ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ | |
---|---|
ଲକ୍ଷ୍ୟ | "ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍" |
ପ୍ରତିଷ୍ଠା | ୭ ଜୁଲାଇ ୧୯୮୧ |
ପ୍ରକାର | ସାର୍ବଜନୀନ |
କୁଳାଧିପତି | ଏସ. ସି. ଜମିର |
କୁଳପତି | ରାଧାମାଧବ ଦାଶ[୧] |
ଅବସ୍ଥାନ | ପୁରୀ, ଓଡ଼ିଶା, ଭାରତ ![]() |
ପରିସର | ଶ୍ରୀବିହାର, ନଗର |
ୱେବସାଇଟ | http://sjsv.nic.in/index.htm |
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକମାତ୍ର ତଥା ଦେଶରେ ଥିବା ୧୫ଟି ସଂସ୍କୃତ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରୁ ଅନ୍ୟତମ । ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟଟି ଶ୍ରୀକ୍ଷେତ୍ର ପୁରୀର ତାଳବଣିଆଠାରେ ଅବସ୍ଥିତ ।[୨] ପୁରୀ ସମୁଦ୍ର ବେଳାଭୂମି କୂଳରେ ୧୦୦ଏକର ଜମି ଉପରେ ଗଢିଉଠିଥିବା ଏହାର ପରିସର ଶ୍ରୀବିହାର ଭାବରେ ନାମିତ ହୋଇଛି ।
ଇତିହାସ[ସମ୍ପାଦନା]
ଓଡ଼ିଶାରେ ସଂସ୍କୃତ ସାହିତ୍ୟର ଆଦର ରହିଛି । ଶ୍ରୀଧର ସ୍ୱାମୀଙ୍କ ଶ୍ରୀମଦ୍ ଭାଗବତ ଟୀକା, ସଂସ୍କୃତ ସାହିତ୍ୟ ଭଣ୍ଡାରର ଏକ ଦୁର୍ଲଭ ଗ୍ରନ୍ଥ । ସେହିପରି ପବିତ୍ର ପ୍ରାଚୀ ନଦୀତଟରେ ଜନ୍ମିତ ଭକ୍ତକବି ଜୟଦେବଙ୍କ ରଚିତ ଶ୍ରୀଗୀତ ଗୋବିନ୍ଦ ସମଗ୍ର ବିଶ୍ୱରେ ଉତ୍କଳୀୟମାନଙ୍କୁ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି । ବିଶ୍ୱର ସର୍ବାଧିକ ତାଳପତ୍ର ପୋଥି କେବଳ ଉତ୍କଳରୁ ମିଳିଛି । ରାଜ୍ୟ ସଂଗ୍ରହାଳୟରେ ବର୍ତ୍ତମାନ ସୁଦ୍ଧା ୫୦,୦୦୦ରୁ ଅଧିକ ତାଳପତ୍ର ପୋଥି ସଂଗୃହୀତ ହୋଇଛି ତନ୍ମଧ୍ୟରୁ ୧୦,୦୦୦ରୁ ଉର୍ଦ୍ଧ୍ୱ ମୂଳ ସଂସ୍କୃତ ଭାଷାରେ ରଚିତ । ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ରତ୍ନମଣ୍ଡପ ମଣ୍ଡନ କରିବା ପରଠାରୁ ସଂସ୍କୃତ ଭାଷାର ଆଦର ଏଠାରେ ଅଧିକ । ସଂସ୍କୃତ ସାହିତ୍ୟର ଚର୍ଚ୍ଚା ଅହରହ ପୁରୀର ମଠ, ମନ୍ଦିର, ଆଶ୍ରମ, ମଣ୍ଡପ, ଆଖଡା ଓ ପାଠାଗାର ଆଦିରେ ଦେଖିବାକୁ ମିଳେ । ଏହାକୁ ଉପଲବ୍ଧି କରି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥ ସ୍ୱାମୀ ପୁରୀରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ୧୯୫୫ ମସିହା ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପୀଠ ପରିସରରେ ସଂସ୍କୃତ ବିଦ୍ୱାନମାନଙ୍କର ଏକ ବୈଠକ ବସାଇ ତତ୍କାଳୀନ ଓଡ଼ିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ଡଃ ରାଧାନାଥ ରଥଙ୍କ ହସ୍ତେ ଏହା ଅର୍ପଣ କଲେ । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିକ୍ଷାମନ୍ତ୍ରୀ ଏହି ପ୍ରସ୍ତାବଟି ସଂସ୍କୃତ କମିଶନଙ୍କ ନିକଟକୁ ପଠାଇଦେଲେ । ସଂସ୍କୃତ କମିଶନ ତତ୍କାଳୀନ ବିଦ୍ୱାନମାନଙ୍କୁ ଡକାଇ ବିଶ୍ୱବିଦ୍ୟାଳୟ ପାଇଁ ଆଗତ ପ୍ରସ୍ତାବ ବିଷୟରେ ତର୍ଜମା କରାଇଲେ । ହରେକୃଷ୍ଣ ମହତାବ, କରୁଣାକର, ଆର୍ତ୍ତବଲ୍ଲଭ ମହାନ୍ତି, ନୀଳକଣ୍ଠ ଦାସ, ସଂସ୍କୃତ ବିଶ୍ୱ ପରିଷଦ ସଭାପତି ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ମହାମହୋପାଧ୍ୟାୟ ଦାମୋଦର ଶାସ୍ତ୍ରୀ ପ୍ରସ୍ତାବର ସପକ୍ଷରେ ମତଦାନ କଲେ । ମାତ୍ର ଏହି ପ୍ରସ୍ତାବଟି ସରକାରଙ୍କ ଶୀତଳ ଭଣ୍ଡାର ପଡ଼ିରହିଲା । ଠିକ ୧୭ବର୍ଷ ପରେ ୧୯୭୨ ମସିହାରେ ପୁନଃ ଏହି ପ୍ରସ୍ତାବ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଗଲା । ଶ୍ରୀକ୍ଷେତ୍ରର ପଣ୍ଡିତ ମଣ୍ଡଳୀ ଗୋବର୍ଦ୍ଧନ ପୀଠାଧିଶଙ୍କଦ୍ୱାରା ପଠାଯାଇଥିବା ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନ ସମ୍ପର୍କିତ ବିଷୟ ଜାଣିବାକୁ ଚାହିଁଲେ । ସାମାନ୍ୟ ପରିବର୍ତ୍ତନ କରି ନୂତନ ପ୍ରସ୍ତାବ ଆଗତ କରାଗଲା । ମାତ୍ର ସରକାରୀ ନାଲିଫିତା ତଳେ ଏହା ପୂର୍ବପରି ସ୍ଥିତି ହରାଇବସିଲା । ୧୯୮୦ମସିହା ଜୁନ୍ ୯ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ ଦାୟିତ୍ୱ ଗ୍ରହଣକଲେ । ପୂର୍ବରୁ ଅଟକି ରହିଥିବା ପ୍ରସ୍ତାବଗୁଡ଼ିକ ଅନୁଧ୍ୟାନ କରି ସେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବନ୍ଦୋବସ୍ତ ଆରମ୍ଭ କରିଦେଲେ । ୧୯୮୦ ଜୁଲାଇ ୭ତାରିଖ ଦିନ ଶ୍ରୀକ୍ଷେତ୍ରସ୍ଥ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଆୟୋଜିତ ବିଶେଷ ସମାବେଶରେ ପୌରୋହିତ୍ୟ କରି ଜାନକୀ ବଲ୍ଲଭ ପଟ୍ଟନାୟକ ପୁରୀରେ ଜଗନ୍ନାଥଙ୍କ ନାମରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସଂକଳ୍ପବଦ୍ଧ ବୋଲି ସୂଚନା ଦେଲେ । ୧୯୮୧ ଜୁଲାଇ ୭ତାରିଖ ଦିନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସଭାଗୃହରେ ଏକ ବିଶେଷ ଅଧିବେଶନ ଆୟୋଜିତ ହୋଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀକ୍ଷେତ୍ରରେ ସ୍ଥାପିତ ହେବା କାର୍ଯ୍ୟର ଶୁଭାରମ୍ଭ କରାଗଲା । ଜାନକୀ ବଲ୍ଲଭ ପଟ୍ଟନାୟକ ଉଦଘାଟନୀ ସମାବେଶରେ ପୌରୋହିତ୍ୟ କରିଥିବା ସ୍ଥଳେ ରାଜ୍ୟପାଳ ସି.