ଗୋମୁହାଁ କୁମ୍ଭୀର

ଉଇକିପିଡ଼ିଆ ରୁ
Jump to navigation Jump to search
ଗୋମୁହାଁ କୁମ୍ଭୀର (ମଗର)
Mugger crocodile (Crocodylus palustris).jpg
ଭାରତର ଉତ୍ତର ପ୍ରଦେଶରେ ପ୍ରବାହିତ ଚମ୍ଵଲ ନଦୀର ଏକ ଗୋମୁହାଁ କୁମ୍ଭୀର
Conservation status
VU (IUCN ୩.୧)[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Reptilia
ଗଣ: Crocodilia
କୁଳ: Crocodylidae
ଉପକୁଳ: Crocodylinae
ପ୍ରଜାତି: Crocodylus
ଜାତି: C. palustris
ବାଇନୋମିଆଲ ନାମ
Crocodylus palustris
Lesson, 1831[୧]
Crocodylus palustris Distribution.png
Crocodylus palustris ପ୍ରଜାତିର ବ୍ୟାପ୍ତି କ୍ଷେତ୍ର

ଗୋମୁହାଁ କୁମ୍ଭୀରର (ଈଂରାଜୀରେ Mugger Crocodile, ଜୀବବିଜ୍ଞାନ ନାମ Crocodylus Palustris) ଅନ୍ୟ କେତେକ ନାମ ହେଲା ଭାରତୀୟ କୁମ୍ଭୀର, ସିନ୍ଧୁ କୁମ୍ଭୀର, ପର୍ସୀୟ କୁମ୍ଭୀର ବା ମଗର[୨] ଏହି କୁମ୍ଭୀରର ଜୀବବିଜ୍ଞାନ ନାମର ଅର୍ଥ ହେଲା ସନ୍ତସନ୍ତିଆ ସ୍ଥାନରେ ବାସ କରୁଥିବା କୁମ୍ଭୀର । ସମଗ୍ର ଭାରତୀୟ ଉପମହାଦ୍ଵୀପରେ ଏହି କୁମ୍ଭୀର ଦୃଶ୍ୟମାନ ହୁଅନ୍ତି । ଭାରତରେ ଦେଖାଯାଉଥିବା କୁମ୍ଭୀର ପ୍ରଜାତି ମଧ୍ୟରୁ ଗୋମୁହାଁ କୁମ୍ଭୀର ଅନ୍ୟତମ । ଅନ୍ୟ ଦୁଇ ପ୍ରଜାତିର କୁମ୍ଭୀର ହେଲେ ବଉଳା କୁମ୍ଭୀରଥଣ୍ଟିଆ କୁମ୍ଭୀର[୩] ଆକାରରେ ଗୋମୁହାଁ କୁମ୍ଭୀର ମଧ୍ୟମ ଆକାରର । ଏମାନେ ନଦୀ, ପୋଖରୀ, ହ୍ରଦ, ନଦୀକୂଳର ସନ୍ତସନ୍ତିଆ ସ୍ଥାନରେ ରହିବା ପସନ୍ଦ କରନ୍ତି ।[୪] ଅଣ୍ଡିରା ଗୋମୁହାଁ କୁମ୍ଭୀରର ଲମ୍ଵ ପ୍ରାୟ ୪-୫ ମିଟର୍ (୧୩-୧୬ ଫୁଟ୍) ହୋଇଥାଏ । ଅନ୍ୟ ସବୁ ପ୍ରଜାତିର କୁମ୍ଭୀରମାନଙ୍କ ପରି ମାଈ ଗୋମୁହାଁ କୁମ୍ଭୀରମାନଙ୍କ ଶରୀରର ଦୈର୍ଘ୍ୟ ଅଣ୍ଡରାମାନଙ୍କଠାରୁ କମ୍ ।[୫] ଗୋମୁହାଁ କୁମ୍ଭୀରର ମୁଖାଗ୍ର ଅନ୍ୟ ପ୍ରଜାତିର କୁମ୍ଭୀରମାନଙ୍କଠାରୁ ଯଥେଷ୍ଟ ବଡ଼ (ପ୍ରାୟ ଗାଈ ପରି) ହୋଇଥିବାରୁ ଏହାର ଏପରି ନାମ ଦିଆଯାଇଛି । ବଡ଼ ମୁଖାଗ୍ର ପାଇଁ ଏହା ଆଲିଗେଟର୍ ଭଳି ମଧ୍ୟ ଦେଖାଯାଏ । ଏହାର ଚମଡ଼ା ବର୍ଦ୍ଧିତ ଓ ମୋଟା । ପରିପକ୍ଵ ବୟସରେ ଉପନୀତ ଗୋମୁହାଁ କୁମ୍ଭୀରମାନଙ୍କ ରଙ୍ଗ ଗାଢ଼ ପାଉଁଶିଆ ବା ମାଟିଆ ହୋଇଥିବା ବେଳେ ଶାବକମାନଙ୍କ ରଙ୍ଗ ହାଲୁକା କଳା ରଙ୍ଗର ହୋଇଥାଏ ।

