କଳାବାଘ

ଉଇକିପିଡ଼ିଆ ରୁ
Jump to navigation Jump to search

ସାଧାରଣ କଲରାପତରିଆ ବାଘ ପରି କଳା କଲରାପତରିଆ ବାଘ ମଧ୍ୟ “ପାନ୍ଥେରା” ପ୍ରଜାତିର । ଏସିଆ ଓ ଆଫ୍ରିକାରେ ଦେଖାଯାଉଥିବା କଳାବାଘ କଲରାପତରିଆ (ଜୀବବିଜ୍ଞାନ ନାମ Panthera pardus) ପ୍ରଜାତିର ହୋଇଥିବା ବେଳେ, ଆମେରିକୀୟ ମହାଦେଶର କଳାବାଘ ଜାଗୁଆର (ଜୀବ ବିଜ୍ଞାନ ନାମ Panthera onca) ଶ୍ରେଣୀର ହୋଇଥାନ୍ତି ।[୧]

ହେନେରି ଡୁର୍ଲି ଚିଡ଼ିଆଖାନାରେ ଥିବା ମେଲାନିନ୍ ଆଧିକ୍ୟବିଶିଷ୍ଟ ଏକ ଜାଗୁଆର । ମେଲାନିନ୍ ଆଧିକ୍ୟର କାରଣ ପ୍ରମୁଖ ଏଲୀଲ ଓ ଏହା ଖୁବ୍ କମ୍ ଜାଗୁଆରରେ ଦେଖିବାକୁ ମିଳେ
କର୍ଣ୍ଣାଟକର ନାଗାରହୋଳେ ଜଙ୍ଗଲରେ ଠାବ ହୋଇଥିବା ଏକ କଳା କଲରାପତରିଆ ବାଘ

ମେଲାନିନ୍ ଆଧିକ୍ୟ[ସମ୍ପାଦନା]

ମଣିଷମାନଙ୍କ ଶରୀରରେ ମେଲାନିନର ମାତ୍ରା ମଣିଷର ରଙ୍ଗ ନିର୍ଣ୍ଣୟ କରେ । ମେଲାନିନ୍ ମାତ୍ରା ମଣିଷ ଶରୀରରେ ଅଧିକ ହେଲେ ତାହାର ରଙ୍ଗ କଳା ଓ କମ୍ ହେଲେ ସେ ଗୋରା ହୋଇଥାଏ । ସେହିଭଳି ବାଘମାନଙ୍କ ଶରୀରରେ ମେଲାନିନ୍ ଆଧିକ୍ୟ ସେମାନଙ୍କ କଳା ହେବାର କାରଣ । ଜାଗୁଆରମାନଙ୍କ ଶରୀରରେ ପ୍ରମୁଖ ଏଲୀଲ (ଈଂରାଜୀରେ Dominant Allele) ମେଲାନିନ୍ ଆଧିକ୍ୟର କାରଣ ହୋଇଥିବା ବେଳେ କଲରାପତରିଆ ବାଘମାନଙ୍କ ଶରୀରରେ ପ୍ରତିସୃତ ଏଲୀଲ (ଈଂରାଜୀରେ Recessive Allele) ଯୋଗୁଁ  ମେଲାନିନ୍ ଆଧିକ୍ୟ ଦେଖାଯାଏ । କଳାବାଘର ଶରୀରକୁ ଭଲଭାବେ ନିରେଖି ଦେଖିଲେ ଜାଣିହେବ ଯେ ଏମାନଙ୍କ ଶରୀରରେ ମଧ୍ୟ ସାଧାରଣ କଲରାପତରିଆ ବାଘ ବା ଜାଗୁଆର ପରି ଚିତା ଚିତା ଦାଗ ରହିଥାଏ । କିନ୍ତୁ ଅତ୍ୟଧିକ ମେଲାନିନ୍ ପାଇଁ କଳା ରଙ୍ଗର ଲୋମତଳେ ଏହି ଚିତା ଚିତା ଦାଗ ଲୁଚିଯାଏ ଓ ବାଘର ଚମ ଏକ ଚିତ୍ରିତ ରେଶମ କପଡ଼ା ପରି ଦେଖାଯାଏ । ଏହାକୁ ଈଂରାଜୀରେ Ghost Striping ବୋଲି କୁହନ୍ତି । ସାଧାରଣ ବାଘଛୁଆ ଓ ମେଲାନିନ୍ ଆଧିକ୍ୟବିଶିଷ୍ଟ ବାଘଛୁଆ ଏକା ସମୟରେ ଗୋଟିଏ ମା’ ବାଘଠାରୁ ଜନ୍ମ ହୋଇପାରନ୍ତି । ଘଞ୍ଚ ଅରଣ୍ୟରେ କେତେକ ସ୍ଥାନରେ ଆଲୋକର ଅଭାବ ଯୋଗୁଁ କଳାବାଘମାନଙ୍କ ପାଇଁ ଏହା ଖୁବ୍ ସହାୟକ ହୁଏ । କେତେକ ସଦ୍ୟ ପରୀକ୍ଷଣରୁ ଜଣାପଡ଼ିଛି ଯେ ଶରୀରର ପ୍ରତିରୋଧକ କ୍ଷମତାରେ ଉନ୍ନତିମୂଳକ ପରିବର୍ତ୍ତନ ବା ମ୍ୟୁଟେଶନ୍ (Mutation) ହେଲେ ଶରୀରରେ ମେଲାନିନ୍ ବୃଦ୍ଧିପାଏ । [୨]

