପାରନ୍ତି । ଏକୁଟିଆ ବା ଦୁଇଟି ବଳିଆ କୁକୁରଙ୍କୁ ଏକ କଲରା ପତରିଆ ବାଘ ସହଜରେ ମାରି ଦେଇପାରିବ । ମହାବଳ ବାଘର ଆକାର ବଡ଼, ତେଣୁ ଶିକାର ବା ଖାଦ୍ୟର ଆବଶ୍ୟକତା ମଧ୍ୟ ଅଧିକ । ଅପର ପକ୍ଷେ କଲରାପତରିଆ ବାଘ ଛୋଟ ଓ ହାଲୁକା ଶିକାର ପସନ୍ଦ କରେ । ତେଣୁ ଏକୁଟିଆ ପାଇଲେ ମହାବଳ ବାଘ ଅପେକ୍ଷା କଲରାପତରିଆ ବାଘ ପକ୍ଷରେ ବଳିଆ କୁକୁର ପରି ଜୀବଙ୍କୁ ଶିକାର କରିବାର ସମ୍ଭାବନା ଅଧିକ । ଏହି କାରଣରୁ ବଳିଆ କୁକୁରମାନେ କଲରାପତରିଆ ବାଘଙ୍କ ପ୍ରତି ଅଧିକ ଆକ୍ରାମକ ମନୋଭାବ ରଖନ୍ତି । 

ଜଙ୍ଗଲରେ କଲରାପତରିଆ ବାଘଟିଏ ବଳିଆ କୁକୁରଙ୍କଦ୍ୱାରା ଘେରା ହୋଇ ଗଛ ଉପରକୁ ଚଢ଼ି ନିଜ ପ୍ରାଣରକ୍ଷା କରିବାର ଅନେକ ଉଦାହରଣ ଦେଖିବାକୁ ମିଳେ । ବଳିଆ କୁକୁରଙ୍କ ଦଳ ସମୟ ସମୟରେ ବାଘ, କଲରାପତିଆ ବାଘ ଓ ଭାଲୁଙ୍କଠାରୁ ଶିକାର ଛଡ଼ାଇ ନେବାର ଦୃଷ୍ଟାନ୍ତ ମଧ୍ୟ ରହିଛି । କୁହାଯାଏ ଯେ ବଳିଆ କୁକୁରମାନଙ୍କ ପାଇଁ ଭାରତରୁ ବହୁ ବର୍ଷ ପୂର୍ବେ ଏସୀୟ ଚିତାବାଘ ପରି ମାଂସଭୋଜି ପ୍ରାଣୀ ଲୋପ ପାଇଗଲେ । କିନ୍ତୁ ବଳିଆ କୁକୁରମାନେ ଘଞ୍ଚ ଜଙ୍ଗଲରେ ରହିବା ପସନ୍ଦ କରୁଥିବା ବେଳେ ଚିତାବାଘ ଖୋଲା ସମତଳ ଭୂମିରେ ବିଚରଣ ଓ ଶିକାର କରିବା ପସନ୍ଦ କରନ୍ତି । ତେଣୁ ଏପରି ମତର କେତେ ସତ୍ୟତା ଅଛି ତାହା ଜାଣିବା କଷ୍ଟକର । 

ବଳିଆ କୁକୁର ଦଳ ଏସୀୟ କଳାଭାଲୁ ଓ ସ୍ଲଥ୍ ଭାଲୁ ଆଦିଙ୍କୁ ଆକ୍ରମଣ କରିବା ମଧ୍ୟ ଦେଖାଯାଇଛି । ଗୋଟିଏ ବା ଦୁଇଟି କୁକୁର ସମ୍ମୁଖ ପଟୁ ଶିକାରକୁ ଆକ୍ରମଣ କରି ତାହାର ଧ୍ୟାନ ଆକର୍ଷଣ କରି ରଖନ୍ତି ଓ ଆଉ ଦୁଇଟି ଜୀବ ପଛପଟୁ ଆକ୍ରମଣ କରନ୍ତି । ଶିକାର ବୁଲି ପଡ଼ିଲେ ଜୀବମାନଙ୍କ ଦାୟିତ୍ୱ ଅଦଳବଦଳ ହୋଇଯାଏ । ତେଣୁ ଖୋଲା ଯାଗାରେ ଶିକାର କରିବାର ସୁବିଧା ଯୋଗୁଁ ଭାଲୁଙ୍କୁ ଆକ୍ରମଣ ବା ଶିକାର କରିବା ବେଳେ ଭାଲୁକୁ କୌଣସି ଗୁମ୍ଫା ମଧ୍ୟକୁ ପଶିଯିବାରୁ ଅଟକାଇବାକୁ ଚେଷ୍ଟା କରନ୍ତି । 

