ସାରଙ୍ଗଧର ଦାସ
ସାରଙ୍ଗଧର ଦାସ | |
---|---|
ଜନ୍ମ | ସାରଙ୍ଗଧର ଦାସ ୧୭ ଅକ୍ଟୋବର ୧୮୮୭ ହରେକୃଷ୍ଣପୁର, ଢେଙ୍କାନାଳ |
ମୃତ୍ୟୁ | ୧୮ ସେପ୍ଟେମ୍ବର ୧୯୫୭[୧] | (ବୟସ ୬୯)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ(ରସାୟନ ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ |
ବୈବାହିକ-ସାଥୀ | ଫ୍ରିଡା ହାଉସରିଥ୍ |
ପିତାମାତା | ହରେକୃଷ୍ଣ ଦାସ, ମାଣିକ ଦେବୀ |
ସାରଙ୍ଗଧର ଦାସ ଓଡ଼ିଶାର ଜଣେ ସମାଜବାଦୀ ନେତା ଥିଲେ । [୨] ଅନୁନ୍ନତ ଗଡ଼ଜାତ ଅଞ୍ଚଳର ଉନ୍ନତି ନିମନ୍ତେ ସେ ସ୍ୱପ୍ନ ଦେଖିଥିଲେ । ଗଡ଼ଜାତ ଅଞ୍ଚଳରେ ତାଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ସେ ଗଡ଼ଜାତ ଗାନ୍ଧୀ ରୂପରେ ପରିଚିତ ଥିଲେ । ସେ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ । ହୁଏତ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯେ କି ଜଣେ ଛାତ୍ର ଭାବରେ ଆମେରିକା ମାଟିରେ ପାଦ ଦେଇଥିଲେ ।[୩]
ପ୍ରାଥମିକ ଜୀବନ
[ସମ୍ପାଦନା]ସାରଙ୍ଗଧର ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୭ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କର ନାମ ଥିଲା ହରେକୃଷ୍ଣ ଦାସ ତଥା ମାତାଙ୍କ ନାମ ଥିଲା ମାଣିକ ଦେବୀ । ପିତା ମାତାଙ୍କର ସେ ଥିଲେ ପଞ୍ଚମ ତଥା କନିଷ୍ଠ ସନ୍ତାନ । ଏଗାର ବର୍ଷ ବୟସରେ ସେ ପିତାଙ୍କୁ ହରାଇ ଥିଲେ । କେହି ମୁରବୀ ଦେଖାଶୁଣା କରିବାକୁ ନଥିବାରୁ ସେ କୁସଙ୍ଗରେ ପଡିଥିଲେ ମାତ୍ର ପରେ ଅନୁତାପ କରି ମାଆଙ୍କ ଉପଦେଶ ଅନୁସାରେ ଚଳିଲେ ଓ ୧୯୦୫ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାଂସ୍ (ମାଟ୍ରିକୁଲେସନ୍) ପାସ କଲେ । ତାପରେ ସେ ରେଭେନ୍ସା କଲେଜରେ ନାମ ଲେଖାଇଲେ ଏବଂ ସେଠାରେ ତାଙ୍କ ସହ ରହୁଥିଲେ ନୀଳକଣ୍ଠ ଦାସ (ପରେ ପଣ୍ଡିତ ନୀଳକଣ୍ଠ ଦାସ) । ତାଙ୍କରି ଜରିଆରେ ସାରଙ୍ଗଧର ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ପ୍ରଭୃତିଙ୍କ ସହ ଘନିଷ୍ଠ ହୋଇଥିଲେ ଓ ସ୍ୱଦେଶ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ ।[୩]
