ନବକୃଷ୍ଣ ଚୌଧୁରୀ

ଉଇକିପିଡ଼ିଆ‌ରୁ
ନବକୃଷ୍ଣ ଚୌଧୁରୀ
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୧୨ ମଇ ୧୯୫୦ – ୧୯ ଅକ୍ଟୋବର ୧୯୫୬
ପୂର୍ବ ଅଧିକାରୀହରେକୃଷ୍ଣ ମହତାବ
ପର ଅଧିକାରୀବିଜୁ ପଟ୍ଟନାୟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1901-11-23)୨୩ ନଭେମ୍ବର ୧୯୦୧
ଖେରସା, ଜଗତସିଂହପୁରର
ମୃତ୍ୟୁ୨୪ ଜୁନ ୧୯୮୪(1984-06-24) (ବୟସ ୮୨)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମାଳତୀ ଚୌଧୁରୀ

ନବକୃଷ୍ଣ ଚୌଧୁରୀ (୧୯୦୧ ନଭେମ୍ବର ୨୩ - ୧୯୮୪ ଜୁନ ୨୪) ଓଡ଼ିଶାରେ ଜନ୍ମିତ ଜଣେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ ଥିଲେ । ସେ ୧୨ ମଇ ୧୯୫୦ଠାରୁ ୧୯ ଅକ୍ଟୋବର ୧୯୫୬ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ।

ଜୀବନୀ[ସମ୍ପାଦନା]

ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ ଜନ୍ମ ନେଇଥିଲେ । ତାଙ୍କର ପିତା ଗୋକୁଳାନନ୍ଦ ଚୌଧୁରୀ ଜଣେ ଓକିଲ ଭାବରେ କାମ କରୁଥିଲେ । ନବକୃଷ୍ଣ ପ୍ୟାରୀମୋହନ ଏକାଡେମି ୧୪ ବର୍ଷ ବୟସରେ ଶିକ୍ଷା ସମାପନ କରିଥିଲେ । ନବକୃଷ୍ଣ ଶୈଶବରେ ଖେଳ-କସରତ ପ୍ରିୟ ଥିଲେ । ଆଉ ପିତା ତାଙ୍କୁ ଏହି ଦିଗରେ ଉତ୍ସାହିତ କରୁଥିଲେ, ସ୍ୱତନ୍ତ୍ର ଭାବେ ତାଲିମ ଦେବା ନିମନ୍ତେ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ । ପରେ ପାଠ ପଢ଼ିବା ପାଇଁ ତାଙ୍କ ଆଗ୍ରହ ଦେଖି ତାଙ୍କୁ କଟକସ୍ଥିତ ପ୍ୟାରୀମୋହନ ଏକାଡେମୀରେ ଭର୍ତ୍ତିକରାଯାଇଥିଲା । ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ୱର ସହ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ ଭାରତର ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢ଼ା ଛାଡି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ । ସାବରମତୀ ଆଶ୍ରମରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା ଏବଂ ଓଡ଼ିଶା ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇ ସେଠାରେ ତାଙ୍କ ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା ।[୧] ବିବାହ ପରେ ଦୁହେଁ ଆସି ଜଗତସିଂହପୁର ଅନ୍ତର୍ଗତ ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ ସାରଥୀ ଏବଂ ତା ପରେ କୃଷକ ନାମକ ପତ୍ରିକା ବାହାର କରିଥିଲେ ।

ରାଜନୀତି[ସମ୍ପାଦନା]

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି ଭାରତ ସ୍ୱାଧୀନତା ପରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ ରାଜସ୍ୱ ମନ୍ତ୍ରୀ ହୋଇଥିଲେ । ଏକ ମାତ୍ର ପୁତ୍ର ବିନାୟକଙ୍କ ଆତ୍ମହତ୍ୟା ତାଙ୍କୁ ବ୍ୟଥିତ କରିବାରୁ ସେ ସରକାରରୁ ଇସ୍ତଫା ଦେଇ ଜନସେବାରେ ବ୍ରତୀ ହୋଇଥିଲେ । ପରେ ନେହେରୁଙ୍କ ଉଦ୍ୟମରେ ରାଜ୍ୟର ଶାସନ ଭାର ସମ୍ଭାଳି ଥିଲେ । ନବକୃଷ୍ଣଙ୍କ ଶାସନ କାଳରେ ହୀରାକୁଦ ବନ୍ଧ, ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ବହୁ ବିରୋଧ ସତ୍ତ୍ୱେ ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା । ତାଙ୍କ ଉଦ୍ୟମରେ ମୃତ୍ୟୁଦଣ୍ଡ ପାଇଥିବା ନକ୍ସଲ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ରାଜକ୍ଷମା ପ୍ରଦାନ କରାଯାଇଥିଲା । ଜରୁରିକାଳୀନ ପରିସ୍ଥିତିରେ ଉତ୍ତିର୍ଣ୍ଣ ବୟସରେ ଥିଲେ ସୁଦ୍ଧା ସେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ ଦେଇ ଗିରଫ ହୋଇଥିଲେ । ୧୯୮୪ ଜୁନ ୨୪ରେ ସେ ମୃତ୍ୟୁବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2010-04-14. Retrieved 2012-11-27. {{cite web}}: Cite has empty unknown parameter: |1= (help)

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Llc Books. Orissa Politicians: Chief Ministers Of Orissa, Nabakrushna Choudhuri, Biju Patnaik, Nandini Satpathy, Naveen Patnaik, Harekrushna Mahatab. ISBN 978-1-158-20881-4. pp. 66. June 2010 (English)

Lua error in package.lua at line 80: module 'Module:Authority control/config' not found.