Jump to content

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍"
ସ୍ଥାପିତ୭ ଜୁଲାଇ ୧୯୮୧
ପ୍ରକାରସାର୍ବଜନୀନ
କୁଳାଧିପତିପ୍ରଫେସର ଶ୍ରୀ ଗଣେଶିଲାଲ୍
କୁଳପତିପ୍ରଫେସର ଶ୍ରୀ ହରିହର ହୋତା []
ଅବସ୍ଥାନପୁରୀ, ଓଡ଼ିଶା, ଭାରତ India
ପରିସରଶ୍ରୀବିହାର, ନଗର
ୱେବସାଇଟhttp://sjsv.nic.in/index.htm


ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏକ ଭାରତୀୟ ସଂସ୍କୃତ ଭାଷା ଅଧ୍ୟୟନ ବିଶ୍ୱବିଦ୍ୟାଳୟ । ଏହା ଓଡ଼ିଶାର ପୁରୀସ୍ଥିତ ତାଳବଣିଆଠାରେ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକମାତ୍ର ତଥା ଭାରତର ୧୫ଟି ସଂସ୍କୃତ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ।[] ଏହାର ପରିସର ପୁରୀ ବେଳାଭୂମି କୂଳରେ ୧୦୦ ଏକର ଜମି ଉପରେ ସ୍ଥାପିତ ଓ ଶ୍ରୀବିହାର ନାମରେ ଜଣା । ଭାରତରେ ଉଚ୍ଚତର ସଂସ୍କୃତ ଶିକ୍ଷା ପାଇଁ ସର୍ବପ୍ରଥମ ସଂସ୍କୃତ ବିଶ୍ୱବିଦ୍ୟାଳୟ ବାରଣାସୀର ସଂପୂର୍ଣ୍ଣାନନ୍ଦ ବିଶ୍ୱବିଦ୍ୟାଳୟ ଓ ଦ୍ୱିତୀୟ ଦରଭଙ୍ଗାସ୍ଥ କାମେଶ୍ୱର ସିଂହ ବିଶ୍ୱବିଦ୍ୟାଳୟ ପରେ ଏହି ବିଶ୍ୱବିଦ୍ୟାଳୟର ଭାରତରେ ତୃତୀୟତମ ।[]

ଇତିହାସ

[ସମ୍ପାଦନା]

ଓଡ଼ିଶାରେ ସଂସ୍କୃତ ସାହିତ୍ୟର ରଚୟିତା ଶ୍ରୀଧର ସ୍ୱାମୀଙ୍କ ଶ୍ରୀମଦ୍ ଭାଗବତ ଟୀକା, ଜୟଦେବଙ୍କ ଗୀତଗୋବିନ୍ଦ ତଥା ରାଜ୍ୟ ସଂଗ୍ରହାଳୟରେ ଥିବା ୫୦,୦୦୦ରୁ ଅଧିକ ତାଳପତ୍ର ପୋଥି ମଧ୍ୟରୁ ୧୦,୦୦୦ରୁ ଉର୍ଦ୍ଧ୍ୱ ସଂସ୍କୃତ ଭାଷାରେ ରଚିତ ପୋଥି ଆଦିର ପଠନ ଓ ଗବେଷଣା ନିମନ୍ତେ ଏହି ବିଶ୍ୱବିଦ୍ୟାଳୟ ଆରମ୍ଭ କରାଯାଇଥିଲା । ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥ ସ୍ୱାମୀ ପୁରୀରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ୧୯୫୫ ମସିହାରେ ଅକ୍ଷୟ ତୃତୀୟା ତିଥିରେ ଗୋବର୍ଦ୍ଧନ ପୀଠ ପରିସରରେ ସଂସ୍କୃତ ଶିକ୍ଷାବିଦମାନଙ୍କର ଏକ ବୈଠକ ବସିଥିଲା । ସେଥିରେ ଯୋଗଦେଇ ତତ୍‌କାଳୀନ ଓଡ଼ିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ରାଧାନାଥ ରଥ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ଉଠାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିକ୍ଷାମନ୍ତ୍ରୀ ଏହି ପ୍ରସ୍ତାବଟି ସଂସ୍କୃତ କମିଶନଙ୍କ ନିକଟକୁ ପଠାଇଥିଲେ । ସଂସ୍କୃତ କମିଶନ ଉକ୍ତ ଶିକ୍ଷାବିଦମାନଙ୍କୁ ଡକାଇ ବିଶ୍ୱବିଦ୍ୟାଳୟ ପାଇଁ ଆଗତ ପ୍ରସ୍ତାବ ବିଷୟରେ ତର୍ଜମା କରାଇଲେ । ହରେକୃଷ୍ଣ ମହତାବ, କରୁଣାକର କର, ଆର୍ତ୍ତବଲ୍ଲଭ ମହାନ୍ତି, ନୀଳକଣ୍ଠ ଦାସ, ସଂସ୍କୃତ ବିଶ୍ୱ ପରିଷଦ ସଭାପତି ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ମହାମହୋପାଧ୍ୟାୟ ଦାମୋଦର ଶାସ୍ତ୍ରୀ ପ୍ରମୁଖ ଏହି ପ୍ରସ୍ତାବର ସପକ୍ଷରେ ମତଦାନ କରିଥିଲେ । ମାତ୍ର ଏହି ପ୍ରସ୍ତାବଟି ୧୭ ବର୍ଷ ଧରି କାର୍ଯ୍ୟକାରି ହୋଇ ନଥିଲା । ୧୯୭୨ ମସିହାରେ ଏହି ପ୍ରସ୍ତାବ ବିଷୟରେ ଶିକ୍ଷାବିଦମାନେ ଆଲୋଚନା ଆରମ୍ଭ କରି ପୁରୁଣା ପ୍ରସ୍ତାବରେ କିଛି ପରିବର୍ତ୍ତନ କରି ଏକ ନୂଆ ପ୍ରସ୍ତାବ ଆଗତ କରିଥିଲେ । ତେବେ ତାହା କାର୍ଯ୍ୟକାରୀ ହୋଇନଥିଲା । ୧୯୮୦ ମସିହା ଜୁନ ୯ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲାପରେ ପୂର୍ବରୁ ଅଟକି ରହିଥିବା ପ୍ରସ୍ତାବଗୁଡ଼ିକ ଅନୁଧ୍ୟାନ କରି ସେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବନ୍ଦୋବସ୍ତ ଆରମ୍ଭ କରିଥିଲେ । ୧୯୮୦ ଜୁଲାଇ ୭ ତାରିଖ ଦିନ ପୁରୀର ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଆୟୋଜିତ ଏକ ସମାବେଶରେ ପଟ୍ଟନାୟକ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା ବାବଦରେ ସୂଚନା ଦେଇଥିଲେ । ୧୯୮୧ ଜୁଲାଇ ୭ ତାରିଖ ଦିନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସଭାଗୃହରେ ଏକ ବିଶେଷ ଅଧିବେଶନ ଆୟୋଜିତ କରି ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ଉଦ୍ଘାଟନୀ ସଭାରେ ପଟ୍ଟନାୟକ ଓ ତତ୍କାଳୀନ ରାଜ୍ୟପାଳ ସି.ଏମ୍ ପୁନ୍ନାଚା ଯୋଗଦେଇଥିଲେ । ରାଜ୍ୟପାଳ ପୁରୀ ରାଜଭବନ ମଧ୍ୟରେ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟ ଆରମ୍ଭ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାପରେ ଜଗନ୍ନାଥ ମନ୍ଦିରର ପୂର୍ବ ଦିଗରେ ଢାଳୁଖଣ୍ଡ ମୌଜାର ୭୫ ଏକର ଜମି ଚିହ୍ନଟ କରାଯାଇ ମହାବିଦ୍ୟାଳୟ ଗଠନ ପାଇଁ ଶିଳାନ୍ୟାସ କରାଗଲା । ୧୯୮୧ ମସିହା ଜୁଲାଇ ୭ ତାରିଖ ହେରାପଞ୍ଚମୀ ଦିନ ଏହି ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।[]