ଗୋମୁହାଁ କୁମ୍ଭୀର ଏକ ଚତୁର ଓ କୁଶଳୀ ଶିକାରୀ ଜୀବ । ବିଭିନ୍ନ ପ୍ରାଣୀ ଏହାର ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ । ଗୋମୁହାଁ କୁମ୍ଭୀର ଛପି ରହି ଶିକାରକୁ ନିଜ ପାଖକୁ ଆସିବାର ସୁଯୋଗ ଦିଏ ଓ ତା’ପରେ ତାହା ଉପରେ ଅତର୍କିତ ଆକ୍ରମଣ କରିଥାଏ । ଗୋଳିଆ ପାଣିରେ ଏମାନଙ୍କ ଦେହର ରଙ୍ଗ ମିଶିଯାଏ, ତେଣୁ ଛପି ରହିଥିବା କୁମ୍ଭୀରକୁ ଚିହ୍ନଟ କରିବା ଅତି କଷ୍ଟକର । ଛପି ରହି ଗୋମୁହାଁ କୁମ୍ଭୀର ଶିକାର ଜନ୍ତୁକୁ ଜାବୁଡ଼ି ଧରିବାର ସୁଯୋଗ ଉଣ୍ଡୁଥାଏ । ମାଛ, ଅନ୍ୟ ସରୀସୃପ, ପକ୍ଷୀ ଓ କିଛି ସ୍ତନ୍ୟପାୟୀ ଇତ୍ୟାଦି ଜୀବଙ୍କୁ ଏମାନେ ଆହାରଣ କରିଥାନ୍ତି । ଶୀତଋତୁ ଗୋମୁହାଁ କୁମ୍ଭୀରଙ୍କର ପ୍ରଜନନ ସମୟ । ମାଈ କୁମ୍ଭୀରମାନେ ନିଜ ବସାରେ ବା ସ୍ଥଳଭାଗରେ ଖୋଳିଥିବା ନିଜ ଗାତରେ ଅଣ୍ଡା ଦିଅନ୍ତି । ଶାବକର ଲିଙ୍ଗ ଅଣ୍ଡା ଉଷୁମାଇବା ବେଳର ତାପମାତ୍ରା ଉପରେ ନିର୍ଭର କରେ । ଗୋମୁହାଁ କୁମ୍ଭୀରର ଆକାର ମନୁଷ୍ୟଙ୍କଠାରୁ ଯଥେଷ୍ଟ ବଡ଼ ହୋଇଥିବାରୁ ବେଳେବେଳେ ମନୁଷ୍ୟଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତି । କିନ୍ତୁ ଗୋମୁହାଁ କୁମ୍ଭୀର ଏକା ଜଳବାୟୁରେ ବାସ କରୁଥିବା ବଉଳା କୁମ୍ଭୀର ପରି ଆକ୍ରାମକ ନୁହେଁ । ବଉଳା କୁମ୍ଭୀର ବସବାସ କରୁଥିବା ଇଲାକାରୁ ଗୋମୁହାଁ କୁମ୍ଭୀରମାନେ ଦୂରେଇ ରହିବାକୁ ଚେଷ୍ଟା କରନ୍ତି ।[୬] ଗୋମୁହାଁ କୁମ୍ଭୀରମାନଙ୍କଠାରେ ସାମାଜିକ ପ୍ରବୃତ୍ତି ପରିଲକ୍ଷିତ ହୁଏ । ଖରା ପୋଇଁବା, ଖାଇବା ଇତ୍ୟାଦି ସମୟରେ ଗୋମୁହାଁ କୁମ୍ଭୀରମାନେ ପରସ୍ପର ସହିତ ଝଗଡ଼ା କରିବା ଖୁବ୍ କମ୍ ସମୟରେ ଦେଖାଯାଏ ।

