ଆରିଷ୍ଟୋଟଲ

ଉଇକିପିଡ଼ିଆ ରୁ
Ἀριστοτέλης, Aristotélēs, ଆରିଷ୍ଟୋଟଲ

ଆରିଷ୍ଟୋଟଲଙ୍କ ମାର୍ବଲ ପ୍ରତିମୂର୍ତ୍ତି
ଜନ୍ମ ୩୮୪ ଖ୍ରୀ.ପୂ. ଷ୍ଟାଗିରା (Stageira)
ଦେହାନ୍ତ ୩୨୨ ଖ୍ରୀ.ପୂ. ୟୁବୋଇ (Euboea)
ଦଶନ୍ଧି Ancient philosophy
ଅଞ୍ଚଳ Western philosophy
ବିଦ୍ୟାଳୟ Peripatetic school
Aristotelianism
ମୂଳ ଲକ୍ଷ ପଦାର୍ଥ ବିଜ୍ଞାନ, Metaphysics, କବିତା, ଥିଏଟର, ସଙ୍ଗୀତ, Rhetoric, ରାଜନୀତି, Government, Ethics, ଜୀବ ବିଜ୍ଞାନ, ପ୍ରାଣୀ ବିଜ୍ଞାନ
ଜଣାଶୁଣା ଚିନ୍ତାଧାରା Golden mean, Reason, Logic, Syllogism, Passion

ଚିନ୍ତାର ଗଭୀରତା ଓ ବ୍ୟାପକତା କିପରି ମଣିଷ ସମାଜକୁ ପ୍ରଭାବିତ କରେ, ପ୍ରସିଦ୍ଧ ଗ୍ରୀକ ବୈଜ୍ଞାନିକ ଓ ଦାର୍ଶନିକ ଆରିଷ୍ଟୋଟଲଙ୍କ ଜୀବନୀରୁ ତାହା ସହଜରେ ପ୍ରମାଣିତ ହୁଏ । ତାଙ୍କ ଚିନ୍ତା ଓ ବିଶ୍ଳେଷଣ, ସମଗ୍ର ମାନବ ସମାଜ ଉପରେ ପ୍ରାୟ ୧୫୦୦ ବର୍ଷ ଧରି ପ୍ରଭାବ ବିସ୍ତାର କରିଥିଲା । ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ବିକ୍ଷିପ୍ତ ବିଷୟରେ ବହୁତ ଉପାଦେୟ ପୁସ୍ତକ ରଚନା କରିଯାଇଛନ୍ତି , ଆଜି ତାହା କଳ୍ପନାତୀତ ।

ବାଲ୍ୟ ଶିକ୍ଷା[ସମ୍ପାଦନା]

ଖ୍ରୀ.ପୂ. ୩୮୪ରେ ଏଜିଆନ ସାଗରର ଉତ୍ତର ପ୍ରାନ୍ତରେ ଥିବା ଷ୍ଟାଗିରା ସହରରେ ଆରିଷ୍ଟୋଟଲ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା, ନିକୋମାକସ(Nichomachus) ସମ୍ରାଟ ଆଲେକଜାଣ୍ଡରଙ୍କ ପିତାମହଙ୍କ ରାଜବୈଦ୍ୟ ଥିଲେ । ବାଲ୍ୟକାଳୁ ସେ ସମୃଦ୍ଧି ଓ ବିଭବ ମଧ୍ୟରେ ଲାଳିତ ପାଳିତ ହୋଇଥିଲେ । କୌଣସି ଅନୁଷ୍ଠାନକୁ ନଯାଇ ସେ ଘରେ ପଢାପଢି ଆରମ୍ଭ କରିଥିଲେ । ତାଙ୍କ ପିତା ତାଙ୍କୁ ପ୍ରକୃତି ବିଜ୍ଞାନ ସମ୍ପର୍କରେ ବ୍ୟାପକ ଧାରଣା ଦେଇଥିଲେ ।

ଖ୍ରୀ.ପୂ. ୩୬୭, ଏଥେନସରେ ଥିବା ପ୍ରସିଦ୍ଧ ବିଦ୍ୟାପୀଠରେ ସେ ମାତ୍ର ୧୭ ବର୍ଷ ବୟସରେ ଯୋଗଦେଲେ । ସେ ସମୟର ପ୍ରସିଦ୍ଧ ଦାର୍ଶନିକ ପ୍ଲାଟୋଙ୍କ ଅଧୀନରେ ଶିକ୍ଷାଲାଭ କରିବାର ସୁଯୋଗ ତାଙ୍କୁ ମିଳିଗଲା । ଫଳରେ ତାଙ୍କର ସ୍ଵଚ୍ଛନ୍ଦ ଚିନ୍ତାଧାରା ଓ ଗଭୀର ବିଶ୍ଳେଷଣ ଶକ୍ତି ବିକଶିତ ହେବାକୁ ଲାଗିଲା । ବେଳେବେଳେ ଆଲୋଚନାରେ ଗୁରୁଙ୍କ ସହ ତାଙ୍କର ମତାନ୍ତର ହୁଏ । ଛାତ୍ରର ଏତାଦୃଶ ବିକାଶରେ ଗୁରୁ ଆତ୍ମ ବିଭୋର ଓ ଗର୍ବିତ ହୋଇ ଉଠୁଥିଲେ ।

କର୍ମମୟ ଜୀବନ[ସମ୍ପାଦନା]

ଶିକ୍ଷା ସମାପ୍ତି ପରେ ଜଣେ ପ୍ରତିଷ୍ଠିତ ଶିକ୍ଷକ ରୂପେ ଆରିଷ୍ଟୋଟଲଙ୍କ ସୁଖ୍ୟାତି ମଧ୍ୟ ବ୍ୟାପିବାକୁ ଲାଗିଲା । ତାଙ୍କୁ ଆଲେକଜାଣ୍ଡରଙ୍କ ଶିକ୍ଷକ ରୂପେ ନିଯୁକ୍ତ କରଯାଇଥିଲା । ଆଲେକଜାଣ୍ଡର ନିଜ ଗୁରୁଙ୍କ ବୈଜ୍ଞାନିକ ଅନୁଧ୍ୟାନ ଓ ଗବେଷଣା ପାଇଁ ପ୍ରଚୁର ଅର୍ଥର ବ୍ୟବସ୍ଥା କରିଦେଇଥିଲେ ।

ଗବେଷଣା କ୍ଷେତ୍ରରେ ବୋଧହୁଏ ପ୍ରଥମେ ସେ କେତେକ ଲୋକଙ୍କୁ ଏକାଠି କରି ଏକ ଗବେଷଣା ମଣ୍ଡଳୀ ଗଢିଥିଲେ । ତାଙ୍କ ନିର୍ଦେଶନାରେ ପ୍ରାୟ ୧୦୦୦ ଲୋକ ଗ୍ରୀସ୍ ଓ ଏସିଆର ବିଭିନ୍ନ ସ୍ଥାନ ବୁଲିବୁଲି ଅଦ୍ଭୁତ ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ସମ୍ପର୍କରେ ବିବରଣୀ ଦେଉଥିଲେ । ଆରିଷ୍ଟୋଟଲ ତାଙ୍କ ଉତ୍କୃଷ୍ଟ ପ୍ରକାଶ ଭଙ୍ଗୀ ଓ ସୂକ୍ଷ୍ମ ବିଚାରଧାରା ଦ୍ଵାରା ଉପାଦେୟ ପୁସ୍ତକ ରୂପେ ସେଗୁଡିକୁ ପରିବେଷଣ କରୁଥିଲେ । ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ସମ୍ବନ୍ଧରେ ତାଙ୍କର କେତେକ ଅବଦାନ ଏପର୍ଯ୍ୟନ୍ତ ସତ୍ୟାରୂପେ ପ୍ରତିଷ୍ଠିତ ।

ଅବସ୍ଥା ଓ ପରିସ୍ଥିତିର ପ୍ରବଳ ଚାପରେ କିପରି ଜୀବଜଗତ ପ୍ରଭାବିତ ହୁଏ ତାହା ସେ ନାନା ଉଦାହରଣରୁ ପ୍ରମାଣିତ କରିଛନ୍ତି ।

ପ୍ରାଣୀ ଶରୀର ବ୍ୟବଚ୍ଛେଦ ଦ୍ଵାରା ସେ ଛାତ୍ରଙ୍କୁ ଶିକ୍ଷାଦାନ କରୁଥିଲେ । ଏଚ.ଜି.ୱେଲସ ମନିଛନ୍ତି ଯେ ଆରିଷ୍ଟୋଟଲ ଶ୍ରୁଙ୍ଖଳିତ ଶିକ୍ଷାର ପକ୍ଷପାତି ଥିଲେ । ତାଙ୍କ ପୂର୍ବରୁ ଲୋକ କେବଳ କଳ୍ପନା ଓ ପରୋକ୍ଷ ଯୁକ୍ତି ଦ୍ଵାରା ଜ୍ଞାନ ଲାଭ କରୁଥିଲେ । କିନ୍ତୁ ସେ ଯୁବକମାନଙ୍କୁ ଏକତ୍ରକରି କିପରି ପର୍ଯ୍ୟବେକ୍ଷଣ ଓ ତୁଳନାକରି ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାକୁ ହେବ ତାହା ଦେଖାଇ ଦେଇଥିଲେ ।