ରେଭେନ୍ସା କଲେଜରେ ପାଠ ପଢୁଥିବା ସମୟରେ ତାଙ୍କର ଭେଟ ହୋଇଥିଲା 'ଭାରତ ସେବକ ସମାଜ ସଂଘ'ର ସଭ୍ୟ ସି.ଭି ବୈଦ୍ୟଙ୍କ ସହିତ । ଏ ସମ୍ପର୍କରେ ସେ ନିଜ ଡାଏରୀରେ ଲେଖିଛନ୍ତି ,"ଏହି ବୈଦ୍ୟ ମହାଶୟଙ୍କ ସଙ୍ଗେ ବ୍ୟକ୍ତିଗତ ଭାବେ ଦେଖା ଏବଂ କଥାବାର୍ତ୍ତା ସେଦିନ ମୋ ଜୀବନଧାରାରେ ଗୋଟିଏ ପରିବର୍ତ୍ତନ ଆଣିଲା । ଢେଙ୍କାନାଳ ପଢୁଥିବାବେଳେ ସରକାରୀ ଚାକିରୀକୁ ଲକ୍ଷ୍ୟ ରଖି ମୁଁ ପାଠ ପଢୁଥିଲି । ତାହା ସେହିଦିନ ଲୋପ ପାଇଗଲା । ମୁଁ ଅନ୍ଧାଣିଆ ଭାବରେ ଭାବିଲି ଯେ ,ଉଚ୍ଚଶିକ୍ଷାପ୍ରାପ୍ତ ଯୁବକ ସକାଶେ ସରକାରୀ ଚାକିରି ବାହାରେ ମଧ୍ୟ ଅନେକ କାମ ରହିଛି । ତାହା ହୁଏତ ଚାକିରି ଅପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ । ମନୁଷ୍ୟ ଜୀବନରେ ଏହିପରି ଗୋଟିଏ ଗୋଟିଏ ଘାଟି ସମୟ ଆସିଥାଏ । ପରବର୍ତ୍ତୀ ସମୟରେ ଜୀବନ ଧାରାରେ ଯେଉଁ ପରିବର୍ତ୍ତନ ଘଟେ , ତାହା ଉଚ୍ଚରୁ ଉଚ୍ଚତର କରେ ।"[୩]
ବିଦେଶ ଯାତ୍ରା ଓ ବିଦେଶରେ ଶିକ୍ଷା
[ସମ୍ପାଦନା]ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ୱପ୍ନ ଦେଖୁଥିବା ସାରଙ୍ଗଧର ବିଦେଶରେ ଶିଳ୍ପ ନିମନ୍ତେ ତାଲିମ ନେବାକୁ ଆଗ୍ରହୀ ଥିଲେ । ଇଂରେଜମାନେ ଆମ ଦେଶକୁ ପରାଧୀନ କରି ରଖିଥିବାରୁ ସେ ଇଂଲଣ୍ଡ କିମ୍ବା ଅନ୍ୟ ୟୁରୋପୀୟ ଦେଶମାନଂକରେ ପଢ଼ିବାକୁ ଚାହିଁନଥିଲେ । ସେତେବେଳେ ଏସିଆ ମହାଦେଶରେ ଜାପାନ ଥିଲା ସବୁଠାରୁ ବିକଶିତ ତଥା ଶିଳ୍ପ ସମୃଦ୍ଧ ଦେଶ । ସେଠାରେ ମଧ୍ୟ ଖର୍ଚ କମ ପଡୁଥିଲା । ତେଣୁ ସେ ଜାପାନ ଯିବାକୁ ଇଚ୍ଛୁକ ହେଲେ ।[୩]
ହେଲେ ତାଙ୍କ ପାଖର ଅର୍ଥ ନଥିବାରୁ ପ୍ରଥମେ ସେ ନୀଳଗିରି ସ୍କୁଲ୍ରେ ଶିକ୍ଷକତା କଲେ । ସେ କଲିକତାର ଏକ ସଂସ୍ଥା ଯାହାକି ମେଧାବୀ ଛାତ୍ରମାନଙ୍କୁ ବିଦେଶରେ ପାଠ ପଢ଼ା ନିମନ୍ତେ ସହାୟତା କରୁଥିଲା, ତା'ସହ ଯୋଗାଯୋଗ କରି ମାସିକ ୨୫ ଟଙ୍କା ହିସାବରେ ଦୁଇ ବର୍ଷ ନିମନ୍ତେ ବୃତ୍ତି ପାଇଲେ । ମାତ୍ର ସେ ସଂସ୍ଥାର ଆଉ ଗୋଟିଏ ସର୍ତ୍ତ ଥିଲା କି ଯେ ସେ ଢେଙ୍କାନାଳ ରାଜାଙ୍କଠାରୁ ମଧ୍ୟ କିଛି ମାସିକ ବୃତ୍ତି ନେବେ । ଢେଙ୍କାନାଳ ରାଜା ଶ୍ରୀ ସୁର ପ୍ରତାପ ସିଂହଦେଓ ତାଙ୍କୁ ମାସିକ ବୃତ୍ତି ଯୋଗାଇଦେବା ପାଇଁ ରାଜିହେଲେ । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ମଧ୍ୟ କିଛି ଅର୍ଥ ଦେଲେ । ଏହାପରେ ସାରଙ୍ଗଧର ୧୯୦୭ ମସିହାରେ ଜାପାନ ଯାତ୍ରା କଲେ ।[୩]
ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମନ୍ତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମନ୍ତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଙ୍କର ଧାରଣା ହେଲା ଯେ ଜାପାନରେ ଶିକ୍ଷା ସ୍ତର ଏତେ ଉଚ୍ଚ ନୁହଁ, ତେଣୁ ସେ ଜାପାନ ଛାଡ଼ି ଆମେରିକା ଯିବାକୁ ସ୍ଥିର କଲେ ଢେଙ୍କାନାଳ ରାଜା ତାଙ୍କୁ ଫେରି ଆସିବାକୁ ପତ୍ର ଲେଖିଲେ, ମାତ୍ର ତାକୁ ଭ୍ରୂକ୍ଷେପ ନ କରି ସେ ଆମେରିକା ଯିବାକୁ ବଦ୍ଧପରିକର ହେଲେ । ସେ ଶୁଣିଥିଲେ ଯେ ଆମେରିକାରେ ଚାକିରୀ କରି ପାଠ ପଢ଼ିପାରିବେ । ହେଲେ ଜାପାନରୁ ଆମେରିକା ଯିବା ନିମନ୍ତେ ଟିକଟ ଖର୍ଚ୍ଚ ମଧ୍ୟ ତାଙ୍କ ପାଖରେ ନ ଥିଲା । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ଉତ୍କଳ ସମ୍ମିଳନୀ ତରଫରୁ ତାଙ୍କୁ ୩୦୦ ଟଙ୍କା ପଠାଇଲେ, ଏଥିରେ ସେ ତୃତୀୟ ଶ୍ରେଣୀ ଜଳ ଜାହାଜ ଟିକଟ ଖଣ୍ଡେ କରିପାରିଲେ । ପାଠ ପଢ଼ିବାକୁ ଆମେରିକା ଯାଉଥିବା ଛାତ୍ରମାନଙ୍କ ପାଖରେ ଅତି କମ୍ରେ ୫୦ଡଲାର ଅର୍ଥ ଥିବାର ଗୋଟିଏ ନିୟମ ଥିଲା । ଏଥି ନିମନ୍ତେ ଜାପାନର ଥିବା ଜଣେ ମୁଲତାନ୍ ଅଞ୍ଚଳର ଜଣେ ବ୍ୟବସାୟୀ ତାଙ୍କୁ ବନ୍ଧୁତା ଦୃଷ୍ଟିରେ ଦାନ ଦେଲେ । ଅନ୍ୟ ଉପାୟ ନ ପାଇ ସାରଙ୍ଗଧର ତାକୁ ଗ୍ରହଣ କରିଥିଲେ, ହେଲେ ଆମେରିକା ପହଞ୍ଚିବାର ଚାରି ମାସ ମଧ୍ୟରେ ଫେରାଇଦେଇଥିଲେ ।[୩]
ଆମେରିକାରେ ପହଞ୍ଚି ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ଏହା ସେ ଢେଙ୍କାନାଳ ରାଜାଙ୍କୁ ଜଣାଇଥିଲେ, ମାତ୍ର ଏଥିରେ ରାଜା କ୍ରୋଧାନ୍ୱିତ ହୋଇ ତାଙ୍କର ବୃତ୍ତି ବନ୍ଦ କରିଦେଲେ । ଏହାପରେ ଅର୍ଥାଭାବର ସମ୍ମୁଖୀନ ହୋଇ ସେ ବେର୍କ୍ଲୀର ଜଣେ ଗୃହକର୍ତ୍ତ୍ରୀଙ୍କ ଘରେ ଦୈନିକ ଚାରିଘଣ୍ଟା କାର୍ଯ୍ୟ କରି ନିଜର ରହିବା ଓ ଖାଇବା ଖର୍ଚ୍ଚ ଯୋଗାଡ କରିଥିଲେ । ବିଶ୍ୱବିଦ୍ୟାଳୟ ପଢ଼ା ସହ ଗ୍ରୀଷ୍ମ ଛୁଟିରେ ସେ ଚିନି ବିଶୋଧନ ପ୍ରକ୍ରିୟା ମଧ୍ୟ ଶିଖିଲେ । ପଢ଼ା ଶେଷରେ ସେ ହାୱାଇସ୍ଥିତ ପାୟା ଚିନି କାରଖାନାରେ ଚିଫ୍ କେମିଷ୍ଟ ଭାବରେ ନିଯୁକ୍ତି ପାଇଥିଲେ ।[୩]
ବିବାହ
[ସମ୍ପାଦନା]କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ପଢିଲାବେଲେ ସାରଙ୍ଗଧରଙ୍କର ଫ୍ରିଡା ହାଉସରିଥ୍ ନାମ୍ନୀ ସୁଇଡେନ୍ରୁ ଆମେରିକାକୁ ଆସିଥିବା ଛାତ୍ରୀଙ୍କ ସହ ପରିଚୟ ହୋଇଥିଲା । ସେ ମଧ୍ୟ ଥିଲେ ଜଣେ ଲେଖିକା ତଥା ଚିତ୍ରଶିଳ୍ପୀ । ଭାରତୀୟ ଦର୍ଶନ ଓ ସାହିତ୍ୟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଭଗବତ୍ ଗୀତାର କର୍ମ ଯୋଗ ତାଙ୍କୁ ବହୁତ ପ୍ରଭାବିତ କରିଥିଲା । କ୍ରମେ ସେ ଭାରତର ରାଜନୀତିକ ଓ ସାମାଜିକ ପରିସ୍ଥିତି ଜାଣିବାକୁ ପାଇଥିଲେ । ଜଣେ ଭାରତୀୟ ନେତାଙ୍କ ଭାଷଣ ସଭା ପରେ ଚାଲିଥିବା ଆଲୋଚନା ଚକ୍ରରେ ସେ ସାରଙ୍ଗଧରଙ୍କୁ ଭେଟିଥିଲେ ଓ ତାଙ୍କର ବାସ୍ତବବାଦୀ ଚିନ୍ତାଧାରା ଫ୍ରିଡାଙ୍କୁ ସ୍ପର୍ଶ କରିଥିଲା । କାଳକ୍ରମେ ଦୁଇଜଣଙ୍କ ଭିତରେ ଘନିଷ୍ଠତା ହୋଇଥିଲା ଓ ତାହା ପ୍ରଣୟରେ ପରିଣତ ହୋଇଥିଲା ।[୩]