ଗଧିଆମାନଙ୍କ ପ୍ରତି ଶତ୍ରୁତା ରହିଥିଲେ ହେଁ ସମୟ ସମୟରେ ସେମାନଙ୍କ ସହିତ ମିଶି ବଳିଆ କୁକୁରଙ୍କୁ ଶିକାର ଓ ଭୋଜନ କରିବାର ଦେଖାଯାଇଛି । ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗୋଟିଏ ଏକାକୀ ଗଧିଆ ଓ ଦଳଠାରୁ ବିଛ୍ଛିନ୍ନ ଏକ ଯୋଡ଼ା ବଳିଆ କୁକୁର ମିଶି ଚଳପ୍ରଚଳ ହେବା ବିଷୟ ଲିଖିତ ରହିଛି । ବଳିଆ କୁକୁରମାନେ ସୁବର୍ଣ୍ଣ ଶିଆଳମାନଙ୍କ ସହିତ ମିଶିବା ଖୁବ୍ କମ୍ ଦେଖାଯାଇଛି । ଦେଶୀ କୁକୁର ଓ ବଳିଆ କୁକୁର ପରସ୍ପର ବିପକ୍ଷରେ ରହିଲେ ମଧ୍ୟ ସେମାନେ ମିଶି ଶିକାର ଖାଇବାର ଉଦାହରଣ ମଧ୍ୟ ରହିଛି । 

କଲରାପତରିଆ ବାଘ ଏକ ବଳିଆ କୁକୁରକୁ ମାରି ଗଛ ଉପରେ ଝୁଲାଇ ଦେଇଥିବାର ଚିତ୍ର

ରୋଗବ୍ୟାଧି[ସମ୍ପାଦନା]

ବଳିଆ କୁକୁରମାନେ ଅନେକ ପ୍ରକାରର ରୋଗରେ ସଂକ୍ରମିତ ହୁଅନ୍ତି । ଯଦି ସେମାନେ ବସବାସ କରୁଥିବା ଜଙ୍ଗଲରେ ଅନ୍ୟ କ୍ୟାନିଡ୍ ଜାତୀୟ ପ୍ରାଣୀ ଦେଖା ଦିଅନ୍ତି ତେବେ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବଢ଼ିଯାଏ । ରେବିଜ୍, କ୍ୟାନାଇନ୍ ଡିଷ୍ଟେମ୍ପର୍, ମ୍ୟାଂଗେ, ଟ୍ରାଇପ୍ୟାନୋସୋମିଆସିସ୍, କ୍ୟାନାଇନ୍ ପାର୍ଭୋଭାଇରସ୍, କୃମି ଇତ୍ୟାଦିଙ୍କଦ୍ୱାରା ବଳିଆ କୁକୁର ରୋଗମୁହଁରେ ପଡ଼ିଥାନ୍ତି । 

ଅନ୍ୟ ବିପଦ[ସମ୍ପାଦନା]