ପୂର୍ବେ କଳା ଜାଗୁଆର ସାଧାରଣ ଜାଗୁଆରଠାରୁ ଭିନ୍ନ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ଦୁହେଁ “ପାନ୍ଥେରା ଓଙ୍କା” ପ୍ରଜାତିର ବୋଲି ପରେ ଜଣା ପଡ଼ିଲା ।

କଳା କଲରାପତରିଆ ବାଘ[ସମ୍ପାଦନା]

ବଣରେ କଳାବାଘ[ସମ୍ପାଦନା]

ଜାଭାଦ୍ଵୀପରେ ଦେଖାଯାଉଥିବା କଲରାପତରିଆ ବାଘଙ୍କ ଦେହର ଚିତାଦାଗ ଅଧିକ କଳା ଓ ଏମାନଙ୍କ ଆଖି ରୁପାପରି ଈଷତ୍ ପାଉଁଶିଆ ରଙ୍ଗର । [୩] ତେଣୁ ପୂର୍ବେ ଏହି ପ୍ରଜାତିର କଲରାପତରିଆ ବାଘଙ୍କୁ କଳାବାଘ କୁହାଯାଉଥିଲା । ସାଧାରଣତଃ ବିଷୁବବୃତ୍ତୀୟ ଚିରହରିତ୍ ଅରଣ୍ୟ (ଯଥା ମାଳୟ ଦ୍ଵୀପ) ଓ କ୍ରନ୍ତୀୟ ଅରଣ୍ୟ (ଯଥା କେନିଆର ପାହାଡ଼ରେ)ରେ କଳା କଲରାପତରିଆ ବାଘ ଦେଖାଯାନ୍ତି । ଏହା ବ୍ୟତୀତ ଜାଭା, ଦକ୍ଷିଣ-ପଶ୍ଚିମ ଚୀନ, ବର୍ମା, ଆସାମ, ନେପାଳ ଆଦି ସ୍ଥାନରେ ମଧ୍ୟ କଳା କଲରାପତରିଆ ବାଘ ଦେଖାଯାନ୍ତି । ଦକ୍ଷିଣ ଭାରତର ଟ୍ରାଭାଙ୍କୋର୍ ଏବଂ ଆଉ କେତେକ ସ୍ଥାନରେ ସାଧାରଣ କଲରାପତରିଆ ବାଘ ତୁଳନାରେ ଅଧିକ ସଂଖ୍ୟାରେ ଥାଇପାରନ୍ତି ବୋଲି ଅନୁମାନ କରାଯାଏ । [୪] [୫] କ୍ୟାମେରୁନ୍ ଦେଶରେ ମଧ୍ୟ କଳାବାଘ ଦେଖାଯାଇଛି ।  

ସାଧାରଣ କଲରାପତରିଆ ବାଘ ପରି କଳାବାଘମାନଙ୍କ ବିଭିନ୍ନ ପ୍ରକାରମାନ ହେଲା : ଆଫ୍ରିକୀୟ କଳାବାଘ (P. p. pardus), ଭାରତୀୟ କଳାବାଘ (P. p. fusca), ଇଣ୍ଡୋଚୀନୀ କଳାବାଘ (P. p. delacouri), ଜାଭା କଳାବାଘ (P. p. melas) । 

ଚିଡ଼ିଆଘରରେ କଳାବାଘ[ସମ୍ପାଦନା]

ଚିଡ଼ିଆଘରେ ଥିବା ଅଣ୍ଡିରା ବା ମାଈ କଳାବାଘଠାରୁ କଳାବାଘଛୁଆ ଜନ୍ମ ହେବାର ସମ୍ଭାବନା ଅଧିକ । ତେଣୁ ଚିଡ଼ିଆଖାନାରେ ଥିବା କଳାବାଘମାନଙ୍କୁ ଅନେକ ବର୍ଷରୁ କଳାବାଘଛୁଆ ଜନ୍ମ କରିବା ପାଇଁ ବ୍ୟବହାର କରାଯାଇଆସୁଛି । ଏକ ବିରଳ ପ୍ରଜାତି ଭାବେ ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଏମାନଙ୍କ ବ୍ୟବସାୟ ବା ଅଦଳବଦଳ ମଧ୍ୟ ହୋଇଆସିଛି । ଫଙ୍କ୍ ଓ ୱାଗ୍ନାଲଙ୍କ ବନ୍ୟଜନ୍ତୁ ଜ୍ଞାନକୋଶ ଅନୁସାରେ ଚିଡ଼ିଆଘରର କଳାବାଘଙ୍କ ପ୍ରଜନନ କ୍ଷମତା ବଣର କଳାବାଘଙ୍କଠାରୁ କମ୍ । [୬] ନିଜ ଜୀବନକାଳରେ ଚିଡ଼ିଆଘରର କଳା ମା’ ବାଘ ହାରାହାରି ୧.୮ ଛୁଆ ଜନ୍ମ କରୁଥିବା ବେଳେ ବଣରେ ଥିବା କଳା ମା’ ବାଘ ହାରାହାରି ୨.୧ ଛୁଆ ଜନ୍ମ କରିଥାଏ । ସଜାତି ପ୍ରଜନନ ଏହାର ମୁଖ୍ୟ କାରଣ । 