ସମାଲୋଚନା[ସମ୍ପାଦନା]

ଆରିଷ୍ଟୋଟଲ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୪୦୦ ରୁ ୧୦୦୦ ଟି ପୁସ୍ତକ ବିଭିନ୍ନ ବିଷୟରେ ରଚନା କରିଥିଲେ । କେହି କେହି ସନ୍ଦେହ କରନ୍ତି ସେ ସମସାମୟିକ ବୈଜ୍ଞାନିକ ଓ ଦାର୍ଶନିକଙ୍କ ଚିନ୍ତାଧାରାକୁ ଉତ୍ତାରି ପକାଉଥିଲେ ।

ବୈଜ୍ଞାନିକ ରୋଜର ବେକନ ଦିନେ ବ୍ୟସ୍ତ ହୋଇ କହିପକାଇଥିଲେ "ମୋର ଯଦି କୌଣସି ଉପାୟ ଥାନ୍ତା, ତାହାହେଲେ ଆରିଷ୍ଟୋଟଲ ଯେତେ ପୁସ୍ତକ ଲେଖିଯାଇଥାନ୍ତି, ସେ ସବୁକୁ ପୋଡି ପାଉଁଶ କରିଦିଅନ୍ତି । ସେ ଗୁଡିକର ଅଧ୍ୟୟନ କେବଳ ସମୟର ଅପଚୟ । ତାକୁ ପଢିଲେ ପାଠକ ପ୍ରମାଦଗ୍ରସ୍ତ ହୁଏ ଓ କ୍ରମଶଃ ତାର ଅଜ୍ଞତା ବୃଦ୍ଧି ପାଏ ।"

ଏହାର କାରଣ, ଆରିଷ୍ଟୋଟଲଙ୍କ ପ୍ରାଣୀ ବିଜ୍ଞାନ ତଥ୍ୟାବଳୀ ପର୍ଯ୍ୟବେକ୍ଷଣ ଉପରେ ଯେପରି ପ୍ରତିଷ୍ଠିତ ହୋଇଥିଲା , ପଦାର୍ଥ ବିଜ୍ଞାନର ସତ୍ୟଗୁଡିକ ସେପରି ହୋଇନଥିଲା । ପଦାର୍ଥ ବିଜ୍ଞାନ ସମ୍ବନ୍ଧରେ ସେ ଯେଉଁ ଧାରଣା ପ୍ରଚାର କରୁଥିଲେ ସେ ଗୁଡିକ ଅତି ପ୍ରମାଦ ପୂର୍ଣ ଓ ବିଭ୍ରାନ୍ତିକର ଥିଲା । ସାଧାରଣ ଲୋକ ସେହି ଭ୍ରାନ୍ତି ଧାରଣାର ପ୍ରଭାବରୁ ମୁକ୍ତ ହୋଇପାରିଲେନାହିଁ । ପରବର୍ତ୍ତୀ ପଦାର୍ଥବିତ୍ ମାନେ ପ୍ରକୃତ ସତ୍ୟ ପ୍ରତିଷ୍ଠା ଭୀଷଣ ବିରୋଧର ସମ୍ମୁଖୀନ ହୋଇଥିଲେ ।

ଆରିଷ୍ଟୋଟଲ ଧାରଣା ଥିଲା ବୃତ୍ତ ଏକ ପରିପୂର୍ଣ୍ଣ ଚିତ୍ର , ତେଣୁ ପରମ ବା ବିଶୁଦ୍ଧ ଗତି କେବଳ ବୃତ୍ତକାରରେ ଘଟେ । କିନ୍ତୁ ୧୬୦୯ ଖ୍ରୀଷ୍ଟାବ୍ଦରେ କେପ୍ଲର ସନ୍ତୋଷଜନକ ଭାବେ ପ୍ରମାଣ କଲେ ଯେ ମହାକାଶରେ ଗ୍ରହ ଗୁଡିକ ବୃତ୍ତକାରରେ ନଘୂରି ଉପାବୃତ୍ତାକାର ପଥରେ ଘୂରନ୍ତି । କିନ୍ତୁ ସେ ଆରିଷ୍ଟୋଟଲଙ୍କ ବିରୁଦ୍ଧରେ ଯାଉଥିବାରୁ ତାଙ୍କୁ କେହି ଶୁଣିଲେ ନାହିଁ । ତାଙ୍କ ଅକାଟ୍ୟ ପ୍ରମାଣ ଗୁଡିକୁ ମଧ୍ୟ କେହି ଖାତିର କାଲେ ନାହିଁ ।

