Jump to content

ଉତ୍କଳ ବ୍ରାହ୍ମଣ

ଉଇକିପିଡ଼ିଆ‌ରୁ

ଓଡ଼ିଶାର ହିନ୍ଦୁ ଧର୍ମର ବ୍ରାହ୍ମଣ ଜାତି ଉତ୍କଳ ବ୍ରାହ୍ମଣ ନାମରେ ଜଣା । ଏମାନେ ଏବେକାର ଓଡ଼ିଶା, ପଶ୍ଚିମ ବଙ୍ଗ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶଝାଡ଼ଖଣ୍ଡରେ ବସବାସ କରିଥାନ୍ତି । ଏହି ବ୍ରାହ୍ମଣଗୋଷ୍ଠୀଗୁଡ଼ିକର ମାତୃଭାଷା ଓଡ଼ିଆ ତଥା ସମୁଦାୟ ଓଡ଼ିଆ ଜନସଂଖ୍ୟାର ୯% ଭାଗ ଏହିମାନେ ଅଧିକାର କରିଛନ୍ତି । ଏମାନଙ୍କ ଗୁଣସୂତ୍ର ବା କ୍ରୋମୋଜୋମ ଗୁଡ଼ିକ ମଧ୍ୟଏସିଆ ଓ ଉତ୍ତର ଭାରତର ଅନେକ ଜନଜାତି ସହ ମିଳିଥାଏ । କୁହାଯାଏ କି ପୁରାତନ ଯୁଗରେ କଳିଙ୍ଗ ଏକ ବ୍ରାହ୍ମଣ ବିହୀନ ସାମ୍ରାଜ୍ୟ ଥିଲ। । ପ୍ରଥମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଉତ୍ତର ଭାରତର ଗଙ୍ଗା ନଦୀ କୁଳରୁ ଅନେକ ବ୍ରାହ୍ମଣ କଳିଙ୍ଗ ରାଜାଙ୍କ ନିମନ୍ତ୍ରଣରେ କଳିଙ୍ଗ ପ୍ରଦେଶକୁ ଆସି ଯାଜପୁରର ବୈତରଣୀ ନଦୀ କୁଳରେ ବସବାସ କରିବା ଆରମ୍ଭ କଲେ । କାଳକ୍ରମେ ସେମାନେ ଓଡ଼ିଶାର ବାକି ଜାଗାମାନଙ୍କରେ ବାସ କରିବା ଆରମ୍ଭକଲେ। ଚୀନର ଦାର୍ଶନିକ ହୁଏନସାଂ ମଧ୍ୟ ତାଙ୍କ ଲେଖାରେ ଉତ୍କଳ ବ୍ରାହ୍ମଣମାନଙ୍କ ହୋମଯଜ୍ଞ ଓ ବୈତରଣୀ ନଦୀ କୁଳରୁ ଉଠୁଥିବା ହୋମ ଧୂଆଁ ବିଷୟରେ ବର୍ଣ୍ଣନା କରିଛନ୍ତି ।[୧] ଉତ୍କଳ ବ୍ରାହ୍ମଣମାନଙ୍କର କିଛି ଉପନାମ ଦାଶ, ମିଶ୍ର, ରଥ, କର, ଆଚାର୍ଯ୍ୟ, ତ୍ରିପାଠୀ, ଷଡ଼ଙ୍ଗୀ, ଶର୍ମା, ଦାଶଶର୍ମା, ରଥଶର୍ମା, ନନ୍ଦ, ପଣ୍ଡା, ପାଢୀ, ପାଣି, ପାଣିଗ୍ରାହୀ, ପୁଜାପଣ୍ଡା, ବଡ଼ପଣ୍ଡା, ମହାପାତ୍ର, ଶତପଥୀ, ଓତା ଓ ହୋତା ଇତ୍ୟାଦି ।

ଇତିହାସ[ସମ୍ପାଦନା]