ଏହି ମାଈ କଳା କଲରାପତରିଆ ବାଘର ଦେହରେ ଚିତାଦାଗ ସ୍ପଷ୍ଟ ବାରିହୋଇପାରିବ

୧୯୮୦ ଦଶକର ପ୍ରଥମାର୍ଦ୍ଧରେ ଡୁବଲିନ୍ ଚିଡ଼ିଆଖାନାରୁ ୧୦ ବର୍ଷ ବୟସ୍କ “ଦ କବୱେବ୍ ପାନ୍ଥର୍” ନାମକ ଏକ କଳା କଲରାପତରିଆ ବାଘୁଣୀ ଗ୍ଲାସଗୋ ଚିଡ଼ିଆଖାନାକୁ ସ୍ଥାନାନ୍ତରିତ ହୋଇଥିଲା । ସେଠାରେ ୭ ବର୍ଷ ରହିବା ପରେ ତାକୁ ମାଦ୍ରିଦ୍ ଚିଡ଼ିଆଖାନାକୁ ସ୍ଥାନାନ୍ତରିତ କରାଗଲା । ଏହି ବାଘୁଣୀର ଦେହ କଳା ଓ ସ୍ଥାନେ ସ୍ଥାନେ ଧଳା ଲୋମ ରହିଥିଲା । ଦୂରରୁ ଦେଖିଲେ ତା’ଦେହସାରା ବୁଢ଼ୀଆଣି ଜାଲ ଥିବାର ଭ୍ରମ ସୃଷ୍ଟି ହେଉଥିଲା । ଏହି ବାଘୁଣୀଟି ଶ୍ଵେତକୁଷ୍ଠ (ଈଂରାଜୀରେ vitiligo)ରେ ଆକ୍ରାନ୍ତ ଥିବା ପରେ ଜଣା ପଡ଼ିଲା । କାରଣ ତା’ ଦେହରେ ଧଳା ଦାଗ ପରବର୍ତ୍ତୀ ସମୟରେ ବଢ଼ିବାକୁ ଲାଗିଲା ।  ଏହିପରି ଅନେକ “କବୱେବ୍ ପାନ୍ଥର୍” ବିଭିନ୍ନ ଚିଡ଼ିଆଘରେ ରହିଛନ୍ତି । 

କଳା ଜାଗୁଆର[ସମ୍ପାଦନା]

ମେଲାନିନ୍ ଆଧିକ୍ୟବିଶିଷ୍ଟ ଏକ ଜାଗୁଆର

ପ୍ରମୁଖ ଏଲୀଲ ହିଁ ଜାଗୁଆରମାନଙ୍କ ଶରୀରରେ ମେଲାନିନ୍ ଆଧିକ୍ୟର କାରଣ । ଏଥିପାଇଁ ସାଧାରଣ ଓ କଳା ଜାଗୁଆରର ମିଳନରୁ କଳା ଜାଗୁଆର ଛୁଆ ହେବା ସମ୍ଭବ । କିନ୍ତୁ ଦୁଇଟି ସାଧାରଣ ଜାଗୁଆରର ମିଳନରୁ କଳା ଜାଗୁଆରଛୁଆ ଜନ୍ମ ହୁଅନ୍ତି ନାହିଁ । ଏଲୀଲ ଯୋଗୁଁ କେତେକ ଜାଗୁଆର ଘନକଳା ରଙ୍ଗର ହୋଇଥିବା ବେଳେ ଆଉ କେତେକ ଅଳ୍ପ କଳା ହୋଇଥାନ୍ତି । 