ନାମକରଣ ଓ ବର୍ଗୀକରଣ[ସମ୍ପାଦନା]

ମକର ଉପରେ ବରୁଣ ଦେବ ବିରାଜମାନ

ହିନ୍ଦୁ ପୌରାଣିକ ଜୀବ "ମକର"ର (ସଂସ୍କୃତ ଶବ୍ଦ) ଅପଭ୍ରଂଶ ହୋଇ ହିନ୍ଦୀରେ "ମଗର" ଶବ୍ଦର ସୃଷ୍ଟି ହୋଇଛି ।[୭] ପୌରାଣିକ କଥା ଅନୁସାରେ ଜଳରେ କୁମ୍ଭୀର ପରି ଦିଶୁଥିବା ଏକ ଦାନବ ବାସ କରେ ଯାହାକୁ ମକର କୁହାଯାଏ ।[୮] ଏହି କୁମ୍ଭୀରର ମୁଖାଗ୍ର ଗାଈ ପରି ବଡ଼ ହୋଇଥିବାରୁ ଏହାକୁ ଓଡ଼ିଶାର ଅନେକ ଅଞ୍ଚଳରେ "ଗୋମୁହାଁ କୁମ୍ଭୀର" ବୋଲି କୁହାଯାଏ ।

ଗଠନ ଓ ପ୍ରକୃତି[ସମ୍ପାଦନା]

ମଗର କୁମ୍ଭୀରର ଖପୁରୀ
ଏକ ପରିପକ୍ଵ ବୟସର ଅଣ୍ଡିରା ଗୋମୁହାଁ କୁମ୍ଭୀର

ଗୋମୁହାଁ କୁମ୍ଭୀରର ଉପର ମାଢ଼ିର ଉଭୟ ପାର୍ଶ୍ଵରେ ୧୯ଟି ଦାନ୍ତ ରହିଥାଏ । ଏହାର ମୁଖାଗ୍ର ଗୋଜିଆ ଓ ମୁଖାଗ୍ରର ଲମ୍ଵ ଏହାର ପ୍ରସ୍ଥର ୧.୩୩ରୁ ୧.୫ ଗୁଣ । ମୁଣ୍ଡର ଚମଡ଼ା ଆବୁଡ଼ାଖାବଡ଼ା । ପାଟିର ଭିତର ପଟଟି ସାମାନ୍ୟ ବକ୍ର ଭାବେ ଚତୁର୍ଥ ବା ପଞ୍ଚମ ଦାନ୍ତ ପର୍ଯ୍ୟନ୍ତ ଲମ୍ଵିଛି । ଦେହର କାତି ବା ଚମଡ଼ାରେ କୀଳା ପରି ଗୋଜିଆ ଅଂଶ ବାହାରିଥାଏ । ଏମାନଙ୍କ ଗୋଡ଼ର ଆଙ୍ଗୁଠି ଏକ ପତଳା ଚମଡ଼ାଦ୍ଵାରା ସଂଯୋଜିତ ହୋଇ ରହିଥାନ୍ତି ।

ଆକାର[ସମ୍ପାଦନା]

ଗୋମୁହାଁ କୁମ୍ଭୀର ମଧ୍ୟମ ଆକାରର ଓ ଏମାନଙ୍କ ଦେହ ୪-୫ ମିଟର୍ ପର୍ଯ୍ୟନ୍ତ ବଢ଼େ ।[୯] ଅଣ୍ଡିରାମାନଙ୍କ ହାରାହାରି ଦୈର୍ଘ୍ୟ ୩.୨ ମିଟର୍ ହୋଇଥିବା ବେଳେ ମାଈମାନଙ୍କ ହାରାହାରି ଦୈର୍ଘ୍ୟ ୨.୪୫ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଅଣ୍ଡିରା କୁମ୍ଭୀରମାନଙ୍କ ଆକାର ମାଈମାନଙ୍କଠାରୁ ବଡ଼ । ଅଣ୍ଡିରା କୁମ୍ଭୀର ୧.୭-୨ ମିଟର୍ ଲମ୍ଵା ଓ ମାଈମାନେ ୨.୬ ମିଟର୍ ଲମ୍ଵା ହେବାପରେ ଯୌନ ପରିପକ୍ଵତା ଲାଭ କରନ୍ତି ।[୯] ବ୍ରିଟିଶ୍ ସଂଗ୍ପହାଳୟରେ ଥିବା ସର୍ବବୃହତ୍ ଗୋମୁହାଁ କୁମ୍ଭୀରର ଦୈର୍ଘ୍ୟ ୩.୭ ମି. (୧୨ ଫୁଟ୍)।[୧୦]