ପ୍ରାଚୀନ କଳିଙ୍ଗରେ ଖୁବ ଅଳ୍ପସଂଖ୍ୟକ ବ୍ରାହ୍ମଣ ଥିଲେ ତଥା ସେମାନେ ତନ୍ତ୍ରବିଦ୍ୟା ଓ ଅଥର୍ବବେଦ ବିଶାରଦ ଥିଲେ । ବୌଦ୍ଧଧର୍ମ ଓ ଜୈନଧର୍ମର ପରାଜୟ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପୁରୀଠାରେ ପୂର୍ବାମ୍ନାୟ ଗୋବର୍ଦ୍ଧନମଠର ସ୍ଥାପନା ଫଳରେ ବହୁ ବ୍ରାହ୍ମଣବଂଶ କେନ୍ଦ୍ରୀୟ ଓ ଉତ୍ତର ଭାରତରୁ ଉତ୍କଳକୁ ଆସିଲେ । ୮ମ ଶତାବ୍ଦୀରେ କେଶରୀବଂଶର ରାଜା ଯଯାତିକେଶରୀ ଯାଜପୁରର ବୈତରଣୀ ନଦୀ ନିକଟରେ କାନ୍ୟକୁବ୍ଜରୁ ଆସିଥିବା ବ୍ରାହ୍ମଣଙ୍କଦ୍ୱାରା ୧୦ଟି ଅଶ୍ୱମେଧ ଯାଗ କରାଇ ବ୍ରାହ୍ମଣଙ୍କୁ ବହୁ ନିଷ୍କର ଭୂମିଦାନ ଦେଇଥିଲେ । କ୍ରମେ ଗଙ୍ଗବଂଶ ରାଜୁତି ସମୟରେ ଦକ୍ଷିଣରୁ ମଧ୍ୟ ବ୍ରାହ୍ମଣମାନେ ଆସିଲେ । ମଧ୍ୟଯୁଗରେ ଉଜ୍ଜୟିନୀ, ପ୍ରୟାଗ, କାଶୀ, ମଗଧର ଟକାରୀ, ହସ୍ତୀଗ୍ରାମ, ଗୟା, ମିଥିଳା ଆଦି ସ୍ଥାନରୁ ମୋଗଲ ଆକ୍ରମଣରୁ ବଞ୍ଚିବା ପାଇଁ ଅନେକ ପରିବାର ଉତ୍କଳକୁ ଆସିଥିଲେ । କେଶରୀବଂଶର ସନନ୍ଦଗୁଡିକରେ ଭଟ୍ଟଗ୍ରାମ, ଭଟ୍ଟାଗ୍ରହାର ବା ଭଟ୍ଟଶାସନର ନାମ ଦେଖିବାକୁମିଳେ । ଭଟ୍ଟର ଅର୍ଥ ବିଦ୍ୱାନ୍ ବ୍ରାହ୍ମଣ ହୋଇଥିବାରୁ ଏହି ଗ୍ରାମ, ଅଗ୍ରହାର, ଶାସନଗୁଡ଼ିକ ସେହିମାନଙ୍କଦ୍ୱାରା ଅଧିକୃତ ହୋଇଥିଲା ବୋଲି ଜଣାଯାଏ ।[୨]

ଶାସ୍ତ୍ର ଓ ପୁରାଣରେ ବର୍ଣ୍ଣନା[ସମ୍ପାଦନା]

ଶିବ ପୁରାଣ ଏବଂ କାଶ୍ମୀର ରାଜାଙ୍କ ଦରବାରରେ କବି କହ୍ଳଣଙ୍କଦ୍ୱାରା ୧୨ଶ ଶତାବ୍ଦୀରେ ରଚିତ ରାଜତରଙ୍ଗିଣୀ ଅନୁସାରେ ହିନ୍ଦୁ ବ୍ରାହ୍ମଣମାନେ ଭୌଗୋଳିକ ଭାବରେ ୧୦ ଭାଗରେ ବିଭକ୍ତ । ଯଥା-ସାରସ୍ୱତ, କାନ୍ୟକୁବ୍ଜ, ଗୌଡ଼, ମୈଥିଳ, ଉତ୍କଳ (ପଞ୍ଚ ଗୌଡ଼), ଗୁର୍ଜ୍ଜର, ମହାରାଷ୍ଟ୍ର, ତୈଲଙ୍ଗ, କର୍ଣ୍ଣାଟ ଏବଂ ଦ୍ରାବିଡ଼ (ପଞ୍ଚ ଦ୍ରାବିଡ଼) ।

ରାଜତରଙ୍ଗିଣୀର ଶ୍ଲୋକ ଅନୁସାରେ:[୩]

କର୍ଣ୍ଣାଟକାଶ୍ଚ ତୈଲଙ୍ଗା ଦ୍ରାବିଡା ମହାରାଷ୍ଟ୍ରକା।
ଗୁର୍ଜ୍ଜରାଶ୍ଚେତି ପଞ୍ଚୈବ ଦ୍ରାବିଡା ବିନ୍ଧ୍ୟଦକ୍ଷିଣେ॥
ସାରସ୍ୱତାଃ କାନ୍ୟକୁବ୍ଜା ଗୌଡା ଉତ୍କଳମୈଥିଳାଃ ।
ପଞ୍ଚଗୌଡା ଇତି ଖ୍ୟାତା ବିନ୍ଧ୍ୟସ୍ୟୋତ୍ତରବାସିନଃ ॥