ବଳିଆ କୁକୁରମାନେ ସାଧାରଣତଃ ଗୃହପାଳିତ ଗାଈଗୋରୁଙ୍କ ଉପରେ ଆକ୍ରମଣ କରନ୍ତି ନାହିଁ । ମୋନ୍ ଖମେର୍ ଭାଷାଭାଷୀ ଓ ଭାରତର କୁରୁମ୍ବା ଜାତିର ଲୋକେ ବଳିଆ କୁକୁରଙ୍କୁ ମାରିବା ଉପଯୁକ୍ତ ବୋଲି ବିଚାର କରନ୍ତି ।  ୧୯୭୨ ମସିହାର ବନ୍ୟଜୀବ ସୁରକ୍ଷା ନିୟମ ଲାଗୁ ନହେବା ପର୍ଯ୍ୟନ୍ତ ଅନେକ ସଂଖ୍ୟାରେ ବଳିଆ କୁକୁରଙ୍କ ଶିକାର କରାଯାଉଥିଲା । ବିଷ ଦେଇ, ଫାଶ/ଯନ୍ତା ପକାଇ, ଗୁଳି କରି ଓ ଗାତରେ ଏକ ପରିବାର ରହିଥିବା ବେଳେ ତେଣ୍ଟାରେ ଗାତକୁ ବାରମ୍ବାର ଭୁଷି ଅତି ନିର୍ମମ ଭାବେ ଏମାନଙ୍କୁ ହତ୍ୟା କରାଯାଉଥିଲା । ବ୍ରିଟିଶ୍ ଶାସନାଧୀନ ଭାରତରେ ଗୋରୁଗାଈଙ୍କ ସୁରକ୍ଷା ପାଇଁ ଗାଁଲୋକେ ଓ ଶିକାରର ମଜାପାଇଁ ବ୍ରିଟିଶ୍ ଶିକାରୀମାନେ ବହୁ ସଂଖ୍ୟାରେ ବଳିଆ କୁକୁରଙ୍କ ହତ୍ୟା କରିଥିଲେ । ଅତୀତରେ ମୃତ ବଳିଆ କୁକୁରକୁ ଘରସଜା ଭାବେ ବ୍ୟବହାର କରାଯାଉଥିଲା । ସେତେବେଳେ ମୃତ ବଳିଆ କୁକୁରପିଛା ୨୫ ଟଙ୍କା ମିଳୁଥିଲା । ୧୯୨୬ ସୁଦ୍ଧା ଏତେ ବଳିଆ କୁକୁରଙ୍କୁ ହତ୍ୟା କରାଗଲା ଯେ ସେମାନଙ୍କ ଚାହିଦା କମିଲା ଓ ଏହାର ଦାମ୍ ୨୦ ଟଙ୍କା ନିର୍ଦ୍ଧାରିତ ହେଲା । ଇଣ୍ଡୋ-ଚାଇନାଞ୍ଚଳରେ ମାଂସ ପାଇଁ ପଶୁ ଶିକାର କରାଯିବା ସମୟରେ ଠିକ୍ ପଦ୍ଧତି ଅନୁସରଣ ନ କରି ଫାଶ ପକାଇ ଦିଆଯାଏ । ଏଥିରେ ପଡ଼ି ଅନେକ ବଳିଆ କୁକୁର ପ୍ରାଣ ହରାନ୍ତି । 

ଭାରତରେ କେହି ବଳିଆ କୁକୁରର ମାଂସ ଖାଆନ୍ତି ନାହିଁ ଓ ଏମାନଙ୍କ ଛାଲର ବଜାରରେ ଅଧିକ ଚାହିଦା ନାହିଁ । ତେଣୁ ଛାଲ ବ୍ୟବସାୟ ଏମାନଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରେନାହିଁ । ଋଷରେ ବିରଳତା ଯୋଗୁଁ ଏମାନଙ୍କୁ ଛାଲ ପାଇଁ ପାଳନ ମଧ୍ୟ କରାଯାଏନାହିଁ । କିନ୍ତୁ ଚୀନର ଲୋକମାନେ ଏମାନଙ୍କ ଶୀତଦିନିଆ ଲୋମ/ଛାଲ ଭଲ ପାଉଥିଲେ ବୋଲି ୧୮୬୦ର ଶେଷଆଡ଼କୁ ଅଳ୍ପକିଛି ରୁବେଲ୍ ବିନିମୟରେ ଗୃହପାଳିତ ପଶୁ ପରି ବଳିଆ କୁକୁରଙ୍କ ବ୍ୟବସାୟ ହେଉଥିଲା । ୨୦ଶ ଶତାବ୍ଦୀର ପ୍ରଥମ ଭାଗରେ ମାଞ୍ଚୁରିଆ ଅଞ୍ଚଳରେ ବଳିଆ କୁକୁର ୮ ରୁବେଲ୍ ମୂଲ୍ୟରେ କିଣାବିକା ହେଉଥିଲେ । ସେମିରେଚିଏ ଅଞ୍ଚଳରେ ବଳିଆ କୁକୁର ଛାଲରେ ତିଆରି ଗରମ ପୋଷାକ ଅତି ଉନ୍ନତ ମାନର ବୋଲି ବିବେଚିତ ହେଉଥିଲା ଓ ଏହାର ଦାମ୍ ମଧ୍ୟ ଖୁବ୍ ଅଧିକ ଥିଲା । 

