ଭଗବତୀ ଦେଉଳ

ଉଇକିପିଡ଼ିଆ‌ରୁ
ଭଗବତୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
ସ୍ଥାନବାଣପୁର
Stateଓଡ଼ିଶା
Countryଭାରତ

ବାଣପୁର ସହରର ପଶ୍ଚିମ ଦିଗରେ ଘଣ୍ଟଶିଳା ପାହାଡ଼ ନିକଟରେ ଶାଳିଆ ନଦୀ କୂଳରେ ଭଗବତୀଙ୍କ ଦେଉଳ ଅବସ୍ଥିତ । ପ୍ରଧାନ ଦେଉଳ ସଂଲଗ୍ନରେ ଜଗମୋହନ ଓ ମଣ୍ଡପ ରହିଛି । ପଶ୍ଚିମାଭିମୁଖି ଦେବୀଙ୍କ ସିଂହଦ୍ୱାର ଉତ୍ତରଦିଗକୁ ରହିଛି । ୪୦ଫୁଟ ଉଚ୍ଚ ଦେଉଳର ବେଢ଼ାଟି ପ୍ରାୟ ୧୦୦ଫୁଟ ପ୍ରସ୍ଥ ଓ ଦୈର୍ଘ୍ୟର ଏକ ବର୍ଗାକାର କ୍ଷେତ୍ର । ଦେଉଳର ଦକ୍ଷିଣ ଓ ଉତ୍ତର ଦିଗରେ ବେଢ଼ା ମଧ୍ୟରେ ରହିଛି ପାକଶାଳା, ପର୍ବଘର ଓ ମୁଆଁଘର ରହିଛି ।

ବିଗ୍ରହ[ସମ୍ପାଦନା]

ଦେଉଳରେ ଭଗବତୀଙ୍କର ପ୍ରାୟ ପାଞ୍ଚଫୁଟ ଉଚ୍ଚର ଅଷ୍ଟଭୁଜା ପ୍ରସ୍ତରମୁର୍ତ୍ତି ପୂଜା ପାଉଛନ୍ତି । ଦେବୀ ପ୍ରଧାନ ଦୁଇ ହସ୍ତରେ ଧରିଥିବା ତ୍ରିଶୂଳରେ ମହିଷାସୁରର ବକ୍ଷକୁ ବିଦ୍ଧ କରୁଥିବା ମୁଦ୍ରାରେ ସିଂହ ଉପରେ ଦଣ୍ଡାୟମାନ ଅଛନ୍ତି । ଅଷ୍ଟଭୁଜା ଦେବୀ ତାଙ୍କର ପ୍ରଧାନ ଦୁଇ ହସ୍ତରେ ତ୍ରିଶୂଳ ଧାରଣ କରିଥିବାବେଳେ, ଅନ୍ୟ ଛଅଟି ହସ୍ତରେ ଖଡ଼୍ଗ, ସର୍ପ, ଧନୁ, ଅଙ୍କୁଶ, ଶଙ୍ଖ ଓ ଚକ୍ର ଧାରଣ କରିଅଛିଅନ୍ତି । ମଇଁଷି ଗଣ୍ଡିରୁ ଛିନ୍ନ ମୁଣ୍ଡଟି ଭୂଲୁଣ୍ଠିତ ହେବାପରେ ମଇଁଷି ଶରୀର ମଧ୍ୟରୁ ଆତ୍ମପ୍ରକାଶ କରିଥିବା ଅସୁରର ନିଧନ ଉଦ୍ଦେଶ୍ୟରେ ଦେବୀଙ୍କ ତ୍ରିଶୂଳ ବିଦ୍ଧ କରିଛି ଦାନବର ବକ୍ଷ ଓ ଦେବୀଙ୍କ ହସ୍ତର ସର୍ପ ମଧ୍ୟ ଶତ୍ରୁ ବିପକ୍ଷରେ ଦଂଶନ ପ୍ରବଣ ହୋଇ ରହିଛି । ସମ୍ପୂର୍ଣ୍ଣରୂପେ ବସ୍ତ୍ରାବୃତ ପ୍ରତିମାର ମୁଖମଣ୍ଡଳଟି ଦୁଇଟି ରୁପାର ଚକ୍ଷୁ, ରୁପାର ପାଟି ଓ ସୁନାର ଜିଭଦ୍ୱାରା ସଜ୍ଜିତ । ଦେଉଳର ଜଗମୋହନର ପୂଜା ପାଉଛନ୍ତି ବିରଜାଇ ଭାବେ ପରିଚିତ ଶାଢ଼ୀ ପରିବୃତ ଏକ ସ୍ତମ୍ଭ । ବିରଜାଇଙ୍କ ମୁଖ୍ୟ ମନ୍ଦିର ଭଗବତୀ ଦେଉଳଠାରୁ ୧୨ କିଲୋମିଟର ଦୁର ସାଳିଆ ଗାଁ ନିକଟରେ ଅବସ୍ଥିତ । ଦେଉଳର ପଶ୍ଚିମ ପାର୍ଶ୍ୱରେ ରହିଛି ଅଣଓସାରିଆ ବଳିକ୍ଷେତ୍ର ଓ ପଳାସକୁଣି ଦେଉଳ । ପଶୁ ବଳି ପଡ଼ିବାପରେ ଗଣ୍ଡିଗୁଡ଼ିକୁ ଦେବୀ ପଳାସକୁଣୀଙ୍କୁ ଅର୍ପଣ କରାଯାଇଥାଏ ।

ଭୋଗ[ସମ୍ପାଦନା]

ପ୍ରତ୍ୟେକ ଦିନ ଛଅଥର ଦେବୀଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ଆମିଷ, ବିଶେଷତଃ ମାଛ, ଦେବୀଙ୍କ ଭୋଗରେ ବର୍ଷସାରା ଥାଏ ।

  1. ପ୍ରତ୍ୟେକ ଦିନ ପ୍ରତ୍ୟୁଷରେ ପ୍ରଥମେ ସ୍ନାନ ନୀତି ସମାପନ କରାଯାଇ ମନୋହର ମାହାର୍ଦ୍ଦ (ଶ୍ରୀମନ୍ଦିରର ଏକ ନିର୍ଦ୍ଦିଷ୍ଟ ମହାପ୍ରସାଦ) ଅର୍ପଣ କରାଯାଇଥାଏ ।
  2. ସକାଳ ସାଢ଼େ ଆଠଟାରେ ବଲ୍ଲଭ ଭୋଗ କରାଯାଏ । ଏହି ଭୋଗରେ ଅନ୍ନ, ଡାଲି, ଏଣ୍ଡୁରୀ, କ୍ଷୀରି, ମାଛ ମହୁର ଓ ତିନୋଟି ମୁଆଁ ଅର୍ପଣ କରାଯାଇଥାଏ । ବଲ୍ଲଭଭୋଗ ଲାଗି ହେବାର ଘଣ୍ଟାଏ ପରେ ଦେବୀଙ୍କ ମଧ୍ୟାହ୍ନ ପହୁଡ଼ ନୀତି କରାଯାଏ ।
  3. ଅପରାହ୍ନ ତିନିଟା ବେଳେ ପହୁଡ଼ ଫିଟାଇ ମାଠପୁଳି ଅର୍ପଣ କରାଯାଏ ।
  4. ସନ୍ଧ୍ୟା ଆଳତୀ ପୂର୍ବରୁ ଖଜା, ସରପୁଳି ଓ ଝଡ଼େଇନଦା ଅର୍ପଣ କରାଯାଏ ।
  5. ରାତି ୧୧ଟାରେ ପଖାଳ, ମାଛ ଭଜାକାକରା ଭୋଗ କରାଯାଏ ।
  6. ରାତ୍ରିପହୁଡ଼ ପୂର୍ବରୁ ବଡ଼ସିଂହାର ଭୋଗରେ କାନ୍ତି (ଚନ୍ଦ୍ରକାନ୍ତି) ଓ ପଣା ଅର୍ପଣ କରାଯାଏ ।

ସେବକ[ସମ୍ପାଦନା]

ଭଗବତୀଙ୍କ ସେବାରେ ନିଯୁକ୍ତ ଥିବା ସେବକଙ୍କ ମଧ୍ୟରୁ ମୁଖ୍ୟ ୩ପ୍ରକାର ସେବକ ହେଲେ: ପୁରୋହିତ, ସୁଆର ଓ ମାଳି । ପୁରୋହିତମାନେ କେବଳ ଶଙ୍ଖୁଡ଼ି ଭୋଗ କରନ୍ତି । ସୁଆରମାନେ ଅନ୍ନଭୋଗ ପ୍ରସ୍ତୁତ କରନ୍ତି । ସ୍ୱତନ୍ତ୍ର ସେବାୟତ ମୁଆଁ ପ୍ରସ୍ତୁତ କରିଥାନ୍ତି । ମାଳି ସେବକମାନେ ଦେବୀଙ୍କ ପୁଷ୍ପ ଭୂଷଣ ଯୋଗାଇବା ସହ ଅନ୍ନଭୋଗ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ରୋଷଶାଳାରେ ପହଞ୍ଚାଇବା ସହ ଦେଉଳରେ ମୁଆଁଭୋଗ ଅର୍ପଣ କରନ୍ତି । ଶାରଦୀୟ ପୂଜା ଦେଉଳର ପାଳିତ ଦେବୀଙ୍କ ପ୍ରଧାନ ପର୍ବ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]