ଆମେରିକୀୟ ମହାଦେଶର ଆଦିମ ଅଧିବାସୀମାନେ କଳା ଜାଗୁଆରକୁ ଏକ ଅନ୍ୟ ପ୍ରଜାତି ଭାବେ ଗଣନା କରୁଥିଲେ । ବ୍ରିଟିଶ୍ ପରିବେଶବିତ୍ ୱିଲିୟମ୍ ହେନେରି ହଡସନଙ୍କ ଭାଷାରେ : ସ୍ଵର୍ଣ୍ଣ ଲୋହିତ ଚମଡ଼ାରେ କଳା କଳା ଚିତାଦାଗ ବିଶିଷ୍ଟ ଜାଗୁଆର ଏକ ଅତି ସୁନ୍ଦର ପ୍ରାଣୀ । ପରିବେଶ ଅନୁସାରେ ଏମାନଙ୍କ ଶରୀରରେ କିଛି ଭିନ୍ନତା ପରିଲକ୍ଷିତ ହୁଏ । ଉଷ୍ମ ଜଳବାୟୁରେ ବସବାସ କରୁଥିବା ଇଣ୍ଡିଆନ୍ ଜନଜାତି ଏହି ପ୍ରାଣୀର ତିନୋଟି ପ୍ରକାର ଦେଖିଥିବା କୁହନ୍ତି । (ବି.ଦ୍ର. : କଲମ୍ଵସ୍ ଆମେରିକୀୟ ମହାଦେଶରେ ପହଞ୍ଚି ଭାରତରେ ପହଞ୍ଚିଯାଇଛି ବୋଲି ଭାବିଥିଲେ । ଏହି ଭୂଖଣ୍ଡର ଆଦିମ ଜନଜାତିକୁ ଇଣ୍ଡିଆନ୍ କୁହାଯାଉଥିଲା ।) ଏହି ତିନି ପ୍ରକାରର ଜାଗୁଆର ହେଲେ : (୧) ଆକାରରେ ବଡ଼ ଜାଗୁଆର ଯାହାର ଦେହରେ ବଡ଼ ଗୋଲଗୋଲ ଚିତାଦାଗ ଥାଏ, (୨) ପାଣିରେ ପଶିବାକୁ ପସନ୍ଦ ନ କରୁଥିବା ଆକାରରେ ଛୋଟ ଜାଗୁଆର ଯାହାର ଦେହର ଚିତାଦାଗ ମଧ୍ୟ ଛୋଟ ଏବଂ (୩) କଳା ଜାଗୁଆର । [୭] କଳା ଜାଗୁଆରର ମେଲାନିନ୍ ଆଧିକ୍ୟ ବିଷୟରେ ଅଜ୍ଞାତ ଇଣ୍ଡିଆନ୍ ଜନଜାତି ମନରେ ଏହା ସମ୍ପର୍କରେ ଅନେକ ଭୁଲ ଧାରଣା ରହିଛି – ଏହା ଅନ୍ୟ ଜାଗୁଆରଠୁ ବଡ଼ ଓ ସମ୍ପୂର୍ଣ ଅଲଗା ପ୍ରକାରର ବାଘ, ସାଧାରଣ ଜାଗୁଆରଠାରୁ ଅଧିକ ଭୟଙ୍କର, ଏହାର ଡାକ ସାଧାରଣ ଜାଗୁଆରଠାରୁ ଭିନ୍ନ,  ନଦୀକୂଳିଆ ସ୍ଥାନ ଅପେକ୍ଷା ଏହା ଶୁଷ୍କତର ଜଂଗଲରେ ରହିବାକୁ ଭଲପାଏ, କଳାବାଘ କେବଳ କଳାବାଘୁଣୀ ସହିତ ସହବାସ କରେ ଓ ସେମାନଙ୍କ ଛୁଆ ମଧ୍ୟ କଳା ହିଁ ହୋଇଥାନ୍ତି ।  

ଓଣ୍ଟାରିଓ (କାନାଡ଼ା)ର ବେରିସ୍ଥିତ ବେର୍ କ୍ରିକ୍ ବନ୍ୟପ୍ରାଣୀ ଅଭୟାରଣ୍ୟରେ “ଡାୟାବ୍ଲୋ” ନାମକ ଏକ କଳା ଜାଗୁଆର ସହିତ “ଲୋଲା” ନାମକ ଏକ ସିଂହୀର ଶଂକରରେ ଏକ କୋଇଲା ପରି କଳା ମାଈଛୁଆ ଓ ଚିତାଦାଗ ଥିବା ଈଷତ୍ ଖଇରିଆ ଅଣ୍ଡିରାଛୁଆର ଜନ୍ମ ହୋଇଥିଲା । ଏହି କୃତ୍ରିମ ଉପାୟରେ ସୃଷ୍ଟ ଜନ୍ତୁମାନଙ୍କୁ “ଜାଗ୍ଲାୟନ୍” କୁହାଗଲା । [୮] ଏଥିରୁ ଜଣାପଡ଼େ ଯେ ଜାଗୁଆରର ମେଲାନିନ୍ ଆଧିକ୍ୟ ବହନକାରୀ ଜିନ୍ ସିଂହୀର ସାଧାରଣ ରଙ୍ଗର ଜିନ୍ ଅପେକ୍ଷା ପ୍ରଭାବଶାଳୀ । ଆହୁରି ମଧ୍ୟ, କଳା କଲରାପତରିଆ ବାଘଙ୍କ ଚମଡ଼ାକୁ କୌଣସି ବାଘଛାଞ୍ଚ ଉପରେ ଚଢ଼ାଇ ସଂରକ୍ଷଣ କରି ରଖିଲେ ତାହା କ୍ରମଶଃ ଲାଲ କଳଙ୍କ ରଂଗର ହୋଇଯାଏ । ଅପରପକ୍ଷେ କଳା ଜାଗୁଆରର ଚମଡ଼ା ଧୀରେ ଧୀରେ ଚକଲେଟ୍ ପରି ରଂଗର ହୋଇଯାଏ । 