ଅଧିବାସ ଓ ଭୌଗୋଳିକ ବିତରଣ[ସମ୍ପାଦନା]

ମଗର
ମାନ୍ଦ୍ରାଜ୍ କୁମ୍ଭୀର କେନ୍ଦ୍ରରେ ପାଳିତ ଗୋମୁହାଁ କୁମ୍ଭୀର

ଗୋମୁହାଁ କୁମ୍ଭୀର ଏକ ମଧୁର ପାଣି କୁମ୍ଭୀର । ନଦୀ, ହ୍ରଦ, ବଡ଼ ପୋଖରୀ, ସନ୍ତସନ୍ତିଆ ଅଞ୍ଚଳରେ ଏମାନେ ବସବାସ କରନ୍ତି । ପ୍ରଖର ସୁଅ ଓ ଗଭୀର ପାଣି ଅପେକ୍ଷା ଗୋମୁହାଁ କୁମ୍ଭୀର ଧୀର ସୁଅ ଓ ଅଳ୍ପ ଗଭୀର ପାଣିରେ ରହିବା ପସନ୍ଦ କରେ । ବେଳେବେଳେ ଜଳସେଚନ ପାଇଁ ଉଦ୍ଦିଷ୍ଟ ବନ୍ଧ ଓ କେନାଲ୍‍ରେ ମଧ୍ୟ ଗୋମୁହାଁ କୁମ୍ଭୀରମାନଙ୍କୁ ଦେଖାଯାଇଛି । ଯଦିଓ ଗୋମୁହାଁ କୁମ୍ଭୀର ମଧୁର ପାଣିରେ ରହିବା ପସନ୍ଦ କରେ, ତେବେ ଆବଶ୍ୟକ ପଡ଼ିଲେ ଲୁଣା ହ୍ରଦରେ ମଧ୍ୟ ରହିପାରେ । ଭାରତ, ନେପାଳ ଓ ଅନ୍ୟ କେତେକ ଅଞ୍ଚଳରେ ଗୋମୁହାଁ କୁମ୍ଭୀରର ଅଧିବାସରେ ଥଣ୍ଟିଆ କୁମ୍ଭୀର ଓ ବଉଳା କୁମ୍ଭୀର ରହିବା ମଧ୍ୟ ଦେଖାଯାଇଛି । କିନ୍ତୁ ଏମାନେ ନିଜ ନିଜ ଇଲାକାରେ ସୀମିତ ହୋଇ ରୁହନ୍ତି ।

ଗୋମୁହାଁ କୁମ୍ଭୀରମାନେ ସ୍ଥଳଭାଗରେ ବିଚରଣ କରିବା ପସନ୍ଦ କରନ୍ତି ଯାହାକି କ୍ୟୁବାର କୁମ୍ଭୀରମାନଙ୍କଠାରେ ଦେଖାଯାଏ ନାହିଁ । ପରିସ୍ଥିତିକ ବିଜ୍ଞାନ ଦୃଷ୍ଟିରୁ ଏମାନେ ଆଫ୍ରିକାର ନୀଳନଦୀ କୁମ୍ଭୀରମାନଙ୍କ ନିକଟତର । ଗୋମୁହାଁ କୁମ୍ଭୀର ନୂଆ ଅଧିବାସର ସନ୍ଧାନରେ ସ୍ଥଳଭାଗରେ ଅନେକ ଦୂର ଅତିକ୍ରମ କରିବା ମଧ୍ୟ ଦେଖାଯାଇଛି । ବେଳେବେଳେ ଗୋମୁହାଁ କୁମ୍ଭୀର ନିଜ ଶିକାରକୁ ସ୍ଥଳଭାଗରେ ଅଳ୍ପ ଦୂର ପର୍ଯ୍ୟନ୍ତ ଗୋଡ଼ାଇଯାଏ । ଶୁଷ୍କ ଋତୁରେ ଏହି କୁମ୍ଭୀରମାନେ ଭୂମିରେ ବିଶ୍ରାମ ନେବା ପାଇଁ ଖାଲ ମଧ୍ୟ ଖୋଳିଥାନ୍ତି ।