ସେ ଭିତରେ ଫ୍ରୀଡାଙ୍କ ଭାରତର ଶିକ୍ଷା ତଥା ସ୍ୱାସ୍ଥ୍ୟ ଉପରେ ଲେଖା କଲିକତାର ମଡର୍ଣ ରିଭ୍ୟୁ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ଆମେରିକା ଯାଇଥିବା ସାର୍ ଜଗଦୀଶ ଚନ୍ଦ୍ର ବୋଷଙ୍କ ସହ ସେ ସାକ୍ଷାତକାର କରିଥିଲେ ଓ ବୋଷ ଦମ୍ପତ୍ତି ତାଙ୍କୁ କଲିକତା ଆସି ବ୍ରାହ୍ମ ବାଳିକା ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଆମନ୍ତ୍ରଣ କରିଥିଲେ । ମାତ୍ର ବ୍ରିଟିଶ୍ ଦୂତାବାସ ଫ୍ରିଡାଙ୍କୁ ଭିସା ମନାକରିଦେଲେ ଓ ସେ ହତାଶ ହେଲେ । ସେ ଆଉ କୌଣସି ଉପାୟରେ ଭାରତ ଆସିପାରିବେ ପଚାରି ସାରଙ୍ଗଧଙ୍କୁ ପତ୍ର ଦେଇଥିଲେ । ଏକ ପତ୍ରରେ ସାରଙ୍ଗଧର ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।[୩]
ସମାଜ ସେବା
[ସମ୍ପାଦନା]୧୯୫୬ ମସିହା ଐତିହାସିକ ସୀମା ଆନ୍ଦୋଳନ ବେଳେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କଦ୍ୱାରା ନିଯୁକ୍ତ ସୀମା ନିର୍ଦ୍ଧାରଣ କମିଶନ୍ ସୁପାରିସ୍ ପ୍ରକାଶିତ ହେଲା ପରେ ସମଗ୍ର ଓଡ଼ିଶାରେ ପ୍ରତିବାଦର ସ୍ୱର ଝଙ୍କୃତ ହୋଇଥିଲା । ସାରଙ୍ଗଧର ଦାସ ଲୋକ ସଭାରେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ମିଶ୍ରଣ ସପକ୍ଷରେ ଏକ ତଥ୍ୟ ସମ୍ବଳିତ ଆବେଗମୟ ଭାଷଣ ଦେଇ କେନ୍ଦ୍ର ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ୱ ନେଇ କାରାବରଣ କରିଥିଲେ ।[୩]
୧୯୫୭ ମସିହା ଲୋକ ସଭା ନିର୍ବାଚନରେ ସାରଙ୍ଗଧର ଦାସ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଜା-ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ । [୪] ନିର୍ବାଚନ ପ୍ରଚାର ବେଳେ ସେ ଯେଉଁ ଭାଷଣ ଦେଉଥିଲେ ସେଥିରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ତାଙ୍କର ପ୍ରଚଣ୍ଡ କ୍ରୋଧର ବିସ୍ଫୋରଣ ଘଟୁଥିଲା । ସେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ସମାଜବାଦର ତତ୍ତ୍ୱ ବୁଝାଉଥିଲେ । ତାଙ୍କ ଭାଷଣରେ ସ୍ଥାନୀୟ ସମସ୍ୟାର ସମାଧାନର ମିଥ୍ୟା ଆଶ୍ୱାସନା ନ ଥିଲା, ଏପରିକି ପ୍ରତିଦ୍ୱନ୍ଦୀଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ ମଧ୍ୟ ନଥିଲା । ନିର୍ବାଚନ ପ୍ରଚାର ଥିଲା ତାଙ୍କ ପାଇଁ ଲୋକଙ୍କୁ ରାଜନୈତିକ ଶିକ୍ଷା ଦେବାର ସୁଯୋଗ । ସମାଜ ନବଦଳିଲେ ଦେଶର ଭାଗ୍ୟ ବଦଳିବ ନାହିଁ, ସାମାଜିକ ସମ୍ପଦର ସମବଣ୍ଟନ ନହେଲେ ଦେଶରୁ ଦାରିଦ୍ର୍ୟ ଘୁଞ୍ଚିବ ନାହିଁ :-ଏହା ଥିଲା ତାଙ୍କ ଭାଷଣର ମୂଳ କଥା ।[୩]
