ସୁଧାକର ବସନ୍ତ

ଉଇକିପିଡ଼ିଆ‌ରୁ
ସୁଧାକର ବସନ୍ତ
ଜନ୍ମ
ସୁଧାକର ବସନ୍ତ
ବୃତ୍ତି(ସମୂହ)ନିର୍ଦ୍ଦେଶକ
ଅଭିନେତା
ନୃତ୍ୟ ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୯୯-ଏବେଯାଏଁ

ସୁଧାକର ବସନ୍ତ, ଜଣେ ଭାରତୀୟ ନିର୍ଦ୍ଦେଶକ, ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ପ୍ରଯୋଜକ ।[୧][୨] ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କନ୍ନଡ଼, ତେଲୁଗୁ, ତାମିଲ, ମାଲାୟଲମ, ବଙ୍ଗାଳୀ, ହିନ୍ଦୀ ଆଦି କଥାଚିତ୍ର ଜଗତରେ ବିଭିନ୍ନ ଚଳଚ୍ଚିତ୍ରରେ ଜଣେ ନୃତ୍ୟଗୁରୁ ଭାବରେ କାମ କରିଛନ୍ତି । ଏଥି ସହିତ ସେ ବିଭିନ୍ନ ଭାଷାର କଥାଚିତ୍ରଗୁଡ଼ିକରେ ଅତିଥି କଳାକାର ଭାବରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଛନ୍ତି ଓ ଓଡ଼ିଆ, ତେଲୁଗୁ, ତାମିଲ ଆଦି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ଜନ୍ମ ଓ ମାତୃଭାଷା[ସମ୍ପାଦନା]

ସୁଧାକର ବସନ୍ତ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତୃଭାଷା ହେଉଛି ମାଲାୟଲମ୍ ।[୩]

କଥାଚିତ୍ର ଜଗତରେ କାମ[ସମ୍ପାଦନା]

ସୁଧାକର ବସନ୍ତ ପ୍ରଥମେ ନୃତ୍ୟ ନିର୍ଦ୍ଦେଶକ ଚିନି ପ୍ରକାଶଙ୍କର ସହକାରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ସେହି ସମୟରେ ସେ ନୃତ୍ୟ ବିଷୟରେ ବିଭିନ୍ନ କଳା ଶିଖିଥିଲେ ।[୩] ଏହି ସମୟରେ ସେ ହିନ୍ଦୀ, ତାମିଲ, ତେଲୁଗୁ ଆଦି କଥାଚିତ୍ର ଜଗତରେ କାମ କରିଥିଲେ । ଏହାପରେ ସେ ନୃତ୍ୟ ନିର୍ଦ୍ଦେଶକ ଭାବରେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ଼, ମଲୟାଲମ, ବଙ୍ଗାଳୀ, ଓଡ଼ିଆ ଆଦି କଥାଚିତ୍ର ଜଗତରେ କାମ କରିଥିଲେ ।[୩]

ଓଡ଼ିଆ କଥାଚିତ୍ର ଜଗତରେ କାମ[ସମ୍ପାଦନା]

ସୁଧାକର ବସନ୍ତ ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଜଣେ ନୃତ୍ୟଗୁରୁ ଭାବରେ ଗୋପାଳ ଯୋଗେଶଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଶୋଳ ଶୁକ୍ରବାରରେ ପ୍ରଥମେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୩] ଏହାପରେ ସେ ପ୍ରେମ ବନ୍ଧନ ଏବଂ ସୁନା ସଂଖାଳୀ ଆଦି ଓଡ଼ିଆ କଥାଚିତ୍ରରେ ଲଗାତାର କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ପରେ ସେ ଅଧିକାଂଶ କଥାଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ସୁଧାକର କଥାଚିତ୍ରଗୁଡ଼ିକର ନୃତ୍ୟଗୁଡ଼ିକରେ ପ୍ରାୟତଃ ଛୋଟ ଛୋଟ ଅତିଥି କଳାକାର ଭୂମିକାରେ ଅଭିନୟ କରିଥାନ୍ତି । ୨୦୦୬ ମସିହାରେ ସୁଧାକର ବସନ୍ତ ଶକ୍ତି ବରାଳଙ୍କ ନିର୍ଦ୍ଦେଶିତ କଥାଚିତ୍ର ତୁ ଏକା ଆମ ସାହା ଭରସାରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ଅଧିକ ଲୋକପ୍ରିୟତା ପାଇଥିଲେ ।[୩]

୧୦ ବର୍ଷ ନିର୍ଦ୍ଦେଶନା ଦେବାପରେ ସେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କଥାଚିତ୍ରର ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୪][୩] ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ମିତରେ ମିତ ଯେଉଁଥିରେ ଅରିନ୍ଦମ ରାୟ, ନମ୍ରତା ଥାପା, ଲଭ୍‌‌ଲି ଓ ତନ୍ମୟ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୧୧ ମସିହାରେ ସୁଧାକରଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ବାଳୁଙ୍ଗା ଟୋକା ଅଧିକ ଲୋକପ୍ରିୟ ହୋଇଥିଲା ଏବଂ ତାଙ୍କୁ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଆଗଧାଡ଼ିର ନିର୍ଦ୍ଦେଶକ ଭାବରେ ଗଣାଗଲା ।

ସୁଧାକର ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଥିଲେ । ସେ ୨୦୧୪ ମସିହାରେ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ । ତାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଓମ୍ । ଏହାପରେ ୨୦୧୫ରେ ସେ ଆଶିକ୍ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ।

ଅଭିନୟ[ସମ୍ପାଦନା]

ବିଭିନ୍ନ କଥାଚିତ୍ରରେ ଛୋଟ ଛୋଟ ଅତିଥି କଳାକାର ଭାବରେ ଆବିର୍ଭାବ ହେବାପରେ ସୁଧାକର ୨୦୧୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ତାଙ୍କ ନିର୍ଦ୍ଦେଶିତ କଥାଚିତ୍ର ଗଞ୍ଜା ଲଢ଼େଇରେ ସେ ଜଣେ ଖଳନାୟକ ଆନ୍ନା ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୫ ମସିହାରେ କିଏ ଦବ ଟକ୍କର, ଆଶିକ୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ସୁଧାକର ତାମିଲ କଥାଚିତ୍ର ସିଙ୍ଘମ-୩ରେ ମଧ୍ୟ ଏକ ପାର୍ଶ୍ୱ ଅଭିନେତା ଭାବରେ ଅଭିନୟ କରିଥିଲେ ।[୫]

ନିର୍ଦ୍ଦେଶିତ ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର
୨୦୦୯ ମିତରେ ମିତ
୨୦୧୦ ପ୍ରେମ ଅଢ଼େଇ ଅକ୍ଷର[୬]
୨୦୧୧ କିଏସେ ଡାକୁଛି କୋଉଠି ମତେ
ବାଳୁଙ୍ଗା ଟୋକା
୨୦୧୨ ସମଥିଙ୍ଗ୍ ସମଥିଙ୍ଗ୍
ମାଟ୍ରିକ୍ ଫେଲ୍[୭]
ଏସିପି ରଣବୀର
୨୦୧୩ ମୋ' ଦୁନିଆ ତୁ ହିଁ ତୁ[୮]
ଡାହା ବାଳୁଙ୍ଗା
୨୦୧୪ ଓମ୍
ସମଥିଙ୍ଗ୍ ସମଥିଙ୍ଗ୍ ୨
ଗଞ୍ଜା ଲଢ଼େଇ
୨୦୧୫ ଆଶିକ୍

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୪ ଗଞ୍ଜା ଲଢ଼େଇ ଆନ୍ନା ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୫ କିଏ ଦବ ଟକ୍କର ଭାଲୁ ଯାଦବ
ଆଶିକ୍ ବିଜୟ ସିଂହ

ଆଧାର[ସମ୍ପାଦନା]

  1. "Money matters a lot in Ollywood - Times of India". The Times of India. 16 March 2012. Retrieved 5 December 2018.
  2. "Big money debuts in Ollywood". The New Indian Express. Retrieved 5 December 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Murgh Tawa Masala Dish by Sudhakar Basant". YouTube. Tarang TV. Retrieved 2 December 2018.
  4. "Films in festival time". www.telegraphindia.com (in ଇଂରାଜୀ). 26 September 2009. Retrieved 5 December 2018.
  5. "ସିଂଘମ୍ – ୩ରେ ସୁଧାକର | Kanak News". Kanak News. Bhubaneswar. 26 April 2016. Archived from the original on 3 August 2020. Retrieved 2 December 2018.
  6. "Nakhi nani pua Bhagia | Odia Film release in Durga Puja 2013". OdiaLive. 24 July 2013. Retrieved 5 December 2018.
  7. "When O-Town Men Turned into Damsels". Mycitylinks- Bhubaneswar | Cuttack | Puri (in ଇଂରାଜୀ). 12 November 2018. Retrieved 5 December 2018.
  8. "Odia Film nominations in Filmfare Award 2013". Apna Films. 29 March 2014. Retrieved 5 December 2018.

ବାହାର ଲିଙ୍କ[ସମ୍ପାଦନା]