ସଂରକ୍ଷଣ[ସମ୍ପାଦନା]

ଭାରତୀୟ ବନ୍ୟଜୀବ ସଂରକ୍ଷଣ ନିୟମ (୧୯୭୨)ର  ଦ୍ୱିତୀୟ ଅନୁସୂଚୀ ଅନୁସାରେ ବଳିଆ କୁକୁର ଏକ ସଂରକ୍ଷିତ ପ୍ରଜାତି । ବ୍ୟାଘ୍ର ପରିଯୋଜନା ସମୟରେ ଅନେକ ଅଭୟାରଣ୍ୟ ଚିହ୍ନଟ କରାଯିବାଦ୍ୱାରା ଏହା ବଳିଆ କୁକୁର ସଂରକ୍ଷଣରେ ମଧ୍ୟ ସହାୟକ ହେଲା । ୨୦୧୪ ମସିହାରେ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀ ଉଦ୍ୟାନରେ ଭାରତର ପ୍ରଥମ ବଳିଆ କୁକୁର ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ମିଳିଥିଲା । ୧୯୭୪ ମସିହାରୁ ଋଷ୍ ଦେଶରେ ବଳିଆ କୁକୁର ଏକ ସଂରକ୍ଷିତ ଜୀବ । କିନ୍ତୁ ଗୃହପାଳିତ ପଶୁଙ୍କ ଶିକାର କରୁଥିବା ଗଧିଆ ଭଳି ପ୍ରାଣୀଙ୍କୁ ମାରିବା ପାଇଁ ଋଷୀୟ ଲୋକେ ଯେଉଁ ବିଷ ବ୍ୟବହାର କରନ୍ତି ତାହା ବଳିଆ କୁକୁରଙ୍କର ମଧ୍ୟ ପ୍ରାଣ ନେଇଥାଏ । ଚୀନୀ ବନ୍ୟପ୍ରାଣୀ ସୁରକ୍ଷା ନିୟମ (୧୯୮୮)ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ପ୍ରାଣୀଙ୍କ ମଧ୍ୟରେ ବଳିଆ କୁକୁର ଅନ୍ୟତମ । କାମ୍ବୋଡ଼ିଆରେ ବଳିଆ କୁକୁରଙ୍କ ଶିକାର ନିଷିଦ୍ଧ ହୋଇଥିବା ବେଳେ ଭିଏତନାମର ସଂରକ୍ଷଣ ନିୟମ ଏହି ଜୀବର କୌଣସି ପ୍ରକାରର ମାନବୀୟ ବ୍ୟବହାର ନିଷିଦ୍ଧ କରିଅଛି । ୨୦୧୬ ମସିହାରେ ସୂଆମ୍ ବାୟୋଟେକ୍ ନାମକ ଏକ କୋରିୟ କମ୍ପାନୀ ଦେଶୀ କୁକୁରଙ୍କ ସହାୟତାରେ ବଳିଆ କୁକୁରଙ୍କ ପ୍ରଜନନ କରାଇ ଏମାନଙ୍କ ଯଥାସମ୍ଭବ ସଂରକ୍ଷଣ କରିବା ପାଇଁ ଚେଷ୍ଟା ଚଳାଇଥିଲା ।

ସଂସ୍କୃତି ଓ ସାହିତ୍ୟରେ ବଳିଆ କୁକୁର[ସମ୍ପାଦନା]

