ତାଳଚେର ବୃହତ ତାପଜ ବିଦ୍ୟୁତ କେନ୍ଦ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ତାଳଚେର ବୃହତ ତାପଜ ବିଦ୍ୟୁତ୍‍ କେନ୍ଦ୍ର, କଣିହା

ତାଳଚେର ବୃହତ ତାପଜ ବିଦ୍ୟୁତ୍‍ କେନ୍ଦ୍ର ଓଡ଼ିଶାର ଅନୁଗୋଳ ଜିଲ୍ଲାର ତାଳଚେର ସବ୍‍ଡିଭିଜନ୍‍ ଅନ୍ତର୍ଗତ କଣିହାଠାରେ ଅବସ୍ଥିତ ଓଡ଼ିଶାର ସର୍ବ ବୃହତ ତାପଜ ବିଦ୍ୟୁତ୍‍ କେନ୍ଦ୍ର ଅଟେ । ଏହା ଭାରତ ସରକାରଙ୍କ ଉପକ୍ରମ ଏନ୍‍ଟିପିସି (NTPC)ର ଅଂଶବିଶେଷ । ୩,୦୦୦ ମେଗାୱାଟ୍‍ (MW) କ୍ଷମତା[୧] ବିଶିଷ୍ଟ ଏହି କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ଉତ୍ପାଦନ ସଂଯଂତ୍ରରେ ଛଅଟି ୟୁନିଟ ଅଛି । ପ୍ରତ୍ୟେକଟି ୟୁନିଟ ୫୦୦ ମେଗାୱାଟ[୨] । ୨୦୦୫ରୁ ୨୦୦୭ ଯାଏଁ ଏହା ଭାରତର ସର୍ବ ବୃହତ୍‍ ତାପଜ ବିଦ୍ୟୁତ୍‍ କେନ୍ଦ୍ର ଭାବରେ ପରିଗଣିତ ଥିଲା । ଏହି ବିଦ୍ୟୁତ୍‍ କେନ୍ଦ୍ର ଦିନକୁ ୭୨ ନିୟୁତ ୟୁନିଟ୍‍ ବିଜୁଳି ଉତ୍ପାଦନ କରିପାରେ (୧୦୦% ଉପଯୋଗ ବେଳେ) । ଏଥିପାଇଁ ଏହା ଦିନକୁ ପ୍ରାୟ ୫୦,୦୦୦ ଟନ୍‍ କୋଇଲା ଆବଶ୍ୟକ କରେ ଯାହା ମୁଖ୍ୟତଃ ତାଳଚେର (ଲିଙ୍ଗରାଜ) ଓ କଣିହାଁ କୋଇଲା ଖଣି ଗୁଡ଼ିକରୁ ଆସିଥାଏ । ଏତେ ପରିମାଣର କୋଇଲା ଆଣିବା ପାଇଁ ଏନ୍‍ଟିପିସିର ନିଜର ୪୫ କିଲୋମିଟର ରେଳ ଲାଇନ (ଏମ୍ ଜି ଆର୍‍ ବା ମେରି ଗୋ ରାଉଣ୍ଡ୍), ରେଳ ଇଞ୍ଜିନ ତଥା ପ୍ରାୟ ୨୫୦ ୱାଗନ୍‍ ଅଛି । ଅତୀତରେ (୨୦୦୯-୨୦୧୪) କୋଇଲା ଅଭାବ ସମୟରେ ବିଦେଶରୁ (ଇଣ୍ଡୋନେସିଆ) ଆମଦାନୀ କୋଇଲା ମଧ୍ୟ ଉପଯୋଗ କରାଯାଇଥିଲା । ବ୍ରାହ୍ମଣୀ ନଦୀ ଉପର ଅବସ୍ଥାପିତ ସମଲ ବ୍ୟାରେଜ୍‍ରୁ ଏହି ସଂଯଂତ୍ର ନିମନ୍ତେ ଜଳ ଆସିଥାଏ । ଏଠାରୁ ଦିନକୁ ପ୍ରାୟ ୧୮,୦୦୦ ଟନ୍‍ ପାଉଁଶ ବାହାରିଥାଏ, ଯାହା ମୁଖ୍ୟତଃ ୫ କିଲୋମିଟର ଦୂରରେ ଥିବା ଆସ୍‍ ଡାଇକ୍‍କୁ (ପାଉଁଶ ବନ୍ଧ) ଯାଇଥାଏ ।

ଇତିହାସ[ସମ୍ପାଦନା]

