ଡାଳିଅଣା ପରବ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଡାଳିଅଣା ପରବ ବାଥୁଡ଼ି ସମାଜରେ ପାଳିତ ଏକ ଗଣପର୍ବ । ବାଥୁଡ଼ି ସମ୍ପ୍ରଦାୟରେ କୃଷି ଦେବତା ହେଉଛନ୍ତି ବଡ଼ାମ ଠାକୁର । ଡାଳିଅଣା ପର୍ବରେ ବଡ଼ାମ ଠାକୁରଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ । ବୃକ୍ଷ, ପରିବେଶ ଓ ପ୍ରକୃତିର ଗୁରୁତ୍ୱ ବହନ କରୁଥିବା ଏହି ପର୍ବ ପାଳନ କରାଯାଏ ।

ପାଳନ ବିଧି[ସମ୍ପାଦନା]

ଅଠର ଦେଉଳ ଯାତ୍ରା ସରିବା ପରେ ପ୍ରତ୍ୟେକ ବାଥୁଡ଼ି ଗ୍ରାମରେ ଗ୍ରାମର ଦେହୁରୀ ଗ୍ରାମସଭା ଡକାଇ ପୂଜା ପାଇଁ ଚାନ୍ଦା ଓ ଦିନ ଠିକ କରିଥାନ୍ତି । ଭେଣ୍ତିଆ ଓ ଢାଙ୍ଗୁଳିଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରାଯାଏ ଏବଂ ଦାୟିତ୍ୱ ବଣ୍ଟନ କରାଯାଏ । ପରମ୍ପରା ଅନୁଯାୟୀ ଢାଙ୍ଗୁଳିମାନେ ବାସୁକିଥାନ, ବଡ଼ାମଶାଳ, ମଣ୍ଡେଇଘର ଓ ଠାକୁରାଣୀଥାନକୁ ମାଟି-ଗୋବରରେ ଲିପାପୋଛା କରି ଝୋଟିଚିତା ପକାନ୍ତି । ଭେଣ୍ତିଆମାନେ ଏହିସବୁ ଥାନରେ ଆମ୍ବପତ୍ର, ପଳାଶ ଫୁଲରେ ତୋରଣ ବାନ୍ଧି କଦଳୀ ଗଛ ପୋତିଥାନ୍ତି । ସେମାନେ ରୋଷେଇ ପାଇଁ ପାଣି ଓ କାଠ ଯୋଗାଡ଼ିବା ସହ ବନ୍ଧୁବାନ୍ଧବ, ଦେହୁରୀ ଓ ଦାସୀ କାଳିସୀମାନଙ୍କର ଭଲମନ୍ଦ ବୁଝନ୍ତି । ପର୍ବ ଉପଲକ୍ଷେ ଗ୍ରାମର ଗୃହିଣୀମାନେ ନିଜନିଜର ଘରଦ୍ୱାର ଓ ଲୁଗାପଟା ସଫା କରି ରଖନ୍ତି । ପ୍ରଥମ ଦିନ ଦେହୁରୀ ଧଳାବସ୍ତ୍ର ପରିଧାନ କରି ବାସୁକିଥାନରେ ବାସୁକି ବସୁମାତା ଓ ଦୁଧିଆ ବଡ଼ାମଙ୍କୁ ସିନ୍ଦୂର ଟୋପା ଦେଇ ଦୁଧ, ଗୁଡ ଭୋଗ ଲଗାଇ ଆବାହନ କରନ୍ତି । ସେଠାରୁ ଆଜ୍ଞାମାଳ ନେଇ ଗ୍ରାମ ଠାକୁରାଣୀଙ୍କ ଥାନରେ ବୋଦା ଓ କୁକୁଡ଼ା ବଳି ଚଢ଼ାଇ ପାଖ ଜଙ୍ଗଲକୁ ଚାଙ୍ଗୁ ବାଦ୍ୟ ସହ ଯାଇଥାନ୍ତି । ସେଠାରେ ଥିବା ଏକ ବୃକ୍ଷମୂଳରେ କଳାନାଗକୁ ଖଇ, ଉଖୁଡ଼ା~ ଭୋଗ ଦେଇ ନଅ ପ୍ରକାର ଡାଳ (ଶାଳ, ମହୁଲ, କେନ୍ଦୁ, ଭାଲିଆ, କରମ, ପଳାଶ, ଆମ୍ବ, ଜାମୁ, ଧାତିଙ୍ଗି ପ୍ରଭୃତି ) କାଟି ଆଣି ଗାଁମୁଣ୍ଡରେ ରଖନ୍ତି । ଦ୍ୱିତୀୟ ଦିନ ଦେହୁରୀ ବଡ଼ାମଶାଳାରେ ଧୂଳିଆ ନାଗକୁ ଦୁଧ, କଦଳୀରେ ପୂଜା କରି ସେହି ଡାଳକୁ ଚାଙ୍ଗ ବାଜା ସହ ନଚାଇ ନଚାଇ ଡାଳ ଭଙ୍ଗା ଗୀତ ସହ ପ୍ରବେଶ କରାନ୍ତି । ଡାଳଭଙ୍ଗା ଗୀତରେ ଗାନ କରାଯାଏ,