ଏହାର ଅର୍ଥ ବିନ୍ଧ୍ୟପର୍ବତର ଦକ୍ଷିଣକୁ ଥିବା (ବିନ୍ଧ୍ୟ ପର୍ବତ ନର୍ମଦା ଉପତ୍ୟକା ଏବଂ ଆଧୁନିକ ମଧ୍ୟପ୍ରଦେଶରେ ଅବସ୍ଥିତ) ରାଜ୍ୟମାନଙ୍କରେ ଥିବା କର୍ଣ୍ଣାଟକ, ତୈଲଙ୍ଗ ବା ତେଲୁଗୁ ବ୍ରାହ୍ମଣବର୍ଗ, ମହାରାଷ୍ଟ୍ରୀୟ, ଗୁର୍ଜ୍ଜର ବା ଗୁଜରାଟୀ, ଦ୍ରାବିଡ଼ ବା ତାମିଲ, ମାଲାୟାଲାମ ବ୍ରାହ୍ମଣବର୍ଗ ପଞ୍ଚ ଦ୍ରାବିଡ଼ରେ ଅନ୍ତର୍ଭୁକ୍ତ । ପୁନଶ୍ଚ ବିନ୍ଧ୍ୟର ଉତ୍ତର ଭାଗରେ ଥିବା ବ୍ରାହ୍ମଣମାନଙ୍କ ମଧ୍ୟରେ ସାରସ୍ୱତ ବା କାଶ୍ମୀର/ପଞ୍ଜାବ, କାନ୍ୟକୁବ୍ଜ ବା ଗାଙ୍ଗେୟ ସମତଳର ବ୍ରାହ୍ମଣବର୍ଗ, ଗୌଡ଼ ବା ହରିୟାଣାରାଜସ୍ଥାନ, ଉତ୍କଳ ବା ଓଡ଼ିଶା, ମୈଥିଳ ବା ଉତ୍ତର ବିହାର ଏବଂ ନେପାଳର ବ୍ରାହ୍ମଣବର୍ଗ ପଞ୍ଚଗୌଡ଼ ବ୍ରାହ୍ମଣ ଅନ୍ତର୍ଭୁକ୍ତ।[୪]

ଶ୍ରେଣୀବିଭାଗ[ସମ୍ପାଦନା]

ମୁକ୍ତିମଣ୍ଡପ ସଭାଦ୍ୱାରା ଉତ୍କଳୀୟ ବ୍ରାହ୍ମଣଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି:

  1. ବୈଦିକ ବା ଦାନୁଆ (ଶ୍ରୋତ୍ରୀୟ)
  2. ସେବାୟତ ବା ସାରୁଆ (ପୁରୋହିତ)
  3. ଅଶ୍ରୌତ ବା ହଳୁଆ (ମହାସ୍ଥାନ/ବଳରାମଗୋତ୍ରୀ)

ବୈଦିକ ବା ଦାନୁଆ (ଶ୍ରୋତ୍ରୀୟ)[ସମ୍ପାଦନା]

ଏହା ମଧ୍ୟ ଭୌଗୋଳିକ ଆଚାର ବ୍ୟବହାର ଅନୁସାରେ ଦୁଇଭାଗରେ ବିଭକ୍ତ । ଯଥା:

  1. ଯାଜପୁରିଆ (ବିରଜା ପଞ୍ଜିକା ଅନୁସରଣକାରୀ ଦାନୁଆ)
  2. କଳିଙ୍ଗା ବା ଦକ୍ଷିଣୀ (ସାମନ୍ତ ବା ଜଗନ୍ନାଥ ପଞ୍ଜିକା ଅନୁସରଣକାରୀ ଦାନୁଆ)

ସେବାୟତ ବା ସାରୁଆ (ପୁରୋହିତ)[ସମ୍ପାଦନା]

ଏହାର ତିନୋଟି ବର୍ଗ ରହିଛି। ଯଥା:

  1. ଦେଉଳିଆ ବା ପୁଜାହାରୀ (ମନ୍ଦିର ପୂଜକ)
  2. ପଢ଼ିଆରୀ ବା ପଣ୍ଡାମହାଜନ (କର୍ମକାଣ୍ଡୀୟ ପୁରୋହିତ)
  3. ଆରଣ୍ୟକ ବା ଝାଡ଼ୁଆ (ପଶ୍ଚିମ ଓଡ଼ିଶାର କର୍ମକାଣ୍ଡୀୟ ପୁରୋହିତ)

ଅଶ୍ରୌତ ବା ହଳୁଆ (ମହାସ୍ଥାନ/ବଳରାମଗୋତ୍ରୀ)[ସମ୍ପାଦନା]

ହଳୁଆମାନେ ମୁଖ୍ୟତଃ କର୍ମକାଣ୍ଡ, ବେଦଶାସ୍ତ୍ରାଦି ଅଧ୍ୟୟନ, ଅଧ୍ୟାପନା, ଯଜ୍ଞ-ହୋମାଦି, ଦାନ, ପ୍ରତିଗ୍ରହ କରିପାରନ୍ତି ନାହିଁ । ଅନେକ ବର୍ଷତଳୁ ଏମାନେ ନିଜର ମୁଖ୍ୟ ବୃତ୍ତି ତ୍ୟାଗ କରି କୃଷି, ବାଣିଜ୍ୟାଦି କରୁଥିବାର ଜଣାଯାଏ । କେବଳ ଏମାନେ ବ୍ରାହ୍ମଣ ନିୟମ ପାଳନ କରିଥାନ୍ତି । ଉପରୋକ୍ତ ସାରୁଆ ଓ ଦାନୁଆ ଗୋଷ୍ଠୀ ପରବର୍ତ୍ତୀ କାଳରେ ଏମାନଙ୍କ ସହ ବୈବାହିକ ସମ୍ପର୍କ ତ୍ୟାଗ କରିଛନ୍ତି ।

ବୈଦିକ ଶାଖାବିଚାର[ସମ୍ପାଦନା]

