ରାମତୀର୍ଥ

ଉଇକିପିଡ଼ିଆ‌ରୁ

ଯଶିପୁର, ମୟୂରଭଞ୍ଜ ଜିଲ୍ଲା, ଶିମିଳିପାଳ ପାଦଦେଶରେ ଥିବା ଯଶିପୁର ବଜାରର ଅନତି ଦୁରରେ ରହିଛି ଦର୍ଶନୀୟ ସ୍ଥଳୀ ରାମତୀର୍ଥ । ଏହା ଜିଲ୍ଲାର ଏକ ମାତ୍ର କୁମ୍ଭୀର ପ୍ରଜନନ କେନ୍ଦ୍ର ଭାବରେ ଖ୍ୟାତ ପର୍ଯ୍ୟଟନ ସ୍ଥଳୀ । ଏଠାରେ ରହିଛି ଅନେକ ଛୋଟ ବଡ଼ ବିରଳ ପ୍ରଜାତିର ଗୋମୁହାଁ କୁମ୍ଭୀର । ଏହା ଛଡା ଚିରସ୍ରୋତା ଖଇରୀ ଭଣ୍ଡନ ନଦୀର ପଥର ଶଯ୍ୟାରେ କୁଳୁକୁଳୁ ହୋଇ ବହି ଯାଇଛି ସ୍ୱଚ୍ଛ ଜଳରାଶି । ପଥର ଉପରେ ପୁରାଣବର୍ଣ୍ଣିତ ଶ୍ରୀରାମଙ୍କ ପାଦ ଚିହ୍ନ, ନଦୀପାର୍ଶ୍ୱସ୍ଥ ଦେବାଳୟ , ବିଭିନ୍ନ ଔଷଧୀୟ ବୃକ୍ଷବଗିଚା ସମେତ ଆଖ ପାଖରେ ଭରି ରହିଛି ପ୍ରାକୃତିକ ଜଙ୍ଗଲର ନୈସର୍ଗିକ ଶୋଭାରାଜି । ଯାତ୍ରୀଙ୍କ ଉଦ୍ଦେଷ୍ୟରେ ରହିଛି ଦେବସ୍ଥଳୀ ଯାତ୍ରୀନିବାସ ।

କିମ୍ବଦନ୍ତୀ[ସମ୍ପାଦନା]

ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ସହଧର୍ମିଣୀ ସୀତାଙ୍କ ସହ ଅରଣ୍ୟ ଗମନ କାଳରେ ଏହି ପଥ ଦେଇ ଯାଇଥିବା ଶୁଣିବାକୁ ମିଳେ । ସୀତା ଦେବୀ ପାଦରେ ଚାଲି ଚାଲି କ୍ଳାନ୍ତ ହେବାରୁ ରାମ ଲକ୍ଷ୍ମଣ କଙ୍କରିତ ପଥର ଚଟାଣରେ ବିଶ୍ରାମ ନେଇଥିଲେ । ପାଖରେ ଥିବା ଏକ ଦରହ୍ (ନଦୀଗଣ୍ଡ)ରେ ମୁହଁ, ହାତ, ପାଦ ପ୍ରକ୍ଷାଳନ କରିଥିବାରୁ କାଳକ୍ରମେ ସ୍ଥାନଟି ପବିତ୍ର ରାମତୀର୍ଥ ଭାବେ ପରିଚିତ ହେଲା । ଏଠାରେ ମକର ପର୍ବ ସମୟରେ ଟୁସୁମେଲଣ ମହାନ୍ତ ସମ୍ପ୍ରଦାୟ ତରଫରୁ ଅନୁଷ୍ଠିତ ହୋଇଥା, କିମ୍ବଦନ୍ତୀ କହେ ମୋଗଲ ସମ୍ରାଟଙ୍କ ଆଧିପତ୍ୟ କାଳରେ ତଥାକଥିତ କଳାପାହାଡ଼ର କାମାନ୍ଧତାର ଶିକାର ହେଉଥିଲେ ଭାରତର ହିନ୍ଦୁ ଲଳନାମାନେ । ଏକଦା ଅପୁର୍ବ ସୁନ୍ଦରୀ କୁଡୁମୀ କନ୍ୟା, ମୋଗଲ ସେନାର ବଶ୍ୟତା ସ୍ୱିକାର ନକରି ନଦୀକୁ ଡେଇଁ କୁମାରୀତ୍ୱ ଅକ୍ଷୁର୍ଣ୍ଣ ରଖିପାରିଥିଲେ । ତାଙ୍କ ନାଁ ଥିଲା" ଟୁସୁମଣୀ", ଏଇ ଘଟଣାକୁ ସତେଜ କରିଆସୁଛି ଏକ ସୁନ୍ଦର ପରମ୍ପରା “ଟୁସୁପରବ୍” ।

କୁମ୍ଭୀର ଗବେଷଣା କେନ୍ଦ୍ର[ସମ୍ପାଦନା]

ଯଶିପୁରର ରାମତୀର୍ଥଠାରେ ସରକାରଙ୍କ ତରଫରୁ ପ୍ରତିଷ୍ଠା କରାଯାଇଥିଲା କୁମ୍ଭୀର ଗବେଷଣା କେନ୍ଦ୍ର୤ ୧୯୭୯ରେ ପ୍ରଥମେ ଶିମିଳିପାଳସ୍ଥ ନଦୀଗୁଡିକରେ କୁମ୍ଭୀର ବଂଶବୃଦ୍ଧ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିଲା । ପ୍ରକଳ୍ପ ଆରମ୍ଭରେ ତାମିଲନାଡୁ କୁମ୍ଭୀର ବ୍ୟାଙ୍କରୁ ୧୧୫ଟି କୁମ୍ଭୀର ଶାବକ ଅଣାଯାଇଥିଲା ।୧୯୮୪ରୁ ୧୯୮୭ ମଧ୍ୟରେ ଏହି ପ୍ରକଳ୍ପରେ ୧୫୧୭ଟି ଅଣ୍ଡା ସଂଗୃହିତ ହୋଇଥିଲା ୤ ୧୯୮୮ରେ ନନ୍ଦନକାନନରୁ ୧୨ଟି କୁମ୍ଭୀର ଶାବକଏଠାକୁ ଅଣାଯାଇଥିଲା ୤ ରାମତୀର୍ଥର ଅନୁକୁଳ ପରିବେଶରେ ବିରଳ ପ୍ରଜାତିର ଗୋମୁହାଁ କୁମ୍ଭୀରଙ୍କ ବଂଶ ବୃଦ୍ଧି ଘଟୁଥିବାବେଳେ ଏହି କୁମ୍ଭୀର ଗବେଷଣା କେନ୍ଦ୍ର ଏବେ ସରକାରୀ ଅବହେଳାର ଶିକାର ହୋଇଛି ।

ଆଧାର[ସମ୍ପାଦନା]

  • ସମାଜ ,ଏପ୍ରିଲ ୮ ୨୦୧୨,ପୃଷ୍ଠା ୪,ରବିବାର