ଋଷୀୟ ମୁଦ୍ରା ରୁବେଲ୍
କାଜାକସ୍ଥାନୀୟ ମୁଦ୍ରା ଟେଙ୍ଗେ

ଖ୍ରୀଷ୍ଟପୂର୍ବ ୧୦୦ ସମୟରେ ନିର୍ମିତ ଭରହୁତ ସ୍ତୁପର ଏକ ପଥରରେ ବଳିଆ କୁକୁର ପରି ଦିଶୁଥିବା ତିନୋଟି ପ୍ରାଣୀଙ୍କ ଚିତ୍ର ରହିଛି । ଏଥିରେ ଜୀବ ତିନୋଟି ଏକ ଆତ୍ମା ବା ସ୍ତ୍ରୀ ବାନ୍ଧିହୋଇ ରହିଥିବା ଗଛତଳେ ଅପେକ୍ଷା କରୁଛନ୍ତି । ବଳିଆ କୁକୁରଙ୍କ ହିଂସ୍ର ପ୍ରବୃତ୍ତି ଓ ଭୟାବହତା ପାଇଁ ଭାରତରେ ଏହାର ଅନେକ ଉପାଧି ରହିଛି । ଯଥା : ଲାଲ୍ ଶୈତାନ, ଶୈତାନ କୁକୁର, ଜଙ୍ଗଲର ଶୈତାନ, କାଳୀଙ୍କ କୁକୁର, ଇତ୍ୟାଦି । ଅନ୍ୱେଷକ ଓ ପ୍ରାଣୀ ବିଜ୍ଞାନୀ ଲିଓପୋଲ୍ଡ୍ ଭୋନ୍ ଶ୍ରେଙ୍କ୍ ଆମୁର୍ ଅଞ୍ଚଳରେ ଗବେଷଣା କରିବା ସମୟରେ ସେଠାକାର ସ୍ଥାନୀୟ ଆଦିମ ଅଧିବାସୀ ଗିଲ୍ୟାକ‌ମାନେ ବଳିଆ କୁକୁର ପ୍ରତି ଭୟ କାରଣରୁ ତାଙ୍କୁ ଏହାର କୌଣସି ଅବଶେଷାଂଶ, ମଳ, ଲୋମ ସଂଗ୍ରହ କରିବା ଓ ଦେବାକୁ ମନା କରିଦେଇଥିଲେ । କିନ୍ତୁ ସେ ଏପରି ଅନ୍ଧବିଶ୍ୱାସ ଓ ଭୟ ପଡ଼ୋଶୀ ତୁଂଗୁସିକ୍ ଲୋକଙ୍କ ମଧ୍ୟରେ ଦେଖିବାକୁ ପାଇ ନଥିଲେ । ଲିଓପୋଲ୍ଡଙ୍କ ଅନୁମାନରେ ତୁଂଗୁସିକ୍ ଜନଜାତି ଯାଯାବର ଶିକାରୀ ଭାବେ ଜୀବନ ଅତିବାହିତ କରୁଥିବାରୁ ବଳିଆ କୁକୁରପ୍ରତି ସେମାନଙ୍କ ଦୃଷ୍ଟିକୋଣ ଭିନ୍ନ ।  ଅନେକ ଇଉରୋପୀୟ ଲେଖାରେ ବଳିଆ କୁକୁର ପରି ପ୍ରାଣୀଙ୍କ ଉଲ୍ଲେଖ ରହିଛି । ଓଷ୍ଟ୍ରୋଗୋଥ୍ କାହାଣୀସମୂହରେ ଏମାନଙ୍କୁ “ନର୍କର କୁକୁର” ବୋଲି କୁହାଯାଇଛି । ମଧ୍ୟଯୁଗୀୟ ଫରାସୀ ନାଟକମାନଙ୍କରେ ହେଲେକ୍ୱିନ୍ ସହିତ ଥିବା ଓ ବ୍ରୋସେଲିଅନ୍ ଜଙ୍ଗଲରେ ରହୁଥିବା “ପୈଶାଚିକ କୁକୁର” ମଧ୍ୟ ବଳିଆ କୁକୁର ଛଡ଼ା ଆଉ କିଛି ନ ହୋଇପାରେ । ଚାର୍ଲ୍ସ୍ ହାମିଲଟନ୍ ସ୍ମିଥ୍ କୁହନ୍ତି ଯେ, ମଣ୍ଟେଫାଲକନ୍ ଜଙ୍ଗଲରେ ସ୍କାଲିଜର୍ ରହୁଥିବା ସମୟରେ ସେ ଯେଉଁ ବିପଦ୍ଜନକ ବଣୁଆ କୁକୁର କଥା ଉଲ୍ଲେଖ କରିଛନ୍ତି ତାହା ବୋଧହୁଏ ବଳିଆ କୁକୁର । ସ୍କାଲିଜରଙ୍କ ବିବରଣୀ ଅନୁସାରେ ଏମାନଙ୍କ ଅଭ୍ୟାସ, ଧ୍ୱନି ଗଧିଆଙ୍କଠାରୁ ଭିନ୍ନ ଓ ଏମାନେ ଅଲଗା ପ୍ରକାରର ଦେଖାଯାନ୍ତି ମଧ୍ୟ ।  ମଣ୍ଟେଫାଲକନ୍ ପରିବାରର ପାରମ୍ପରିକ ପୋଷାକରେ ଦୁଇଟି ଲାଲ୍ କୁକୁରଙ୍କ ଚିହ୍ନ/ଚିତ୍ର ରହିଥିଲା । 

ରୁଡୟାର୍ଡ୍ କିପ୍ଲିଙ୍ଗ୍ ରଚିତ “ଦ ଜଂଗଲ୍ ବୁକ୍” କାହାଣୀରେ ମଧ୍ୟ ବଳିଆ କୁକୁର “ଲାଲ୍ କୁକୁର” ବୋଲି ଅଭିହିତ ହୋଇଛି ଓ ଏମାନଙ୍କୁ ଏକ ରକ୍ତପିପାଷୁ ଓ ଅତି ଆକ୍ରାମକ ଜୀବରୂପେ ଚିତ୍ରଣ କରାଯାଇଛି । ଏମାନେ ଡେକାନ୍ ମାଳଭୂମିରୁ ଓହ୍ଲାଇ ମୋଗଲି ଓ ଗଧିଆ ଦଳଙ୍କଦ୍ୱାରା ନିୟନ୍ତ୍ରିତ ସିଓନି ପାହାଡ଼କୁ ଧ୍ୱଂସଲୀଳା କରିବା ପାଇଁ ଆସୁଥିଲେ । ଏହି କାହାଣୀରେ ବଳିଆ କୁକୁର ଦଳରେ ପ୍ରାୟ ୧୦୦ ପର୍ଯ୍ୟନ୍ତ କୁକୁର ରହିପାରନ୍ତି ବୋଲି ଲିଖିତ । ଶେର୍ ଖାନ୍ ଓ ହାତୀ ପରି ବଳଶାଳୀ ପ୍ରାଣୀ ମଧ୍ୟ ଏମାନଙ୍କୁ ବାଟ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି ବର୍ଣ୍ଣିତ । ଏହି କାହାଣୀରେ ଲାଲ୍ କୁକୁରଙ୍କ ବିଧ୍ୱଂସକାରୀ ପ୍ରକୃତି ପାଇଁ, ଗୁମ୍ଫାଦି ସ୍ଥାନରେ ଘର କରି ନ ରହିବା ପାଇଁ ଓ ସେମାନଙ୍କ ପଞ୍ଝାର ନଖମାନଙ୍କ ମଧ୍ୟରେ ଲୋମ ରହିଥିବାରୁ ଗଧିଆମାନେ ସେମାନଙ୍କୁ ଘୃଣା କରୁଥିଲେ । ପରେ ମୋଗଲି ଓ କା’ର ସହାୟତାରେ ଗଧିଆ ଦଳ ବଳିଆ କୁକୁରଙ୍କ ସହିତ ଲଢ଼େଇ କରି ଓ ବଣୁଆ ମହୁମାଛିଙ୍କଦ୍ୱାରା ସେମାନଙ୍କ ଦଳକୁ ଏକ ତୀବ୍ର ନଦୀସ୍ରୋତ ଥିବା  ଗଣ୍ଡକୁ ଠେଲି ଦେବାରେ ସଫଳ ହୋଇଥିଲେ । 

୧୯୦୧ରେ ଜାପାନୀ ଲେଖକ ଉଚିଡ଼ା ରୋଆନ୍ ନିଜ ରଚନା 犬物語 (ଉଚ୍ଚାରଣ: ଇନୁ ମୋନୋଗାତାରି, ଅର୍ଥ: ଏକ କୁକୁରର କାହାଣୀ)ରେ ସ୍ୱଦେଶୀ କୁକୁରଙ୍କ ଲୋକପ୍ରିୟତା ହ୍ରାସ ପାଇବାର ସମାଲୋଚନା କଲାବେଳେ କହିଥିଲେ ଯେ ଏମାନେ ବଳିଆ କୁକୁରଙ୍କ ବଂଶଧର ।  ମାନବୋତ୍ତର ଗୁଣ ସମ୍ପନ୍ନ ବଳିଆ କୁକୁରର ଏକ କାଳ୍ପନିକ ରୂପ ଏକ୍ସ୍-ଫାଇଲ୍ସ୍ ଧାରାବାହିକର ଆଲଫା ନାମକ ୬ଷ୍ଠ ଅଧ୍ୟାୟରେ ଦୃଶ୍ୟମାନ ହୋଇଥିଲା । 

ବଳିଆ କୁକୁର ଭିଡ଼ିଓ ଗେମ୍ “ଫାର୍ କ୍ରାଇ-୪”ରେ ମହାବଳବାଘ, ଗାଡ଼ଭାଲୁ, ବରଫଦେଶର କଲରାପତରିଆ ବାଘ, ମେଘୁଆ କଲରାପତରିଆ ବାଘ, ତିବ୍ୱତୀୟ ଗଧିଆ, ଏସୀୟ କଳାଭାଲୁ ଇତ୍ୟାଦିଙ୍କ ସହିତ ଅନ୍ୟତମ ଶତ୍ରୁ ରୂପେ ଉଭା ହୋଇଛି । ଏମାନେ ଖେଳାଳିଙ୍କ ଶିକାର କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଏକ ଦୁର୍ବଳ ଶତ୍ରୁ ଭାବେ ଏମାନେ ଏହି ଭିଡ଼ିଓ ଗେମରେ ପ୍ରଦର୍ଶିତ ହୋଇଛନ୍ତି । ଫାର୍ କ୍ରାଇ ପ୍ରାଇମାଲ୍ ଖେଳରେ ମଧ୍ୟ ବଳିଆ କୁକୁର ଚରିତ୍ର ରହିଛି କିନ୍ତୁ ଏହି ଖେଳର ମୁଖ୍ୟ ନାୟକ “ଟାକ୍କାର୍”ଦ୍ୱାରା ଏମାନଙ୍କୁ ପୋଷା ମନାଇ ଯୁଦ୍ଧରେ ବ୍ୟବହାର କରିହେବା ପ୍ରଦର୍ଶିତ । 

ପାଳନୀୟତା[ସମ୍ପାଦନା]

ବ୍ରାଏନ୍ ହଟନ୍ ହୋଜସନ୍ କେତେକ ବଳିଆ କୁକୁରଙ୍କୁ ବନ୍ଦୀ କରି ଯନ୍ତାରେ ରଖିଥିଲେ । ତାଙ୍କ ଅନୁଭବ ଅନୁସାରେ ଏମାନଙ୍କ ମଧ୍ୟରୁ ଜଣକୁ ଛାଡ଼ିଦେଲେ ବାକି ସମସ୍ତେ ୧୦ ମାସପରେ ମଧ୍ୟ ନିଜ ଲାଜକୁଳା ସ୍ୱଭାବ (ମଣିଷମାନଙ୍କ ଶଂସ୍ପର୍ଷରେ ଆସିବାପାଇଁ କୌଣସି ବ୍ୟଗ୍ରତା ନ ଦେଖାଇବା) ଓ ଚତୁରତା ପରିତ୍ୟାଗ କରିନଥିଲେ ।  ରିଚାର୍ଡ୍ ଲାଇଡେକ୍କରଙ୍କ ମତରେ ପ୍ରାପ୍ତ ବୟସ୍କ ବଳିଆ କୁକୁରଙ୍କୁ ଗୃହପାଳିତ ପଶୁ ପରି ରଖିବା ପ୍ରାୟ ଅସମ୍ଭବ । ଛୁଆ ବଳିଆ କୁକୁରମାନେ ଗୃହପାଳିତ ହୋଇପାରିବେ ଓ ଯୁବାବସ୍ଥା ପ୍ରାପ୍ତି ପର୍ଯ୍ୟନ୍ତ ପୋଷା କୁକୁର ସହିତ ଖେଳକୁଦ ମଧ୍ୟ କରନ୍ତି । ପ୍ରାଚୀନ ସୁମେରୀୟ ରାଜା ଇବ୍ୱି-ସିନ୍ ଗୋଟିଏ ବଳିଆ କୁକୁର ଉପହାରରୂପେ ପାଇଥିଲେ । 