କଳା କୁଗାର୍ ବା କଳା ପୁମା[ସମ୍ପାଦନା]

ଉତ୍ତର ଆମେରିକାର କୁଗାର୍ ବା ପୁମା ଜାତୀୟ ବାଘରେ ମାତ୍ରାଧିକ ମେଲାନିନ୍ ଆଜି ପର୍ଯ୍ୟନ୍ତ କେବେ ପରିଲକ୍ଷିତ ହୋଇନାହିଁ । କିନ୍ତୁ “ଉତ୍ତର ଆମେରିକୀୟ ବ୍ଲାକ୍ ପ୍ୟାନ୍ଥର୍” ଦେଖାଯିବାର କେତେକ ଘଟଣା ଗୁଜବ ନା ସତ୍ୟ ତାହା କାହାରିକୁ ଜଣା ନାହିଁ । ବ୍ଲାକ୍ ପ୍ୟାନ୍ଥରର ଆକାର ବଡ଼ ବୋଲି ଉତ୍ତର ଆମେରିକୀୟ ଦେଖଣାହାରୀଙ୍କ ମତ ଭ୍ରାନ୍ତିକର ଓ ଭୁଲ ପ୍ରଜାତିର ଜୀବକୁ ବ୍ଲାକ୍ ପ୍ୟାନ୍ଥର୍ ବୋଲି କୁହାଯାଉଥାଇପାରେ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ଚୋକ୍ଟାଓର ଲୋକକଥାରେ ପେଚା ଓ ବ୍ଲାକ୍ ପ୍ୟାନ୍ଥରଙ୍କୁ ଏକତ୍ରିତ ଭାବେ ମୃତ୍ୟୁର ପ୍ରତୀକ ବୋଲି ବିଶ୍ଵାସ କରାଯାଏ । 

୧୭୪୯ ମସିହାରେ ଫରାସୀ ପରିବେଶବିତ୍ ଜୋର୍ଜେସ୍-ଲୁଇ ଲେକ୍ଲେର୍କ୍ କଳା କୁଗାର୍ ବିଷୟରେ ଲେଖିଥିଲେ : 

କାୟେନସ୍ଥିତ ରାଜାଙ୍କ ବୈଦ୍ୟ ଏମ୍. ଡେ ଲା ବୋର୍ଡେ ମୋତେ ସୂଚନା ଦେଲେ ଯେ, ଦକ୍ଷିଣ ଆମେରିକୀୟ ମହାଦେଶରେ ତିନି ପ୍ରକାରର ହିଂସ୍ର ଜନ୍ତୁ ଦେଖିବାକୁ ମିଳେ । ପ୍ରଥମ ହେଲା ଜାଗୁଆର ଯାହାକୁ ବାଘ ମଧ୍ୟ କୁହାଯାଏ, ଦ୍ଵିତୀୟ ପ୍ରକାରର ପଶୁ କୁଗାରକୁ ତାହାର ଲାଲ୍ ରଂଗର ଲୋମ ପାଇଁ ଲାଲ୍ ବାଘ ମଧ୍ୟ କୁହାଯାଏ । ପ୍ରାୟ ୯୦ କିଲୋଗ୍ରାମ୍ ଓଜନବିଶିଷ୍ଟ ଜାଗୁଆରର ଆକାର ବଡ଼ ବୁଲ୍ କୁକୁର ପରି ଓ କୁଗାର ଛୋଟ, କମ୍ ଭୟଙ୍କର ଓ ଆଖପାଖରେ ଏତେ ବେଶୀ ଦେଖାଯାଏନାହିଁ । ଏହି ଦୁଇ ପ୍ରଜାତିର ବାଘ ପ୍ରାୟ ୬ ବର୍ଷରେ ପ୍ରାପ୍ତବୟସ୍କ ହୁଅନ୍ତି । ଏକ ତୃତୀୟ ପ୍ରକାରର ପ୍ରଜାତି ବିଷୟରେ ସେ ଆହୁରି କୁହନ୍ତି ଯେ ଏହି ପ୍ରଜାତିକୁ କଳାବାଘ କୁହାଯାଏ ଓ ଏହାକୁ କଳା କୁଗାର୍ ଭାବି ଏହାର ଏକ ଚିତ୍ର ଏଠାରେ ରଖୁଛୁ । ୧୮ କିଲୋଗ୍ରାମରୁ ଅଧିକ ଜଣାପଡ଼ୁନଥିବା ଏହି ଜନ୍ତୁଟିର ମୁଣ୍ଡ ସାଧାରଣ କୁଗାରଠାରୁ ଛୋଟ, କିନ୍ତୁ ଏହାର ଏକ ଲମ୍ଵା ଲାଞ୍ଜ ଓ ଦେହସାରା କଳା ଲୋମ ରହିଥାଏ । କଳାବାଘୁଣୀ ଗଛର କୋରଡ଼ରେ ନିଜ ଛୁଆଙ୍କୁ ଲୁଚାଇ ରଖେ ଓ ସେମାନଙ୍କ ଲାଳନପାଳନ କରେ । [୯]