ଜହ୍ନ ଫୁଲ ଦାଉ ଦାଉ ।
ସଞ୍ଜ ହେନେ ବଡ଼ାମ ବୁଲିକି ଯାଉ ।
ଜହ୍ନବୁଡା ଭାତ ଖାଉ ।
ଦେଖ ହୋ ଡାଳ ବଡ଼ାମ ।
ବଉଳ ମୂଳରେ କରେ ବିଶିରାମ ତୋ ପାଦେ କୋଟି ପ୍ରଣାମ ।।

ନଅ ଜଣ ଢାଙ୍ଗୁଳି ଡାଳ ଆଣିଥିବା ଲୋକଙ୍କ ପାଦକୁ ହଳଦୀ ପାଣିରେ ଧୋଇଦେଇଥାଆନ୍ତି । ପରେ ସେମାନେ ହାତରେ ଦୀପ ଧରି ଚାଙ୍ଗୁ ସଂକୀର୍ତ୍ତନ ସହ ତିନିଥର ବଡ଼ାମଶାଳରେ ପ୍ରଦକ୍ଷିଣ କଲା ପରେ ଡାଳକୁ ବୃକ୍ଷମୂଳରେ ରଖିଥାଆନ୍ତି । ଦେହୁରୀ ଲୁହାକଣ୍ଟା ପୋତି କାଳୀଙ୍କୁ କଳାକୁକୁଡ଼ା ଓ କଳାଶାଢ଼ୀ ଦେଲା ପରେ କାଳିସୀ ବାସୁକି ଥାନକୁ ଦୌଡିଯାଇ ଡାଳ ଅଣା ଖବର ଦିଅନ୍ତି । ଏହି ପର୍ବଦ୍ୱାରା ଜଙ୍ଗଲର ଭୂତପ୍ରେତ ଗାଁରେ ପ୍ରବେଶ କରିପାରନ୍ତିନାହିଁ ବୋଲି ବାଥୁଡ଼ିଆମାନଙ୍କ ବିଶ୍ୱାସ ରହିଛି । ମଧ୍ୟରାତ୍ରରେ ବଡ଼ପୂଜା ବା ମାନସିକ ପୂଜା କରାଯାଏ । ଏଥିରେ ମହୁଲ, ଶାଳ, କୁଡୁଚୀ, ପଳାଶ, କେତକୀ ଓ ବିଭିନ୍ନ ଜଙ୍ଗଲୀ ଫୁଲ ଅର୍ପଣ କରାଯାଏ । ଏହି ଅବସରରେ ରାତି ଉଜାଗର ରହି ଭେଣ୍ତିଆ ଓ ଢାଙ୍ଗୁଳିମାନେ ଚାଙ୍ଗୁ ନୃତ୍ୟ କରିଥାନ୍ତି । ତୃତୀୟ ଦିନ ଡାଳିଛଡ଼ା ବା ମେଲାଣି ପୂଜା ହୁଏ । ସମଗ୍ର ଗ୍ରାମର ଲୁଗାପଟା, କୁଲା, ଝାଡୁ, ପାଛିଆ ଓ ରନ୍ଧା ଖାଦ୍ୟଭାର ଗ୍ରାମ ବାହାରେ ଫିଙ୍ଗିଦିଆଯାଏ। ଏକ କଣ୍ଟା କୋଳିଗଛ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଇ ଗାଁ ବାହାରେ ଫିଙ୍ଗିଦିଆଯାଏ । ଏହାଦ୍ୱାରା ଗ୍ରାମ୍ୟଲୋକଙ୍କ ଉପରୁ ରୋଗ ଓ ଅଶୁଭ ଦୃଷ୍ଟି ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଯେଉଁମାନେ ମେଲାଣିରେ ଛାଡ଼ନ୍ତି ସେମାନେ ପାଖ ନଦୀରେ ଗାଧୋଇ ଠାକୁରାଣୀ ଥାନକୁ ଯାଆନ୍ତି । ସେଠାରେ ଦେହୁରୀ ଆମ୍ବ, ପଣସ, କେନ୍ଦୁ, ଭାଲିଆ, ମହୁଲ ଚାର ପ୍ରଭୃତି ଫଳକୁ ପାଣିରେ ଛଡ଼ାଇ ନୈବେଦ୍ୟ ଭାବରେ ଅର୍ପଣ କରନ୍ତି । ଏହି ଅବସରରେ ନୂଆକରି ଆମ୍ବ ଖିଆଯାଏ । ଗ୍ରାମର ପୁରୁଷମାନେ ନିଜ ନିଜର ଈଷାଣ କୋଣରେ ସେହିଫଳକୁ ପୂର୍ବପୁରୁଷ ଓ କୁଳଦେବତାଙ୍କୁ ଅର୍ପଣ କରନ୍ତି । ଏହାପରେ ଭୋଜିଭାତ ଓ ଚାଙ୍ଗୁନାଚର ଆୟୋଜନ କରାଯାଏ । ନୂଆପତ୍ର, ଫୁଲ ଓ ଫଳକୁ ବଡ଼ାମ ଠାକୁରଙ୍କ ପାଖରେ ଅର୍ପଣ କରି ତାହାକୁ ବ୍ୟବହାର କରାଯାଏ । ଯଦି ଏହିପୂଜା କୌଣସି ଗ୍ରାମରେ ହୋଇନଥାଏ, ତାହା ହେଲେ ସେହିଗ୍ରାମର ଲୋକମାନେ ଆମ୍ବ ଫଳ ସ୍ପର୍ଶ କରନ୍ତିନାହିଁ । ଏହିପର୍ବ କେଉଁ ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଆସିଛି ।

ଆଧାର[ସମ୍ପାଦନା]