ଆଧାର[ସମ୍ପାଦନା]

  1. Kamler, J.F., Songsasen, N., Jenks, K., Srivathsa, A., Sheng, L. & Kunkel, K. (2015). "Cuon alpinus". IUCN Red List of Threatened Species. Version 2016.2. International Union for Conservation of Nature. {{cite web}}: Invalid |ref=harv (help)CS1 maint: multiple names: authors list (link)
  2. Fox 1984
  3. Cohen J. A. (1978). "Cuon alpinus" (PDF). Mammalian Species. 100: 1–3. Archived from the original (PDF) on 2015-09-24. Retrieved 2017-09-24.
  4. Lindblad-Toh, K.; Wade, C. M.; Mikkelsen, T. S.; Karlsson, E. K.; Jaffe, D. B.; Kamal, M.; Clamp, M.; Chang, J. L.; Kulbokas, E. J.; Zody, M. C.; Mauceli, E.; Xie, X.; Breen, M.; Wayne, R. K.; Ostrander, E. A.; Ponting, C. P.; Galibert, F.; Smith, D. R.; Dejong, P. J.; Kirkness, E.; Alvarez, P.; Biagi, T.; Brockman, W.; Butler, J.; Chin, C. W.; Cook, A.; Cuff, J.; Daly, M. J.; Decaprio, D.; et al. (2005). "Genome sequence, comparative analysis and haplotype structure of the domestic dog". Nature. 438 (7069): 803–819. Bibcode:2005Natur.438..803L. doi:10.1038/nature04338. PMID 16341006.
  5. Durbin, L.S., Venkataraman, A., Hedges, S. & Duckworth, W. (2004). Dhole Cuon alpinus (Pallas 1811) Archived 2015-09-23 at the Wayback Machine., in Sillero-Zubiri, C., Hoffmann, M. & Macdonald, D.W. (eds.) Canids: Foxes, Wolverhampton Wanderers F.C., Jackals and Dogs: Status Survey and Conservation Action Plan. IUCN/SSC Canid Specialist Group. Gland, Switzerland and Cambridge, UK. x + pp. 210–219
  6. Williamson, T. (1808). Oriental field sports: being a complete, detailed, and accurate description of the wild sports of the East. Volume II. London: Orme.
  7. Smith, C. H. (1827). The class Mammalia. London: Geo. B. Whittaker.
  8. Smith, C. H.; Jardine, W. (1839). The natural history of dogs : canidae or genus canis of authors ; including also the genera hyaena and proteles, Vol. I. Edinburgh: W.H. Lizars.
  9. Lydekker, R. (1907). The game animals of India, Burma, Malaya, and Tibet. London: R. Ward Limited.
  10. dhole Archived 2016-12-24 at the Wayback Machine.. Merriam-Webster Dictionary.
  11. Andrew T. Smith, Yan Xie, Robert S. Hoffmann, Darrin Lunde, John MacKinnon, Don E. Wilson, W. Chris Wozencraft (2010). A Guide to the Mammals of China. Princeton University Press. pp. 418–19. ISBN 1400834112
  12. Contemporary Chinese Dictionary. Foreign Language Teaching And Research Press. 2002.
  13. Abdul Rahman bin Yusop (1964). Collins Malay-English Dictionary. Great Britain: Collins Sons & Co.
  14. Pallas, P. S. (1811), Zoographia Rosso-Asiatica : sistens omnium animalium in extenso Imperio Rossico, et adjacentibus maribus observatorum recensionem, domicilia, mores et descriptiones, anatomen atque icones plurimorum, Petropoli : In officina Caes. Acadamiae Scientiarum Impress. MDCCCXI, pp. 34–5
  15. Heptner, V.G.; and Naumov, N.P., editors. Mammals of the Soviet Union. Volume II Part 1A: Sirenia and Carnivora (Sea Cowes, Wolves, and Bears). New Delhi: Amerind Publishing; 1998. p575 Accessed at: http://www.biodiversitylibrary.org/bibliography/46297#/summary Archived 2017-09-04 at the Wayback Machine.
  16. Mivart, G. (1890), Dogs, Jackals, Wolves and Foxes: A Monograph of the Canidæ, London : R.H. Porter : Dulau, pp. 177–88