ଭାରତ, ବଙ୍ଗଳାଦେଶ, ଶ୍ରୀଲଙ୍କା, ନେପାଳଇରାନର ଦକ୍ଷିଣ ସୀମାରେ ଗୋମୁହାଁ କୁମ୍ଭୀର ଦେଖାଯାଇଛନ୍ତି । ଇଣ୍ଡୋ-ଚୀନରେ ମଧ୍ୟ ଗୋମୁହାଁ କୁମ୍ଭୀର ଦେଖାଯାନ୍ତି । ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର କୁମ୍ଭୀର ମଧ୍ୟରେ ଗୋମୁହାଁ କୁମ୍ଭୀର ସର୍ବବ୍ୟାପ୍ତ ଓ ଏମାନଙ୍କ ସଂଖ୍ୟା ବଉଳା କୁମ୍ଭୀରଙ୍କଠାରୁ ଯଥେଷ୍ଟ ଅଧିକ । ପାକିସ୍ତାନଇରାନରେ କେବଳ ଗୋମୁହାଁ କୁମ୍ଭୀର ପ୍ରଜାତି ହିଁ ଦେଖାଯାଇଥାଏ ।

୧୯୮୦ ଦଶନ୍ଧିରେ ତାମିଲନାଡ଼ୁର ଅମରାବତୀ ଜଳଭଣ୍ଡାର ଓ ଏହାକୁ ନିଷ୍କାସିତ ହେଉଥିବା ଚିନାର୍, ତେନାର୍ ଓ ପମ୍ଵାର୍ ନଦୀମାନଙ୍କରେ ଗୋମୁହାଁ କୁମ୍ଭୀରଙ୍କ ସଂଖ୍ୟା ସର୍ବାଧିକ ଥିଲା । ସେହି ସମୟରେ ସର୍ବମୋଟ ୬୦ଟି ବୟସ୍କ ଓ ୩୭ଟି ଅଳ୍ପ-ବୟସ୍କ କୁମ୍ଭୀର ଏଠାରେ ରହୁଥିଲେ ।

୧୯୭୫ ମସିହାରେ ଅମରାବତୀ ସାଗର କୁମ୍ଭୀର ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହା ଭାରତର ସର୍ବବୃହତ୍ କୁମ୍ଭୀର ପ୍ରଜନନ କେନ୍ଦ୍ର । ଜଳଭଣ୍ଡାରର ତଟବର୍ତ୍ତୀ ଅଞ୍ଚଳରେ ଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ ପ୍ରଜନନ କେନ୍ଦ୍ରକୁ ନିଆଯାଏ ଓ ସେଠାରେ ଉଷୁମାଯାଏ । ଏକଦା ଏଠାକାର ପ୍ରଜନନ କେନ୍ଦ୍ରରେ ୪୩୦ଟି କୁମ୍ଭୀର ପାଳିତ ହେଉଥିଲେ । ସେଠାରୁ ଅନେକ କୁମ୍ଭୀର ପୁଣି ପ୍ରାକୃତିକ ଜଳାଶୟମାନଙ୍କୁ ଛଡ଼ାଯାଇ ସାରିଲାଣି । [୧୧] ପାକିସ୍ତାନର ସିନ୍ଧ୍, ବେଲୁଚିସ୍ତାନର ସମୁଦ୍ର ଓ ନଦୀ କୂଳରେ ୪୦୦ରୁ ୪୫୦ଟି ଗୋମୁହାଁ କୁମ୍ଭୀର ରହିଥିବାର ଅନୁମାନ କରାଯାଏ । ସରବାଜ୍ ନଦୀ, ବାହୁ କଲାତ୍ ନଦୀ, କାଜୁ ଓ ପିଶିନ୍ ନଦୀ ଉପତ୍ୟକାରେ ଏମାନଙ୍କର ସ୍ଥାନୀୟ ଉପ-ପ୍ରଜାତି ଦେଖିବାକୁ ମିଳନ୍ତି । ଗୋମୁହାଁ କୁମ୍ଭୀର ପାକିସ୍ତାନର ଜାତୀୟ ସରୀସୃପ ମଧ୍ୟ ।[୧୨]

ଇରାନର ମକ୍ରାନ୍ ଉପକୂଳର ଚାବାହାର୍‍ର ଉପର ପଟକୁ ପ୍ରାୟ ୨୦୦ଟି ଗୋମୁହାଁ କୁମ୍ଭୀର ରହିଥିବା ଜଣାପଡ଼ିଛି । ୧୯୯୦ ଦଶନ୍ଧିର ଶେଷ ଓ ୨୦୦୦ ଦଶନ୍ଧିର ପ୍ରଥମ ଭାଗରେ ଏଠାରେ ଦୀର୍ଘ ସମୟ ପାଇଁ ଦେଖାଦେଇଥିବା ମରୁଡ଼ି ଓ ମନୁଷ୍ୟମାନଙ୍କ ଯୋଗୁଁ ଗୋମୁହାଁ କୁମ୍ଭୀର ଏହି ଅଞ୍ଚଳରୁ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଇଥିଲେ । ୨୦୦୭ ମସିହାର ଗୋନୁ ଓ ୟାମ୍ୟିନ୍ ଝଡ଼ ଏବଂ ୨୦୧୦ ମସିହାର ଫେତ୍ ଘୂର୍ଣ୍ଣିଝଡ଼ ଯୋଗୁଁ ଅନେକ ଶୁଷ୍କ ପୁଷ୍କରିଣୀ ଓ ହ୍ରଦ ଜଳପୂର୍ଣ୍ଣ ହୋଇଯିବା ଫଳରେ ଗୋମୁହାଁ କୁମ୍ଭୀରଙ୍କ ଅଧିବାସର କିଛି ମାତ୍ରାରେ ପୁନରୁତ୍ଥାନ ହୋଇପାରିଛି । ଗୋମୁହାଁ କୁମ୍ଭୀରକୁ ସ୍ଥାନୀୟ ଇରାନୀୟ ଭାଷାରେ "ଗଣ୍ଡୋ" ବୋଲି କୁହାଯାଏ ।

ଜୈବିକ ବିଶେଷତ୍ତ୍ଵ ଓ ପ୍ରକୃତି[ସମ୍ପାଦନା]

ସ୍ଥଳଭାଗରେ ଶିକାରକୁ ଗୋଡ଼ାଇବା ସମୟରେ ଗୋମୁହାଁ କୁମ୍ଭୀର ଅଳ୍ପ ବାଟ ପର୍ଯ୍ୟନ୍ତ ୮ ମାଇଲ୍ ପ୍ରତି ଘଣ୍ଟା ବେଗରେ ଦୌଡ଼ିପାରେ । ଏହି କୁମ୍ଭୀରମାନେ ଦ୍ରୁତ ବେଗରେ ପହଁରି ପାରନ୍ତି ଓ ଅଳ୍ପ ସମୟ ପାଇଁ ଏମାନଙ୍କ ପହଁରା ବେଗ ୧୦-୧୨ ମାଇଲ୍ ପ୍ରତି ଘଣ୍ଟା ହୋଇଥାଏ । ସାଧାରଣତଃ ଏମାନେ ୧-୨ ମାଇଲ୍ ପ୍ରତି ଘଣ୍ଟା ବେଗରେ ପହଁରିବା ଦେଖାଯାଇଛି ।

ଖାଦ୍ୟ ଆହରଣ ଓ ଶିକାର କୌଶଳ[ସମ୍ପାଦନା]

ଇରାନରେ ଦେଖାଯାଉଥିବା ଗୋମୁହାଁ କୁମ୍ଭୀର (ଗଣ୍ଡୋ)

ଗୋମୁହାଁ କୁମ୍ଭୀର ମାଛ, ସାପ, କଇଁଛ, ପକ୍ଷୀ ଓ ଏପରିକି କେତେକ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ମଧ୍ୟ ଖାଦ୍ୟ ରୂପେ ଆହରଣ କରିଥାଏ । ସ୍ତନ୍ୟପାୟୀ ଶିକାରଙ୍କ ମଧ୍ୟରେ ମାଙ୍କଡ଼, ଗୁଣ୍ଡୁଚି ମୂଷା, ଚିତଲ୍ ହରିଣ ଓ ଓଧ ଇତ୍ୟାଦି ମୁଖ୍ୟ ଉଦାହରଣ । ପ୍ରକୃତରେ କହିବାକୁ ଗଲେ ପାଣି ପିଇବା ପାଇଁ କୂଳକୁ ଯାଉଥିବା ସମସ୍ତ ମେରୁଦଣ୍ଡୀ ଜୀବଙ୍କୁ ଏହି କୁମ୍ଭୀର ନିଜର ସମ୍ଭାବ୍ୟ ଶିକାର ବୋଲି ବିବେଚନା କରେ । ସେମାନଙ୍କୁ ଜାବୁଡ଼ି ଧରି ପାଣି ଭିତରକୁ ଟାଣି ନେଇଯାଏ । ପାଣିରେ ବୁଡ଼ାଇ ମାରିବା ପରେ ସେମାନଙ୍କୁ ଖାଇବା ଆରମ୍ଭ କରେ । ବୃହତ୍ ଓ ବୟସ୍କ ଗୋମୁହାଁ କୁମ୍ଭୀରମାନେ ବଡ଼ ହରିଣ, ସମ୍ଵର, ଗୋରୁ, ମଇଁଷି ଇତ୍ୟାଦି ଶିକାର କରିବାର ନଜିର୍ ମଧ୍ୟ ରହିଛି । କିନ୍ତୁ ସମ-ଜଳବାୟୁରେ ରହୁଥିବା ବଉଳା କୁମ୍ଭୀରଙ୍କ ପାଇଁ ବଡ଼ ସ୍ତନ୍ୟପାୟୀ ପ୍ରାଣୀ ପରି ଶିକାର ମିଳିବା କମ୍ ଦେଖାଯାଏ । ରାତିରେ ଗୋମୁହାଁ କୁମ୍ଭୀରମାନେ ପାଣିରୁ ବାହାରି ସ୍ଥଳଭାଗରେ ଶିକାର କରିବା ମଧ୍ୟ ଦେଖାଯାଇଛି ।[୧୩] ରାତି ଶିକାର ବେଳେ ଏମାନେ କଲରା ପତରିଆ ବାଘ ପରି ଅନ୍ୟ ମାଂସାସୀ ପ୍ରାଣୀଙ୍କଠାରୁ ଶିକାର ଛଡ଼ାଇ ନେବା ବା ଚୋରି କରିବା ଦେଖାଯାଇଛି ।[୧୪] ସମୟେ ସମୟେ ଅନ୍ୟ ମାଂସଭୋଜୀ ପ୍ରାଣୀ କୁମ୍ଭୀରର ଶିକାର ହୋଇଯାଏ ।[୧୫] ମନୁଷ୍ୟଙ୍କ ପାଇଁ ଗୋମୁହାଁ କୁମ୍ଭୀର କେତେକ ସ୍ଥାନରେ ବିପଦ ସୃଷ୍ଟି କରିଛି ।[୧୬]

ଶିକାରକୁ ପ୍ରଲୋଭିତ କରିବା[ସମ୍ପାଦନା]

ଗୋମୁହାଁ କୁମ୍ଭୀର ପକ୍ଷୀମାନଙ୍କର ଶିକାର କରିବା ପାଇଁ ସେମାନଙ୍କୁ ପ୍ରଲୋଭିତ କରାଏ ।[୧୭] ସରୀସୃପଙ୍କ ମଧ୍ୟରେ ଏପରି କୌଶଳ ଆପଣେଇବାରେ ଗୋମୁହାଁ କୁମ୍ଭୀରର ଉଲ୍ଲେଖ ପ୍ରଥମେ କରାଯାଇଛି । ନିଜ ମୁଣ୍ଡରେ ବାଡ଼ି, ଡାଙ୍ଗ, ଦଳ ଇତ୍ୟାଦି ଧରି ବସା ନିମନ୍ତେ ଉପଯୁକ୍ତ ସ୍ଥାନର ଭ୍ରମ ସୃଷ୍ଟି କରି ସେମାନେ ପକ୍ଷୀଙ୍କୁ ପ୍ରଲୋଭନ ଦେଖାନ୍ତି । ପକ୍ଷୀମାନଙ୍କ ବସା ବାନ୍ଧିବା ଋତୁରେ ସେମାନେ ବସା ପାଇଁ ଉପଯୁକ୍ତ ଉପାଦାନ ଖୋଜି ବୁଲୁଥାନ୍ତି । ଏପରି ସମୟରେ ପ୍ରଲୋଭନ ଶିକାର କୌଶଳର ଏକ ସଫଳ ପନ୍ଥା ହୋଇଥାଏ ।[୧୮] ଆମେରିକୀୟ ଆଲିଗେଟର୍ ମଧ୍ୟ ଅନୁରୂପ କୌଶଳ ଗ୍ରହଣ କରିବା ଦେଖାଯାଇଛି ।

ସମ-ଜଳବାୟୁରେ ବସବାସ କରୁଥିବା ଅନ୍ୟ ମାଂସଭୋଜୀ ପ୍ରାଣୀ[ସମ୍ପାଦନା]

