ଗର୍ଭଣା ସଂକ୍ରାନ୍ତି
ଗର୍ଭଣା ସଂକ୍ରାନ୍ତି | |
---|---|
ପାଳନକାରୀ | କୃଷକ, ଗୃହମାଲିକ |
ପ୍ରକାର | କୃଷି |
ପାଳନ | ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତାଯାଏ |
ତାରିଖ | ତୁଳା ସଂକ୍ରାନ୍ତି |
୨୦୨୫ ତାରିଖ | |
ପୁନଃପୌନିକତା | ବାର୍ଷିକ |
ଓଡ଼ିଶାର ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ । ତୁଳା ମାସର ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି ନାମରେ ଜଣାଯାଏ । ଇଂରାଜୀ ମାସ ଅକ୍ଟୋବରରେ ପଡ଼େ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି- ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।
ଯେଉଁ ଅଞ୍ଚଳରେ ମୁଖ୍ୟ ଖରିଫ ଫସଲ ହିସାବରେ ଚାଷ କରାଯାଏ, ସେହି ଅଞ୍ଚଳରେ ଏହି ପର୍ବ ପାଳନ କରାଯାଏ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚାଷୀ ମାନଙ୍କ ପରିବାର ଲୋକେ ଏହାକୁ ନିଷ୍ଠାର ସହିତ ପାଳନ କରନ୍ତି । ଓଡ଼ିଶାର ଭଦ୍ରକ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଏହାର ପାଳନ ବିଧି ନିଆରା ।
ପୂଜା ବିଧି
[ସମ୍ପାଦନା]ସକାଳୁ ସକାଳୁ ଉଠି ଘର ଧୂଆପୋଛା କରାଯାଏ । ଦାଣ୍ଡ ଦୁଆରେ ଝୋଟି ଚିତା ଅଙ୍କାଯାଏ । ପୁରୁଷମାନେ ସକାଳୁ ଉଠି ଅଧୁଆ ମୁହଁରେ ଯାଇ ବତା ଗଛ, ଗଡ଼ଗଡ଼ା, ଭୂଆଁଳ, ପଳାଶ,ନଟିକଣ୍ଟି,ବାଉଁଶ ଆଦି ଗଛର ପତ୍ର ଓ କଇଁ ଫୁଲ ସଂଗ୍ରହ କରି ଆଣନ୍ତି । ତାକୁ ସବୁ ବିଡ଼ା ବିଡ଼ା କରି ବାନ୍ଧନ୍ତି । ତା'ପରେ ଗାଧୋଇ ପାଧୋଇ ସେହି ବିଡ଼ା ସବୁକୁ ଲକ୍ଷ୍ମୀ ବା ତୁଳସୀ ଚଉରା ପାଖରେ ରଖି ପୂଜା କରନ୍ତି ଓ ଭୋଗ ଦିଅନ୍ତି । ତା'ପରେ ସେହି ବିଡ଼ା ଗୁଡ଼ିକୁ ଧରି ବାମ କାନ୍ଧରେ ରଖନ୍ତି । ସ୍ତ୍ରୀ ଲୋକମାନେ ଶଙ୍ଖ ହୁଳହୁଳି ପକାଇଲେ ପୁରୁଷମାନେ ଏହାକୁ ଧରି ଘରୁ ବାହାରନ୍ତି ।ପ୍ରଥମେ ଘର ଚାଳ ଓ ଖତଗଦାରେ ଗୋଟିଏ ଗୋଟିଏ ବିଡ଼ା ପୋତିଲା ପରେ ବାକି ବିଡ଼ାକୁ ନେଇ ଧାନ କ୍ଷେତକୁ ଯାଆନ୍ତି । ସେଠାରେ ପ୍ରତି କ୍ଷେତର ଐଶାନ୍ୟ କୋଣରେ ଜୁହାର ହୋଇ ଗୋଟିଏ ଲେଖାଏଁ ବିଡ଼ା ପୋତନ୍ତି । ଏହା କଲେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୁଅନ୍ତି ଓ ଭଲ ଧାନ ଫସଲ ହୁଏ ବୋଲି ବିଶ୍ୱାସ ଅଛି ।[୧]
ଆଧାର
[ସମ୍ପାଦନା]- ↑ ସମ୍ବାଦ, ପୃଷ୍ଠା-୨, ୧୭.୧୦.୨୦୧୩
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |