Jump to content

ଗର୍ଭଣା ସଂକ୍ରାନ୍ତି

ଉଇକିପିଡ଼ିଆ‌ରୁ
(Garbhana Sankrantiରୁ ଲେଉଟି ଆସିଛି)
ଗର୍ଭଣା ସଂକ୍ରାନ୍ତି
ପାଳନକାରୀକୃଷକ, ଗୃହମାଲିକ
ପ୍ରକାରକୃଷି
ପାଳନଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତାଯାଏ
ତାରିଖତୁଳା ସଂକ୍ରାନ୍ତି
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ

ଓଡ଼ିଶାର ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ । ତୁଳା ମାସର ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି ନାମରେ ଜଣାଯାଏ । ଇଂରାଜୀ ମାସ ଅକ୍ଟୋବରରେ ପଡ଼େ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି- ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।

ଯେଉଁ ଅଞ୍ଚଳରେ ମୁଖ୍ୟ ଖରିଫ ଫସଲ ହିସାବରେ ଚାଷ କରାଯାଏ, ସେହି ଅଞ୍ଚଳରେ ଏହି ପର୍ବ ପାଳନ କରାଯାଏ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚାଷୀ ମାନଙ୍କ ପରିବାର ଲୋକେ ଏହାକୁ ନିଷ୍ଠାର ସହିତ ପାଳନ କରନ୍ତି । ଓଡ଼ିଶାର ଭଦ୍ରକ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଏହାର ପାଳନ ବିଧି ନିଆରା ।

ପୂଜା ବିଧି[ସମ୍ପାଦନା]

ସକାଳୁ ସକାଳୁ ଉଠି ଘର ଧୂଆପୋଛା କରାଯାଏ । ଦାଣ୍ଡ ଦୁଆରେ ଝୋଟି ଚିତା ଅଙ୍କାଯାଏ । ପୁରୁଷମାନେ ସକାଳୁ ଉଠି ଅଧୁଆ ମୁହଁରେ ଯାଇ ବତା ଗଛ, ଗଡ଼ଗଡ଼ା, ଭୂଆଁଳ, ପଳାଶ,ନଟିକଣ୍ଟି,ବାଉଁଶ ଆଦି ଗଛର ପତ୍ର ଓ କଇଁ ଫୁଲ ସଂଗ୍ରହ କରି ଆଣନ୍ତି । ତାକୁ ସବୁ ବିଡ଼ା ବିଡ଼ା କରି ବାନ୍ଧନ୍ତି । ତା'ପରେ ଗାଧୋଇ ପାଧୋଇ ସେହି ବିଡ଼ା ସବୁକୁ ଲକ୍ଷ୍ମୀ ବା ତୁଳସୀ ଚଉରା ପାଖରେ ରଖି ପୂଜା କରନ୍ତି ଓ ଭୋଗ ଦିଅନ୍ତି । ତା'ପରେ ସେହି ବିଡ଼ା ଗୁଡ଼ିକୁ ଧରି ବାମ କାନ୍ଧରେ ରଖନ୍ତି । ସ୍ତ୍ରୀ ଲୋକମାନେ ଶଙ୍ଖ ହୁଳହୁଳି ପକାଇଲେ ପୁରୁଷମାନେ ଏହାକୁ ଧରି ଘରୁ ବାହାରନ୍ତି ।ପ୍ରଥମେ ଘର ଚାଳ ଓ ଖତଗଦାରେ ଗୋଟିଏ ଗୋଟିଏ ବିଡ଼ା ପୋତିଲା ପରେ ବାକି ବିଡ଼ାକୁ ନେଇ ଧାନ କ୍ଷେତକୁ ଯାଆନ୍ତି । ସେଠାରେ ପ୍ରତି କ୍ଷେତର ଐଶାନ୍ୟ କୋଣରେ ଜୁହାର ହୋଇ ଗୋଟିଏ ଲେଖାଏଁ ବିଡ଼ା ପୋତନ୍ତି । ଏହା କଲେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୁଅନ୍ତି ଓ ଭଲ ଧାନ ଫସଲ ହୁଏ ବୋଲି ବିଶ୍ୱାସ ଅଛି ।[୧]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା-୨, ୧୭.୧୦.୨୦୧୩