ଉତ୍କଳ ବ୍ରାହ୍ମଣଗଣ ମୁଖ୍ୟତଃ ବେଦ ବା ଶ୍ରୌତ ପରମ୍ପରା ପାଳନ କରନ୍ତି । ପ୍ରତ୍ୟେକ ବ୍ରାହ୍ମଣ ପରିବାର କୌଣସି ଗୋଟିଏ ବୈଦିକଶାଖାର କଳ୍ପସୂତ୍ରକୁ ଅବଲମ୍ବନ କରି ନିଜର ଷୋହଳ ସଂସ୍କାର, ପୂଜାପର୍ବ, ଗାୟତ୍ରୀ ଉପାସନା, ପଇତା, ଶ୍ରାଦ୍ଧ ଆଦି କରିଥାନ୍ତି । ଓଡ଼ିଶାରେ ଚାରିବେଦର ବ୍ରାହ୍ମଣ ବାସକରନ୍ତି । ସେମାନଙ୍କ ଶାଖା ଓ ତତ୍ ସମ୍ପର୍କିତ କଳ୍ପସୂତ୍ର ନିମ୍ନରେ ଦିଆଗଲା:

  • ଋଗବେଦ: ଉତ୍କଳୀୟ ଋଗବେଦୀମାନେ ବାଷ୍କଳ ଶାଖା ଅଧ୍ୟୟନ କରିବା କଥା କିନ୍ତୁ ବର୍ତ୍ତମାନ ବାଷ୍କଳ ସଂହିତା ଲୋପ ପାଇଯିବାରୁ ଶାକଳ ଶାଖା ଅଧ୍ୟୟନ କରାଯାଉଛି । ଏହି ଶାଖାର କଳ୍ପସୂତ୍ର ଆଶ୍ୱଳାୟନ କଳ୍ପସୂତ୍ର (ଶ୍ରୌତ, ଗୃହ୍ୟ ଉଭୟ) ।
  • ଯଜୁର୍ବେଦ: ଓଡ଼ିଶାରେ ଯଜୁର୍ବେଦୀମାନେ ମୁଖ୍ୟତଃ ଶୁକ୍ଳଯଜୁର୍ବେଦର ବାଜସନେୟୀ-କାଣ୍ୱ ଶାଖା ଅବଲମ୍ବନ କରନ୍ତି ଯାହା ସାରା ଭାରତରେ ବିରଳ । ଭାରତର ଅନ୍ୟ ପ୍ରାନ୍ତରେ କୃଷ୍ଣଯଜୁର୍ବେଦ ତଥା ଶୁକ୍ଳଯଜୁର୍ବେଦୀୟ ମାଧ୍ୟନ୍ଦିନ ଶାଖା ପଢ଼ାଯାଏ । ଏହି ଶାଖାର କଳ୍ପସୂତ୍ର କାତ୍ୟାୟନ (ଶ୍ରୌତସୂତ୍ର, ଶୁଲ୍ୱସୂତ୍ର) ଏବଂ ପାରସ୍କର ଗୃହ୍ୟସୂତ୍ର ।
  • ସାମବେଦ: ଓଡ଼ିଶାର ସାମବେଦୀମାନେ ସାଧାରଣତଃ ନନ୍ଦ, ତ୍ରିପାଠୀ ସାଙ୍ଗିଆଧାରୀ ତଥାପି ଅନ୍ୟ ସାଙ୍ଗିଆଧାରୀ ମଧ୍ୟ ଅଳ୍ପସଂଖ୍ୟାରେ ଦେଖାଯାଆନ୍ତି । ଏହିମାନେ କୌଥୁମୀ ଶାଖା ଅଧ୍ୟୟନ କରନ୍ତି । ଏହି ଶାଖାର କଳ୍ପସୂତ୍ର ଦ୍ରାହ୍ୟାୟଣ (ଶ୍ରୌତସୂତ୍ର) ଏବଂ ଗୋଭିଲ୍ୟ ଗୃହ୍ୟସୂତ୍ର ।
  • ଅଥର୍ବବେଦ: ଉତ୍କଳୀୟ ଅଥର୍ବବେଦୀମାନେ ଅଥର୍ବବେଦର ଲୁପ୍ତପ୍ରାୟ ପୈପ୍ପଳାଦ ଶାଖା ମାନିଥାନ୍ତି ଏବଂ ଏହା କେବଳ ଓଡ଼ିଶାରେ ଦେଖାଯାଏ । ଏମାନେ ସର୍ବପୁରାତନ ଉତ୍କଳ ବ୍ରାହ୍ମଣଗୋଷ୍ଠୀ ଏବଂ ପୈପ୍ପଳାଦ ଶାଖା ଅଧ୍ୟୟନ କରନ୍ତି । ଏହି ଗୋଷ୍ଠୀର କଳ୍ପସୂତ୍ର ବୈତାନ ଶ୍ରୌତସୁତ୍ର ଏବଂ କୌଶିକ ଗୃହ୍ୟସୂତ୍ର ।[୫]

ଅଭିବାଦନ[ସମ୍ପାଦନା]