ଏହି ବର୍ଣ୍ଣନାରେ ଥିବା କଳା କୁଗାରର ମାର୍ଗେ ବା ଓସେଲଟ୍ ଜାତୀୟ ପ୍ରାଣୀ ସହିତ ସାମଞ୍ଜସ୍ୟ ରହିଛି । ଏହି ପ୍ରଜାତିର ବିରାଡ଼ି ଗଛରେ ରୁହନ୍ତି, ଏମାନଙ୍କ ଓଜନ ୧୮ କିଲୋଗ୍ରାମରୁ କମ୍ ଓ ଏମାନଙ୍କର କେବେକେବେ ମେଲାନିନ୍ ଆଧିକ୍ୟ ଦେଖାଦିଏ । 

ଥୋମାସ୍ ପେନ୍ନାଣ୍ଟ୍ ମଧ୍ୟ କଳା କୁଗାରର ଏକ ବର୍ଣ୍ଣନା ଦେଇ କୁହନ୍ତି ଯେ : କଳାବାଘର ମୁଣ୍ଡ କଳା ରଂଗର; ପାର୍ଶ୍ଵ, ପାଦ, ଗୋଡ଼ର ଆଗପଟ, ଲାଞ୍ଜ ଆଦି କଳା ଚିକ୍କଣ ଲୋମରେ ଭରା; ଏହାର ଉପର ଓଠ ଧଳା; ଏହାର ଆଖି ଉପରେ ଲମ୍ଵା ଲୋମ ଓ ପାଟି ଉପରେ ଲମ୍ଵା ନିଶ ଥାଏ; ଏହାର ତଳପେଟ, ଗୋଡ଼ର ପଛପଟ, ପଞ୍ଝା ଆଦି ଧଳା ବା ପାଉଁଶିଆ ରଂଗର; କାନ ଗୋଜାଗୋଜା; ଏହା ବଡ଼ ହୋଇ ଗୋଟିଏ ବର୍ଷର ବାଛୁରୀ ଆକାରର ହୁଏ; ଇଣ୍ଡିଆନ୍ ପ୍ରଜାତିର ଲୋକଙ୍କୁ ଆତଙ୍କିତ କରି ରଖିଥିବା ଏହି ଜନ୍ତୁ ବଳଶାଳୀ, ଅତି ହିଂସ୍ର ସ୍ଵଭାବର ଓ ଏକ ବିକଳ ପ୍ରଜାତି । ୧୭୮୧ରେ ଥୋମାସ୍ ପେନ୍ନାଣ୍ଟଙ୍କ ଲେଖାର ଅନୁବାଦ କରିଥିବା ସ୍ମେଲି ମତ ରଖନ୍ତି ଯେ – ଏହି ବର୍ଣ୍ଣନା ଲଣ୍ଡନରେ କିଛି ବର୍ଷପୂର୍ବେ ରଖାଯାଇଥିବା ଦୁଇଟି କଳା ଜାଗୁଆରଙ୍କୁ ଦେଖି ଦିଆଯାଇଥାଇପାରେ । 

କଳାବାଘଙ୍କ ଉଲ୍ଲେଖ[ସମ୍ପାଦନା]

ଅଷ୍ଟ୍ରେଲିଆରେ ବ୍ଲାକ୍ ପ୍ୟାନ୍ଥର୍[ସମ୍ପାଦନା]

ଜର୍ମାନୀର ୱିଲହେମାରେ ରଖାଯାଇଥିବା ଏକ ପାରସୀ କଲରାପତରିଆ ବାଘ । ଏହାର ଶରୀରର ଚିତାଦାଗ ଭିନ୍ନ ପ୍ରକାରର ।

ଅଷ୍ଟ୍ରେଲିଆର ଭିକ୍ଟୋରିଆ, ନ୍ୟୁସାଉଥୱେଲ୍ସ୍, ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରାମ୍ୟ ଅଞ୍ଚଳରେ କଳାବାଘ ବୁଲିବାର ଦେଖାଯାନ୍ତି । ଅଷ୍ଟ୍ରେଲିଆର ଏହି “ଭୂତ ପ୍ୟାନ୍ଥର୍” ବିଲେଇ, କୁକୁର ଓ ଅନ୍ୟ ଗୃହପାଳିତ ଗୋରୁ ମାରି ଉଠାଇ ନେଇଯାନ୍ତି । “ଏନିମଲ୍-ଏକ୍ସ୍ ନ୍ୟାଚୁରାଲ୍ ମିଷ୍ଟ୍ରିସ୍” ଏହି “ଭୂତ ପ୍ୟାନ୍ଥର୍”ମାନଙ୍କ ଉପରେ ଅନୁସନ୍ଧାନ କରୁଥିଲା । [୧୦] ସ୍ଥାନୀୟ ଗବେଷକ ମାଇକ୍ ୱିଲିୟମ୍ସ୍ ସେ ଅଞ୍ଚଳରେ ମିଳୁଥିବା ପଶୁଙ୍କ ଲୋମ, ମଳରୁ ସେଗୁଡ଼ିକ କୁକୁର ବା ବିଲେଇ ବୋଲି ଜଣା ପଡ଼ନ୍ତି । ୱିଲିୟମ୍ସଙ୍କ ମତରେ ଚିଡ଼ିଆଘରେ ଥିବା କଲରାପତରିଆ ବାଘର ଲୋମ, ମଳ ଇତ୍ୟାଦିଠାରୁ ଏହା ଯଥେଷ୍ଟ ଭିନ୍ନ । କିନ୍ତୁ ଯେଉଁ ପରୀକ୍ଷାଗାରରେ ଏହା ପରୀକ୍ଷଣ ହେଉଥିଲା ତାହା ଏହିସବୁ ଲୋମ ଓ ମଳର ପରୀକ୍ଷଣ ସଠିକ୍ ଭାବରେ କରିପାରିନଥିଲା ଓ ଏହାର ପରିଚୟ କୌଣସି ଅଧ୍ୟାୟରେ ଦିଆଯାଇ ନଥିଲା ।