ଅନ୍ୟ ପ୍ରଜାତିର କୁମ୍ଭୀର[୩] ଓ କଲରାପତରିଆ ବାଘଙ୍କ[୧୪] ଛଡ଼ା ଅନ୍ୟ ଯେଉଁ ମାଂସାସୀ ଶିକାରୀ ପ୍ରାଣୀ ଗୋମୁହାଁ କୁମ୍ଭୀରଙ୍କ ଅଧିବାସରେ ଦେଖାଯାନ୍ତି, ସେମାନେ ହେଲେ :[୪][୧୯]

  • ଏସୀୟ ସିଂହ – ଗୁଜରାଟର ଗିର୍ ଅଭୟାରଣ୍ୟରେ ଏମାନେ କୁମ୍ଭୀରଙ୍କ ସହିତ ଦେଖାଯାନ୍ତି ।
  • ମହାବଳ ବାଘ – ରାଜସ୍ଥାନର ରନ୍ଥାମ୍ଵୋର୍ ଜାତୀୟ ଉଦ୍ୟାନରେ ମଛଲି ନାମକ ଏକ ବାଘୁଣୀ ଏକ ଗୋମୁହାଁ କୁମ୍ଭୀରକୁ ଆକ୍ରମଣ କରି ମାରି ଖାଇବା ଦେଖାଯାଇଥିଲା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Crocodylus palustris". IUCN Red List of Threatened Species. Version 2009.6. International Union for Conservation of Nature. 2013. Retrieved 27 April 2017. 
  2. Wikisource-logo.svg "Marsh Crocodile". Encyclopedia Americana. 1920. 
  3. ୩.୦ ୩.୧ Hiremath, K.G. Recent advances in environmental science. Discovery Publishing House, ୨୦୦୩. ISBN ୮୧-୭୧୪୧-୬୭୯-୯. 
  4. ୪.୦ ୪.୧ Da Silva, A. and Lenin, J. (2010). "Mugger Crocodile Crocodylus palustris, pp. 94–98 in S.C. Manolis and C. Stevenson (eds.) Crocodiles. Status Survey and Conservation Action Plan. 3rd edition, Crocodile Specialist Group: Darwin.
  5. Mugger (Crocodylus palustris). Arkive. Retrieved on 2013-04-13.
  6. Current Distribution of Crocodylus palustris. Crocodile Species List. Retrieved on 2013-04-13.
  7. Mugger | Define Mugger at Dictionary.com. Dictionary.reference.com. Retrieved on 2011-03-19.
  8. "mugger, n.3". Oxford English Dictionary Online. December 2012. Oxford University Press. [୧]
  9. ୯.୦ ୯.୧ Britton, Adam. "Crocodylus palustris (LESSON, 1831)". Crocodilian Species List. Crocodile Specialist Group. Retrieved 21 July 2015. 
  10. Boulenger, G. A. (1890) Fauna of British India. Reptilia and Batrachia.
  11. "Status and Distribution of the Mugger Crocodile in Tamil Nadu". Archived from the original on 3 August 2008. Retrieved 21 January 2018. 
  12. "The Official Web Gateway to Pakistan". www.pakistan.gov.pk. Archived from the original on 2016-11-28. Retrieved 2016-10-23. 
  13. Dinets, V.L. (2010). "On terrestrial hunting in crocodilians" (PDF). Herpetological Bulletin. 114: 15–18. Archived from the original (PDF) on 2011-10-15. 
  14. ୧୪.୦ ୧୪.୧ "Sri Lankan Leopard". Arkive.org. 
  15. Bhatnagar, C., & Mahur, M. (2010). Observations on feeding behavior of a wild population of marsh crocodile in Baghdarrah Lake, Udaipur, Rajasthan. Reptile Rap, 10, 16-18.
  16. "7 Crocodilian Species That Are Dangerous to Humans". britannica.com. Retrieved 7 January 2018. 
  17. Dinets, V; Brueggen, JC; Brueggen, J.D. (2013). "Crocodilians use tools for hunting". Ethology, Ecology and Evolution. 1: 74. doi:10.1080/03949370.2013.858276. 
  18. "Crocodiles are cleverer than previously thought: Some crocodiles use lures to hunt their prey". ScienceDaily. December 4, 2013. Retrieved December 8, 2013. 
  19. Nowell, Kristin; Jackson, Peter (୧୯୯୬). Wild Cats: Status Survey and Conservation Action Plan (PDF). Gland, Switzerland: IUCN/SSC Cat Specialist Group. pp. ୧–୩୩୪. ISBN ୨-୮୩୧୭-୦୦୪୫-୦.