'ଅଭିବାଦନ ଶୀଳସ୍ୟ' ବୋଲି ଗୋଟିଏ ଆର୍ଷ ଉକ୍ତି ରହିଛି । ଏହି ଅଭିବାଦନଦ୍ୱାରା ବ୍ରାହ୍ମଣସନ୍ତାନଙ୍କ ବଂଶ ପରିଚୟ ମିଳିଥାଏ । ଏହି ଅଭିବାଦନ ମଧ୍ୟରେ ବ୍ୟକ୍ତିର ନାମ, ଗୋତ୍ର, ପ୍ରବର, ବେଦ, ଶାଖା, କଳ୍ପସୂତ୍ର ଆଦି ଉଲ୍ଲେଖ କରାଯାଇଥାଏ । ଉଦାହରଣ ସ୍ୱରୂପ: "ଅଭିବାଦୟେ ଭାର୍ଗବ-ଚ୍ୟବନ-ଅପ୍ନବାନ-ଔର୍ବ-ଜାମଦଗ୍ନ୍ୟ ପଞ୍ଚାର୍ଷେୟ ପ୍ରବରାନ୍ୱିତ ବତ୍ସସ୍ୟ ଗୋତ୍ର ଉତ୍ପନ୍ନ ଶୁକ୍ଳଯଜୁର୍ବେଦୀୟ ବାଜସନେୟୀ କାଣ୍ୱଶାଖା କାତ୍ୟାୟନ କଳ୍ପସୂତ୍ରାଧ୍ୟାୟୀ ଦିବ୍ୟସିଂହ ଦେବଶର୍ମା ଅହଂ ଭୋଃ ଆଚାର୍ଯ୍ୟ/ଦେବଃ/ଦେବୀ" ।[୬]

ଗୋତ୍ର[ସମ୍ପାଦନା]

ନିଜର ବଂଶର ପ୍ରବର୍ତ୍ତକ ବା ଆଦି ପିତାଙ୍କ ନାମରେ ଗୋତ୍ର ପ୍ରଚଳନ ହୋଇଥାଏ । ଉତ୍କଳର ସମସ୍ତ ବ୍ରାହ୍ମଣବର୍ଗ ସପ୍ତଋଷିଙ୍କର ବଂଶଧର ଅଟନ୍ତି । ଏହି ସପ୍ତର୍ଷିମାନେ ହେଲେ ଅତ୍ରି, ଭୃଗୁ, ଅଙ୍ଗିରା, କାଶ୍ୟପ, ବଶିଷ୍ଠ, ବିଶ୍ୱାମିତ୍ର ଏବଂ ଅଗସ୍ତ୍ୟ । ଦୈନିକ ତ୍ରିସନ୍ଧ୍ୟା ଗାୟତ୍ରୀ ଜପ ସମୟରେ ତଥା ବୈଦିକ ସଂସ୍କାର (ବ୍ରତଘର, ବିବାହ, ନାମକରଣ ଆଦି) ସମୟରେ ଗୋତ୍ର ବିଚାର କରାଯାଏ । ହିନ୍ଦୁ ଧର୍ମଶାସ୍ତ୍ର ଯଥା ଗୃହ୍ୟ ସୂତ୍ର ଅନୁସାରେ ଭାଇଭଉଣୀ ହିସାବ ହେତୁ ସମ ଗୋତ୍ର/ସମ ବଂଶରେ ବିବାହ ନିଷିଦ୍ଧ । ତେଣୁ ଅନ୍ୟ ଋଷିଙ୍କ ଗୋତ୍ରର କନ୍ୟା ବା ବର ସହ ବିବାହ ପାଇଁ ନିର୍ଦ୍ଦେଶ ଅଛି ।

ପ୍ରବର[ସମ୍ପାଦନା]

ପ୍ରତ୍ୟେକ ଗୋତ୍ରର ଗୋତ୍ରପିତା ଋଷିଙ୍କର ପୁଅ, ନାତି, ଅଣନାତି ଆଦିଙ୍କୁ ନେଇ ପ୍ରବର ଗଠିତ । କୌଣସି ଗୋତ୍ରର ତିନୋଟି ପ୍ରବର ଥିଲାବେଳେ କୌଣସି ଗୋତ୍ରର ପଞ୍ଚୋଟି, ସାତୋଟି ପ୍ରବର ମଧ୍ୟ ଥାଏ । ଗୋତ୍ର ବିଚାର ସମୟରେ ଗୋତ୍ରପିତା ଋଷିଙ୍କର ପୁତ୍ର, ପୌତ୍ର ବା ପ୍ରବର ଋଷିଙ୍କର ମଧ୍ୟ ବିଚାର କରାଯାଏ । ଏହି ପ୍ରବର ଋଷି ସମାନ ଥିଲେ ଏକ ବଂଶ ଅନ୍ତର୍ଗତ ଗୋତ୍ର ବୋଲି ଧରାଯାଏ ଏବଂ ବିବାହ ହୁଏନାହିଁ ।[୬]

ନିମ୍ନରେ ଉତ୍କଳ ବ୍ରାହ୍ମଣ ସମାଜରେ ପ୍ରଚଳିତ କେତୋଟି ଗୋତ୍ରର ପ୍ରବର ଦିଆଗଲା ।

ଅତ୍ରି ବଂଶ[ସମ୍ପାଦନା]

