ଝୁଲଣ ଯାତ୍ରା
ଝୁଲଣଯାତ୍ରା | |
---|---|
ପାଳନକାରୀ | ଶ୍ରୀମନ୍ଦିର ସହ ସମସ୍ତ ବିଷ୍ଣୁ ମନ୍ଦିର । |
ଆରମ୍ଭ | ଶ୍ରାବଣ ଶୁକ୍ଳ ଦଶମୀ |
ଶେଷ | ଭାଦ୍ରବ ପ୍ରତିପଦ |
ତାରିଖ | ୬ ଅଗଷ୍ଟ ୨୦୨୨ |
୨୦୨୪ ତାରିଖ |
ଶ୍ରୀମନ୍ଦିରରେ ଏହି ଝୁଲଣ ଯାତ୍ରା ଶ୍ରାବଣ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।[୧] ଶ୍ରୀକୃଷ୍ଣଙ୍କର ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ବିଳାସମୟ ଦୋଳିଖେଳ ।
କିମ୍ବଦନ୍ତୀ
[ସମ୍ପାଦନା]ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ସେବା ସମସ୍ତ ଦେବତାଗଣ, ମନୁଷ୍ୟ ଓ ଗୋପୀମାନେ ପାଇବା ଦେଖି ଗନ୍ଧର୍ବମାନେ ମଧ୍ୟ କିଛି ସେବାପାଇଁ ପ୍ରାର୍ଥନା କଲେ । ସେ ଅନୁସାରେ ଏକ ସୁନ୍ଦର ଝିଲମିଲ ଜରିଜମ୍ବୁରାରେ ତିଆରି ଗୋଟିଏ କୁଞ୍ଜରେ ରାଧା ଓ କୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲାଇବାର ସେବା ସେମାନଙ୍କୁ ମିଳିଲା । [୨]
ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା
[ସମ୍ପାଦନା]ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା ।[୩] ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି ।
ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି ।[୪] ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି, ତାହା ପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି ।
ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତନ, ଭଜନରେ ମନ୍ଦିର ଉଲ୍ଲସିତ ହୋଇଉଠେ । ଏହା ଶ୍ରୀମନ୍ଦିର ସହ ପ୍ରାୟ ସମସ୍ତ ରାଧାକୃଷ୍ଣ ମନ୍ଦିରରେ ଅଧିକାଂଶ ମଠରେ ପାଳନ କରାଯାଇଥାଏ ।
ଆଧାର
[ସମ୍ପାଦନା]- ↑ "SRI JHULAN YATRA". Salagram.net. Archived from the original on 30 September 2012. Retrieved 16 August 2014.
- ↑ ପ୍ରତିହାରୀ, ରବିନ୍ଦ୍ରନାଥ. ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ. ଏସ୍ବି ପବ୍ଲିକେଶନ୍ସ. p. ୧୦୬. ISBN 8174041184.
- ↑ "Jhulana Yatra". orissadiary.com. Archived from the original on 10 April 2016. Retrieved 30 June 2016.
The festival in the temple was first initiated by the Gajapati king Dibyasingha Dev-II
- ↑ "Radha Govinda Jhulana Yatra begins - ISKCON Desire Tree - Devotee Network". iskcondesiretree.net. Retrieved 13 February 2013.
Sri Madanmohan, Jagannath's representative deity (vijay utsav), as well as Laxmi and Vishwadhatri are placed on a decorative wooden swing on Muktimandap (Jhulanmandap).