ଆଭାଷୀ ମେଲାନିନ୍ ଆଧିକ୍ୟ[ସମ୍ପାଦନା]

କେତେକ କ୍ଷେତ୍ରରେ କଲରାପତରିଆ ବାଘଙ୍କଠାରେ ମେଲାନିନ୍ ଆଧିକ୍ୟ ଥିବାର ଆଭାଷ ମିଳେ କିନ୍ତୁ ଏହାକୁ ମେଲାନିନ୍ ଆଧିକ୍ୟ ବୋଲି କହିହେବନାହିଁ । ଏମାନଙ୍କ ଛାଲର ରଙ୍ଗ ସାଧାରଣ କଲରାପତରିଆ ବାଘ ପରି କିନ୍ତୁ କଳା ଚିତାଦାଗ ଅପେକ୍ଷାକୃତ ନିକଟତର ହୋଇଥାନ୍ତି ଓ ଏଥିପାଇଁ ଏମାନଙ୍କ ଶରୀରର ଖଇରିଆ ରଙ୍ଗ ଅଧିକାଂଶ ସ୍ଥାନରେ ଲୁଚିଯାଏ ।[୧୧]

ସାଂସ୍କୃତିକ ଓ ସାହିତ୍ୟିକ ରଚନାରେ କଳାବାଘ[ସମ୍ପାଦନା]

- ରୁଡ୍ୟାର୍ଡ୍ କିପଲିଂଗଙ୍କଦ୍ଵାରା ଲିଖିତ ପ୍ରସିଦ୍ଧ “ଦ ଜଙ୍ଗଲ ବୁକ୍” ପୁସ୍ତକରେ ମଣିଷ ଛୁଆ “ମୋଗଲି”ର ବନ୍ଧୁ ଓ ଶିକ୍ଷକ “ବଗୀରା” ଚରିତ୍ରଟି ଏକ କଳା କଲରାପତରିଆ ବାଘ । [୧୨]

”ଦ ଜଂଗଲ୍ ବୁକ୍” ପୁସ୍ତକର କଳାବାଘ ବଗୀରା

- ଏକ ଆଫ୍ରିକୀୟ-ଆମେରିକୀୟ ରାଜନୈତିକ ସଂସ୍ଥାର ନାମ ମଧ୍ୟ “ଦ ବ୍ଲାକ୍ ପ୍ୟାନ୍ଥର୍” ।

- ମାର୍ଭେଲ୍ କମିକ୍ସରେ “ଦ ବ୍ଲାକ୍ ପ୍ୟାନ୍ଥର୍” କାଳ୍ପନିକ ଆଫ୍ରିକୀୟ ଦେଶ ୱାକାଣ୍ଡାର ଏକ ମହା ନାୟକ ବା ସୁପର୍ ହିରୋ ।

- ଶିକାରୀ ଓ ଲେଖକ କେନ୍ନେଥ୍ ଆଣ୍ଡରସନ୍ ନିଜ ପୁସ୍ତକ “ଦ ବ୍ଲାକ୍ ପ୍ୟାନ୍ଥର୍ ଅଫ୍ ଶିବାନୀପଲ୍ଲୀ”ରେ ସେ ଶିକାର କରିଥିବା ଏକ କଳା କଲରାପତରିଆ ବାଘର କଥା ଉଲ୍ଲେଖ କରିଛନ୍ତି ।

କଳାମହାବଳ ବାଘ[ସମ୍ପାଦନା]

କଳାରଙ୍ଗର ବଡ଼ବାଘ, ମହାବଳବାଘର ଏକ ମେଲାନିନ୍ ଆଧିକ୍ୟବିଶିଷ୍ଟ ବାଘ ଓ କୌଣସି ଅନ୍ୟ ପ୍ରଜାତି ନୁହେଁ ।  ପଟାଦାଗବିହୀନ ଓ ସମ୍ପୂର୍ଣ୍ଣ କଳାରଙ୍ଗର ମହାବଳବାଘର ଉଲ୍ଲେଖ କେତେକ ଲେଖା ଓ ବର୍ତ୍ତମାନ ହଜିଯାଇଥିବା ଏକ ଚିତ୍ରରେ ରହିଥିଲା । ପ୍ରକୃତରେ ଅଧିକାଂଶ ସମୟରେ ପଟାଦାଗ ରହିଥାଏ କିନ୍ତୁ କଳାଲୋମ ଆଢ଼ୁଆଳରେ ଦିଶେନାହିଁ । 