  • ଆତ୍ରେୟ/କୃଷ୍ଣାତ୍ରେୟ: ଆତ୍ରେୟ, ଅର୍ଚ୍ଚନସ୍ୟ, ଶ୍ୟାବାଶ୍ୱ ତିନି ପ୍ରବର

ଅଙ୍ଗିରା ବଂଶ[ସମ୍ପାଦନା]

  • ଗୌତମସ୍ୟ: ଆଙ୍ଗିରସ୍ୟ, ଆୟାସ୍ୟ, ଗୌତମସ୍ୟ ତିନି ପ୍ରବର
  • ଭାରଦ୍ୱାଜ: ଆଙ୍ଗିରସ୍ୟ, ବାର୍ହସ୍ପତ୍ୟ, ଭାରଦ୍ୱାଜ ତିନି ପ୍ରବର
  • ଗାର୍ଗ୍ୟସ୍ୟ: ଆଙ୍ଗିରସ୍ୟ, ବାର୍ହସ୍ପତ୍ୟ, ଭାରଦ୍ୱାଜ, ଶୈନ୍ୟ, ଗାର୍ଗ୍ୟ ପଞ୍ଚ ପ୍ରବର
  • ସାଙ୍କୃତ୍ୟସ: ଆଙ୍ଗିରସ୍ୟ, କୌରବିଧ, ସାଙ୍କୃତି ତିନି ପ୍ରବର
  • ହାରିତସ: ଆଙ୍ଗିରସ୍ୟ, ଅମ୍ବରୀଷ, ୟୁବନାଶ୍ୱ ତିନି ପ୍ରବର
  • ମୌଦଗଲ୍ୟ: ଆଙ୍ଗିରସ୍ୟ, ଭର୍ମ୍ୟାଶ୍ୱ, ମୌଦଗଲ୍ୟ ତିନି ପ୍ରବର
  • କୌତ୍ସସ୍ୟ: ଆଙ୍ଗିରସ୍ୟ, ମାନ୍ଧାତା, କୌତ୍ସ ତିନି ପ୍ରବର
  • କପିଳ/କାପ୍ୟ: ଆଙ୍ଗିରସ୍ୟ, ଅମହୈୟ, ଔରୁକ୍ଷୟ ତିନି ପ୍ରବର
  • କାଣ୍ୱ: ଆଙ୍ଗିରସ୍ୟ, ଘୋର, କାଣ୍ୱ ତିନି ପ୍ରବର

ଭୃଗୁ ବଂଶ[ସମ୍ପାଦନା]

  • ବତ୍ସସ୍ୟ: ଭାର୍ଗବ, ଚ୍ୟବନ, ଆପ୍ନବାନ, ଔର୍ବ, ଜାମଦଗ୍ନ୍ୟ ପଞ୍ଚ ପ୍ରବର
  • ବାଧୁଳ: ଭାର୍ଗବ, ବୈତହବ୍ୟ, ସବେଦସ ତିନି ପ୍ରବର
  • ସାବର୍ଣି: ଭାର୍ଗବ, ବୈତହବ୍ୟ, ସବେଦସ ତିନି ପ୍ରବର
  • ଦିବୋଦାସ: ଭାର୍ଗବ, ବୈତହବ୍ୟ, ସବେଦସ ତିନି ପ୍ରବର
  • ବିଦସ/ଯାଷ୍କ: ଭାର୍ଗବ, ଚ୍ୟବନ, ଆପ୍ନବାନ, ଔର୍ବ, ବୈଦ ପଞ୍ଚ ପ୍ରବର
  • ଆର୍ଷ୍ଟିଷେଣ: ଭାର୍ଗବ, ଚ୍ୟବନ, ଆପ୍ନବାନ, ଔର୍ବ, ଅନୁପ ପଞ୍ଚ ପ୍ରବର
  • ଗାର୍ତ୍ସମଦ: ଭାର୍ଗବ, ସୁନହୋତ୍ର, ଗାର୍ତ୍ସମଦ ତିନି ପ୍ରବର
  • ମୈତ୍ରେୟ: ଭାର୍ଗବ, ଦୈବୋଦାସ, ବୈଧ୍ରାସବ ତିନି ପ୍ରବର

କଶ୍ୟପ ବଂଶ[ସମ୍ପାଦନା]

  • କାଶ୍ୟପ: କଶ୍ୟପ, ଅବତ୍ସାର, ଦୈବଳ ତିନି ପ୍ରବର
  • ଶାଣ୍ଡିଲ୍ୟ: କଶ୍ୟପ, ଅବତ୍ସାର, ଶାଣ୍ଡିଲ୍ୟ କିମ୍ବା କଶ୍ୟପ, ଦୈବଳ, ଅସିତ ତିନି ପ୍ରବର

ବଶିଷ୍ଠ ବଂଶ[ସମ୍ପାଦନା]