୧୯୮୯ ଜୁନ୍‍ ମାସ ୨୩ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗା‍ନ୍ଧୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେତେବେଳେ ଏହି ଅଞ୍ଚଳ ଏକ ଦୁର୍ଗମ ଇଲାକା ଥିଲା । ନିର୍ମାଣ କାର୍ଯ୍ୟ ସେହି ୧୯୮୯ରୁ ଆରମ୍ଭ ହୋଇଥିଲା । ପ୍ରଥମେ ଏନ୍‍ଟିପିସି ତଥା ଅନ୍ୟ ନିର୍ମାଣକାରୀ ସଂସ୍ଥା ମାନଙ୍କ କର୍ମଚାରୀମାନେ ତାଳଚେରଠାରେ ରହୁଥିଲେ, ପରେ ବିଜିଗୋଳ-ରଙ୍ଗବେଡା ଗ୍ରାମ ନିକଟବର୍ତ୍ତୀ ଅସ୍ଥାୟୀ ଟାଉନ୍‍ସିପ୍‍ ନିର୍ମିତ ହେଲାପରେ ସେଠାରେ ରହିଲେ । ପ୍ରଥମ ପର୍ଯ୍ୟାୟ ନିମନ୍ତେ ବଏଲର୍‍, ଟର୍ବାଇନ୍‍ ଓ ଜେନେରଟର ଉପକରଣ ଗୁଡ଼ିକ ୟୁରୋପୀୟ ଦେଶମାନଙ୍କରୁ (ଫ୍ରାନ୍ସ ତଥା ଜର୍ମାନୀ) ଆମଦାନୀ ହୋଇଥିଲା । ଷ୍ଟେନ୍‍ ଇଣ୍ଡଷ୍ଟ୍ରି ଏବଂ ଏବିବି (ବର୍ତ୍ତମାନ ଜୀଈ-ଆଲ୍‍ସ୍ତୋମ୍‍) ସେହି ଉପକରଣ ଗୁଡ଼ିକର ନିର୍ମାତା ଥିଲେ । ପ୍ରଥମ ପର୍ଯ୍ୟାୟର (୨x ୫୦୦ MW) ନିର୍ମାଣ ୧୯୯୫ରେ ସମାପ୍ତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ (୪ x ୫୦୦ MW) ୧୯୯୯ରେ ଆରମ୍ଭ ହୋଇ ୨୦୦୫ ମସିହାରେ ସମାପ୍ତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟର ମୁଖ୍ୟ ଉପକରଣ ସବୁ ବିଏଚ୍‍ଇଲ୍‍ (BHEL) ଯୋଗାଇଥିଲେ ।

ଅନ୍ୟାନ୍ୟ ତଥ୍ୟ[ସମ୍ପାଦନା]

ତାଳଚେର ବୃହତ ତାପଜ ବିଦ୍ୟୁତ୍‍ କେନ୍ଦ୍ରର ପ୍ରଥମ ଚରଣରେ (1000 ମେଗାୱାଟ) ଉତ୍ପାଦିତ ହୋଇଥିବା ବିଦ୍ୟୁତ୍ ମୁଖ୍ୟତଃ ଓଡ଼ିଶା, ବିହାର୍, ପଶ୍ଚିମ ବଂଗ, ଆସାମ , ଉତ୍ତର ପୂର୍ବ ରାଜ୍ୟ ମାନଂକୁ ପଠାଯାଇଥାଏ । ଏହି ପ୍ରଥମ ଚରଣରେ ଓଡ଼ିଶାର ଭାଗ ମାତ୍ର 30% ଅର୍ଥାତ 300 ମେଗାୱାଟ। ଦ୍ୱିତୀୟ ଚରଣ (2000 ମେଗାୱାଟ କ୍ଷମତା) ଉତ୍ପାଦନରୁ ବିଜୁଳି ମୁଖ୍ୟତଃ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କୁ ପଠାଯାଇଥାଏ । ଓଡ଼ିଶାର ଭାଗ ଏଥିରେ ମାତ୍ର ୧୦% ଅର୍ଥାତ ୨୦୦ ମେଗାୱାଟ । ଦ୍ୱିତୀୟ ଚରଣରୁ ଦକ୍ଷିଣ ଭାରତର ରାଜ୍ୟମାନଂକ୍ନୁ ବିଦ୍ୟୁତ୍‍ ସରବରାହ (ଟ୍ରାଂସମିଶନ୍) କରିବା ନିମଂତେ ଭାରତୀୟ ପାୱାରଗ୍ରୀଡ୍‍ କର୍ପୋରସନଙ୍କ ୧୪୫୦ କିମି ଦୀର୍ଘ କଣିହା-କୋଲାର (କର୍ଣାଟକ) ± ୫୦୦ କିଲୋ ଭୋଲ୍ଟ ଏଚ୍‍ଭିଡିସି ଟ୍ରାଂସମିଶନ୍ ଲାଇନ ବ୍ୟବହୃତ ହୋଇଥାଏ [୩]

ଏଠାରେ ମଧ୍ୟ ସମୁଦାୟ ୧୦ମେଗାୱାଟ ବିଶିଷ୍ଟ ସୌର ଶକ୍ତି ଉତ୍ପାଦନ କେଂଦ୍ର ଅଛି, ଯାହାକି ୨୦୧୪ ମସିହାରେ କାର୍ଯ୍ୟକାରୀ ହୋଇଥିଲା[୪]

ଆଧାର[ସମ୍ପାଦନା]

  1. "The top 10 biggest thermal power plants in India". Power Technology. Retrieved 28 February 2016.
  2. "Talcher Kaniha". Retrieved 18 July 2016.
  3. "Talcher–Kolar HVDC system". Retrieved 20 July 2016.
  4. "Commercial Declaration of 10 MW Solar Plant in NTPC, Talcher (Kaniha)". Retrieved 20 July 2016. |first= missing |last= (help)