ଶିକ୍ଷା ବ୍ୟବସ୍ଥା

[ସମ୍ପାଦନା]

ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ :

  • ଧର୍ମଶାସ୍ତ୍ର
  • ନ୍ୟାୟ
  • ସାହିତ୍ୟ
  • ସର୍ବଦର୍ଶନ
  • ବେଦ
  • ବ୍ୟାକରଣ
  • ଅଦ୍ୱେତ ବେଦାନ୍ତ
  • ଜ୍ୟୋତିର୍ବିଜ୍ଞାନ
  • ଶାରିରିକ ଶିକ୍ଷା
  • କମ୍ପ୍ୟୁଟର ଶିକ୍ଷା
  • ଶିକ୍ଷା ଶାସ୍ତ୍ରୀ[]

ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି । ଏହି ସଂସ୍ଥାନ ଜଗନ୍ନାଥ ଜ୍ୟୋତିଃ ନାମକ ଏକ ଜର୍ଣ୍ଣାଲ ପ୍ରତିବର୍ଷ ପ୍ରକାଶ କରିଥାଏ ।[]

ପରିସରରେ ଥିବା ସୁବିଧା

[ସମ୍ପାଦନା]

ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଲଗା ଛାତ୍ରାବାସ, ପାଠାଗାର, ସ୍ୱାସ୍ଥ୍ୟ କେନ୍ଦ୍ର, ଅତିଥି ଗୃହ ଇତ୍ୟାଦିର ସୁବିଧା ରହିଛି ।

  1. ସମ୍ବାଦ ୧୦/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ http://sambadepaper.com/Details.aspx?id=277918&boxid=25711293. Retrieved 10 August 2016. {{cite news}}: Missing or empty |title= (help)[permanent dead link]
  2. Editorial Board Pratiyogita Darpan (1 September 2010). General Knowledge Digest. Upkar Prakashan. pp. 54–. ISBN 978-81-7482-094-5.
  3. ୩.୦ ୩.୧ ପଣ୍ଡିତ ତ୍ରିଲୋଚନ ମିଶ୍ର, ସଂଚାର, ପୃଷ୍ଠା-୧୪, ଶନିବାର ୩ ଅଗଷ୍ଟ ୨୦୧୩
  4. Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 778–. ISBN 978-81-269-0608-6.
  5. Jagannath University Journal of Indology. Shri Jagannath Sanskrit Vishvavidyalaya. 2004.

ବାହାର ଆଧାର

[ସମ୍ପାଦନା]

Official website