  • ବସିଷ୍ଠ: ବାସିଷ୍ଠ ଏକ ପ୍ରବର
  • ପରାଶର: ବସିଷ୍ଠ, ଶାକ୍ତ୍ୟ, ପାରାଶର୍ୟ ତିନି ପ୍ରବର
  • କୌଣ୍ଡିନ୍ୟସ: ବସିଷ୍ଠ, ମିତ୍ରାବରୁଣ, କୌଣ୍ଡିନ୍ୟ ତିନି ପ୍ରବର
  • ଉପମନ୍ୟୁ: ବସିଷ୍ଠ, ଐନ୍ଦ୍ରପ୍ରମଦ, ଆଭରଦ୍ୱସୁ ତିନି ପ୍ରବର
  • କପିଞ୍ଜଳ: ବସିଷ୍ଠ, ଐନ୍ଦ୍ରପ୍ରମଦ, ଆଭରଦ୍ୱସୁ ତିନି ପ୍ରବର

ବିଶ୍ୱାମିତ୍ର ବଂଶ[ସମ୍ପାଦନା]

  • କୌଶିକସ୍ୟ/ଘୃତକୌଶିକସ୍ୟ: ବିଶ୍ୱାମିତ୍ର, ଅଘମର୍ଷଣ, କୌଶିକ ଏହି ତିନି ପ୍ରବର
  • କାଳବୌଧ: ବିଶ୍ୱାମିତ୍ର, ଅଘମର୍ଷଣ, କାଳବୌଧ ଏହି ତିନି ପ୍ରବର
  • ବିଶ୍ୱାମିତ୍ର: ବିଶ୍ୱାମିତ୍ର, ଦେବରାତ, ଔତାଳ ଏହି ତିନି ପ୍ରବର

ଅଗସ୍ତ୍ୟ ବଂଶ[ସମ୍ପାଦନା]

  • ଅଗସ୍ତ୍ୟ: ଅଗସ୍ତ୍ୟସ, ତାର୍ଧ୍ୟାଚ୍ୟୁତ, ସୋମବହ ତିନି ପ୍ରବର

ମୁକ୍ତିମଣ୍ଡପ[ସମ୍ପାଦନା]

ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ଉତ୍କଳ ବ୍ରାହ୍ମଣମାନଙ୍କର ଗୋଟିଏ ମୁଖ୍ୟ ଅନୁଷ୍ଠାନ । ଗୋବର୍ଦ୍ଧନ ପୀଠର ମୁଖ୍ୟ ଶଙ୍କରାଚାର୍ଯ୍ୟ ଏହାର ମୁଖ୍ୟ ବ୍ୟାବସ୍ଥାପକ ଓ ସଞ୍ଚାଳକ । ଏହି ମଣ୍ଡପ କପିଳେନ୍ଦ୍ର ଦେବ ଓ ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଅନେକ ପୁନଃନିର୍ମାଣ କରାଯାଇଥିଲା । ପୁରୀ ନିକଟବର୍ତ୍ତୀ ୧୬ଟି ବ୍ରାହ୍ମଣ ଗ୍ରାମକୁ ଷୋହଳ ଶାସନ ନାମ ଦିଆହୋଇଛି । ଏହିସବୁ ଗ୍ରାମର ପଣ୍ଡିତମାନେ ମୁକ୍ତିମଣ୍ଡପର ଅଧ୍ୟକ୍ଷତା କରନ୍ତି ।[୭]

ପର୍ବପର୍ବାଣି[ସମ୍ପାଦନା]

ଉତ୍କଳୀୟ ବ୍ରାହ୍ମଣମାନେ ପାଳୁଥିବା ପବପର୍ବାଣି ମଧ୍ୟରେ ପଣା ସଙ୍କ୍ରାନ୍ତି (ନବବର୍ଷ), ଜ୍ୟେଷ୍ଠମାସରେ ଅନୁଷ୍ଠିତ ଶୀତଳ ଷଷ୍ଠୀ (ଶିବବିବାହ), ଚମ୍ପକଦ୍ୱାଦଶୀ (କୃଷ୍ଣରୁକ୍ମିଣୀ ବିବାହ), ରଥଯାତ୍ରା, ଗହ୍ମା ପୁନେଇ, ଜନ୍ମାଷ୍ଟମୀ, ବାଲି ତୃତୀୟା, ଗଣେଶ ପୂଜା, ମହାଳୟା (ମଉଳାଶ୍ରାଦ୍ଧ), ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା, ଦୀପାବଳୀ (ପୟାଶ୍ରାଦ୍ଧ), କାର୍ତ୍ତିକ ପୁନେଇ, ପ୍ରଥମାଷ୍ଟମୀ, ମାଣବସା ଗୁରୁବାର, ମକର ସଂକ୍ରାନ୍ତି, ଶ୍ରୀପଞ୍ଚମୀ, ଜାଗର ଅମାବାସ୍ୟା, ଚଇତି ମଙ୍ଗଳବାର ଆଦି ।

ଖାଦ୍ୟପେୟ[ସମ୍ପାଦନା]