ମେଲାନିନ୍ ଆଧିକ୍ୟବିଶିଷ୍ଟ ମହାବଳ ବାଘ

ବର୍ତ୍ତମାନ ସମୟରେ ଚିହ୍ନଟ ହୋଇଥିବା କଳା ମହାବଳବାଘ ଆଭାଷୀ ମେଲାନିନ୍ ଆଧିକ୍ୟବିଶିଷ୍ଟ ବାଘ । ଏମାନଙ୍କ ଶରୀରରେ ସାଧାରଣ ମହାବଳବାଘଠାରୁ ମୋଟା ମୋଟା ଓ ଅଳ୍ପ ବ୍ୟବଧାନରେ ପଟାଦାଗ ଥାଏ । ତେଣୁ ପଟାଦାଗ ଶରୀରରେ ଅଧିକ ଭାଗ ଆବୃତ୍ତ କରିରଖେ ଓ ଖଇରିଆ / ହଳଦିଆ ଭାଗ କମ୍ ଦେଖାଯାଏ । ସଜାତି ପ୍ରଜନନ ଯୋଗୁଁ ଏପରି ବାଘଙ୍କ ସଂଖ୍ୟା ବଢ଼ୁଛି ବୋଲି କେତେକ ମତ ରଖନ୍ତି । ଏହିପରି ବାଘଙ୍କ ଆକାର ଛୋଟ । ଏହାର ଅନେକ ସମ୍ଭାବନା ଥାଇପାରେ - ସଜାତି ପ୍ରଜନନ ବା ବଡ଼ କଲରାପତପିଆ ବାଘକୁ ଭୁଲରେ ଲୋକେ ମହାବଳବାଘ ବୋଲି ଭାବିବା ଅସମ୍ଭବ ନୁହେଁ । ଓଡ଼ିଶାର ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଏପରି ମେଲାନିନ୍ ଆଧିକ୍ୟବିଶିଷ୍ଟ ମହାବଳବାଘ ରହିଥିବାର ସୂଚନା ଅଭୟାରଣ୍ୟର କ୍ୟାମେରାଟ୍ରାପ୍ଦ୍ଵାରା ଜଣାପଡ଼ିଛି ।

ଆଧାର[ସମ୍ପାଦନା]

  1. Eizirik, E.; Yuhki, N.; Johnson, W. E.; Menotti-Raymond, M.; Hannah, S. S.; O'Brien, S. J. (2003). "Molecular Genetics and Evolution of Melanism in the Cat Family" (PDF). Current Biology. 13 (5): 448–453. doi:10.1016/S0960-9822(03)00128-3. PMID 12620197. [permanent dead link]
  2. Sunquist, F. (December 2007). "Malaysian Mystery Leopards". National Wildlife Magazine. 45 (1). 
  3. Cuvier, G. (1809). Recherches sur les especes vivantes de grands chats, pour servir de preuves et d’éclaircissement au chapitre sur les carnassiers fossils. Annales du Muséum National d'Histoire Naturelle, Tome XIV: 136–164.
  4. Kawanishi, K.; Sunquist, M.E.; Eizirik, E.; Lynam, A.J.; Ngoprasert, D.; Shahruddin, W.N.W.; Rayan, D.M; Sharma, D.S.K.; Steinmetz, R. (2010). "Near fixation of melanism in panthers of the Malay Peninsula". Journal of Zoology. 282: 201–206. doi:10.1111/j.1469-7998.2010.00731.x. 
  5. [୧]
  6. Funk and Wagnalls' Wildlife Encyclopedia
  7. Harmsworth Natural History (1910), W. H. Hudson
  8. "Bear Creek Sanctuary – Jaglions". Bear Creek Sanctuary. Retrieved 10 March 2012. 
  9. Buffon, Georges-Louis Leclerc (1801) Histoire Naturelle, Paris : Hacquart, an VIII.
  10. Duff, Eamonn (2010-06-20). "On the hunt for the big cat that refuses to die". The Sydney Morning Herald. Fairfax Media. Retrieved 2010-06-23. Rumours have circulated for decades about a colony of panther-like cats roaming Sydney's western fringes and beyond: from Lithgow to Mudgee and the Hawkesbury to the Hunter Valley. 
  11. Gamble, Cyndi; Rodney Griffiths (୨୦୦୪). Leopards: Natural History & Conservation. Voyageur Press. ISBN ୦୮୯୬୫୮୬୫୬୧. 
  12. "Ben Kingsley to Voice Bagheera in Disney's The Jungle Book". Deadline. June 25, 2014. Archived from the original on 29 June 2014. Retrieved June 25, 2014.