ବାଟ ଓଷା

ଉଇକିପିଡ଼ିଆ‌ରୁ
ବାଟ ଓଷା
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନଯମଙ୍କ ପୂଜା
ତାରିଖପୌଷ କୃଷ୍ଣ ଦ୍ୱିତୀୟା
୨୦୨୪ ତାରିଖdate missing (please add)

ବାଟ ଓଷା ବା ଦାଣ୍ଡ ପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ ।[୧] ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି ।

ପୌରାଣିକ ମତେ ମୃତ୍ୟୁର ଦେବତା ଯମ ଅତ୍ୟନ୍ତ କଠୋର ଓ ମର୍ମତୁଦ, ସେ ପ୍ରାଣୀର କର୍ମ ଅନୁସାରେ, ମୃତ୍ୟୁପରେ ଦଣ୍ଡବିଧାନ କରନ୍ତି । ଗରମ ତେଲ କଢ଼େଇରେ ପକାଇବା, ତାହାର ଚକ୍ଷୁ ଓ କର୍ଣ୍ଣରେ ଗରମ ତେଲ ପକାଇବା; ଅସତୀ ଦୋଚାରୁଣୀମାନଙ୍କୁ ଶିମିଳି ଗଛରେ ଟାଙ୍ଗିବା ସହ ବିଛା, କଙ୍କଡ଼ା, ନାଗମାନଙ୍କଦ୍ୱାରା ଅନେକ ଯନ୍ତ୍ରଣା ଦିଅନ୍ତି । ଏସବୁ ଯନ୍ତ୍ରଣାରୁ ରକ୍ଷା କରିବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟ ଓଷା ବା ଦାଣ୍ଡ ପହଁରା ଓଷାର ସୃଷ୍ଟି ।

ପୂଜା ବିଧି[ସମ୍ପାଦନା]

ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ, ନୂଆ ଧାନ କୁଟି ମଣ୍ଡାପିଠା, ମୁଢ଼ି, ଖଇ, ମୁଆଁ, ଚୁଡ଼ା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷ ଓ କୁଣ୍ଡା ଆଦି ନୈବେଦ୍ୟ କରାଯାଏ । ଗାଁ ଦାଣ୍ଡ ବା ବନସ୍ତରେ ଗାତ ଖୋଳାଯାଇ, ଗୋଟିଏ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାତାମାନେ ଚାରିପଟେ ଚାଙ୍ଗୁଡ଼ା ଧରି, ବଜ୍ରମୂଳି ଉପରେ ରଖି କପଡ଼ା ଢାଙ୍କି ବସନ୍ତି ଏବଂ ଯମ ଦେବତାଙ୍କୁ ଷୋଡ଼ଶୋପଚାରରେ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରନ୍ତି । ତାହା ପରେ ମାତାମାନେ ନିଜ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ଯମଙ୍କୁ ସ୍ମରଣ କରିଥାନ୍ତି ।

ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]

କୋଶଳ ଦେଶର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ, ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ପୁତ୍ରସନ୍ତାନ ନଥିବାରୁ ମନସ୍ତାପ କରିଥିଲେ । ବିଜ୍ଞ ବ୍ରାହ୍ମଣ, ଜ୍ୟୋତିଷ ଦାଣ୍ଡ ପହଁରା ବା ବାଟ ଓଷା କରିବାଦ୍ୱାରା ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ । ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ , ଯାହାର ନାମ ବୀରସେନ । କିନ୍ତୁ ପୁତ୍ରପ୍ରାପ୍ତି ପରେ, ରାଣୀ ଆଉ ଯମଦେବତାଙ୍କ ବାଟ ଓଷା ନ କରିବା ଯୋଗୁଁ ଯମ ବୀରସେନଙ୍କୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ତାଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ । ତତ୍‌ପରେ ଯମ ସ୍ନାନ କରିବାକୁ ଚାଲିଗଲେ । ଇତ୍ୟବସରରେ ବୀରସେନଙ୍କ ନାକରେ ଦୁଇ ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ । ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ । ଏହି ସମୟରେ ଯମମାତା ଅଚ୍ଛମର ହୁଅ ବୋଲି କହିଥିଲେ । ଯାହା ଫଳରେ ଯମଦେବ ବୀରସେନଙ୍କୁ ନ ମାରି, ବାଟ ଓଷା ନକଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଇଗଲେ । ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ମଧ୍ୟ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟ ଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ । ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟ ଓଷା କରି, ଦାଣ୍ଡ ପହଁରି, ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ । ଏହି ପୂଜାର ନିୟମ, ସବୁ ପ୍ରସାଦ ପୂଜା ମଣ୍ଡପକୁ ନେବେ ଏବଂ ଘରେ ଲୋଭବଶତଃ ପୂଜାଦ୍ରବ୍ୟ ରଖିଲେ ଯମ ଅସନ୍ତୋଷ ହୋଇଥାନ୍ତି । ପୂଜା ଅନ୍ତେ ସମସ୍ତ ପ୍ରସାଦକୁ ବାଳକ, ବୃଦ୍ଧ ଓ ପରିବାରବର୍ଗଙ୍କ ମଧ୍ୟରେ ବାଣ୍ଟିଦେବା ବିଧେୟ । [୨]

ଆଧାର[ସମ୍ପାଦନା]

  1. S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 408–. ISBN 978-81-7835-377-7.
  2. ପଣ୍ଡିତ ହରେକୃଷ୍ଣ ପତି, ସଂଚାର, ପୃଷ୍ଠା-୧୩, ସୋମବାର, ୨୮.୧୨.୨୦୧୫