ଭୀମେଶ୍ୱରୀ ପୀଠ

ଉଇକିପିଡ଼ିଆ ରୁ
Jump to navigation Jump to search

ଭୀମେଶ୍ୱରୀ ପୀଠ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ପେଡ଼ାଗଡ଼ିଠାରେ ଅବସ୍ଥିତ ଏକ ବୌଦ୍ଧ ତନ୍ତ୍ର ସାଧନା କେନ୍ଦ୍ର ଥିଲା । ମାଙ୍କଡ଼ା ପଥରକୁ ଲୁହା କିଳିଣି ସାହାଯ୍ୟରେ ଛନ୍ଦି ଏଠାରେ ଏକ ଦେଉଳ ତୋଲାଯାଇଥିଲା । ବ୍ରାହ୍ମଣ୍ୟବାଦୀ ମୂର୍ତ୍ତି ଉପାସକଙ୍କ ବିରୋଧ ତଥା ମୋଗଲ ଆକ୍ରମଣ ଯୋଗୁ ଏହି ପୀଠ କ୍ଷତିଗ୍ରସ୍ଥ ହୋଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ବୌଦ୍ଧ ଧର୍ମର ପତନ କାଳରେ ଏହି ପୀଠର ମଧ୍ୟ ପତନ ହୋଇଥିଲା । ଏଠାରେ ତନ୍ତ୍ର ସାଧନାର ବିଭିନ୍ନ ଦେବଦେବୀ ଚାମୁଣ୍ଡା, ବାରାହୀ, ମାହେଶ୍ୱରୀ, ଯମ, ଚଣ୍ଡୀଗଣେଶଙ୍କ ମୂର୍ତ୍ତି ସ୍ଥାପିତ ହୋଇ ପୂଜିତ ହେଉଥିଲା ।[୧]

ଅବସ୍ଥିତି[ସମ୍ପାଦନା]

ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା-ଉଦଳା ରାଜରାସ୍ତା ନିକଟସ୍ଥ ପେଡ଼ାଗଡ଼ି ଗ୍ରାମରେ କାଳନଦୀର ଉପକଣ୍ଠରେ ଭୀମେଶ୍ୱରୀ ତନ୍ତ୍ରପୀଠ ଅବସ୍ଥିତ ।[୧]

ଇତିହାସ[ସମ୍ପାଦନା]

ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ବେଳକୁ ତନ୍ତ୍ର ସାଧନାର ବିକାଶ ଘଟି ପରେ ସୁବର୍ଣ୍ଣପୁରରେ ସହଜଯାନ ଭାବେ ବିକଶିତ ହୋଇଥିଲା । ଭ୍ରାମ୍ୟମାଣ ଶିକ୍ଷକ-ଶିଷ୍ୟ ପରମ୍ପରା ଉପରେ ପର୍ଯ୍ୟବେସିତ ସହଜଯାନୀ ସନ୍ୟାସୀ-ସନ୍ନ୍ୟାସିନୀମାନେ ବିଭିନ୍ନ ଅଞ୍ଚଳ ବୁଲିବୁଲି ଲୋକମାନଙ୍କ ପାଖରେ ଏହି ସାଧନା ପହଞ୍ଚାଉଥିଲେ । ଏହାର ଫଳସ୍ୱରୂପ କଳିଙ୍ଗର ଅନେକ ସ୍ଥାନରେ ତନ୍ତ୍ରଯାନର ବିକାଶ ସହିତ ତନ୍ତ୍ର ପୀଠମାନ ଗଢ଼ି ଉଠିଥିଲା । ସହଜଯାନୀ ସନ୍ଥ ଲୁଇପା ତାଙ୍କର ଶିଷ୍ୟଶିଷ୍ୟାଙ୍କ ସହ ସୋନପୁର ଛାଡ଼ି ବଣ ବାଟ ଦେଇ କପ୍ତିପଦାର ଭୁଜଙ୍ଗ ରାଜ୍ୟରେ ରାଜାଙ୍କ ପୃଷ୍ଠପୋଷକତା ଲାଭ କରି ସେଠାରେ କିଛି କାଳ ବାସ କରିଥିଲେ । ଏହି ସମୟରେ କାଳନଦୀ କୂଳରେ ଏକ ବିରାଟ ତନ୍ତ୍ରପୀଠ ଗଢ଼ି ଉଠିଥିଲା । ପରବର୍ତ୍ତୀ ସମୟରେ ଲୁଇପା ରାଢ଼ୋ ଗାଁ ନିକଟରେ ଥିବା ସିନ୍ଦୂରମୁଣ୍ଡି ପାହାଡ଼ରେ ବାସ କରିବା କାଳରେ ସିଦ୍ଧି ଲାଭ କରିଥିବାରୁ ସେ ରହୁଥିବା ଗୁମ୍ଫାର ନାମ ସିଦ୍ଧଗୁମ୍ପା ବୋଲି ଲୋକମୁଖରେ ପରିଚିତ । ସିଦ୍ଧିଲାଭ ପରେ ସେ ନିଜ ଅନୁଗାମୀଙ୍କ ସହ ନୀଳଗିରି ସନ୍ନିକଟ ଅଯୋଧ୍ୟା ବାଟ ଦେଇ ଏବେର ପଶ୍ଚିମବଙ୍ଗ, ଆସାମ ଆଦି ଅଞ୍ଚଳ ପାରି ହୋଇ ନେପାଳତିବ୍ୱତ ଅଭିମୁଖେ ଯାତ୍ରା କରିଥିଲେ । ଏହି କାରଣରୁ ନେପାଳ ରାଜ ଦରବାରରେ ଥିବା ପାଠାଗାରରୁ ଲୁଇପା ଓ ତାଙ୍କ ସମସାମୟିକ ସନ୍ଥଙ୍କ ରଚିତ ୫୦ଟି ଗୀତିକା ସଙ୍କଳିତ "ବୌଦ୍ଧଗାନ ଦୋହା” ନାମରେ ଏକ ତାଳପତ୍ର ପୋଥିକୁ ଐତିହାସିକ [[ହରପ୍ରସାଦ ଶାସ୍ତ୍ରୀ] ଆବିଷ୍କାର କରିଥିଲେ । ଏହି ଦୋହା ପଦ୍ୟାବଳୀ ପ୍ରାଚୀନ ଓଡ଼ିଆ ଭାଷାରେ ଲିଖିତ ହୋଇଥିଲା । ହିନ୍ଦୁ ଧର୍ମର ଶାକ୍ତମାନଙ୍କଦ୍ୱାରା ବିଭିନ୍ନ ସମୟରେ ହୋଇଥିବା ଭିନ୍ନ ଭିନ୍ନ ଆକ୍ରମଣ ଫଳରେ ଅନ୍ୟାନ୍ୟ ବୌଦ୍ଧ ପୀଠ ଭଳି ଭୀମେଶ୍ୱରୀ ପୀଠ ପତନ ହୋଇଥିଲା । ଏକା ସମୟରେ କାଳନଦୀର ଅପରପାଖରେ ଝିଙ୍କେଶ୍ୱର ଶିବ ମନ୍ଦିର ଗଢ଼ି ଉଠିଥିବା ଅନୁମିତ ।[୧]

ରାଜ-ପରମ୍ପରା[ସମ୍ପାଦନା]

କପ୍ତିପଦା ରାଜ ବଂଶର ରାଜା ମୃତ୍ୟୁବରଣ କଲେ ପରବର୍ତ୍ତୀ ରାଜା ଭୀମେଶ୍ୱରୀ ପୀଠରେ ପୂଜାର୍ଚ୍ଚନା କରନ୍ତି ଏବଂ ସେଠାରେ ଦେବୀଙ୍କର ଆଦେଶ ପାଇଲା ପରେ ଦିବଂଗତ ରାଜାଙ୍କ ଦାହ ହୁଏ । ଏହାପରେ ରାଜବାଟୀରେ ନୂତନ ରାଜାଙ୍କର ଅଭିଷେକ ହୋଇଥାଏ ।[୧]

ମୂର୍ତ୍ତିର ସ୍ୱରୂପ[ସମ୍ପାଦନା]

ଗ୍ରାମବାସୀଙ୍କଦ୍ୱାରା କିଛି ଅଂଶ ଖୋଳା ହେବା ପରେ ଭିମେଶ୍ୱରୀ ପୀଠରେ ଚାମୁଣ୍ଡା, ବାରାହୀ, ମାହେଶ୍ୱରୀ, ଯମ ଆଦି ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଏଠାରେ ଆଗରୁ ଥିବା ଚଣ୍ଡୀ ଏବଂ ଗଣେଶଙ୍କ ମୂର୍ତ୍ତି ପୂଜାସ୍ଥଳରୁ ଏବେ ନାହିଁ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ମିଶ୍ର, ସୁଶାନ୍ତ (୧୨ ଅକ୍ଟୋବର ୨୦୧୪). "ଭୂଲୁଣ୍ଠିତ ଭୀମେଶ୍ୱରୀ ପୀଠ". ସମାଜ. Retrieved ୧୨ ଅକ୍ଟୋବର ୨୦୧୪. Check date values in: |accessdate=, |date= (help)