ପ୍ରାୟ ୧୫୦୦ ବର୍ଷ ପରେ ଗାଲିଲିଓ ଆରିଷ୍ଟୋଟଲଙ୍କ ମତବାଦର ବିରୋଧ କଲେ । ସେ କହିଲେ ବାୟୁ ନଥିଲେ ଓଜନିଆ, ହାଲୁକା ବସ୍ତୁ ଉପରୁ ତଳେ ପଡିବାକୁ ଏକା ସମୟ ନିଅନ୍ତା । କିନ୍ତୁ ଆରିଷ୍ଟୋଟଲଙ୍କ ମତରେ ଏକ ପାଉଣ୍ଡର ବସ୍ତୁ ସମାନ ଦୂରତା ଅତିକ୍ରମ କରିବା ପାଇଁ ଯେତିକି ସମୟ ନିଏ ଦୁଇ ପାଉଣ୍ଡର ବସ୍ତୁ ତାର ଅଧା ସମୟ ନିଏ । ସାଧାରଣ ଲୋକ ବାୟୁ ନଥିଲେ କଅଣ ହୁଆନ୍ତା ଅନୁମାନ କରିପାରିନଥିଲେ ବରଂ ଆରିଷ୍ଟୋଟଲଙ୍କ ବିରୁଦ୍ଧାଚରଣ କରୁଥିବାରୁ ଗାଲିଲିଓଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହବାକୁ ପଡିଥିଲା ।

ଶେଷ କଥା[ସମ୍ପାଦନା]

ବୈଜ୍ଞାନିକ ଦୃଷ୍ଟିକୋଣରୁ ଚିନ୍ତା କଲେ ସେ ସମୟରେ ଆରିଷ୍ଟୋଟଲ ଜଣେ ମହାନ ବ୍ୟକ୍ତି ଥିଲେ । କିନ୍ତୁ ଦୁଃଖର କଥା ସେ ଅତି ମହାନ ହୋଇଗଲେ । ସାଧାରଣ ଲୋକ, ତାଙ୍କ ସତ୍ୟ ବିଚାର ସହିତ ପ୍ରମାଦପୂର୍ଣ୍ଣ ଧାରଣା ଗୁଡିକୁ ମଧ୍ୟ ଗ୍ରହଣ କରିନେଲେ । ସବୁ କଥାର ଉତ୍ତର ଓ ସତ୍ୟାସତ୍ୟ ନିର୍ଣ୍ଣୟ ପାଇଁ ପ୍ରମାଣ ଆରିଷ୍ଟୋଟଲଙ୍କ ଲେଖା ବା ଉକ୍ତିରୁ ଲୋକେ ଭିଡି ଓଟାରି ବାହାର କରିବାକୁ ଚେଷ୍ଟା କଲେ; ଯୁଗ ଯୁଗ ପାଇଁ ସେଗୁଡିକ ଅଖଣ୍ଡନୀୟ ସତ୍ୟ ବୋଲି ପ୍ରତିଷ୍ଠା କରିବାକୁ ଉଦ୍ୟମ କଲେ । ଫଳରେ ପ୍ରକୃତ ସତ୍ୟ ପ୍ରତିଷ୍ଠିତ ହବାକୁ ଅଧିକ ସମୟ ଲାଗିଲା ।

ଖ୍ରୀ.ପୂ. ୩୨୩ ରେ ଆଲେକଜାଣ୍ଡର ପ୍ରାଣତ୍ୟାଗ କଲେ । ତା'ପରେ ଆରିଷ୍ଟୋଟଲଙ୍କ ଦୁର୍ଦ୍ଦିନ ଉପସ୍ଥିତ ହେଲା । ସେ ପ୍ରାଣଭୟରେ ରାଜ୍ୟ ଛାଡି ପଳାୟନ କଲେ । ତା' ପର ବର୍ଷ ମାନସିକ ଦୁଶ୍ଚିନ୍ତାରେ ସେ ପ୍ରାଣତ୍ୟାଗ କଲେ । ଆରିଷ୍ଟୋଟଲଙ୍କ ପ୍ରାଣରକ୍ଷା ପାଇଁ ବିଶେଷ ଉଦ୍ୟମ ହୋଇ ନଥିଲା; କିନ୍ତୁ ତାଙ୍କ ଚିନ୍ତାଧାରାକୁ ବଞ୍ଚାଇ ରଖିବାକୁ ଲୋକେ ଆପ୍ରାଣ ଉଦ୍ୟମ କରିଥିଲେ ।

ଆଧାର[ସମ୍ପାଦନା]

  • ବୈଜ୍ଞାନିକ ଜୀବନୀ (ପଦାର୍ଥ ବିଜ୍ଞାନ) , ପ୍ରଥମ ଭାଗ-୧୯୭୪ , ଡଃ.କୁଳମଣି ସାମଲ , (ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା)

ବାହାର ଲିଙ୍କ[ସମ୍ପାଦନା]

Collections of works

Other