Jump to content

ବାଟ ଓଷା

ଉଇକିପିଡ଼ିଆ‌ରୁ
ବାଟ ଓଷା
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନଯମଙ୍କ ପୂଜା
ତାରିଖପୌଷ କୃଷ୍ଣ ଦ୍ୱିତୀୟା
୨୦୨୪ ତାରିଖdate missing (please add)

ବାଟ ଓଷା ବା ଦାଣ୍ଡ ପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ ।[] ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି ।

ପୌରାଣିକ ମତେ ମୃତ୍ୟୁର ଦେବତା ଯମ ଅତ୍ୟନ୍ତ କଠୋର ଓ ମର୍ମତୁଦ, ସେ ପ୍ରାଣୀର କର୍ମ ଅନୁସାରେ, ମୃତ୍ୟୁପରେ ଦଣ୍ଡବିଧାନ କରନ୍ତି । ଗରମ ତେଲ କଢ଼େଇରେ ପକାଇବା, ତାହାର ଚକ୍ଷୁ ଓ କର୍ଣ୍ଣରେ ଗରମ ତେଲ ପକାଇବା; ଅସତୀ ଦୋଚାରୁଣୀମାନଙ୍କୁ ଶିମିଳି ଗଛରେ ଟାଙ୍ଗିବା ସହ ବିଛା, କଙ୍କଡ଼ା, ନାଗମାନଙ୍କଦ୍ୱାରା ଅନେକ ଯନ୍ତ୍ରଣା ଦିଅନ୍ତି । ଏସବୁ ଯନ୍ତ୍ରଣାରୁ ରକ୍ଷା କରିବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟ ଓଷା ବା ଦାଣ୍ଡ ପହଁରା ଓଷାର ସୃଷ୍ଟି ।

ପୂଜା ବିଧି

[ସମ୍ପାଦନା]

ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ, ନୂଆ ଧାନ କୁଟି ମଣ୍ଡାପିଠା, ମୁଢ଼ି, ଖଇ, ମୁଆଁ, ଚୁଡ଼ା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷ ଓ କୁଣ୍ଡା ଆଦି ନୈବେଦ୍ୟ କରାଯାଏ । ଗାଁ ଦାଣ୍ଡ ବା ବନସ୍ତରେ ଗାତ ଖୋଳାଯାଇ, ଗୋଟିଏ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାତାମାନେ ଚାରିପଟେ ଚାଙ୍ଗୁଡ଼ା ଧରି, ବଜ୍ରମୂଳି ଉପରେ ରଖି କପଡ଼ା ଢାଙ୍କି ବସନ୍ତି ଏବଂ ଯମ ଦେବତାଙ୍କୁ ଷୋଡ଼ଶୋପଚାରରେ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରନ୍ତି । ତାହା ପରେ ମାତାମାନେ ନିଜ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ଯମଙ୍କୁ ସ୍ମରଣ କରିଥାନ୍ତି ।

ପୌରାଣିକ କିମ୍ବଦନ୍ତୀ

[ସମ୍ପାଦନା]

କୋଶଳ ଦେଶର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ, ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ପୁତ୍ରସନ୍ତାନ ନଥିବାରୁ ମନସ୍ତାପ କରିଥିଲେ । ବିଜ୍ଞ ବ୍ରାହ୍ମଣ, ଜ୍ୟୋତିଷ ଦାଣ୍ଡ ପହଁରା ବା ବାଟ ଓଷା କରିବାଦ୍ୱାରା ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ । ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ , ଯାହାର ନାମ ବୀରସେନ । କିନ୍ତୁ ପୁତ୍ରପ୍ରାପ୍ତି ପରେ, ରାଣୀ ଆଉ ଯମଦେବତାଙ୍କ ବାଟ ଓଷା ନ କରିବା ଯୋଗୁଁ ଯମ ବୀରସେନଙ୍କୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ତାଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ । ତତ୍‌ପରେ ଯମ ସ୍ନାନ କରିବାକୁ ଚାଲିଗଲେ । ଇତ୍ୟବସରରେ ବୀରସେନଙ୍କ ନାକରେ ଦୁଇ ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ । ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ । ଏହି ସମୟରେ ଯମମାତା ଅଚ୍ଛମର ହୁଅ ବୋଲି କହିଥିଲେ । ଯାହା ଫଳରେ ଯମଦେବ ବୀରସେନଙ୍କୁ ନ ମାରି, ବାଟ ଓଷା ନକଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଇଗଲେ । ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ମଧ୍ୟ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟ ଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ । ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟ ଓଷା କରି, ଦାଣ୍ଡ ପହଁରି, ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ । ଏହି ପୂଜାର ନିୟମ, ସବୁ ପ୍ରସାଦ ପୂଜା ମଣ୍ଡପକୁ ନେବେ ଏବଂ ଘରେ ଲୋଭବଶତଃ ପୂଜାଦ୍ରବ୍ୟ ରଖିଲେ ଯମ ଅସନ୍ତୋଷ ହୋଇଥାନ୍ତି । ପୂଜା ଅନ୍ତେ ସମସ୍ତ ପ୍ରସାଦକୁ ବାଳକ, ବୃଦ୍ଧ ଓ ପରିବାରବର୍ଗଙ୍କ ମଧ୍ୟରେ ବାଣ୍ଟିଦେବା ବିଧେୟ । []

  1. S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 408–. ISBN 978-81-7835-377-7.
  2. ପଣ୍ଡିତ ହରେକୃଷ୍ଣ ପତି, ସଂଚାର, ପୃଷ୍ଠା-୧୩, ସୋମବାର, ୨୮.୧୨.୨୦୧୫