ଓଡ଼ିଶା ଏକ ସମୁଦ୍ରତଟବର୍ତ୍ତୀ ଓ ନଦନଦୀ ଭରା ରାଜ୍ୟ ହୋଇଥିବାରୁ ଏଠାକାର ବାସିନ୍ଦାମାନେ ଆମିଷାଶୀ । ଅନେକ ବୈଦିକ ବ୍ରାହ୍ମଣମାନେ ଏବେପର୍ଯ୍ୟନ୍ତ ନିରାମିଷାଶୀ । ତେବେ ଅନେକ ବ୍ରାହ୍ମଣବର୍ଗ ଶାକ୍ତ/ଦେବୀପୂଜକ ଥିବାରୁ ଏବଂ ବଳିପ୍ରଥାର ପ୍ରଚଳନ ଥିବାରୁ ମାଛ, ମାଂସ ଆଦି ନୈବେଦ୍ୟ ଭାବରେ ଖାଇଥାନ୍ତି । ମାଂସ ଭିତରେ କେବଳ ଛେଳିମାଂସ ଖାଇବା ପ୍ରଚଳନ ରହିଛି । ଅନେକ ଶାକ୍ତ/ତାନ୍ତ୍ରିକ ପରିବାରମାନଙ୍କରେ ଛେଳି ବ୍ୟତୀତ କୁକୁଡ଼ା, ବାରହା, ହରିଣ ଆଦି ମାଂସ ତଥା ଅଣ୍ଡା ଖିଆଯାଏନାହିଁ । ଅନ୍ୟାନ୍ୟ ଓଡ଼ିଆ ଖାଦ୍ୟପେୟ ଓ ରାନ୍ଧଣା ସହ ଉତ୍କଳ ବ୍ରାହ୍ମଣ ଖାଦ୍ୟପେୟର ସାମଞ୍ଜସ୍ୟ ରହିଛି । କେତେକ କ୍ଷେତ୍ରରେ ପିଠାପଣା, ଭାତତିଅଣ ଆଦି ପିଆଜ, ରସୁଣାବିହୀନ ହୋଇଥାଏ ।[୮]

ପ୍ରସିଦ୍ଧ ଉତ୍କଳ ବ୍ରାହ୍ମଣ[ସମ୍ପାଦନା]

ଟୀକା[ସମ୍ପାଦନା]

  1. cf.The Tribes and Castes of Central Provinces of India, by R. V. Russel,I.C.S,(assisted by R. B. Hira Lal),4 Vols,Macmillan and Co; New Ed edition (2 Aug 1995) : Asian Educational Services,India; Language English,ISBN 81-206-0833-X,ISBN 978-81-206-0833-7.
  2. A History of Brahmin Clans , page 155
  3. cf.Kalhana's Rajatarangini: A Chronicle of the Kings of Kashmir; 3 Volumes > M.A.Stein (translator),(Introduction by Mohammad Ishaq Khan),published by Saujanya Books at Srinagar,2007,(First Edition pub. in 1900),ISBN 81-8339-043-9 / ISBN 8183390439.
  4. cf. Kalhana's Rajatarangini in reference for English version.
  5. cf. http://en.wikipedia.org/wiki/Utkala_Brahmin#Shakha_of_Utkala_Brahmins.
  6. ୬.୦ ୬.୧ cf. http://en.wikipedia.org/wiki/Pravaras.
  7. cf.http://www.harekrsna.com/sun/features/01-10/features1602.htm.
  8. cf.http://en.wikipedia.org/wiki/Utkala_Brahmin#The_Oriya_Brahmin_Diet.

ଆଧାର[ସମ୍ପାଦନା]

  • A History of Brahmin Clans (Brāhmaṇa Vaṃshõ kā Itihāsa) in Hindi, by Dorilāl Śarmā, published by Rāśtriya Brāhamana Mahāsabhā, Vimal Building, Jamirābād, Mitranagar, Masūdābād, Aligarh-1, 2nd ed-1998. (This Hindi book contains the most exhaustive list of Brahmana gotras and pravaras together their real and mythological histories).
  • Jāti-Bhāṣkara by Pt. Jwālā Prasād Misra, published by Khemaraj Shrikrishnadas, Bombay, (1914).
  • Hindu Castes and Sects Jogendranath Bhattacharya; First Editions :Calcutta, 1896); New Ed:New Delhi: Munshiram Manoharlal Publications, 1995.
  • Mayne's "Treatise on Hindu Law and Usage, 15th ed., New Delhi: Bharat Law House, 2003.
  • Kane, Pandurang Vaman (1880 - 1972), "History of Dharmaśāstra " (ancient and mediæval religious and civil law in India), Poona: Bhandarkar Oriental Research Institute. 1962 - 1975.
  • Hindu Manners, Customs, and Ceremonies, by Abbe J. A. Dubois, English translation first published in 1816, Reprint. 1999 (Third edition. Delhi, Low Price Pub.), 2 volumes, 741 p., ISBN 81-7020-927-7.
  • (Manusmriti) :Translation by G. Bühler (1886). Sacred Books of the East: The Laws of Manu (Vol. XXV). Oxford. Available online as The Laws of Manu
  • History of India by Herman Kulke and Dietmar Rothermund, Published 2004, Routledge, 448 pages, ISBN 0-415-32920-5
  • Brāhmaṇotpatti-mārtaṇḍa by Harikṛṣṇa Śāstri, (Sanskrit), 1871
  • [୧] migrant brahamana in north India by Swati Dutta