ଏମ୍ ପୁନ୍ନଚାଙ୍କ କରକମଳରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାଣପ୍ରତିଷ୍ଠା କରାଗଲା । ରାଜ୍ୟପାଳ, ପୁରୀ ରାଜଭବନ ମଧ୍ୟରେ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟ ଆରମ୍ଭ କରିବାକୁ ସ୍ୱୀକୃତି ପ୍ରଦାନ କଲେ । ଏହାପରେ ମନ୍ଦିର ପୂର୍ବଦିଗ ମହୋଦଧି କୂଳେ ଢାଳୁଖଣ୍ଡ ମୌଜାର ୭୫ ଏକର ଜମି ଚିହ୍ନଟ କରାଯାଇ ମହାବିଦ୍ୟାଳୟ ଗଠନ ପାଇଁ ଶିଳାନ୍ୟାସ କରାଗଲା । ସମଗ୍ର ଭାରତ ବର୍ଷରେ ଉଚ୍ଚତର ସଂସ୍କୃତ ଶିକ୍ଷା ପାଇଁ ସର୍ବପ୍ରଥମ ସଂସ୍କୃତ ବିଶ୍ୱବିଦ୍ୟାଳୟ ବାରଣାସୀର ସଂପୂର୍ଣ୍ଣାନନ୍ଦ ବିଶ୍ୱବିଦ୍ୟାଳୟ ଓ ଦ୍ୱିତୀୟ ଦରଭଙ୍ଗାସ୍ଥ କାମେଶ୍ୱର ସିଂହ ବିଶ୍ୱବିଦ୍ୟାଳୟ । କିନ୍ତୁ ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସୃଷ୍ଟି ସମଗ୍ର ଦେଶରେ ତୃତୀୟ ।[୩] । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିଶେଷ ଅବଦାନ ରହିଛି । ତାଙ୍କରି ପ୍ରଚେଷ୍ଟା ଫଳରେ ୧୯୮୧ ମସିହା ଜୁଲାଇ ୭ ତାରିଖ, ହେରାପଞ୍ଚମୀ ଦିନ ଏହି ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା।
ଶିକ୍ଷା ବ୍ୟବସ୍ଥା[ସମ୍ପାଦନା]
ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ :
- ଧର୍ମଶାସ୍ତ୍ର
- ନ୍ୟାୟ
- ସାହିତ୍ୟ
- ସର୍ବଦର୍ଶନ
- ବେଦ
- ବ୍ୟାକରଣ
- ଅଦୈତ ବେଦାନ୍ତ
- ଜ୍ୟୋତିର୍ବିଜ୍ଞାନ
- ଶାରିରିକ ଶିକ୍ଷା
- କମ୍ପ୍ୟୁଟର ଶିକ୍ଷା
- ଶିକ୍ଷା ଶାସ୍ତ୍ରୀ[୪]
ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି । ଏହି ସଂସ୍ଥାନ ଜଗନ୍ନାଥ ଜ୍ୟୋତିଃ ନାମକ ଏକ ଜର୍ଣ୍ଣାଲ ପ୍ରତିବର୍ଷ ପ୍ରକାଶ କରିଥାଏ ।[୫]
ପରିସରରେ ଥିବା ସୁବିଧା[ସମ୍ପାଦନା]
ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ଅଲଗା ଛାତ୍ରାବାସ, ପାଠାଗାର, ସ୍ୱାସ୍ଥ୍ୟ କେନ୍ଦ୍ର, ଅତିଥି ଗୃହ ଇତ୍ୟାଦିର ସୁବିଧା ରହିଛି ।
ଆଧାର[ସମ୍ପାଦନା]
- ↑ ସମ୍ବାଦ ୧୦/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ http://sambadepaper.com/Details.aspx?id=277918&boxid=25711293. Retrieved 10 August 2016. Missing or empty
|title=
(help) - ↑ Editorial Board Pratiyogita Darpan (1 September 2010). General Knowledge Digest. Upkar Prakashan. pp. 54–. ISBN 978-81-7482-094-5.
- ↑ ପଣ୍ଡିତ ତ୍ରିଲୋଚନ ମିଶ୍ର, ସଂଚାର, ପୃଷ୍ଠା-୧୪, ଶନିବାର ୩ ଅଗଷ୍ଟ ୨୦୧୩
- ↑ Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 778–. ISBN 978-81-269-0608-6.
- ↑ Jagannath University Journal of Indology. Shri Jagannath Sanskrit Vishvavidyalaya. 2004.