ସାରଙ୍ଗଧର, ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଗଣତାନ୍ତ୍ରିକ ସମାଜବାଦର ପ୍ରସାର ଏବଂ ଶିଶୁ -ମହିଳାମାନଙ୍କ ଉନ୍ନୟନ ପାଇଁ ଉଇଲ୍ କରି ଯାଇଛନ୍ତି । ଜଣେ ଖାଣ୍ଟି ସୋସାଲିଷ୍ଟ ଭାବରେ ସେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକାନା ଉପରେ ବିଶ୍ୱାସ କରୁନଥିଲେ, ସେଥିପାଇଁ ସେ ନିଜର ସମସ୍ତ ସମ୍ପତ୍ତି ସାମାଜିକ ଉନ୍ନୟନ ଏବଂ ସମାଜବାଦର ପ୍ରସାର ଓ ପ୍ରତିଷ୍ଠା ପାଇଁ ଦାନ କରିଯାଇଛନ୍ତି । ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୀବନ ଭିନ୍ନ ଭିନ୍ନ ସମୟରେ ନେଇଥିଲା, ଭିନ୍ନ ଭିନ୍ନ ମୋଡ ।[୩]
୧୯୪୬ ମସିହା ଓଡ଼ିଶା ବିଧାନ ସଭାକୁ ଯିବା ପାଇଁ ତାଙ୍କୁ ତିର୍ତ୍ତୋଲ -ଏରସମା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ହୋଇଥିଲା । ସେଠାରେ ସେ ବିଧାନ ସଭାକୁ ନିର୍ବାଚିତ ହୋଇ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ । ସେତେବେଳେ ବିଧାନ ସଭାରେ ଓଡ଼ିଆ ଭାଷାରେ ଭାଷଣ ଦେବାର ବିଧି ନ ଥିଲା । କାରଣ ସେତେବେଳେ ଇଂରାଜୀ ଶାସନର ଅବସାନ ଘଟି ନ ଥିଲା କିମ୍ବା ମହାରାଣୀଙ୍କ ଇଂରାଜୀ ଭାଷାର ପ୍ରଭୁତ୍ୱ ହ୍ରାସ ପାଇନଥିଲା । ସାରଙ୍ଗଧର କିନ୍ତୁ ବାଚସ୍ପତିଙ୍କ ବାରଣ ସତ୍ତ୍ୱେ ଓଡ଼ିଶା ବିଧାନ ସଭାରେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେବା ଆରମ୍ଭ କରିଦେଲେ । ତାଙ୍କର ଯୁକ୍ତି ଥିଲା, ଓଡ଼ିଶା ବିଧାନ ସଭାରେ ଓଡ଼ିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ? ଇଂଲଣ୍ଡର ହାଉସ୍ ଅଫ୍ କମନସ୍ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?[୩]
୧୯୪୬ ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା । ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ୱରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ । ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ୱାର ଜଳମଗ୍ନ ହୋଇଯିବ । ସେମାନେ ଅନାଥ ହୋଇଯିବେ ବୋଲି ବଲାଙ୍ଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଙ୍କ କୁମ୍ଭୀର କାନ୍ଦଣା ଆରମ୍ଭ କରିଥିଲେ । ସାରଙ୍ଗଧର ଓଡ଼ିଶା ବିଧାନ ସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ । ଗଡଜାତ ରାଜାମାନଙ୍କଦ୍ୱାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି । ଜଙ୍ଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି । ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡ଼ିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି, ଆଦିବାସୀମାନଙ୍କ ସମର୍ଥନରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା । ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢିର ଲୋକେ ନୁହନ୍ତି, ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ । ସମ୍ବଲପୁର୍ ଜିଲ୍ଲାର ବହୁ ଅଞ୍ଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ,ପଶ୍ଚିମ ଓଡ଼ିଶାରେ ଶିଳ୍ପର ପ୍ରସାର ଘଟିବ । ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ ।[୩]
ବିଧାନ ସଭାରେ ସାରଙ୍ଗଧର ମଧ୍ୟ ଥିଲେ ଗରିବ କୃଷକ, ଶ୍ରମିକମାନଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ । ଆଦିବାସୀମାନଙ୍କ ପାଇଁ ତାଙ୍କ ହୃଦୟ ମଧ୍ୟରେ ଥିଲା ଅନ୍ତହୀନ ସମବେଦନା । ସେ ବେସରକାରୀ ସ୍ତରରେ ଗଡଜାତ ଅଞ୍ଚଳର ଦୁଃସ୍ଥ ରାଜନୈତିକ କର୍ମୀଙ୍କ ପିଲାମାନଙ୍କ ଶିକ୍ଷାପାଇଁ ମାଳତୀ ଚୌଧୁରୀଙ୍କ ସହ ୧୯୪୬ ମସିହାରେ ଅନୁଗୁଳଠାରେ ସ୍ଥାପନ କରିଥିଲେ 'ବାଜିରାଉତ ଛାତ୍ରାବାସ' । ଏଠାରେ ଆଦିବାସୀ ଓ ହରିଜନ ପିଲାମାନଙ୍କୁ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୯୪୮ମସିହାରେଆଦିବାସୀମାନଂକ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ସେମାନଂକ ଉପରେ ହେଉଥିବା ଜୁଲୁମର ପ୍ରତିକାର ଲାଗି ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହରଂକ ସହିତ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ ।[୩]
ସାରଙ୍ଗଧରଙ୍କର ଗାନ୍ଧୀ-ନେହେରୁ ଆଦର୍ଶରେ ପରିଚାଳିତ କଂଗ୍ରେସ ଉପରେ ଯଥେଷ୍ଟ ଭରସା ଥିଲା । ସେ ଆଶା କରୁଥିଲେ କଂଗ୍ରେସ ରାଜନୈତିକ ସ୍ୱାଧୀନତା ଆଣି ସାରିବା ପରେ ଅର୍ଥନୈତିକ ସ୍ୱାଧୀନତା ମଧ୍ୟ ଆଣିଦେବ । ସେ କଂଗ୍ରେସ ମଧ୍ୟରେ ଥାଇ ଗଡଜାତ ମିଶ୍ରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଇଦା ସହିତ ସମାଜବାଦୀ ସମାଜବ୍ୟବସ୍ଥା ପ୍ରବର୍ତ୍ତନ କରିବାରେ ସହାୟତା କରିପାରିବେ । କିନ୍ତୁ ତାଙ୍କର ସେ ସ୍ୱପ୍ନ ସଫଳ ହେବାର ସମ୍ଭାବନା ଦେଖାଗଲା ନାହିଁ । ସର୍ଦ୍ଦାର୍ ପଟେଲଙ୍କ ଉଦ୍ୟମ ଫଳରେ ମୟୂରଭଞ୍ଜ ଛାଡି ଅନ୍ୟ ପଚିଶିଟି ଗଡଜାତର ଓଡ଼ିଶା ସହିତ ମିଶ୍ରଣ ହେଲା ସତ, ହେଲେ ରାଜାମାନଙ୍କୁ ବିପୁଳ ଭୁସମ୍ପତ୍ତି ରଖିବାର ସୁଯୋଗ ଦିଆଯିବା ସହିତ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଭତ୍ତା ଦିଆଗଲା । ଅଥଚ ପ୍ରଜାମଣ୍ଡଳ ଆନ୍ଦୋଳନବେଳେ ଗଡଜାତର ଭୁମିହୀନ କୃଷକ, ଆଦିବାସୀମାନଙ୍କୁ ଚାଷଜମି, ବାସଭୂମି ଯୋଗାଇ ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଗଲା ନାହିଁ । ସେମାନେ ମହରଗରୁ ଯାଇ କାନ୍ତାରରେ ପଡିଲେ । ସୋସାଲିଷ୍ଟମାନଙ୍କୁ ପ୍ରସ୍ତାବ ପାସ୍ କରି କଂଗ୍ରେସରୁ ତଡ଼ି ସାରିଲା ପରେ କଂଗ୍ରେସ ଭିତରେ ଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀର ନେତା ସର୍ଦ୍ଦାର୍ ପଟେଲ୍ ରାଜା, ଜମିଦାର, ଶିଳ୍ପପତିମାନଙ୍କୁ ନିର୍ବାଚନରେ ଟିକଟ ଦେଇ କଂଗ୍ରେସ ଭିତରେ ଥଇଥାନ କରିବାକୁ ଲାଗିଲେ । ଏ ପ୍ରକ୍ରିୟା ସ୍ୱାଧିନତା ପ୍ରାପ୍ତି ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ।
ସେତେବେଳେ ଓଡ଼ିଶା କଂଗ୍ରେସ କମିଟି ତରଫରୁ ବିଧାନ ସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ୱ ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଏବଂ ବାଙ୍କବିହାରୀ ଦାସଙ୍କ ଉପରେ ନ୍ୟସ୍ତ ଥିଲା । କମର୍ସ କନଷ୍ଟିଚ୍ୱେନ୍ସି ବା ବ୍ୟବସାୟୀ ନିର୍ବାଚନ ମଣ୍ଡଳୀରୁ ସେମାନେ ତିନିଜଣ ସ୍ଥିର କରିଥିଲେ ଯେ, ଯୁବନେତା ସୁରଜମଲ୍ଲ ଶାହାଙ୍କୁ କଂଗ୍ରେସ ତରଫରୁ ପ୍ରାର୍ଥୀ କରାଯିବ । କାରଣ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । କିନ୍ତୁ ମହତାବ -ଚୌଧୁରୀ -ଦାସ ତ୍ରିମୁର୍ତ୍ତୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପୁର୍ବରୁ କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡର ଅଧ୍ୟକ୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଂକ ପାଖରୁ ଗୋଟିଏ ରେଜିଷ୍ଟ୍ରି ଚିଠି ଡକ୍ଟର ମହାତାବଙ୍କ ନାମରେ ଆସି କଂଗ୍ରେସ ଅଫିସରେ ପହଞ୍ଚିଲା । ସେ ଚିଠି ଖୋଲା ଗଲା ପରେ ଦେଖାଗଲା, ସେଥିରେ ଦଶ ହଜାର ଟଂକାର ଏକ ଚେକ୍ ଏବଂ ମହାତାବଙ୍କ ପାଖକୁ ସର୍ଦ୍ଦାର୍ ପଟେଲଙ୍କର ଖଣ୍ଡେ ଚିଠି ଅଛି । ସେ ଚିଠିରେ ଲେଖାଥିଲା ଯେ, ଏ ଦଶ ହଜାର ଟଙ୍କା ହେଉଛି ଶିଳ୍ପପତି ବିରଳା ବ୍ରଦର୍ସ୍ଂକର ଓଡ଼ିଶା କଂଗ୍ରେସକୁ ନିର୍ବାଚନ ଚାନ୍ଦା । ଏ ଚାନ୍ଦା ସହିତ ଓଡ଼ିଶାର କମର୍ସ୍ ସିଟରୁ ବିରଳା ବ୍ରଦର୍ସଂକ ଜି .ଡି .ଥିରାନୀଙ୍କ ପ୍ରାର୍ଥୀ ମନୋନୟନ କରିବାକୁ ମଧ୍ୟ ଥିଲା ପରାମର୍ଶ । ଜି.ଡି . ଥିରାନୀ ସେତେବେଳେ ବ୍ରଜରାଜ ନଗର ଓରିଏଣ୍ଟ କାଗଜକଳ ପରିଚାଳକ । ବିରଳା ବ୍ରଦର୍ସ୍ ଥିଲେ ଏହି କାଗଜ କଳର ମାଲିକ । ଧିରେ ଧିରେ କଂଗ୍ରେସ ଯେ ରାଜା,ଜମିଦାର୍, ଶିଳ୍ପପତିମାନଙ୍କ ସ୍ୱାର୍ଥ ପାଖରେ ବନ୍ଧା ପଡିଯାଉଛି ଅନୁଭବ କରୁଥିଲେ ସାରଙ୍ଗ । ସେ ଅନୁଭବ କଲେ ଯେ,ବିଧାନ ସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ, ଅତ୍ୟାଚାରିତ ପ୍ରଜାମାନଙ୍କ ସ୍ୱାର୍ଥରକ୍ଷା ପାଇଁ କୌଣସି ଆଇନ କରିପାରୁନାହାନ୍ତି । ବରଂ ତାଙ୍କର ତୀବ୍ର ବିରୋଧ ସତ୍ତ୍ୱେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଶପୁର୍ ଜଂଗଲ୍ କାଟି ପଦା କରିଦିଆଗଲା । କାରଣ କାଠ ତସ୍କର ମାନଂକ ସହିତ ସ୍ଥାନୀୟ କିଛି କଂଗ୍ରେସ ଲୋକଙ୍କ ସଲାସୁତୁରା ଥିଲା । ସେହିପରି ଗଡଜାତ ଜଂଗଲରୁ କେନ୍ଦୁପତ୍ର ସଂଗ୍ରହ ଏକଚାଟିଆ ବ୍ୟବସାୟ ବନ୍ଦକରି କେନ୍ଦୁପତ୍ର ତୋଳାଳି ଗରିବ ଆଦିବାସୀ ନାରୀ ଓ ପୁରୁଷମାନଙ୍କୁ ଅଧିକ ମଜୁରୀ ଦେବାଲାଗି ଆଇନ ପ୍ରଣୟନ କରିବାକୁ ତାଙ୍କ ଦାବିକୁ କଂଗ୍ରେସ ସରକାର ପ୍ରତ୍ୟାଖ୍ୟାନ କରିଦେଲେ। ବରଂ ତାଙ୍କୁ ଚୁପ୍ କରିଦେବା ପାଇଁ ମନ୍ତ୍ରୀପଦ ,ପବ୍ଲିକ ସର୍ଭିସ କମିସନ ଚେୟାରମ୍ୟାନ୍ ପଦ ଯଚାହେଲା । ଫଳରେ ତାଙ୍କର କଂଗ୍ରେସ ଦଳ ଓ ସରକାର ଉପରୁ ଆସ୍ଥା ତୁଟିଗଲା । ସେ କଂଗ୍ରେସ ଛାଡିବା ପାଇଁ ସ୍ଥିର କରିନେଲେ ।[୩]
୧୯୪୮ ମସିହାରେ ସାରଙ୍ଗଧର କଂଗ୍ରେସ ଦଳରୁ ଇସ୍ତଫା ଦେଇଦେଲେ । ସେତେବେଳେ ଗୋଟିଏ ଦଳ ଟିକଟରେ ଅସେମ୍ବ୍ଲି କିମ୍ବା ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇ ଅନ୍ୟ ଦଳରେ ଯୋଗଦେଲେ ବିଧାନ ସଭା କିମ୍ବା ଇସ୍ତଫା ଦେବାର କୌଣସି ରାଜନୈତିକ ବା ଆଇନଗତ ବାଧ୍ୟବାଧକତା ନ ଥିଲା । ସାରଙ୍ଗ ଧର ଚାହିଁଥିଲେ ଅନ୍ୟ ଦଳରେ ଯୋଗଦେଇ ମଧ୍ୟ ଓଡ଼ିଶା ବିଧାନ ସଭାରେ ସଭ୍ୟ ରହିପାରିଥାନ୍ତେ |କିନ୍ତୁ ରାଜନୈତିକ ଲାଭ ଅପେକ୍ଷା ନୈତିକ ମୂଲ୍ୟବୋଧ ତାଙ୍କ ପାଇଁ ଅଧିକ ମୂଲ୍ୟବାନ ଥିଲା । ସେ ସାଙ୍ଗେ ସାଙ୍ଗେ ମଧ୍ୟ କଂଗ୍ରେସ ଛାଡି ସୋସାଲିଷ୍ଟ୍ ପାର୍ଟିର ସଭ୍ୟପଦ ଗ୍ରହଣ କରିନଥିଲେ ।[୩]
ଆଧାର
[ସମ୍ପାଦନା]- ↑ "ଗଡ଼ଜାତ ଗାନ୍ଧୀ". ସମ୍ବାଦ ୧୮/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 4 March 2016. Retrieved 18 September 2015.
- ↑ Nayak, Jatin Kumar (March 7, 2011). "Orissa Whispers". The Telegraph. Retrieved 28 January 2015.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ପଟ୍ଟନାୟକ, ବିଭୁତି. ବିପ୍ଲବୀ ସାରଂଗ ଧର.
- ↑ "Echoes of Freedom: South Asian Pioneers in California, 1899-1965". The Library, University of California, Berkeley. Retrieved 28 January 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
୧୯୪୯ ମସିହାରେ ସେ ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ |